spot_img
Home Blog Page 6577

ସାରା ରାଜ୍ୟରେ ଲଗାଣ ବର୍ଷା, ବନ୍ୟା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୧୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ, ଦେବଗଡ ଓ ଅନୁଗୁଳକୁ ରେର୍ଡ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ୧୧ଟି ଜିଲ୍ଲାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡା ଓ ନବରଙ୍ଗପୁର । ଅନ୍ୟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ବଢୁଛି ବନ୍ୟା ଭୟ । ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବନ୍ୟା ଆଶଙ୍କା କରାଯାଇଛି । ଜଳକା ଓ ବୈତରଣୀରେ ଜଳସ୍ତର ବଢୁଛି । ଜଳ ନିଷ୍କାସନରେ ଅସୁବିଧା ହେବ ବୋଲି ଜଳସଂପଦ ବିଭାଗ ସ୍ପଷ୍ଟ କରିଛି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ବହୁ ସ୍ଥାନକୁ ଏନଡିଆରଏଫ୍ ଓ ଓଡ୍‌ରାଫ୍‌ ପଠାଯିବା ସହ ଶୁଖିଲା ଖାଦ୍ୟ ମହଜୁଦ୍ ରଖାଯାଇଛି । ବନ୍ୟା ଆଶଙ୍କା ଥିବା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସେପଟେ ରାଜ୍ୟରେ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ହାରାହାରି ୬ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! କାର୍‌ରେ ଥିବା ୪ ଜଣଙ୍କ ଚାଲିଗଲା ଜୀବନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ନାଲକୋ ଟ୍ରାଫିକ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ କାର୍‌ ଭିତରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ଗାଡ଼ିରେ ଜଣେ ମହିଳା ମଧ୍ୟ ଥିଲେ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବରରୁ ଏହା ଭୁବନେଶ୍ୱର ନିଳାଦ୍ରି ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ତେଣୁ ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଦୁର୍ଘଟଣାର ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ୪ ଜଣ ଗୋଟିଏ ପରିବାରରର ବୋଲି ଆଶଙ୍କା କରାଯାଉଛି । ତେଣୁ ଏକକାଳିନ ୪ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଘଟଣା ଉପରେ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

https://www.facebook.com/NandighoshaTV/videos/637211660537301/

ଲଙ୍କାଗୁଣ୍ଡ ପିଙ୍ଗି ଲୁଟିନେଲେ ୭ ଶହ ଗ୍ରାମ ସୁନା ଓ ୨୦ କେଜି ରୂପା

ପୁରୁଷୋତ୍ତମପୁର: ଗଞ୍ଜାମରେ କ୍ରାଇମ୍ । ସନ୍ଧ୍ୟା ନଉଁ ନଉଁ ମାତୁଛନ୍ତି ଦୁର୍ବୃତ୍ତ । ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ୍ ସୁନା ଓ ୨୦ କେଜି ରୂପା ଲୁଟି ନେଇଛନ୍ତି ଲୁଟେରା । ବ୍ୟବସାୟୀ ଜଣଙ୍କ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଲୁଟର ଶୀକାର ହୋଇଛନ୍ତି ।

ରାତି ପ୍ରାୟ ୮ଟା ୩୦ ବେଳେ ଛତ୍ରପୁର କାରିଣୀ ବଜାରରେ ଥିବା ମା ସାରାଳା ଜୁଏଲାରୀ ମାଲିକ ଶରତ ଚନ୍ଦ୍ର ସାହୁ ଓ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ନିଜ ଦୋକାନ ବନ୍ଦ ସ୍କୁଟିରେ ଘରକୁ ଯାଉଥିଲେ । ସାଇନଗର ପ୍ରଥମ ଲାଇନରେ ଥିବା ଘରେ ପହଞ୍ଚିବା ପୂର୍ବରୁ ଦମ୍ପତିଙ୍କୁ ଗଳା ଶଙ୍ଖ ରାସ୍ତାରେ ଜଗିଥିଲେ ଦୁର୍ବୃତ୍ତ । ଉଭୟଙ୍କୁ ପ୍ରଥମେ ଲଙ୍କାଗୁଣ୍ଡ ଫିଙ୍ଗିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍କୁଟି ଡିକିରେ ଥିବା ସୁନା ଓ ରୁପା ଅଳଙ୍କରା ଲୁଟି ନେଇଥିଲେ ।

ବ୍ୟବସାୟୀଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ତିନି ତୋଳା ଓଜନର ସୁନା ଚେନ ମଧ୍ୟ ଦୁର୍ବୃତ୍ତ ଲୁଟି ନେଇଥିବା ଜଣାପଡ଼ିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନା ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ଆହାତ ହୋଇଥିବା ବେଳେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଲୁଟ୍ ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୁଟ୍ ଅଲଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ।

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପାଇବେ ପାରା ଆଥଲେଟ୍ ଜୟନ୍ତୀ ବେହେରା

ଭୁବନେଶ୍ୱର: ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ । ଜାତୀୟ କ୍ରୀଡ଼ା ଦିବସ ଆସନ୍ତା ୨୯ ତାରିଖରେ ପୁରସ୍କୃତ ହେବେ ଧାବିକା ଜୟନ୍ତୀ । ୨୦୧୭ ଜୁନିଅର ୱାର୍ଲଡ ପାରା ଆଥଲେଟିକ ଚାମ୍ପିଅନସିପ ଜିତିଥିଲେ ଜୟନ୍ତୀ ।

୪ ଶହ ମିଟର ରେସରେ ସ୍ୱର୍ଣ୍ଣ, ୨ ଶହ ମିଟର ରେସରେ ରୌପ୍ୟ ପଦକ ସହ ପଞ୍ଚମ ଚାଇନା ଓପନ୍ ଆଥଲେଟିକ ଚାମ୍ପିଅନସିପରେ ବି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ । ଏଥିସହ ୨୦୧୮ ଏସିଆନ ପାରାଗେମ୍ସରେ ୪ ଶହରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ ଏସିଆନ ପାରାଗେମ୍ସରେ ୨ ଶହ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ଅନ୍ତର୍ଜାତୀୟରେ ୯ଟି ଓ ଜାତୀୟ ଖେଳରେ ୧୨ଟି ପଦକ ଜିତିଛନ୍ତି ।

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର

ଭଦ୍ରକ: ବାସୁଦେବପୁର ବ୍ଲକ ନଳପାଟଣା ଗାଁର ଶାନ୍ତିଲତା ମଣ୍ଡଳ ନାମକ ଜଣେ ୩୬ ବର୍ଷୀୟା ମହିଳା ଦୀର୍ଘ ୧୫ ଦିନ ଧରି କଟକର ଏକ ଘରୋଇ ସହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କଠାରେ କୋଭିଡ୍ ଭୂତାଣୁ ଚିହ୍ନଟ ହେବାରୁ ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦେଇଥିଲେ । କରୋନା ସଂକ୍ରମଣ ଭୟରେ ଗ୍ରାମବାସୀ ତାଙ୍କୁ ଗାଁରେ ପଶିବାକୁ ଦେଇନଥିଲେ । ଫଳରେ ଆମ୍ବୁଲାନ୍ସଟି ସଂପୃକ୍ତ ମହିଳାଙ୍କୁ ଗାଁ ବାହାରେ ରାସ୍ତାରେ ଛାଡ଼ି ଚାଲି ଯାଇଥିଲା ।

ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ରାସ୍ତା ଉପରେ ରଖି ନିକଟସ୍ଥ କୋଭିଡ୍ ସେଣ୍ଟରକୁ ସ୍ଥାନାନ୍ତର କରିବା ଲାଗି ପ୍ରତିବାଦ କରିଥିଲେ । ଯାହାଫଳରେ ସଂପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହି ସମୟରେ ଅଜୟ ଗିରି ନାମକ ଜଣେ ଯୁବକ ଓଡ଼ିଶା-ମୋ ପରିବାର ସଦସ୍ୟା ସୁନୀତା ବିଶ୍ୱାଳଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଘଟଣା ସମ୍ପର୍କରେ ଜଣିବା ପରେ ସୁନୀତା ବିଶ୍ୱାଳ ଓଡ଼ିଶା-ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କୁ ଜଣାଇଥିଲେ । ଏହାପରେ ଅରୁପ ପଟ୍ଟନାୟକ ତତକ୍ଷଣାତ୍ ଭଦ୍ରକ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିଲେ ।

ଅରୁପଙ୍କ ତତ୍ତ୍ୱାବଧାନରେ ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟ ସଞ୍ଜୀବ ମଲ୍ଲିକ ଏବଂ ସୁନୀତା ବିଶ୍ୱାଳଙ୍କ ସମନ୍ୱୟରେ ଏକ ଆମ୍ବୁଲାନ୍ସ ଯୋଗେ ଆକ୍ରାନ୍ତଙ୍କୁ ନିକଟସ୍ଥ କୋଭିଡ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ସହାୟତା ଲାଗି ସଂପୃକ୍ତ ଆକ୍ରାନ୍ତଙ୍କ ପରିବାରବର୍ଗ ଓଡ଼ିଶା-ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍‌ ମିଟିଂ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର: ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍‌ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାର୫ ଜିଲ୍ଲା ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ବ୍ରହ୍ମପୁର ସାଂଗଠନିକ ଜିଲ୍ଲାର ସମସ୍ତ ଯୁବ ଓ ଛାତ୍ର ନେତା ଯୋଗଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ମତ ପ୍ରଦାନ କରିଥିଲେ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍‌ ମିଟିଂରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ “ଯୁବ ଛାତ୍ର ନେତୃତ୍ୱକୁ ସନ୍ଥ କବି ଭୀମ ଭୋଇ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ୱକୁ ଅନୁକରଣ କରି ସାମାଜିକ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟି ସମ୍ପନ୍ନ ନୀତି ଏବଂ ନେତୃତ୍ୱର ସମାହାରରେ ଆଜି ଓଡ଼ିଆ ଜାତି ସମଗ୍ର ବିଶ୍ୱ ଦରବାରରେ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଆହ୍ୱାନ ରହିଛି “ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ’ ସେହି ଆହ୍ୱାନକୁ ସଙ୍କଳ୍ପ ରୂପେ ଗ୍ରହଣ କରି କୋଭିଡ୍ ପରିଚାଳନାରେ ଏକାଠି ହୋଇ କାମ କରିବା ପାଇଁ ଯୁବ ଛାତ୍ର ନେତୃତ୍ୱକୁ  ପରାମର୍ଶ ଦେଇଥିଲେ ।

ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ଚାନ୍ଦବାଲିବି ଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଏବଂବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ବଢ଼ୁଛି ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ; ଭଦ୍ରକରେ ରାସ୍ତା ଉପରେ ୪ ଫୁଟର ପାଣି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ପ୍ରଭାବରେ ଉପୁଜିଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂରେ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ସଚିବ ଓ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି ମାନେ ଉପସ୍ଥିତ ଥିଲେ । ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି ।

ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି । ଆଜି ରାତି ଠାରୁ ଆସନ୍ତାକାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି । ଆବଶ୍ୟକ ସ୍ଥଳେ ଆଜି ରାତି ସୁଦ୍ଧା ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ, ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ସେବା ୟୁନିଟ୍‌ ବିଭିନ୍ନ ଜିଲ୍ଲାକୁ ପଠା ଯାଇଛି । ନଦୀ ବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରିବା ସହ ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଭଦ୍ରକରେ ରାସ୍ତା ଉପରେ ୪ ଫୁଟ ପାଣିର ବନ୍ୟା ପାଣି ଆସିଛି । ଫଳରେ ଭଣ୍ଡାରିପୋଖରୀରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମାଳଦା ନିକଟ ଶରତା ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ଚାଲୁଛି ।

 

ବିସ୍ଥାପିତ ଆଇନ୍ ଅନୁସାରେ ଜମି ପ୍ରଦାନକୁ ନେଇ ବିରୋଧୀଙ୍କ ପ୍ରଶ୍ନ, ଲୋକେ କହିଲେ କୁଚକ୍ରାନ୍ତ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ସୁଚିନ୍ତିତ ଷଡ଼ଯନ୍ତ୍ର । ଗତ ବର୍ଷ ଠାରୁ କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ସେତେବେଳେ ସ୍ଥାନୀୟ ବାସିନ୍ଦା ତଥା ସେବାୟତ ଉତ୍ସର୍ଗୀକୃତ ମନୋଭାବ ନେଇ ହରାଇଥିଲେ ଭିଟାମାଟି । ସେମାନଙ୍କ ତ୍ୟାଗ ବଦଳରେ ପ୍ରଶାସନ ବିସ୍ଥାପିତ ଆଇନ ଅନୁସାରେ ସେମାନଙ୍କୁ ଜମି ପ୍ରଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଏହା କୁଚକ୍ରାନ୍ତ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସରକାରଙ୍କ ଯୋଜନାକୁ ଶତପ୍ରତିଶତ ସମର୍ଥନ ଦେଲେ ସେବାୟତ ଓ ପୁରୀ ବାସିନ୍ଦା । ଐତିହ୍ୟ କରିଡର ପାଇଁ ୭୫ ମିଟର ଉଚ୍ଛେଦ କାର୍ଯ୍ୟକୁ ସହଯୋଗ କରିବା ସହିତ ସ୍ୱଇଚ୍ଛାରେ ସରକାରଙ୍କୁ ଟେକି ଦେଇଥିଲେ ପୁରୁଷ ପୁରୁଷ ଅମଳର ଭିଟାମାଟି । ସେବାୟତ ମାନଙ୍କ ଘର, ଲଜିଂ ଆଦି ଉଛେଦ କରାଯାଇଥିଲା । କିନ୍ତୁ କାଣିଚାଏ ବି ପ୍ରତିବାଦ କରିନଥିଲେ ଜମି ମାଲିକ । ଐତିହ୍ୟ ନଗରୀ ନିର୍ମାଣରେ ସରକାର ୫୯୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ସବୁ ମହଲରେ ସ୍ୱାଗତ ଓ ସମର୍ଥନ କରାଯାଇଥିଲା । ତେବେ ଦୀର୍ଘ ଏକ ବର୍ଷ ପରେ ବିସ୍ଥାପିତ ଲଜ ମାଲିକ ମାନଙ୍କୁ ବିସ୍ଥାପିତ ଆଇନ ଅନୁଯାୟୀ ଜମି ପ୍ରଦାନ କରାଯାଇଥିବା ବେଳେ ଏହାକୁ ବିରୋଧୀ ଦଳ ବିରୋଧ କରିବାକୁ ଅସହିଷ୍ଣୁ ମନୋଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବଗଲା ଜମି ଆବଣ୍ଟନ ନେଇ ସରକାର ତାଙ୍କର ମତ ସ୍ପଷ୍ଟ କରିଥିବାବେଳେ ସମ୍ପୂର୍ଣ୍ଣ ନିୟମ କାନୁନ୍ ମଧ୍ୟରେ ଜମି ଆବଣ୍ଟନ କରାଯାଇଛି । ବିରୋଧୀଙ୍କ କୁମ୍ଭୀର କାନ୍ଦଣା ନିହାତି ହାସ୍ୟାସ୍ପଦ । ଏପରିକି ବିକାଶ ମୂଳକ କାର୍ଯ୍ୟକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ବିରୋଧୀଙ୍କ ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ । ଜମି ଚାଲିଯାଉଥିବା ସମୟରେ ବିରୋଧୀମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ ଜମି ମାଲିକ । ଲୋକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

ବିଶ୍ୱ ଦରବାରରେ ଶ୍ରୀକ୍ଷେତ୍ରକୁ ଏକ ନମ୍ବର କରିବା ଲକ୍ଷ୍ୟର ସ୍ୱପ୍ନ ଦେଖିଥିବା ସରକାରଙ୍କ ପ୍ରୟାସକୁ ବିରୋଧୀଙ୍କ ବିରୋଧ ସମ୍ପୂର୍ଣ ଭିତ୍ତିହୀନ ଓ ଚକ୍ରାନ୍ତମୂଳକ ବୋଲି କୁହାଯାଉଛି ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଛାଡ଼ିଥିଲେ ଭିଟାମାଟି, ପାଇଲେ ପ୍ରତିଶ୍ରୁତିର ପ୍ଲଟ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରତିଷ୍ଠାରେ ସହଯୋଗ କରି ବିସ୍ଥାପିତଙ୍କ ମଧ୍ୟରୁ ୭ ଜଣଙ୍କୁ ଆଜି ମଙ୍ଗଳାଘାଟ ମୌଜା ନିକଟରେ ପ୍ଲଟ ପ୍ରଦାନ କରାଯାଇଛି । ଉତ୍ସର୍ଗୀକୃତ ବିସ୍ଥାପିତ ପରିବାର ଜମି ବଦଳରେ ଜମି ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ସରକାର ସେମାନଙ୍କୁ ଆଇନତଃ ଆଜି ଭୂମି ପୂଜନ କରି ପ୍ଲଟ୍ ଆବଣ୍ଟନ କରିଛନ୍ତି । ଯାହାକୁ ବିସ୍ଥାପିତ ପରିବାର ସ୍ୱାଗତ କରିବା ସହ ଖୁସି ଜାହିର କରିଛନ୍ତି ।

ପୁରୀର ବିକାଶ ପାଇଁ ବାପା ଜେଜେ ଅମଳର ଭିଟାମାଟିକୁ ଛାଡ଼ି ଥିଲେ । ଐତିହ କରିଡରର ସ୍ୱପ୍ନକୁ ସାକାର କରିବାକୁ ସହଯୋଗର ହାତ ବଢାଇଥିଲେ । ଆଉ ଆଜି ସେହି ତ୍ୟାଗର ପୂଜାରୀଙ୍କୁ ପ୍ରତିଶ୍ରୁତି ମୁତାବକ ଯୋଗାଇ ଦିଆଯାଇଛି ଜମି । ପୁରୀ ମଙ୍ଗଳାଘାଟ ନିକଟରେ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଥମ ଦଫାରେ ସାତ ଜଣ ବିସ୍ଥାପିତଙ୍କୁ ଯୋଗାଇ ଦିଆଯାଇଛି ପ୍ଲଟ୍ । ପ୍ରତ୍ୟେକଙ୍କୁ ୧ ହଜାର ସ୍କୋୟାର ଫୁଟ ପରିମିତ ପ୍ଲଟ ପ୍ରଦାନ କରାଯାଇଛି । ଜମି ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ଼ କରିଛନ୍ତି ସରକାର ।

ବଦଳିଯିବ ପୁରୀର ରୂପରେଖ । ନୂଆ ପୁରୀକୁ ଦେଖିବ ସାରା ବିଶ୍ୱ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦ୍ୟେଶରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ଯେଉଁଥିରେ ବଡ଼ ଦେଉଳ ଚାରିପାଖରୁ ୭୫ ମିଟର ମଧ୍ୟରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ଆଉ ବିସ୍ଥାପନ ପଲିସି ଅନୁସାରେ କ୍ଷତି ପୂରଣ ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଆଉ ଆଜି ସେହିଦିନ ଆସିଛି । ଶ୍ରୀମନ୍ଦିର ନିକଟରୁ ଜମି ହରାଇଥିବା ଲୋକଙ୍କୁ ମିଳିଛି ଜମି । ତ୍ୟାଗକୁ ମିଳିଛି ସମ୍ମାନ । ଆଉ ନିଜ ଇଚ୍ଛା ମୁତାବକ ଜମି ବଦଳରେ ଜମି ପାଇଥିବାରୁ ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ ।

ପୁରୀର ବିକାଶ ପାଇଁ ଅଙ୍କା ସରିଛି ନକ୍ସା । କାଳିଆ ଠାକୁରଙ୍କୁ ଭଲ ପାଉଥିବା ଶ୍ରୀକ୍ଷେତ୍ରବାସୀ ବି ଦେଇଛନ୍ତି ତ୍ୟାଗର ପ୍ରମାଣ । ହେଲେ ଏସବୁ ଭିତରେ ଆରମ୍ଭ ହୋଇ ଯାଇଛି ରାଜନୀତିର ହୀନ ଚକ୍ରାନ୍ତ । ଯାହା ମୁଣ୍ଡ ଟେକୁଛି ସିନା ହେଲେ ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନି ।

https://www.facebook.com/NandighoshaTV/videos/3392212610866350

ବର୍ଷା ଓ ସମ୍ଭାବିତ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି ।

ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି । ଆଜି ରାତି ଠାରୁ ଆସନ୍ତାକାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି । ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି ।

ନଦୀବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡ଼ିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି । ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।