spot_img
Home Blog Page 6714

ଲୁହ ଓ କୋହ ଭିତରେ ବିଦା ହେଲେ ବର୍ଷିୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର: ସରିଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଅଜିତ ଦାସଙ୍କ  ଶେଷକୃତ୍ୟ । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଗାର୍ଡ୍ ଅଫ ଅନର ସହ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଥିଲା । ୭୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଜିତ । ପ୍ରାୟ ୬୫ଟି ଫିଲ୍ମରେ ସେ ଅଭିନୟ କରିଥିଲେ । କେବଳ ଅଭିନୟ ନୁହେଁ ସେ ନିର୍ଦ୍ଦଶକ ଭାବେ ମଧ୍ୟ କିଛି ଫିଲ୍ମ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଫିଲ୍ମକୁ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ଚଳଚ୍ଚିତ୍ର ପାଇଁ ଅଜିତ ଦାସ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଆହୁରି ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ଅଜିତ ଦାସ । ଉତ୍କଳ ସଂଗୀତ ନାଟକ ମହାବିଦ୍ୟାଳୟ ନାଟକ ବିଭାଗର ମୁଖ୍ୟ ଭାବେ ସେ ଅବସର ନେଇଥିଲେ ।


ମଞ୍ଚ ଓ ନାଟକରେ ଅଧିକ ରୁଚି ରଖିଥିବା ଅଜିତଙ୍କ ମୃତ୍ୟୁରେ କେବଳ ସିନେ ଜଗତ ନୁହେଁ ବରଂ ସାରା ଓଡ଼ିଶା ମର୍ମାହତ । ଗତକାଲି ଅଜିତଙ୍କ ପରଲୋକରେ ସିନେ କଳାକାରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଦୁଃଖ ପ୍ରକାଶ କରିଥିଲେ ।

ଅଜିତ ଦାସ ଓଡିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଦାସଙ୍କ ବଡ ବାପା ସୁଧିର ଚନ୍ଦ୍ର ଦାଶ ଜଣେ ନାଟକ ଅଭିନେତା ଥିଲେ । ତେଣୁ ସେ ପିଲାବେଳୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ମଧ୍ୟ ରହିଥିଲା । ସେ ୧୯୭୬ ମସିହାରେ ସିନ୍ଦୂର ବିନ୍ଦୁ ଫିଲ୍ମରେ ଅଭିନୟ କରି ଚଳଚିତ୍ର ଦୁନିଆରେ ପ୍ରବେଶ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ପରେ ସେ ଅନେକ ଓଡିଆ ଫିଲ୍ମରେ ନାୟକ ଭାବେ ଅଭିନୟ କରିଛନ୍ତି । ସେ ୬୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି ।

ତାଙ୍କ ଅଭିନୀତ ସୁପରହିଟ୍ ଚଳଚ୍ଚିତ୍ର ଗୁଡିକ ହେଲା ହାକିମବାବୁ, କପାଳ ଲିଖନ, ସରରପଞ୍ଚ ବାବୁ, ପର ଝିଅ ଘର ଭାଙ୍ଗେନା, ଲୁଟତରାଜ ପରଦେଶୀ ଚଢେଇ । ତାଙ୍କ ଅଭିନୟରେ ସେ ଓଲିଉଡରେ ଅନେକ ଛାପ ଛାଡି ଯାଇଛନ୍ତି । ସୂଚନାଯୋଗ୍ୟ ହାକିମ ବାବୁ ଚଳଚତ୍ରରେ ତାଙ୍କ ଅଭିନୟରେ ମୁଗ୍ଧ ହୋଇ ଦର୍ଶକ ତାଙ୍କୁ ହାକିମ ବାବୁ ବୋଲି ଡାକିଥିଲେ ।

ତେବେ ନିଜର ନିଖୁଣ ଅଭିନୟ ପାଇଁ ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ଅମର ହୋଇ ରହିବେ ଅଜିତ୍‌ । ତାଙ୍କ ପରଲୋକରେ ତାଙ୍କ ଜନ୍ମସ୍ଥାନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଓଟିଭି ଇନ୍‌ପୁଟ୍‌ ହେଡ୍‌

