spot_img
Home Blog Page 6695

ଆଦର୍ଶ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସହ 5-T ସଚିବଙ୍କ ଆଲୋଚନା ପରେ ତିଆରି ହୋଇଥିଲା ପରିବର୍ତ୍ତନର ରୋଡମ୍ୟାପ୍

ଭୁବନେଶ୍ୱର, ରାଜ୍ୟରେ ମେଧାବୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆଦର୍ଶ ବିଶ୍ୱବିଦ୍ୟାଳୟ ଯୋଜନା ପରିକଳ୍ପନା କରାଯାଇଥିଲା । ଅତି ସଫଳତାର ଏହି କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି । ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହା ମେଧାବୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପରି ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷାକୁ ସର୍ବାଗ୍ରେ ପ୍ରାଥମିକତା ଦେଇ ଆସିଛନ୍ତି । ଏହି କ୍ରମରେ ଉକ୍ତଧାରାକୁ ଆଉଟିକେ ଆଗକୁ ନେବାକୁ ଅଣ୍ଟା ଭିଡିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ ।

ନୂଆକରି ନିଆଯିବାକୁ ଥିବା ପଦକ୍ଷେପ ସେତେବେଳେ ସମ୍ଭବ ହୋଇପାରିଲା, ଯ଼େତେବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ନିଜେ ଏ ନେଇ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଏନେଇ ପ୍ରାୟ ୩ ଘଣ୍ଟା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ମତାମତକୁ ଆଧାର କରି ଏପରି ନିଆରା ପଦକ୍ଷେପ ନେବାକୁ ଉଚିତ ମଣିଲେ । ଏହି ଶିକ୍ଷା ବିପ୍ଲବ ରାଜ୍ୟରେ ମେଧା ଗଠନ ସଶକ୍ତ ଭାବେ ସହାୟକ ହେବ ବୋଲି ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପଦକ୍ଷେପ କଣ ରହିଛି ।  ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ଦେବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରଶିକ୍ଷକଗଣ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ କିମ୍ବା ଅତିରିକ୍ତ ଦାୟିତ୍ୱରେ ଆସି ବିଭିନ୍ନ  ବିଷୟରେ ଶିକ୍ଷା ଦେଇ ପାରିବେ । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଅଧୀନରେ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପରିଚାଳିତ ହେଉଛି । ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ସିବିଏସଇ ଢାଞ୍ଚାରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ଚଳିତ ଏବଂ ଗତବର୍ଷ ଏହି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ନେଇଥିବା ୩୫୦ ଛାତ୍ରଛାତ୍ରୀ ପ୍ରାୟ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ପିଲା ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଭବିଷ୍ୟତରେ ମେଡିକାଲ,ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଛନ୍ତି  । ହେଲେ ଏଥିପାଇଁ ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା ରହିଛି ।

ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତିଯେ,  ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ବହୁତ କର୍ମଚାରୀ, ଅଧିକାରୀଗଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଅନେକ ଏଭଳି କାର୍ଯ୍ୟକୁ ପ୍ରତିବଦ୍ଧତା ଭାବରେ ଗ୍ରହଣ କରିଥାନ୍ତି  । ତେଣୁ ଏଥିପାଇଁ ତୁରନ୍ତ ଆବେଦନ ଆମନ୍ତ୍ରଣ କରାଯାଇଛି । ବିଶେଷକରି ଛାତ୍ରଛାତ୍ରୀ ମାନଙ୍କୁ ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ,ଜୀବ ବିଜ୍ଞାନ,ଇଂରାଜୀ,ଗଣିତ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଅଫଲାଇନ କିମ୍ବା ଅନଲାଇନ ପ୍ରଶିକ୍ଷଣ ଦେବାକୁ ହେବ ।

ଆଗ୍ରହୀ ବ୍ୟକ୍ତିମାନେ ନିର୍ଦ୍ଧାରିତ ଫର୍ମରେ ସେମାନଙ୍କ ଉପରସ୍ଥ କର୍ତ୍ତୃପକ୍ଷଙ୍କ ଜରିଆରେ ଓଡ଼ିଶ ଆଦର୍ଶ ବିଦ୍ୟାଳୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆବେଦନ କରିପାରିବେ । ଏହାର ସବିଶେଷ ତଥ୍ୟ https://www.oav.edu.in/ ଓ୍ୱେବସାଇଟରେ ଉପଲବ୍ଧ ହେଉଛି । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମୃଦ୍ଧ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

 

ନେହେରୁଙ୍କୁ ନେଇ ଏମିତି କ’ଣ କହିଲେ ଅନୁରାଗ ଯେ,ସଂସଦରେ ହଙ୍ଗାମା ସୃଷ୍ଟି ହେଲା ?

ନୂଆଦିଲ୍ଲୀ – କରୋନା କଟକଣାରେ ଚାଲିଥିବା ସଂସଦର ମୌସୁମୀ ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ରୋଚକ ହେବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ସଂସଦର ନିମ୍ନସଦନ ଲୋକ ସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ପିଏମ୍ କେୟାର ଫଣ୍ଡକୁ ନେଇ ହୋଇଥିବା ଆଲୋଚନାରେ ପରସ୍ପରକୁ କଟୁ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ । ପରିସ୍ଥିତି ଏପରି ଅଣାୟତ୍ତ ହେବାକୁ ଲାଗିଲା ଯେ, ବାଚସ୍ପତି ଓମ ବିର୍ଲା ଶେଷରେ ଗୃହକୁ ଅଧ ଘଣ୍ଟା ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପିଏମ୍ କେୟାର ଫଣ୍ଡ ସମ୍ପର୍କରେ ତଥ୍ୟ ରଖୁଥିବା ବେଳେ ଏପରି କିଛି କହିଥିଲେ ଯାହା କଂଗ୍ରେସ ନେତା ଅଧିର ଏବଂ ଅନ୍ୟ ବିରୋଧୀ ଦଳକୁ ଖରାପ ଲାଗିଥିଲା । ଅନୁରାଗ କହିଥିଲେ ଯେ, ସେ ରାଷ୍ଟ୍ରୀୟ ରାଜକୋଷରୁ ଲାଭ ଉଠାଇଥିବା ଗାନ୍ଧୀ ପରିବାରର ସଦସ୍ୟଙ୍କ ନାଁ ମଧ୍ୟ ସାର୍ବଜନୀନ କରିବେ ।  ସେ କହିଥିଲେ ଯେ  ନେହେରୁ ରାଜାରାଜୁଡାଙ୍କ ଭଳି ୧୯୪୮ରେ ପିଏମ୍ ନ୍ୟାଶନାଲ ରିଲିଫ ଫଣ୍ଡ୍ ବନାଇବା ପାଇଁ ଆଦେଶ ଦେଇଥିଲେ ।  କିନ୍ତୁ ଏହାର ପଂଜିକରଣ ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏହାକୁ  FCRA କ୍ଲିୟରାନ୍ସ କେମିତି ମିଳିଲା ?  ବାସ୍ ଏହି କଥା ନିଆଁରେ ଘିଅ ଢାଳିବା ପରି କଂଗ୍ରେସ ନେତାଙ୍କୁ ଉତ୍ତେଜିତ କରିଦେଇଥିଲା । କଳି କେବଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ସୀମିତ ରହି ନ ଥିଲା ।

ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ମଧ୍ୟ ଏହି ବିବାଦ ଭିତରକୁ ପସିଥିଲେ । ଏଥିସହିତ ବାଚସ୍ପତି ବିର୍ଲାଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନ ଥିଲେ ।  କଲ୍ୟାଣ କହିଥିଲେ ଯେ, ବାଚସ୍ପତି ଭାଜପା ସଦସ୍ୟମାନଙ୍କୁ ବିଭିନ୍ନ ସମୟରେ ସହଯୋଗ କରୁଛନ୍ତି । ବିରୋଧୀମାନେ କହିବା ବେଳେ ତାଙ୍କୁ ରୋକୁଛନ୍ତି । ବାଚସ୍ପତିଙ୍କ ପ୍ରତି ଯଦି ଏହି କଟୁ ଶବ୍ଦ ପାଇଁ ତାଙ୍କୁ ନିଲମ୍ବିତ କରିଦିଆଯାଏ, ତେବେ ସେ ଏଥି ପାଇଁ ପ୍ରସ୍ତୁତ ଥିବା କଲ୍ୟାଣ କହିଥିଲେ । କଲ୍ୟାଣଙ୍କୁ ଅଧିର ରଞ୍ଜନ ସମର୍ଥନ କରିଥିଲେ । ଗୃହ ମଧ୍ୟରେ କେତେକ ନବ ନିର୍ବାଚିତ ଏମ୍ ପି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଅପମାନସୂଚନ ଏବଂ ଅଭଦ୍ରୋଚିତ ବ୍ୟବହାର କରୁଥିବା ଅଧିର ଏବଂ କଲ୍ୟାଣ କହିଥିଲେ ।

ପିଏମ୍ କେୟାର ନେଇ କ’ଣ କହିଲେ ଅନୁରାଗ

ଅନୁରାଗ କହିଥିଲେ ଯେ, କେବଳ ବିରୋଧ କରିବା ଦୃଷ୍ଟିରୁ ବିରୋଧୀମାନେ ପିଏମ୍ କେୟାର ନେଇ ସମାଲୋଚନା କରୁଛନ୍ତି । ଏଥିରେ କୌଣସି ଆଧାର ନାହିଁ । ପିଏମ୍ କେୟାର ନେଇ ସୁପ୍ରିମକୋର୍ଟ ମଧ୍ୟ ନିଜର ମତ ଶୁଣାଇ ସାରିଛନ୍ତି । ଏହି ପାଣ୍ଠିକୁ କେଉଁ ମାନେ ଦାନ ଦେଇଛନ୍ତି, ତାହା ଯଦି ବିରୋଧୀ ଶୁଣିବାକୁ ଚାହାଁନ୍ତି, ତେବେ ଶୁଣନ୍ତୁ । ଏହିଭଳି ଭାବେ ଭାବବିହ୍ୱଳିତ ହୋଇ ଅନୁରାଗ କହିଥିଲେ ଯେ, ପ୍ରୟାଗରାଜର ୯ ବର୍ଷର ଅନୁଷ୍କା ଓ ୬ ବର୍ଷର ଯୁବରାଜ ୩୦୦ ଟଙ୍କା ଦେଇଛନ୍ତି । ଏହିପରି ଭାବେ ବିଭିନ୍ନ ପିଲାମାନଙ୍କ ଯୋଗଦାନକୁ ନେଇ ବୟାନ ଦେବା ବେଳେ ବିରୋଧୀମାନେ ହଙ୍ଗାମା କରିଥିଲେ । ଏହାକୁ ଉପଲକ୍ଷ୍ୟ କରି ଅନୁରାଗ କହିଥିଲେ, ଯଦି ପିଲାମାନଙ୍କ ନାଁ ଶୁଣିବାକୁ ବିରୋଧୀଙ୍କ ଧୈର୍ଯ୍ୟ ନାହିଁ, ତେବେ ଲାଜ ଲାଗିବା କଥା ବୋଲି ଅନୁରାଗ କହିଥିଲେ । ପିଏମ୍ କେୟାର ଫଣ୍ଡ ସାମ୍ବିଧାନିକ ଭାବେ ଏକ ସାର୍ବଜନୀନ ଚାରିଟେବଲ ଟ୍ରଷ୍ଟ । କଂଗ୍ରେସ କେବଳ ଗାନ୍ଧୀ ପରିବାର ପାଇଁ ଟ୍ରଷ୍ଟ କରିଥିଲା, ଦେଶ ପାଇଁ ନୁହେଁ ବୋଲି ଅନୁରାମ କହିଥିଲେ ।

 

ମହଙ୍ଗା ପଡ଼ିଲା ବିଜୟ ଶୋଭାଯାତ୍ରା: ଅଭିଯୁକ୍ତ ରୋଶନଙ୍କ ବିରୋଧରେ ଲାଗିଲା ଏନ୍ଏସି

ଭୁବନେଶ୍ୱର: ମହାଙ୍ଗା ପଡ଼ିଲା ବିଜୟ ଶୋଭାଯାତ୍ରା । ଅଭିଯୁକ୍ତ ରୋଶନ ଜେନାକୁ ଜାତୀୟ ନିରାପତ୍ତା ଆଇନରେ ବୁକ୍ କଲା କମିଶନରେଟ ପୋଲିସ । ଏନଏସଏରେ ଅଟକ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାରେ ଅଭିଯୁକ୍ତ ରୋଶନ ଜେନା ଏନଏସରେ ଅଟକ ରହିଛି । କମିଶନରେଟ ପୋଲିସ କାର୍ଯ୍ୟନୁଷ୍ଠାନକୁ ସବୁ ବର୍ଗରେ ସ୍ୱାଗତ କରଯାଇଛି । ଗତ ଗରୁବାର ଦିନ ହାଇକୋର୍ଟରୁ ଜାମିନ ପାଇଁ ଝାରପଡା ଜେଲରୁ ମକୁଳିବା ପରେ ୪ ଜଣ ଅଭିଯୁକ୍ତ ଶୋଭାଯାତ୍ରା କରି ଘରକୁ ଯାଇଥିଲେ । କୋଭିଡ କଟକଣା ନିୟମକୁ ଖୋଲାଖୋଲି ଉଲଘଂନ ହୋଇଥିବା ନେଇ ୪ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୧୧ ଜଣଙ୍କୁ ପୋଲିସ୍ ଗିରଫ କରିବା ସହ କାର ଓ ବାଇକ ଜବତ କରିଛି । ଘଟଣାରେ ଜାମିନ ପାଇଥିବା ୩ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

https://www.facebook.com/NandighoshaTV/videos/325194648808922

୫୧ ବର୍ଷ ବୟସରେ ୨୪ ବର୍ଷୀୟା ମଡେଲଙ୍କ ସହ ସର୍ବସାଧାରଣରେ ଅସଦାଚରଣ କରିଥିଲେ ଟ୍ରମ୍ପ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିବାଦ ଭିତରକୁ ଆସିଛନ୍ତି । ଏଥର ତାଙ୍କୁ ବିବାଦ ଭିତରକୁ ଟାଣିଛନ୍ତି ଜଣେ ପୂର୍ବତନ ମଡେଲ । ୪୮ ବର୍ଷ ବୟସ୍କ ଏହି ମଡେଲଙ୍କ ଅଭିଯୋଗ ଯେ, ତାଙ୍କୁ ଯେତେବେଳେ ୨୪ ବର୍ଷ ହୋଇଥିଲା ସେତେବେଳେ ୫୧ ବର୍ଷୀୟ ଟ୍ରମ୍ପ ତାଙ୍କ ସହ ସର୍ବସାଧାରଣରେ ଖରାପ ବ୍ୟବହାର କରିଥିଲେ । ସେତେବେଳ ଟ୍ରମ୍ପ ରିୟଲ ଇଷ୍ଟେଟ୍ କାରବାର କରୁଥିଲେ ।

ଏମି ଡୋରିସ ନାମ୍ନୀ ଏହି ମଡେଲ ଦ ଗାର୍ଡିଆନକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି  ଯେ, ୯୦ ଦଶକର ଶେଷ ଭାଗରେ ୟୁଏସ୍ ଓପନ ଟେନିସ୍ ମ୍ୟାଚ୍ ବେଳେ ତାଙ୍କ ସହିତ ଟ୍ରମ୍ପ ଅସଦାଚରଣ କରିଥିଲେ । ଷ୍ଟାଡିୟମର ଭିଆଇପି ବକ୍ସରେ ଟ୍ରମ୍ପ କେମିତି ତାଙ୍କ ସହିତ ଅନୁଚିତ ଆଚରଣ କରିଥିଲେ ସେ ବାବଦରେ ଏବେ ଏମି ମୁହଁ ଖୋଲିଛନ୍ତି । ଏମି କହିଛନ୍ତି ଯେ, ନ୍ୟୁୟର୍କରେ ଅନୁଷ୍ଠିତ ୟୁଏସ୍ ଓପନ ଟେନିସ ମ୍ୟାଚ୍ ବେଳେ ଟ୍ରମ୍ପ ତାଙ୍କୁ ଅସଭ୍ୟ ଭାବେ ଛୁଉଁଥିଲେ ଓ ଯେତେବେଳେ ମୁଁ ତାଙ୍କୁ ହଟାଇବାକୁ ଚାହିଁଲି ସେତେବେଳେ ସେ ମୋତେ ଜୋରରେ ଧରି ଥିଲେ । ଏତେ ଜୋରରେ ସେ ମୋତେ ଧରିଥିଲେ ଯେ, ମୁଁ ତାଙ୍କ ବାହୁ ବନ୍ଧନରୁ ମୁକୁଳି ପାରିନଥିଲି ।

ଏମିଙ୍କ ଅନୁସାରେ ୫୧ ବର୍ଷୀୟ ଟ୍ରମ୍ପ ତାଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିଲେ । ତେବେ ଏମିଙ୍କ ଏଭଳି ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି । ଟ୍ରମ୍ପଙ୍କ ଓକିଲ କହିଛନ୍ତି ଯେ, ଏମି ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଡାହା ମିଛ । କାରଣ ଯେଉଁ ମ୍ୟାଚ୍ କଥା କୁହାଯାଉଛି ସେତେବେଳେ ଏମିଙ୍କ ସହିତ ତାଙ୍କ ବୟଫ୍ରେଣ୍ଡ୍ ଥିଲେ । ଏହା ସହ ଗୋଟିଏ ମ୍ୟାଚ୍ ଚାଲୁଥିବା ବେଳେ ଏଭଳି ଘଟଣା ଘଟିଲା ଓ ଲୋକ କେମିତି ଜାଣି ପାରିଲେ ନାହିଁ  ବୋଲି ଟ୍ରମ୍ପଙ୍କ ଓକିଲ ପାଲଟା ପ୍ରଶ୍ନ କରିଛନ୍ତି ।

ସିବିଆଇ ତଦନ୍ତ ଓ ନର୍ବାଚନ ତାରିଖ ମଧ୍ୟରେ ଅଳ୍ପ ଦିନର ବ୍ୟବଧାନ

ଭୁବନେଶ୍ୱର: ୨୦୧୩ରେ ଆରମ୍ଭ ହୋଇଥିବା ତଦନ୍ତ, ଏଯାଏଁ ସରୁନି । ନିର୍ବାଚନ ଆସିଲେ ସକ୍ରିୟ ହେଉଛି ସିବିଆଇ । ଆଜି ପୁଣି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ସିବିଆଇ ପଚରାଉଚରା ଘଟଣାରୁ ତାହା ପ୍ରମାଣିତ ହୋଇଛି । ଆଗକୁ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଥିବାରୁ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପଶିଛି । ଦେବୀଙ୍କଠାରୁ ସିସୋର ଟୁରିଜିମ୍ ପ୍ରୋଜେକ୍ଟ ସମ୍ପର୍କିତ ଦସ୍ତାବିଜ ମାଗାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଏଭଳି ଅତର୍କିତ ଚଢାଉ ରାଜନୈତିକ ଅଭିସନ୍ଧି ଯୁକ୍ତ ବୋଲି ଇସାରା କରିଛି କଂଗ୍ରେସ ।

ସକାଳ ୮ଟାରେ ସିବିଆଇର ୬ ଜଣିଆ ଟିମ୍ ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ ୧ ସରକାରୀ ବାସଭବନରେ ଚଢାଉ କଲା । ଏକ ସମୟରେ ଦେବୀଙ୍କ ନରସିଂହପୁର ପୈତୃକ ବାସଭବନରେ ବି ଚଢାଉ ହେଲା । ଦେବୀ ମିଶ୍ରଙ୍କୁ ସିସୋର ଲିଜ ନେଇଥିବା ମହାନଦୀ ବୋଟିଂ ପ୍ରେଜେକ୍ଟର ଦସ୍ତାବିଜ ମାଗିଥିଲା ସିବିଆଇ । ୨୦୦୮-୦୯ରେ ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ସିସୋର ଏହି ପ୍ରକଳ୍ପ ହାତେଇଥିଲା । ପୂର୍ବରୁ ମଧ୍ୟ ଦେବୀ ମିଶ୍ରଙ୍କୁ ସିବିଆଇ ଡାକିଥିଲା । ସିବିଆଇ କାର୍ଯ୍ୟାଳୟ ଯାଇ ସମସ୍ତ ତଥ୍ୟ ବି ଦେଇଥିଲେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ।

ସିସୋର ଟୁରିଜିମ ପ୍ରକଳ୍ପ ସରକାରୀ ବ୍ୟବସ୍ଥା ମଧ୍ୟରେ ହୋଇଥିଲା । ଏସମ୍ପର୍କିତ ତଥ୍ୟ ପର୍ଯ୍ୟଟନ ବିଭାଗ ଠାରୁ ସିବିଆଇ ପୂର୍ବରୁ ସଂଗ୍ରହ କରିସାରିଛି । କରୋନା ସଂକ୍ରମିତ ହୋଇ ଘରେ ଥିଲେ ଦେବୀ । ହେଲେ ସିବିଆଇକୁ ସବୁ ପ୍ରକାର ସହଯୋଗ କରିଥିଲେ । ୨୦୧୩ ମସିହାରୁ ତଦନ୍ତ ଚଳାଇଛି ସିବିଆଇ । ୨୦୧୪ ନିର୍ବାଚନ ସମୟରେ ବେଶ୍ ସକ୍ରିୟ ହୋଇଥିଲା ତଦନ୍ତ । ଯାହା ଧୀରେ ଧୀରେ ଧୀମେଇଲା । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ସିବିଆଇ ତଦନ୍ତ ଉଡ଼ାଣ ଭରିଲା । ଜଣେ ପରେ ଜଣେ ବିଜେଡି ନେତାଙ୍କୁ ସିବିଆଇ ଅଫିସ୍ ଡକାଗଲା । ସେ ସମୟରେ ଦେବୀ ମିଶ୍ର ମଧ୍ୟ ସିବିଆଇ ପାଖରେ ହାଜର ହୋଇ ସିସୋର ସଂପର୍କିତ ଦସ୍ତାବିଜ ଦାଖଲ କରିଥିଲେ । ଶେଷ ଥର ପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ଦୁଇ ଜଣ ବିଜେଡି ବିଧାୟକଙ୍କୁ ସମନ କରିଥିଲା ସିବିଆଇ ।

ତେବେ ସିବିଆଇର ଏପରି ଆଚରଣକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ।  ଠିକ୍ ନିର୍ବାଚନ ପୂର୍ବରୁ କାହିଁକି ସକ୍ରିୟ ହୁଏ ସିବିଆଇ ?

କାହା ନିୟନ୍ତ୍ରଣରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ?  କିଛି ବର୍ଷ ବ୍ୟବଧାନ ପରେ ସମାନ ଦସ୍ତାବିଜ ମାଗିବାର କାରଣ କଣ ?  ୭ ବର୍ଷର ତଦନ୍ତରୁ କଣ ପାଇଛି ସିବିଆଇ ?

ଏଯାଏ ସମନ ପାଇଥିବା ସମସ୍ତ ବିଜେଡି ନେତା  ସିବିଆଇକୁ ସହଯୋଗ କରିଛନ୍ତି । ଯାହା ପଚରା ଯାଇଛି କହିଛନ୍ତି ଓ ଯେଉଁ ଦସ୍ତାବିଜ ମଗାଯାଇଛି ଦେଇଛନ୍ତି । ହେଲେ ସବୁ ସମୟରେ ସିବିଆଇର ତଦନ୍ତ ଓ ନିର୍ବାଚନ ତାରିଖ ଭିତରେ ଅଳ୍ପ ଦିନର ବ୍ୟବଧାନ ଥିବାରୁ, ରାଜନୈତିକ ନିୟନ୍ତ୍ରଣର ଦୁର୍ଗନ୍ଧ ନେଇ ଚର୍ଚ୍ଚା ହେଉଛି ।

କଟକ ଦୁର୍ଗାପୂଜାକୁ ନେଇ ନୂଆ ବିବାଦ: ବିନା ମତାମତରେ ସିପି ନିର୍ଦ୍ଦେଶନାମା ଜାରି କରିଥିବା ଅଭିଯୋଗ

0

କଟକ: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ ଥମିନଥିବାବେଳେ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ବିବାଦରେ ଯୋଡ଼ିଛି ନୂଆ ଫର୍ଦ୍ଦ ।  ନିର୍ଦ୍ଦେଶନାମାରେ ପୂଜା ପରମ୍ପରା ସହିତ ଜଡ଼ିତ ଥିବା ତିନି ଜଣ ବ୍ୟକ୍ତିଙ୍କ ମତାମତ ନିଆଯାଇଥିବା କୁହାଯାଇଛି । ତେବେ ଏହି ତିନି ବ୍ୟକ୍ତିଙ୍କ ସହ ପୋଲିସ ପ୍ରଶାସନ କୌଣସି ଆଲୋଚନା କରି ନ ଥିବା ଜଣାପଡିଛି । ଯାହାକୁ ନେଇ ଦେଖାଦେଇଛି ବିବାଦ । ସେପଟେ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟ ଯିବ ବୋଲି କହିଛି ବାଲୁବଜାର ପୂଜା କମିଟି ।

ଜଟିଳ ପରିସ୍ଥିତିରେ ହେଉଛି ମାଆଙ୍କ ପୂଜା । ମୂର୍ତ୍ତି ନିର୍ମାଣକୁ ନେଇ ଥମିନି ବିବାଦ । ଏପଟେ ବିବାଦରେ ସିପିଙ୍କ ନୂଆ ନିର୍ଦ୍ଦେଶାନାମା । ମା’ଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ ହାଇକୋର୍ଟ ଯାଏଁ ପହଞ୍ଚିବାବେଳେ ଏପଟେ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ଆସିବା ପରେ ଏହାକୁ ନେଇ ଦେଖାଦେଇଛି ବିବାଦ । ସିପିଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବା ୩ ଜଣ ପାରମାର୍ଶଦାତାଙ୍କୁ ନେଇ ଅଡୁଆ ସୃଷ୍ଟି ହୋଇଛି । ରିର୍ପୋଟ ଅନୁଯାୟି ତିନି ପରାମର୍ଶଦାତାଙ୍କ ମତାମତ ଅନୁସାରେ ବେଲବରଣୀ ଓ ପ୍ରାଣପ୍ରତିଷ୍ଠା ଯାଏଁ ମା’ଙ୍କ ମୂର୍ତ୍ତିର ଉଚ୍ଚତାର ଛୋଟ ବଡ଼ ଓ ଆକାରରେ ପରିବର୍ତ୍ତନ କରାଯାଇପାରିବ ।

ଏହି ଆଧାରରେ ମୂର୍ତ୍ତି କାରିଗର ପ୍ରଦୀପ ବେହେରା ଓ ଦୁଇ ଜଣ ପୂଜକ ମନୋଜ ପଣ୍ଡା ଓ ରାଜକିଶୋର ଶତପଥୀଙ୍କ ମତାମତ ନିଆଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । କିନ୍ତୁ ପୋଲିସ କମିଶନର କିମ୍ବା ଅନ୍ୟ କେହି ପୋଲିସ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରି ନାହାଁନ୍ତି । କିମ୍ବା ମତାମତ ନେଇ ନ ଥିବା କହିଛନ୍ତି ପୂଜକ ମନୋଜ ପଣ୍ଡା ଓ ମୂର୍ତ୍ତି କାରିଗର ପ୍ରଦୀପ ବେହେରା । ଏପରିକି ସେମାନଙ୍କ ନାଁ ରିର୍ପୋଟରେ ସିପି କିଭଳି ଉଲ୍ଲେଖ କଲେ ତାହା ଜାଣି ସେମାନେ ତାଜୁବ ହୋଇଯାଇଛନ୍ତି ।

ଏତିକିରେ ସୀମିତ ନାହିଁ ସିପିଙ୍କ ରିର୍ପୋଟ ବିବାଦ । ଏହି ରିର୍ପୋଟରେ ଉଲ୍ଲେଖ ରହିଛି ହାଇକୋର୍ଟରେ ଇଣ୍ଟରଭିନର ହୋଇଥିବା ପିଟିସନର ମାନେ ଭୁଲ ତଥ୍ୟ ଉପସ୍ଥାପନା କରିଛନ୍ତି । ମୂର୍ତ୍ତି ନିର୍ମାଣ ନ କରି ମଧ୍ୟ ମଣ୍ଡପରେ ମୂର୍ତ୍ତି ଠିଆ ହୋଇଥିବା କଥା କୋର୍ଟରେ ଉଲ୍ଲେଖ ରହିଛି । ସିପିଙ୍କ ରିର୍ପୋଟ ମୁତାବକ କଟକରେ ମୋଟ ୧୬୨ଟି ପୂଜା ମଣ୍ଡପ ମଧ୍ୟରୁ ୧୪୨ଟି ମଣ୍ଡପ ମୂର୍ତ୍ତି ତିଆରି କରି ନହାଁନ୍ତି । ୯ ଟି ମଣ୍ଡପ ସରକାରୀ ନିୟମ ଅନୁସାରେ ୪ ଫୁଟର ମୂର୍ତ୍ତି ତିଆରି କରିଛନ୍ତି । ୯ଟି ପୂଜା ମଣ୍ଡପ ବଡ ମୂର୍ତ୍ତି ତିଆରି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଟି ୫ ଫୁଟ ଉଚ୍ଚ ଓ ୯ଟି ୮ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ବୁଧବାର ସଂନ୍ଧ୍ୟା ୭ଟା ସୁଦ୍ଧା ୪ ଫୁଟରୁ ଉଚ୍ଚତା ମୂର୍ତ୍ତି ଆବେଦନ କରିଥିବା ପୂଜା କମିଟିକୁ ମଧ୍ୟ ଅନୁମତି ପ୍ରଦାନ କରିନାହାଁନ୍ତି ପୋଲିସ କମିଶନର । ଯାହାଫଳରେ ବଡ଼ ମୂର୍ତ୍ତି ଗଠନ କରିଥିବା ପୂଜା କମିଟିଙ୍କୁ ଲାଗିଛି ବଡ଼ ଝଟକା । ଏଭଳି ଏକ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛି ବାଲୁବଜାର ପୂଜା କମିଟି । ଅପରପଟେ କଟକରେ ପୂଜାକୁ ନେଇ କୌଣସି ବିବାଦ ନଥିବା କହିଛନ୍ତି କଟକ ଡିସିପି ।

ବର୍ଷେ କି ଦୁଇ ବର୍ଷ ନୁହେଁ ବିଗତ ୬ ଶହ ବର୍ଷରୁ ଊର୍ଦ୍ଧ୍ୱ ଧରି ମା’ ଦୁର୍ଗା ଐତିହାସିକ ସହର କଟକରେ ପୂଜା ପାଇ ଆସୁଛନ୍ତି । ଅନେକ ଜଟିଳ ସ୍ଥିତି ମଧ୍ୟରେ ବି ମାଙ୍କ ପୂଜା ହୋଇଛି । ତେବେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ମାଙ୍କ ମୂର୍ତ୍ତି ପୂଜା ଆଗକୁ କିପରି ହେବ ତାହାକୁ ନେଇ ଦ୍ୱନ୍ଦ ଭିତରେ ରହୁଛନ୍ତି କଟକର ସମସ୍ତ ପୂଜା କମିଟି ।

ଅକ୍ଟୋବର ୧୨ରୁ ୧୯ ଯାଏ ହେବ ଚଳିତ ବର୍ଷ OJEE ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ଯାଏ ହେବ ଚଳିତ ବର୍ଷ OJEE ପରୀକ୍ଷା । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ରାଜ୍ୟର ୨୧ଟି ସହରରେ ମୋଟ ୫୩ଟି କେନ୍ଦ୍ରରେ ହେବ ଚଳିତ ବର୍ଷ ଓଜେଇଇ ପରୀକ୍ଷା । ଏହା ସହ ରାଜ୍ୟ ବାହାରେ ରାଂଚି, କୋଲକାତା, ପାଟନାରେ ମଧ୍ୟ ଓଜେଇ ପରୀକ୍ଷା ହେବ ।

ମେ’ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା OJEE ପରୀକ୍ଷାକୁ କରୋନା ମହାମାରୀ ପାଇଁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହା ଅକ୍ଟୋବର ୧୨ରୁ ୧୭ ତାରିଖ ଯାଏ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସମ୍ବନ୍ଧିତ ସମସ୍ତ ବିବରଣୀ OJEE ର ଅଫିସିଆଲ ୱେବସାଇଟ www.ojee.nic.in ଏବଂ www.odishajee.com ରେ ପାଇପାରିବେ ।