spot_img
Home Blog Page 6455

Samsung Galaxy S10 ଫୋନରେ ମିଳୁଛି ବଡ଼ ଡିଲ୍, ସବୁଠୁ କମ୍ ଦାମରେ କିଣନ୍ତୁ ଏହି ଫୋନ

ନୂଆଦିଲ୍ଲୀ: Samsung Galaxy Smartphones Display ଠାରୁ ଆରମ୍ଭ କରି Perfermance ପର୍ଯ୍ୟନ୍ତ ସବୁଥିରେ ଦମଦାର ପ୍ରଦର୍ଶନ କରିଥାଏ । ପୂର୍ବ ବର୍ଷ ଲଞ୍ଚ ହୋଇଥିବା Samsung Galaxy S10 ବର୍ତ୍ତମାନ ସମୟରେ ସବୁଠୁ କମ ଦାମରେ ଉପଲବ୍ଧ ହେଉଛି । ଯଦି ଆପଣ ମଧ୍ୟ Galaxy S10 କିଣିବା ପାଇଁ ମନ ବଳାଉଛନ୍ତି ତେବେ ଏହା ହେଉଛି ସବୁଠାରୁ ବଡ଼ ମଉକା । ଶାନଦାର ଡିଲ ଏବଂ ଅଫର୍ସ ସହିତ ଏହି ଫୋନକୁ ୪୭,୯୯୯ ଟଙ୍କାରେ କିଣାଯାଇପାରିବ । ଆମାଜନ ଇଣ୍ଡିଆ ସାଇଟରେ ଲିମିଟେଡ ଟାଇମ ପାଇଁ ଏହି ଫୋନ ଡିସକାଉଣ୍ଟରେ ମିଳୁଛି ।

ସାମସଙ୍ଗ ପକ୍ଷରୁ ଫୋନର ଦାମ ଅଫିସିଆଲି କମ୍ କରାଯାଇନି କିନ୍ତୁ ସପିଂ ସାଇଟ ଆମାଜନ ଏହି ଫୋନ ଉପରେ ଡିଲ୍ସ ଅଫର କରୁଛି । ଅବଶ୍ୟ ଏହା କୁହାଯାଇନି ଯେ ଏହି ଫୋନକୁ ଡିସକାଉଣ୍ଟ ପ୍ରାଇସରେ କେବେ ଯାଏ କିଣାଯାଇପାରିବ ଅବା ଅଫର ସରିବାର ଲାଷ୍ଟ ଡେଟ କେବେ । ବର୍ତ୍ତମାନ ପାଇଁ ୧୨୮ ଜିବି ଷ୍ଟୋରେଜ ସହ Galaxy S10 ମଡେଲ ତିନୋଟି ଭିନ୍ନ ରଙ୍ଗରେ ଉପଲବ୍ଧ ଯାହାକୁ ଗ୍ରାହକ ୪୭,୯୯୯ ଟଙ୍କାରେ କିଣିପାରିବେ । Galaxy S10 Lite 512GB ମଡେଲର ଦାମ ମଧ୍ୟ ସମାନ ରହିଛି ।

Samsung Exynos Processer

ଗତ ମାସରେ, ଆମାଜନ ଇଣ୍ଡିଆର ଅଫର ସମୟରେ Galaxy S10 ର ୮ ଜିବି ଭାରିଆଣ୍ଟ ୪୯,୯୯୯ ଟଙ୍କାରେ ଦିଆଯାଉଥିଲା । ତେବେ, ସାମସଙ୍ଗର ଅଫିସିଆଲ୍ ୱେବସାଇଟ୍ ଏବଂ ଫ୍ଲିପକାର୍ଟରେ ଗାଲାକ୍ସି S10 ର ମୂଲ୍ୟ ୫୭,୮୦୦ ଟଙ୍କା ଦେଖାଉଛି । କମ୍ପାନୀର ଫ୍ଲାଗସିପ୍ ଡିଭାଇସରେ ୫୫୦ppi ପିକ୍ସେଲ ଡେନସିଟି ସହିତ ୬.୧ଇଞ୍ଚ AMOLED ଡିସପ୍ଲେ ଅଛି ଏବଂ ଏହି ଫୋନ୍ Exynos ୯୮୨୦ ଚିପସେଟ ସହିତ ଆସିଥାଏ ।

