spot_img
Home Blog Page 6694

ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ିବାରେ ଲାଗିଛି କରୋନାରେ ମୃତ୍ୟୁ ସଂଖ୍ୟା ।  ଆଜି ରାଜ୍ୟରେ ୪୨୦୯ ଜଣ କରୋନା ସଂକ୍ରମି ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ନୂଆ ୯ ଜଣଙ୍କର ମୃତ୍ୟୁ ପରେ ରାଜରେ ମୋଟ ମୃତ୍ୟୁ ସଂଖ୍ୟା ୬୯୧ ରେ ପହଞ୍ଚିଛି । ୯ ଜଣଙ୍କ ମଧ୍ୟରୁ ବରଗଡ଼ରୁ ୨, ଭଦ୍ରକରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଜପତିରୁ ୧, ପୁରୀରୁ ୧, ରାୟଗଡ଼ାରୁ ୧, ସମ୍ବଲପୁରରୁ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କର ବୟସ ୩୭ ବର୍ଷରୁ ୭୩ ବର୍ଷ ମଧ୍ୟରେ ରହିଛି । ଏ ସମସ୍ତଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟାନ୍ୟ ରୋଗରେ ପିଡ଼ିତ ରହିଥିଲେ ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୬୮ ଜଣଙ୍କର ଲୋକାଲ କଣ୍ଟାକ୍ଟ ରହିଛି । ଯଦି ଦେଖିବା ରାଜ୍ୟରେ ଏପର୍ଯ୍ୟନ୍ତ ୨୭ ଲକ୍ଷ ୧୫ ହଜାର ୮୨୨ଟି କମୁଲେଟିଭ ଟେଷ୍ଟ ହୋଇଛି । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି ମୋଟ କରୋନା ସଂଖ୍ୟା । ୧ଲକ୍ଷ ୩୭ ହଜାର ୫୬୭ ଜଣ କରୋନା ସୁସ୍ଥ ହୋଇଥିବା ବେଳେ ୩୭ ହଜାର ୨୩୯ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଛନ୍ତି ।

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଖୋର୍ଦ୍ଧା ଏବଂ ପୁରୀରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ବିପୁଳ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୬୮ ଜଣଙ୍କର ଲୋକାଲ କଣ୍ଟାକ୍ଟ ରହିଛି । ଯଦି ଦେଖିବା ରାଜ୍ୟରେ ଏପର୍ଯ୍ୟନ୍ତ ୨୭ ଲକ୍ଷ ୧୫ ହଜାର ୮୨୨ଟି କମୁଲେଟିଭ ଟେଷ୍ଟ ହୋଇଛି । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି ମୋଟ କରୋନା ସଂଖ୍ୟା । ୧ଲକ୍ଷ ୩୭ ହଜାର ୫୬୭ ଜଣ କରୋନା ସୁସ୍ଥ ହୋଇଥିବା ବେଳେ ୩୭ ହଜାର ୨୩୯ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଛନ୍ତି ।

ତେବେ  ୩୦ ଜିଲ୍ଲାରୁ ୪,୨୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୯, ବାଲେଶ୍ୱରରୁ ୧୮୩, ବରଗଡ଼ରୁ ୧୧୬, ଭଦ୍ରକରୁ ୪୩, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୫୫, କଟକରୁ ୪୯୧, ଦେବଗଡ଼ରୁ ୨୩, ଢ଼େଙ୍କାନାଳରୁ ୮୦, ଗଜପତିରୁ ୪୩, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୧୪୬, ଯାଜପୁରରୁ ୧୭୬, ଝାରସୁଗୁଡ଼ାରୁ ୮୦, କଳାହାଣ୍ଡିରୁ ୯୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୨୩, କେନ୍ଦୁଝରରୁ ୭୨, କୋରାପୁଟରୁ ୧୧୪, ମାଲକାନାଗିରିରୁ ୬୩, ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୧୦୨, ନୟାଗଡ଼ରୁ ୪୭, ନୂଆପଡ଼ାରୁ ୫୨, ପୁରୀରୁ ୩୨୬, ରାୟଗଡ଼ାରୁ ୯୨, ସମ୍ବଲପୁରରୁ ୧୫୪, ସୋନପୁରରୁ ୮୩, ସୁନ୍ଦରଗଡ଼ରୁ ୧୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପ୍ଲେ ଷ୍ଟୋରକୁ ପୁଣି ଥରେ ଫେରିଲା Paytm, ଜାଣନ୍ତୁ କେଉଁ କାରଣରୁ ଗୁଗୁଲ ହଟାଇଥିଲା ଏହି ପେମେଣ୍ଟ ଆପ୍

ନୂଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ଆପ୍ Paytm ଗୁଗୁଲ ପ୍ଲେ ଷ୍ଟୋରକୁ ପୁଣି ଥରେ ଫେରିଛି ଏବଂ ୟୁଜର୍ସ ଏବେ ଏହାକୁ ଡାଉନଲୋଡ କରିପାରିବେ । ଶୁକ୍ରବାର ଦିନ ଗୁଗୁଲ ଏହି ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା । ଅବଶ୍ୟ ଏହାର କାରଣ ସାମ୍ନାକୁ ଆସିନଥିଲା । Techcrunch ର ଏକ ରିପୋର୍ଟ ମୁତାବକ ବାରମ୍ବାର ନିୟମ ଉଲଙ୍ଘନ କରିବାରୁ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ Paytm କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଥରେ ପ୍ଲେ ଷ୍ଟୋରକୁ ଫେରିଛି Paytm ।

