ଠକ ପୁଅ ଆକାଶର ବାହାଘରରେ ଖର୍ଚ୍ଚ ହୋଇଥାନ୍ତା ପୁଳାପୁଳା ଟଙ୍କା, ଅଭୟ ଫାଇନାଲ କରିଥିଲେ ବଜେଟ୍‌

1 min read

ଭୁବନେଶ୍ୱର: ଠକ ବାପ-ପୁଅଙ୍କୁ ନେଇ ଚାଲିଛି ତଦନ୍ତ ପରେ ତଦନ୍ତ । ଅମାପ ବେନାମୀ ସମ୍ପତ୍ତିକୁ ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ । ଘରଠାରୁ ଆରମ୍ଭ କରି ଅଫିସ, ସବୁଠି ଭିଜିଲାନ୍ସର ଡ଼େରା ପଡ଼ିଛି । କୌଣସି ତଦନ୍ତର ଦିଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଭିଜିଲାନ୍ସ । ଏଇ ଭିତରେ ଏକ ବଡ଼ ତଥ୍ୟ ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି । ବାହାଘରକୁ ନେଇ ଚାଲିଥିଲା ଜୋରଦାର ପ୍ରସ୍ତୁତି ।

ଆକାଶ ପାଠକଙ୍କ ବାହାଘାରରେ ଖାଲି ଉଡ଼ିଥାନ୍ତା ମାଳ ମାଳ ଟଙ୍କା । କାରଣ ଆକାଶ ବାହାଘରରେ ଖର୍ଚ୍ଚ ହୋଇଥାନ୍ତା ୧୦ କୋଟି ଟଙ୍କା । ଅଭୟ ପୁଅ ବାହାଘର ପାଇଁ ବଜେଟ କରିଥିଲେ ୧୦କୋଟି ଟଙ୍କା । ପୁରା ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ବାହାଘର । ତେବେ ଏଭଳି ପ୍ରମାଣ ମିଳିବା ପରେ ଭିଜିଲାନ୍ସ ତା ତଦନ୍ତର ଦିଗକୁ ଆହୁରି ମଜବୁତ କରିଛି । ବିହାର ପାଟଣା ସହିତ ସମ୍ପର୍କୀୟ ଏବଂ ଭାବି ଜ୍ୱାଇଁଙ୍କ ଘରେ ରେଡ ଚାଲିଛି ।

ସେପଟେ ନଭେମ୍ବର ମାସରେ ବାପା ପୁଅ ମିଳିତ ଭାବରେ ଭୁବନେଶ୍ୱରରେ ବ୍ୟାଙ୍କ୍‌ରେ ଟଙ୍କା ଡିପୋଜିଟ କରିଛନ୍ତି । HDFC ଓ ICICI ବ୍ୟାଙ୍କରେ ଡିପୋଜିଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଥରେ ୫୦ ଲକ୍ଷ ଆଉ ଥରେ ୩୭ ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି ବାପ-ପୁଅ । ପୁଅ ଆକାଉଣ୍ଟକୁ ଯାଇଛି ସବୁ ଟଙ୍କା । ତେବେ ଗିରଫ ହେବାର କିଛି ଦିନ ପୂର୍ବରୁ ୮୫ ଲକ୍ଷ ଡିପୋଜିଟ କରିଛନ୍ତି । ୬୦ଲକ୍ଷ ଟଙ୍କା ଝିଅ ବାହାଘର ପାଇଁ ଖର୍ଚ୍ଚ ହୋଇଥିବା ମାନିଛନ୍ତି । ଝିଅକୁ ପାଠ ପଢ଼େଇବାକୁ ୯୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦ ଲକ୍ଷ ପୁଅର ପାଠପଢାରେ ଖର୍ଚ୍ଚ ହୋଇଛି ।

୨୦୧୪ ରେ ବାପା ଆକାଉଣ୍ଟରୁ ୩୮ ଲକ୍ଷ ପୁଅ ଆକାଉଣ୍ଟକୁ ଆସିଥିଲା । ଅଭୟ ଯେଉଁ ଦାୟିତ୍ୱରେ ଥିଲେ ସେଥିରେ କଣ ସବୁ ଦୁର୍ନୀତି କରିଛନ୍ତି ସେନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ । ଗତ ୩ ବର୍ଷ ଭିତରେ ବନି କରଣରେ ୬ଶହ କୋଟି ଖର୍ଚ୍ଚ ହୋଇଛି । ସେଠାରେ ହୋଇଥିବା ଘୋଟଲା ବାବଦରେ ଖୋଳତାଡ଼ ଜାରି ରହିଛି । ଆକାଶ କହୁଛନ୍ତି “ମୁଁ ଟାଟାର କର୍ମଚାରୀ ଥିଲି, କିନ୍ତୁ ଟାଟା ମୋତେ ସପୋର୍ଟ କରୁନାହିଁ ” । ଏପଟେ ଭିଜିଲାନ୍ସ ତଦନ୍ତ କହୁଛି ସବୁ ମିଛ । ଆଜି ଦୁଇ ଜଣଙ୍କର ରିମାଣ୍ଡ ଅବଧି ସରୁଛି କିନ୍ତୁ ରିମାଣ୍ଡ ପାଇଁ ଆବେଦନ କରିବନି ଭିଜିଲାନ୍ସ । ଆଜି ରିମାଣ୍ଡ ଅବିଧି ସରିବା ପରେ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି ବାପା ପୁଅ ।

Leave a Reply