ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାର ବଦଳିଲା ଷ୍ଟିକର

1 min read

ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ବାସଗୃହର ଷ୍ଟିକର । ଏଣିକି ଉଭୟ ଯୋଜନାର ମିଳିତ ବ୍ରାଣ୍ଡିଂ ହେବ ।

ଏହି ଦୁଇ ଯୋଜନାରେ ନିର୍ମିତ ଘରେ ଗୋଟିଏ ପ୍ରକାର ଷ୍ଟିକର ଲାଗିବ। ଷ୍ଟିକରରେ ଦୁଇଟି ଯାକ ଯୋଜନାର ନାମ ଓ ଲୋଗୋ ରହିବ। ଏହି ଷ୍ଟିକରରେ ଉପଭୋକ୍ତାଙ୍କ ନାମ ଓ ଠିକଣା ରହିବ।

ଏହି ପ୍ରକ୍ରିୟା ୨୦୨୧ ଫେବୃଆରୀ ସୁଦ୍ଧା ଶେଷ କରିବାକୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨୦୧୪-୧୫ ସୁଦ୍ଧା ଶେଷ ହୋଇଥିବା ଘରେ ନୂଆ ଷ୍ଟିକର ଲାଗିବ ନାହିଁ ।

ସେହିପରି ଗତ ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଓ୍ୱାଇ-ଜି) ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ସେ ସମସ୍ତ ଯୋଗ୍ୟ ହିତାଧିକାରୀ ପରିବାରକୁ ସୁରକ୍ଷିତ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଯେଉଁଥିରେ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ  ସ୍ୱତନ୍ତ୍ର ପିଏମଓ୍ୱାଇ(ଜି) ଯୋଜନାରେ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ, ଓଡ଼ିଶା ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାର ୭ ଲକ୍ଷ ୮୭ ହଜାର ଘରକୁ ଜିଓ ଟ୍ୟାଗ୍ ଓ ଆଧାର ଯୁକ୍ତ କରିଛନ୍ତି । ଏହି ହିତାଧିକାରୀଙ୍କୁ  ପିଏମଏୱାଇ(ଜି)  ଯୋଜନାରେ ସାମିଲ କରାଯାଇ ପାରିବ । ଯାହାଦ୍ୱାରା  ଫନି ପ୍ରଭାବିତ ପରିବାରଙ୍କୁ ବାସଗୃହ ମିଳିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀ ମିଳି ପାରିବ ।

Leave a Reply