ଗୁଗୁଲ Paytm ଆପକୁ କିଛି କହିନାହିଁ କିନ୍ତୁ କମ୍ପାନୀ ତରଫରୁ ନିକଟରେ ଜୁଆ ଖେଳ (Gambling)କୁ ନେଇ ନିୟମର ଉଲଙ୍ଘନ ହୋଇଥିବାରୁ ଏକ Updated Blog Post ସେୟାର କରାଯାଇଥିଲା । Android Security and Privacy, ପ୍ରଡକ୍ଟର ଭାଇସ ପ୍ରେସିଡେଣ୍ଟ ସୁଜେନ ଫ୍ରେ ଏହି ବାବଦରେ କହିଛନ୍ତି ଯେ, ‘ଆମେ ଅନଲାଇନ କସିନୋର ଅନୁମତି ଦେଉନାହୁଁ ଅବା ଏଭଳି କୌଣସି ଆପ୍ କୁ ସପୋର୍ଟ କରୁନାହିଁ ଯାହା ଜୁଆ ଖେଳ ସହିତ ଜଡ଼ିତ ଥିବ ଏବଂ ସ୍ପୋର୍ଡସ ଉପରେ ବାଜି ଲଗାଇଲେ ଗେମ୍ସ ଅଫର କରୁଥିବ । ଏଥିରେ ଏଭଳି ଆପ ମଧ୍ୟ ସାମିଲ ରହିଛି, ଯାହା ଟଙ୍କା ବା ପ୍ରାଇଜ ଜିତାଇବା ଲୋଭ ଦେଖାଇ ୟୁଜର୍ସଙ୍କୁ କୌଣସି ଜୁଆଖେଳ ୱେବସାଇଟକୁ ପଠାଉଥିବ ।’

IPL ସମୟରେ ଲାଭରେ ରୁହନ୍ତୁ ଏଭଳି ଆପ୍

ପେମେଣ୍ଟ ଆପ୍ ଦ୍ୱାରା ପ୍ରଦାନ କରାଯାଉଥିବା ପେଟିଏମ୍ ଗେମିଂ ଆପ୍ ମଧ୍ୟ ପ୍ଲେ ଷ୍ଟୋରରୁ ହଟାଯାଇଥିଲା, ଏହା ପରେ କମ୍ପାନୀ ଟ୍ୱିଟ୍ କରି ଉପଭୋକ୍ତାମାନଙ୍କୁ ଆଶ୍ୱାସନା ଦେଇଛି ଯେ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ଏହି ଆପ୍ ଖୁବ ଶୀଘ୍ର ପ୍ଲେ ଷ୍ଟୋରକୁ ଫେରିବ। ଭାରତର ଏକ ଲୋକପ୍ରିୟ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍), ଆରମ୍ଭ ହେବାକୁ ଯାଉଛି ଏବଂ ଏହା ସହିତ ଲୋକମାନେ ଏହିପରି ଅନେକ ଆପ୍ ଡାଉନଲୋଡ୍ କରିବା ଆରମ୍ଭ କରନ୍ତି, ଯେଉଁଥିରେ ଉପଭୋକ୍ତାମାନେ ଗେସ୍ ୱାର୍କ ଏବଂ ଟୁକ୍କା ମାରି ଟଙ୍କା ଜିତିପାରିବେ । ଗୁଗୁଲ ଏହିପରି ଆପ୍ସକୁ ସମର୍ଥନ କରେ ନାହିଁ ଏବଂ ଏହି କାରଣରୁ Paytm First Gamesକୁ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା ।

ଆଉ ରହିବନି ଜୁଆ ଖେଳ ସହ ଜଡ଼ିତ ଥିବା ଆପ୍ସ

ଗୁଗୁଲ ପୂର୍ବରୁ ମଧ୍ୟ Paytm ଆପରେ ମିଳୁଥିବା Gambling ସମ୍ବନ୍ଧୀୟ ଫିଚର ବିଷୟରେ ପ୍ରଶ୍ନ ଉଠାଇଥିଲା । ପେଟିଏମର ସହ-ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଦେଇଥିବା ଏକ ସାକ୍ଷାତକାରରେ ଏହାର ପୃଷ୍ଟି କରାଯାଇଥିଲା । ଏହା ସ୍ପଷ୍ଟ ଯେ ଗୁଗୁଲ, ପ୍ଲେ ଷ୍ଟୋରରେ ଏଭଳି କୌଣସି ଆପ୍ ଚାହୁଁନାହିଁ ଯାହା ସାହାଯ୍ୟରେ ଜୁଆ ଏବଂ ସଟ୍ଟେବାଜୀ କରାଯାଇପାରିବ । ଅନେକ ଆପ୍ ଟଙ୍କା ଲଗାଇବା ଏବଂ ସଠିକ ଗେସ କରିବାକୁ ମାଇଣ୍ଡ ଗେମ୍ସ ଏବଂ ସ୍କିଲ ଭଳି ପ୍ରଦର୍ଶିତ କରିଥାନ୍ତି । ଏହି କାରଣରୁ ଭାରତରେ ବେଟିଂ ବ୍ୟାନ ହେବା ପରେ ମଧ୍ୟ ତାହା ଭାରତୀୟ ଆଇନକୁ ଚକମା ଦେଇ ଆସୁଛି । କିନ୍ତୁ ଗୁଗୁଲ ଏସବୁକୁ ନେଇ ନିଜର ମନୋଭାବ ସ୍ପଷ୍ଟ କରିଛି ।

ବାଲେଶ୍ୱରରେ ପୁଣି କଙ୍ଗାରୁ କୋର୍ଟ, ମୋବାଇଲ ଚୋରିକରି ନିର୍ଧୁମ ଛେଚା ଖାଇଲେ ଚୋର

ବାଲେଶ୍ୱର: ମୋବାଇଲ ଚୋରି ପାଇଁ ଲୋକଙ୍କ ନିସ୍ତକୁ ମାଡ଼ । ହାତ ଗୋଡ଼ ବାନ୍ଧି ନିର୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି । ଯଦି ଦେଖିବା ବାଲେଶ୍ୱର ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମଳୁଛି । ସ୍ଥାନୀୟ ଲୋକେ କଙ୍ଗାରୁ କୋର୍ଟର ପ୍ରଥାକୁ ବାରମ୍ବାର ଆପଣାଉଛନ୍ତି । ସଚେତନ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ମଧ୍ୟ ସୁଧୁରୁନାହାନ୍ତି ଲୋକେ । ତେବେ ମୋବାଇଲ ଚୋରି କରିଥିବା ଜଣେ ନାବାଳକ ସମେତ ଦୁଇ ଯୁବକକୁ ନିସ୍ତୁକ ମାଡ଼ ମାରିଥିଲେ ଲୋକେ । ଏମିତି ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ବାରିକପୁର ହାଟରେ ଦୋକାନି ଓ ଗ୍ରାହକଙ୍କ ନିକଟରୁ ମୋବାଇଲ ଚୋରି କରିଥିଲେ  ଜଣେ ନାବାଳକ ସମେତ ଦୁଇ ଯୁବକ । ତେବେ ଚୋରି କରିବା ପରେ ଧରାପଡ଼ିଯାଇଥିଲେ ଲୋକଙ୍କ ହାତରେ । ଏହାପରେ ଲୋକେ ଆଇନକୁ ହାତକୁ ନେଇ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଉଦ୍ଧାର କରିଛି ।

ଦେଶରେ ୨୪ଘଣ୍ଟାରେ ୯୩ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫୩ ଲକ୍ଷ ପାର କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ପ୍ରତିଦିନ ବିପୁଳ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯୩ ହଜାର ୩୩୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୨୪୭ ଜଣଙ୍କର ମୃତ୍ୟୁ ହୋଇଛି । ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ସାଧାରଣ କଥା ହୋଇଗଲାଣି । ତେବେ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୫୩ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ୪୨ ଲକ୍ଷ ୮ ହଜାର ୪୩୨ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ହେଉଛି ଏକ ମାତ୍ର ଭଲ ଖବର ଯାହା କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି । ଦେଶରେ ଏବେ କୋଭିଡ -୧୯ର  ହାର ୭୮.୮୬ ପ୍ରତିଶତ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫କୁ ବୃଦ୍ଧି ପାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧,୨୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମହାମାରୀରେ ୮୫ ହଜାର ୬୧୯ ଜଣଙ୍କର ମୃତ୍ୟୁ ହୋଇଛି ।

ତଥ୍ୟ ଅନୁଯାୟୀ, କୋଭିଡ -୧୯ କାରଣରୁ ମୃତ୍ୟୁ ହାର ଆହୁରି ହ୍ରାସ ପାଇଛି । ମୃତ୍ୟୁ ହାର ୧.୬୨ ପ୍ରତିଶତକୁ ଖସି ଆସିଛି । ମନ୍ତ୍ରଣାଳୟ କହିଛି ଯେ ଦେଶରେ ଏବେ ୧୦ ଲକ୍ଷ ୧୩ ହଜାର ୯୬୪ କୋଭିଡ -୧୯ ରୋଗୀ ଚିକିତ୍ସିତ ହେଉଛନ୍ତି । ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୧୯.୫୨ ପ୍ରତିଶତ ଅଟେ ।

NIAର ବଡ଼ ଧରଣର ରେଡ, ଅଲ କାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ କଲା ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏର ବଡ଼ ସଫଳତା । ଅଲ କାଏଦାର ଏକ ବଡ଼ ନେଟୱାର୍କର ପର୍ଦାଫାସ କରିଥିବା ଦାବି କରିଛି ଏନ୍‌ଆଇଏ । ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ । ଏନଆଇଏର ଏହି ରେଡ ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି। କୁହାଯାଉଛି ଯେ ଅଲ-କାଏଦା ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୂଆ ମାମଲାକୁ ଆଧାରକରି ଚଢ଼ାଉ କରାଯାଇଛି । କେରଳର ଏରନାକୁଲମରେ ଏବଂ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି।

