spot_img
Home Blog Page 6618

ବିଧାୟକଙ୍କ ଚାଷ ଭିଡିଓକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ

ନବରଙ୍ଗପୁର: ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । କେବଳ ରାଜନୀତିରେ ନିଜକୁ ସୀମିତ ରଖିନାହାନ୍ତି ବିଧାୟକ । ନିଜ ବିଲରେ ମୂଲ ଲାଗି ହଳ କରି ଧାନ ଗଛ ଲଗାଇ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକ ରାନ୍ଧାରୀଙ୍କ ଚାଷ ସମୟର ଭିଡିଓ ସାମାଜିକ ଗଣ ମାଧ୍ୟମରେ ବହୁ ମାତ୍ରାରେ ଭାଇରଲ ହୋଇଥିଲା । ଯାହାଫଳରେ ମନୋହରଙ୍କ ଏହି ଚଷା ପୁଅ ଅବତାର ସମସ୍ତଙ୍କ ମନ ମୋହିଥିଲା ।

ଏହା ସହ ମନୋହରଙ୍କ ଏହି ଚଷା ଅବତାରର ଭିଡିଓ ଭାରତର ଉପରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲା । ତାଙ୍କର ସେହି ଚାଷ କରୁଥିବା ସମୟର ଭିଡିଓ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ ମନକୁ ବେସ ଆକର୍ଷିତ କରିପାରିଥିଲା । ଏହାପରେ ବିଧାୟକଙ୍କ ଏପରି କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି  ଯୁବ ସମାଜକୁ ଆହ୍ୱାନ ଜଣାଇଥିଲେ ।  ବିଧାୟକଙ୍କ ପ୍ରଶଂସନୀୟ  ପ୍ରେରଣାଦାୟୀ କାମ କୁ ନେଇ ଉପରାଷ୍ଟ୍ରପତି ନିଜ ଟ୍ୱିଇଟର ଆକାଉଣ୍ଟରରେ ପ୍ରସଂଶା କରିଛନ୍ତି ।

ବିଧାୟକ ରନ୍ଧାରୀ ନିଜ ପିତାଙ୍କ ଦେହାନ୍ତ ପରେ ଚାଷ କାମ ବୁଝିବା ସହିତ ନିଜେ ମଧ୍ୟ ଚାଷ କାମ କରିବାକୁ ଭଲ ପାଉଥିବା କହିଛନ୍ତି । ରାଜ୍ୟ ସରକାର କୃଷି କ୍ଷେତ୍ରକୁ ନେଇ କୃଷି ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ତେବେ ଯୁବ ସମାଜ ଯଦି ଆଗେଇ ଆସନ୍ତି ତେବେ ସରକାରଙ୍କ ଏହି ଯୋଜନା ସଫଳ ହୋଇପାରିବ ଓ କୃଷି କ୍ଷେତ୍ରରେ ବିନିଯୋଗ କରି ଯୁବ ସମାଜ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ ।

ଆସନ୍ତା ସପ୍ତାହରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ, ୫୦ ଲକ୍ଷ କୋଭିଡ ଯୋଦ୍ଧା ଯୁଦ୍ଧକୁ କରିଛନ୍ତି ମଜଭୁତ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରଣନୀତି । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଫୋକସ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ୪ ଜିଲ୍ଲାରେ ଅଞ୍ଚଳ ଭିତ୍ତିକ ରଣକୌଶଳ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଆସନ୍ତା ସପ୍ତାହରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ । ତାଲିମପ୍ରାପ୍ତ ୫୦ ଲକ୍ଷ କୋଭିଡ ଯୋଦ୍ଧା ଯୁଦ୍ଧକୁ କରିଛନ୍ତି ମଜଭୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଏବେ ଦୈନିକ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ବେଳେ, ପ୍ରତି ୧୦ ଲକ୍ଷରେ ୧ହଜାର ୯୬ ଟେଷ୍ଟ କରାଯାଉଛି । କୋଭିଡ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଟ୍ରେନିଂ ମିଳିଛି । ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗ୍ରୁପ,କୋଭିଡ କମିଟି ସଦସ୍ୟଙ୍କୁ ବି ତାଲିମ ମିଳିଛି । ରାଜ୍ୟରେ ଲକ୍ଷଣବିହୀନ କରୋନା ରୋଗୀଙ୍କ ସଂଖ୍ୟା ଅଧିକ । ଏଣୁ ଗୃହ ସଙ୍ଗରୋଧକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପ୍ରଚାର ସହ ପଞ୍ଚାୟତ ପ୍ରତିନିଧିଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି ।

କୋଭିଡ କେୟାର କମିଟିଗୁଡ଼ିକର ମଧ୍ୟ ସହାୟତା ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କୋଭିଡ ମୃତ୍ୟୁହାର କମ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ପ୍ଲାଜମାଦାତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଶଂସାପତ୍ର ସହ ସ୍ୱୀକୃତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହିପରି ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀର ଉନ୍ନତିକୁ ଗୁରୁତ୍ୱ ଦେବା ସହ କୋଭିଡ ଯୋଦ୍ଧା ଓ ରୋଗୀଙ୍କ ଫିଡବେକ୍ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟି ଚଳାଇଲେ ନୀତିଶ, ୨୨ ପ୍ରତିଶତ ବଢ଼ିଲା ଶିକ୍ଷକଙ୍କ ଦରମା

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ ସରକାର ବଡ଼ ଘୋଷଣା କରିଛନ୍ତି । ନୀତିଶ କ୍ୟାବିନେଟରେ ନିୟୋଜିତ ଶିକ୍ଷକଙ୍କ ଦରମା ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହା ଉପରେ ମୋହର ମାରିଛି । ନିୟୋଜତ ଶିକ୍ଷକଙ୍କ ଦରମା ୨୨ ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ ।

ନିୟୋଜିତ ଶିକ୍ଷକଙ୍କୁ ୨୦୨୧ ଏପ୍ରିଲ୍ ୧ରୁ ବର୍ଦ୍ଧିତ ବେତନ ମିଳିବ । ଏହି ନିଷ୍ପତ୍ତି ପରେ ସରକାର ରାଜକୋଷରୁ ଅତିରିକ୍ତ ୨୭୬୫ କୋଟି ଟଙ୍କା ବ୍ୟୟ କରିବେ । କ୍ୟାବିନେଟରେ ନିୟୋଜିତ ଶିକ୍ଷକଙ୍କ ସେବା ସର୍ତ୍ତ ଓ ନିୟମାବଳି ଉପରେ ମଧ୍ୟ ରାଜ୍ୟ ସରକାର ମୋହର ମାରିଛନ୍ତି ।

ନୂଆ ସେବା ସର୍ତ୍ତ ନିୟମାବଳି ଲାଗୁ ହେବା ପରେ ନିୟୋଜିତ ଶିକ୍ଷକ ପ୍ରମୋସନ ପାଇବା ସହ ଅନ୍ୟତ୍ର ବଦଳି ସୁବିଧା ପାଇବେ । କୁହାଯାଉଛି ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରରେ ନୂଆ ସେବା ସର୍ତ୍ତ ନିୟମାବଳିର ନିୟମର ଅଧିସୂଚନା ଜାରି ହେବ । ବିହାର କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ପାଖାପାଖି ୩.୫ ଲକ୍ଷ ନିୟୋଜିତ ଶିକ୍ଷକ ଉପକୃତ ହେବେ ।

ବିହାର ନିର୍ବାଚନର ଠିକ୍ ପୂର୍ବରୁ ନିୟୋଜିତ ଶିକ୍ଷକଙ୍କ ପୁରୁଣା ଦାବିକୁ ନୀତିଶ କୁମାର ମାନି ନେଇ ନିର୍ବାଚନୀ ଗୋଟି ଚାଳନା କରିଛନ୍ତି । କୁହଯାଉଛି ନୀତିଶଙ୍କ ଏହି ନିଷ୍ପତ୍ତି ନିର୍ବାଚନରେ ଭଲ ଫଳ ଦେବ ।

୩ ଦିନରେ ଜାରି ହେବ ଗାଇଡଲାଇନ୍

ମହାମାରୀ କରୋନା ସଂକଟ ଭିତରେ ଆସନ୍ତା କିଛି ମାସ ଭିତରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ ବିହାର ଭୋଟ୍ ପାଇଁ ଆସନ୍ତା ୩ ଦିନ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରିବେ । ୩ ଦିନ ମଧ୍ୟରେ ନିର୍ବାଚନ ଗାଇଡଲାଇନ୍ ନେଇ ବିସ୍ତୃତ ସୂଚନା ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳର ପରାମର୍ଶ ଉପରେ ଆଲୋଚନା ହୋଇଥିଲା ।

ଫିଲ୍ମ ଷ୍ଟାଇଲରେ ଓଡ଼ିଶାକୁ ଆସୁଛି ଧଳା ଜହର, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବାଲେଶ୍ୱର: ବ୍ରାଉନସୁଗାର ବେପାରରେ ବାଲେଶ୍ୱର ହବ ପାଲଟିଥିବାବେଳେ କେମିତି ଏହା ବାଂଲାଦେଶ ସୀମା ଡେଇଁ ଭାରତକୁ ଆସିଥାଏ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ମାଲ ପହଞ୍ଚିବାପରେ ସେଠାରୁ କେମିତି କୋଲକାତା ଓ ଖଡଗପୁର ଆସେ ? ସେଠାରୁ କେମିତି ଜଳେଶ୍ୱର ଓ ବାଲେଶ୍ୱରକୁ ବଣ୍ଟାଯାଏ ନିଶା ପାର୍ସଲ ।

ଏ ସବୁର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଏହି ମ୍ୟାପକୁ । ବାଂଲାଦେଶରୁ ଆସି ମାଲ ପହଞ୍ଚିଥାଏ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ମୁର୍ଶିଦାବାଦରୁ ଭାୟା କୋଲକାତା ଦେଇ ବ୍ରାଉନସୁଗାର ଆସିଥାଏ ଓଡ଼ିଶାର ଜଳେଶ୍ୱରକୁ । ସେଠାରୁ ବାଲେଶ୍ୱର । ଏହା ପରେ ରାଜ୍ୟର ଅନ୍ୟାନ୍ୟ ହବକୁ ଚାଲାଣ ହୋଇଥାଏ ଧଳା ଜହର । ତେବେ ମୁର୍ଶିଦାବାଦ୍‌ ହେଉଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ରାସାୟନିକ ଉପାଦାନ ମିଶାଇ ଏଠାରେ ପ୍ରଥମେ ବ୍ରାଉନସୁଗାର ପ୍ରସ୍ତୁତ କରାଯାଏ  ।

ପରେ ମହିଳା ଓ ଗରିବ ଲୋକଙ୍କ ମାଧ୍ୟମରେ ବ୍ରାଉନସୁଗାରକୁ ଭାରତ ସୀମାକୁ ଡିଆଁଇ ଦିଆଯାଏ । ସେଠାରୁ ଏହି ଧଳା ଜହର ପଶ୍ଚିମବଙ୍ଗର କୋଲକାତା ଓ ଖଡ଼ଗପୁରରେ ପହଞ୍ଚେ । କୋଲକାତା ଓ ଖଡଗପୁରରୁ ପରିବା ଗାଡ଼ି କିମ୍ବା ବାଲେଶ୍ୱରରୁ ମାଛ ନେଇ କୋଲକାତା ଯାଉଥିବା ପିକ୍‌ଅପ୍‌ ଭ୍ୟାନ ଓ ଟ୍ରେନ୍‌ ମାଧ୍ୟମରେ ଏହା ବାଲେଶ୍ୱର ଓ ଜଳେଶ୍ୱରରେ ହୁଏ ଡେଲିଭରି ।

ତେବେ ପୋଲିସକୁ ଚେକ୍ ଦେବା ପାଇଁ ନୂଆ ନୂଆ ପାଠ ପଢୁଆ ଛାତ୍ରଙ୍କୁ ବେପାର ପାଇଁ ମାଷ୍ଟରମାଇଣ୍ଡ ସବୁବେଳେ ଟାର୍ଗେଟ କରିଥାନ୍ତି । କେବଳ ସେତିକି ନୁହେଁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ସ୍କିମ ମଧ୍ୟ ଖୁବ ଲୋଭନୀୟ  । ନନ୍ଦିଘୋଷ ଟିଭି ଅନୁସନ୍ଧାନରୁ ଜଣାପଡିଛି ଲକଡାଉନ କଟକଣା ପରେ ପ୍ରବାସୀ ବାହନାରେ ଲୋକ ମାନଙ୍କୁ ଟଙ୍କା ଦେଇ ସାଇକେଲ ଦ୍ୱାରା ଓଡିଶାକୁ ବ୍ରାଉନସୁଗାର ପଠାଉଛନ୍ତି ବ୍ୟବସାୟୀ । ଖୁଚୁରା ବ୍ୟବସାୟୀ ମାନଙ୍କୁ ଢାଲ କରି ବ୍ୟବସାୟ କରୁଛନ୍ତି ବଡ ବଡ ଏଜେଣ୍ଟ  । ସେମାନଙ୍କ ବ୍ୟାଗ୍‌ରେ ଅନାୟସରେ ୩ କିଲୋଗ୍ରାମ ପର୍ଯ୍ୟନ୍ତ ବ୍ରାଉନସୁଗାର ଚାଲାଣ କରାଯାଇଥାଏ ।

ପୋଲିସ ହାତରେ ଧରା ପଡିଲେ ଜାମିନ  ଓ ମକଦ୍ଦମା ବାବଦକୁ ନିଜେ ଖର୍ଚ୍ଚ ବହନ କରନ୍ତି ଖୁଚୁରା ବ୍ୟବସାୟୀ । ଯଦି ସଂପର୍କୀୟଙ୍କ ଦ୍ୱାରା ବ୍ୟବସାୟ କରିବାକୁ ଚାହାନ୍ତି, ଜବତ ହୋଇଥିବା ବ୍ରାଉନସୁଗାରର ସମାନ ପରିମାଣ ମୁଖ୍ୟ ବ୍ୟବସାୟୀ ଅଧା ଦରରେ ଯୋଗାଇ ଦିଅନ୍ତି । ଏହି ବ୍ରାଉନସୁଗାର ବିକ୍ରି କରି ଖୁଚୁରା ବ୍ୟବସାୟୀ ବାକି ଟଙ୍କା ପୈଠ କରନ୍ତି  ।

ଇଶାନ୍ତ ଶର୍ମାଙ୍କ ସହ ୨୯ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଖେଳାଳିଙ୍କ ନାମକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି । ମଙ୍ଗଳବାର ଖେଳ ମନ୍ତ୍ରାଳୟର ପୁରସ୍କାର ଚୟନ ସମିତି ଏନେଇ ସୁପାରିସ୍ କରିଥିବା ଜଣାପଡ଼ିଛି । ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର ଦୀପକ ହୁଡ୍ଡା ଓ ଟେନିସ୍ ଖେଳାଳି ଦିବିଜ୍ ସରଣଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି । ଚୟନ ସମିତି ବୈଠକ ପରେ ଅଧିକାରୀଙ୍କୁ ସୂତ୍ରରୁ ଏହା ଜଣାପଡ଼ିଛି ।

Ishant Sharma

୩୧ ବର୍ଷୀୟ ଇଶାନ୍ତ ଶର୍ମା ଏବେ ଯାଏଁ ଭାରତ ପକ୍ଷରୁ ୯୭ଟି ଟେଷ୍ଟ ଓ ୮୦ଟି ଦିନିକିଆ ଖେଳି ସାରିଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି ।

 Sakshi Malik
Sakshi Malik

ଅଲମ୍ପିକରେ କାଂସ୍ୟ ପଦକ ଜିତିଥିବା ସାକ୍ଷୀ ମଲିକ ଓ ଭାରତ୍ତୋଳନରେ ପୂର୍ବରୁ ବିଶ୍ୱ ଚାମ୍ପିଅନ୍ ହୋଇଥିବା ମୀରାବାଇ ଚାନୁଙ୍କ ନାଁକୁ ମଧ୍ୟ ସମିତି ସମର୍ଥନ କରିଥିବା ଜଣାପଡ଼ିଛି । ତେବେ, ଶେଷ ନିଷ୍ପତ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କ ଉପରେ ଛାଡ଼ି ଦିଆଯାଇଛି । କାରଣ ଦୁଇ ମହିଳା ଖେଳାଳିଙ୍କୁ ପୂର୍ବରୁ ଖେଳ ରତ୍ନ ପୁରସ୍କାର ମିଳି ସାରିଛି ।

 Saikhom Mirabai Chanu
Saikhom Mirabai Chanu

୨୦୧୬ରେ ସାକ୍ଷୀ ରିୟୋ ଅଲମ୍ପିକରେ କାଂସ୍ୟ ପଦକ ଜିତିଥିଲେ । ତାପରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିଭଳି ବିଶ୍ୱ ଚାମ୍ପିଅନରେ ସ୍ୱର୍ଣ୍ଣ ପଦକ ହାସଲ ପରେ ମୀରାବାଇ ଓ ୨୦୧୮ର ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଉଭୟଙ୍କୁ ଏହି ପୁରସ୍କାର ମିଳିଥିଲା ।

ଫିଲିପିନ୍ସରେ ଭୂମିକମ୍ପ, ଲକ୍ଷାଧିକ କ୍ଷତି

ମଙ୍ଗଳବାରକୁ ଫିଲିପିନ୍ସରେ ତୀବ୍ର ଭୂମିକମ୍ପ ଅନୁଭବ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଅନୁସାରେ ୬.୬ ରହିଥିଲା । ଭୂମିକମ୍ପ ସମୟରେ କେତେକ ଘର ଭଙ୍ଗାରୁଜା ହୋଇଥିବା ବେଳେ କିଛି ଲୋକ ଏହି ମଧ୍ୟରେ ଫସି ରହିଥିଲେ । ଏହି ଭୂମିକମ୍ପରୁ ବଂଚିବା ପାଇଁ ହଜାର ହଜାର ଲୋକ ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ । ଭୂମିକମ୍ପର ଏପିସେଣ୍ଟର ସ୍ଥିତ କାତାଇନଗନ ସହରରେ ସଡ଼କ ଏବଂ ପୁଲ ଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି । ସେଠାର ଜଣେ ଅଧିବାସୀଙ୍କ କହିବା ଅନୁସାରେ ସେ ତାଙ୍କ ବନ୍ଧୁଙ୍କ ଘରକୁ ଯିବା ସମୟରେ ମୋଟର ସାଇକେଲ ଖସିବାକୁ ଲାଗିଲା । ସଡ଼କ ଥରୁଥିଲା । ବ୍ୟକ୍ତି ଜଣକ ଭାବୁଥିଲେଯ ତାଙ୍କ ଗାଡ଼ି ପଙ୍କଚର ହୋଇ ଯାଇଛି । କିନ୍ତୁ ସେହି ସମୟରେ ହଠାତ୍ ଘର ବାହାରକୁ ଦୌଡ଼ି ଆସିବାକୁ ଲାଗିଲେ ସେଠାକାର ଲୋକ । ଏହାପରେ ବିଜୁଳି କଟିଗଲା ।

କାତାଇନଗନର ପ୍ରଶାସନର କହିବା ଅନୁସାରେ ଭୂମିକମ୍ପ କାରଣରୁ ଏକ ତିନି ମହଲା ଘର ଭାଙ୍ଗି ତଳକୁ ପଡ଼ିଯାଇଛି । ଦୁର୍ଭାଗ୍ୟବଶତଃ ଅବସରପ୍ରାପ୍ତ ପୋଲିସ ଅଫିସର ଓ ତାଙ୍କ ପରିବାର ସେହି ଭୂମିକମ୍ପରେ ଫସି ଯାଇଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦୁର୍ଘଟଣା ଘଟିଥିବା ସେହି ଘରକୁ ପୁଣିଥରେ ନଯିବାକୁ ପ୍ରଶାସନ ଲୋକଙ୍କୁ ଅନୁରୋଧ କରିଛି ।

ଏହା ପ୍ରଥମ ଥର ନୁହେଁ । ଫିଲିପିନ୍ସରେ ପ୍ରତିବର୍ଷ ଭୂମିକମ୍ପ ହୋଇଥାଏ । ପ୍ରାୟ ୨୦ ଥର ଝଡ଼ ତୁଫାନ ଆସିଥାଏ । ୧୯୯୦ ସେଠାରେ ୭.୭ ତୀବ୍ରର ଭୂମିକମ୍ପ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଘରୋଇ ନ୍ୟୁଜ୍ ଚ୍ୟାନେଲ ଓଟିଭି ପାଇଁ ବଢିଲା ଅଡୁଆ, ବୁମେରାଂ ହେଲା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ

ଭୁବନେଶ୍ୱର: କୋଭିଡ୍‌ ହସ୍‌ପିଟାଲ ସମ୍ପର୍କିତ ମିଛ ଅଡିଓ ପ୍ରସାରଣ ମାମଲାରେ ଓଟିଭିକୁ ହାଇକୋର୍ଟଙ୍କ ଝଟ୍‌କା । ପୋଲିସକୁ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସହଯୋଗ ନକଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ହାଇକୋର୍ଟ । ସେପଟେ ବାରମ୍ବାର ସମନ୍ ପରେ ମଧ୍ୟ ଥାନାରେ ହାଜର ନହୋଇ କର୍ତ୍ତୃପକ୍ଷ ନିଜ ପିଆର୍‌ଓଙ୍କ ଜରିଆରେ ସମୟ ଗଡ଼େଇ ଚାଲିଛନ୍ତି । ଅନ୍ୟପକ୍ଷରେ ତିନି ତିନିଟି କୋଭିଡ୍ ହସପିଟାଲ୍ ଚ୍ୟାନେଲ୍‌ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ।

ଥାନାରେ ହାଜର ନହୋଇ ହାଇକୋର୍ଟଙ୍କ ଶରଣ ପଶିଥିଲା ଓଟିଭି । ହେଲେ କୋର୍ଟ ସଫା ସଫା କହିଲେ ତଦନ୍ତରେ ସହଯୋଗ କର । ନହେଲେ କାର୍ଯ୍ୟାନୁଷ୍ଠାନ ବି ହୋଇ ପାରେ । ମାମଲାଟି ଥାନାରେ କେସ୍ ଡାଏରୀ ସ୍ତରରେ ଥିବାରୁ ଓଟିଭି କର୍ତ୍ତୃପକ୍ଷଙ୍କ ଆଗୁଆ ଜାମିନ୍ ଆବେଦନକୁ ଗ୍ରହଣ କରି ନାହାଁନ୍ତି କୋର୍ଟ । ତେଣୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବାକୁ କୋର୍ଟ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏବେ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ପାଇଁ ବଢିଛି ଅଡୁଆ । ପକ୍ଷ ନରଖି ସମୟ ଗଡ଼େଇବାକୁ କରିଥିବା ଚାଲ୍‌ର ହୋଇଛି ଦି ଏଣ୍ଡ୍‌ ।

ଭୁବନେଶ୍ୱରର ଦୁଇ ଯୁବକଙ୍କ ବ୍ୟକ୍ତିଗତ ଫୋନ୍ ବାର୍ତ୍ତାଳାପକୁ ଖବର ଆକାରରେ ନିଜ ଡିଜିଟାଲ୍ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା ଓଟିଭି । ଯାହାକୁ ନେଇ ବିଏମ୍‌ସି ଦେଇଥିଲା କାରଣ ଦର୍ଶାଅ ନୋଟିସ୍ । କେବଳ ସେତିକି ନୁହେଁ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଦେଇଥିଲା ଏତଲା । ମହାମାରୀ ସମୟରେ ଲୋକଙ୍କୁ ଆତଙ୍କିତ କଲା ଭଳି ଖବର ପ୍ରସାରଣ ପଛର ସତ୍ୟତା ଜାଣିବାକୁ ପୋଲିସ୍ ତନାଘନା ଆରମ୍ଭ କରିଥିଲା । ପକ୍ଷ ରଖିବାକୁ ବାର୍ତ୍ତା ସଂପାଦକଙ୍କ ସମେତ ଚ୍ୟାନେଲର ଅନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଜାରି କରିଥିଲା ସମନ୍ । ହେଲେ ସମନ୍‌କୁ ସମ୍ମାନ ନଦେଇ କର୍ତ୍ତୃପକ୍ଷ ପଠାଇ ଦେଇଥିଲେ ନିଜ ଲୋକ ସଂପର୍କ ଅଧିକାରୀଙ୍କୁ । ସେପଟେ ଏହି ମାମଲାରେ ବିଭ୍ରାନ୍ତିକର ଅଡିଓ ପ୍ରସ୍ତୁତ କରିଥିବା ଦୁଇ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା । ରିମାଣ୍ଡରେ ନେଇ ପଚରାଉଚୁରା ପରେ ଜାମିନରେ ଛାଡ଼ି ଦେଇଛି ।

କଥା ଏତିକିରେ ସରିନି । ଏବେ ମାନହାନି ମୋକଦ୍ଦମାରେ ଘାଣ୍ଟି ହେଉଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ। ସମ୍‌, କିମ୍‌ସ ଓ ହାଇଟେକ କୋଭିଡ୍ ହସପିଟାଲ କର୍ତ୍ତୃପକ୍ଷ ଚ୍ୟାନେଲ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ଆସନ୍ତା ମାସରେ ମହଙ୍ଗା ହୋଇପାରେ ଚା’ ଦର

କରୋନା ମହାମାରୀ କାରଣରୁ ଚଳିତ ବର୍ଷ ୨୦୨୦ରେ ଚା ପତି ଉତ୍ପାଦନରେ ପ୍ରାୟ ୩୭ ପ୍ରତିଶତର କ୍ଷତି ସହିବାକୁ ପଡ଼ିପାରେ । ଏହି କାରଣରୁ ଲୋକଙ୍କୁ ଚା ପତି କିଣିବା ମହଙ୍ଗା ପଡ଼ିପାରେ । ଏହି ମହା ବିପତ୍ତି ସମୟରେ ଦୀର୍ଘ ଦିନ ଧରି ଲକଡାଉନ ଏବଂ ପୂର୍ବ-ଉତ୍ତର ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଚା ପତି ଉତ୍ପାଦନ ୩୭ ପ୍ରତିଶତ ହ୍ରାସ ହୋଇପାରେ । ଯାହା ପ୍ରାୟ ୮୭୮ ହଜାର ଟନ ହୋଇପାରେ ।ଲକଡାଉନ ସମୟରେ ୨୦୨୦ ମାର୍ଚ୍ଚରୁ ମଇ ମାସ ମଧ୍ୟରେ ଚା ପତି ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିଛି । ଏହା ଦ୍ୱାରା ସାରା ଦେଶରେ ଟି ଗାର୍ଡ଼ନ ଏବଂ ମେନୁଫ୍ୟାକଚରିଙ୍ଗରେ ହ୍ରାସ ଘଟିଛି । ମାର୍ଚ୍ଚ ମାସରେ ୪୧.୪ ପ୍ରତିଶତ ଉତ୍ପାଦନ ହ୍ରାସ ପାଇଛି । ଅପ୍ରେଲରେ ୫୩.୮ ପ୍ରତିଶତର ଭାରି ହ୍ରାସ ହୋଇଛି । ମଇ ମାସରେ ୨୮.୩ ପ୍ରତିଶତ ଜୁନରେ ୮ ପ୍ରତିଶତ ହ୍ରାସ ହୋଇଛି ।

ସୂଚନା ମୁତାବକ ମଇ ମାସରେ ଗୌହାଟିରେ ଚା ପତି ମୂଲ୍ୟ ୫୨ ପ୍ରତିଶତ ବଢି କିଲୋପ୍ରତି ୨୧୭ ଟଙ୍କା ହୋଇ ଯାଇଥିଲା । ଅଗଷ୍ଟ ମାସରେ ୪୦ରୁ ୬୦ ପ୍ରତିଶତ ବଢିଥିଲା । ଏଥିରୁ ଅନୁମାନ କରାଯାଉଛିଯେ ଆସନ୍ତା ମାସରେ ଏହାର ଦରଦାମ ବଢିପାରେ । ଯାହା ଖୁବ ମହଙ୍ଗାର ରୂପ ନେବ ।ଜାନୁୟାରୀରୁ ଜୁନ ମାସ ମଧ୍ୟରେ ଉତ୍ପାଦନ ୨୬ ପ୍ରତିଶତକୁ କମ ପ୍ରାୟ ୩୪୮.୨ ହଜାର ଟନ ହୋଇଛି । ଲକଡାଉନ ଖୋଲିବା ପରେ ଟି ଇଣ୍ଡଷ୍ଟ୍ରି ଏହି ସଙ୍କଟରୁ ବଞ୍ଚିବାକୁ ଚେଷ୍ଟା କରୁଥିଲା । ସେହି ସମୟରେ କାଳ ସାଜିଲା ବର୍ଷା । ଚା ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟ ଯେପରି ଆସାମ ଆଦି ରାଜ୍ୟରେ ପ୍ରଚୁର ବର୍ଷା ଏବଂ ବାତ୍ୟା ସମସ୍ୟା ସୃଷ୍ଟି କଲା । ଆସାମରେ ମଇ, ଜୁନ ଏବଂ ଜୁଲାଇରେ ଖୁବ ବର୍ଷା ହୋଇଥିଲା । ଅଧିକ ଚା ଉତ୍ପାଦନ ଜୁଲାଇ ମାସରେ ହୋଇଥାଏ । ଚା’ର ଗୁଣବତ୍ତା ମଧ୍ୟ ଖୁବ ଭଲ ରହିଥାଏ । ଚଳିତ ମାସରେ ବର୍ଷା ଯୋଗୁଁ ଡିବ୍ରୁଗଡ଼,ଜୋରହଟ ଓ ଗୋଲାଘାଟ ଜିଲ୍ଲାରେ ଖୁବ ବର୍ଷା ହୋଇ ଚା ଗଛ ନଷ୍ଟ ହୋଇଯାଇଛି । ଭାରତର ୫୦ ପ୍ରତିଶତ ଚା ପତି ଉତ୍ପାଦନ ଆସାମରୁ ହୋଇଥାଏ । କିନ୍ତୁ ଆସାମରେ ୪୦ ପ୍ରତିଶତ ଉତ୍ପାଦନ କମିଛି ।

ଦେଶରେ ତିଆରି ହେଉଛି ୩ଟି କରୋନା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନ୍ ଉତ୍ପାଦନ ଓ ଏହା ସହ ଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ସୋମବାର ଏକ୍ସପର୍ଟ ଗ୍ରୁପର ବୈଠକ ହୋଇଛି । ଏହି ବୈଠକରେ ଲୋକଙ୍କୁ କେତେ ଶୀଘ୍ର ଭ୍ୟାକ୍ସିନ୍ ଦିଆଯାଇ ପାରିବ ଓ ଡୋଜ୍ କେମିତି ରହିବ ସେନେଇ ଆଲୋଚନା କରାଯାଇଛି ।

ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇନାହାଁନ୍ତି । ସେମାନଙ୍କୁ ଅଗ୍ରାଧିକାର ଦିଆଯିବ । ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ତିଆରି ହୋଇ ସାରିଛି । ତେଣୁ, ଏହି ଦୃଷ୍ଟିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଭ୍ୟାକ୍ସିନ୍ ଦିଆଯିବ ନାହିଁ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ସାରିଛନ୍ତି ହେଲଥ କେୟାର ଓ ଫ୍ରଣ୍ଟଲାଇନ୍ ୱାକର୍ସଙ୍କୁ ପ୍ରାଥମିକତା ଦିଆଯାଇ ପ୍ରଥମେ ଭ୍ୟାକ୍ସିନ୍ ଦିଆଯିବ ।

ବୟସ୍କ ଲୋକଙ୍କୁ ରିସ୍କ ଗ୍ରୁପରେ ରଖାଯାଇଛି । ବୈଠକରେ ନୀତି ଆୟୋଗ ସଦସ୍ୟ ଡାକ୍ଟର ବିକେ ପାଲ ଭ୍ୟାକ୍ସିନ୍ ବିଷୟରେ ସୂଚନା ଦେଇଥିଲେ । ଭ୍ୟାକ୍ସିନ୍ ଅଲଗା ଅଲଗା ଷ୍ଟେଜରେ ରହିଛି । ସେଥିରୁ ଗୋଟିଏ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ସୋମବାର କିମ୍ବା ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବ । ଏହାକୁ ନେଇ କାମ ଆରମ୍ଭ ହୋଇଛି । ଭ୍ୟାକ୍ସିନ୍ ଫଳପ୍ରଦ ହେଲେ ଏହା ସପ୍ଲାଏକୁ ତୁରନ୍ତ କାମ ହେବ । କିଛି ଭ୍ୟାକ୍ସିନ୍କୁ କୋଲ୍ଡଚେନ୍ ପ୍ରକ୍ୟୁରମେଣ୍ଟ ଆବଶ୍ୟକତା ପଡ଼ିପାରେ । କିଛି ଭ୍ୟାକ୍ସିନ୍ ପ୍ରତି ବ୍ୟକ୍ତିକୁ ୨ଟି ଡୋଜ୍ ଦେବାକୁ ପଡ଼ିପାରେ ।

ଡାକ୍ତର ପାଲଙ୍କ ମୁତାବିକ ଭାରତରେ ତିନୋଟି ଭ୍ୟାକ୍ସିନ୍ ଉପରେ କାମ ଚାଲିଛି । ଗୋଟିଏ ଭ୍ୟାକ୍ସିନ୍ ଦିନେ ଦୁଇଦିନ ଭିତରେ ତୃତୀୟ ପର୍ଯ୍ୟାୟକୁ ଯିବ । ଯେତେବେଳେ କି ଅନ୍ୟ ୨ଟି ଭ୍ୟାକ୍ସିନ୍ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି ।

ରାବଣ ବାଣ୍ଟୁଛି କରୋନାରୁ ବଞ୍ଚିବାର ସଚେତନତାର ବାର୍ତ୍ତା

ବରଗଡ଼:  କଳାକାର ନିଜ କଳାଚାତୁରୀରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥାନ୍ତି । କିନ୍ତୁ ଏବେ କରୋନା କଟକଣା ଯୋଗୁ କଳାକାର ଆଉ କଳା ପ୍ରଦର୍ଶନ କରିପାରୁନାହାନ୍ତି । ହେଲେ କଳାର ସଦୁପଯୋଗ କରି ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ବାହାରି ପଡ଼ିଛନ୍ତି ଜଣେ କଳାକର ।

ଗାଁ ଦାଣ୍ଡରେ ବୁଲି ରାବଣ ମାଗୁଛି ପ୍ରାଣଭିକ୍ଷା । ହେଲେ ନିଜପାଇଁ ନୁହେଁ, ଅନ୍ୟର ଜୀବନ ବଞ୍ଚାଇବାକୁ କରୁଛି ନିବେଦନ । ରାବଣ ବାଣ୍ଟୁଛି ସଚେତନତାର ବାର୍ତ୍ତା । ଏ ହେଉଛନ୍ତି ବରଗଡ଼ ଜିଲ୍ଲାର ଜଗଦାନନ୍ଦ ମିଶ୍ର । ରାବଣ ବେଶରେ ସେ ଏବେ ଘର ଘର ବୁଲି କରୋନାରୁ ସମସ୍ତେ ସୁରକ୍ଷିତ ରହିବା ପାଇଁ ନିବେଦନ କରୁଛନ୍ତି  । ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇବା ପାଇଁ ପ୍ଳାଜ୍‌ମା ଦାନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ମାସ୍କର ଗୁରୁତ୍ୱ ବୁଝାଉଛନ୍ତି  । ଏପରିକି ନିଜ ହାତରୁ ଟଙ୍କା ଖର୍ଚ୍ଚକରି ମାସ୍କ ବଣ୍ଟନ କରିଛନ୍ତି ଜଗଦାନନ୍ଦ ।

କରୋନା ମହାମାରୀ କଳାକାରଙ୍କ ଜୀବିକା ଛଡେଇନେଇଛି  । ହଲେ ହାର ମାନି ନାହାନ୍ତି ଜଗଦାନନ୍ଦ  । ନିଜ ପ୍ରତିଭାର ସଦୁପଯୋଗ କରୁଛନ୍ତି  । ସହଯୋଗୀ ମନ୍ତ୍ରୀ ଓ ସେନାପତି ଭୂମିକାରେ ଅଭିନୟ କରୁଥିବା ଆହୁରି 2 ଜଣ କଳାକାରଙ୍କୁ ସାଙ୍ଗରେ ଧରି କରୋନା ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଜଗଦାନନ୍ଦ ।

ଜଗଦାନନ୍ଦ ମିଶ୍ରଙ୍କ ଏହି ଅଭିନବ ସଚେତନତା ଅଭିଯାନ ଲୋକଙ୍କୁ ବେଶ୍‌ ପ୍ରଭାବିତ କରୁଥିବା ବେଳେ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।