କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ନୂଆ ଷ୍ଟ୍ରାଟେଜୀ ଉପରେ ସମସ୍ତଙ୍କ ନଜର ?

Modi-Naveen

ଭୁବନେଶ୍ୱର: ପୁଣି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଯେଉଁ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଛି ସେହି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୩ ତାରିଖରେ ଆଲୋଚନାକ କରିବେ ବୋଲି ସୂଚନା ମିଳିଛି । ହେଲେ ଏହି ତାଲିକାରେ ଓଡ଼ିଶା ଅଛି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାରଣ ଓଡ଼ିଶାରେ କରେନା ସଂକ୍ରମଣ  ବଢ଼ୁଥିଲେ ମଧ୍ୟ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋଦି ଆଲୋଚନା କରିବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ପୂର୍ବରୁ, ମୁହାମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ସେପଟେ କରୋନା ମୁକାବିଲା ପାଇଁ ରାଜ୍ୟକୁ କେନ୍ଦ୍ରର ଅର୍ଥ ସହଯୋଗ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରିଛି ।

କେନ୍ଦ୍ର ସରକାର କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟକୁ କେତେ ଟଙ୍କା ଦେଉଛନ୍ତି, ଏବଂ ସେ ଟଙ୍କା କୁଆଡ଼େ ଯାଉଛି ସେନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ତେବେ ତାରଙ୍କ ଅଭିଯୋଗର ପାଲଟା ଜବାବ ଦେଇ ବିଜେପି କହିଛି, କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ କେନ୍ଦ୍ର ସରକାର ବ୍ୟାପକ ସହାୟତା ଯୋଗାଇ ଦେଇଛନ୍ତି । ଆଗମୀ ଦିନରେ ଓଡ଼ିଶାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମଧ୍ୟ କହିଛି ବିଜେପି ।

ସେପଟେ ରାଜ୍ୟ ସରକାର କୋଭିଡ୍‌ ପରିଚାଳନାକୁ ସଠିକ ଭାବେ କରୁଛନ୍ତି ଓ ଏହାର ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷପ ନେଉଥିବା କହିଛି ବିଜେଡି । ଏହାସହ କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ର ଯେତିକି ସହଯୋଗ କରିବା କଥା ତାହା କରୁନାହିଁ ବୋଲି ମଧ୍ୟ କହିଛି ବିଜେଡି । ତେବେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯଦି ଆଲୋଚନା କରନ୍ତି ତେବେ କ’ଣ ନୂଆ ଷ୍ଟ୍ରେଟେଜୀ ଆପଣାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply