spot_img
Home Blog Page 6346

ନକଲି ନୋଟ ଦେଇ ପେଟ୍ରୋଲ ପକାଉଥିବା ବେଳେ ଧରିଲା ପୋଲିସ

ଝାରସୁଗୁଡ଼ା: ନକଲି ନୋଟ ଜବତ କଲା ପୋଲିସ । ନକଲି ତେଲ, ଘିଅ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପରେ ଏବେ ନକଲି ନୋଟ ଜବତ ହୋଇଛି ।। ନକଲି ନୋଟ ଦେଇ ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ଧରିଲା ପୋଲିସ । ଏହାସହ ନକଲି ନୋଟ କାରଖାନ ମଧ୍ୟ ଠାବ କରାଯାଇଛି । ଘଟଣାଟି ହେଉଛି ବନହରପାଲି ଅଞ୍ଚଳର ।

ବନହରପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଜଣେ ବ୍ୟକ୍ତି ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିବା ବେଳେ ପମ୍ପ ମାଲିକ ପୋଲିସକୁ ଖବର କରିଥିଲେ  । ପୋଲିସ ଖବରପାଇ ଏନେଇ ତଦନ୍ତ କରି ଜଣକୁ ବନହରପାଲିରୁ ଗିରଫ କରିଥିଲା  । ତାକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁ ଥିବା ଖବର ପାଇଥିଲା । ତାପରେ ପୋଲିସ ବାମରାସ୍ଥିତ ନକଲି ନୋଟ କାରଖାନାରେ ଚଢ଼ାଉ କରି ଥିଲା । ସେଠାରୁ ୨ ଜଣକୁ ଗିରଫ କରିବାସହ ତାଙ୍କ ଠାରୁ ୯୬ ହଜାର ୩ଶହ ଟଙ୍କା ଜବତ କରିବା ସହ ୩ ଜଣକୁ ଗିରଫ କରିଛି  ।

ତେବେ ଅଭିଯୁକ୍ତ ମାନଙ୍କଠାରୁ ୯୧୮ ଟି ୧୦୦ ଟଙ୍କିଆ,  ୯ ଟି ୫୦୦ ଟଙ୍କିଆ,  ଗୋଟେ କଲର ପ୍ରିଣ୍ଟର ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ସମ୍ଵଳପୁର ଗୋବିନ୍ଦପୁରର  ମହମ୍ମଦ ଇରଫାନ(୨୪), ଇସ୍ଥିଫାକ ଆନସାରୀ (୩୨),  ଲଖନପୁର ବ୍ଲକ  ଖାଡ଼ମର ମହମ୍ମଦ ଅଜମଲ (୨୦) ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧକାରୀ କହିଛନ୍ତି l ଆଜି ୩ ଜଣ ଅଭିଯୁକ୍ତଙ୍କୁ କୋଟ ଚାଲାଣ କରାଯିବା ବୋଲି ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି  ।

ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦେଶକ ଆର.କେ ଶର୍ମା

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସ ଆଇ ଡବ୍ଲୁ ଡ଼ିଆଇଜି ଅନିରୁଦ୍ଧ ସିଂ  । ମାଲକାନଗିରି ଗସ୍ତରେ ଆସି ମାଓ ଦମନ ନେଇ ଏକ ରୁଦ୍ଧ ଦ୍ୱାର ବୈଠକରେ ଯୋଗ ଦେଇଥିଲେ । ଗତ ୨ଦିନ ତଳେ ସ୍ୱାଭିମାନ ଅଞ୍ଚଳର ତୋଟାଗୁଡା ଜଙ୍ଗଲରେ ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଏସଓଜି ଯବାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ନକ୍ସଲ କିଶୋରର ମୃତ୍ୟୁ ହୋଇଥିବା ବେଳେ ଜଣେ ନକ୍ସଲ ଗିରଫ ହୋଇଥିଲା ।

ମାଲକାନଗିରି ଜିଲ୍ଲାରେ ଗୁଇନ୍ଦା ବିଭାଗ ବେଶ ସଫଳତା ପାଇ ପାରିଛି । ନକ୍ସଲଙ୍କ ପ୍ରତ୍ୟେକ ଗତିବିଧିକୁ ଗୁଇନ୍ଦା ବିଭାଗ ପୋଲିସ ନିକଟରେ ସୂଚନା ପହଞ୍ଚାଇ ପାରିଛି । ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଜିଲ୍ଲାରେ ମାଓ ଦମାନରେ ବେଶ ସଫଳତା ମିଳିଥିବାରୁ ଗୁଇନ୍ଦା ବିଭାଗ ର ଅଧିକାରୀ ମାନେ ପ୍ରଶଂସା କରିଥିଲେ । ଆଗାମୀ ରଣନୀତି ନେଇ ବୈଠକରେ ବିସ୍ତୃତ ଆଲୋଚନା କରିଥିବା ଜଣା ପଡ଼ିଛି ।

ରେଲୱେର ନକଲି ନିଯୁକ୍ତିପତ୍ର ଦେଇ ୩ ଯୁବକଙ୍କୁ ଠକିଲେ ଦୁବୃର୍ତ୍ତ

0

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ଲକ୍ଷ୍ନୗେରେ କିଛି ଯୁବକଙ୍କୁ ରେଳବାଇରେ ଚାକିରି କରାଇଦେବାକୁ କହି ଦୁବୃର୍ତ୍ତମାନେ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ସୂଚନା ଅନୁଯାୟୀ ସିତାପୁରର ବାସିନ୍ଦା ମନୋଜ କୁମାର ଦେଢ ବର୍ଷ ପୂର୍ବେ ଗାଜିପୁରର ନିବାସୀ ନିତ୍ୟାନନ୍ଦ ରାୟଙ୍କ ସହ ଦେଖାହୋଇଥିଲେ । ସେ ସମୟରେ ରେଳବାଇର ୪ର୍ଥ ଶ୍ରେଣୀର ପଦବୀ ପାଇଁ ନିଯୁକ୍ତି ସୁଯୋଗ ଥିବା ଏବଂ ତାଙ୍କର ନିଯୁକ୍ତି କରାଇ ଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ ନିତ୍ୟାନନ୍ଦ।

ତା’ପରେ ମନୋଜ ତାଙ୍କ ସମ୍ପର୍କୀୟ ଚନ୍ଦ୍ରମଣି, ପ୍ରବେଶ କୁମାର ଓ ଅମିତ ଭାର୍ଗବଙ୍କୁ ଏସମ୍ପର୍କରେ କହିଥିଲେ । ସରକାରୀ ଚାକିରି ପାଇବା ଆଶାରେ ସେମାନେ ଟଙ୍କା ଖର୍ଚ୍ଚ କରିବାକୁ ରାଜି ହୋଇଯାଇଥିଲେ ।

ପୋଲିସର ସୂଚନା ଅନୁଯାୟୀ ନିତ୍ୟାନନ୍ଦ ସେମାନଙ୍କୁ ରାଞ୍ଚି ଡୋରୋଡା ନିବାସୀ ଅଭିଷେକ ରାୟଙ୍କ ସହ ଦେଖା କରାଇବା ସହ ପଶ୍ଚିମବଙ୍ଗର ଆସନସୋଲରେ ଜଏନିଂ ପାଇ କହିଥିଲେ । ପରେ ମନୋଜ ନିତ୍ୟାନନ୍ଦଙ୍କ ଗାଜିପୁର ସ୍ଥିତ ଘରକୁ ମଧ୍ୟ ଯାଇଥିଲେ । ଯାହା ପରେ ସେ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଓ ୫ ଲକ୍ଷ ଟଙ୍କା ନଗଦ ଟଙ୍କା ଦେଇଥିଲେ ।

ମନୋଜଙ୍କ କହିବାନୁଯାୟୀ ସେମାନେ ତାଙ୍କୁ ଡିଆରଏମ୍ ଅଫିସ ନେବା ସହ ରେଲଓ୍ବେ ଅଧିକାରୀଙ୍କ ଷ୍ଟେନୋଙ୍କ ସହ ଭେଟ କରାଇଥିଲେ । ମନ୍ତ୍ରୀ କୋଟାରେ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ନେଇ ସେ କହିଥିଲେ । ଏପରିକି ସେମାନଙ୍କୁ ଜଏନିଂ ଲେଟର ଦେବା ସହ ପଶ୍ଚିମବଙ୍ଗରେ ୬ ମାସ ଯାଏଁ ଟ୍ରେନିଂ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ।

ତେବେ ପରେ ଚାକିରି ମିଳିବା ନେଇ କିଛି ସୂଚନା ନମିଳିବାରୁ ସେମାନେ ଠକାମୀର ଶିକାର ହୋଇଥିବା ସନ୍ଦେହ କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ଆଲିଗଞ୍ଜ ଥାନାରେ ମାମଲା ରୁଜୁ କରାଯାଇଛି ।

ହ୍ୱାଟସ ଆପ୍ OTP ସ୍କାମରୁ କିଭଳି ବଞ୍ଚିବେ? ଜାଣି ରଖନ୍ତୁ ସିକ୍ରେଟ ଟିପ୍ସ

ଗତ କିଛି ଦିନ ହେବ ଆପଣ ହ୍ୱାଟସଆପର ଓଟିପି ସ୍କାମ୍ ବାବଦରେ ଶୁଣୁଥିବେ । ଗତ କିଛିଦିନ ହେବ ଠକ ହ୍ୱାଟସଆପକୁ ଠକେଇ ପାଇଁ ଟାର୍ଗେଟ୍ କରୁଛନ୍ତି । ସତର୍କ ନରହିଲେ ଆପଣଙ୍କ ଆକାଉଣ୍ଟ ବି ହୋଇପାରେ ହରଣଚାଳ । ଆଉ ତା ସହିତ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ ଦାଣ୍ଡରେ ପଡି ହାଟରେ ଗଡିବ ।
ହ୍ୟାକର ଏବେ ହ୍ୱାଟସଆପ୍ ହ୍ୟାକିଂ ଓଟିପି ଜରିଆରେ କରୁଛନ୍ତି । ତେବେ ଏହା କେମିତି ହେଉଛି ? ଆପଣଙ୍କ ହ୍ୱାଟସଆପକୁ ଅଜଣା ନମ୍ବରରୁ ମେସେଜ୍ ଆସେ । ମେସେଜ୍ କରିଥିବା ବ୍ୟକ୍ତି କୌଣସି ଅସୁବିଧାରେ ପଡିଥିବା କୁହନ୍ତି । ଏମରଜେନ୍ସୀ ପରିସ୍ଥିତି କଥା କହି ହ୍ୟାକର ଆପଣଙ୍କୁ ଭୁଆଁ ବୁଲାଇବ । କହିବ ଯେ, ଭୁଲରେ ତା’ ଓଟିପି ଆପଣଙ୍କ ନମ୍ବରକୁ ଆସି ଯାଇଛି । ତେଣୁ ତାକୁ ରି ସେଣ୍ଡ୍ କରନ୍ତୁ । ଯେମିତି ଆପଣ ସେହି ଓଟିପିକୁ ହ୍ୟାକର ପାଖକୁ ପଠାଇବେ ସେମିତି ଆପଣଙ୍କ ଆକାଉଣ୍ଟର କଣ୍ଟ୍ରୋଲ ହ୍ୟାକର ପାଖକୁ ଚାଲିଯିବ ।

ଥରେ ହ୍ୟାକର ପାଖକୁ ଆପଣଙ୍କ ଆକାଉଣ୍ଟ୍ ଆକ୍ସେସ ଚାଲିଯିବା ପରେ ଆପଣଙ୍କ ପାଇଁ ନିଜ ଆକାଉଣ୍ଟ ଲକ୍ ହୋଇଯିବ । ଆପଣଙ୍କ ଆକାଉଣ୍ଟର ଅପବ୍ୟବହାର ହେବ । ଫଳରେ ଆପଣ ଅସୁବିଧାରେ ପଡିବେ ।
ଏଥିରୁ ବଂଚିବାର ଏକମାତ୍ରା ବାଟ ହେଉଛି କେବେ ମଧ୍ୟ କାହାରିକି ହ୍ୱାଟସଆପ ଓଟିପି ଦିଅନ୍ତୁ ନାହିଁ । ତେଣିକି ସିଏ ଯେତେ ଅସୁବିଧାରେ ଥିବା ଦାବି କରନ୍ତୁ ନା କାହିଁକି ।
ଏହା ସହ ନିଜ ହ୍ୱାଟସଆପ୍ ଆକାଉଣ୍ଟକୁ ଟୁ ଷ୍ଟେପ୍ ଭେରିଫିକେସନ୍ ଦ୍ୱାରା ସୁରକ୍ଷିତ କରନ୍ତୁ ।

