ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ବର: ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି   । ସେ ନିମୋନିଆ ଏବଂ ଅନ୍ୟ ରୋଗରେ ପି଼ଡ଼ୀତ ଥିବାରୁ  ତାଙ୍କୁ  ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଗତକାଲି ଅର୍ଥାତ ରବିବାର ରାତିରେ ସେ ହଠାତ ଗୁରୁତର ହୋଇପଡିଥିଲେ  । ପରେ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ବର୍ତ୍ତମାନ ମଧ୍ୟ ତାଙ୍କ ଶରୀର ଗୁରୁତର ରହିଛି  । ମେଡିକାଲର ସୂଚନା ମୁତାବକ, ନିମୋନିଆ ଯୋଗୁଁ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଛି  । ଏହା ସହ ତାଙ୍କର କିଡନୀ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି  ।

ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମନେଇଥିବା ଶାନ୍ତନୁ ଥିଲେ ବହୁଗୁଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତି  । ସଙ୍ଗୀତ ଦୁନିଆରେ ଭିନ୍ନ ସ୍ବାଦର ଗୀତରେ ଶ୍ରୋତାଙ୍କୁ ସର୍ବଦା ବାନ୍ଧି ରଖନ୍ତି ଶାନ୍ତନୁ ମହାପାତ୍ର  । ଓଡିଆ ଭାଷାରେ ଅନେକ ଲୋକପ୍ରିୟ ଗୀତର ରଚନା ସହ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି  । ଓଡିଆ ଛଡା ହିନ୍ଦୀ, ଆସାମୀ, ବେଙ୍ଗଲୀ ଏବଂ ତେଲୁଗ ଭାଷାରେ ମଧ୍ୟ ଅନେକ ଗୀତର ରଚନା କରିଛନ୍ତି ଶାନ୍ତନୁ ମହାପାତ୍ର   ।

ଓଡିଶା ସରକାରରେ ଖଣି ଏବଂ ଭୂତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ  କରିବା ସହ ସେ ଦୂରଦର୍ଶନରେ ମଧ୍ୟ ଦୀର୍ଘ ଦିନର କାର୍ଯ୍ୟ ସମ୍ପାଦନା କରିଛନ୍ତି  । ସଙ୍ଗୀତ ଜଗତରେ ଶାନ୍ତନୁ ମହାପାତ୍ରଙ୍କ ଅଲିଭା ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି  ।

Leave a Reply