spot_img
Home Blog Page 6647

ଅନଲକ ୫.୦ରେ ଖୋଲିବ ସିନେମା ହଲ୍‌ ହେଲେ ବନ୍ଦ ରହି ସ୍କୁଲ, ଅକ୍ଟୋବର ୧୫ ପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଅନଲକ ୫.୦ । ଏନେଇ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଲକଡାଉନ ଯୋଗୁଁ ବେଶି ପ୍ରଭାବିତ ହୋଇଛି ସିନେମା ଓ ଥିଏଟର । ଏନେଇ ସବୁ ଫିଲ୍ମ ହଲ୍ ଓ ଥିଏଟର ଖୋଲିବାକୁ ନିଷ୍ଷତ୍ତି ନେଇଛନ୍ତି ସରକାର । ତେବେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଖୋଲିଲେ ସାମଜିକ ଦୂରତା ରକ୍ଷା କରାଯାଇ ପାରିବ । ସେହିଭଳି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ ଅକ୍ଟୋବର ୧୫ ପରେ ରାଜ୍ୟମାନେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପର୍ଯ୍ୟାୟକ୍ରମେ ଖୋଲିବା ସଂପର୍କରେ ନିଷ୍ପତ୍ତି ନେଇପାରିବେ । ତେବେ ରାଜ୍ୟ ସରକାରମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ।

ଅନ୍ୟପକ୍ଷରେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ବଜାୟ ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଯେଉଁ ପିଲାମାନେ ସ୍କୁଲ ଯିବାକୁ ଚାହିଁବେ, ସେମାନେ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେଇ ଯାଇପାରିବେ । କିନ୍ତୁ ସ୍କୁଲ ଓ ଶିକ୍ଷାନୁଷ୍ଠାନମାନେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିପାରିବେ ନାହିଁ । ଯେଉଁ ସ୍କୁଲମାନେ ଖୋଲିବାକୁ ଚାହିଁବେ ସେମାନେ ନିଜ ରାଜ୍ୟର ଶିକ୍ଷା ବିଭାଗ ଦ୍ୱାରା ଜାରି ଏସଓପି ପାଳନ କରିବାକୁ ବାଧ୍ୟ ହେବେ । ଅନ୍ୟପଟେ କିନ୍ତୁ ଏହି ନୂଆ ଗାଇଡ୍‌ଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି କେନ୍ଦ୍ର ସରକାର ।

କଣ୍ଟେନମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାରମାନେ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍‌ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍‌-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍‌ଡାଉନ୍‌ ଲଗାଇବାକୁ ଚାହିଁବେ, ତେବେ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ଜଣାଇ ଏଥିପାଇଁ ଅନୁମତି ଆଣିବେ। ସେହିଭଳି ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନଗୁଡିକ ଚଳାଚଳ ବନ୍ଦ ରହିବ ବୋଲି ଗାଇଡ୍ ଲାଇନ୍ ଜାରି ହୋଇଛି।

ନାବାଳିକା ଗଣଦୁର୍ଷ୍କମ ମାମଲା ନେଇ ପକ୍ଷ ରଖିବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ୱର: ଆଜି ମହିଳା କମିଶନଙ୍କ ନିକଟରେ ହାଜର ହେବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁର୍ଷ୍କମ ମାମଲାକୁ ନେଇ ରଖିବେ ପକ୍ଷ । କେମିତି ଘଟିଥିଲା ଘଟଣା,ଗଣଦୁର୍ଷ୍କମ ନେଇ ନିରୀହ ମାଆ ଅଭିଯୋଗ କରିବା ପରେ ଆଇନର ପରାମର୍ଶ ନେବାକୁ କହିଥିଲେ ନା ନାହିଁ ? ଏମ୍‌ଡି ନାବାଳିକାଙ୍କ ମାଆଙ୍କୁ ଅଫିସକୁ କାହିଁକି ବାରମ୍ବାର ଡାକୁଥିଲେ ? ଏ ସବୁର ଉତ୍ତର ଜାଣିବା ପାଇଁ ମହିଳା କମିଶନଙ୍କ ପକ୍ଷରୁ ଜଗି ମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ସମନ ଜାରି କରାଯାଇଥିଲା । ପୂର୍ବରୁ ମହିଳା କମିଶନରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ହାଜର ହୋଇଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଦର୍ଶାଇ ଚାଲିଯାଇଥିଲେ ।

ଏହାପରେ ଅକ୍ଟୋବର ୧ ତାରିଖରେ ହାଜର ହେବା ପାଇଁ ଭୁବନେଶ୍ବର ଡିସିପିଙ୍କ ଜରିଆରେ ମହିଳା କମିଶନ ସମନ ଜାରି କରିଥିଲେ। ତେବେ ମହିଳା ଥାନାରେ ମାମଲା ରୁଜୁ ହେବାକୁ ମାସେ ପୂରିଛି । ଏହି ଘଟଣାରେ ପୀଡିତାଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଛି । ପୀଡିତାଙ୍କ ମାଆ ମଧ୍ୟ ମହିଳା ଥାନା ଓ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଦୁଷ୍କର୍ମ ଘଟଣାରେ ଓଟିଭିର ୩ ଜଣ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା  । ତେବ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନାହିଁ  ।