 

ଏବେ ଜାଣନ୍ତୁ କେମିତି ଟୁ ଷ୍ଟେପ୍ ଭେରିଫିକେସନ୍ କରିବେ..
ହ୍ୱାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ ଅନ୍ କରିବା ପାଇଁ ହ୍ୱାଟସଆପ୍ ଓପନ୍ କରନ୍ତୁ । ସଭା ଉପରେ ଡାହାଣ ପଟେ ଥିବା ତିନି ବିନ୍ଦୁକୁ କ୍ଲିକ୍ କରନ୍ତୁ । ସେଟିଂକୁ ଯାଆନ୍ତୁ । ସେଟିଂରେ ଆକାଉଣ୍ଟ୍ ଟ୍ୟାପ୍ କରନ୍ତୁ । ଆକାଉଣ୍ଟ ସେକ୍ସସନରେ ଟୁ ଷ୍ଟେପ୍ ଭେରିଫିକେସନ ଅପସନ ଆସିବ । ସେଠାରେ ୬ ଅଙ୍କ ବିଶିଷ୍ଟ କୋଡ୍ ଦିଅନ୍ତୁ । ଏନେବଲ କରିବା ପରେ ତାର ବ୍ୟାକ୍ ଅପ୍ ନିଅନ୍ତୁ । ଯେମିତି କୋଡ୍ ଭୁଲିବା ପରିସ୍ଥିତିରେ ତାକୁ ପୁଣି ରିକଭର କରିପାରିବେ ।
ଟୁ ଷ୍ଟେପ୍ ଭେରିଫିକେସନ୍ ଏନେବଲ କରିବା ଦ୍ୱାରା କେହି କେବେ ବି କେବଳ ଓଟିପି ଜରିଆରେ ଆପଣଙ୍କ ଆକାଉଣ୍ଟର କଣ୍ଟ୍ରୋଲ ନେଇ ପାରିବ ନାହିଁ ।

କଟକ IIFL ସୁନା ଲୁଟ ଘଟଣା: ଏପର୍ଯ୍ୟନ୍ତ ସୁଦ୍ଧା ୧୦କେଜି ସୁନା ଜବତ

କଟକ: କଟକ ଆଇ ଆଇ ଏଫ୍ ଏଲ ସୁନା ଲୁଟ ଘଟଣା । ଏ ଯାଏଁ ୧୦ କିଲୋ ସୁନା ଗହଣା ଠାବ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ମାନାପୁରମର ଦୁଇଟି ବ୍ରାଞ୍ଚରୁ ୬ କିଲୋ ୭ଶହ ସୁନା ମିଳିଥିବା ବେଳେ ଗିରଫଦାରୀ ସଂଖ୍ୟା ଆଗକୁ ବଢିପାରେ ବୋଲି ସିପି କହିଛନ୍ତି । ସଂସ୍ଥାରୁ ଠାବ ହୋଇଥିବା ସମସ୍ତ ସୁନା ପୋଲିସ ହେପାଜତରେ ରହିବ । ସୁନା ବନ୍ଧକ ଥିବା ଲୋକେ ଫେରାଇବା ଦାୟିତ୍ଵ ଆଇ ଆଇ ଏଫ୍ ଏଲ ସଂସ୍ଥାର ବୋଲି କହିଛନ୍ତି ପୋଲିସ କମିଶନର ।

ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସ ଲୁଟ ଘଟଣାରେ ଦୁଇ ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଏଯାବତ ୧୦ ଜଣଙ୍କୁ ଗିରଫ କରାଗଲାଣି । ମଙ୍ଗଳାବାଗ ଓ ପୁରୀଘାଟର ଦୁଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଲାଲା ସହିତ ସଂପୃକ୍ତି ନେଇ ଗିରଫ କରାଯାଇଛି । ପୂର୍ବରୁ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟ ସମେତ ୫ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ । ଯାହାର ଅବଧି ଆଜି ସରୁଛି । ରିମାଣ୍ଡ ବେଳେ ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ଧରି ଡେମୋ କରାଯାଇଖିଲା । ରିମାଣ୍ଡରେ ଥିବା ମାଷ୍ଟର ମାଇଣ୍ଡ ଓ ୪ ଲୁଟେରା ପୋଲିସକୁ ଲୁଟ୍‌ର ଲାଇଭ ଦୃଶ୍ୟ ଦେଖାଇଥିଲେ । ପ୍ରଥମେ ମୁଖ୍ୟରାସ୍ତାରେ ପରେ ଶାଖା ଭିତରେ ଡେମୋ କରାଯାଇଥିଲା ।

ସେପଟେ ବଜ୍ରକବାଟି ରୋଡରେ ଥିବା ମାନାପୁରମ ଶାଖା ମ୍ୟାନେଜର ପୀତାମ୍ବର ସାହୁଙ୍କୁ ଉଠାଇନେଇଛି ପୋଲିସ । ତାଙ୍କୁ ପଚରାଉଚରା ଜାରି ରହିଛି । ନକଲି ପ୍ରୋଫାଇଲ କରି ଲୋନ ଦିଆଯାଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୀତାମ୍ବର ଗତ ୫ ବର୍ଷ ହେଲା ମାନାପୁରମର ବିଭିନ୍ନ ଶାଖାରେ କାମ କରୁଥିଲେ । ସେପଟେ ଘଟଣାରେ ପୂର୍ବରୁ ଲାଲା, ଭାଇ ରଞ୍ଜନ ଓ ପ୍ରମୁଖ ସହଯୋଗୀ ନୀଳିମା ଲେଙ୍କାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫେକ୍ ଆକାଉଣ୍ଟ କରି ଏମାନେ ଲୁଟ୍‌ର ରଚିଥିଲେ ବ୍ଲୁ ପ୍ରିଣ୍ଟ । ଘଟଣାରେ ଏବେ ସୁଦ୍ଧା ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଅଡି କାର, ବଜାଜ ପଲସର ଓ ହୋଣ୍ଡା ଗାଡି ବି ଜବତ ହୋଇଛି ।

ଜଗନ୍ନାଥ ମନ୍ଦିର ସାମ୍ନାରୁ ବିରଳ ଧଳା ପେଚା ଉଦ୍ଧାର

ମାଲକାନଗିରି: ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲକ୍ଷ୍ମୀଙ୍କ ବାହନ । ଏହାକୁ ଦେଖିବାକୁ ଜମିଛି ଲୋକଙ୍କ ଗହଳି । ଘଟଣାଟି ହେଉଛି କାଲିମେଳା ଜଗନ୍ନାଥ ମନ୍ଦିର ସମ୍ମୁଖର । ମନ୍ଦିର ସାମ୍ନାରେ ଏକ ବିରଳ ଧଳା ପେଚାକୁ ଠାବ କରାଯାଇଥିବା ବେଳେ ଏହାକୁ ଦେଖିବାକୁ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଏକ ଛୁଆ ଧଳା ପେଚା ରାସ୍ତାକଡ଼ରେ ପଡ଼ିଥିବାବେଳେ ବାଟରେ ଯାଉଥିବା ଦୁଇଜଣ ଯୁବକ ଏହାକୁ ପ୍ରଥମେ ଦେଖିଥିଲେ । ଏହାପରେ ଦୁଇଜଣ ପେଚା ଛୁଆଟିକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ । 

