PF ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ପେନସନ୍‌କୁ ନେଇ ନୂଆ ନିୟମ..

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଇପିଏଫ୍‌ଓ ଦ୍ୱାରା ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଆହୁରି ସହଜ କରାଯାଇଛି । ଏବେ ଇପିଏଫ୍‌ ଆକାଉଣ୍ଟଧାରୀ ମାତ୍ର କିଛି ମିନିଟ୍‌ ମଧ୍ୟରେ ଅନ୍‌ଲାଇନ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରିବେ ।

କେବଳ ଗୋଟିଏ ଆପ୍‌ ୟୁନିଫାଏଡ୍‌ ମୋବାଇଲ ଆପ୍ଲିକେସନ୍‌ ଫର୍‌ ନ୍ୟୁ-ଏଜ୍‌ ଗଭର୍ଣ୍ଣାନ୍ସ (UMANG) ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅତି ସହଜରେ ହୋଇପାରିବ । ନିକଟ ଅତୀତରେ ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ସୁବିଧା ପାଇଁ ଏହି ଆପ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି ।

ଏହି ଆପ୍‌ ମାଧ୍ୟମରେ, ଇପିଏସ୍ ସଦସ୍ୟମାନଙ୍କୁ କର୍ମଚାରୀ ପେନ୍‌ସନ୍ ସ୍କିମ୍, ୧୯୯୫ ଅନ୍ତର୍ଗତ ଯୋଜନାର ପ୍ରମାଣପତ୍ର ପାଇବା ପାଇଁ ବେଶ୍‌ ସହାୟକ ହେବ । ଯୋଜନାର ପ୍ରମାଣ ପତ୍ର ସେହି ସଦସ୍ୟମାନଙ୍କୁ ଦିଆଯାଉଛି ଯେଉଁମାନେ ସେମାନଙ୍କର EPF ଟଙ୍କା ଉଠାଇ ନିଅନ୍ତି କିନ୍ତୁ ଅବସର ବୟସରେ ପେନ୍‌ସନ୍‌ ସୁବିଧା ପାଇବା ପାଇଁ EPFO ​​ସହିତ ସେମାନଙ୍କର ସଦସ୍ୟତା ବଜାୟ ରଖିବାକୁ ଚାହାଁନ୍ତି ।

ପେନ୍‌ସନ୍‌ ପାଇବା ପାଇଁ ଜଣେ ସଦସ୍ୟ ସେତେବେଳେ ଯୋଗ୍ୟ ହୋଇଥାଏ, ଯେତେବେଳେ ଉକ୍ତ ସଦସ୍ୟ ଅନ୍ୟୁନ ୧୦ ବର୍ଷ ପର୍ଯ୍ୟନ୍ତ ୧୯୯୫ ପେନ୍‌ସନ୍‌ ଯୋଜନାର ସଦସ୍ୟ ରହିଥାଏ । ନୂଆ ଚାକିରିରେ ଯୋଗଦେବା ପରେ ମଧ୍ୟ ଏହି ସ୍କିମ୍‌ର ଚାଲୁ ରଖିହେବ ।

ଏହା ବ୍ୟତୀତ, ସଦସ୍ୟଙ୍କ ମୃତ୍ୟୁ ପରେ ଯୋଜନାର ପ୍ରମାଣ ପତ୍ର ପରିବାର ଲୋକଙ୍କୁ ପେନ୍ସନ୍ ପାଇବାରେ ସାହାଯ୍ୟ କରିଥାଏ । ତେବେ ଉମାଙ୍ଗ ଆପ୍ ମାଧ୍ୟମରେ ଯୋଜନାର ପ୍ରମାଣ ପତ୍ର ଆବେଦନ କରି ହେବ । ପ୍ରମାଣ ପତ୍ର ପାଇଁ ଫିଜିକାଲି ଆବେଦନ କରିବାକୁ ପଡ଼ିବ ନାହିଁ । କରୋନା ମହାମାରୀ ସମୟରେ ଏହା ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି । ଏହାସହ ଅନାବଶ୍ୟକ କାଗଜପତ୍ରରୁ ମଧ୍ୟ ଏହାଦ୍ୱାରା ମୁକ୍ତି ମିଳିବ ।

ଏହି ସୁବିଧା ଦ୍ୱାରା ପ୍ରାୟ ୬ କୋଟି ସଦସ୍ୟ ଉପକୃତ ହେବେ । ଉମଙ୍ଗ ଆପ୍‌ରେ ସେବା ପାଇବାକୁ ହେଲେ ଏକ ସକ୍ରିୟ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଏବଂ EPFO ​​ରେ ପଞ୍ଜୀକୃତ ଏକ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଭାରତରେ ମୋବାଇଲ୍ ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ୍ (ନେଜିଡି) UMANG ର ବିକାଶ କରିଛି ।

Leave a Reply