ରାବଣ ବାଣ୍ଟୁଛି କରୋନାରୁ ବଞ୍ଚିବାର ସଚେତନତାର ବାର୍ତ୍ତା

ବରଗଡ଼:  କଳାକାର ନିଜ କଳାଚାତୁରୀରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥାନ୍ତି । କିନ୍ତୁ ଏବେ କରୋନା କଟକଣା ଯୋଗୁ କଳାକାର ଆଉ କଳା ପ୍ରଦର୍ଶନ କରିପାରୁନାହାନ୍ତି । ହେଲେ କଳାର ସଦୁପଯୋଗ କରି ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ବାହାରି ପଡ଼ିଛନ୍ତି ଜଣେ କଳାକର ।

ଗାଁ ଦାଣ୍ଡରେ ବୁଲି ରାବଣ ମାଗୁଛି ପ୍ରାଣଭିକ୍ଷା । ହେଲେ ନିଜପାଇଁ ନୁହେଁ, ଅନ୍ୟର ଜୀବନ ବଞ୍ଚାଇବାକୁ କରୁଛି ନିବେଦନ । ରାବଣ ବାଣ୍ଟୁଛି ସଚେତନତାର ବାର୍ତ୍ତା । ଏ ହେଉଛନ୍ତି ବରଗଡ଼ ଜିଲ୍ଲାର ଜଗଦାନନ୍ଦ ମିଶ୍ର । ରାବଣ ବେଶରେ ସେ ଏବେ ଘର ଘର ବୁଲି କରୋନାରୁ ସମସ୍ତେ ସୁରକ୍ଷିତ ରହିବା ପାଇଁ ନିବେଦନ କରୁଛନ୍ତି  । ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇବା ପାଇଁ ପ୍ଳାଜ୍‌ମା ଦାନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ମାସ୍କର ଗୁରୁତ୍ୱ ବୁଝାଉଛନ୍ତି  । ଏପରିକି ନିଜ ହାତରୁ ଟଙ୍କା ଖର୍ଚ୍ଚକରି ମାସ୍କ ବଣ୍ଟନ କରିଛନ୍ତି ଜଗଦାନନ୍ଦ ।

କରୋନା ମହାମାରୀ କଳାକାରଙ୍କ ଜୀବିକା ଛଡେଇନେଇଛି  । ହଲେ ହାର ମାନି ନାହାନ୍ତି ଜଗଦାନନ୍ଦ  । ନିଜ ପ୍ରତିଭାର ସଦୁପଯୋଗ କରୁଛନ୍ତି  । ସହଯୋଗୀ ମନ୍ତ୍ରୀ ଓ ସେନାପତି ଭୂମିକାରେ ଅଭିନୟ କରୁଥିବା ଆହୁରି 2 ଜଣ କଳାକାରଙ୍କୁ ସାଙ୍ଗରେ ଧରି କରୋନା ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଜଗଦାନନ୍ଦ ।

ଜଗଦାନନ୍ଦ ମିଶ୍ରଙ୍କ ଏହି ଅଭିନବ ସଚେତନତା ଅଭିଯାନ ଲୋକଙ୍କୁ ବେଶ୍‌ ପ୍ରଭାବିତ କରୁଥିବା ବେଳେ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Leave a Reply