ଭୁବନେଶ୍ୱର: ବିସ୍ଫୋରଣ ପ୍ରଭାବରେ ଭୁଶୁଡ଼ିଲା ରାଜଭବନ କାଚ । ଗଭର୍ଣ୍ଣର ହାଉସ୍ ଛକରେ ଥିବା ପେଟ୍ରୋଲ୍ ପମ୍ପରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏହି ବିସ୍ଫୋରଣ ପ୍ରଭାବରେ ରାଜଭବନର ମଧ୍ୟ ଅନେକ କ୍ଷତି ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ସମୟରେ ରାଜଭବନରେ ଉପସ୍ଥିତ ଥିଲେ ରାଜ୍ୟପାଳ । ଦୁର୍ଘଟଣା ନେଇ ରାଜ୍ୟପାଳ ଅବଗତ ଅଛନ୍ତି । ତେବେ ରାଜଭବନରେ କର୍ଯ୍ୟରତ କର୍ମଚାରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସମସ୍ତ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ଏନେଇ ରାଜଭବନର ଲୋକସମ୍ପର୍କ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

ତେବେ କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍ ଥିବା ରିପୋର୍ଟ ଦିଆଯାଇଛି । ଏହି ବିସ୍ଫୋରଣ ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ବାଲେଶ୍ୱରରୁ ଆଇଓସିଏଲ୍ର ଏକ ଟେକ୍ନିକାଲ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛି । ଖୁବ୍ ଶୀଘ୍ର ଏହି ଟିମ୍ ତଦନ୍ତ କରି ବିସ୍ଫୋରଣର କାରଣ ଖୋଜି ବାହାର କରିବ ।
ତେବେ ଏଲ୍ପିଜି ଟ୍ୟାଙ୍କରେ ଲିକ୍ ହୋଇ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବିସ୍ଫୋରଣ ସ୍ଥଳରେ ଭୁବନେଶ୍ୱରର ସିପି, ଡିସିପି, ଆଇପିଏସ୍ ସତ୍ୟଜିତ ମହାନ୍ତି ସ୍ଥାନୀୟ ଥାନାଧିକାରୀ ଉପସ୍ଥିତ ଅଛନ୍ତି ।

ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଗଭର୍ଣ୍ଣର ହାଉସ୍ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଜଣେ ଗୁରୁତରଙ୍କ ହାତ ଛିଣ୍ଡି ତଳେ ପଡ଼ିଥିବା ଦେଖାଯାଇଛି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ମାତ୍ରା ଏତେ ଥିଲା ଯେ, ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରଥମେ ଗ୍ୟାସ୍ ଟ୍ୟାଙ୍କର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା ପରେ ଏହା ବଡ଼ ବିସ୍ଫୋରଣର ରୂପ ନେଇଥିଲା । ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଭାଙ୍ଗିଯାଇଛି ।
https://www.facebook.com/NandighoshaTV/videos/780129816142251/
ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଗୋପବନ୍ଧୁ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ଏହାସହ ଏଜି ଛକ ଓ ପାଓ୍ୱାର ହାଉସ୍ ଛକରେ ଯାତାୟତକୁ ବନ୍ଦ କରି ଦିଆଯାଇଛି ଲୋକଙ୍କୁ ଅଯଥା ଗହଳି ନକରିବା ପାଇଁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସମସ୍ତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣାକ କରିଛନ୍ତି ।