ଟ୍ରିପଲ କ୍ୟାମେରା ସେଟଅପ

ଫୋନରେ ପାୱାରଫୁଲ ଟ୍ରିପଲ କ୍ୟାମେରା ଦିଆଯାଇଛି । ଯେଉଁଥିରେ ୧୨ ମେଗାପିକ୍ସେଲ ଟେଲିଫୋଟୋ ଲେନ୍ସ OIS ସପୋର୍ଟ ସହିତ ୧୬ ମେଗାପିକ୍ସେଲ ଅଲଟ୍ରା ୱାଇଡ ଆଙ୍ଗଲ ଲେନ୍ସ ଦିଆଯାଇଛି, ଯେଉଁଥିରେ ୧୨୩ ଡିଗ୍ରୀ ଫିଲ୍ଡ ଅଫ ଭ୍ୟୁ ମିଳିଥାଏ ।  ଫୋନରେ ୧୦ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇଛି ଏବଂ ୩,୪୦୦mAhର ବ୍ୟାଟେରୀ ୱାୟରଲେସ ଚାର୍ଜିଂ ସପୋର୍ଟ ସହିତ ମିଳୁଛି ।

ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରୋଜଗାର ଓ ଅର୍ଥବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ବିକାଶ ଗାଏବ ହୋଇଯାଇଛି ଲେଖି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି- ୫ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା ଗାଏବ, ସାଧାରଣ ନାଗରିକଙ୍କ ରୋଜଗାର ଗାଏବ, ଦେଶର ସମୃଦ୍ଧି ଓ ସୁରକ୍ଷା ଗାଏବ, ପ୍ରଶ୍ନ ପଚାରିଲେ ଉତ୍ତର ମଧ୍ୟ ଗାଏବ ହୋଇଯାଉଛି ବା ମିଳୁନି ବୋଲି କହିଛନ୍ତି ରାହୁଲ।

ଏହା ପୂର୍ବରୁ ଆଜି ରାହୁଲ ଗାନ୍ଧି ଏକ ଖବର ଲିଙ୍କ୍ ଦେଇ କହିଥିଲେ ମୋଦି ସରକାର, ରୋଜଗାର, ପୁନରୁଦ୍ଧାର, ପରୀକ୍ଷାର ଫଳ ଦିଅ। ଦେଶର ଯୁବକଙ୍କ ସମସ୍ୟାର ସମାଧାନ ଦିଅ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅର୍ଥନୀତିକୁ ନେଇ ଏକ ଭିଡିଓ ଜାରି କରି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଗୁରୁବାର ଭିଡିଓ ଜାରି କରି କହିଥିଲେ- ମୋଦିଜୀ ଆପଣଙ୍କ ‘କ୍ୟାଶ ମୁକ୍ତ’ ଭାରତ ପ୍ରକୃତରେ ହେଉଛି ‘ଶ୍ରମିକ-କୃଷକ-କ୍ଷୁଦ୍ର ବ୍ୟବସାୟୀ ମୁକ୍ତ ଭାରତ’ ।

ରାହୁଲ ଆହୁରି କହିଛନ୍ତି- ଯେଉଁ ଟଙ୍କା ୨୦୧୬ ନଭେମ୍ବର ୮ରେ ଫୋପାଡ଼ି ଦିଆଯାଇଥିଲା । ତାର ଭୟଙ୍କର ପରିଣାମ ୨୦୨୦ ଅଗଷ୍ଟ ୨୧କୁ ମିଳିଲା । GDPରେ ସର୍ବକାଳୀନ ହ୍ରାସ ସହ ନୋଟବନ୍ଦୀ ଦେଶର ଅସଂଗଠିତ ଅର୍ଥବ୍ୟବସ୍ଥାକୁ କେମିତି ଉଜାଡ଼ି ଦେଇଛି ତାହା ଏହି ଭିଡିଓରେ ଦେଖନ୍ତୁ ବୋଲି ଲେଖିଥିଲେ ।

ସରକାରଙ୍କୁ ଆର୍ଥିକ ସହାୟତା ମାଗିଲେ ମାରୁତି-ସୁଜୁକୀର ଏମ.ଡି

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଅନ୍ୟ ସମସ୍ତ ଇଣ୍ଡଷ୍ଟ୍ରି ଭଳି ଅଟୋମୋବାଇଲ ସେକ୍ଟରରେ ମଧ୍ୟ ଆର୍ଥିକ ସମସ୍ୟା ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ମାରୁତି ସୁଜୁକୀର ମ୍ୟାନେଜିଙ୍ଗ ଡାଇରେକ୍ଟର ଏବଂ ସିଇଓ କେନିଚି ଆୟୁକାବା ସରକାରଙ୍କୁ ସହାୟତା ମାଗିଛନ୍ତି । ଅଟୋମୋବାଇଲ ଇଣ୍ଡଷ୍ଟ୍ରି କଠିନ ସମସ୍ୟା ମଧ୍ୟରେ ଗତି କରୁଥିବା ସେ କହିଛନ୍ତି । ଜିଏସଟି ହାର କମ କରିବା ବ୍ୟତୀତ ସ୍କ୍ରାପେଜ ପଲିସିରେ ସରକାରଙ୍କ ଠାରୁ ସହାୟତା ଲୋଡ଼ିଛି ମାରୁତି ସୁଜୁକୀ । ତେବେ ଜିଏସଟି ହାର କମ୍ କରିବା ଏବଂ ପ୍ରୋତ୍ସାହନ ଯୋଜନାକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିବା ମଧ୍ୟ ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।

ଆୟୁକାବା କହିଛନ୍ତି କି, କରୋନା ଭୂତାଣୁ ମହାମାରୀ କାରଣରୁ ଗତ ବର୍ଷ ଆର୍ଥିକ ସ୍ଥିତି ସାମାନ୍ୟ ରହିଥିବା ବେଳେ ଚଳିତ ବର୍ଷ ମାନ୍ଦାବସ୍ଥା କାରଣରୁ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଖୁବ ପଛକୁ ଫେରି ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ଯୋଗୁଁ ଭାରତୀୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଭେଣ୍ଟିଲେଟର, ପିପିଇ ପ୍ରସ୍ତୁତିରେ ଏକ ଭୂମିକା ଗ୍ରହଣ କରିଛି । ସେ ଏହା ମଧ୍ୟ କହିଛନ୍ତି କି ଦୀର୍ଘ ଦିନର ବ୍ୟବଧାନରେ ଗତ ଅଗଷ୍ଟ ମାସରେ ଆମେ ପୂର୍ବ ବର୍ଷ ତୁଳନାରେ ଭଲ କାରବାର  କରିଛୁ । ତଥାପି ଗତ ବର୍ଷ ସହିତ ତୁଳନା କରିବା ଉଚିତ ହେବ ନାହିଁ । ଗତବର୍ଷ ୧୫ରୁ ୨୫ ପ୍ରତିଶତ ନକରାତ୍ମକ ପରିସ୍ଥିତି ଥିବା ବେଳେ ଚଳିତ ବର୍ଷ ନକରାତ୍ମକ ବୃଦ୍ଧି ଇଣ୍ଡଷ୍ଟ୍ରିକୁ ବହୁ ବର୍ଷ ପଛକୁ ନେଇ ଯାଇଛି । ସୂଚନାଯୋଗ୍ୟ କେନିଚି ଆୟୁକାବା ଏହି କଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଉପସ୍ଥିତିରେ କହିଛନ୍ତି । ଆୟୁକାବା ଅଟୋମୋବାଇଲ ଇଣ୍ଡଷ୍ଟ୍ରି ସଂସ୍ଥା ଏସ.ଆଇ.ଏ.ଏମର ମଧ୍ୟ ଅଧ୍ୟକ୍ଷ ।

୨୯ ନଭେମ୍ବର ପୂର୍ବରୁ ହେବ ନିର୍ବାଚନ… ଓଡିଶାରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହେବ ଭୋଟିଂ

ନୂଆଦିଲ୍ଲୀ : ସାରା ଦେଶରେ ଉପ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ । ତେବେ ଉପ ନିର୍ବାଚନ ସମେତ ବିହାର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମଧ୍ୟ ସମ ସାମୟିକ ସମୟରେ ଆୟୋଜିତ ହେବ । ଏନେଇ ହୋଇଥିବା ବୈଠକରେ କୋଭିଡ୍ କଟକଣା ବେଳେ ନିର୍ବାଚନକୁ ନେଇ ଥିବା ଭିନ୍ନ ଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । କିଭଳି ସ୍ୱଚ୍ଛ ଓ ସୁରକ୍ଷିତ ନିର୍ବାଚନ କରାଯାଇପାରିବ ସେ ନେଇ ନିର୍ବାଚନ ଆୟୋଗ ବିଚାର କରିଥିଲେ । ତେବେ ବିଭିନ୍ନ ରାଜ୍ୟ ସରକାର କରୋନା ଓ ବନ୍ୟାକୁ ନିର୍ବାଚନ ପରିଚାଳନାରେ ପ୍ରମୁଖ ସମସ୍ୟା ବୋଲି ଦର୍ଶାଇଥିଲେ ।

ରାଜ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବମାନେ ଏନେଇ ନିର୍ବାଚନ ଆୟୋଗ ନିକଟରେ ନିଜ ନିଜର ଯୁକ୍ତି ପେଶ କରିଥିଲେ । ତେବେ ସବୁ ତର୍କକୁ ତର୍ଜମା କରିବା ପରେ ମଧ୍ୟ ନିର୍ବାଚନ ଆୟୋଗ ନଭେମ୍ୱର ୨୯ ତାରିଖ ପୂର୍ବରୁ ଉପ ନିର୍ବାଚନ ସମେତ ବିହାର ସାଧାରଣ ନିର୍ବାଚନ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ୬୫ଟି ସ୍ଥାନରେ ଉପ ନିର୍ବାଚନ ହେବ । ଏଥି ମଧ୍ୟରୁ ୬୪ଟି ବିଧାନସଭା ନିର୍ବାଚନ ଓ ଗୋଟିଏ ଲୋକସଭା ନିର୍ବାଚନ ଅଟେ । ଏହି କ୍ରମରେ ରାଜ୍ୟର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବାକୁ ଯାଉଛି । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପ ନିର୍ବାଚନ ହେବ । ବାଲଶ୍ୱର ବିଧାୟକ  ମନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଦୁଇ ଆସନ ଖାଲି ହୋଇଛି ।

ତେବେ କରୋନା ସମୟରେ ଅନେକ ରାଜନୀତିକ ଦଳ ନିର୍ବାଚନ ସପକ୍ଷରେ ନଥିଲେ ମଧ୍ୟ ନିର୍ବାଚନ ଆୟୋଗ ଏଭଳି ତର୍କକୁ ଖାରଜ କରିଛି । ଭାରତୀୟ ସମ୍ୱିଧାନ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଆଧାରରେ ଚାଲୁଥିବା ହେତୁ ଏଭଳି ହେବା ସମ୍ଭବ ନୁହେଁ । କେବଳ ଜରୁରୀକାଳୀନ ପରିସ୍ଥିତି କିମ୍ୱା ରାଷ୍ଟ୍ରପତି ଶାସନ ବେଳେ ହିଁ ବିନା ଲୋକ ପ୍ରତିନିଧିରେ ବ୍ୟବସ୍ଥା କାମ କରିପାରିବ । ଅନ୍ୟଥା ୬ ମାସ ମଧ୍ୟରେ ନୂଆ ଲୋକ ପ୍ରତିନିଧି ନିର୍ବାଚିତ ହେବା ବାଧ୍ୟ ।

ରାଜଧାନୀରେ ହରିଣ ଶୀକାର, ୧୦ ଜଣ ଗିରଫ

ଚନ୍ଦକା : ଚନ୍ଦକା ଜଙ୍ଗଲର ଫିରିଙ୍ଗି ନାଲ ଅଞ୍ଚଳରୁ ହରିଣ ଶୀକାର କରିଥିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ପୋଲିସର ନାଇଟ୍ ପେଟ୍ରୋଲିଂ ସମୟରେ ଅଭିଯୁକ୍ତମାନେ ଧରା ପଡ଼ିଥିଲେ । ଅଭିଯୁକ୍ତମାନଙ୍କଠାରୁ ପୋଲିସ ବନ୍ଧୁକ, ଗୁଳି, କଟୁରୀ, ଭୁଜାଲି, ହରୀଣ ମାଂସ ଓ ଚମଡ଼ା ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏମାନେ ଅଭ୍ୟାସଗତ ଶୀକାରୀ ଅଟନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ସମୟର ଶୀକାର ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇ ସାରିଛନ୍ତି ।  ପୋଲିସ ଏଥର ଏମାନଙ୍କୁ ଗିରଫ କରିବା ପରେ ପଚରାଉଚରା କରିଥିଲା ।

ପ୍ରାୟ ୪ କିଲୋର ହରିଣ ମାଂସ ବିକ୍ରି କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ । ନୀରେଇ ଶ୍ରୀଚନ୍ଦନ ଓ ଗଙ୍ଗା ହେମ୍ୱ୍ରମ୍ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ୱରରେ ହରିଣ ଶୀକାର ଏବେ କ୍ରମଶଃ ସକ୍ରିୟ ହେବାରେ ଲାଗିଛି । ପ୍ରତି ବର୍ଷ ନନ୍ଦନକାନନର ୨୦-୩୦ରୁ ହରୀଣକୁ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଥାଏ । ନନ୍ଦକାନନରେ ମୁକ୍ତ ଭାବେ ବୁଲିବା ପାଇଁ ପ୍ରଯ୍ୟାପ୍ତ ସ୍ଥାନ ନଥିବା ହେତୁ ଏଭଳି ହୋଇଥାଏ  । ତେବେ ଏହାର ସୁଯୋଗ ନେଇ ହରିଣ ଶୀକାର ବଢୁଛି  ।

ଗିରଫ ହେଲେ ଫ୍ୟାକ୍‌ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା

ଭୁବନେଶ୍ୱର: ଗିରଫ ହେଲେ ଫ୍ୟାକ୍‌ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ।  ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ଭୁବନେଶ୍ୱର, କଟକ, କୋରେଇ ଓ ପୁଡୁଚେରୀ ସମେତ ୬ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଗତକାଲି ଏହି ସବୁ ସ୍ଥାନରେ ଚଢଉ ହୋଇଥିଲା ।


ଭୁବନେଶ୍ୱର ଘାଟିକିଆ, କଟକରେ ଶ୍ୱଶୁର ଘର, କୋରେଇ ପୈତୃକ ବାସଭବନ, କଟକ ସିଡିଏରେ ଥିବା ଫ୍ଲାଟ, କଟକ ଓ ଭୁବନେଶ୍ୱର ଅଫିସ କାର୍ଯ୍ୟାଳୟ ଓ ପୁଡୁଚେରୀରେ ଥିବା ଘରେ ରେଡ୍ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି ।

ଭିଜିଲାନ୍ସ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱ ଗତକାଲି ରେଡ୍ ହୋଇଥିଲା‌ ।  ଚଢ଼ାଉ ବେଳେ ତାଙ୍କର ବିପୁଲ ଗାଡେନ ସ୍ଥିତ ଫ୍ଲାଟରୁ ନଗଦ ୨ ଲକ୍ଷ ଟଙ୍କା ଏବଂ ୫ଶହ ଗ୍ରାମରୁ ଅଧିକ ପରିମାଣର ସୁନା ଅଳଙ୍କାର ମିଳିଥିଲା । ବିଭିନ୍ନ ବ୍ୟାଙ୍କରେ ସ୍ତାବର ଅସ୍ତାବର ସମ୍ପତି ଜମା ରହିଥିବା ସୂଚନା ପାଇଥିଲା ଭିଜିଲାନ୍ସ ଟିମ । ଖାଲି ତାଙ୍କ ନାମରେ ନୁହେଁ ତାଙ୍କ ସମ୍ପର୍କିୟଙ୍କ ନାମରେ ମଧ୍ୟ ସମ୍ପତ୍ତି ରହିଥିବା ତଦନ୍ତରୁ ଜଣା ପଡୁଛି ।

CSKକୁ ଆଉ ଏକ ବଡ଼ ଝଟକା: ରୈନାଙ୍କ ପରେ ହରଭଜନ ସିଂହ ଖେଳିବେନି IPL

ନୂଆଦିଲ୍ଲୀ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ ଦିନ କେଇଟା ରହିଲା । କିନ୍ତୁ ଅତି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗର ସମସ୍ୟା କମିବାର ନାଆ ଧରୁନି । କରୋନା ପରେ ଦଳର ଗୋଟିଏ ପରେ ଗୋଟିଏ ତାରକା ଖେଳାଳି ଆଇପିଏଲର ବର୍ତ୍ତମାନର ସିଜନ୍ ନ ଖେଳିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସୁରେଶ ରାଇନାଙ୍କ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ବୋଲର ହରଭଜନ ସିଂଙ୍କୁ ମଧ୍ୟ ଆଇପିଏଲର ୧୩ତମ ସିଜିନରୁ ବାଦ୍ ଦିଆଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ଏହି ସିଜିନରେ ନିଜକୁ ଦୂରେଇ ରଖିଛନ୍ତି । ଜଣାଇ ରଖୁଛୁ ଯେ, ହରଭଜନ ସିଏସକେ ଟିମ ସହିତ ୟୁଏଇରେ ପହଞ୍ଚି ନଥିଲେ ।

ୟୁଏଇ ପହଞ୍ଚି ନଥିଲେ ହରଭଜନ

ୟୁଏଇ ଯିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚେପୁକରେ ପାଞ୍ଚ ଦିନିଆ ତାଲିମ ଶିବିର କରିଥିଲା । ହରଭଜନ ସିଂ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେଠାରେ ପହଞ୍ଚି ନଥିଲେ । ଜାଡେଜା ଦଳ ସହ ୟୁଏଇରେ ପହଞ୍ଚିଥିବାବେଳେ ହରଭଜନ ସିଂ ଭାରତରେ ଥିଲେ । ସୂଚନା ଅନୁଯାୟୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷ ହରଭଜନ ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦଳର ଷ୍ଟାର ବୋଲର ହେଉଛନ୍ତି ହରଭଜନ ସିଂ

CSK ରେ ଉଭୟ ରୈନା ଏବଂ ହରଭଜନଙ୍କ ଅନୁପସ୍ଥିତି ଦଳର ସମସ୍ୟା ବଢ଼ାଇବ । ସୁରେଶ ରୈନା ଦଳର ନିୟମିତ ନମ୍ବର ତିନି ବ୍ୟାଟ୍ସମ୍ୟାନ୍ ଏବଂ ତାଙ୍କୁ ମିଷ୍ଟର ଆଇପିଏଲ୍ କୁହାଯାଏ। ଏଥି ସହିତ ହରଭଜନ ସିଂ ଦଳର ଅନ୍ୟତମ ତାରକା ଖେଳାଳି ଅଟନ୍ତି । ଗତ ସିଜନରେ ଭଜ୍ଜି ୧୬ ୱିକେଟ୍ ନେଇଥିଲେ ଏବଂ ପରପଲ୍ କ୍ୟାପ୍ ରେସରେ ସାମିଲ ହୋଇଥିଲେ । ଆଇପିଏଲ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇ ଭଜ୍ଜି ତୃତୀୟ ସ୍ଥାନରେ ଅଛନ୍ତି। ଏଥର ୟୁଏଇର ତିନୋଟି ଭିନ୍ନ ସ୍ଥାନରେ ଏକ ଖାଲି ଷ୍ଟାଡିୟମରେ ଆଇପିଏଲ୍ ଖେଳାଯିବ। ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ଲିଗରେ ସଂକ୍ରମଣକୁ ରୋକିବା ପାଇଁ ଅନେକ ସତର୍କତା ଅବଲମ୍ବନ କରାଯାଉଛି।

ଏଥିପାଇଁ ସମସ୍ତ ଦଳ ୟୁଏଇରେ ପହଞ୍ଚି କଡା ସୁରକ୍ଷା ଭିତରେ ବିଭିନ୍ନ ସ୍ଥାନରେ ତାଲିମ ଆରମ୍ଭ କରିଛନ୍ତି। ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଅନୁମୋଦନକୁ ଅପେକ୍ଷା କରିଛି । ଦଳର ୧୩ ଜଣ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା ​​ଯାହା ପରେ ସମଗ୍ର ଦଳକୁ କ୍ୱାରେଣ୍ଟିନ କରାଯାଇଥିଲା |

ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ

ବଲାଙ୍ଗିର: ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଭଳି ଗୁରୁତର ଅଭିଯୋଗ । ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜନୈକ ମହିଳ କିରାନୀ ଏହି ଅଭିଯୋଗ ଆଣିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା କର୍ମଚାରୀ ।ଉପଜିଲ୍ଲାପାଳ ସଂଜୟ ମିଶ୍ର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରିବାକୁ ସେ ନିବେଦନ କରିଥିଲେ  ।

ଅଭିଯୋଗ ପରେ ଉପଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ଜିଲ୍ଲାପାଳ । ତେବେ ଉପଜିଲ୍ଲାପାଳଙ୍କ ଉପରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟ ଗଠନ କରାଯାଇଛି । ଜଣେ ମହିଳା କର୍ମଚାରୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରାଯାଇଛି । ସେପଟେ ତଦନ୍ତ ମୁତାବକ ପୀଡ଼ିତା କର୍ମଚାରୀଙ୍କ କାଉନସେଲିଂ କରାଯାଇଛି ବୋଲି ତଦନ୍ତରେ ନିଯୋଜିତ ହୋଇଥିବା କମିଟି ମୁଖ୍ୟ କହିଛନ୍ତି ।

ଅନ୍ୟପକ୍ଷରେ ପୁରା ଘଟଣାକ୍ରମ ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜିଲ୍ଲାପାଳ ।

ଡ୍ରଗ୍ସ କନେକ୍ସନ୍ ନେଇ ରିୟାଙ୍କ ଘରେ NCBର ଛାନବିନ୍,ଭାଇ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ପଚରାଉଚରା

ମୁମ୍ବାଇ: ପ୍ରଥମେ ଇଡି, ତା ପରେ ସିବିଆଇ ଆଉ ଏବେ NCB । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍ ନେଇ ଖୋଳତାଡ ଆରମ୍ଭ କରିଛି ନ୍ୟାରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  । ଆଜି ରିୟାଙ୍କ ଭାଇ ସୌଭିକଙ୍କ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଉଠାଇଛି NCB  । ଏଥିସମେତ ରିୟାଙ୍କ ଘରେ ମଧ୍ୟ ହୋଇଛି ଚଢାଉ  । ଡ୍ରଗ୍ସ କାରବାର ନେଇ ଏକ ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍  ।

NCB ଟିମ୍ ରିୟା, ରିୟାଙ୍କ ଭାଇ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ସୌଭିକ ଓ ମିରାଣ୍ଡାଙ୍କ ଡିଜିଟାଲ ଡିଭାଇସକୁ ଜବତ କରିଛି NCB  । ମୋବାଇଲ୍ ଓ ଲାପଟପ ମଧ୍ୟ ଅକ୍ତିଆର କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମଧ୍ୟ NCB ହାତରେ ଲାଗିଛି । ଘଟଣାର ପୁରା ସତ୍ୟାସତ୍ୟ ପାଇଁ ସୌଭିକ ଓ ସାମୁଏଲକୁ ମୁହାଁମୁହିଁ ଜେରା କରିପାରେ NCB । ଏଭଳିକି ସୌଭିକ ଚକ୍ରବର୍ତ୍ତି ଓ ସାମୁଏଲ ମିରାଣ୍ଡା ଗିରଫ ହେବାର ମଧ୍ୟ ସମ୍ଭବନା ରହିଛି । କାରଣ ହ୍ୱାଟ୍ସଆପ୍ ଚାଟରେ ସୌଭିକଙ୍କ ଡ୍ରଗ୍ସ କାରବାର ନେଇ ଅନେକ ପ୍ରମାଣ ମିଳିଥିବା ଜଣାପଡିଛି ।

ଡ୍ରଗ୍ସ କାରବାରରେ ରିୟାଙ୍କ ଭାଇଁ ସୌଭିକଙ୍କ ନାଁ ସାମ୍ନାକୁ ଆସିବା ପରେ ଏବେ ବଢିଛି ରିୟାଙ୍କ ପାଇଁ ମଧ୍ୟ ବଢିଛି ବିପଦ । ଡ୍ରଗ୍ସ ମାମଲାରେ ତିନି ଜଣକୁ ଗିରଫ କରାଯାଇଛି  । ଆଉ କାହାର ହାତ ରହିଛି ଡ୍ରଗ୍ସ ରାକେଟ ପଛରେ ସେ ନେଇ ତଦନ୍ତ ଅଭିଯାନକୁ ଜୋରଦାର କରିଛି NCB । ସେପଟେ ଆଜି ମଧ୍ୟ ଦିଶା ସାଲିୟାନଙ୍କ କମ୍ପାନୀର କର୍ମଚାରୀ ବଣ୍ଟି ସଜଦେହକୁ ପଚରାଉଚରା କରୁଛି ସିବିଆଇ । ଦିଶାଙ୍କ ମୃତ୍ୟୁକୁ ନେଇ ସିବିଆଇ କରୁଛି ପଚରାଉଚରା ।

ଦିଶା ସୁଶନ୍ତଙ୍କ ପୂର୍ବ ମ୍ୟାନେଜର ହୋଇଥିବାବେଳେ ଜୁନ୍ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଡଃ ହରିଶ ସେଠୀଙ୍କୁ ପଚରାଉଚରା କରୁଛନ୍ତି ସିବିଆଇ ଟିମ୍ । ରିୟା ହରିଶ ସେଠୀଙ୍କୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେପଟେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ କହିଛନ୍ତି ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ସୁଶାନ୍ତଙ୍କ ଦେହ ଖରାପ ହୋଇଥିଲା ।

ତାମିଲନାଡୁର କୁଡ୍ଡାଲୋରରେ ବାଣ କାରଖାନାରେ ବିସ୍ଫୋରଣ, ୬ ମୃତ

0

କୁଡ୍ଡାଲୋର: ତାମିଲନାଡୁର କୁଡ୍ଡାଲୋରର ଏକ ବାଣ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଯାବତ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ତାମିଲନାଡୁର କୁଡ୍ଡାଲୋରରେ ଶୁକ୍ରବାର ସକାଳେ ଯେତେବେଳେ ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ, ଠିକ ସେତିକିବେଳେ ସେହି ଅଞ୍ଚଳରେ ଏକ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ବହୁ ଦୂର ଯାଏ ଶୁଣିବାକୁ ମିଳିଥିଲା ।

ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଘଟଣାଟି କୁଡ୍ଡାଲୋର ଜିଲ୍ଲାର କଟ୍ଟୁମନ୍ନାରକୋଲୀ ଅଞ୍ଚଳରେ ଏକ ବାଣ କାରଖାନାରେ ହୋଇଥିବା ଜଣାପଡ଼ିଥିଲା । ଏହି ଅଞ୍ଚଳ ରାଜଧାନୀ ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଅବସ୍ଥିତ ।

କାରଖାନାରେ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଯାବତ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି  । କାରଖାନା ଭିତରୁ ସମସ୍ତ ମୃତ ଦେହକୁ ବାହାର କରାଯାଇଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଜଣାଇ ରଖୁଛୁ ଯେ ଏହି ଦୁର୍ଘଟଣାରେ ଅନେକ ଲୋକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।