spot_img
Home Blog Page 6467

ଖସୁଛି ତାପମାତ୍ରା, ୨ ରୁ ୩ ଡିଗ୍ରୀକୁ ଖସିପାରେ ପାରା

ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ପାଣିପାଗର ମିଜାଜ । ୨ ରୁ ୩ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା । ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ତାମମାତ୍ରା କମିବ ବୋଲି ପାଣିପାଗ ବିଭାଗ  ବିଶେଷଜ୍ଞ ଅନୁମାନ କରିଛନ୍ତି । ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୮ ଡିଗ୍ରୀ ରହିଛି । ସେହିପରି ଓଡ଼ିଶାର ୫ଟି ସ୍ଥାନରେ ୧୫ ଡିଗ୍ରୀ କିମ୍ବା ତା’ଠାରୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୨୦ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Winter

ସେହିଭଳି କନ୍ଧମାଳରେ ଲାଗିରହିଛି ଶୀତ ଲହରୀ । ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ା, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ଧିରେ ଧିରେ ପାରଦ ଖସିବା ସହ ଘନ କୁହୁଡ଼ିର ଆସ୍ଥରଣ ଦେଖିବାକୁ ମିଳୁଛି । କରୋନା କଟକଣା ଯୋଗୁଁ ପାର୍କ, ଷ୍ଟାଡିୟମ ବନ୍ଦ ରହିଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଶୀତୁଆ ସକାଳକୁ ବେଶ ଉପଭୋଗ କରୁଛନ୍ତି ଅଞ୍ଚଳବାସୀ । ସେପଟେ ଘନ କୁହୁଡି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି ।

ପୁଣି ଆରମ୍ଭ ହେଲା Flipkartର ବିଗ୍ ଦିପାବଳୀ ସେଲ୍, ଦମଦାର ଅଫରରେ ମିଳିବ ଏହି ସବୁ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଫ୍ଲିପକାର୍ଟ ବିଗ୍ ଦିୱାଲୀ ସେଲର ଦ୍ୱିତୀୟ ଏଡିସନ୍ ପୁଣି ଆରମ୍ଭ ହୋଇଛି । କେବଳ ଫ୍ଲିପକାର୍ଟ ପ୍ଲସ୍ ସଦସ୍ୟମାନଙ୍କ ପାଇଁ ଏହି ସେଲ୍ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି । ଅନ୍ୟ ଗ୍ରାହକଙ୍କ ପାଇଁ ଆଜି ମଧ୍ୟ ରାତ୍ରି ତଥା ୮ ତାରିଖରୁ ଏହି ସେଲ୍ ଆରମ୍ଭ ହେବ । ଏହି ସେଲ୍ ନଭେମ୍ବର ମାସ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଫ୍ଲିପକାର୍ଟର ସେଲରେ ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ଅନେକ ପ୍ରୋଡକ୍ଟ ଉପରେ ରିହାତି ଦିଆଯିବ । ଫ୍ଲିପକାର୍ଟ ସେଲ୍ ପାଇଁ ଆକ୍ସିସ୍ ବ୍ୟାଙ୍କ, ସିଟି ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସହ ସହଭାଗୀ ହୋଇଛି।ସେଥିପାଇଁ , ଗ୍ରାହକମାନେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କାରବାର ଉପରେ ୧୦ ପ୍ରତିଶତ ରିହାତି ପାଇବେ ।  ଏହା ବ୍ୟତୀତ କମ୍ପାନୀ ବଜାଜ ଫିନ୍ସର୍ଭ, ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସହିତ ବିନା ମୂଲ୍ୟରେ EMI ଅପସନ ମଧ୍ୟ ପ୍ରଦାନ କରିବ। ତେବେ କେଉଁ ସ୍ମାର୍ଟଫୋନ୍ ରେ କଣ ଅଫର୍ସ ରହିଛି ଆସନ୍ତୁ ଜାଣିବା …