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ । ମହିଳା ଥାନାରେ ହାଜର ହେଲେ ଓଟିଭି ଇନପୁଟ୍‌ ମୁଖ୍ୟ । ତାଙ୍କୁ ହାଜର ହେବା ପାଇଁ ମହିଳା ଥାନା ନୋଟିସ୍ ଜାରି କରିଥିଲା । ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଇନପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଉଛି । ଅଡିଓ କ୍ଲିପ୍ ପ୍ରସାରଣ ନେଇ ପଚରାଉଚରା କରାଯାଇପାରେ ବୋଲି ପୋଲିସ ମଧ୍ୟ ସୂଚନା ମିଳିଛି ।

ଅନ୍ୟପଟେ ଏହି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ ଆଶ୍ଵସ୍ତି ଫାଉଣ୍ଡେସନ । ପ୍ରଥମେ ଇନ୍‌ଫୋସିଟି ଥାନା ଆଉ ପରେ ମହିଳା ଥାନାରେ ପହଁଚିଥିଲେ ଫାଉଣ୍ଡେସନର ପାଞ୍ଚ ଜଣିଆ ଟିମ୍‌ । ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଉଭୟ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛି ସଂଗଠନ । ଘଟଣା ବାବଦରେ ସମସ୍ତ ତଥ୍ୟ ମିଳିଲା ପରେ ନାବାଳିକା ଓ ତାଙ୍କ ମା’ଙ୍କୁ ସମସ୍ତ ଆଇନଗତ ସହଯୋଗ ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ତେବେ ଘଟଣାକୁ ୧୫ ଦିନ ବିତିଲାଣି କିନ୍ତୁ ଏବେ ବି ପୋଲିସ ହାତ ଖାଲି । ପୀଡ଼ିତା ଜଣକ ଜଣ ଜଣ କରି ସମସ୍ତ ଅଭିଯୁୁକ୍ତଙ୍କ ନାଁ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ପୋଲିସ ଏଯାଏଁ କାହାରିକୁ ଗିରଫ କରିପାରି ନାହିଁ । ତେଣୁ ପୋଲିସର ଭୂମିକାକୁ ନେଇ ସନ୍ଦେହ କରାଯାଉଛି । ପୋଲିସ କାହା ଚାପରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଓଟିଭି ନିର୍ଦ୍ଦେଶିକାଙ୍କୁ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ଏଯାଏଁ ତା’ର କୌଣସି ଉତ୍ତର ମିଳିନାହିଁ । ଶିଶୁ ସୁରକ୍ଷା ଆୟୋଗ ଦେଇଥିବା ଡେଡଲାଇନ୍‌ ଶେଷ ହୋଇଥିଲେ ମଧ୍ୟ ଓଟିଭିର ନିର୍ଦ୍ଦେଶିକା ଜବାବ ରଖି ନଥିବା ବେଳେ କମିଶନରେଟ୍ ପୋଲିସ୍ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ସମୟ ଲାଗିବ ବୋଲି କହୁଛି । ପ୍ରଶ୍ନ ଉଠୁଛି, ନାବାଳିକାଙ୍କ ବୟାନ ରେକର୍ଡ ପରେ ମଧ୍ୟ କାହିଁକି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ୍ ପଛଘୁଞ୍ଚା ଦେଉଛି । ସମୟ ଗଡ଼ାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି ।

ଖୋର୍ଦ୍ଧାରୁ ପୁଣି ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, ୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୧୯୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ହଜାର ୪୭୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୨୨ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ୧ ଲକ୍ଷ ୫୫ ହଜାର ୫ ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୧୮ ହଜାର ୬୪୨ ଜଣ । ରାଜ୍ୟରେ ୨୪ ଲକ୍ଷ ୭୨ ହଜାର ୫୧୭ କମୁଲେଟିଭ ଟେଷ୍ଟ ଏପର୍ଯ୍ୟନ୍ତ ହୋଇଛନ୍ତି । କରୋନା ସକ୍ରିୟ ସଂଖ୍ୟା ୩୫ ହଜାର ୬୭୩ । ସବୁଠାରୁ ବଡ଼ କଥା ହେଉଛି ଆଜି ମଧ୍ୟ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୬୩୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଜି ପୁଣିଥରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୭୫୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।


ଭୁବନେଶ୍ୱରରୁ ଜଣେ ୩୫ ବର୍ଷୀୟ  ପୁରୁଷଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପୂର୍ବରୁ  ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଓଲଡ ସେରେବ୍ରୋ ଭସ୍କୁଲାର ଆକ୍ସିଡେଣ୍ଟ ରୋଗରେ ପୀଡ଼ିତ ଥିଲେ । ଏହା ସହିତ ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

