ନିଆରା ଢ଼ଙ୍ଗରେ ଚାଲିଛି ପୂଜାର୍ଚ୍ଚନା, ମଣ୍ଡପରେ ଶୋଭା ପାଉଛନ୍ତି ପ୍ରବାସୀ ଶ୍ରମିକ-ସୋନୁ ସୁଦ୍‌

ଭୁବନେଶ୍ୱର: ଧରାପୃଷ୍ଠରେ ଚାଲିଛି ଦଶଭୁଜା ମା’ ଦୁର୍ଗାଙ୍କ ଆରାଧନା । ଆଜି ମଣ୍ଡପରେ ମାଆ ମହାମାୟାଙ୍କ ନବମୀ ଓ ପୀଠରେ ଦଶମୀ ପୂଜା । ମଣ୍ଡପରେ ଝଟକୁଛନ୍ତି ମାଆ । ହେଲେ ନାହାନ୍ତି ଭକ୍ତ କି ଶୁଭୁନି କୋଳାହଳ । ମାଆ ଧରାପୃଷ୍ଠକୁ ଆଗମନ କରିଛନ୍ତି । ହେଲେ ଯାହାଙ୍କ ପାଇଁ ଏ ଆଗମନ ସେଇ ଭକ୍ତମାନଙ୍କୁ ମାଆଙ୍କ ପାଖକୁ ଯିବାକୁ ମନା । ମାଆ ଆଉ ଭକ୍ତଙ୍କ ସେତୁରେ ବାଧା ଦେଇଛି କରୋନା । କୋଭିଡ ପାଇଁ ସବୁଠି ଖାଁ ଖାଁ । ନାହିଁ ସୁନା, ଚାନ୍ଦି ମେଢ଼ କି ଆଖି ଝଲସା ତୋରଣ । ପରଦା ଆଢୁଆଳରେ ଚାଲିଛି ମା’ଙ୍କ ପୂଜା । ବିଭନ୍ନ ମଣ୍ଡପରେ ସୀମିତ ସେବକଙ୍କୁ ନେଇ ଚାଲିଛି ମାଆଙ୍କ ଆରାଧନା । ଘରେ ରହି ମାଆଙ୍କୁ ପୂଜା କରି ଆଶିର୍ବାଦ ନେଉଛନ୍ତି ଭକ୍ତ ।

ଅନ୍ୟପଟେ ଏକ ନିଆରା ଢ଼ଙ୍ଗରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ମା’ଙ୍କ ଆରାଧନା । ଲକଡାଉନ୍ ବେଳେ କିଭଳି ଥିଲା ଶ୍ରମିକଙ୍କ ଦୁଃଖ । କିଭଳି ରାସ୍ତାରେ ଚାଲି ଚାଲି ନିଜ ଜନ୍ମମାଟିକୁ ଫେରୁଥିଲେ ପ୍ରବାସୀ ।

ଏହାର ଚିତ୍ର ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବିଭିନ୍ନ ପୂଜା ମଣ୍ଡପରେ । କୋଲକତା ସ୍ଥିତ ବାଲିଗଞ୍ଜ୍ ପଲୀଦୂର୍ଗା ପୂଜା ମଣ୍ଡପରେ ଶୋଭା ପାଉଛନ୍ତି ପ୍ରବାସୀ ଶ୍ରମିକ । କିଏ ହାତରେ ବ୍ୟାଗ ଧରିଛି, ତ ଆଉ କିଏ ନିଜ ପିଲାଛୁଆ । ରାଜରାସ୍ତାରେ ମାଇଲ୍ ମାଇଲ୍ ବାଟ ଚାଲୁଛନ୍ତି ଶ୍ରମିକ । ଲକଡାଉନ ସମୟରେ ଲକ୍ଷ ଲକ୍ଷ ଶ୍ରମିକ ହଇରାଣ ହୋଇଥିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଏହାକୁ ମଣ୍ଡପରେ ସ୍ଥାନ ଦିଆଯାଇଥିବା ପୂଜା କମିଟି ସଭାପତି କହିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ପଲୀଦୂର୍ଗା ପୂଜା ମଣ୍ଡପରେ ଏଭଳି ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ।

ସେହିଭଳି ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଭିଲେନ୍‌ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ମଣ୍ଡପରେ ଶୋଭା ପାଉଥିବା ଦେଖାଯାଇଛି । ସୋନୁ ସୁଦ୍ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଥିବା ଓ ପ୍ରବାସୀଙ୍କ ସହ କଥା ହେଉଥିବା ଚିତ୍ର ମଣ୍ଡପରେ ଦେଖିବାକୁ ମିଳିଛି ।

Leave a Reply