spot_img
Home Blog Page 6564

ଆମାଜନ୍ ସିଇଓଙ୍କୁ ମେଲ୍ କରି ଜଣାଇଲେ ସମସ୍ୟା, ଚୋରି ମୋବାଇଲ୍ ବଦଳରେ ଫେରି ପାଇଲେ ଟଙ୍କା…

ମୁମ୍ୱାଇ: ନୋକିଆ କମ୍ପାନୀର ଏକ ଫିଚର୍ ଫୋନ୍ ଅର୍ଡର କରାଯିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚିନଥିଲା । ପହଞ୍ଚିବା ପୂର୍ବରୁ ହିଁ ଚୋରି ହୋଇଯାଇଥିଲା । ଡେଲଭରୀ ବୟେ ମୋବାଇଲଟିକୁ ଗ୍ରାହକଙ୍କୁ ଦେବା ପରିବର୍ତ୍ତେ ଗେଟ୍ ପାଖରେ ରଖି ଚାଲି ଆସିଥିଲେ । ଯାହା ଫଳରେ ମୋବାଇଲଟି ଚୋରି ହୋଇଥିଲା । ଗ୍ରାହକଙ୍କୁ ମୋବାଇଲ ନମିଳିବା ହେତୁ ସେ ବାରମ୍ୱାର ଆମଜନ କମ୍ପାନୀ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଠାରୁ କେବଳ ନିରାଶା ମିଳିବା ପରେ ସେ ବାଧ୍ୟ ହୋଇ କମ୍ପାନୀ ସିଇଓ ଜେଫ୍ ବେଜୋସଙ୍କୁ ଏକ ମେଲ୍ କରିଥିଲେ ।

ମେଲରେ ତାଙ୍କ ସମସ୍ୟା ଉଲ୍ଲେଖ କରିବା ସହ କମ୍ପାନୀ ପକ୍ଷରୁ କିଭଳି ଭାବେ ତାଙ୍କୁ କେବଳ ପ୍ରତିଶ୍ରୁତି ଛଡା ଅନ୍ୟ କିଛି ମିଳିନଥିଲା ତାହା ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ ଯେ ଆମାଜନକୁ ସମସ୍ୟା ଜଣାଇବା ପରେ ମୋତେ ବାରମ୍ୱାର କେବଳ ଅପେକ୍ଷା କରିବାକୁ କୁହାଯାଇଥିଲା ଯାହା ମୋତେ ନିରାଶ କରୁଛି । ଏଣୁ ଏହି ଘଟଣାରେ ମୁଁ ଆପଣଙ୍କ ହସ୍ତକ୍ଷେପ ଚାହୁଁଛି । ତେବେ ମେଲ୍ ପାଇବାର ତୁରନ୍ତ ପରେ ଜେଫ୍ ବେଜୋସ  କମ୍ପାନୀର ଭାରତ ବିଭାଗ ସହ କଥାବାର୍ତ୍ତା କରି ସମ୍ପୂର୍ଣ୍ଣ ଘଟଣା ଜଣାଇଥିଲେ । ଏହାପରେ ସିସି ଟିଭି ଫୁଟେଜ ଆଧାରରେ ଏକଥା ସ୍ପଷ୍ଟ ହୋଇଥିଲା ଯେ ମୋବାଇଲଟି ଗେଟ୍ ପାଖରୁ ହିଁ ଚୋରି ହୋଇଛି ।

ଡେଲିଭରୀ ବୟେ ସେଠାରେ ମୋବାଇଲ ଛାଡି ଆସିବା ପରେ ହିଁ କେହି ଜଣେ ମୋବାଇଲ ଚୋରି କରି ନେଇଛନ୍ତି । ଏହାପରେ କମ୍ପାନୀ ତରଫରୁ  ଉକ୍ତ ଯୁବକ, ଓମକାର୍ ହନମନ୍ତେଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା । ମୋବାଇଲ ପାଇବା ପରେ ସେ ନିଜ ଖୁସି ଜାହିର କରି ବେଜୋସଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବେଜୋସ୍ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପାଖକୁ ଗ୍ରାହକଙ୍କ ସମ୍ୱନ୍ଧିତ ଆସୁଥିବା ମେଲକୁ ସେ ନିଜ ଚେକ୍ କରନ୍ତି । ଆବଶ୍ୟକ ସ୍ଥଳେ ନିଜ ହସ୍ତକ୍ଷେପ କରନ୍ତି ଅଥବା ଅଭିଯୋଗ ସମ୍ୱନ୍ଧୀତ ବିଭାଗକୁ ମେଲ୍ ଫରଓ୍ୱାର୍ଡ କରନ୍ତି । ସେ କହିଥିବା କଥା ଆଜି ସତ ପ୍ରମାଣିତ ହୋଇଛି । ବିଶ୍ୱର ଏକ ନମ୍ୱର ଧନୀଙ୍କର ଏଭଳି ବ୍ୟବହାର ତାଙ୍କ ନମ୍ରତାକୁ ପ୍ରମାଣ କରୁଛି ।

ନନ୍ଦିଘୋଷ ଟିଭିର ମହାପ୍ରଭାବ, ଖଲ୍ଲିକୋଟର ପୁରାତନ ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ମିଳିଲା ଅର୍ଥରାଶି

ଗଞ୍ଜାମ: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଦୀର୍ଘବର୍ଷ ଧରି ରକ୍ଷଣାବେକ୍ଷଣା ଅଭାବ ଓ ପରିଚାଳନା ତୃଟି ଯୋଗୁଁ ଜରାଜୀର୍ଣ ଅବସ୍ଥାରେ ପଡିରହିଥିବା ଓଡିଶାର ଦ୍ୱିତୀୟ ପୁରାତନ ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ମିଳିଛି ଅର୍ଥରାଶି । ଓଡିଶା ମାନଚିତ୍ରରେ ପର୍ଯ୍ୟଟନର ମାନ୍ୟତା ପାଇଥିବା ଖଲ୍ଲିକୋଟରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ରାଜ୍ୟ ସରକାର ଅର୍ଥରାଶି ପ୍ରଦାନ କରିଛନ୍ତି ।

ଓଡିଶାର ଦ୍ୱିତୀୟ ଜଗନ୍ନାଥ ମନ୍ଦିରର ଦୂର ହେବ ଦୁରାବସ୍ଥା । ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ସରକାର । ମରାମତି ଲାଗି ଅର୍ଥରାଶି ମଞ୍ଜୁରୀ । ଖୁବ୍‌ଶୀଘ୍ର ମରାମତି ହେବା ସହ ପାରିପାର୍ଶ୍ୱିକ ଉନ୍ନତି କରାଯିବ । ଖଲ୍ଲିକୋଟରେ ଥିବା ୨ୟ ଜଗନ୍ନାଥ ମନ୍ଦିରର ଦୁରବସ୍ଥା ନେଇ ନନ୍ଦିଘୋଷ ଟିଭିରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ପରେ ସ୍ଥାନୀୟ ତହସିଲଦାର ମନ୍ଦିର କମିଟି, ଦେବୋତ୍ତର ବିଭାଗ ସହ ମନ୍ଦିରର ସ୍ଥିତି ନେଇ ଆଲୋଚନା କରିଥିଲେ । ଦେବୋତର ବିଭାଗ ଓ ରାଜ୍ୟ ସରକାର ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ଏହାର ମରାମତି ଓ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି ।

ସେପଟେ ସରକାରଙ୍କ ଏଭଳି ପ୍ରୟାସକୁ ଭକ୍ତ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି । ଖଲ୍ଲିକୋଟର ସର୍ବ ପୁରାତନ ଜଗନ୍ନାଥ ମନ୍ଦିରର ଏଭଳି ଦୁରାବସ୍ଥା ଭକ୍ତ ଭାବାବେଗକୁ ଗଭୀର ଆଘାତ ଦେଇଥିଲା । ଯାହାକୁ ନେଇ ନନ୍ଦିଘୋଷ ଟିଭିରେ  ଖବର ପ୍ରସାରଣର ହୋଇଥିଲା । ଦୀର୍ଘଦିନ ଧରି ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲା ।

ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା, ବାଲେଶ୍ୱର ବିଜେଡିରେ ମିଶିଲେ ଆଗଧାଡ଼ିର ନେତା ଓ କର୍ମୀ

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେପିକୁ ଶକ୍ତ ଝଟ୍‌କା । ଶକ୍ତିଶାଳୀ ହେଲା ବିଜେଡି । ଗତଥର ଏଠାରେ ଜିତିଥିବା ବିଜେପିର କିଛି ଆଗଧାଡ଼ିର ନେତା ଆଜି ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ସେପଟେ ବାଲେଶ୍ୱରର ବିକାଶ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଏହା ସହିତ ପ୍ରସଙ୍ଗକୁ ଧରି ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍‌ ନିୟମ ପାଳନ ସହ ପ୍ରଚାର ଚାଲିଛି ।

ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତୁଷାରକାନ୍ତ ବେହେରା ଓ ମଣ୍ଡଳ ସଭାପତି ଶିବାନନ୍ଦ ଦାସଅଧିକାରୀଙ୍କ ସମେତ ଦଳର ଶତାଧିକ କର୍ମୀ ବିଜେଡିରେ ମିଶିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ନବ ଦାସ, ବିଧାୟକ ଦେବୀ ମିଶ୍ର, ବିଜେଡି ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ ।

ବିଜେପିକୁ ଏହି ଧକ୍କ୍କା ବେଳେ ଟାର୍ଗେଟ୍ କରିଛି କଂଗ୍ରେସ । ବାଲେଶ୍ୱରରେ ଏମ୍‌ସ ସାଟେଲାଇଟ୍ ସେଣ୍ଟର ଓ ସୁପର ସ୍ପେଶାଲିଟି ହସ୍‌ପିଟାଲ ପାଇଁ ବିଜେପିର ପ୍ରତିଶ୍ରୁତି କୁଆଡ଼େ ଗଲା ? କଂଗ୍ରେସ ଆରମ୍ଭ କରିଥିବା ବିଭିନ୍ନ ଯୋଜନାକୁ ବିଜେପି ଅଟକାଇ ଦେଇଛି ଓ କଂଗ୍ରେସ କ୍ଷମତାକୁ ଫେରିଲେ ପୁଣି ଆରମ୍ଭ କରିବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେପି ଏହାର ଉତ୍ତର ରଖିଛି । ସେପଟେ କଥାରେ ନୁହେଁ, କାମ କରି ଦେଖାଉଛି ବୋଲି ଦାବି କରିଛି ବିଜେଡି ।

ସେପଟେ ତିର୍ତ୍ତୋଲରେ ନାମାଙ୍କନ ପତ୍ର ଯାଞ୍ଚ ବେଳେ ସମସ୍ତ ୯ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ । ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା, କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ଓ କମ୍ୟୁନିଷ୍ଟ ପାର୍ଟିର ବିଜୟ କୁମାର ଭୋଇଙ୍କ ସହ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି  । ଏହା ମଧ୍ୟରେ ତିନି ପ୍ରମୁଖ ଦଳ ପକ୍ଷରୁ କୋଭିଡ୍‌ କଟକଣା ଭିତରେ ପ୍ରଚାର ଚାଲିଛି । ଆଗକୁ ଷ୍ଟାର୍‌ ପ୍ରଚାରକ ଆସିବେ । ତିନି ପ୍ରମୁଖ ଦଳ ଆହୁରି ପ୍ରସଙ୍ଗ ଧରି ମୁହାଁମୁହିଁ ହେବେ  ।

ଚୋର ନେଇଗଲା ବସ୍‌ ଷ୍ଟପ୍‌, ସୋସିଆଲ ମିଡିଆରେ ପୋଷ୍ଟର ଭାଇରାଲ

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ପୋଷ୍ଟର । ପୋଷ୍ଟରକୁ ଦେଖିଲେ ନଜର ଆସୁଛିଯେ ପୁଣେରେ ଏକ ବସ୍‌ଷ୍ଟପ୍‌ଚୋରି ହୋଇଯାଇଛି । ତେବେ ଗାଡ଼ି ଚୋରି ହେବା ଘଟଣା ଯଦିଓ ସ୍ୱଭାବିକ ତଥାପି ବସ୍‌ଷ୍ଟପ୍‌ଚୋରି ହୋଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।


ପୋଷ୍ଟର ଶେୟାର କରି ଜଣେ ୟୁଜର ଲେଖିଛନ୍ତି କି, କେହି ଜଣେ ମୋ ଅଞ୍ଚଳର ପୂରା ବସ୍‌ଷ୍ଟପ୍‌ଚୋରି କରି ନେଇଯାଇଛି । ପୋଷ୍ଟରରେ ଲେଖାହୋଇଛିଯେ, ଦେବକୀ ପ୍ୟାଲେସ ସାମ୍ନାରେ ଥିବା ଏକ ବସ୍‌ଷ୍ଟପ୍‌ଚୋରି ହୋଇଯାଇଛି । ତେବେ ଉକ୍ତ ସରକାରୀ ସମ୍ପତ୍ତିକୁ କିଏ ଚୋରି କରିଛି ଏପର୍ଯ୍ୟନ୍ତ ତାହାର କୌଣସି ସୂଚନା ମିଳିନାହିଁ । କିନ୍ତୁ ଚୋରି କରିଥିବା ବ୍ୟକ୍ତି ବିଷୟରେ ଯଦି କେହି ସୂଚନା ଦିଅନ୍ତି ତେବେ ତାଙ୍କୁ ପୁରସ୍କାର ସ୍ୱରୂପ ୫ ହଜାର ଟଙ୍କା ପ୍ରଦାନ କରାଯିବ ।

କେହି କେହି ଏହି ମାମଲାକୁ ମଜାଦାର କହୁଥିବା ବେଳେ କେହି କେହି ଏହାକୁ ବିଶ୍ୱାସ କରୁନାହାଁନ୍ତି ଏବଂ ମନଗଢା କାହାଣୀ ବୋଲି କହୁଛନ୍ତି ।

କୋଭିଡ୍ ଓ ଭ୍ୟାକ୍ସିନ୍ ବଣ୍ଟନ ପରିଚାଳନା ଉପରେ ଫୋକସ୍ ଦେବାକୁ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଭିଡ୍ ଓ ଭ୍ୟାକ୍ସିନ ସମ୍ୱନ୍ଧୀତ ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ସମ୍ପୂର୍ଣ୍ଣ ଦେଶରେ ଏହାକୁ ବିତରଣ କରିବା ପାଇଁ ଏକ ପ୍ରମୁଖ ଆହ୍ୱାନ । ସେହିଭଳି ପ୍ରଶାସନିକ ଶୃଙ୍ଖଳା ମଧ୍ୟ ଭ୍ୟାକ୍ସିନ୍ ବଣ୍ଟନ ସମୟରେ ଏକ ପ୍ରମୁଖ କାରକ ହେବ । ଏଣୁ ପରିଚାଳନାକୁ ସକ୍ରିୟ ଓ ସରଳ କରିବା ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଭୌଗଳିକ ସ୍ଥିତି ଓ ବିବିଧତାକୁ ଧ୍ୟାନ ଦେଇ କିଭଳି ଭାବେ ଭ୍ୟାକ୍ସିନ ବଣ୍ଟନକୁ ଏକ ଶୃଙ୍ଖଳିତ ଉପାୟରେ କରାଯାଇପାରିବ ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବିତରଣକୁ ସକ୍ରିୟ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଶକ୍ତ ଭାବେ ଲାଗୁ କରିବାକୁ ପଡିବ । ସେହି ପରିଚାଳନାଗତ ନିଷ୍ପତ୍ତିର ବିକେନ୍ଦ୍ରୀକରଣ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ତେଣୁ କିଭଳି ଭାବେ ପରିଚାଳନାଗତ ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦେବା ପାଇଁ ନରେନ୍ଦ୍ର ମୋଦି କହିଛନ୍ତି ।

ସେହିଭଳି ପରିଚାଳନା ପାଇଁ ତୃଣମୂଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଏକ ଶୃଙ୍ଖଳ ପ୍ରସ୍ତୁତ କରାଯିବ । ବିତରଣରେ ସବୁ ସ୍ତରରେ ପ୍ରଶାସନକୁ ଦାୟିତ୍ୱ ମିଳିବ । ପଞ୍ଚାୟତଠାରୁ ଆରମ୍ଭ କରି କେନ୍ଦ୍ର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଭୂମିକା ରହିବ । ଯାହା ଦ୍ୱାରା ବିତରଣରେ ସ୍ୱଚ୍ଛତା ରହିବା ସହ ଭ୍ୟାକ୍ସିନ ବଣ୍ଟନ ସହଜ ହୋଇପାରିବ ।

ବସ୍ ମାଲିକ କରୁଥିଲେ ବସ୍‌ରୁ‌ ଦାଦାବଟି ଆଦାୟ, ଆଣ୍ଟି ଏକ୍ସଷ୍ଟ୍ରୋସନ ଟାସ୍କ ଫୋର୍ସ କଲା ଗିରଫ

ଭୁବନେଶ୍ୱର: ଜୋରଦାର ହେଲା ଦାଦାବଟି କୁ ନା । ଖଣ୍ଡଗିରି ଅଞ୍ଚଳରୁ ଭରତ ପ୍ରଧାନକୁ ଉଠାଇଲା ଆଣ୍ଟି ଏକ୍ସଷ୍ଟ୍ରୋସନ ଟାସ୍କ ଫୋର୍ସ । ବସରୁ ବଟି ମାଗିବା ଅଭିଯୋଗରେ ଉଠାଇଲା ଟିମ । ସେ ବସ୍‌ ମାନଙ୍କ ଠାରୁ ଜୋରଜବରଦସ୍ତି ଦାଦାବଟି ଆଦାୟ କରୁଥିଲେ । ଏଥିପାଇଁ ବସଷ୍ଟାଣ୍ଡରେ ଅରଜାକତା ପରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଭରତ ଆସୋସିଏସନ ବ୍ୟତିତ ଅନ୍ୟ କୌଣସି ବସ ଷ୍ଟାଣ୍ଡରୁ ବାହାରିଲେ ୨୦୦୦ ଟଙ୍କା ଏବଂ ସିଟ ପିଛା କମିଶନ ମାଗୁଥିଲା ।

ଖାଲି ସେତିକି ନୁହେଁ ଭୁବନେଶ୍ୱରରୁ ହ୍ରାଇଦ୍ରାବାଦ ଟିକେଟ ଦେଉଥିଲା। କିନ୍ତୁ ମାଲକାନାଗିରିକ ତାର ବସ ଯାଉଥିଲେ । ଯେଉଁଥିପାଇଁ ଲୋକେ ବହୁତ ଅସୁବିଧାର ସାମ୍ନା କରୁଥିଲେ । ଏଭଳି ଅଭିଯୋଗ ପରେ ଗିରଡ଼ କରିଛି ଆଣ୍ଟି ଏକ୍ସଷ୍ଟ୍ରୋସନ ଟାସ୍କ ଫୋର୍ସ । ସବୁଠାରୁ ବଡ଼ କଥା ଳହେଉଛି ବଟି ଆଦାୟ କରୁଥିବା ବ୍ୟକ୍ତିଙ୍କର ରହିଛି ୧୦ ରୁ ଅଧିକ ବସ୍‌ । ତେବେ ସେ କଣ ପାଇଁ ଭରତ ଆସୋସିଏସନ ବସ୍‌ ଠାରୁ ଦାଦାବଟି ଆଦାୟ କରୁନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ଶୁକ୍ରବାର କମିଶନରେଟ ପୋଲିସ ପକ୍ଷରୁ ଦାଦାବଟିକୁ ନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଟ୍ୱିନ୍‌ସିଟିରେ ଦାଦାବଟି ଆଦାୟକୁ ରୋକିବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ ଟାକ୍ସ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି । ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।

କେତେ କାମ କରିଛି ବିହାର ସରକାର, ସାଧାରଣ ନିର୍ବାଚନ ପୂର୍ବରୁ NDA ଦେଲା ରିପୋର୍ଟ କାର୍ଡ..

ପାଟନା: ବିହାର ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଇତି ମଧ୍ୟରେ ନୀତିଶ ସରକାରଙ୍କ ଗତ ୫ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛି ଏନଡିଏ । ମୋଟାମୋଟୀ ଭାବେ କହିଲେ, ନୀତିଶ ସରକାର ପୂର୍ବ ସାଧାରଣ ନିର୍ବାଚନଗୁଡିକରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ପୁଣି ଥରେ ଜନାଦେଶ ପାଇଁ ହାଜିରା ପକାଇଛି ବୋଲି ଏନଡିଏ ରିପୋର୍ଟ କାର୍ଡରେ ଦର୍ଶାଯାଇଛି । ୨୦୧୫ ମସିହାରେ ନୀତିଶ ସରକାର ‘ସାତ୍ ନିଶ୍ଚୟ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିହାରର ୭ଟି ପ୍ରମୁଖ ପ୍ରସଙ୍ଗ ଉପରେ ସରକାର ଦୃଷ୍ଟି ଦେବା ପାଇଁ ବଦ୍ଧପରିକର ଥିଲେ ଓ ଏସବୁ କରିବାରେ ସରକାର ସଫଳ ପ୍ରୟାସ କରିଛନ୍ତି ବୋଲି ଦାବି କରାଯାଇଛି ।