ଆର୍ଚରଙ୍କ ଧୁଆଁଧାର ବୋଲିଂରେ ନତମସ୍ତକ ହେଲେ କୋଲକତା ନାଇଟ୍ ରାଇଡର୍ସ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୩ର ୧୨ତମ ମ୍ୟାଚ ଖେଳାଯାଉଛି । ବୁଧବାରରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି । ରାଜସ୍ଥାନ ରୟାଲ ଯଦିଓ ଏହି ମ୍ୟାଚ୍ ହାରିଛି କିନ୍ତୁ ସେମାନଙ୍କର ଷ୍ଟାର୍ ବୋଲର ଜୋଫ୍ରା ଆର୍ଚର ନାଇଟ୍ ରାଇଡର୍ସ ବ୍ୟାଟ୍ସମ୍ୟାନମାନଙ୍କୁ ସେମାନଙ୍କୁ ଖେଳିବାକୁ ଦେଇ ନଥିଲେ । ଏହି ମ୍ୟାଚରେ ଘଣ୍ଟା ପ୍ରତି ୧୫୨.୧ କିଲୋମିଟର ବେଗରେ ବୋଲିଂ କରିଥିଲେ ।

କୋଲତା ଟିମର ଦମଦାର ଖେଳାଳି ରସେଲଙ୍କୁ ଦେଖି ସ୍ମିଥ୍ ବୋଲିଂ ପାଇଁ ଆର୍ଚରଙ୍କୁ ତୁରନ୍ତ ଡାକିଥିଲେ । ଏହା ପରେ ଗିଲ ହୋଇଥିଲେ ଆଉଟ୍ । ତୃତୀୟ ଓଭରରେ ଆର୍ଚର ଆଉ ଏକ ଚମତ୍କାର ବୋଲିଂ କରିଥିଲେ। ବଟଲରଙ୍କ ହାତରୁ କେକେଆର୍ ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ଆଉଟ କରିଥିଲେ । ଆର୍ଚରଙ୍କ ବଲର ବାଉନ୍ସ ବଝିବାରେ କାର୍ତ୍ତିକ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । 

ଆର୍ଚର ଏତେ ଆଶ୍ଚର୍ଯ୍ୟଜନକ ଫର୍ମରେ ଥିଲେ ଯେ ସେ ତାଙ୍କର ପ୍ରଥମ ତିନି ଓଭରରେ ମାତ୍ର ଚାରି ରନ୍ ଦେଇଥିଲେ ଏବଂ ଦୁଇଟି ୱିକେଟ୍ ନେଇଥିଲେ। ନିଜେ ତୃତୀୟ ଓଭରରେ ୧୫୨.୧ କିଲୋମିଟର ବେଗରେ ଇଏନ୍ ମୋର୍ଗାନଙ୍କୁ ବଲ୍ ବୋଲିଂ କରିଥିଲେ।

ଯଦିଓ ଆର୍ଚରଙ୍କ ଏହି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଦଳକୁ ଜିତିବାରେ ସହାୟକ ହୋଇପାରିଲା ନାହିଁ । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୭୫ ରନ୍ ଚ୍ୟାଲେଞ୍ଜ ରଖିଥିଲେ । ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ରାଜସ୍ଥାନର ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ରାଜସ୍ଥାନ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୩୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ଏବଂ ୩୭ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା।

ଲଘୁଚାପ ବର୍ଷା ପାଇଁ ଆହୁରି ଭିଜିବ ୧୬ ଜିଲ୍ଲା, ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର

ଭୁବନେଶ୍ୱର: ଆହୁରି ଦୁଇ ଦିନ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡ଼ିଶା । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା କାଲି  ପର୍ଯ୍ୟନ୍ତ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଜି ରାଜ୍ୟର ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ରାୟଗଡା, ବୌଦ୍ଧ, ନୟାଗଡ଼, କେନ୍ଦ୍ରାପଡ଼ା, କଟକ ,ସମ୍ବଲପୁର, କଳାହାଣ୍ଡି  ଓ ଭଦ୍ରକ ଜିଲ୍ଲାକୁ ଆଜି ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ଆଗାମୀ ଦୁଇ ତାରିଖ ପାଇଁ ଜଗତସିଂହପୁର, କଟକ, ପୁରୀ, ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର- ପୂର୍ବ ଓଡ଼ିଶାର ସବୁ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଜଳଭଣ୍ଡାରର ଜଳସ୍ତର ଏବେ ୬୩୦ ଫୁଟ ରହିଛି  । ରାଜ୍ୟରେ ଲଘୁଚାପ ବର୍ଷା ଲାଗିରହିଥିବାରୁ ଆଗକୁ ଜଳସ୍ତର ଆହୁରି ବଢିବାନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ପ୍ରତି ସେକେଣ୍ଡେରେ ଜଳଭଣ୍ଡାର ମଧ୍ୟକୁ ୭୦ହଜାର ୯୨୮କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବାବେଳେ  ୫୧ହଜାର ୮୭୦ କ୍ୟୁସେକ ଜଳ ନିସ୍କାସିତ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି  ।

ବଲିଉଡ୍‌ ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏବେ ଅଭିନେତାଙ୍କୁ ସମନ ପଠାଇବ ଏନ୍‌ସିବି !