–  ଫ୍ଲିପକାର୍ଟର ବିଗ୍ ଦିୱାଲି ସେଲରେ ଗ୍ରାହକମାନେ ରିଅଲ୍ ନାରଜୋ 20 ପ୍ରୋକୁ 65W ସୁପର ଫାଷ୍ଟ ଚାର୍ଜିଂ ସହିତ ମାତ୍ର ୧୨,୫୯୯ ଟଙ୍କାରେ ବ୍ୟାଙ୍କ ଅଫର ସହିତ କିଣିପାରିବେ ।

–  ସେହିଭଳି, ରିଅଲମି C11 ୬,୯୯୯ ଟଙ୍କା, C12 ୮,୯୯୯ ଟଙ୍କା ଏବଂ C15 ୮,୯୯୯ ଟଙ୍କାରେ କିଣିପାରିବେ

 – 5000mAh ବ୍ୟାଟେରୀ ସହିତ POCO C3 ଫ୍ଲିପକାର୍ଟର ବିଗ୍ ଦିୱାଲି ସେଲରେ ୭,୪୯୯ ଟଙ୍କାରେ ଉପଲବ୍ଧ ହେବ । ଏହି ଦାମରେ ଗ୍ରାହକମାନେ 3GB / 32GB ଭାରିଆଣ୍ଟର କିଣିପାରିବେ ।

 – ପପ୍ ସେଲଫି କ୍ୟାମେରା ସହିତ ଓପୋ ରେନୋ 2F ଫୋନ୍ ଗ୍ରାହକମାନେ ଫ୍ଲିପକାର୍ଟ ସେଲରେ ୧୬,୯୯୦ ଟଙ୍କାରେ କିଣିପାରିବେ । ଏଥିରେ ୪୮MP କ୍ୱାଡ୍ କ୍ୟାମେରା ସେଟଅପ୍ ରହିଛି । ସେହିଭଳି ମୋଟରୋଲା ୱାନ୍ ଫ୍ୟୁଜନ୍ ପ୍ଲସ୍ ଫ୍ଲିପକାର୍ଟରେ ୧୬,୪୯୯ ଟଙ୍କାରେ ବିକ୍ରି ହେଉଛି ।

 –  ଯଦି ଆପଣ ଆଣ୍ଡ୍ରୋଏଡ୍ ବଦଳରେ iOS କିଣିବାକୁ ଚାହାଁନ୍ତି, ତେବେ ଫ୍ଲିପକାର୍ଟ ସେଲରେ ଆଇଫୋନ୍ XR (64 GB) ୩୯,୯୯୯ ଟଙ୍କାରେ ଉପଲବ୍ଧ ହେବ । ସେଲରେ ମାତ୍ର ୩୫,୯୯୯ ଟଙ୍କାରେ Mi 10T ସିରିଜ୍ ମଧ୍ୟ କିଣିପାରିବେ ।

 

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଜାଣନ୍ତୁ କଣ

ନୂଆଦିଲ୍ଲୀ: SBI ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଅଧିକାଂଶ ସମୟରେ ଉପହାର ସ୍ୱରୂପ ନୂଆ ନୂଆ ଯୋଜନା ଆଣିଥାଏ । ଗ୍ରାହକଙ୍କୁ ସୁବିଧା ଯୋଗାଇବା SBIର ମୁଖ୍ୟ ଉଦ୍ଦେଶ୍ୟ । ଏଥି ସହିତ, SBI ଅନେକ ଦିନ ଧରି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଅର୍ଥରାଶି ସୀମା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି। ଯେଉଁଥିପାଇଁ ଗ୍ରାହକମାନେ ଖୁବ ଖୁସି ଅଛନ୍ତି । SBI ବ୍ୟାଙ୍କ ସହିତ ଜଡିତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜିରୋ ବାଲାନ୍ସ ଉପରେ କୌଣସି ଜରିମାନା ଲାଗୁ କରିବ ନାହିଁ। ଏହା ସହିତ ଏସଏମଏସ ମାଧ୍ୟମରେ ବ୍ୟାଙ୍କରୁ ଦିଆଯାଉଥିବା ସେବା ପାଇଁ କୌଣସି ପ୍ରକାରର ଶୁଳ୍କ ଆଦାୟ କରାଯିବ ନାହିଁ। ଏହାର ଅର୍ଥ ହେଉଛି ବର୍ତ୍ତମାନ ବ୍ୟାଙ୍କ ଦ୍ୱାରା ଏସଏମଏସ ମାଧ୍ୟମରେ ପ୍ରଦାନ କରାଯାଇଥିବା ସେବା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା । ଏଥି ସହିତ ଏସବିଆଇ ଗ୍ରାହକଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ସୁଧ ହାର ହ୍ରାସ କରିଛି, ଯେଉଁ କାରଣରୁ ଗ୍ରାହକମାନେ ନିରାଶ ହୋଇଛନ୍ତି।

ଏସବିଆଇ ଦ୍ୱାରା ନିଆଯାଇଥିବା ତିନୋଟି ନିଷ୍ପତ୍ତି ମଧ୍ୟରୁ ଗ୍ରାହକ ଦୁଇଟି ନିଷ୍ପତ୍ତିରେ ଖୁସି ଥିବାବେଳେ ସୁଧ ହାର ହ୍ରାସକୁ ନେଇ ନିରାଶ ହୋଇଛନ୍ତି। ପ୍ରଥମ ନିଷ୍ପତ୍ତି ବିଷୟରେ ଯଦି ଆଲୋଚନା କରିବା ତେବେ ବ୍ୟାଙ୍କ ସର୍ବନିମ୍ନ ଅର୍ଥରାଶି ନିୟମ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି। ଯାହାର ଅର୍ଥ ହେଉଛି ଯଦି ଆକାଉଣ୍ଟରେ ଶୂନ୍ୟ ବାଲାନ୍ସ ଅଛି ତେବେ ଏଥିପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ବ୍ୟାଙ୍କର ନିୟମ ଅନୁସାରେ ମେଟ୍ରୋ ସହରର ଖାତାଧାରକଙ୍କୁ ୩୦୦୦ ଟଙ୍କା, ସହରରେ ରହୁଥିବା ଖାତାଧାରୀଙ୍କ ପାଇଁ ୨୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ରହୁଥିବା ଖାତାଧାରୀଙ୍କ  ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ନିଜ ଆକାଉଣ୍ଟରେ ରଖିବା ଅନିବାର୍ଯ୍ୟ ଥିଲା । ଏଥି ସହିତ, ଯଦି ଆକାଉଣ୍ଟରେ ସର୍ବନିମ୍ନ ଧାର୍ଯ୍ୟ ଅର୍ଥରାଶି ଠାରୁ କମ୍ ଥାଏ ତେବେ ୧୫ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡୁଥିଲା ।

ଏସବିଆଇ ବ୍ୟାଙ୍କର ଦ୍ୱିତୀୟ ନିଷ୍ପତ୍ତି ଅନୁଯାୟୀ ପ୍ରତି ତିନିମାସରେ ଏସଏମଏସ ସେବା ପାଇଁ ଏବେ କୌଣସି ଶୁଳ୍କ ପ୍ରଦାନ କରାଯିବ ନାହିଁ। ଏଥି ସହିତ, ଏସବିଆଇର ତୃତୀୟ ନିଷ୍ପତ୍ତି ଗ୍ରାହକଙ୍କ ପାଇଁ କୌଣସି ଝଟକାରୁ କମ୍ ନୁହେଁ। ବ୍ୟାଙ୍କ ଏହାର ସେଭିଂ ଖାତାଧାରୀଙ୍କ ଜମା ହୋଇଥିବା ରାଶି ଉପରେ ଦିଆଯିବାକୁ ଥିବା ସୁଧ ହାରକୁ ହ୍ରାସ କରିଦେଇଛି। ବର୍ତ୍ତମାନ, ସେଭିଂ ଖାତାରେ ଜମା ହୋଇଥିବା ରାଶି ଉପରେ ୩.୨୫ ପ୍ରତିଶତ ସୁଧ ହାର ହ୍ରାସ କରାଯାଇଛି ଓ ବାର୍ଷିକ ୩ ପ୍ରତିଶତ ସୁଧ ମିଳିବ ।

