Bihar Poll: ସିଏମ ପଦ ପାଇଁ ନୀତିଶ କୁମାର ପ୍ରଥମ ପସନ୍ଦ, ହେଲେ ପଛରେ ନାହାନ୍ତି ତେଜସ୍ୱୀ

1 min read

ପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । ଏହି ସମୟରେ ନିର୍ବାଚନକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ଲୋକନୀତି-ସିଏସଡିଏସ୍ ଜନତାଙ୍କୁ ନେଇ ଏକ ସର୍ଭେ କରିଛି । ଏହି ସର୍ଭେରେ ୩୭ ଟି ବିଧାନସଭା ଆସନରେ ୧୪୮ ଟି ବୁଥ୍ ରହିଥିଲା ​​ଯେଉଁଥିରୁ ୩୭୩୧ ଜଣଙ୍କ ସହ କଥା ହୋଇଥିଲେ । ତେବେ ସର୍ଭେରୁ ମିଳିଥିଲା ଏମିତି କିଛି ତଥ୍ୟ । ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ । ବିହାର ରାଜନୀତିର ଧୁରନ୍ଧର ନୀତିଶଙ୍କୁ ମିଳିଛି କଡା ଟକ୍କର । ତାହା ପୁଣି ତାଙ୍କଠାରୁ ବହୁତ କନିଷ୍ଠ ତେଜସ୍ୱୀଙ୍କଠାରୁ ।  ଦିନ ଗଡିବା ସହ ନିର୍ବାଚନୀ ତାତି ଉଷ୍ଣ ହେଉଛି । ତେଣୁ ତେଜସ୍ୱୀ ଯେ ନୀତିଶଙ୍କୁ ମାତ୍ ନ ଦେବେ, ସେ କଥା କିଏ କହିବ ବୋଲି ସମୀକ୍ଷକମାନେ ମତ ଦେଲେଣି ।

ନୀତିଶଙ୍କୁ ଚାଚା ବୋଲି ସମ୍ବୋଧନ କରିଥାଆନ୍ତି ତେଜସ୍ୱୀ । ଚାଚାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୨ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ତେଜସ୍ୱୀ । ଏବେ ଆସିବା ସର୍ଭେକୁ ।  ଲୋକନୀତି-ସିଏସଡିଏସ୍ ସର୍ଭେରେ ମୁଖ୍ୟମନ୍ତ୍ରୀ ଭାବରେ ନୀତିଶ କୁମାର ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିଛନ୍ତି । ହେଲେ ସବୁଥର ନିର୍ବାଚନରେ ଯେପରି ସେ ଅଧିକ ସଂଖ୍ୟକ ମତ ପାଇଥାଆନ୍ତି । ତାହା ଏଥର ପ୍ରତିଫଳିତ ହୋଇନାହିଁ । ଏକଦା ସେ ପାଉଥିବା ଭୋଟର ଅଧା ବିରୋଧୀଙ୍କ ଭାଗ୍ୟରେ ଜୁଟେ ନାହିଁ । ହେଲେ ୨୦୨୦ର ବିହାର ଖେଳ ପୁରା ଜମାଣିଆ । ଏଥର ନୀତିଶ  ୩୧ ପ୍ରତିଶତ ପସନ୍ଦ ସହିତ ପ୍ରଥମ ସ୍ଥାନରେ ଅଛନ୍ତି । ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ ୨୭ ପ୍ରତିଶତ ପସନ୍ଦ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଏଲଜେପି ମୁଖ୍ୟ ଚିରାଗ ପାଶୱାନ ୫ ପ୍ରତିଶତ ଏବଂ ବିଜେପି ନେତା ସୁଶୀଲ ମୋଦୀ  ମାତ୍ର ୪ ପ୍ରତିଶତ  ଭୋଟ୍ ସହ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି ।

ସର୍ବେକ୍ଷଣ କରାଯାଇଥିବା ୫୨% ଲୋକ ନୀତିଶ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ସେପଟେ ୪୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଜାହିର କରିଛନ୍ତି । ଏଥି ସହ ୬୧ ପ୍ରତିଶତ ଲୋକ ମୋଦୀ ସରକାରଙ୍କ କାର୍ଯ୍ୟରେ ଖୁସି ଥିବାବେଳେ ୩୫ ପ୍ରତିଶତ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅକ୍ଟୋବର ୧୦ ରୁ ୧୭ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଯେଉଁଥିରେ ୬୦ ପ୍ରତିଶତ ପୁରୁଷ ଏବଂ ୪୦ ପ୍ରତିଶତ ମହିଳା ଭୋଟରଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ସର୍ବେକ୍ଷଣ ପାଇଁ ୯୦ ପ୍ରତିଶତ ଗ୍ରାମାଞ୍ଚଳରୁ ଏବଂ ୧୦ ପ୍ରତିଶତ ସହରାଞ୍ଚଳରୁ ଆସିଛି ଲୋକଙ୍କୁ ନିଆଯାଇଥିଲା । ତେବେ ଏଥିରେ ପ୍ରତ୍ୟେକ ବୟସର ଲୋକ ଅନ୍ତର୍ଭୁକ୍ତ କରାଯାଇଥିଲା ।

Leave a Reply