 

ବଲାଙ୍ଗୀରରୁ ଜଣେ ୭୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିଲେ । ଏହା ସହିତ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେହ ରୋଗରେ ପୀଡ଼ିତ ଥିଲେ ।

 

କଟକରୁ ଜଣେ ୭୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ,ଉଚ୍ଚ ରକ୍ତଚାପ, ସେରେବ୍ରୋ ଭସ୍କୁଲାର ଆକ୍ସିଡେଣ୍ଟ ଏବଂ କ୍ରୋନିକ କିଡନୀ ରାଗରେ ପୀଡ଼ିତ ଥିଲେ । ଏହା ସହିତ ଜଣେ ୫୬ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ୭୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

 

କଟକରୁ ୬୮ ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ  ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । କନ୍ଧମାଳରୁ ୬୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ରୁ ଜଣେ ୫୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିଲେ ।

 

ମୟୁରଭଞ୍ଜରୁ ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡିର ସମର୍ଥନ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ପୁଣି ନବୀନଙ୍କୁ ଫୋନ୍‌ କରିଥିଲେ ।

Parliament

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଏନ୍‌ଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ପ୍ରାର୍ଥୀ ହୋଇଥିବା ବେଳେ ଆର୍‌ଜେଡି ପକ୍ଷରୁ ସାଂସଦ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ଉଭୟ ସାଂସଦ ବିହାରର ହୋଇଥିବା ବେଳେ ଏବେ ଉପାଧ୍ୟକ୍ଷ ରେସ୍ ଜୋର ଧରିଛି । ରାଜ୍ୟସଭାରେ ୨୪୫ ସଦସ୍ୟ ଅଛନ୍ତି । ଉପାଧ୍ୟକ୍ଷ ପଦବୀ ଜିତିବା ପାଇଁ ୧୨୩ଟି ଭୋଟ୍‌ ଆବଶ୍ୟକ । ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ପାଖରେ ୧୧୬ଜଣ ପ୍ରାର୍ଥୀଙ୍କ ସମର୍ଥନ ଥିଲା । ଏବେ ବିଜେଡିର ୯ଜଣ ରାଜ୍ୟସଭା ସଦସ୍ୟ ତାଙ୍କୁ ଭୋଟ୍ ରହିଛି । ଏହା କ୍ରମରେ ହରିବଂଶ ଜିତିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

Harivansh_Narayan_Singh

ବିପକ୍ଷରେ ଥିବା ଆର୍‌ଜେଡି ସାଂସଦ ମନୋଜଙ୍କ ସପକ୍ଷରେ ଅଛନ୍ତି ୧୨ରୁ ଅଧିକ ରାଜନୈତିକ ଦଳ । ଏସବୁ ଦଳ ମଧ୍ୟରେ କଂଗ୍ରେସର ୪୦, ବାମଦଳର ୬, ଡିଏମକେର ୭, ଶିବସେନାର ୩, ଏନ୍‌ସିପିର ୪ ସଦସ୍ୟ ଅଛନ୍ତି । ସେହିପରି ସମାଜବାଦୀ ପାର୍ଟି, ଟିଏମ୍‌ସି, ପିଡିପି, ନ୍ୟାସନାଲ କନଫରେନ୍‌ସ ଭଳି ଦଳଙ୍କ ସମର୍ଥନ ହାତେଇବାକୁ ଚେଷ୍ଟା କରୁଛନ୍ତି ମନୋଜ ଝା । ରାଜ୍ୟସଭା ଉପାଧ୍ୟକ୍ଷ ଏକ ସାମ୍ବିଧାନିକ ପଦବୀ ହୋଇଥିବା ବେଳେ, ଜଣେ ରାଜ୍ୟସଭା ସଦସ୍ୟଙ୍କ ହିଁ ଏହି ପଦବୀ ପାଇଁ ନିର୍ବାଚିତ ହୋଇଥାନ୍ତି । ଏପ୍ରିଲ ୯ରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହଙ୍କ କାର୍ଯ୍ୟକାଳ ସରିଯାଇଥିଲା ।