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ରହସ୍ୟ ଏବେ ବି ପେଡ଼ି ଭିତରେ ରହିଛି । ମୃତ୍ୟୁ ରହସ୍ୟ ସାମ୍ନାକୁ ଆସୁନଥିବା ବେଳେ ବଲିଉଡ୍‌ରେ ଡ୍ରଗ୍ସ ମାମଲା ଏବେ ଘନିଭୂତ ହେବାରେ ଲାଗିଛି । ବଡ଼ ବଡ଼ ସେଲିବ୍ରିଟି ଏହି ଡ୍ରଗ୍ସ ମାମଲାରେ ଦିନକୁ ଦିନ ଛନ୍ଦି ହେବାରେ ଲାଗିଛନ୍ତି । ପ୍ରଥମେ ବଡ଼ ବଡ଼ ହିରୋଇନ୍‌ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇସାରିଥିବା ବେଳେ ଏବେ ବଲିଉଡ୍‌ ହିରୋଙ୍କ ପାଳି ପଡ଼ିବ ବୋଲି ସୂଚନା ମିଳିଛି । ଏହି ତାଲିକାରେ ସାହାରୁଖ ଖାନ୍‌, ରଣବୀର କାପୁର, ଡିନୋ ମୋରିଆ ଓ ଅର୍ଜୁନ୍‌ ରାମ୍‌ପାଲଙ୍କ ନାଁ ଯୋଡ଼ି ହୋଇଥିବା ଜଣାପଡ଼ିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏନ୍‌ସିବି ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ହୋମ୍‌ଓ୍ୱାର୍କ କରି ଆଗେଇବାକୁ ଚାହଁଛି । ଏହାପରେ ଏହି ଅଭିନେତାମାନଙ୍କୁ ଏନ୍‌ସିବି ସମନ ପଠାଇପାରେ ବୋଲି ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏନ୍‌ସିବିର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି ବଲିଉଡ୍‌ର ଏହି ବଡ଼ ବଡ଼ ତାରକାଙ୍କ ନାଁର ଖୁଲାସା କରିଛନ୍ତି ।

ତେବେ ଏହା ପୂର୍ବରୁ କିଛି ଜାତୀୟ ଗଣମାଧ୍ୟମ ଏନେଇ ଖବର ପ୍ରସାରଣ କରିସାରିଛନ୍ତି । ସେମାନଙ୍କ ନାଁର ପ୍ରଥମ ଅକ୍ଷର କେଉଁଥିରୁ ଆରମ୍ଭ ହେଉଛି ସେନେଇ ଚର୍ଚ୍ଚା ହୋଇଥିଲା । ମଙ୍ଗଳବାର ଏବିପି ନ୍ୟୁଜ୍‌ ସୂତ୍ରରୁ ପ୍ରକାଶ ଯେ, ଡ୍ରଗ୍ସ ମାମଲାରେ ଏନସିବି ତିନିଜଣ ସୁପରଷ୍ଟାରଙ୍କୁ ପଚରାଉଚରା କରିପାରେ, ଯେଉଁମାନେ ଦୀପିକା ପାଦୁକୋନଙ୍କ ସହ କାମ କରିସାରିଛନ୍ତି । ଏହି ଅଭିନେତାମାନଙ୍କ ନାମ S, R ଏବଂ A ରୁ ଆରମ୍ଭ ହୁଏ ।

ଏହି ତିନି ତାରକାଙ୍କ ନାମ ନିର୍ମାତା କ୍ଷିତିଜ ରବି ପ୍ରସାଦ କହିଛନ୍ତି । ଯେଉଁ ଅଭିନେତାଙ୍କ ନାମ A ରୁ ଆରମ୍ଭ ହୁଏ, ସେ ଡ୍ରଗ୍ସ ବ୍ୟବହାର କରିବା ସହ ଏବଂ ଲୋକଙ୍କୁ ଡ୍ରଗ୍ସ ଯୋଗାଉଥିଲେ ବୋଲି କ୍ଷିତିଜ କହିଛନ୍ତି ।

ସିକ୍ୟୁରିଟିଗାର୍ଡଙ୍କ ଠାରୁ ପାଇଥିଲେ ପ୍ରେରଣା: ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଯୋଗାଇଛନ୍ତି ରାସନ ସାମଗ୍ରୀ

ହାଇଦ୍ରାବାଦ: କରୋନା କାଳରେ ବହୁ ଲୋକଙ୍କ ପାଇଁ ୨ ଓଳା ଖାଇବା ଯୋଗାଡ଼ କରିବା କଷ୍ଟ ହୋଇପଡ଼ିଥିଲା । କିନ୍ତୁ ଏହି ସମୟରେ ବହୁ ସାମାଜିକ ସଂଗଠନ ଏବଂ ବଦାନ୍ୟ ବ୍ୟକ୍ତି  ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଯେଉଁମାନଙ୍କ ମଧ୍ୟରୁ ଜଣେ ଥିଲେ ହାଇଦ୍ରାବାଦର ରାମୁ ଦୋଷାପତି । ଯିଏ ଗରିବ ଓ ଅସହାୟଙ୍କ ସହାୟତା ପାଇଁ ରାଇସ୍ ଏଟିଏମ୍ ଆରମ୍ଭ କରିଥିଲେ । ଲୋକଙ୍କୁ ଆବଶ୍ୟକ ରୋଷେଇ ସାମଗ୍ରୀ ଯୋଗାଇଦେଇଥିଲେ ।

