ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଅମାନବୀୟ ଭାବେ ଫିଙ୍ଗିଦେଲେ ଗଛ ମୁଳକୁ

New Born Baby

ବାଲେଶ୍ୱର: ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା । ଅମାନବୀୟ ଭାବେ ଫିଙ୍ଗି ଦେଇଥିଲେ ଗଛ ମୁଳକୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ଥାନା ଉତ୍ତରେଶ୍ୱର ଅଞ୍ଚଳରେ । ତେବେ କିଏ ଏହି ଶିଶୁ କନ୍ୟାକୁ ସେଠି ଫିଙ୍ଗିଛି ସେନେଇ ତଦନ୍ତ ଚାଲିଛି । ଶିଶୁକନ୍ୟାକୁ ଏଭଳି ନିର୍ଦୟ ଭାବେ ଗଛ ମୂଳରେ ଫିଙ୍ଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ସୋର ଅଞ୍ଚଳର ସୁରେନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି କୌଣସି କାରଣ ବସତଃ ଉତ୍ତରେଶ୍ୱର ବଜାରରେ ଥିବା ହୋଣ୍ଡା ସୋ’ରୁମ ପଛ ପଟକୁ ଯାଇଥିଲେ । ଏହି ସମୟରେ ସେ ଏକ ଶିଶୁର କାନ୍ଦିବା ସ୍ୱର ଶୁଣିଥିଲେ । ପରେ ସେ ଯାଇ ଦେଖିଥିଲେ ଯେ, ଏକ ନବଜାତ ଶିଶୁ କନ୍ୟାଟି ଗଛ ମୁଳରେ ପଡ଼ି କାନ୍ଦୁଛି ।

ଏହାପରେ ଗଛମୂଳରୁ ନବଜାତ ଶିଶୁକୁ ଉଦ୍ଧାର କରି ସେ ନିଜ ଘରକୁ ଆଣିଥିଲେ । ହେଲେ ନବଜାତ ଶିଶୁଟି ଅସୁସ୍ଥ ଥିବାରୁ ତାଙ୍କୁ ସେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା । ପରେ ମଙ୍ଗଳବାର ରାତିରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଖବରପାଇ ଖଇରା ଚାଇଲ୍ଡ ଲାଇନର ତପଶ୍ୱିନୀ ରାଉତ ଏବଂ ତାଙ୍କର ଟିମ୍‌ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ନବଜାତ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ କରି ସୋର ପୋଲିସକୁ ସୁଚନା ଦେଇଥିଲେ ।

Leave a Reply