ଏନଆଇଏ କେରଳର ଏର୍ନାକୁଲମରୁ ୩ ଜଣଙ୍କୁ ଗିରଫ କରିଥିବାବେଳେ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଏମାନଙ୍କ ଟାର୍ଗେଟରେ ଅନେକ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକ ରହିଥିଲା । ଗିରଫ ହୋଇଥିବା ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି କୁହାଯାଉଛି । ଏମାନେ ସମସ୍ତେ ଶ୍ରମିକ ଅଟନ୍ତି । ଆତଙ୍କବାଦୀ ଷଡ଼ଯନ୍ତ୍ର ବିଷୟରେ ଭିତିରି ଖବର ପାଇବା ପରେ ଏମାନଙ୍କ ଉପରେ ନଜର ରଖାଯାଇଥିଲା।

ଆଜି ସକାଳେ ଏରନାକୁଲମ୍ ଏବଂ ମୁର୍ସିଦାବାଦର ଅନେକ ସ୍ଥାନରେ ଏନଆଇଏ ଆକ୍ରମଣ କରିଥିଲା । ​​ ଅଲ-କାଏଦାର ପାକିସ୍ତାନ ପ୍ରାୟୋଜିତ ମଡ୍ୟୁଲ ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ପଶ୍ଚିମବଙ୍ଗ ଏବଂ କେରଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଅଲ-କାଏଦା ସଦସ୍ୟଙ୍କ ଆନ୍ତରାଜ୍ୟ ମଡ୍ୟୁଲ ବିଷୟରେ ଏନଆଇଏ ଜାଣିବା ପରେ ଏହି ଚଢ଼ାଉ କରାଯାଇଥିଲା । ଲୋକଙ୍କୁ ହତ୍ୟା କରିବା ପାଇଁ ଏହି ଗୋଷ୍ଠୀ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା । ଏନେଇ ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ।

ଭାରତ କୋଭିଡ-୧୯ ମାନଚିତ୍ର: ସାଉଥ ଜୋନରେ ସର୍ବାଧିକ ମାମଲା ଥିବାବେଳେ, ପଶ୍ଚିମରେ ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ: କରୋନା କାୟାରେ ଏବେ ସାରା ବିଶ୍ୱ କବଳିତ । ଏହି ମହାମାରୀ ଜାଲରେ ଛନ୍ଦି ହୋଇଥିବା ଦେଶ ମଧ୍ୟରୁ ଭାରତ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସେପ୍ଟେମ୍ବର ମାସ ସୁଦ୍ଧା ଭାରତରେ ମୋଟ ୫୧,୨୨, ୮୪୬ କୋଭିଡ- ୧୯ ମାମଲା ରେକର୍ଡ ହୋଇଛି, ଯେଉଁଥିରୁ ପ୍ରାୟ ୭୯% ସୁସ୍ଥ ହୋଇସାରିଛନ୍ତି । ଏଯାବତ ମୋଟ ୬.୧ କୋଟି କରୋନା ଟେଷ୍ଟ କରାଯାଇଛି ଏବଂ ୮୩,୨୫୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତ୍ୟୁ ହାର ୧.୬% ଥିବାବେଳେ ଟେଷ୍ଟ ପଜିଟିଭିଟି ହାର ୮.୫% ରେ ରହିଛି । ଦେଶର କୋଭିଡ୍ -୧୯ ତଥ୍ୟର ଏକ ଜୋନ୍-  ୱାରୀ ବିଶ୍ଳେଷଣ ଏମିତି କିଛି ଆକର୍ଷଣୀୟ ସଂଖ୍ୟା ସାମ୍ନାକୁ ଆସିଛି ଯାହା ଏବେ ଆମେ ତଳେ ଦର୍ଶାଇବାକୁ ଯାଉଛୁ ।

ଆମେ ଦେଶକୁ ପାଞ୍ଚଟି ଜୋନରେ ବିଭକ୍ତ କରିଛୁ:

୧. ଉତ୍ତର- ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଚଣ୍ଡିଗଡ଼ ଏବଂ ଲଦାଖ

୨. ଦକ୍ଷିଣ- ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, କେରଳ, ପଡୁଚେରୀ, ଆଣ୍ଡାମାନ ଓ ନିକୋବର ଦୀପ

୩. ପଶ୍ଚିମ- ମହାରାଷ୍ଟ, ଗୁଜୁରାଟ, ରାଜସ୍ଥାନ, ଗୋଆ, ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଡ୍ୟୁ

୪. ପୂର୍ବ- ୱେଷ୍ଟ ବେଙ୍ଗଲ, ବିହାର, ଝାଡଖଣ୍ଡ, ଆସାମ, ସିକିମ୍, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଓଡ଼ିଶା

୫. ମଧ୍ୟ- ମଧ୍ୟ ପ୍ରଧ୍ୟପ୍ରଦେଶ ଏବଂ ଚଣ୍ଡିଗଡ଼

ଦକ୍ଷିଣ ଜୋନରେ ସର୍ବାଧିକ ମାମଲା ରହିଛି

ଦେଶର ଦକ୍ଷିଣ ଜୋନ୍ ରେ ମୋଟ କରୋନା ମାମଲା ୩୭.୧୯% ରହିଛି । ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫,୯୨,୭୬୦ ମାମଲା ଥିବାବେଳେ ଏହା ପଛରେ  ୫,୧୯,୮୬୦ ମାମଲା ସହିତ ରହିଛି ତାମିଲନାଡୁ । ୧ ମିଲିୟନ ଜନସଂଖ୍ୟା ଦୃଷ୍ଟିରୁ ଦକ୍ଷିଣରେ ୭,୦୫୬ ଟି ଟପ୍ ମାମଲା ରହିଛି ।