Image

            ରାମୁଙ୍କ ଦ୍ୱାରା ଖୋଲାଯାଇଥିବା ରାଇସ୍ ଏଟିଏମ୍ ୨୪ ଘଣ୍ଟା ଖୋଲାରହୁଥିଲା । ଏହା ସତ୍ତ୍ୱେ ଯଦି କେହି ଚାହିଁଲେ ଏଲବି ନଗର ସ୍ଥିତ ତାଙ୍କ ଘରକୁ ଯାଇ ମଧ୍ୟ ଆବଶ୍ୟକ ରାସନ ସାମଗ୍ରୀ ନେଇପାରୁଥିଲେ । ସେ ଗତ ୧୭୦ ଦିନ ହେଲା ଗରିବ ଲୋକଙ୍କୁ ରାସନ କିଟ୍‌ ବଣ୍ଟନ କରୁଛନ୍ତି । ତାଙ୍କ ଘର ସାମ୍ନାରେ ଥିବା ତେଜରାତି ଦୋକାନରେ  ଚାଉଳ ନେବା ଲାଗି ମହିଳା ଓ ପୁରୁଷଙ୍କ ଲମ୍ୱା ଲାଇନ ଲଗିଥାଏ । ସେମାନଙ୍କୁ ସହାଯ୍ୟ କରିବା ଲାଗି ଇତିମଧ୍ୟରେ ସେ ତାଙ୍କ ବ୍ୟକ୍ତିଗତ ଜମା ପୁଞ୍ଜିରୁ ୫ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି । ଏହି ଅର୍ଥରେ ସେ ପାଖାପାଖି ୧୫ ହଜାର ଲୋକଙ୍କୁ ସହାଯ୍ୟ କରିପାରିଛନ୍ତି । ତେବେ ଖୁସିର କଥା ଏହା ଯେ, ତାଙ୍କ କାର୍ଯ୍ୟ ଦେଖି ଅନ୍ୟ କିଛି ଲୋକଙ୍କ ମଧ୍ୟ ପ୍ରେରଣା ପାଇଥିଲେ । ଏହି କାର୍ଯ୍ୟ କରିବା ଲାଗି ଅନ୍ୟ କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ରାମୁଙ୍କୁ ସାହାଯ୍ୟ କରିଥିଲେ ।

Image

 ରିପୋର୍ଟ ମୁତାବକ ରାମୁ ଜଣେ ସିକ୍ୟୁରିଟିଗାର୍ଡଙ୍କୁ ଭୋକିଲା ଲୋକଙ୍କ ସାହାଯ୍ୟ କରିବା ନେଇ ୨ ହଜାର ଟଙ୍କା ଖର୍ଚ୍ଚ କରୁଥିବା ଦେଖିଥିଲେ । ସେତେବେଳେ ସେ ଚିନ୍ତା କଲେ ଯଦି ଜଣେ ୬ ହଜାରରୁ ବି କମ୍ ରୋଜଗାର କରୁଥିବା ଲୋକ ଯଦି ଏଭଳି ଅସହାୟ ଲୋକଙ୍କୁ ସହାଯ୍ୟ କରିପାରୁଛି, ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକ କାହିଁକି ନୁହଁ । ରାମୁ ଜଣେ ଏମବିଏ ଗ୍ରାଜୁଏଟ୍, ସେ ଏକ ସଫ୍ଟଓ୍ୱେୟାର ଫାର୍ମରେ ଏଚ୍‌ଆର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

୩୭ ରନ୍‌ରେ କୋଲକତାଠାରୁ ପରାଜୟ ସ୍ୱୀକାର କଲା ରାଜସ୍ଥାନ, ପଢ଼ନ୍ତୁ ହାଇଲାଇଟ୍‌ସ..

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ପରାଜୟ । ବୁଧବାର କୋଲକତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରାୟଲ୍ସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ୧୭୫ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ରାଜସ୍ଥାନ ୧୩୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି ।