କ’ଣ ଥିଲା ୭ ପ୍ରସଙ୍ଗ-

୧. ଗାଁକୁ ରାସ୍ତା-

ସରକାରଙ୍କର ସବୁଠାରୁ ପ୍ରମୁଖ ଲକ୍ଷ୍ୟ ଥିଲା, ବିହାରର ପ୍ରତି ଗାଁକୁ ରାସ୍ତା ନିର୍ମାଣ କରିବା । ଗ୍ରାମୀଣ ବିହାରକୁ ଯୋଗାଯୋଗ ବଢାଇବା ଉଦ୍ଦେଶ୍ୟରେ ସରକାର ଏଭଳି ପ୍ରତିଶ୍ରୁତି ପ୍ରାଥମିକତା ଦେଇ ସଫଳତା ମଧ୍ୟ ହାସଲ କରିଛନ୍ତି । ଏଥିପାଇଁ ବିଗତ ଦିନରେ ୭୮ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଏବେ ବିହାରର ପ୍ରତି ଗାଁକୁ ରାସ୍ତା ରହିଛି ବୋଲି ଏନଡିଏ ଦାବି କରିଛି । ଅନ୍ୟପକ୍ଷରେ ଏନଡିଏର ଏହି ଦାବିକୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ଅଜାଣତରେ ଖାରିଜ୍ କରିଛନ୍ତି । ନିକଟ ଅତୀତରେ ନୀତିଶ ସ୍ୱୀକାରୋକ୍ତିରେ କହିଛନ୍ତି ଯେ, ବିହାର ଗ୍ରାମୀଣ ଅଞ୍ଚଳକୁ ସଡକ ପହଞ୍ଚାଇବାର ପ୍ରୟାସ ଶେଷ ହୋଇନାହିଁ ଓ ତାଙ୍କୁ ପୁଣି ଥରେ ନିର୍ବାଚିତ କଲେ ସେ ଅଧୁରା କାମ ଶେଷ କରିପାରିବେ ବୋଲି ସାଧାରଣରେ ଅପିଲ୍ କରିଛନ୍ତି ।

ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା-

ନୀତିଶ ସରକାର ନିଜ ୨ୟ ପ୍ରତିଶ୍ରୁତିରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ନେଇ ଯୁକ୍ତି ବାଢିଥିଲେ । ତାଙ୍କ ଦାବି ଥିଲା ୨୦୨୦ ପୂର୍ବରୁ ରାଜ୍ୟର ପ୍ରାୟ ସମସ୍ତ ଘରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ ହେବ । ସରକାରକୁ ଆସିବା ପରେ ଏଇ ପ୍ରସଙ୍ଗକୁ ପ୍ରାଥମିକତା ମିଳିଛି । ୫୫ ହଜାର ୬ଶହ କୋଟି ଟଙ୍କାର ବଜେଟ ମାଧ୍ୟମରେ ବିହାରର ଘରେ ଘରେ ବିଦ୍ୟୁତ ସେବା ପହଞ୍ଚିବାର ସ୍ୱପ୍ନ ଆଉ ବେଶୀ ଦୂର ନୁହେଁ ବୋଲି ଏନଡିଏ ରିପୋର୍ଟ କାର୍ଡରେ ଦର୍ଶାଇଛି । କୁହାଯାଇଛି ଯେ, ବିହାରରେ ନୀତିଶ ସରକାର ପୂର୍ବରୁ ବିଦ୍ୟୁତ୍ ସେବାରେ ବ୍ୟାପକ ଅବ୍ୟବସ୍ଥା ଥିଲା । ନୀତିଶ ସରକାରରେ ସ୍ଥିତି ସୁଧୁରିଛି । ସେହିଭଳି କେନ୍ଦ୍ର ସରକାରଙ୍କର ସୌଭାଗ୍ୟ ଯୋଜନା ମାଧ୍ୟମରେ ବିହାର ସମସ୍ତ ୩୯ ହଜାର ୭୩ଟି ଗ୍ରାମର ବିଦ୍ୟୁତିକରଣ ହୋଇସାରିଛି ।

ଗ୍ରାମୀଣ ପାନୀୟ ଜଳ ସୁବିଧା-

ସେହିଭଳି ୩ୟ ଲକ୍ଷ୍ୟ ଥିଲା ବିହାରରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା । ଗ୍ରାମୀଣ ଅଞ୍ଚଳରେ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା ହୋଇଥିବା ହେତୁ ବିହାର ସରକାର ଏହା ଉପରେ ଯଥେଷ୍ଟ ଫୋକସ୍ ଦେଇଛି । ଏଥିପାଇଁ ୪୭ ହଜାର ୭ଶହ କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇଥିଲା । ତେବେ ଏହି କ୍ରମରେ ୧ କୋଟି ୬୨ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କର ହର୍ ଘର୍ ନଲ୍ କା ଜଲ୍ ଯୋଜନାରେ ଶୁଦ୍ଧ ପାନୀୟ ଜଳ ପାଇ ପାରୁଛନ୍ତି । ଏନଡିଏର ଏହି ଦାବିକୁ ଆଖି ବନ୍ଦ କରି ବିଶ୍ୱାସ କରିବା ଏକ ପ୍ରକାରର ମୂର୍ଖାମୀ ହେବ । ଜନ ସ୍ୱାସ୍ଥ୍ୟ ଯନ୍ତ୍ରୀ ବିଭାଗର ତଥ୍ୟ ଅନୁଯାୟୀ, ବିହାରରେ ଏଭଳି ୮୯୬ ପଞ୍ଚାୟତ ରହିଛି ଯେଉଁଠାରେ ଭୂତଳ ଜଳର ମାନ ଅତି ନିମ୍ନମାନର । ଆର୍ସେନିକ ଓ ଫ୍ଲୋରିଡ୍ ପ୍ରଭାବରେ ଏହି ଜଳ ଏବେ ପାନୀୟ ଉପଯୋଗୀ ହୋଇନାହିଁ । ୮୯୬ ପଞ୍ଚାୟତରେ ରହୁଥିବା ଲୋକଙ୍କ ପାଖରେପାନୀୟ ଜଳ ପହଞ୍ଚାଇବା ପାଇଁ କେଉଁ କେଉଁ ସରକାରୀ ଉଦ୍ୟମ ହୋଇଛି, ସେନେଇ କୌଣସି ତଥ୍ୟ ଏନଡିଏ ରିପୋର୍ଟ କାର୍ଡରେ ଉଲ୍ଲେଖ ହୋଇନାହିଁ ।

ଘରେ ଘରେ ପାଇଖାନା-

୨୮ ହଜାର ୭ଶହ କୋଟି ଟଙ୍କା ବିନିମୟରେ ଘରେ ଘରେ ପାଇଖାନା ନିର୍ମାଣ ପାଇଁ ସରକାର ବଦ୍ଧପରିକର ଥିଲେ । ମାତ୍ର ଦୁର୍ଭାଗ୍ୟଜନକ ଭାବେ ଏନେଇ ଏନଡିଏ ରିପୋର୍ଟ କାର୍ଡରେ ସାମାନ୍ୟତନ ଆଲୋଚନା ହୋଇନାହିଁ । ସରକାର ନିଜ ମୁହଁରେ ଏହାକୁ ସଫଳତା ବୋଲି କହିବାକୁ ସାହାସ କରୁନଥିବା ବେଳେ ବାସ୍ତବତା କଣ ତାହା ଅନୁମେୟ । ଅବଶ୍ୟ ନୀତିଶ ବିଗତ ଦିନରେ ଦାବି କରି ଆସିଛନ୍ତି ଯେ ବିହାର ପାଇଖାନା ନିର୍ମାଣ ପାଇଁ ପ୍ରତି ପରିବାରକୁ ୧୨ ହଜାର ଟଙ୍କା ଲେଖାଏଁ ଦିଆ ସରିଛି । ମାତ୍ର ସରକାର ତଥ୍ୟ ଅନୁଯାୟୀ, ଏବେ ମଧ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କ ପାଖରେ ଏହି ସହାୟତା ରାଶି ପହଞ୍ଚିପାରିନାହିଁ ।

ଦକ୍ଷତା ବିକାଶ-

ଅନ୍ୟପକ୍ଷରେ ବିହାର ସରକାର ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ୪୯ ହଜାର ୮ଶହ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଥିଲା । ତେବେ ଏନଡିଏ ରିପୋର୍ଟ କାର୍ଡରେ ଏକଥା ଉଲ୍ଲେଖ କରାଯାଇଛି ଯେ, ସ୍ୱାଧୀନ ବିହାରର ପ୍ରଥମ ୫୮ ବର୍ଷରେ ରାଜ୍ୟରେ ଗୋଟିଏ ମାତ୍ର ସରକାରୀ ଇଞ୍ଜିନିୟରିଂ କଲେଜ ଥିଲା । ନୀତିଶ ସରକାରରେ ଏହି ସଂଖ୍ୟା ୩୮ରେ ପହଞ୍ଚିଛି ।

ଉଚ୍ଚ ଶିକ୍ଷାର ବିକାଶ-

ସେହିଭଳି ଉଚ୍ଚ ଶିକ୍ଷା କ୍ଷେତ୍ରରେ ସରକାର ନିଜର ପ୍ରତିଶ୍ରୁତୁ ପୂରଣରେ ସଫଳ ହୋଇଛି ବୋଲି ଏନଡିଏ କହିଛି । ୧୧ଶହ ୯୧ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ ସ୍କିମ୍ ମାଧ୍ୟମରେ ଗରିବ ମେଧାବୀ ଛାତ୍ରଙ୍କର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗ କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ବିହାର ସରକାରଙ୍କ ସମାନ ଯୋଜନାକୁ ଛାତ୍ରଛାତ୍ରମାନେ ବହୁ ସଂଖ୍ୟାରେ ବିରୋଧ କରିଥିଲେ । ଅଭିଯୋଗ ଥିଲା ଯେ, ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରାବଧାନ ରହିଥିଲା । ମାତ୍ର ଏହାଠାରୁ କମ୍ ଟଙ୍କା ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ।

ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ-

୭ମ ଲକ୍ଷ୍ୟ ଥିଲା ସରକାରୀ ଚାକିରୀରେ ୩୫ ପ୍ରତିଶତର ସଂରକ୍ଷଣ । ମହିଳାଙ୍କୁ । ଯାହା ଏନଡିଏ ସରକାରକୁ ଆସିବାର ତୁରନ୍ତ ପରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ସାରା ରାଜ୍ୟରେ ଏହାକୁ ଲାଗୁ କରିଥିଲେ ।

ସିଂହଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ, ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା

ପୁରୀ: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଂହଦ୍ୱାର ସମ୍ମୁଖରେ ଠିହାହୋଇ ମହାପ୍ରଭୁଙ୍କୁ ଦର୍ଶନ କଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁରୀ ଗସ୍ତ କରିଥିଲେ । ସାଙ୍ଗରେ ଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସହ ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଥିଲେ ।

ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କଟକଣା କୋହଳ ହେଲା ପରେ ଏବେ ଜୋରସୋରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ସେପଟେ ସମୀକ୍ଷା ପରେ ପ୍ରତିକ୍ରିୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭିଜନ ଅନୁସାରେ ସବୁ କାମ ଚାଲିଛି । ଆଜି ପୁରା ଶ୍ରୀମନ୍ଦିିରର ଚତୁଃପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ଦକ୍ଷିଣ ଦ୍ୱାର ନିକଟରେ ଥିବା ପଂଜାବୀ ମଠ, ଗଣ୍ଡୁଆ ଚଉରା ନିକଟ ନେପାଳ ଭବନ, ପଶ୍ଚିମ ଦ୍ୱାର ନିକଟ ତଥା ମେଘନାଦ ପ୍ରାଚୀର କୁ ଲାଗି ଥିବା ଏକ ଇଲେକ୍ଟ୍ରି ଅଫିସ ମଧ୍ୟକୁ ଯାଇଥିଲେ । କାହିଁକି ୭୫ ମିଟର ପରିଧି ମଧ୍ୟରେ ଏହି ଅଫିସ ରହିଛି ତାହା ପଚାରି ବୁଝିଥିଲେ ।

ଦେଢ଼ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଡ୍ରିମ ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ୭୫ ମିଟରର ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡରର ଉନ୍ନତିକରଣ କରାଯିବ । ତେବେ ଏହି ଉନ୍ନତିକରଣ ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର ୩ ମାସ ଭିତରେ ଭୂମି ଅଧିଗ୍ରହଣ କାର୍ଯ୍ୟ ସରିଯିବ ବୋଲି  କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ଛଡ଼ା ପୁରୀର ଅନ୍ୟ ସବୁ ପ୍ରୋଜେକ୍ଟକୁ ମଧ୍ୟ ସମୀକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିକ୍ରମା କେମିତି ହେବ ଓ ଆର୍କିଟକଚର କଣ ରହିବ ସେନେଇ ସମୀକ୍ଷା କରି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ତାଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ପ୍ଲାନ ରଖାଯାଇଥିଲା । ସେ ବଡ଼ ଦାଣ୍ଡ ଉପରେ ପ୍ଲାନର ବ୍ଲୁ ପ୍ରିଣ୍ଟ ଦେଖିଥିଲେ । ଦୁଇଟ ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ହୋଇଛି  । ଅନ୍ୟ ୩ଟି ପ୍ରୋଜେକ୍ଟର କାର୍ଯ୍ୟ ଆଉ ୩ ମାସ ମଧ୍ୟରେ ଆରମ୍ଭ ହୋଇଯିବ । ତେବେ ପୁରୀରେ ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଛି ସେସବୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସବୁ ଠିକ୍ ଭାବରେ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆଗକୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ, ହେଲେ ଶ୍ରୀମନ୍ଦିର ଖୋଲିବା ନେଇ ହୋଇନି ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବାବେଳେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ ବ୍ୟବସ୍ଥା କରିବା ପାଇଁ ମତ ପ୍ରକାଶ ପାଇଛି । ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି । କେହି କେହି ଅନ୍‌ଲାଇନ୍‌ ଦର୍ଶନ ନେଇ ମତ ରଖିଥିବା ବେଳେ କେହି ଏହାକୁ ବିରୋଧ କରିଛନ୍ତି ।

ଆସନ୍ତା ନଭେମ୍ବର ୨୭ ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଦୀର୍ଘବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଯୋଗ ପଡୁଥିବାରୁ ଭକ୍ତ ଅପେକ୍ଷା କରିଛନ୍ତି । କିନ୍ତୁ କୋଭିଡ୍‌ କଟକଣା ଭିତରେ କେମିତି ମିଳିବ ବେଶ ଦର୍ଶନ ? କରୋନା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଭିଡିଓ ଗ୍ରାଫି ମାଧ୍ୟମରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ ବ୍ୟବସ୍ଥା କରିବାକୁ ମତ ପ୍ରକାଶ ପାଇଛି । ତେବେ ଏହା ପରମ୍ପରା ବିରୋଧୀ ଓ ଭିଡିଓ ଗ୍ରାଫି ଦର୍ଶନ ବିରୋଧରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଧର୍ମମାସ କାର୍ତ୍ତିକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଛି ।

ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ମାନିବା ଉଚିତ୍ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି ମତ । ଶ୍ରୀମନ୍ଦିର ଖୋଲିଲେ ସରକାର ଏନେଇ ସ୍ୱତନ୍ତ୍ର ଏସ୍‌ଓପି କରିବାକୁ ମତ ପ୍ରକାଶ ପାଇଛି । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇ ଛିଡା ହୋଇଛି ଅଦୃଶ୍ୟ ଭୂତାଣୁ । କେବେ ଶ୍ରୀମନ୍ଦିର ଖୋଲିବ, କେବେ ମିଳିବ ଦର୍ଶନ ତାକୁ ହିଁ ଭକ୍ତଙ୍କ ଅପେକ୍ଷା  ।

ଆଜିଠାରୁ ଆରମ୍ଭ ହେଲା ମାଆଙ୍କ ନବରାତ୍ରୀ ପୂଜା, ଜାଣନ୍ତୁ ସବୁ ରୂପର ମହିମା

0

ଆଜିଠାରୁ ଆରମ୍ଭ ହୋଇଛି ମାଆ ଦୂର୍ଗାଙ୍କ ନବ ଦିନାତ୍ମକ ପର୍ବ । ୯ ଦିନ ଯାଏ ଏହି ପର୍ବ ମାଆ ଆଦିଶକ୍ତିଙ୍କ ୯ଟି ରୂପକୁ ସମର୍ପିତ ରହିବ । ଚଳିତ ବର୍ଷ ନବରାତ୍ରୀ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ଯାଏ ଚାଲିବ । ଦଶହରା ସହ ଏହି ପର୍ବର ସମାପନ ହେବ । ଏହି ଉପଲକ୍ଷେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ମାଆ ଦୁର୍ଗାଙ୍କ ୯ଟି ରୂପ ଏବଂ ଏହାର ମହିମା ବିଷୟରେ ।

୧. ମାଆ ଶୌଳପୂତ୍ରୀ

ମାଆ ଦୁର୍ଗାଙ୍କ ପ୍ରଥମ ରୂପ ହେଉଛି ଶୌଳପୂତ୍ରୀ । ଏହା ବନଦୁର୍ଗାଙ୍କ ମଧ୍ୟରୁ ପ୍ରଥମ ରୂପ ଅଟେ । ପର୍ବତ ରାଜା ହିମାଳୟଙ୍କ କନ୍ୟା ହୋଇଥିବାରୁ ତାଙ୍କୁ ଶୌଳପୂତୀ କୁହାଯାଏ ।

୨. ମାଆ ବ୍ରହ୍ମଚାରିଣୀ

ମାଆ ଦୁର୍ଗାଙ୍କ ଦ୍ୱିତୀୟ ରୂପ ହେଉଛି ବ୍ରହ୍ମଚାରିଣୀ । ଧଳା ବସ୍ତ୍ର ପିନ୍ଧି, ଗୋଟିଏ ଘରେ ହାତରେ ଅଷ୍ଟଦଳର ମାଳା ଓ ଆଉ ଗୋଟେ ହାତରେ କମଣ୍ଡଳ ଧରିଥାନ୍ତି । ତପ ଆଚରଣ କରୁଥିବା କାରଣରୁ ତାଙ୍କୁ ବ୍ରହ୍ମଚାରିଣୀ କୁହାଯାଇଥାଏ ।

୩. ମାଆ ଚନ୍ଦ୍ରଘଣ୍ଟା

 

ଦୁର୍ଗାଙ୍କ ତୃତୀୟ ରୂପର ହେଉଛି ଚନ୍ଦ୍ରଘଣ୍ଟା । ମାଆ ଏଥିରେ ଶକ୍ତିର ରୂପରେ ବିରାଜମାନ, ମସ୍ତକରେ ଚନ୍ଦ୍ରମାକୁ ଧାରଣ କରିଥାନ୍ତି । ତୃତୀୟ ଦିନରେ ମାଆ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଇଥାଏ ।

୪. ମାଆ କୁଷ୍ମାଣ୍ଡା

 

ମାଆ ଦୁର୍ଗାଙ୍କ ଚତୁର୍ଥ ରୂପ ହେଉଛି କୁଷ୍ମାଣ୍ଡା । ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ତାଙ୍କୁ କୁଷ୍ମାଣ୍ଡା କୁହାଯାଇଥାଏ । ମାଆ କୁଷ୍ମାଣ୍ଡା ନିଜ ଭକ୍ତଙ୍କୁ ସମସ୍ତ ସଙ୍କଟ, ରୋଗ, ଶୋକକୁ ନାଶ କରି ଯଶ, ଆୟୁ, ବୁଦ୍ଧି ପ୍ରଦାନ କରିଥାନ୍ତି ।

୫. ମାଆ ସ୍କନ୍ଦମାତା

ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଏ । କାର୍ତ୍ତୀକେୟଙ୍କ ମାଆ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ ।

୬. ମାଆ କାତ୍ୟାୟନୀ

ମାଆ ଦୁର୍ଗାଙ୍କ ଷଷ୍ଠ ଅବତାରକୁ କାତ୍ୟାୟନୀ କୁହାଯାଏ । ମହର୍ଷି କାତ୍ୟାୟନଙ୍କ ଘରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କୁ କାତ୍ୟାୟନୀ କୁହାଯାଇଥାଏ । ମାଆ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ।

୭. ମାଆ କାଳରାତ୍ରୀ

ମାଆ ଦୁର୍ଗାଙ୍କ ସପ୍ତମ ଅବତାର କାଳରାତ୍ରୀ ଅଟେ । ମାଆ କାଳରାତ୍ରୀଙ୍କ ସ୍ୱରୂପ ଦେଖିବାକୁ ଭୟଙ୍କର ଅଟେ । କିନ୍ତୁ ସର୍ବଦା ଶୁଭଫଳ ଦେଉଥିବାରୁ ତାଙ୍କୁ ଶୁଭଙ୍କରୀ ମଧ୍ୟ କୁହାଯାଏ ।

୮. ମାଆ ମହାଗୌରୀ

ମାଆ ଦୁର୍ଗାଙ୍କ ଅଷ୍ଟମ ରୂପ ମହାଗୌରୀ ଅଟେ । କଠୋର ତପସ୍ୟା କରି ସେ ପାର୍ବତୀ ରୂପରେ ମହାଦେବଙ୍କୁ ପାଇଥିଲେ । ମାତାଙ୍କ ଭକ୍ତିରେ ସମସ୍ତ ପାପ ନାଶ ହୋଇଥାଏ ।

୯. ମାଆ ସିଦ୍ଧିଦାତ୍ରୀ

ମାଆ ଦୁର୍ଗାଙ୍କ ନବମ ରୂପ ସିଦ୍ଧିଦାତ୍ରୀ ଅଟେ । ସମସ୍ତ ପ୍ରକାର ସିଦ୍ଧି ପ୍ରଦାନ କରୁଥିବା ମାଆ ସିଦ୍ଧିଦାତ୍ରୀ ଭକ୍ତଙ୍କୁ ସର୍ବଦା ରକ୍ଷା କରିଥାନ୍ତି ।