କୋଭିଡ୍ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଉପନିର୍ବାଚନ ପାଇଁ ମତଦାନ

ବାଲେଶ୍ୱର/ତିର୍ତ୍ତୋଲ: କୋଭିଡ୍ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଉପନିର୍ବାଚନ ପାଇଁ ମତଦାନ । ବାଲେଶ୍ୱରରେ ମତଦାନ କରିବେ ୨ଲକ୍ଷ ୨୫ ହଜାରରୁ ଅଧିକ ଭୋଟର । ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା । ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରିବେ ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି ।

ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।

ସେପଟେ ତିର୍ତ୍ତୋଲରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୩୯ ହଜାରରୁ ଅଧିକ ଭୋଟର । ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ । ୩୭ ବୁଥରେ ୱେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି ।

Leave a Reply