୧୭୫ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ରାଜସ୍ଥାନ ରାୟଲ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍‌ ହରାଇ ମାତ୍ର ୪୩ ରନ୍‌ ମଧ୍ୟରେ ୫ଟି ଓ୍ୱିକେଟ୍‌ ହରାଇଥିଲା ରାଜସ୍ଥାନ । ଜସ୍‌ ବଟଲର୍‌ ୨୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିବା ବେଳ ସ୍ଟିଭେନ୍‌ ସ୍ମିଥ୍‌ ୩, ସଞ୍ଜୁ ସାମ୍‌ସନ ୮, ରବିନ୍‌ ଉତ୍‌ଥାପା ୨, ରିୟାନ୍‌ ପ୍ରୟାଗ୍‌ ୧ ରନ୍‌ କରି ଖୁବ୍‌ଶୀଘ୍ର ପ୍ୟାଭିଲିୟନ୍‌ ଫେରିଥିଲେ । ଏହା ପରେ ରାହୁଲ ତିଓ୍ୱେତିଆ କ୍ରିଜ୍‌ରେ ଅଧିକ ସମୟ ରହିବାକୁ ଚେଷ୍ଟା କରିଥିଲେ । ତାଙ୍କ ପ୍ରଦର୍ଶନ ଦେଖି ରାଜସ୍ଥାନ ପ୍ରଶଂସକଙ୍କ ମନରେ ବିଜୟ ଆଶା ସଞ୍ଚାର ହୋଇଥିଲା । ହେଲେ ମାତ୍ର କିଛି ସମୟ ପରେ ଅର୍ଥାତ୍‌ ୧୩ ରନ୍‌ କରି ତିଓ୍ୱେତିଆ ମଧ୍ୟ ପ୍ୟାଭିଲିୟନ୍‌ ଫେରିଥିଲେ । ସେହିଭଳି ଶ୍ରେୟାସ୍‌ ଗୋପାଲ ୫, ଜୋଫ୍ରା ଆର୍ଚ୍ଚର ୬, ଜୟଦେବ ଉନାଦ୍‌କଟ୍‌ ୯ ରନ୍‌ କରି ଆଉଟ୍‌ ହୋଇଥିଲେ ।

ତେବେ ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ କୋଲକତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିଥିଲା । କୋଲକତା ପକ୍ଷରୁ ସୁବ୍‌ମନ୍‌ ଗିଲ୍‌ ସର୍ବାଧିକ ୪୭ ରନ୍‌ କରିଥିବା ବେଳେ ମୋରଗାନ୍‌ ୩୪, ରସେଲ୍‌ ୨୪, ନିତିଶ ରାଣା ୨୨, ନାରେନ୍‌ ୧୫ ରନ୍‌ କରିଛନ୍ତି । ସେହିଭଳି କୁମିନିସ୍‌ ୧୨, କେ ନାଗରକୋଟି ୮, କାର୍ତ୍ତିକ୍‌ ୧ ରନ୍‌ କରିଛନ୍ତି । ୨୦ ଓଭରରେ ମୋଟ୍‌ ୬ଟି ଓ୍ୱିକେଟ୍‌ ହରାଇ ଦଳ ୧୭୪ ରନ୍‌ କରିଥିଲା ।

ମାସ୍କ ନପିନ୍ଧିଲେ-ସାମାଜିକ ଦୂରତା ନମାନିଲେ ଲକ୍ଷେ ଟଙ୍କା ଜୋରିମାନା

ଭୁବନେଶ୍ୱର: ମାସ୍କ ନପିନ୍ଧିଲେ ଲକ୍ଷେ ଟଙ୍କା ଜୋରିମାନା । ସାମାଜିକ ଦୂରତା ନମାନିଲେ ଲକ୍ଷେ ଟଙ୍କା ଜୋରିମାନା । ଖାଲି ସେତିକି ନୁହେଁ ଦୁଇ ବର୍ଷ ଜେଲ୍‌ ଦଣ୍ତର ମଧ୍ୟ ବ୍ୟବସ୍ଥା କରାଯାଇଛି । କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ, ରାଜ୍ୟ ବିଧାନସଭାରେ ଏନେଇ ନୂଆ ନିୟମ କରାଯାଇଛି ।

ବିଧାନସଭାରେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ ୨୦୨୦ ଗୃହୀତ ହୋଇଛି । କୋଭିଡ୍‌ କଟକଣା ସତ୍ତ୍ୱେ ଲୋକ ଆଇନ ମାନୁନାହାନ୍ତି । ତେଣୁ ସଂଶୋଧିତ ଆଇନରେ କଡ଼ା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରାଯାଇଛି । ମାସ୍କ ନପିନ୍ଧିଲେ ଓ ସମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ ୨ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ କରାଯାଇଛି ।

ତେବେ ଏହି ବିଲ୍‌କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବିରୋଧ କରିଥିଲେ । ତାରା ଏହାକୁ କିଳାବିଲ୍‌ କହିଥିଲେ । କମିଟି ଗଠନ କରି କୋଭିଡ୍‌ ସେବା ନେଇ ତଦନ୍ତ କଲେ ବିଲ୍‌କୁ ସମର୍ଥନ କରିବେ ବୋଲି କହିଥିଲେ । ନ୍ୟାୟାଳୟ ଫିସ୍‌ ସଂଶୋଧନ ବିଲ ୨୦୨୦ ନେଇ ମଧ୍ୟ ଆଜି ଗୃହରେ ଆଲୋଚନା ଆରମ୍ଭ ହୋଇଛି । ତେବେ କିଛି ସମୟ ଆଲୋଚନା ପରେ ଗୃହକୁ ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ଟା ଯାଏଁ ବାଚସ୍ପତି ମୁଲତବି ରଖିଛନ୍ତି ।