Manoj-Jha

୧୯୬୯ରେ ପ୍ରଥମ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା । ଏଥର ୨୦ତମ ଉପାଧ୍ୟକ୍ଷ ନିର୍ବାଚନ ହେବ । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଗୃହ ପରିଚାଳନା କରିଥାନ୍ତି । ତାଙ୍କ ଅନୁପସ୍ଥିତିରେ ଗୃହର କାର୍ଯ୍ୟ ପରିଚାଳନା ଦାୟିତ୍ୱ ଉପାଧ୍ୟକ୍ଷଙ୍କ ହାତରେ ଥାଏ ।

 

ରାଜ୍ୟରେ ପୁଣି ୪,୧୯୮ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ପୁଣି ୪ ହଜାର ୧୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୨ ହଜାର ୪୭୬ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୭୨୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୨୪ ଲକ୍ଷ ୭୨ ହଜାର ୫୧୭ ଜଣଙ୍କର କରୋନା ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ୧ ଲକ୍ଷ ୫୫ ହଜାର ୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୧୮ ହଜାର ୬୪୨ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ  ୩୫ ହଜାର ୬୭୩ ମାମଲା ସକ୍ରିୟ ରହିଛି ।

ଆଜିର ନୂଆ ୪୧୯୮ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦୮, ବାଲେଶ୍ୱର ୧୩୦, ବରଗଡ଼ ୯୫, ଭଦ୍ରକ ୫୩, ବଲାଙ୍ଗିର ୧୯୭, ବୌଦ୍ଧ ୧୯, କଟକ ୩୬୭, ଦେଓଗଡ଼ ୩୪, ଢ଼େଙ୍କାନାଳ ୮୦, ଗଜପତି ୧୪, ଗଞ୍ଜାମ ୪୪, ଜଗତସିଂହପୁର ୯୭, ଯାଜପୁର ୧୫୬, ଝାରସୁଗୁଡ଼ା ୯୫, କଳାହାଣ୍ଡି ୯୩, କନ୍ଧମାଳ ୭୮, କେନ୍ଦ୍ରାପଡ଼ା ୧୪୩, କେନ୍ଦୁଝର ୬୩, ଖୋର୍ଦ୍ଧା ୭୫୮, କୋରାପୁଟ ୯୯, ମାଲକାନଗିରି ୨୨, ମୟୂରଭଞ୍ଜ ୧୩୩, ନବରଙ୍ଗପୁର ୯୮, ନୟାଗଡ଼ ୪୩, ନୂଆପଡ଼ା ୧୧୬, ପୁରୀ ୩୧୦, ରାୟଗଡ଼ା ୧୩୬, ସମ୍ବଲପୁର ୧୩୦, ସୋନପୁର ୭୪, ସୁନ୍ଦରଗଡ଼ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ‌ । ସେଥିରେ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେଲଫି ହେଲା କାଳ, ପାଣିରେ ବୁଡ଼ି ଯୁବ ଇଞ୍ଜିନିୟର ମୃତ

ବଘିଆପଡା (ବୌଦ୍ଧ): ବାରମ୍ବାର ସେଲଫିକୁ ନେଇ ସଚେତନ କରାଯାଉଥିବା ବେଳେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ପ୍ରତିବର୍ଷ ସେଲଫି ନେବା ସମୟରେ ଅସାବଧାନତା କାରଣରୁ ଯାଉଛି ଏକାଧିକ ଜୀବନ । ନିକଟରେ ସେହିଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକଙ୍କ ପାଇଁ ସେଲଫି ସାଜିଛି କାଳ । ସେଲଫି ନେଉଥିବା ସମୟରେ ପାଣିରେ ବୁଡ଼ି ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ତାମିଲନାଡୁର ଆର. ମୁକୁନ୍ଦମ । ବୌଦ୍ଧ ବଘିଆପଡ଼ା ଫାଣ୍ଡି ପାଲଝାର ଡ୍ୟାମରେ ସେଲଫି ନେବାବେଳେ ଘଟିଛି ଏ ଅଭାବନୀୟ ଘଟଣା ।

 
୩ ସହଯୋଗୀଙ୍କ ସହ ଆର.ମୁକୁନ୍ଦମ ଡ୍ୟାମରେ ସେଲଫି ନେଉଥିବା ବେଳେ, ଅସାବଧାନତାବଶତଃ ତାଙ୍କ ମୋବାଇଲ ଖସିପଡ଼ିଥିଲା । ଯାହାପରେ ମୋବାଇଲ ଆଣିବାକୁ ଯାଇ ହଠାତ୍ ପାଣିକୁ ଡେଇଁ ପଡ଼ିଥିଲେ ମୁକୁନ୍ଦମ । ଦୀର୍ଘ ସମୟ ଧରି ସେ ପାଣିରୁ ନବାହାରିବାରୁ ଅଗ୍ନିଶମ ଓ ଓଡ୍ରାଫବାହିନୀଙ୍କୁ ଖବର ଦେଇଥିଲେ ମୁକୁନ୍ଦମଙ୍କ ଦୁଇ ସହଯୋଗୀ । ପରେ ବହୁ ଖୋଜାଖୋଜି କରିବା ପରେ ଦୀର୍ଘ ୧ କିମି ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ମୃତ ମୁକୁନ୍ଦମ ଅନୁଗୁଳ ଜିଲ୍ଲା କୁମ୍ଭୀଆର ମେଗା ଲିଫ୍ଟ ପ୍ରୋଜେକ୍ଟ କାମରେ ନିୟୋଜିତ ଥିଲେ ।

ରୂପ ବଦଳାଉଛି କରୋନା, ଡେଙ୍ଗୁ ଭଳି ଅଚାନକ ହ୍ରାସ ହେଉଛି ପ୍ଲେଟଲେଟ୍ସ

ନୂଆଦିଲ୍ଲୀ: ସାଧାରଣ ଭାବରେ ଡେଙ୍ଗୁ ଜ୍ୱରରେ ପ୍ଲେଟଲେଟ୍ସ ଗଣନା ହୋଇଥାଏ । କିନ୍ତୁ ଏବେ କରୋନା ମଧ୍ୟ ଡେଙ୍ଗୁ ବେଶରେ ରୋଗୀଙ୍କୁ ଆକ୍ରମଣ କରୁଛି । ଏଥିରେ ଅଚାନକ ରୋଗୀର ପ୍ଲେଟଲେଟ୍ସ କମ ହୋଇ ୨୦ ହଜାରରୁ ତଳକୁ ହ୍ରାସ ହେଉଛି । କିନ୍ତୁ ପରୀକ୍ଷା ପରେ ଡେଙ୍ଗୁ ଚିହ୍ନଟ ହେଉନାହିଁ । ଏହିଭଳି ରୋଗୀ ଅଧିକାଂଶ ସମୟରେ ଗମ୍ଭୀର ଅବସ୍ଥାରେ ପହଞ୍ଚିବା ପରେ ରୋଗ ବାବଦରେ ଜଣାପଡ଼ୁଛି । ପିଜିଆଇରେ ଡାକ୍ତର ଏହା ଉପରେ ଗବେଷଣା ଆରମ୍ଭ କରି ସାରିଛନ୍ତି ।


ପିଜିଆଇର ପ୍ରୋଫେସର ଅନୁପମ ବର୍ମାଙ୍କ କହିବା ଅନୁସାରେ ଅଚାନକ ରୋଗୀଙ୍କ ଶରୀରରେ ପ୍ଲେଟଲେଟସ ଗଣନା କମ ହୋଇ ଯାଉଛି । ଯାହାପରେ ଏହାକୁ ବାଲାନ୍ସ କରିବା କଷ୍ଟ ହୋଇପଡ଼ୁଛି । ରିପୋର୍ଟ ଅନୁସାରେ ପିଜିଆରେ ଭର୍ତ୍ତି ହୋଇଥିବା ଲୋକବନ୍ଧୁ ହସ୍ପିଟାଲର ଡାକ୍ତରଙ୍କ ପ୍ଲେଟଲେଟସ ଭର୍ତ୍ତି ହେବାର ଦ୍ୱିତୀୟ ଦିନରେ ୧୦ ହଜାରକୁ ପହଞ୍ଚି ଯାଇଥିଲା । ପ୍ରାଥମିକ ସ୍ତରରେ ସାମ୍ନାକୁ ଆସିଥିବା ଖବର ଅନୁସାରେ ଗୋଟିଏ ପକ୍ଷରେ ଏଭଳି ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ପୂର୍ବରୁ କମ ଥିବା ସମୟରେ ଅନ୍ୟ ପକ୍ଷରେ କରୋନା ରୋଗୀଙ୍କ ଇମ୍ୟୁନ କମ୍ପ୍ଲେକ୍ସନକୁ ଏହା ପ୍ରଭାବିତ କରୁଛି । ଯାହାଦ୍ୱାରା ମୋନୋସାଇଡ ଏବଂ ମ୍ୟାକ୍ରୋଫେଜ କୋଷ ଉପରେ ପ୍ରଭାବ ପକାଉଛି । ଏମାନଙ୍କୁ ଆବଶ୍ୟକ ହେଲେ ପ୍ଲାଜମା ଥେରାପି ଦିଆଯାଉଛି ।

ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ କରୋନା ରୋଗୀଙ୍କର ଡେଙ୍ଗୁ ପରୀକ୍ଷା ଜରୁରୀ । ବିଶେଷକରି ଯେଉଁମାନଙ୍କର ପ୍ଲେଟଲେଟସ ହ୍ରାସ ହେଉଛି । ଏଥିରୁ ଜଣାପଡ଼ିବକି ଏହା ଡେଙ୍ଗୁ ନା କରୋନା । ଏହା ଉପରେ ଅଧିକ ଗବେଷଣା ମଧ୍ୟ କରାଯାଉଛି ।

ସଂସଦ ଅଧିବେଶନ ଆରମ୍ଭରୁ ଘଣ୍ଟାଏ ମୁଲତବୀ, ପ୍ରଣବଙ୍କୁ ମନେପକାଇ ସାଂସଦ କଲେ ନୀରବ ପ୍ରାର୍ଥନା

ନୂଆଦିଲ୍ଲୀ: ସଂସଦ ଆରମ୍ଭରୁ ମୁଲତବୀ । ଆରମ୍ଭରୁ ଏକ ଘଣ୍ଟା ପାଇଁ ସଂସଦକୁ ମୁଲତବୀ ରଖାଯାଇଛି । ଆଜି ପ୍ରଥମ ଦିନର ଲୋକସଭା ସଂସଦ ଅଧିବେଶନରେ ସାଂସଦମାନେ ଆରମ୍ଭରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମନେ ପକାଇ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହାସହ କିମ୍ବଦନ୍ତୀ ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ୟସରାଜ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ, ରାଜ୍ୟପାଳ ଲାଲଜୀ ଟଣ୍ଡନ, ଉତ୍ତରପ୍ରଦେଶର ମନ୍ତ୍ରୀ କମଲ ରାନୀ ଏବଂ ଚେତନ ଚୌହାନ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ  ପ୍ରସାଦ ସିଂଙ୍କୁ ମନେ ପକାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ଅବସରରେ ମୌସୁମୀ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶେଷ ପରିସ୍ଥିତିରେ ଚଳିତଥର ସଂସଦ ଅଧିବେଶନ ଆରମ୍ଭ ହେଉଛି । କରୋନା ଭଳି ମହାମାରୀ ସମୟରେ ସଂସଦ ଅଧିବେଶନ ଆରମ୍ଭ ହେଉଥିବାରୁ ସବୁ ପ୍ରକାର କଟକଣାକୁ ମାନ ଅଧିବେଶନ ଚାଲିବ । କରୋନା ତ ରହିଛି ସତ, ହେଲେ ଏହାରି ମଧ୍ୟ ନିଜର କର୍ତ୍ତବ୍ୟ ବି ପାଳନ କରିବାକୁ ହେବ । ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଯେ ପର୍ଯ୍ୟନ୍ତ କରୋନାର ଔଷଧ ଆସିନାହିଁ, ସେ ଯାଏଁ କୌଣସି ଦିଗକୁ ମଧ୍ୟ ଅବହେଳା କରାଯିବା ଉଚିତ୍‌ ନୁହେଁ । ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ।

ଏହି ଅବସରରେ ମୋଦି ଭାରତ ଓ ଚୀନ୍ ମଧ୍ୟୀରେ ଲାଗିରହିଥିବା ବିବାଦ କଥା ମଧ୍ୟ କହିଛନ୍ତି । ସୀମାରେ ମୁତୟନ ଥିବା ଭାରତୀୟ ଯବାନଙ୍କ ପାଇଁ ସାରା ଦେଶ ଓ ପୁରା ସଦନ ଛିଡ଼ା ହୋଇଛି ।