ସାରୁଅ ଜମି କେଳେଙ୍କାରୀ ମାମଲା: ଓଡ଼ିଶା ଇନଫ୍ରାଟେକ୍‌ର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍‌

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ କଂପାନୀ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍‌ କରାଯାଇଛି । ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ପଚରାଉଚରା ପାଇଁ ନୋଟିସ୍‌ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ନିହାର ଭୂୟାଁ ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସହ ଓଟିଭିର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ୨ ନିର୍ଦ୍ଦେଶକଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରିଥିଲା । ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ । ଜେରା ପରେ ମନୋରଞ୍ଜନଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ଗିରଫ ହେବା ପରେ ମନୋରଞ୍ଜନ ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ତାଙ୍କୁ ଫସାଇ ଦିଆଯାଇଛି ।

ସେପଟେ ସପ୍ତମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ରବି ସେଠିକୁ ଜମି ବିକିଥିବା ୨୨ ଜଣଙ୍କୁ କ୍ରାଇମବ୍ରାଞ୍ଚ EOW ନୋଟିସ କରିଛି । ଆସନ୍ତା ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ କୋର୍ଟରେ ହାଜର ହୋଇ ସେମାନେ ପକ୍ଷ ରଖିବେ ।

ଧାରଣାରେ ବସିଥିବା ୩୨ ଜଣ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ । ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା । ହେଲେ ଠିକା କର୍ମଚାରୀ ଏବେବି ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହା ସହ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି କରିଛନ୍ତି ।

ମହାନଦୀ ଜଳ ବିବାଦ ମାମଲା: ତଥ୍ୟ ଦେବାକୁ ଛତିଶଗଡ଼ ମାଗିଲା ସମୟ

ଭୁବନେଶ୍ୱର: ମହାନଦୀ ଜଳବିବାଦ ମାମଲାରେ ଶନିବାରର ଶୁଣାଣି ଶେଷ ହୋଇଛି । ଆସନ୍ତା ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ୨ ରାଜ୍ୟ ମଧ୍ୟରେ ମିଳିତ ବିବୃତ୍ତିରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଅନ୍ୟପଟେ ଶନିବାର ମଧ୍ୟ ଓଡ଼ିଶାକୁ ମହାନଦୀ ଜଳପ୍ରବାହ ନେଇ ତଥ୍ୟ ଦେଇନି ଛତିଶଗଡ଼ । ତଥ୍ୟ ପ୍ରଦାନ ପାଇଁ ପୁଣିଥରେ ମହାନଦୀ ଟ୍ରିବ୍ୟୁନାଲକୁ ଛତିଶଗଡ଼ ସମୟ ମାଗିଛି ।

ତେବେ ମହାନଦୀ ଜଳବିବାଦକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି । କେନ୍ଦ୍ରରେ ଯେଉଁ ଦଳ ସରକାରକୁ ଆସୁଛି ସେ ଓଡ଼ିଶାକୁ ଉପେକ୍ଷା କରୁଛନ୍ତି ବୋଲି ଶାସକ ବିଜୁ ଜନତା ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ରାଜ୍ୟ ସରକାର ଛତିଶଗଡ଼ର ବେଆଇନ୍‌ କାମ ବିରୋଧରେ ଟ୍ରିବ୍ୟୁନାଲରେ ଲଢ଼େଇ ଜାରି ରଖିବେ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଠେଲିଛନ୍ତି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଛତିଶଗଡ଼ରେ କଂଗ୍ରେସ ଶାସନ ଚାଲିଛି । ତେଣୁ କଂଗ୍ରେସ ସମାଧାନର ବାଟ ବାହାର କରୁ ବୋଲି ବିଜେପି କହିଛି । ସେହିପରି ଏ ପ୍ରସଙ୍ଗରେ ଦଳ ନିଜ ଦୋଷ ଲୁଚାଇ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କିନ୍ତୁ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ଛତିଶଗଡ଼ ସରକାର ତାଙ୍କ ରାଜ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି । ଆମକୁ ଓଡ଼ିଶାବାସୀ ଦାୟିତ୍ୱ ଦେଇନାହାନ୍ତି, ଆମେ କେମିତି ସମାଧାନ କରିବୁ, ବରଂ ମୁଖ୍ୟମନ୍ତ୍ରୀ ଏନେଇ ଲଢେଇ କଲେ ଆମେ ସମର୍ଥନ କରିବୁ ବୋଲି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ।

ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୩୭୨ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରାମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି  । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ମୋଟ ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୫୭୬ ରହିଛି । ଏହାସହ ରାଜ୍ୟରେ ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା ।

ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧, ବରଗଡରୁ ୪୦, ଭଦ୍ରକରୁ ୩୧, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୨, କଟକରୁ ୧୨୧, ଦେବଗଡ଼ରୁ ୮, ଢ଼େଙ୍କାନାଳରୁ ୨୫, ଗଜପତିରୁ ୪, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୭୦, ଯାଜପୁରରୁ ୩୪, ଝାରସୁଗୁଡାରୁ ୩୩, କାଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡାରୁ ୬୫, କେନ୍ଦୁଝରରୁ ୪୦, ଖୋର୍ଦ୍ଧାରୁ ୧୪୫, କୋରାପୁଟରୁ‌ ୨୦, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୩୨, ନୁଆପଡ଼ାରୁ ୧୦୮, ପୁରୀରୁ ୫୩, ରାୟାଗଡାରୁ ୧୧, ସମ୍ବଲପୁରରୁ ୩୭, ସୋନପୁରରୁ ୧୯, ସୁନ୍ଦରଗଡରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Royal Enfield ଲଞ୍ଚ କଲା Meteor 350 କରିଛି, ଜାଣନ୍ତୁ ଦାମ

ନୂଆଦିଲ୍ଲୀ: ଆଇଶର୍ ମୋଟର୍ସର ଦୁଇ ଚକିଆ ରୟାଲ୍ ଏନଫିଲ୍ଡ ନୂଆ କ୍ରୁଜର ମୋଟରସାଇକେଲ୍ ମିଟୋର 350 ଲଞ୍ଚ କରିଛି। ଚେନ୍ନାଇରେ ଏହାର ଶୋ’ରୁମ୍ ଦାମ ୧.୭୬ ଲକ୍ଷ ଟଙ୍କା ରହିଛି । କମ୍ପାନୀ କହିବା ଅନୁସାରେ ରୟାଲ ଏନଫିଲ୍ଡ ମିଟୋର 350 ତିନୋଟି ସଂସ୍କରଣ ଫାୟାରବଲ୍, ଷ୍ଟେଲାର୍ ଏବଂ ସୁପରନୋଭା ଭାରିଆଣ୍ଟରେ ଉପଲବ୍ଧ ହେବ। ସମସ୍ତ ମଡେଲରେ ଏଲୋଏ ଚକ ଏବଂ ଟ୍ୟୁବଲେସ୍ ଟାୟାର ସହ ଉପଲବ୍ଧ ହେବ । ଲମ୍ୱା ଯାତ୍ରା ପାଇଁ ଏହି ଗାଡି ଖୁବ ଭଲ । ମିଟୋର 350 ଫାୟାରବଲ୍ ର ଦାମ ୧,୭୫,୮୧୭ ଟଙ୍କାରୁ ଆରମ୍ଭ, ଷ୍ଟେଲାର ମଡେଲର ଦାମ ୧,୮୧,୩୨୬ ଟଙ୍କା ଏବଂ ସୁପରନୋଭା ୧,୯୦,୫୩୬ ଟଙ୍କାରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

ମିଟୋର୍ 350 ଏହାର ନାଁ ରୟାଲ୍ ଏନଫିଲ୍ଡର ୧୯୫୨ର ମୋଟରସାଇକେଲ୍ ମିଟୋରରୁ ନିଆଯାଇଛି । ନୂଆ ମୋଟରସାଇକେଲରେ କମ୍ପାନୀ 349 ସିସିର ଏୟାର ଅଏଲ କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦେଇଛି। ଏହା ୨୦.୨ ଶକ୍ତି ଉତ୍ପାଦନ କରେ । ଚେନ୍ନାଇ କମ୍ପାନୀର ଟେକ୍ନୋଲୋଜି ଏବଂ ବ୍ରିଟେନର ବ୍ରୁଣ୍ଟିଙ୍ଗଥର୍ପେରେ ଏହାକୁ ନୂଆ ଡିଜାଇନ୍ ସହ ବିକଶିତ କରାଯାଇଛି । ଆଇଶର ମୋଟର୍ସ ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ କହିଛନ୍ତି ଯେ, କମ୍ପାନୀ ଏକ ଏମିତି  ମୋଟରସାଇକେଲ ବଜାରରେ ଆଣିବାକୁ ଚାହୁଁଥିଲା ଯାହା ମୋଟରସାଇକେଲ ଡ୍ରାଇଭରଙ୍କ ପାଇଁ କିଛି ସୁବିଧା ଆଣିପାରିବ । ତେବେ ଦୂର ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହି ଗାଡି ଚଲାଇବା ଏକ ଉତ୍ତମ ଅନୁଭୂତି ଦେବ। ମିଟୋର 350 ଏଥିପାଇଁ ପୂରା ପର୍ଫେକ୍ଟ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ସପ୍ତମ ଦିନରେ ଠିକା କମର୍ଚାରୀଙ୍କ ଧାରଣା, ଜଗି ବୈଜୟନ୍ତଙ୍କୁ ତୁରନ୍ତ ଗିରଫ ଦାବି

ଖୋର୍ଦ୍ଧା: ସପ୍ତମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ। ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା ।

ହେଲେ ଠିକା କର୍ମଚାଚାରୀ ଏବେବି ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିବା ଜାତୀୟ ଦଳିତ ମହାସଂଘ କ୍ୟାପିଟାଲ ଥାନାରେ ଗତକାଲି ମାମଲା ରୁଜୁ କରିଛି । ସାରୁଅରେ ୧୪ ଏକର ଚାଷ ଜମି ଚଞ୍ଚକତା କରି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍ କମ୍ପାନୀ ନାଁରେ କରାଇ ନେଇଥିବା ନେଇ ମାମଲା ରୁଜୁ ହୋଇଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଜମି ହଡ଼ପ ହୋଇଥିବା ଅଭିଯୋଗ କରି ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରିବାକୁ ଦାବି କରିଛି ମହାସଂଘ ।

ଗତ ୪ତାରିଖରେ ଆନ୍ଦୋଳନରେ ସାମିଲ ହୋଇଥିବା ମହାସଂଘ, ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ, ଦଳିତଙ୍କ ଜମିକୁ ସଂପୂର୍ଣ୍ଣ ଅନ୍ୟାୟ ଓ ଅନୈତିକ ଭାବେ ଦଖଲ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁଯାୟୀ ବୈଜୟନ୍ତ ଓ ଜଗି ପଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମହାସଂଘ ଦାବି କରିଛି ।

ଦେଶୀ ମଦ କାରଖାନାରେ ଚଢ଼ାଉ, ମାଟି ତଳୁ ୧୬୦୦ କିଲୋ ମହୁଲ ପୋଚ ଜବତ

ମୟୂରଭଞ୍ଜ: ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପି. ଧରୁଆଙ୍କ ନିର୍ଦ୍ଦେଶ କ୍ରମେ ବିଶୋଇ ଅବକାରୀ ବିଭାଗ ପକ୍ଷରୁ ଇଂଚ ଜଙ୍ଗଲ ଅଂଚଳରେ ଶୁକ୍ରବାର ଚଢାଉ କରାଯାଇଛି । ଏଥିରେ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବିଶୋଇ ଅବକାରୀ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଇରଂଗପୁର ଓଆଇସି ହରିହର ସିଂହ ଓ ଟିମ୍‌ ଚଢ଼ାଉ କରିଥିଲେ ।

ରାଇରଂଗପୁର ବନଖଣ୍ଡ ବିଶୋଇ ଓ ମଣଦା ପାହାଡ ଉପରେ ଚାଲିଥିବା ବେଆଇନ୍‌ ଦେଶୀ ମଦ କାରାଖାନା ଉପରେ ଅତର୍କିତ ଚଢାଉ ହୋଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି । କୁଣ୍ଡରା ସଂରକ୍ଷିତ ଜଙ୍ଗଲ ମାଟି ତଳୁ ୯ ଶହ କିଲୋ, ମଣଦା ମଙ୍ଗଳପୁର ସଂରକ୍ଷିତ ଜଙ୍ଗଲରୁ ୬ ଶହ କିଲୋ ଓ ବାଢୁଣିଆ ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୧ ଶହ କିଲୋ ମହୁଲ ପୋଚ ଜବତ କରାଯାଇଛି । ଏହାସହ ପ୍ରସ୍ତୁତ ହୋଇରହିଥିବା ୧୦ ଲିଟର ଚୋରା ଦେଶୀ ମଦ ମଧ୍ୟ ଜବତ କରାଯାଇଛି ।

ଖାଲି ସେତିକି ନୁହେଁ ମଦ ରନ୍ଧା ସାଜ ସରଂଜାମ ଜବତ କରି ପୋଚକୁ ନଷ୍ଟ କରିବା ସହ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଅବକାରୀ ଟିମ୍‌ର ଆସିବା ସୁରାକ ପାଇ ଚୋରା ମଦ ରନ୍ଧାଳୀ ଓ ବେପାରୀ ସେଠାରେ ଫେରାର ହେବାରେ ସକ୍ଷମ ହୋଇଥିଲେ । ଶିମିଳିପାଳ ଜୈବମଣ୍ଡଳ ପାଦଦେଶରେ ଅବସ୍ଥିତ ବଣପାହାଡ ଘେରା ବିଶୋଇ ବ୍ଲକର ବିଭିନ୍ନ ଅଗମ୍ୟ ଓ ଦୁର୍ଗମ ଅଂଚଳରେ ଚୋରା ଦେଶୀ ମଦ ତିଆରି କାରଖାନା ଅବାଧରେ ଚାଲିଥିବା ଅଭିଯୋଗ ହୋଇଆସୁଛି । ତେଣୁ ଏହି ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଅଭିଯାନକୁ ନିୟମିତ ଭାବେ ଆହୁରି ଅଧିକ ଜୋରଦାର କରିବା ପାଇଁ ଓଆଇସି ଶ୍ରୀ ସିଂ କହିଛନ୍ତି ।

ଦେଶରେ ଲଗାତାର କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୫୦,୩୫୭ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫୦ ହଜାର ୩୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ଆଉ ୫୭୭ ଜଣଙ୍କ ଜୀବନ ଯାଇଛି । ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨ରେ ପହଞ୍ଚିଛି । ତେଣୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୮୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭୮ ଲକ୍ଷ ୧୯ ହଜାର ୮୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଏବେବି ୫ ଲକ୍ଷ ୧୬ ହଜାର ୬୩୨ ସକ୍ରିୟ ମାମଲା ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୫ ଲକ୍ଷ ୧୬ ହଜାର ୬୩୨ ଲୋକ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୫୩ ହଜାର ୯୨୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁସାରେ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ପାଇଁ ମୋଟ ୧୧ କୋଟି ୬୫ ଲକ୍ଷ ୪୨ ହଜାର ୩୦୪ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ୧୩ ହଜାର ୨୦୯ ନମୁନା ପରୀକ୍ଷା କରାଯାଇଛି।