ଉଦ୍ଧାର କରିଥିବା ପେଚାଟିର ଶରୀରରେ ଧଳା ଦାଗ ରହିଥିଲା । ତେବେ ଉଦ୍ଧାର ପେଚାଟି ମାତ୍ର ମାସେ କି ଦୁଇମାସର ହୋଇଥିବା ଅନୁମାନ କରାଯାଉଛି । ଏହି ପେଚାଟି ଉଡ଼ିପାରୁନଥିବା ଜଣାପଡ଼ିଥିଲା । ତେବେ ପେଚାଟି କେଉଁଠୁ ଆସିଲା କିଏ ଆଣିଲା ସେ ବିଷୟରେ କିଛି ଜଣାପଡ଼ିନାହିଁ । ପବିତ୍ର କାର୍ତ୍ତିକ ମାସରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧଳାପେଚା ମିଳିବା ଶୁଭ ବୋଲି ସାଧାରଣରେ ଚର୍ଚ୍ଚା ।

ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ମାଆ ଓ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର: ରାଜରାସ୍ତାରେ ଆତ୍ମହୁତୀ ଉଦ୍ୟମ । କିଛିଦିନ ତଳେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଦମ୍ପତ୍ତି । ଆଜି ପୁଣି ଆଉ ଦୁଇଜଣ ମାଆ-ପୁଅ ସମାନ ଉଦ୍ୟମ କରିଛନ୍ତି । ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ମା ଓ ପୁଅଙ୍କ ଆତ୍ମାହୂତି ଉଦ୍ୟମ କରିଥିବା ସୂଚନା ମିଳିଛି । ନିଜ ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ମାଆ ପୁଅ । ସାନ ପୁଅ ଅମୃତର ହତ୍ୟା ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତିର୍ତ୍ତୋଲ ରାସ୍ତାରେ ପୁଅକୁ ବର୍ଷେ ତଳେ ମାରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । କୁଜଙ୍ଗରୁ ଆସି ରାଜଧାନୀରେ ମା ପୁଅ କରିଛନ୍ତି ଆତ୍ମାହୁତୀ ଉଦ୍ୟମ କରିଛନ୍ତି ।

ବିଧାନସଭା ଚାଲିଥିବା ସମୟରେ ଏଭଳି ଏକ ଘଟଣା ତୃତୀୟ ଥର ପାଇଁ ସାମ୍ନାକୁ ଆସିଛି । ବିଧାନସଭା ଆଖପାଖ ଅଞ୍ଚଳକୁ ଆଜି କଡ଼ନ କରାଯାଇଥିଲା ତଥାପି ଇନ୍ଦିରାଗାନ୍ଧୀ ପାର୍କପାଖରେ କେଉଁଭଳି ଭାବେ ମାଆ ପୁଅ ଏମିତି ଉଦ୍ୟମ କଲେ ସେନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ସମ୍ପୃକ୍ତ ମହିଳା ଜଣଙ୍କ ହେଉଛନ୍ତି ଜଗତସିଂହପୁରର ସୁଲଚନା । ଏହି ଡ୍ରାମ ଦିର୍ଘ ସମୟଧରି ଚାଲିଥିବା ବେଳେ ଏହାକୁ କାବୁ କରିବାକୁ ନାକେଦମ ହୋଇଥିଲା ପୋଲିସ ।

ରାଜ୍ୟପାଳ ବି ଦେଲେ ମଞ୍ଜୁରୀ, ଏଣିକି ଲଭ୍‌ ଜିହାଦ୍‌ ଘଟଣା ସାମ୍ନାକୁ ଆସିଲେ ରକ୍ଷା ନାହିଁ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଲଭ୍ ଜିହାଦ ମାମଲାରେ ହୋଇଥିବା ଅଧ୍ୟାଦେଶକୁ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ମଞ୍ଜୁରୀ ମିଳିସାରିଛି । ଏହାସହ ପୁରା ରାଜ୍ୟରେ ଏହି ଅଧ୍ୟାଦେଶ ଆଜିଠୁ ଲାଗୁ ହୋଇଛି ।  ଗତ ୨୪ରେ ରାଜ୍ୟ କ୍ୟାବିନେଟରେ ଲଭ୍‌ ଜିହାଦକୁ ନେଇ ସରକାର ଅଧ୍ୟାଦେଶ ପାରିତ କରିଥିଲେ । ପରେ ଏହାକୁ ମଞ୍ଜୁରୀ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ଯାହାକୁ ମଞ୍ଜୁରୀ ଦିଆଯାଇଛି ।

ଆସନ୍ତା ୬ ମାସ ଭିତରେ ଏହାକୁ ବିଧାନସଭାରେ ପାରିତ କରିବାକୁ ପଡିବ । ଯାହା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ ବୋଲି କୁହାଯାଉଛି । ଏହି ଅଧ୍ୟାଦେଶ ମୁତାବକ କୌଣସି ଯୁବତୀଙ୍କୁ ବଳପୂର୍ବକ ବା ଧୋକା ଦେଇ ଧର୍ମ ପରିବର୍ତ୍ତନ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହେବ । ଏଥିସହ ନିଜ ଇଛାରେ ଧର୍ମ ପରିବର୍ତ୍ତନ କଲେ ସ୍ଥାନୀୟ ପ୍ରଶାସନକୁ ଦୁଇ ମାସ ପୂର୍ବରୁ ସୂଚନା ଦେବାକୁ ପଡିବ ବୋଲି ନିୟମ ରହିଛି । ଖାଲି ସେତିକି ନୁହେଁ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି ନିୟମରେ ଉଲ୍ଲେଖ ରହିଛି ।

ରାଜ୍ୟରେ ବଳ ପୂର୍ବକ ଧର୍ମ ପରିବର୍ତ୍ତନ ଭଳି ମାମଲା ବଢୁଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ସରକାର ଏହି ଅଧ୍ୟାଦେଶ ପାରିତ କରିଛନ୍ତି ।

କଟକ ପାଲଟିଛି ନକଲି ହାତ ସାମଗ୍ରୀର ପେଣ୍ଠସ୍ଥଳୀ, ରାତି ପାହିଲେ ହେଉଛି ଚଢ଼ାଉ

କଟକ: ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ । କଟକ ବିଦ୍ୟାଧରପୁର ଭଦିମୂଳଠାରେ ଚାଲିଥିଲା କାରଖାନା । ତେବେ କଟକରୁ କେତେବେଳେ ତେଲ ଜବତ ହେଲାଣିତ ପୁଣି କେତେବେଳେ ନକଲି ଘିଅ । ବାରମ୍ବାର ଚଢ଼ାଉରୁ ଜଣାପଡ଼ୁଛି କଟକ ଏବଂ କଟକର ଉପକଣ୍ଠ ଏବେ ନକଲି ହାତ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ।

 

ତେବେ ମାପ ଓଜନ, ଖାଦ୍ୟ ସୁରକ୍ଷା ଓ ପୋଲିସର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି ବୋଲି ପ୍ରାଥମିତ ସୂଚନାରୁ ଜଣାପଡ଼ିଛି । ପୋଲିସ ମାଲିକ ଓ କର୍ମଚାରୀଙ୍କୂ ଅଟକ ରଖିଛି । କେମିକାଲ ମିଶାଇ ବିକ୍ରି ପାଇଁ ବଜାରକୁ ଛାଡ଼ୁଥିଲେ ଏମାନେ ।

କିଛିଦିନ ତଳେ କଟକ ସଦର ଅଞ୍ଚଳରେ ନକଲି ଘିଅ କାରଖାନା ଠାବ କରାଯାଇଥିଲା ଏବଂ ଅପମିଶ୍ରଣ ହୋଇଥିବା ଲକ୍ଷାଧିକ ଟଙ୍କାର ଘିଅ ଜବତ କରାଯାଇଥିଲା । ପ୍ରଥମେ ମାଲଗୋଦାମ ଅଞ୍ଚଳକୁ ଏହି ନକଲି ସାମଗ୍ରୀ ବିକ୍ରି ପାଇଁ ଆସୁଥିଲା । ସେଠାରୁ ଅନ୍ୟ ସମସ୍ତ ସ୍ଥାନକୁ ଯାଉଥିଲା ।

‘ମୋଦିଙ୍କ ଅହଙ୍କାର ପାଇଁ କିଷାନଙ୍କ ବିରୋଧରେ ଯବାନ’, ଦେଶ ପାଇଁ ଏହା ବିପଦଜ୍ଜନକ କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥର କୃଷକ ଆନ୍ଦୋଳନର ସାହାରା ନେଇ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ୪ଟି ଭିନ୍ନ ଭିନ୍ନ ଫଟୋ ଟ୍ୱିଟ୍‌ କରି ପୋଲିସର ଦମନଲୀଳାକୁ ସମାଲୋଚନା କରିବା ସହ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ।

ରାହୁଲ ଏକ ଫଟୋ ସେୟାର କରି ସେଥିରେ ଲେଖିଛନ୍ତି ଯେ, ‘ଏହା ଅତ୍ୟନ୍ତ ଦୁଃଖଦ ଫଟୋ । ଆମର ସ୍ଲୋଗାନ ଥିଲା ‘ଜୟ ଯବାନ ଜୟ କିସାନ’ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହଂକାର ଯୋଗୁଁ ଚାଷୀ ଏବଂ ଯବାନ ସାମ୍ନା ସାମ୍ନି ହୋଇଛନ୍ତି । ଏହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ।’

ସେହିଭଳି ପ୍ରିୟଙ୍କା ଲେଖିଛନ୍ତି ଯେ, ‘ବିଜେପି ସରକାରରେ ଦେଶର ବ୍ୟବସ୍ଥାକୁ ଟିକେ ନଜର ପକାନ୍ତୁ । ଯେତେବେଳେ ବିଜେପିର ଅରବପତି ବନ୍ଧୁମାନେ ଦିଲ୍ଲୀ ଆସୁଛନ୍ତି ସେମାନଙ୍କୁ ଲାଲ୍‌ କାର୍ପେଟ୍‌ରେ ପାଛୋଟି ନିଆଯାଉଛି । ହେଲେ ଚାଷୀ ଭାଇମାନେ ଯେତେବେଳେ ଦିଲ୍ଲୀ ଆସିବାକୁ ଚାହୁଁଛନ୍ତି ସେତେବେଳେ ତାଙ୍କ ପାଇଁ ରାସ୍ତା ଖୋଳି ଦିଆଯାଉଛି । ଦିଲ୍ଲୀରେ ଥାଇ ଚାଷୀଙ୍କ ବିରୋଧରେ ଆଇନ୍‌ ପ୍ରଣୟନ କରି ପାରିବେ କିନ୍ତୁ ଚାଷୀଙ୍କୁ ଦିଲ୍ଲୀରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବେ ନାହିଁ । ଦିଲ୍ଲୀ ଆସି ସରକାରଙ୍କୁ ଚାଷୀମାନେ ଅଭିଯୋଗ କରିବା କ’ଣ ଭୁଲ୍‌ କି ? ବୋଲି ପ୍ରିୟଙ୍କା ନିଜ ପୋଷ୍ଟରେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଦିଲ୍ଲୀ ସୀମାରେ ପୋଲିସ ଓ ଚାଷୀମାନଙ୍କ ମଧ୍ୟରେ ଜୋରଦାର୍‌ ଟକ୍କର ହୋଇଛି । ଏମିତିକି ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ନଦେବା ପାଇଁ ପୋଲିସ ସେମାନଙ୍କ ଉପରକୁ ଥଣ୍ଡା ଦିନରେ ପାଣି ମାଡ଼ କରିବାକୁ ବି ପଛେଇ ନଥିଲା । ଖାଲି ସେତିକି ନୁହେଁ ଚାଷୀ ଯେଉଁ ରାସ୍ତା ଦେଇ ଆସୁଥିଲେ ସେହି ରାସ୍ତାକୁ ଖୋଳି ଦିଆଯାଇଥିଲା । ରାସ୍ତାରେ ବିରାଟ ଖାଲ କରି ଦିଆଯାଇଥିଲା । ହେଲେ ଚାଷୀ ନିଜ ଜିଦ୍‌ରେ ଅଟଳ ଥିଲେ । ଯେତେ ବାଧା ବିଘ୍ନ ଆସିଲେ ବି ତାଙ୍କର ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଶେଷରେ ସରକାର ବାଧ୍ୟ ହୋଇ ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ଦେବାକୁ ଅନୁମତି ଦେଇଥିଲେ ।