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌, ଶନିବାର ବନ୍ଦ ରହିବ କାର୍ଯ୍ୟାଳୟ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ପାଇଁ ଜାରି ହେଲା ନୂଆ ଗାଇଡ୍‌ ଲାଇନ୍‌ । ଟ୍ୱିନ୍‌ ସିଟିରେ ଥିବା ସମସ୍ତ ସରକାରୀ ଓ ସରକାରଙ୍କ ଅଧିନରେ ଥିବା ଅଫିସ୍‌ରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ହେବ । କ୍ଲାସ୍‌ A ଅଫିସ୍‌ରଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ । ଅକ୍ଟୋବର ମାସ ପାଇଁ ଏହି ନିୟମ ଲାଗୁ କରାଯାଇଛି । ତେବେ ୫୦ ପ୍ରତିଶତ କର୍ମଚାରୀ ରହିଲେ ମଧ୍ୟ ସରକାରୀ କାମ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି । ଏହାସହ ଅକ୍ଟୋବରରେ ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ୍‌ ଶନିବାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତେବେ ଅଫିସ୍‌ରେ କେଉଁ କର୍ମଚାରୀ କାମ କରିବେ ଓ କେଉଁ କର୍ମଚାରୀ ଘରେ ରହିବେ ସେନେଇ ଅଫିସ୍‌ ମୁଖ୍ୟ ଚୂଡ଼ାନ୍ତ କରିବେ ।

ପୋଲିସ ବିଭାଗ, ଏସ୍‌ଆର୍‌ସି ଅଫିସ୍, ଓଏସ୍‌ଡିଏମ୍‌ଏ, ଦମକଳ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ମୁନିସିପାଲିଟି ଏବଂ ଏହିଭଳି ଜରୁରୀ କାଳିନ ସେବା ଯୋଗାଉଥିବା ବିଭାଗ ଗୁଡ଼ିକରେ ନୂଆ ନିୟମ ଲାଗୁ କରାଯିବ ନାହିଁ । ଏହି ବିଭାଗରେ ୧୦୦ ପ୍ରତିଶତ କର୍ମଚାରୀ ‌କାମ କରିବେ ।

ସମସ୍ତଙ୍କୁ ”ଜୀଅନ୍ତା ଶବ”ରେ ପରିଣତ କରି ଝିଅଟିଏ ଚାଲିଗଲା…

ନୂଆଦିଲ୍ଲୀ: ନ୍ୟାୟ ଦିଅ । ନ୍ୟାୟ ଦିଅ । ଦୋଷୀଙ୍କୁ ଫାଶୀ ଦିଅ । ଦଳିତଙ୍କ ଉପରେ ଅତ୍ୟାଚାରକୁ ସହିବୁ ନାହିଁ । ଆଜି ଏହି ଭଳି ସ୍ଲୋଗାନ ୟୁପିର ପୁରପଲ୍ଲୀ ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି । ଉତ୍ତର ପ୍ରଦେଶର ହାଥରସ ଅଞ୍ଚଳରେ ୧୯ ବର୍ଷୀୟ ଦଳିତ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲା ।  କେବଳ ଯେ, ଗଣଦୁର୍ଷମର ଶୀକାର ହୋଇଥିଲା ତାହା ନୁହେଁ, ଗଣଦୁଷ୍କର୍ମ ସମୟରେ ଅତି ନିର୍ମମ ଭାବରେ ଝିଅଟିର ବେକକୁ ଆଘାତ କରାଯାଇଥିଲା । ଦୁଷ୍କର୍ମର ବହୁ ଦିନ ପୂର୍ବରୁ ଲଗାତାର ଶାରୀରିକ ଅତ୍ୟାଚାର କରାଯାଇ ଆସୁଥିଲା । ଝିଅଟିର ଅବସ୍ଥା ଏପରି କରିଦିଆଯାଇଥିଲା, ଯେମିତି ସିଏ କେବେ ବି ସେହି ଘଟଣା ସମ୍ପର୍କରେ ମୁହଁ ଖୋଲି କହିପାରିବ । ଝିଅ ଟିଏ ଗଣଦୁଷ୍କର୍ମର ଶୀକାର ହେବା ପରେ ତାହାର ଉପଯୁକ୍ତ ଚିକିତ୍ସା କରାଯାଇ ପାରିଥାଆନ୍ତା, ହେଲେ ତାହା ବି ହେଲା ନାହିଁ ।

ଦୁଷ୍କର୍ମ ଘଟଣାଟି ଗତକାଲି କିମ୍ବା ଆଜିର ଘଟଣା ନୁହେଁ । ପାଖାପାଖି ୧୦ଦିନର ତଳର ଘଟଣା । ଏତେସବୁ ଘଟଣା ଘଟିଗଲା କେମିତି ? ୟୁପିର ପୋଲିସ ବ୍ୟବସ୍ଥା କ’ଣ ଶୋଇ ପଡିଥିଲା ? ଏସବୁ ଘଟଣାଠୁ ଆହୁରି ହୃଦୟ ବିଦାରକ ଥିଲା । ନିଜ ଝିଅର ଗଣଦୁଷ୍କର୍ମ ଖବର ତାହାର ବାପା ମା’ଙ୍କୁ କେତେ ଯେ ଆଘାତ ଦେଇଥିବ, ସେ କଥା ଝିଅର ବାପଟିଏ ହିଁ ଅନୁଭବ କରିପାରିବ । ଏ ଯନ୍ତ୍ରଣା ସାଧାରଣ ଲୋକଟିର ଚିନ୍ତା ବାହାରେ ନିଶ୍ଚିତ । ଦୁଷ୍କର୍ମ ପରେ ଠିକ୍ ସମୟରେ ଚିକିତ୍ସା ବି ହୋଇ ପାରିଲା ନାହିଁ । ନ୍ୟାୟ ପାଇ ଲଢ଼ିବା ତ ଦୂରର କଥା, ତାହା ସହିତ ଘଟିଥିବା ଘଟଣାକୁ କହିବା ପାଇଁ ଝିଅଟି ଏସଂସାରରେ ରହିଲା ନାହିଁ ।

