spot_img
Home Blog Page 6715

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଏନଡିଏ ପକ୍ଷରୁ ଜେଡିୟୁ ସାସଂଦ ହରିବଂଶ ନାରାୟଣ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ, ଆରଜେଡି ପକ୍ଷରୁ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ଉଭୟ ନେତା ବିହାରର ହୋଇଥିବା ବେଳେ ଏବେ ଉପସଭାପତି ରେସ୍ ଜୋର ଧରିଛି । ରାଜ୍ୟସଭାରେ ୨୪୫ ସଦସ୍ୟ ଥିବା ବେଳେ ଉପସଭାପତି ଚୟନ ପାଇଁ ୧୨୩ଟି ଭୋଟ ଆବଶ୍ୟକତା ରହିଛି ।

Harivansh_Narayan_Singh

ତେବେ ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ପାଖରେ ୧୧୬ ପ୍ରାର୍ଥୀଙ୍କ ସମର୍ଥନ ରହିଛି । ଏନଡିଏ ପକ୍ଷରୁ ଟିଆରଏସର ୭, ୱାଇଏସଆରର ୬ ଏବଂ ବିଜେଡିର ୯ ପ୍ରାର୍ଥୀଙ୍କ ସମର୍ଥନ ଲୋଡାଯାଇଛି । ଅନ୍ୟପଟେ ବିପକ୍ଷରେ ଥିବା ଆରଜେଡି ସାଂସଦ ମନୋଜଙ୍କ ସପକ୍ଷରେ ଅଛନ୍ତି ୧୨ରୁ ଅଧିକ ରାଜନୈତିକ ଦଳ । ଯାହା ମଧ୍ୟରେ କଂଗ୍ରେସର ୪୦, ବାମପନ୍ଥୀ ଦଳର ୬, ଡିଏମକେର ୭, ଶିବସେନାର ୩, ଏନସିପିର ୪ ସଦସ୍ୟ ଅଛନ୍ତି । ସେହିପରି ସମାଜବାଦୀ ପାର୍ଟି, ଟିଏମସି, ପିଡିପି, ନ୍ୟାସନାଲ କନଫରେନ୍ସ ଭଳି ଦଳ ଗୁଡିକର ସମର୍ଥନ ହାତେଇବାକୁ ଚେଷ୍ଟା କରୁଛନ୍ତି ମନୋଜ ଝା ।

Manoj-Jha

ଅନ୍ୟପଟେ ବିଜେଡି କାହାକୁ ସମର୍ଥନ କରିବ ସ୍ପଷ୍ଟ କରିନଥିବା ବେଳେ, ସମସ୍ତ ସାଂସଦ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଛି । ରାଜ୍ୟସଭା ଉପସଭାପତି ନିର୍ବାଚନ ଏକ ସାମ୍ବିଧାନିକ ପଦବୀ ହୋଇଥିବା ବେଳେ, ଜଣେ ରାଜ୍ୟସଭା ସାଂସଦ ହିଁ ଏହି ପଦବୀ ପାଇଁ ନିର୍ବାଚିତ ହୋଇଥାନ୍ତି । ୯ ଅପ୍ରେଲରେ ହରିବଂଶ ନାରାୟଣଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ, ଏବେ ମୁହାଁମୁହିଁ ହେବେ ଦୁଇ ବିହାରୀ ସାସଂଦ ହରିବଂଶ ସିଂ ଓ ମନୋଜ ଝା । ୧୯୬୯ରେ ପ୍ରଥମଥର ରାଜ୍ୟସଭା ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ, ଏହା ୨୦ତମ ଉପସଭାପତି ନିର୍ବାଚନ । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଗୃହର ପରିଚାଳନା କରିଥାନ୍ତି । ତେବେ ତାଙ୍କ ଅନୁପସ୍ଥିତିରେ ଗୃହର କାର୍ଯ୍ୟଭାର ଉପସଭାପତିଙ୍କ ହାତରେ ଥାଏ ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଅନୁମପାତରେ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ଚିହ୍ନଟ ହେଉଛନ୍ତି । ତେବେ ଏହାରି ମଧ୍ୟ ଏବେ ଓଡ଼ିଶାରେ ନେତା ମନ୍ତ୍ରୀଙ୍କୁ ମଧ୍ୟ କରୋନା ଗ୍ରାସ କରୁଛି ।

ପ୍ରଥମେ ଅନେକ ବିଜେଡି ବିଧାୟକ କରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ରାଜ୍ୟ ବିଜେପି ମୁଖିଆ ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରଥମେ କିଛି ଅସୁସ୍ଥତା ଅନୁଭବ କରିବାରୁ ସେ ନିଜର କରୋନା ଟେଷ୍ଟ କରିଥିଲେ । ଏହାପରେ ସେ ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା ।

ସମୀର କହିଛନ୍ତି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଥିଲେ ସେମାନେ ନିଜକୁ ଆଇସୋଲେସନ୍‌ରେ ରଖନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ନିଜର କରୋନା ଟେଷ୍ଟ ମଧ୍ୟ କରେଇ ନିଅନ୍ତୁ ।

ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ, ଜାରି ହେଲା ଗାଇଡଲାଇନ

ଦୀର୍ଘଦିନ ଧରି କରୋନା ମହାମାରୀ ଭୂତାଣୁ କାରଣରୁ ସାରା ଦେଶରେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ଉପରେ ଖୁବ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଆଶଙ୍କା ଥିବାବେଳେ ଗାଇଡଲାଇନ ଜାରି ହୋଇଛି ।


ସେପ୍ଟେମ୍ବର ୨୧ରୁ ସର୍ତ୍ତରେ ଖୋଲିବ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ପାଠପଢା ନେଇ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ବୈଷୟିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଲ୍ୟାବ ୱର୍କକୁ ମଧ୍ୟ ଅନୁମତି ମିଳିଛି । ଏସଓପି ଅନୁସାରେ ଶ୍ରେଣୀ କକ୍ଷରେ ବସିବା ପାଇଁ ଛାତ୍ର ମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ । ଏହା ସହିତ ଚେୟାର ଟେବୁଲ ସଜାଇବାକୁ ନିର୍ଦ୍ଦେଶ ରହିଛି । ଶ୍ରେଣୀ ଗୃହରେ ହେଉଥିବା ଅନ୍ୟ କାର୍ଯ୍ୟକ୍ରମ ପାଇଁ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ପାଠ୍ୟକ୍ରମରେ ଶ୍ରେଣୀରେ ପାଠପଢା ଏବଂ ଅନଲାଇନ୍ ପାଠପଢା ଉଭୟ ସମୟ ସାରଣୀରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶ୍ରେଣୀ କକ୍ଷରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କେବଳ ସେତିକି ନୁହେଁ ଖାତାବହି, ଲାପଟପ୍ ଓ ଅନ୍ୟ ଶିକ୍ଷା ବ୍ୟବହୃତ ସାମଗ୍ରୀର ଆଦାନପ୍ରଦାନ ଉପରେ କଟକଣା ଲାଗୁ ହୋଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନିଷ୍ପତ୍ତି ଇଚ୍ଛାଧୀନ ରଖାଯାଇଛି । କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ଅନଲାଇନ ପାଠ୍ୟକ୍ରମ ଚାଲୁ ରଖିୁବାକୁ ଅନୁମତି ମିଳିଛି ।

ଆକାଶର ରଙ୍ଗ ବଦଳାଇ ଦେଲା କାଲିଫର୍ଣ୍ଣିଆର ଭୟାବହ ଅଗ୍ନିକାଣ୍ଡ, ସଙ୍କଟରେ ଜନଜୀବନ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆ,ଓରେଗନ ଏବଂ ଓ୍ୱାଶିଂଟନ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ସାନ ଫ୍ରାନ୍ସିସ୍କୋ ସହିତ ସମଗ୍ର ଓ୍ୱେଷ୍ଟ କୋଷ୍ଟ ଧୂଆଁରେ ଭରିଗଲା । ଏହି ବିପଦରୁ ବଞ୍ଚିବା ପାଇଁ ଲକ୍ଷାଧିକ ଲୋକ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାପାଇଁ ବାଧ୍ୟ ହେଲେ । କେତେକ ସ୍ଥାନରେ ଅତ୍ୟଧିକ ଧୂଆଁ କାରଣରୁ ଆକାଶର ରଙ୍ଗ ନୀଳରୁ ନାରଙ୍ଗୀ ହୋଇଗଲା ।


ବାସ୍ତବରେ ଏହି ଅଗ୍ନିରେ କାଲିଫର୍ଣ୍ଣିଆ,ଓରେଗନ ଏବଂ ଓ୍ୱାଶିଂଟନରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ଏହା ସହିତ ମୃତକଙ୍କ ସଂଖ୍ୟା ବଢିପାରେ ଆଶଙ୍କା ରହିଛି । ସବୁଠାରୁ ଅଧିକ ମୃତ୍ୟୁ କାଲିଫର୍ଣ୍ଣିଆ ଏବଂ ଓରେଗନରେ ହୋଇଛି । ଓରେଗନର ଆପାତକାଳ ପ୍ରବନ୍ଧନ ନିର୍ଦ୍ଦେଶକ ଏହି ବୟାନ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ରାଜ୍ୟର ଫାୟର ମାର୍ଶଲ ଅଚାନକ ପ୍ରଶାସନିକ ଛୁଟିରେ ରହିଥିବାରୁ ଇସ୍ତଫା ଦେଇଛନ୍ତି । ଧୂଆଁ କାରଣରୁ ଘରେ ରହିଥିବା ଲୋକ ସୁରକ୍ଷିତ ଅଛନ୍ତି । ଓରେଗନ ନିକଟରେ ୫ ଲକ୍ଷ ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଥିଲା । ତେବେ ବାୟୁ ପ୍ରଦୂଷଣ ସ୍ତର ଏତେ ଉପରକୁ କେବେ ଉଠିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଘରକୁ ଧୂଆଁ ପ୍ରବେଶକୁ ଅଟକାଇବା ପାଇଁ ଲୋକ ଦ୍ୱାରବନ୍ଧରେ ଟାଓ୍ୱେଲ ଆଦି ବ୍ୟବହାର କରିଥିଲେ। କେହି କେହି ଘରେ ମାସ୍କ ମଧ୍ୟ ପିନ୍ଧୁଛନ୍ତି ।

ସିସିଟିଭିରେ କଏଦ ହେଲା ଲୁଟ୍‌‌ ଭିଡିଓ, ଦେଖନ୍ତୁ ଲାଇଭ୍‌

ବଲାଙ୍ଗିର: ସିସିଟିଭିରେ କଏଦ ହେଲା ଲୁଟ୍‌ର ଲାଇଭ୍‌ ଭିଡିଓ । ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନା ଆସିଛି ବଲାଙ୍ଗିର ଜିଲ୍ଲାରୁ । ଦୁର୍ବୃତ୍ତମାନେ ଆସିବା ସମୟଠାରୁ ଆରମ୍ଭ କରି ଲୁଟ୍‌ କରିବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ବଲାଙ୍ଗିର ରେଲଓ୍ୱେ ଷ୍ଟେସନ୍ ରାସ୍ତାରେ ଥିବା ମେହେର ବ୍ୟାଟେରୀ ଦୋକାନରୁ ହୋଇଛି ଲୁଟ୍‌ । ରବିବାର ରାତି ପ୍ରାୟ ୯ଟା ବେଳେ ଦୋକାନର କର୍ମଚାରୀମାନେ ଘରକୁ ଚାଲିଯାଇଥିଲେ । ଆଉ ଦୋକାନରେ କେବଳ ମାଲିକ ଓ ତାଙ୍କ ଭାଇ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଦୋକାନ ସମ୍ମୁଖରେ ପହଞ୍ଚି ଲୁଟ୍‌ କରିଥିଲେ ।

Bolangir LOOT

ତେବେ ସବୁଠାରୁ ବଡ଼ କଥା ହେଲା ଦୋକାନ ମାଲିକଙ୍କ ସହ ପ୍ରଥମେ ଦୁଇ ଜଣ ଦୁର୍ବୃତ୍ତ ଆସି ଅତି ଭଦ୍ର ଲୋକ ଭଳି କଥା ହୋଇଥିଲା । ସେହି ଦୁଇ ଜଣ କଥା ହେବାର କିଛି ସମୟ ପରେ ଆଉ ଦୁଇ ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ । ଏହାପରେ ସେମାନେ ବନ୍ଧୁକ ଦେଖାଇ ଦୋକାନର ଲକ‌ର ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ସେମାନେ ବିଫଳ ହୋଇଥିଲେ । ଲକର ଭାଙ୍ଗିବାରେ ଅସଫଳ ହେବାରୁ ସେମାନେ ଦୋକାନ ମାଲିକ ପାଖରେ ଥିବା ନଗଦ ଟଙ୍କା, ପିନ୍ଧି ଥିବା ସମସ୍ତ ସୁନା ଗହଣା ଓ ୩ ମୋବାଇଲ ଲୁଟି ନେଇଥିଲେ ।

Bolangir LOOT

ଏହି ୪ ଜଣ ଲୁଟେରାଙ୍କ ପାଖରେ ୪ଟି ବନ୍ଧୁକ ଥିଲା । ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ବେଳେ ଅନ୍ୟ ଦୁଇ ଜଣ ଲୁଟ୍‌ପାଟ୍‌ କରୁଥିଲେ । ତେବେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ରାତି ୯ଟାରେ ଲୁଟ୍ ଏଭଳି ଲୁଟ୍‌ ହୋଇଛି, ଯାହାକି ଲୋକଙ୍କ ମନରେ ହଜମ ହେଉ ନାହିଁ । ଅନ୍ୟପଟେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବଲାଙ୍ଗିର ଏସ୍‌ପି ସନ୍ଦୀପ ସମ୍ପଦ ଓ ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସିସିଟିଭି ଫୁଟେଜ୍‌କୁ ଆଧାର କରି ପଚରାଉଚରା ଆରମ୍ଭ କରିଛନ୍ତି ।

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ନିଶାଖୋର କଙ୍ଗନାଙ୍କୁ ସାକ୍ଷାତ କଲେ ରାଜ୍ୟପାଳ

ମୁମ୍ବାଇ: କଙ୍ଗନା ରନୌତ ରବିବାରକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି । କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଦୁଇଜଣ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ରାଜ୍ୟଭବନ ଯାଇଥିଲେ । ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ମାମଲାକୁ ନେଇ କଂଗ୍ରେସ ନେତା ଉଦିତ ରାଜ୍ ଫିଲ୍ମ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ନିଶାଖୋର କହି ରାଜ୍ୟପାଳଙ୍କ ସହିତ ସାକ୍ଷାତକୁ ନେଇ ଟାର୍ଗେଟ କରିଛନ୍ତି । ନିଶାଖୋର କଙ୍ଗନା ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ବୋଲି ବିବାଦୀୟ ବୟାନ ଦେଇଛନ୍ତି । କେବଳ ସେତିକି ନୁହେଁ ମୋଦି ମିଡିଆ, ଭାଜପା ଆଇଟି ସେଲ ଏବଂ ଭକ୍ତ ସମସ୍ତଙ୍କୁ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।


ଏହା ପୂର୍ବରୁ କଂଗ୍ରେସ ନେତା କଙ୍ଗନାଙ୍କୁ ହାରାମଖୋର ଝିଅ ବୋଲି କହିଥିଲେ । ଅବଶ୍ୟ ତାଙ୍କ କହିବାର ଅର୍ଥ ତାହା ନଥିଲା ବୋଲି ସେ ପରେ ସେ ନିଜର ମତ ରଖିଥିଲେ । ଯେଉଁଥିରେ ଏହାର ଅର୍ଥ ନଟି ବୋଲି କହିଥିଲେ । ତେବେ ତାଙ୍କ ସହିତ ଅଭଦ୍ର ଭଳି ବ୍ୟବହାର କରାଯାଇଥିବା ମିଡିଆ ସାମ୍ନାରେ ବୟାନ ଦେଇଛନ୍ତି ବଲିଉଡ କୁଇନ । ଏହା ସହିତ ରାଜ୍ୟପାଳ ନିଜ ଝିଅ ଭଳି ତାଙ୍କ କଥା ଶୁଣିଛନ୍ତି ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା ଜଣାଇଛନ୍ତି ।

ରାଜ୍ୟରେ ଜଙ୍ଗଲ ବିଭାଗରେ ଆସିବ ସ୍ୱଚ୍ଛତା, ୪୧ ବର୍ଷର ଆଇନରେ ସଂଶୋଧନ…

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ବିଭାଗରେ ଆସିବ ସ୍ବଚ୍ଛତା  । ଏଥିପାଇଁ ୪୧ବର୍ଷର ପୁରୁଣା ବନ ସଂହିତାକୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର  ।  ୧୯୭୯ ମସିହାରେ ଗଠିତ ହୋଇଥିବା ବନାଞ୍ଚଳ ସଂହିତା ସଂଶୋଧନକୁ  ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ସଂଶୋଧିତ ବନ ସଂହିତା ଅନୁସାରେ ଜଙ୍ଗଲ ବିଭାଗକୁ ୮ଟି ଆଞ୍ଚଳିକ ସର୍କଲରେ ବିଭକ୍ତ କରାଯାଇଛି  । ପ୍ରତ୍ୟେକ ସର୍କଲରେ ଜଣେଜଣେ ବନ ସଂରକ୍ଷକ ରହିବେ  ।

ବିଭାଗର ଆକାଉଣ୍ଟିଂ ବ୍ୟବସ୍ତାରେ ନୂଆ ନୀତି ଅବଲମ୍ବନ କରାଯିବ  । ଏହାକୁ ରାଜ୍ୟ ସମନ୍ୱିତ ଆର୍ଥିକ ପରିଚାଳନା ସହ ସଂଯୁକ୍ତ କରାଯିବ  । ବନାଞ୍ଚଳରେ ନିର୍ମାଣ କାର୍ଯ୍ୟ ଏବଂ ଟେଣ୍ଡର ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯିବ  ।  ପ୍ରଧାନ ମୁଖ୍ୟ ବନସଂରକ୍ଷକ, ବନାଞ୍ଚଳ ଅଧିକାରୀ ଓ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକଙ୍କୁ ବିତ୍ତୀୟ କ୍ଷମତା ଦିଆଯିବ  ।  ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନୁଗୁଳ ବନାଞ୍ଚଳ ଅଧିନରେ ଆସୁଥିବାବେଳେ ଶିମିଳିପାଳ ବାରିପଦା ଅଧିନରେ ଆସିବ  । ପ୍ରଶିକ୍ଷଣ ଓ ଉନ୍ନୟ ପାଇଁ କଟକରେ ଅଣ-ବନାଞ୍ଚଳ ସର୍କଲ ରହିବ  ।

‘୨୦୨୧ ପ୍ରଥମାର୍ଦ୍ଧରେ କରୋନା ଟିକା ସମ୍ଭବ’

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟ ନିରନ୍ତରଭାବେ ବଢ଼ିଚାଲିଛି । ଗତ କିଛି ଦିନରେ ୯୦ ହଜାରରୁ ଅଧିକ ରୋଗୀ ପ୍ରତିଦିନ ସାମ୍ନାକୁ ଆସୁଛ ନ୍ତି । ଏଭଳି ସମୟରେ କରୋନା ଭାଇରସର ଟିକା ଆସିବାକୁ ଅପେକ୍ଷା କରିଛନ୍ତି ଲୋକେ । ବିଶ୍ୱର ବିଭିନ୍ନ ଦେଶ ଟିକା ଆବିଷ୍କାର ନେଇ ଲାଗିପଡ଼ିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି । ତେବେ ଆସନ୍ତା ବର୍ଷ ଚାରିମାସରେ ଟିକା ପ୍ରସ୍ତୁତ ହୋଇପାରେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ସାମାଜିକ ଗଣମାଧ୍ୟମରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ର ପ୍ରଥମ ଅଧ୍ୟାୟରେ ଉଦ୍‌ବୋଧନ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ବ୍ରିଟିସ୍ ଔଷଧ ନିୟନ୍ତ୍ରକମାନେ ସ୍ଥଗିତ ଥିବା ଆଷ୍ଟ୍ରାଜେନିକା ନିର୍ମିତ କୋଭିଡ୍-୧୯ ଟିକା ପୁନଃପରୀକ୍ଷା କରିବାକୁ ଅନୁମତି ଦେବାର ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ଇଂଲଣ୍ଡ୍‌ ସ୍ଥଗିତ ରଖିବା ଦେଖି ଭାରତର ଡ୍ରଗ୍ କଣ୍ଟ୍ରୋଲର୍‌ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଷ୍ଟ୍ରାଜେନିକାର ଭାରତୀୟ ଅଂଶୀଦାର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ମଧ୍ୟ ଟିକା ପରୀକ୍ଷା ବନ୍ଦ କରି ଦେଇଥିଲା। ତେବେ ବିଟ୍ରେନରେ ଆଷ୍ଟ୍ରେଜେନିକାର ଟ୍ରାଏଲ ଆରମ୍ଭ ହୋଇଥିଲେ ସୁଦ୍ଧା ଭାରତରେ ଟ୍ରାଏଲ ନେଇ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ।

ସ୍ବାସ୍ଥ୍ୟ ମନ୍ତ୍ରୀ ଭରସା ଦେଇ କହିଛନ୍ତି ଯେ, ଟିକାର ମାନବୀୟ ପରୀକ୍ଷାରେ ସରକାର ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଟିକା ନିରାପତ୍ତା, ମୂଲ୍ୟ, ନିର‌ପେକ୍ଷତା, କୋଲ୍‌ଡ୍‌-ଚେନ୍ ଆବଶ୍ୟକତା, ଉତ୍ପାଦନ କାଳ ଆଦି ସମ୍ବନ୍ଧରେ ମଧ୍ୟ ବ୍ୟାପକ ଆଲୋଚନା ଚାଲିଛି। ଟିକା ପ୍ରସ୍ତୁତ ହୋଇଗଲେ ନିହାତି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଦିଆଯିବ। କିନ୍ତୁ, ସେ କହିଲେ, ନିଜେ ପ୍ରଥମ ଟିକାଟି ନେଲେ ଖୁସି ହେବେ ।

୯୦୦ କୋଟି ମୂଲ୍ୟର ୩ ପେଟ୍ରୋଲିୟମ୍ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ବିହାର ନିର୍ବାଚନ  । ତା’ ପୂର୍ବରୁ ବିହାରରେ ପେଟ୍ରୋଲିୟମ କ୍ଷେତ୍ରରେ ୩ଟି ବଡ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ  । ଯେଉଁଥି ଲାଗି ଖର୍ଚ୍ଚ ହେବ ୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପାରାଦୀପ-ହଲଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ବିସ୍ତାର ସହ ଦୁଇଟି ଗ୍ୟାସ ବଟଲିଂ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି ମୋଦି । ୧୯୩ କିଲୋମିଟର ଧରି ପାରାଦୀପ-ହଲଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ବିସ୍ତାର ପାଇଁ ଗତବର୍ଷ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ  । ଏଥିସହ ବିହାରର ବାଙ୍କାରେ ଗ୍ୟାସ ବଟଲିଂ ପ୍ଲାଣ୍ଟର ଉଦଘାଟନ କରାଯାଇଛି  । ଯାହା ଆତ୍ମନିର୍ଭର ଭାରତ ଯୋଜନାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବ  ।  ଏବେ ସାରା ବିହାରବାସୀ LPG ଗ୍ୟାସ କନେକସନ୍ ପାଇପାରିବେ । ଅନ୍ୟ ସହର ଭଳି ମଧ୍ୟ ବିହାରୀବାସ ସମସ୍ତ ସୁବିଧା ପାଇପାରିବେ  । ଉଜ୍ଜଳା ଯୋଜନା ମାଧ୍ୟମରେ ସାରା ଦେଶରେ ଏବେ ପ୍ରାୟ ୮ କୋଟି ଗରିବ ଲୋକେ ଗ୍ୟାସ କନେକସନ୍ ପାଇଛନ୍ତି । ବିହାରବାସୀ ଯେଭଳି ସମସ୍ତ ସୁବିଧା ପାଇପାରିବେ ସେ କାମ କାମ ଆଗେଇ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଉଦଘାଟନୀ ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ଥିଲେ  ।

କାଲି ସଂସଦ ଅଧିବେଶନ; କ’ଣ ରହିଛି ବିରୋଧୀ ଓ ସରକାରଙ୍କ ପ୍ରସ୍ତୁତି, କେଉଁ ପ୍ରସଙ୍ଗରେ ହେବ ଆଲୋଚନା, ଜାଣନ୍ତୁ…