୩୩.୬୭ ଏବଂ ୩୪.୭୮ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର ଏବଂ ପୂର୍ବ ଜୋନ ରାଜ୍ୟ ଗୁଡ଼ିକ ତୁଳନାତ୍ମକ ଭାବରେ କରୋନା ମହାମାରୀରେ ଭଲ ପ୍ରଦର୍ଶନ କରିଛନ୍ତି  । ପ୍ରତ୍ୟେକ ଜନସଂଖ୍ୟାର ଏକ ଚତୁର୍ଥାଂଶ ସହିତ, ଏହି ରାଜ୍ୟ ଗୁଡ଼ିକରେ କରୋନା ମାମଲା ମାତ୍ର ୧୭% ଏବଂ ୧୬% ରହିଥିବା ଦେଖାଦେଇଛି । ଅନ୍ୟପଟେ ମଧ୍ୟପ୍ରଦେଶ ଏବଂ ଛତିଶଗଡର ରାଜ୍ୟକୁ ନେଇ ଗଠିତ କେନ୍ଦ୍ରୀୟ ଜୋନରେ ପ୍ରତି ମିଲିୟନରେ ସର୍ବନିମ୍ନ ମାମଲା ଦେଖିବାକୁ ମିଳିଛି । ପଶ୍ଚିମ ଜୋନରେ ମହାରାଷ୍ଟ୍ରରରେ ଚାରି-ପଞ୍ଚମାଂଶ (୮୨%) ରୁ ଅଧିକ ମାମଲା ରହିଛି ।

ଯଦି ଆମେ ରିକଭରୀ ରେଟ କଥା କହିବା ତେବେ କେନ୍ଦ୍ରୀୟ ଜୋନରେ ସର୍ବନିମ୍ନ ୬୩% ରିକଭରୀ ରେଟ ରହିଛି । ସେହିପରି ଛତିଶଗଡରେ ଅଧାରୁ ଅଧିକ ସକ୍ରିୟ ମାମଲା ଅଛି । ଦକ୍ଷିଣ ଏବଂ ପୂର୍ବ ଜୋନରେ ୮୩% ସହିତ ସବୁଠାରୁ ଭଲ ରିକଭରୀ ହାର ରହିଛି । ଅନ୍ୟ ପ୍ରମୁଖ ରାଜ୍ୟ ତୁଳନାରେ ବିହାରରେ (ପୂର୍ବ ଜୋନ୍) ୯୧.୨% ସହିତ ସବୁଠାରୁ ଅଧିକ ରିକଭରୀ ରେଟ ରହିଛି । ଏହାପଛରେ ୮୯.୪% ସହିତ ରହିଛି ତାମିଲନାଡୁ ( ଦକ୍ଷିଣ ଜୋନ୍) ଏବଂ ପଶ୍ଚିମବଙ୍ଗରେ ରିକଭରୀ ରେଟ ରହିଛି ୮୬.୭% (ପୂର୍ବ ଜୋନ୍) ।

ପଶ୍ଚିମ ଜୋନରେ ରହିଛି ସବୁଠାରୁ ଅଧିକ ପଜିଟିଭ ରେଟ୍

ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ସାମୂହିକ ଭାବରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସର୍ବାଧିକ କରୋନା ଟେଷ୍ଟିଂ କରିଛନ୍ତି | ମୋଟ ଉପରେ, ସାଉଥ୍ ଜୋନ୍ ୧ ମିଲିୟନ୍ ଜନସଂଖ୍ୟାରେ ୭୨,୬୯୨ଟି ନମୁନା ପରୀକ୍ଷା କରିଛି ଏବଂ ତା’ପରେ ଉତ୍ତର ଜୋନ ୪୫,୬୧୯, ପୂର୍ବ ଜୋନ ୪୫,୦୯୦ ଏବଂ ପଶ୍ଚିମ ଜୋନ ୪୪,୬୬୫ଟି ନମୁନା ପରୀକ୍ଷା କରିଛି । ମଧ୍ୟପ୍ରଦେଶ (୨୧,୧୦୦) ଏବଂ ଛତିଶଗଡ଼ (୨୯,୫୦୦) ରେ ଜନସଂଖ୍ୟା ତୁଳନାରେ ସବୁଠୁ କମ ନମୁନା ପରୀକ୍ଷା କରାଯାଇଛି ।  ସେହିପରି, ସେଣ୍ଟ୍ରାଲ୍ ଜୋନ ଏହି ଗଣନାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି ।

୨୦.୪% ସହିତ ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ପଜିଟିଭ ମାମଲାର ରହିଛି । ଏହାର ଅର୍ଥ ହେଉଛି ସାମଗ୍ରିକ ଭାବରେ, ରାଜ୍ୟରେ ପରୀକ୍ଷିତ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ କୋଭିଡ -୧୬ ପଜିଟିଭ ଅଟେ । ଏହା ଏକ ଅତ୍ୟନ୍ତ ଉଗବେଗଜନକ ସଂଖ୍ୟା ଏବଂ ଜାତୀୟ ପଜିଟିଭିଟି ହାରଠାରୁ ଦୁଇଗୁଣ ଅଧିକ ।

ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ସମସ୍ତ ପାଞ୍ଚଟି ଜୋନ ମଧ୍ୟରୁ ପଶ୍ଚିମ ଜୋନର ପଜିଟିଭିଟି ହାର ସର୍ବାଧିକ ୧୧.୪୧% ରହିଛି, ଯଦିଓ ରାଜସ୍ଥାନ ( ୩.୯%) ଏବଂ ଗୁଜୁରାଟ (୩.୩%) ଦେଶର ସର୍ବନିମ୍ନ ସକରାତ୍ମକ ହାର ମଧ୍ୟରେ ରହିଛି । ଗୋଆରେ ମଧ୍ୟ ହାଇ ପଜିଟିଭିଟି ରେଟ ୧୧.୪% ରହିଛି ଯାହା ଜୋନର ହାରାହାରି ପଜିଟିଭ ରେଟ ସହିତ ସମାନ ।

ଏହି ପାରାମିଟରରେ ଆନ୍ଧ୍ରପ୍ରଦେଶ (୧୨.୩%) ଏବଂ କର୍ଣ୍ଣାଟକ (୧୨.୨%) ସହିତ ସାଉଥ୍ ଜୋନରେ ୯.୭୧% ହାଇ ପଜିଟିଭିଟି ରେଟ ରହିଛି । ଉତ୍ତର ଏବଂ ପୂର୍ବ ଜୋନରେ ଏହି ଭାଇରସର ସଂକ୍ରମଣ କମ୍ ଥିବା ଦେଖାଦେଇଛି । ମିଜୋରାମ (୨.୮%), ବିହାର ଏବଂ ଅରୁଣାଚଳ ପ୍ରଦେଶ (୩.୧%) ଏବଂ ମେଘାଳୟ (୩.୫%) ପୂର୍ବ ଜୋନର ସର୍ବନିମ୍ନ ପ୍ରଭାବିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ (୪.୨%) ଉତ୍ତର ଜୋନ୍ ପାଇଁ ସାମଗ୍ରିକ ପଜିଟିଭିଟି ରେଟକୁ କମ୍ ରଖିଛି ।

ପଶ୍ଟିମ ଜୋନରେ ସର୍ବାଧିକ ମୃତ୍ୟୁ ହାର ଥିବାବେଳେ ପୂର୍ବରେ ସର୍ବନିମ୍ନ

ପଶ୍ଚିମ ଜୋନରେ ଦେଶରେ ସର୍ବାଧିକ Covid-19 ମୃତ୍ୟୁ ରେକର୍ଡ କରାଯାଇଛି ଏବଂ ଏହା ମୋଟ ମୃତ୍ୟୁହାରର ପ୍ରାୟ ୪୩% ଅଟେ । ମହାରାଷ୍ଟ୍ରରେ ୩୦,୮୮୩ଟି କୋଭିଡ ୧୯ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ।

ଏହି ତାଲିକାରେ ତାମିଲନାଡୁ (୮,୫୫୯), କର୍ଣ୍ଣାଟକ (୭,୫୩୬) ଏବଂ ଆନ୍ଧ୍ରପ୍ରଦେଶ (୫,୧୦୫) ରହିଛନ୍ତି  । ଏହି ରାଜ୍ୟ ଗୁଡ଼ିକ ଦକ୍ଷିଣ ଜୋନର ମୃତ୍ୟୁ ସଂଖ୍ୟା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୋଟ ଉପରେ ଦକ୍ଷିଣ ଭାରତରେ କରୋନା ମୃତ୍ୟୁ ହାର ଦେଶରେ ମୋଟ କରୋନା ମୃତ୍ୟୁର ପ୍ରାୟ ୨୮% ପ୍ରତିଶତ ଅଟେ ।

ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇ ପୂର୍ବ ଜୋନ ଏକ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି । ପୂର୍ବ ଜୋନରେ ପ୍ରତି ମିଲିୟନ୍ ଜନସଂଖ୍ୟାରେ ମାତ୍ର ୨୦ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ବିହାରରେ ଏକ ମିଲିୟନ ଲୋକଙ୍କ ତୁଳନାରେ ମାତ୍ର ୭ ଜଣଙ୍କର ମୃତ୍ୟୁ ହୋଇଛି ।

ସେଣ୍ଟ୍ରାଲ୍ ଜୋନରେ ପ୍ରତି ମିଲିୟନରେ ୨୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି ଏବଂ ଏହା ପରେ ଉତ୍ତର (୪୪) ଏବଂ ଦକ୍ଷିଣ (୮୬) ରହିଛି । ପଶ୍ଚିମ ଜୋନରେ ପ୍ରତି ମିଲିୟନ ଜନସଂଖ୍ୟାରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ହେଉଛି ସବୁଠାରୁ ଅଧିକ ପ୍ରଭାବିତ ପ୍ରମୁଖ ରାଜ୍ୟ ଯେଉଁଠି ୧ ମିଲିୟନ ଜନସଂଖ୍ୟାରେ ୨୫୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ହାର ଦୃଷ୍ଟିରୁ, ଇଷ୍ଟ ଜୋନ୍ ହେଉଛି ଏକମାତ୍ର ଜୋନ୍ ଯେଉଁଥିରେ ମୃତ୍ୟୁ ହାର ୧% ରୁ  ମଧ୍ୟ କମ୍ ରହିଛି । ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ଓଡିଶା, ବିହାର, ମଣିପୁର, ମେଘାଳୟ, ସିକ୍କିମ ଏବଂ ଝାଡଖଣ୍ଡର ମୃତ୍ୟୁ ହାର ୧% ରୁ କମ ରହିଛି ।  ପଶ୍ଚିମ ଜୋନରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସର୍ବାଧିକ ମୃତ୍ୟୁ ହାର ୨.୬ % ରହିଛି ।

ସ୍ଥାନୀୟ ପ୍ରଶାସନକୁ ଅମାନିଆଙ୍କ ବାରମ୍ବାର ଚ୍ୟାଲେଞ୍ଜ, ମେଲୋଡି ପରେ ଏବେ ଭସାଣୀ ଶୋଭାଯାତ୍ରା

ଜଳେଶ୍ୱର: ରାଜ୍ୟରେ ଏବେ ବେଲଗାମ କରୋନା ସଂକ୍ରମଣ । ପ୍ରତିଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ କଡ଼ା ପଦକ୍ଷେକ ନେଉଛନ୍ତି । କରୋନା କଟକଣାକୁ ଭାଙ୍ଗିଲେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯାଉଛି । କିନ୍ତୁ ସୁଧୁରୁ ନାହାନ୍ତି ଅମାନିଆ । ସେ ତାଙ୍କ କାର୍ଯ୍ୟରେ ବିଲକୁଲ ବି ହେଳା କରୁନାହାନ୍ତି । ବାରମ୍ବାର କରୋନା କଟକଣାକୁ ଭାଙ୍ଗିବାରେ ବ୍ୟସ୍ତ । ମେଲୋଡ଼ି ପରେ ଏବେ ଭସାଣୀ ସୋଭାଯାତ୍ରା କଲେ ଅମାନିଆ । ବ୍ରାସବ୍ୟାଣ୍ଡ ବଜାଇଲେ ଏବଂ ନିର୍ଧୁମ ନାଚିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବାଲିଆପାଳ ବ୍ଲକରେ । କୋରାନା ସଂକଟରେ ବାଲେଶ୍ୱର ବାଲିଆପାଳ ବ୍ଲକରେ ଜମିଲା ଭସାଣୀ ଶୋଭାଯାତ୍ରା । ଡିଜେ ଗୀତରେ ଚାଲିଥିଲା ନାଚଗୀତର ଆସର ।

ମାସ୍କ ପିନ୍ଧିବା ହେଉ ଅବା ସାମାଜିକ ଦୂରତା ରକ୍ଷା କିଛିବି ମାନି ନଥିଲେ ଅମାନିଆ । ଖୁଲମଖୁଲା ରାସ୍ତା ଉପରେ ଚାଲିଥିଲା କୋଭିଡ ନିୟମର ଉଲଂଘନ । ଚୋଉମୁଖ ପଞ୍ଚାୟତର ଟାୱାର ଛକ ନିକଟରେ ଚାଲିଥିଲା ଏମିତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏନେଇ ପ୍ରଶାସନ ପାଖରେ ଖବର ନଥିବା ବେଳେ, ସବୁ ଜାଣିଶୁଣି ପୋଲିସ ଚୁପ ରହିଥିବା ଅଭିଯୋଗ ହୋଇଛି । ଲାଗୁଛି ଯେମିତି ସ୍ଥାନୀୟ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅମାନୀଆ । କାରଣ ବିଶ୍ୱକର୍ମା ପୂଜାରେ ମେଲୋଡ଼ି ପରେ ଏବେ ଭସାଣୀ । ଗୋଟିଏ ପରେ ଗୋଟିଏ କଟକଣାକୁ ଉଲଙ୍ଘନ କରୁଛନ୍ତି ଏମାନେ ।

ଆଜିଠୁ ବିଦେଶରେ ବାଜିବ IPL ବିଗୁଲ, ବିନା ଦର୍ଶକରେ ହେବ T-20 ମ୍ୟାଚ୍‌

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ଦିନର ଅପେକ୍ଷା ପରେ ଦୁଲୁକିବ କ୍ରିକେଟ ଷ୍ଟାଡିୟମ । ଜମିବ ଫଟାଫଟ ଟି-୨୦ ମ୍ୟାଚ୍‌ର ଆସର । ବିଦେଶରେ ବାଜିବ ଆପିଏଲ ବିଗୁଲ । ଆଜିଠାରୁ ଆରବ ଏମିରେଟ୍ସ (ୟୁଏଇ) ରେ ହେବ ୧୩ ତମ ଆଇପିଏଲର ମ୍ୟାଚ୍‌ । ଆଇପିଏଲ୍ ଇତିହାସର ଦୁଇଟି ସଫଳ ଦଳ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଅନ୍ୟତମ ଷ୍ଟ୍ରଙ୍ଗ ଦାବିଦାର ଚେନ୍ନାଇ ସୁପର କିଙ୍ଗ୍ସ ଆଜି ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ । ଉଭୟ ଦଳ ଲିଗ୍ ପାଇଁ ବିଜୟ ସହ ଆରମ୍ଭ କରିବାକୁ ଚାହାଁନ୍ତି । କିନ୍ତୁ ମ୍ୟାଚକୁ ହାତେଇବା‌ ଏତେ ସହଜ ହେବ ନାହିଁ ।

ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭.୩୦ ରେ ମ୍ୟାଚ୍ ଆରମ୍ଭ ହେବ । ୟୁଏଇ ହେଉଛି ସେହି ସ୍ଥାନ ଯେଉଁଠାରେ ଅନେକ ଖେଳାଳି ଏପର୍ଯ୍ୟନ୍ତ ଖେଳି ନାହାଁନ୍ତି ଏବଂ ପ୍ରଥମ ଥର ପାଇଁ ପିଚରେ ଭାଗ୍ୟ ପରୀକ୍ଷା କରିବେ । ନୂଆ ଖେଳୀଙ୍କ ପାଇଁ ସେହି ପିଚ୍‌ରେ କ୍ଲିକ କରିବା ବହୁତ କଷ୍ଟ ହେବ । କାରଣ ଫରେନ ପିଚ୍‌ରେ ଅଧିକ ବାଉନ୍ସ ରହିଥାଏ  । ବାଉନ୍ସକୁ ଟକ୍କର ଦେବା ଭାରତୀୟ ନୂଆ ଖୋଳୀଙ୍କ ପାଇଁ କଷ୍ଟ ହୋଇପାରେ । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ଥର ଯେ ସମଗ୍ର ଆଇପିଏଲ ଭାରତ ବାହାରେ ଅନୁଷ୍ଠିତ ହେଉଛି । ଏହାପୂର୍ବରୁ ୨୦୦୯ ରେ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଆୟୋଜିତ ହୋଇଥିଲା । ସେହି ସମୟରେ ୨୦୧୪ ରେ, ଆଇପିଏଲର ପ୍ରଥମାର୍ଦ୍ଧ ୟୁଏଇରେ ଖେଳାଯାଇଥିଲା ।

ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍‌

ତେବେ କୋଭିଡ -୧୯ କାରଣରୁ ଏଥର ଆଇପିଏଲ ଦର୍ଶକଙ୍କ ବିନା ଖାଲି ଷ୍ଟାଡିୟମରେ ଖେଳାଯିବ । ଦର୍ଶକମାନେ ସର୍ବଦା ଆଇପିଏଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି କିନ୍ତୁ ଏଭଳି ପରିସ୍ଥିତିରେ ଆଇପିଏଲ୍ ଖେଳିବା ଏବଂ ଟିଭିରେ ଦେଖିବା ଟିକେ ଅଜବ ହେବ । ଯଦିଓ ଏହାକୁ ଟିଭିରେ କୋଟି କୋଟି ଲୋକ ଦେଖିବେ କିନ୍ତୁ ଷ୍ଟାଡିୟମରେ ଆଉ ଘୋଘା ସୁଭିବନାହିଁ ।

ଓଟିଭି MDଙ୍କ ପାଇଁ ବଢ଼ିଲା ଅଡ଼ୁଆ: ଗିରଫ ଦାବି କଲା ଷ୍ଟେଟ୍ ପ୍ରୋଗ୍ରେସିଭ୍ ଓ୍ୱିମେନ୍ ଫୋରମ୍

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ଛନ୍ଦି ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ଆଜି ଓଟିଭି ଏମ୍‌ଡିଙ୍କ ଅଡୁଆ ପୁଣି ବଢିଛି । ତାଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହୋଇଛି । OTV ଏମ୍‌ଡିଙ୍କ ଗିରଫ ଦାବି କରିଛି ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ ଫୋରମ୍ । ପୀଡିତାଙ୍କ ମା’ଙ୍କ ଉପରେ ଚାପ ପକାଇବା ସହ ତଥ୍ୟ ଲୁଚାଇ ଅଭ୍ୟାସଗତ ଭାବେ ଭୁଲ କରିଛନ୍ତି OTV ଏମ୍‌ଡି । ନିଜ କର୍ମଚାରୀଙ୍କୁ OTV ଏମ୍‌ଡି ଘଣ୍ଟ ଘୋଡାଇଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କୁ ଗିରଫ କରିବାକୁ ଦାବି କରିଛି ଫୋରମ  । ଏହା ପୂର୍ବରୁ ମହିଳା କମିଶନ ମଧ୍ୟ ୨୧ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ସମନ ଜାରି କରିଛି  । ସେପଟେ ଆଜି ମହିଳା ଥାନାରେ ହାଜର ହୋଇ ପକ୍ଷ ରଖିଛନ୍ତି ଓଟିଭି ଏଚ୍‌ଆର ହେଡ୍ । ତାଙ୍କୁ ସାଢେ ତିନି ଘଣ୍ଟା ଧରି ଜେରା କରାଯାଇଛି  । ଗତକାଲି ଏହି ମାମଲାରେ ଓଟିଭିର ସହକାରୀ ଏଚ୍‌ଆର ମୁଖ୍ୟଙ୍କୁ ପୋଲିସ ଜେରା କରିଥିଲା । ପୂର୍ବରୁ ଇନ୍‌ପୁଟ୍‌ ଓ ଆଉଟ୍‌ପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଇଛି ।