ଭୁବନେଶ୍ୱର: ଗୃହ ପୃଥକବାସରେ ରହୁଥିବା କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଇଛନ୍ତି ଲାଇଭ ଆଡଭାଇସ । ଗୃହ ପୃଥକବାସରେ ରହୁଥିବା ଲୋକେ କି ପ୍ରକାର ସତର୍କତା ଅବଲମ୍ବନ କରିବେ ଏବଂ ନିଜେ କିଭଳି ନିଜର ଯତ୍ନ ନେବେ ସେନେଇ ବିଶିଷ୍ଟ ଭେଜଷ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ଡାକ୍ତର ପ୍ରଜ୍ଞା ରାଉତରାୟ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏବେ ସାରା ବିଶ୍ୱରେ ୯୦ ପ୍ରତିଶତ ସଂକ୍ରମିତ ଲକ୍ଷଣ ବିହିନ ବା ସ୍ୱଳ୍ପ ଲକ୍ଷଣଯୁକ୍ତ । ତେଣୁ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ଗୃହ ପୃଥକୀକରଣରେ ରହିଲେ ସେମାନେ ନିଜ ପରିବାର ମଧ୍ୟରେ ସୁରକ୍ଷିତ ରହିପାରିବେ । କିନ୍ତୁ ମଧୁମେହ, ଉଚ୍ଚରକ୍ତଚାପ, କର୍କଟ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ଏବଂ ଶିଶୁ ଓ ଗର୍ଭବତୀ କୋଭିଡ ପଜିଟିଭ ଗୃହ ପୃଥକୀକରଣରେ ନୁହେଁ କୋଭିଡ ହସ୍ପିଟାଲାରେ ରହିବ ଆବଶ୍ୟକ । ତେବେ ଗୃହ ପୃଥକବାସରେ ରହୁଥିବା ବ୍ୟକ୍ତି ଅନ୍ୟୁନ ୧୭ ଦିନ ଆସୋଲେସନରେ ରହିବେ । ଏହି ସମୟ ମଧ୍ୟରେ ଶ୍ୱାସରୁଦ୍ଧ ପରିସ୍ଥିତି, ନାକରୁନ୍ଧି ହେବା କିମ୍ବା ଧଇଁସଇଁ ହେଲେ ତୁରନ୍ତ ୧୦୪ କିମ୍ବା ରାପିଡ ରେସପନ୍ସ ଟିମକୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ୧୭ ଦିନର ଆସୋଲେସନ ପରେ ଅସୁସ୍ଥତା ଅନୁଭବ କରୁଥିଲେ କୋଭିଡ ପରବର୍ତ୍ତି ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସେହିଭଳି ଲକ୍ଷଣ ନଥିବା ବ୍ୟକ୍ତି ପରୀକ୍ଷା କରିବାର ଆବଶ୍ୟକ ନାହିଁ । କିନ୍ତୁ ଲକ୍ଷଣ ଆସିଲେ କିମ୍ବା ଅନ୍ୟାନ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ନିଶ୍ଚିତ ଭାବେ କୋଭିଡ ପରୀକ୍ଷା କରିବା ଉଚିତ । ଏଥିସହିତ ଆଜି ବିଶେଷଜ୍ଞମାନେ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆହ୍ବାନ ଦେଇଛନ୍ତି । କୋରାପୁଟ ଜିଲ୍ଲାର ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ନବଜାତ ଶିଶୁ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଛନ୍ତି । ତେଣୁ ଗୃହ ପୃଥକୀକରଣକୁ ନିମ୍ନମାନର ଚିକିତ୍ସା ପ୍ରଣାଳୀ ବୋଲି ଭାବିବା ଉଚିତ ନୁହେଁ ।
ଚୀନରେ ଆଉ ଏକ ଭାଇରସର ଆତଙ୍କ: ୩୨୪୫ ଜଣ ହେଲେଣି ସଂକ୍ରମିତ
ବେଜିଂ: ଚୀନର ଉହାନ ସହରରୁ ସାରା ବିଶ୍ୱକୁ ବ୍ୟାପୀ ଥିବା କରୋନାର ପ୍ରକୋପ କମିନଥିବା ବେଳେ ଏବେ ପୁଣି ଚୀନରେ ଦେଖାଦେଇଛି ନୂଆ ଭାଇରସ୍ । ଏଯାବତ୍ ମୋଟ ୩୨୪୫ ଜଣ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ଉତ୍ତର ପଶ୍ଚିମ ଚୀନର ଗଂସୁ ପ୍ରାନ୍ତର ଲାଞ୍ଝିଓରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲାଞ୍ଝିଓ ଭେଟିନାରୀ ରିସର୍ଚ୍ଚ ସେଣ୍ଟର ଗତ ଡିସେମ୍ୱରରେ ଏହି ରୋଗର ଆଣ୍ଟିବଡ଼ି ସମ୍ପର୍କରେ ଚୀନ ସରକାରଙ୍କୁ ସୂଚନା ଦେଇସାରିଛନ୍ତ । ଚୀନର ଗାଂସୁ ପ୍ରାନ୍ତରେ ଏଯାବତ୍ ୨୧ ହଜାର ୮୪୭ ଲୋକଙ୍କ ଟେଷ୍ଟିଂ ହୋଇସାରିଛି । ଏବଂ ସେମାନଙ୍କ ମଧ୍ୟରୁ ୩୨୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗାଂସୁ ଆଞ୍ଚଳିକ କେନ୍ଦ୍ର,( ରୋଗ ନିୟନ୍ତ୍ରଣ ଏବଂ ନିରାକରଣ) ପକ୍ଷରୁ କୁହାଯାଇଛି ଯେ, ଏହି ରୋଗର ନାମ ହେଉଛି ବ୍ରୁସେଲ୍ଲୋସିସ୍( Brucellosis) ।

ଗ୍ଳୋବାଲ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରୁସେଲ୍ଲୋସିସ୍ ଉପରେ ନଜର ରଖିବା ପାଇଁ ଲାଞ୍ଝିଓ ଭେଟିନାରୀ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଦେଶର ୧୧ ପବ୍ଳିକ୍ ମେଡିକାଲ ଏବଂ ହସ୍ପିଟାଲକୁ କାମରେ ଲଗାଇଛି । ଏହି ହସ୍ପିଟାଲ ଗୁଡ଼ିକରେ ବ୍ରୁସେଲ୍ଲୋସିସ୍ ରୋଗୀଙ୍କ ମାଗଣା ପରୀକ୍ଷା ଏବଂ ଚିକିତ୍ସା କରାଯାଉଛି । ଏଥିସହିତ ଲୋକଙ୍କୁ ଏଥିରୁ ବର୍ତ୍ତିବା ପାଇଁ ସଚେତନ କରାଯିବ ।

ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସୂଚିତ କରିବା ପାଇଁ ଅନଲାଇନ୍ କାଉନସିଲିଂ ମଧ୍ୟ କରାଯାଉଛି । ଯେଉଁ ଲୋକ ଅସୁସ୍ଥ ହୋଇଛନ୍ତି, ସେମାନଙ୍କ ମାସକ ମଧ୍ୟରେ ବହୁବାର ପରୀକ୍ଷା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବାରମ୍ୱାର ମନିଟରିଂ କରାଯାଉଛି । ବ୍ରୁସେଲ୍ଲୋସିସ୍ ନେଇ ଏଯାବତ୍ ୨୩ ହଜାର ୪୭୯ଲୋକଙ୍କ କାଉନସିଲିଂ ସରିଛି । ଏହା ବ୍ୟତୀତ ୩ ହଜାର ୧୫୯ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ନୂଆ ରେକର୍ଡ ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ ଗାଂସୁ ପ୍ରାନ୍ତରେ ସଚେତନତା ନେଇ ୧୫ ହଜାର ପ୍ରଚାର ସାମଗ୍ରୀ ବଣ୍ଟାଯାଇଛି । ସାଧାରଣତଃ ଏହି ରୋଗ ମେଣ୍ଢାଙ୍କୁ ହେଉଥାଏ । କିନ୍ତୁ ମହିଳା କିମ୍ୱା ପୁରୁଷଙ୍କୁ ଏହି ରୋଗ ହେବା ଫଳରେ ସେମାନଙ୍କ ଅଣ୍ଡକୋଷ ପ୍ରଭାବିତ ହୋଇଥାଏ । ଏବଂ ପ୍ରଜନନ ପ୍ରଣାଳୀ ଏବଂ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଗୀତିକବିତା ସମ୍ମାନ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ
ଭୁବନେଶ୍ୱର: ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଶନିବାର ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାରଦାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଶାରଦାଙ୍କ ନାଁରେ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା’ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏଥିପାଇଁ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ପ୍ରଦାନ କରାଯାଉଥିବା ଗୀତିକବିତା ସମ୍ମାନ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ ହେବ ।
ଶନିବାର ସନ୍ଧ୍ୟାରେ ଶାରଦାଙ୍କ ରାଜ୍ୟସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ଏହାର ଆୟୋଜନ କରିବ ବୋଲି ସୂଚନା ମଳିଛି । ତେବେ ଶାରଦା ପ୍ରସନ୍ନଙ୍କ ଅବଦାନ ଓଡିଶା କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସ୍ୱର୍ଗତ ଶାରଦା ପ୍ରସନ୍ନ ନାୟକ ଜଣେ ଓଡ଼ିଆ କଥାଚିତ୍ର, ଗୀତିକାର ଓ ନିର୍ଦ୍ଦେଶକ ଥିଲେ । ସେ ୧୯୫୬ ମସିହାରେ ଭକ୍ତକବି ଜୟଦେବ ଚଳଚ୍ଚିତ୍ରରୁ ସହ ନିର୍ଦ୍ଦେଶକ ଭାବେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ରେଡିଓ ଓ ଦୂରଦର୍ଶନରେ ମଧ୍ୟ ସକ୍ରିୟ ଥିଲେ । ସେ ତାଙ୍କ ନିର୍ମିତ ଚଳଚ୍ଚିତ୍ର କା, ସ୍ତ୍ରୀ, ସଂସାରରେ ନିଜର ପାରଦର୍ଶିତା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ୨୦୧୩ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରିଥିଲେ ।
କୋଭିଡ୍-୧୯ରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।
ଓଡିଶା ପାଇଁ ଗର୍ବର ଦିନ, ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ ପାତ୍ର
ନୂଆଦିଲ୍ଲୀ: ଆଜି ଓଡିଶା ପାଇଁ ଏକ ଗର୍ବର ଦିନ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ ୨୦୨୦ ବିଲ୍ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି ।

ଆଜି ଦିନର ଗୃହ କାର୍ଯ୍ୟ ସରିବା ପରେ ସସ୍ମିତଙ୍କୁ ଦଳମତ ନିର୍ବିଶେଷରେ ସାଂସଦମାନେ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଭାବେ ପଦାର୍ପଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସସ୍ମିତ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ଗୃହ ପରିଚାଳନାରେ ତାଙ୍କର ଭଦ୍ର ଆଚରଣ ଏବଂ ଧୈର୍ଯ୍ୟକୁ ସମସ୍ତେ ସ୍ୱାଗତ କରିଛନ୍ତି ।
ସସ୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇବା ପାଇଁ ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ସେ ଏଥିପାଇଁ ନବୀନ ପଟ୍ଟନାୟକ ଏବଂ ଓଡିଶାର ସାଢ଼େ ୪ କୋଟି ଲୋକଙ୍କୁୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ସାଢେ ୪ କୋଟି ଓଡ଼ିଆଙ୍କ ସହଯୋଗ ଯୋଗୁଁ ଆଜି ରାଜ୍ୟସଭାରେ ବଡ଼ ଦାୟିତ୍ୱ ତୁଲାଇ ପାରିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଏହା ନିଶ୍ଚିଭାବେ ଏକ ଗୌରବର ଦିନ ।
https://www.facebook.com/NandighoshaTV/videos/610919826218798/
୨୦ ବର୍ଷ ତଳେ ବିଜେଡିର ସନାତନ ବିଶି ଶେଷ ଥର ପାଇଁ ରାଜ୍ୟସଭ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଥିଲେ । ଏଥରକ ସସ୍ମିତ ପାତ୍ରଙ୍କ ସହ ଅନ୍ୟ ୫ ଜଣ ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନିତ ହୋଇଛନ୍ତି ।
ପୋଲାଭରମ୍ ମାମଲାରେ ଏନଜିଟିଙ୍କ ଚୂଡ଼ାନ୍ତ ନିଷ୍ପତ୍ତି, ବିଶେଷଜ୍ଞ କମିଟି ସୁପାରିସକୁ ଗ୍ରହଣ କଲେ NGT
ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର ଚୁଡ଼ାନ୍ତ ନିଷ୍ପତ୍ତି ଆସିଛି । ଚାରି ଜଣିଆ ଯୁଗ୍ମ କମିଟି ୮ ତାରିଖରେ ଦେଇଥିବା ରିପୋର୍ଟକୁ ଏନଜିଟି ଗ୍ରହଣ କରିଛନ୍ତି । ଏହି ରିପୋର୍ଟରେ ୯ ଟି ସୁପାରିସ କରାଯାଇଥିଲା । ଯାହା ମଧ୍ୟରୁ ୮ଟିକୁ NGT ଗ୍ରହଣ କରିଛନ୍ତି । ତେବେ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଏନଜିଟି ଗ୍ରହଣ କରିନାହାନ୍ତି ।

ରିପୋର୍ଟରେ ଉଭୟ ପକ୍ଷ ପିପିଏ ୧୯୮୦ ରାଜିନାମାକୁ ମାନି କାର୍ଯ୍ୟ କରିବ । ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ମଧ୍ୟ ମାନିବେ । ଜଳମଗ୍ନ ହେବାକୁ ଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ । ବ୍ୟାକ ଓ୍ୱାଟର ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବା ନେଇ ସୁପାରିସ କରାଯାଇଥିଲା । ପ୍ରକଳ୍ପର କୁପ୍ରଭାବ ପଡ଼ିଲେ ପୂରା ଦାୟିତ୍ୱ ଆନ୍ଧ୍ର ଜଳସମ୍ପଦ ବିଭାଗର ରହିବ ବୋଲି ଏଥିରେ କୁହାଯାଇଛି । ପ୍ରକଳ୍ପର ପ୍ରଭାବ ନେଇ ୩ ରାଜ୍ୟ ସହ ଆଲୋଚନା କରିବେ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୬୩୧୬ ଜଣ ବିସ୍ଥାପିତ ହେବେ । ସେହିଭଳି ଛତିଶଗଡ଼ର ୧୧୭୬୬ ଜଣ ମଧ୍ୟ ବିସ୍ଥାପିତ ହେବେ । ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯିବ । କମିଶନର ପୁନର୍ବାସ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇବେ ବୋଲି ଏନଜିଟି କହିଛନ୍ତି ।
https://www.facebook.com/NandighoshaTV/videos/352616859269085/
ତେବେ ଓଡ଼ିଶା ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ । ଦୀର୍ଘଦିନ ଧରି କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶା ଉପେକ୍ଷିତ ହୋଇରହିଥିଲା । ଏନ୍ଜିଟିଙ୍କ ଏହି ନିଷ୍ପତ୍ତି ପରେ ଓଡ଼ିଶା ସରକାରଙ୍କ ଏକ ବଡ଼ ବିଜୟ ହୋଇଛି ବୋଲି କୁହାଯାଇପାରେ ।
ଅନ୍ୟପଟେ ଏହି ପ୍ରକଳ୍ପ ଦ୍ୱାରା ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ ଥଇଥାନ କରିବା ପାଇ ଏକ କମିଟି ଗଠନ କରାଯିବ । ଏହି କମିଟି ଆଲୋଚନା କରି ବିସ୍ଥାପିତଙ୍କୁ ଯଥାଶ୍ରୀଘ୍ର ଥଇଥାନ କରିବା କାର୍ଯ୍ୟ ଆରମ୍ଭ କରିବେ ନିର୍ଦ୍ଦେଶ ଦିଆଯାଇଛି ।
ସିବିଆଇ ରେଡ୍ ପ୍ରସଙ୍ଗ : ବିଜେପିକୁ ବିଜେଡିର ଉତ୍ତର,ତଦନ୍ତକୁ ଆମେ ଡରୁନା
ଭୁବେନେଶ୍ୱର: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡକୁ ନେଇ ରାଜନୀତି ଜୋର ଧରିଛି । ପକ୍ଷ ଓ ବିପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ବିଜେଡି ତଦନ୍ତକୁ ଭୟ କରୁଛି ବୋଲି ବିଜେପି ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି ଯେ, ଆମେ କାହିଁକି ଭୟ କରିବୁ ? ନିର୍ବାଚନ ଆସିଲେ ବିରୋଧୀ ଏମିତି ଡ୍ରାମା କରନ୍ତି । କିନ୍ତୁ ଏହାର କିଛି ପ୍ରଭାବ ବିଜେଡି ଉପରେ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଆଇନ ତା ବାଟରେ ଯିବ । ପୂର୍ବରୁ ଅନେକ ଲୋକଙ୍କ ଘରକୁ ସିବିଆଇ ଯାଇଛି ଆପଣ ମାନେ ଜାଣନ୍ତି ଫଳ କଣ ହୋଇଛି । ତେଣୁ ଯେଉଁ ନିର୍ବାଚନକୁ ଆଖି ଆଗରେ ରଖି ଏମିତି କରାଯାଇଛି ତାର କିଛି ପ୍ରଭାବ ପଡିବନି ।

ସୂଚନାଯୋଗ୍ୟ ଯେ, ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ବିଜେପି କହିଥିଲା କି ଯେଉଁ ନେତା ଓ ଅଫିସର ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଅଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି । ସିବିଆଇ ଏକ ସ୍ଵାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନେ ନିଷ୍ପତ୍ତି ନେବେ । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥାଏ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ବିଜେପିର କଣ୍ଢେଇ । ସାତ ବର୍ଷହେଲା କୁଆଡେ ଯାଇଥିଲ ସିବିଆଇ ବୋଲି ପ୍ରଶ୍ନ କରିଛନ୍ତି ତାରା । କେବଳ ନିର୍ବାଚନ ବେଳେ ବିଜେପି ବିଜେଡି ଅଲଗା ବୋଲି ଏମାନେ ଦେଖେଇ ହୁଅନ୍ତି, ବାସ୍ତବରେ ଏମାନେ ଗୋଟିଏ ।

ବର୍ତ୍ତମାନ କେବଳ ଚିଟ୍ ଫଣ୍ଡ ଉପରେ ରାଜନୀତି ହେଉଛି କିନ୍ତୁ କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି । ତାରଙ୍କ ଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ବେଳକୁ ସିବିଆଇର ଚିଟଫଣ୍ଡ୍ ମାମଲା କଥା ମନେ ପଡିଥାଏ । କେନ୍ଦ୍ରରେ ଯାହାର ସରକାର ଥାଏ ସିବିଆଇ ତା’କଥା ଶୁଣେ ବୋଲି ସୁର ରାଉତରାୟ କହିଛନ୍ତି ।

ମହିଳା IICଙ୍କୁ ଶାଶୂଘରେ ନିର୍ଯାତନା, ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ
ରାଉରକେଲା: ରାଉରକେଲା ବୀରମିତ୍ରପୁର ଥାନା ଆଇଆଇସିଙ୍କ ରଘୁନାଥପାଲି ଥାନାରେ ଅଭିଯୋଗ । ସ୍ଵାମୀ ଓ ଶାଶୂ ଘର ଲୋକଙ୍କ ନାମରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି । ଅଭିଯୋଗ ପରେ ରଘୁନାଥପାଲି ଥାନାରେ ମାମଲା ରୁଜୁ ହୋଇଛି । ୪୯୮ ଏ, ୩୨୩, ଓ ୫୦୬ରେ ମାମଲା ରୁଜୁ ହୋଇଛି । ସ୍ଵାମୀ, ପିଉସୀ, ମାମୁଁ ଓ ମାଇଁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମହିଳା ଆଇଆଇସିଙ୍କ ସ୍ୱାମୀ ରାଉରକେଲାରେ ଅଧ୍ୟାପକ ଅଛନ୍ତି । ବିବାହ ପରେ ସନ୍ତାନ ଜନ୍ମ ହୋଇପାରୁନଥିବାରୁ ବିଭିନ୍ନ ସମୟରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସୂଚନା ରହିଛି । ଏନେଇ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ଅଭିଯୋଗ ଅନୁଯାୟୀ ସମସ୍ତଙ୍କ ସହିତ ପୋଲିସ ପଚରାଉଚରା କରି ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।
ବଜାରକୁ ଆସିଲା ଋଷ୍ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ
ମସ୍କୋ: କରୋନା ସଂକଟରେ ଆସିଲା ଭଲ ଖବର । ବଜାରକୁ ଆସିଲା ଋଷ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ । କରୋନା-ଭି ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା ଆକ୍ରାନ୍ତଙ୍କ ପାଇଁ ଏହି ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ । ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏହି ଔଷଧ ବଜାରରୁ ନେଇ ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ ।
ଔଷଧ ନିର୍ମାତା ଆର-ଫାର୍ମା କହିଛି କି, ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି । ସେହିପରି ଆଉଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି ମିଳିଥିଲା । କୁହାଯାଉଛି ଜାପାନ ଦ୍ୱାରା ବିକଶିତ ଫାବିପିରାଭିର ଭଳି ଏହି ଦୁଇଟି ଔଷଧ କୋଭିଡ ଭୂତାଣୁ ବିରୋଧରେ କାମ କରିବ ।
ଫଳ ଦୋକାନ ଉପରକୁ ମାଡ଼ିଗଲା ପଥର ବୋଝେଇ ଟ୍ରକ୍, ୫ ଜଣ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଛତାବର ବଜାରରେ ଅଘଟଣ । ଫଳ ଦୋକାନ ଉପରକୁ ମାଡ଼ିଗଲା ପଥର ବୋଝେଇ ଟ୍ରକ୍ । ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଫଳ ଦୋକାନୀ ଗୁରୁତର ହୋଇଥିବା ବେଳେ, ଟ୍ରକରେ ବସିଥିବା ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଯଣା ହେବା ପରେ ଭାରସାମ୍ୟ ହରାଇ ପଥର ବୋଝେଇ ଟ୍ରକଟି ଦୋକାନ ଉପରକୁ ମାଡ଼ି ଯାଇଥିଲା । ସେପଟେ ଫଳ ଦୋକାନୀ ଅଧିକ ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ହୋଇଥିବା ପଥର ବୋଝେଇ ଟ୍ରକ୍କୁ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ ଦୁର୍ଘଟଣା ପରେ ରାସ୍ତା ଫାଙ୍କା କରିଥିଲା ପୋଲିସ ।
ବଲିଉଡରେ ରାଜ୍ କରୁଛି ଡ୍ରଗ୍ସ ମାଫିଆ,ସାମ୍ ଅଙ୍କଲ ଖୋଲିଲା ରହସ୍ୟ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲରୁ ତଦନ୍ତ କରୁଥିବା ଏନସିବିକୁ ବଡ଼ ସଫଳତା ମିଳିଛି । ଏନସିବି ଦଳ ଡ୍ରଗ୍ସ ସପ୍ଲାୟର ରାହିଲ ରାଫତଙ୍କୁ ଗିରଫ କରିଛି । ରାହିଲକୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି । ଏହାପରେ ତାକୁ କୋର୍ଟରେ ହାଜର କରାଯିବ । ରିପୋର୍ଟ ଅନୁସାରେ ରାହିଲ ଏନସିବିର ପଚରାଉଚରା ସମୟରେ କେତେକ ହାଇପ୍ରୋଫାଇଲ ସେଲିବ୍ରିଟିଜଙ୍କ ନାମ ନେଇଛି । ବଲିଉଡରେ ରାହିଲ ସ୍ୟାମ ଡ୍ରଗ ଅଙ୍କଲ ଭାବରେ ଜଣାଶୁଣା ।
ସୂଚନା ଅନୁଯାୟୀ ଏବେ ଏନସିବି କରଣ ଜୋହରଙ୍କ ଡ୍ରଗ୍ସ ପାର୍ଟିକୁ ନେଇ ତଦନ୍ତ କରୁଛି । ତେବେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ସମସ୍ତ ଡ୍ରଗ୍ସ ପ୍ୟାଡଲରଙ୍କ ମଧ୍ୟରେ ରାହିଲ ଏନସିବି ପାଇଁ ଏକ ବଡ଼ ଉପଲବ୍ଧି । ରାହିଲ ତା’ ବସ କହିବା ଅନୁସାରେ ବଲିଉଡର ସେଲିବ୍ରିଟି ଓ ପାର୍ଟିକୁ ଡ୍ରଗ୍ ସପ୍ଲାଏ କରୁଥିଲା । ରାହିଲର ବସ୍ କିଏ ଏପର୍ଯ୍ୟନ୍ତ ଏନସିବି କହିନାହିଁ କିନ୍ତୁ ଅନୁମାନ କରାଯାଉଛି ଯେ, ତାର ବଲିଉଡ୍ ସହ ସଂପର୍କ ରହିଛି । ସେ ଜଣେ ଅଭିନେତା,ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ ହୋଇଥାଇ ପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।
ଏନସିବି ଏବେ ରାହିଲକୁ ରିମାଣ୍ଡରେ ନେବାକୁ ଅପିଲ କରିବ । ତେବେ ରାହିଲ ମାଧ୍ୟମରେ ବଲିଉଡ ସହିତ ଜଡ଼ିତ ଡ୍ରଗ୍ସ କାରବାର ପର୍ଯ୍ୟନ୍ତ ପହଞ୍ଚି ହେବ ବୋଲି ଆଶା ରଖିଛି ଏନସିବି । ଏହା ସହିତ ରାହିଲ ପଚରାଉଚରା ସମୟରେ କେତେକ ନାମିଦାମି ସେଲିବ୍ରିଟିଙ୍କ ନାମ ନେଇଛି । ତେବେ ସବୁଠାରୁ ଖାସ କଥା ହେଉଛି ଏନସିବିକୁ ମିଳିଥିବା ଖବର ଅନୁସାରେ ବଲିଉଡର ସେହି ଡ୍ରଗ୍ସ ବସ୍ ଫେରାର ହୋଇଯାଇଛି । କିନ୍ତୁ ଅନ୍ୟ କିଛି ସୋର୍ସରେ ସେ ମୁମ୍ବାଇରେ ଥିବା ଦାବି କରାଯାଉଛି ।