ଏହା ସହ ପଢ଼ନ୍ତୁ:- ହାଥରସ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥାହେଲେ ପିଏମ୍ ମୋଦି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ…

ସେ ଚାଲିଗଲା ସେହି ଅଫେରା ରାଇଜକୁ ଯେଉଁଠି ନିର୍ଭୟା, ପ୍ରିୟଙ୍କା ରେଡ୍ଡି ଭଳି ନାରୀମାନେ ବହୁତ ଆଗରୁ ଚାଲିଯାଇଛନ୍ତି । ବାପା ମା’ଙ୍କ ଜୀବନର ସବୁଠୁ ବଡ଼ ଇଚ୍ଛା ନିଜ ଝିଅକୁ ନିଜ ହାତରେ ବାହା ଦେବେ । ହେଲେ ସେହି ମଣିଷମାନଙ୍କ ଆଖି ଆଗରେ ଦିନେ ତାଙ୍କ ଅଗଣାରେ ହସି ଖେଳୁଥିବା ଝିଅ ଶବ ହୋଇଗଲା । ହୋଇଗଲା କହିଲେ ବୋଧେ ଭୁଲ ହେବ, ଶବ ସଜେଇ ଦିଆଗଲା । ସେହି ନରରାକ୍ଷସଙ୍କ ଦ୍ୱାରା ଯେଉଁମାନେ ନିଜ ଶାରରୀକ ଭୋକ ମେଣ୍ଟାଇବା ପାଇଁ ପାଲଟିଗଲେ ଗୋଟେ ଗୋଟେ ପିଶାଚ । ସେହି ବ୍ୟବସ୍ଥା ଯେଉଁଠି ମାଳ ମାଳ ପୋଲିସ ଫୋର୍ସ, ହେଲେ ସେ ସାଧାରଣ ଦଳିତ ଝିଅର ସମାନ୍ୟତମ କାମରେ ଆସିଲାନି ।

ଏମିତି କ’ଣ ହେଲା ଯେ, ନାବାଳିକାଟି ଜୀବନ ଯୁଦ୍ଧରେ ହାରିଯିବା ପରେ ଅତ୍ୟନ୍ତ ତରବରିଆ ଭାବେ ତାଙ୍କୁ ପୋଡ଼ି ଦିଆଗଲା । ତା’ର ପରିବାର ଲୋକଙ୍କୁ ସତ୍କାରରୁ ଦୂରେଇ ରଖାଗଲା । ଏ ସମ୍ପର୍କରେ କାନ୍ଦି କାନ୍ଦି ପରିଜନ କହୁଥାନ୍ତି, ‘ଝିଅକୁ ଟିକେ ହଳଦୀ ଲଗାଇ ଦେଇଥାଆନ୍ତି । ଏଇଟା ତ ତାହାର ଶେଷ ଯାତ୍ରା । ସେ ତ ଆଉ ଫେରି କି ଆସିବ ନାହିଁ । ସେଥିପାଇଁ ତାକୁ ଭଲରେ ଟିକେ ବିଦାୟ ଦେବାକୁ ଚାହୁଁଥିଲି, ସେତକ ଅଧିକାର ବି ପୋଲିସ ଛଡାଇ ନେଲା’ ଏତିକ କହି କୋହ ସମ୍ଭାଳିପାରୁନଥାନ୍ତି ପରିବାର ବର୍ଗ ।

୧୪ ତାରିଖରେ ୪ ସବର୍ଣ୍ଣ ଯୁବକଙ୍କ ଦ୍ୱାରା ହୋଇଥିବା ଏହି ଗଣଦୁଷ୍କର୍ମ ପରେ ଝିଅଟିର ଶରୀରର ଏକାଧିକ ସ୍ଥାନରେ କ୍ଷତ କରାଯାଇଥିଲା । ତାର ଜିଭକୁ କାଟିଦିଆଯାଇଥିଲା । ଭଉଣୀକୁ ନ୍ୟାୟ ଦେବା ପାଇଁ ଭାଇଟି ତାର ଅଭିଯୋଗ କରିଥିଲା । ସେ ତ କହିସାରିଥିଲା ଠାକୁର ସମାଜର ଲୋକ ହିଁ ଏହି ହୃଦୟ ବିଦାରକ କାର୍ଯ୍ୟ କରିଛନ୍ତି । କେଉଁ ଭାଇଟି ଭଉଣୀର ଦୁଷ୍କର୍ମ କଥା ସର୍ବସାଧାରଣରେ କହିବା ପାଇଁ ଚାହିଁବ ।

