ବିସ୍ଥାପିତ ଆଇନ୍ ଅନୁସାରେ ଜମି ପ୍ରଦାନକୁ ନେଇ ବିରୋଧୀଙ୍କ ପ୍ରଶ୍ନ, ଲୋକେ କହିଲେ କୁଚକ୍ରାନ୍ତ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ସୁଚିନ୍ତିତ ଷଡ଼ଯନ୍ତ୍ର । ଗତ ବର୍ଷ ଠାରୁ କୋଟି କୋଟି ଟଙ୍କା ବ୍ୟୟରେ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ସେତେବେଳେ ସ୍ଥାନୀୟ ବାସିନ୍ଦା ତଥା ସେବାୟତ ଉତ୍ସର୍ଗୀକୃତ ମନୋଭାବ ନେଇ ହରାଇଥିଲେ ଭିଟାମାଟି । ସେମାନଙ୍କ ତ୍ୟାଗ ବଦଳରେ ପ୍ରଶାସନ ବିସ୍ଥାପିତ ଆଇନ ଅନୁସାରେ ସେମାନଙ୍କୁ ଜମି ପ୍ରଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଏହା କୁଚକ୍ରାନ୍ତ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସରକାରଙ୍କ ଯୋଜନାକୁ ଶତପ୍ରତିଶତ ସମର୍ଥନ ଦେଲେ ସେବାୟତ ଓ ପୁରୀ ବାସିନ୍ଦା । ଐତିହ୍ୟ କରିଡର ପାଇଁ ୭୫ ମିଟର ଉଚ୍ଛେଦ କାର୍ଯ୍ୟକୁ ସହଯୋଗ କରିବା ସହିତ ସ୍ୱଇଚ୍ଛାରେ ସରକାରଙ୍କୁ ଟେକି ଦେଇଥିଲେ ପୁରୁଷ ପୁରୁଷ ଅମଳର ଭିଟାମାଟି । ସେବାୟତ ମାନଙ୍କ ଘର, ଲଜିଂ ଆଦି ଉଛେଦ କରାଯାଇଥିଲା । କିନ୍ତୁ କାଣିଚାଏ ବି ପ୍ରତିବାଦ କରିନଥିଲେ ଜମି ମାଲିକ । ଐତିହ୍ୟ ନଗରୀ ନିର୍ମାଣରେ ସରକାର ୫୯୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ସବୁ ମହଲରେ ସ୍ୱାଗତ ଓ ସମର୍ଥନ କରାଯାଇଥିଲା । ତେବେ ଦୀର୍ଘ ଏକ ବର୍ଷ ପରେ ବିସ୍ଥାପିତ ଲଜ ମାଲିକ ମାନଙ୍କୁ ବିସ୍ଥାପିତ ଆଇନ ଅନୁଯାୟୀ ଜମି ପ୍ରଦାନ କରାଯାଇଥିବା ବେଳେ ଏହାକୁ ବିରୋଧୀ ଦଳ ବିରୋଧ କରିବାକୁ ଅସହିଷ୍ଣୁ ମନୋଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବଗଲା ଜମି ଆବଣ୍ଟନ ନେଇ ସରକାର ତାଙ୍କର ମତ ସ୍ପଷ୍ଟ କରିଥିବାବେଳେ ସମ୍ପୂର୍ଣ୍ଣ ନିୟମ କାନୁନ୍ ମଧ୍ୟରେ ଜମି ଆବଣ୍ଟନ କରାଯାଇଛି । ବିରୋଧୀଙ୍କ କୁମ୍ଭୀର କାନ୍ଦଣା ନିହାତି ହାସ୍ୟାସ୍ପଦ । ଏପରିକି ବିକାଶ ମୂଳକ କାର୍ଯ୍ୟକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ବିରୋଧୀଙ୍କ ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ । ଜମି ଚାଲିଯାଉଥିବା ସମୟରେ ବିରୋଧୀମାନେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ ଜମି ମାଲିକ । ଲୋକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

ବିଶ୍ୱ ଦରବାରରେ ଶ୍ରୀକ୍ଷେତ୍ରକୁ ଏକ ନମ୍ବର କରିବା ଲକ୍ଷ୍ୟର ସ୍ୱପ୍ନ ଦେଖିଥିବା ସରକାରଙ୍କ ପ୍ରୟାସକୁ ବିରୋଧୀଙ୍କ ବିରୋଧ ସମ୍ପୂର୍ଣ ଭିତ୍ତିହୀନ ଓ ଚକ୍ରାନ୍ତମୂଳକ ବୋଲି କୁହାଯାଉଛି ।

Leave a Reply