ଭାରତରେ ଚୀନର ଗୁଇନ୍ଦାଗିରି, ଡିଜିଟାଲ ପ୍ଲାଟଫର୍ମରେ ରଚିଛି ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା ସମୟରେ ସ୍ଥିତି ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଅନେକ ଥର ଚେତାବନୀ ଦେବାପରେ ମଧ୍ୟ ଚୀନ ପଛଘୁଞ୍ଚା ଦେଉନାହିଁ । ଏହି ମଧ୍ୟରେ ଏକ ବଡ଼ କଥାର ଖୁଲାସା ହୋଇଛି । ଖବର ଅନୁସାରେ ଭାରତରେ ଚୀନ ଗୁଇନ୍ଦାଗିରି କରୁଛି । କିଛି କମ୍ପାନୀ ଦ୍ୱାରା ଚୀନ ଭାରତ ଉପରେ ନଜର ରଖୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ନେତା ଏଥିରେ ସାମିଲ ଅଛନ୍ତି ।


ଡିଜିଟାଲ ପ୍ଲାଟଫର୍ମରେ ଭାରତ ବିରୋଧରେ ଚୀନ୍ ଷଡ଼ଯନ୍ତ୍ର କରୁଛି । ଦେଶରେ ବଡ଼ ସାମ୍ବିଧାନିକ ପଦରେ ଥିବା ରାଜନେତା, ବରିଷ୍ଠ ସାମରିକ ଅଧିକାରୀଙ୍କ ସଂପର୍କରେ ଅନଲାଇନରେ   ଗୁଇନ୍ଦାଗିରି କରୁଛି ଚୀନ୍ । ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ ସେନା ଅଧିକାରୀଙ୍କ ଭଳି ୧୩ଶହରୁ ଅଧିକ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଗୁଇନ୍ଦାଗିରି କରିଥିବା ସୂଚନା ମିଳିଛି । ଚୀନ ସେନଝେନ୍ ଇନ୍ଫୋଟେକ୍ ଓ ଝେନହୁଆ ଇନଫୋଟେକ୍ କମ୍ପାନୀ ଗୁଇନ୍ଦାଗିରି କରୁଛି । ଚୀନର କମ୍ୟୁନିଷ୍ଟ ସରକାରଙ୍କ ପାଇଁ ସେନଝେନ୍ ଇନଫୋଟେକ୍ କମ୍ପାନୀ ଗୁଇନ୍ଦାଗିରି କରୁଛି । ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ଧବ ଠାକରେ, ମମତା ବାନାର୍ଜୀଙ୍କ ସମେତ ୨୪ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିପରି ଉକ୍ତ ତାଲିକାରେ ୧୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସିଡିଏସ୍ ବିପିନ ରାଓ୍ୱତ, ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗୁଇନ୍ଦାଗିରି ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ୧୦ ହଜାର ଭାରତୀୟଙ୍କ ଉପରେ ଡ୍ରାଗନ୍ ନଜର ରଖିଥିବା ସୂଚନା ମିଳିଛି ।

ଦିଲ୍ଲୀ ହିଂସା ମାମଲାରେ ବଡ଼ ତଦନ୍ତ, JNU ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ହାତଥିବା ଅଭିଯୋଗରେ ପୋଲିସ ରବିବାର ବିଳମ୍ବିତ ରାତିରେ ଜଓ୍ୱାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖାଲିଦକୁ ୧୧ ଘଣ୍ଟା ପଚରାଉଚରା ପରେ ଗିରଫ କରିଛି । ୟୁଏପିଏ ନିୟମ ଅନୁସାରେ ଉମରକୁ ଗିରଫ କରାଯାଇଛି । ଖବର ଅନୁସାରେ ହିଂସା ଘଟଣାରେ ଉମରକୁ ପ୍ରଥମେ ସମନ କରିଥିଲା ପୋଲିସ । ତେବେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟି ୫୦ ଲୋକଙ୍କ ଜୀବନ ଯାଇଥିଲା ।

 

ଏହି ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୨ ସେପ୍ଟେମ୍ବର ଦିନ କିଛି ଘଣ୍ଟା ପାଇଁ ଉମରକୁ ପଚରାଉଚରା କରିଥିଲା । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ହିଂସା ସହିତ ଜଡ଼ିତ ଏକ ଭିନ୍ନ ମାମଲାରେ ଉମର ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏହା ସହିତ ପୋଲିସ ଉମରଙ୍କ ମୋବାଇଲ ମଧ୍ୟ ଜବତ କରିଥିଲା ।