ଲଙ୍କାଗୁଣ୍ଡ ପିଙ୍ଗି ଲୁଟିନେଲେ ୭ ଶହ ଗ୍ରାମ ସୁନା ଓ ୨୦ କେଜି ରୂପା

ପୁରୁଷୋତ୍ତମପୁର: ଗଞ୍ଜାମରେ କ୍ରାଇମ୍ । ସନ୍ଧ୍ୟା ନଉଁ ନଉଁ ମାତୁଛନ୍ତି ଦୁର୍ବୃତ୍ତ । ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଗଳା ଶଙ୍ଖ ରାସ୍ତାରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ବ୍ୟବସାୟୀଙ୍କୁ ଆକ୍ରମଣ କରି ପ୍ରାୟ ୭ ଶହ ଗ୍ରାମ୍ ସୁନା ଓ ୨୦ କେଜି ରୂପା ଲୁଟି ନେଇଛନ୍ତି ଲୁଟେରା । ବ୍ୟବସାୟୀ ଜଣଙ୍କ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଲୁଟର ଶୀକାର ହୋଇଛନ୍ତି ।

ରାତି ପ୍ରାୟ ୮ଟା ୩୦ ବେଳେ ଛତ୍ରପୁର କାରିଣୀ ବଜାରରେ ଥିବା ମା ସାରାଳା ଜୁଏଲାରୀ ମାଲିକ ଶରତ ଚନ୍ଦ୍ର ସାହୁ ଓ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ନିଜ ଦୋକାନ ବନ୍ଦ ସ୍କୁଟିରେ ଘରକୁ ଯାଉଥିଲେ । ସାଇନଗର ପ୍ରଥମ ଲାଇନରେ ଥିବା ଘରେ ପହଞ୍ଚିବା ପୂର୍ବରୁ ଦମ୍ପତିଙ୍କୁ ଗଳା ଶଙ୍ଖ ରାସ୍ତାରେ ଜଗିଥିଲେ ଦୁର୍ବୃତ୍ତ । ଉଭୟଙ୍କୁ ପ୍ରଥମେ ଲଙ୍କାଗୁଣ୍ଡ ଫିଙ୍ଗିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍କୁଟି ଡିକିରେ ଥିବା ସୁନା ଓ ରୁପା ଅଳଙ୍କରା ଲୁଟି ନେଇଥିଲେ ।

ବ୍ୟବସାୟୀଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ତିନି ତୋଳା ଓଜନର ସୁନା ଚେନ ମଧ୍ୟ ଦୁର୍ବୃତ୍ତ ଲୁଟି ନେଇଥିବା ଜଣାପଡ଼ିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁନା ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ଆହାତ ହୋଇଥିବା ବେଳେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଲୁଟ୍ ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ ଓ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୁଟ୍ ଅଲଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ।

Leave a Reply