ଏହା ସହ ପଢ଼ନ୍ତୁ:- ହାଥରସ ଗଣଦୁଷ୍କର୍ମକୁ ନେଇ ରାହୁଲଙ୍କ ଟ୍ୱିଟ୍: କହିଲେ ‘ପୀଡ଼ିତାଙ୍କ ପରିବାରଠାରୁ ଅନ୍ତିମ ସଂସ୍କାରର ଅଧିକାର ଛଡେଇନେଲେ’

ଘଟଣା ଘଟିବାର ୫ ଦିନ ପରେ ଖୋଜା ଚାଲିଲା ସେହି ନିର୍ଦ୍ଦୟୀମାନଙ୍କୁ, ଯିଏ ସେହି ଦଳିତ ଝିଅଟିର ସବୁ କିଛି ଲୁଟି ନେଇ ତାକୁ ପଙ୍ଗୁ କରି ଦେଇଥିଲେ । ଧାରା ୩୦୭ରେ ମାମଲା ରୁଜୁ ହେଲା । ଧୀରେ ଧୀରେ ଏହି ଘଟଣା ୟୁପି ନୁହେଁ, ସାରା ଦେଶରେ ଆଲୋଡନ ସୃଷ୍ଟି କଲା । ୩୦୭ ବଦଳରେ ୩୦୨ ଅନୁଯାୟୀ ମାମଲା ତଦନ୍ତ କରାଯିବ ।

ହେଲେ କଣ ମିଳିବ, ସେହି ତଦନ୍ତରୁ ଯିଏ ତ ନ୍ୟାୟ ପାଇବା କଥା । ସେ ତ ଏ ଦୁନିଆରୁ ଚାଲିଗଲା । ତେବେ ଏ ବ୍ୟବସ୍ଥାଗତ ପ୍ରହସନ କାହା ପାଇଁ ଚାଲିବ, ଏ ପ୍ରଶ୍ନ ସବୁରି ମନରେ ଉଙ୍କି ମାରୁଛି । ପ୍ରଥମେ ଦିଲ୍ଲୀର ସଫଦରଗଞ୍ଜ ପରେ ଆଲିଗଡ଼ର ଏକ ହସ୍ପିଟାଲରେ । ଆଲିଗଡ଼ ଉତ୍ତର ପ୍ରଦେଶ ସରକାରଙ୍କ ଅଧିନରେ ଆସୁଥିବା ଏକ ସହର,ହେଲେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଗଣଦୁଷ୍କର୍ମ ସମ୍ପର୍କରେ ପଦୁଟିଏ ନ ଥିଲା । ଏ ତ ପୀଡିତା ଓ ପରିବାର ଏବଂ ଏ ଦେଶର ପ୍ରତିଟି ଝିଅର ବାପାମାଆଙ୍କ ମୁହଁରେ ଚାପୁଡା ମାରିବା ଭଳି ଥିଲା । ମାଆଟି ତାହାର ମାଟିରେ ଲୋଟି ପଡି ଝିଅକୁ ଶେଷ ଥର ଦେଖିବାକୁ ଚାହୁଁଥିଲା, ହେଲେ ସେତକ ପୋଲିସ ଅନୁମତି ଦେଲାନି । ତାଙ୍କ ଶେଷ ସନ୍ତକକୁ ଅଗ୍ନିରେ ଦହନ କରି ଦେଇଥିଲା । ହାତକଡି ପକାଇ ରଖିବା ଭଳି ପରିବାରକୁ ଘରେ ବନ୍ଦ କରିଦିଆଗଲା ।

ହେଲେ କାହିଁକି ଏପରି କରାଗଲା ? ପୋଲିସ କାହିଁକି ଏତେ ତରତର ଥିଲା, ଝିଅଟିକୁ ଜାଳିପୋଡି ସବୁଦିନ ପାଇଁ ମାଟିରେ ମିଶାଇ ଦେବାକୁ ? ଯେଉଁ ଗତିରେ ପୋଲିସ ମୃତ ଝିଅର ଶବ ସତ୍କାରରେ ପ୍ରଦର୍ଶନ କରିଥିଲା । ସେଥିରୁ କାଣିଚାଏ ଯଦି ଦୋଷୀଙ୍କୁ ସମୟ ପୂର୍ବରୁ ଧରି ଝିଅଟିକୁ ନ୍ୟାୟ ଦେବାରେ ବ୍ୟବହାର କରାଯାଇଥାଆନ୍ତା, ତେବେ ଆଇନକାନୁନ ପ୍ରତି ଆସ୍ଥା ବଢ଼ିଥାଆନ୍ତା । ହେଲେ କ’ଣ ହେଲା ସେହି ଚିରାଚରିତ କଥା ଦୁଷ୍କର୍ମ ଏବଂ ହତ୍ୟା । ୟୁପି ସରକାର ମୁଖିଆ ଯୋଗୀ ଆଦିତ୍ୟନାଥ ଏସଆଇଟି ଗଠନ କରି ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହା ତ ଚିରାଚରିତ ଧାରା । ନ୍ୟାୟ ଆଉ କାହା ପାଇଁ….

ଏହା ସହ ପଢ଼ନ୍ତୁ:- ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର