ବଢ଼ୁଛି ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ; ଭଦ୍ରକରେ ରାସ୍ତା ଉପରେ ୪ ଫୁଟର ପାଣି

Flood Situation

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ପ୍ରଭାବରେ ଉପୁଜିଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂରେ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ସଚିବ ଓ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି ମାନେ ଉପସ୍ଥିତ ଥିଲେ । ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି ।

ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି । ଆଜି ରାତି ଠାରୁ ଆସନ୍ତାକାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି । ଆବଶ୍ୟକ ସ୍ଥଳେ ଆଜି ରାତି ସୁଦ୍ଧା ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ, ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ସେବା ୟୁନିଟ୍‌ ବିଭିନ୍ନ ଜିଲ୍ଲାକୁ ପଠା ଯାଇଛି । ନଦୀ ବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରିବା ସହ ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଭଦ୍ରକରେ ରାସ୍ତା ଉପରେ ୪ ଫୁଟ ପାଣିର ବନ୍ୟା ପାଣି ଆସିଛି । ଫଳରେ ଭଣ୍ଡାରିପୋଖରୀରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମାଳଦା ନିକଟ ଶରତା ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ଚାଲୁଛି ।

 

Leave a Reply