ଲଘୁଚାପ ବର୍ଷାରେ ଭାସୁଛି ଦକ୍ଷିଣ ଓଡିଶା, ୧୭ରୁ ଆଉ ଏକ ଲଘୁଚାପର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା । ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା । ଗଞ୍ଜାମରୁ ଗଜପତି ବର୍ଷାରେ ବେହାଲ । ଲଘୁଚାପ ଆନ୍ଧ୍ରପ୍ରଦେଶର କାକିନାଡ଼ରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ହୋଇଛି ପ୍ରବଳ ବର୍ଷା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳ ଆଙ୍କୁଲି , ବୁରତାଲର, ବଣିଆବସା , ବେହେରା ପୁଟ, ଇଲାଗଲା, ମଦୁଆଗୁମାନ୍ଦ ଲୋକ ଜଳ ଘେରରେ ରହିଛନ୍ତି । ପୁରୁଷୋତ୍ତମପୁର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛି ବର୍ଷା ଜଳ । ଗଜପତି ଜ଼ିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଛି ।

ଘୋଡାହାଡ ଡ୍ୟାମ ରେ ଜଳପତ୍ତନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ କେ. ରାମଚନ୍ଦ୍ରପୁରରେ ବର୍ଷା ପାଣି ପ୍ରବେଶ କରିଛି । ଉଦୟଗିରି, ରାୟଗଡ଼, ଗୁମ୍ମା, କାଶୀନଗର, ପାରଳାଖେମୁଣ୍ଡି ଅଞ୍ଚଳର ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାରଳାଖେମୁଣ୍ଡି ସୁବାସ ନଗରରେ ବର୍ଷା ଯୋଗୁଁ ଘର ଭୁଶୁଡିଛି ।  ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହରିଶ୍ଚନ୍ଦ୍ର ନାଗବଂଶଙ୍କ ପରିବାର । ଦିଗପହଣ୍ଡିରେ ପଥର ଖସି ରାସ୍ତା ବନ୍ଦ ହୋଇଯାଇଛି । ସେହିଭଳି ମୋହନା ନିକଟ ରାମନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି ।

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ଆସନ୍ତାକାଲି ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ତେବେ ଆସନ୍ତା ୧୭ ତାରିଖରୁ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି । ଲଗାଣ ବର୍ଷା ହୋଇଥିଲେ ବି ଏବେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ  । ତେବେ ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply