spot_img
Home Blog Page 64

ମିଠା ପ୍ରିୟ ଲୋକେ ସାବଧାନ! ନାମୀଦାମୀ ମିଠା ଦୋକାନରେ ଚଢ଼ାଉ, ନଷ୍ଟ ହେଲା ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ

ନନ୍ଦିଘୋଷ ବ୍ୟୁରୋ :  କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ଏକ ନାମୀଦାମୀ ମିଠା ଦୋକାନରେ ସକାଳୁ ଚଢ଼ାଉ କରାଯାଇଛି। ବାସି ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ନେଇ ଅଭିଯୋଗ ପରେ ଏହି ଯାଞ୍ଚ କରାଯାଇଛି। ମିଠା ବିକ୍ରି ସ୍ଥାନଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁଠି ଯାଞ୍ଚ କରିଛନ୍ତି ଅଧିକାରୀ। ଚଢ଼ାଉ ସମୟରେ ମିଠା ପ୍ରସ୍ତୁତ ହେଉଥିବା ସ୍ଥାନର ଫ୍ଲୋରିଂ ଖରାପ ଥିବାରୁ ଦୋକାନୀଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍

କେବଳ କଳିଙ୍ଗ ଷ୍ଟାଡିୟମ ନିକଟରେ ନୁହେଁ, ରସୁଲଗଡ଼, ହଂସପାଳ, ପାତ୍ରପଡ଼ା, ୟୁନିଟ୍-୪ ଓ କଳିଙ୍ଗ ନଗର ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମିଠା ଦୋକାନ ଓ ଛେନା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇଛି।

ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ

ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନକୁ ପିପିଲି, ନିଆଳି ଓ ଅଡ଼ଶପୁର ଅଞ୍ଚଳରୁ ଛେନା ଓ ପନିର ଆସୁଥିବା ବେଳେ ଏଥିରେ ପାରଦ ମିଶାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ାଉକୁ ଜୋରଦାର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ମଧ୍ୟ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଏକ ଛେନା ଦୋକାନରେ ରେଡ୍ କରାଯାଇଥିଲା। ସେଠାରୁ ପାଖାପାଖି ୭୦ କେଜି ଖାଦ୍ୟ ନଷ୍ଟ କରାଯାଇଥିଲା।

୭ ବ୍ୟବସାୟୀଙ୍କୁ ନୋଟିସ୍, ୧୦ ସ୍ଥାନରୁ ନମୁନା

ଏପର୍ଯ୍ୟନ୍ତ ୭ ଜଣ ବ୍ୟବସାୟୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ ୧୦ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି।

କଟକରେ ବି ଚଢ଼ାଉ, ନଷ୍ଟ ହେଲା ୧୭ ଲକ୍ଷର ପନିର

କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ସମାନ ଭାବେ ଚଢ଼ାଉ ଚାଲିଛି। ମାତ୍ର ୨ ଦିନ ମଧ୍ୟରେ ଚଢ଼ାଉ କରାଯାଇ ୧୭ ଲକ୍ଷରୁ ଅଧିକ ଟଙ୍କାର ପନିର ନଷ୍ଟ କରାଯାଇଛି। ସଂଗ୍ରହ କରାଯାଇଥିବା ନମୁନାର ପରୀକ୍ଷଣ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଦୋଷୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

୫୨ ବର୍ଷ ପରେ ବି ନିଜସ୍ୱ କାର୍ଯ୍ୟାଳୟ ନାହିଁ, ଅବହେଳିତ କାଶୀନଗର ଏନଏସି

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲାର ଏକମାତ୍ର ଏନଏସି କାଶୀନଗର। ହେଲେ ୫୨ ବର୍ଷ ପରେ ମଧ୍ୟ ଏନଏସିର ନିଜସ୍ୱ କାର୍ଯ୍ୟାଳୟ ନାହିଁ। ଆଜି ବି ବିଜୁ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ ଚାଲିଛି ଏନଏସି କାର୍ଯ୍ୟାଳୟ। ସରକାର ପରିବର୍ତ୍ତନ ପରେ ସହରର ବିକାଶମୂଳକ କାର୍ଯ୍ୟ ମଧ୍ୟ ଧୀରେ ଧୀରେ ଠପ୍ ହୋଇପଡିଥିବା ଅଭିଯୋଗ ହୋଇଛି। ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ଭାରପ୍ରାପ୍ତ ଅଧିକାରୀଙ୍କ ଭରସାରେ ଚାଲିଛି ସମଗ୍ର ଏନଏସି ବ୍ୟବସ୍ଥା। ଫଳରେ ଅନେକ ବିକାଶମୂଳକ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ସହରରେ ଏଯାଏଁ ନିର୍ମାଣ ହୋଇନାହିଁ ସ୍ଥାୟୀ ବସ୍‌ଷ୍ଟାଣ୍ଡ। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ପ୍ରତିଦିନ ଟ୍ରାଫିକ୍ ସମସ୍ୟା ଲାଗିରହୁଛି। ବର୍ଷା ହେଲେ ଅଣଓସାରିଆ ଓ ଖାଲଖମା ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡୁଛି। ଅନ୍ୟପଟେ ପାନୀୟ ଜଳ, ସଫେଇ ବ୍ୟବସ୍ଥା ଓ ଶ୍ମଶାନଘାଟ ଭଳି ମୌଳିକ ସୁବିଧାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ। କେବଳ ଭିତ୍ତିଭୂମି ନୁହେଁ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଅବସ୍ଥା ମଧ୍ୟ ଚିନ୍ତାଜନକ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି। ସେହିପରି ବ୍ଲକ ଶିକ୍ଷା ଅଧିକାରୀ ପଦବୀ ମଧ୍ୟ ଦୀର୍ଘଦିନ ଧରି ଖାଲି ରହିଛି। ଏହାର ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡୁଥିବା ଅଭିଯୋଗ ହୋଇଛି। ବିକାଶର ଦାବି ନେଇ ବାରମ୍ବାର ସ୍ୱର ଉଠାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ କାଶୀନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ୫୨ ବର୍ଷ ପରେ ବି ନିଜସ୍ୱ କାର୍ଯ୍ୟାଳୟ ନଥିବା ଏନଏସିର ବିକାଶ କେବେ ଗତି ପାଇବ, ତାହାକୁ ନେଇ ଏବେ ଅପେକ୍ଷାରେ ସହରବାସୀ।

ଜରାଜୀର୍ଣ୍ଣ ଅବସ୍ଥାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳରେ ଠପ୍ ସ୍ୱାସ୍ଥ୍ୟସେବା

ନନ୍ଦିଘୋଷ ବ୍ୟୁରୋ : ଗ୍ରାମାଞ୍ଚଳର ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ପ୍ରତି ପଞ୍ଚାୟତରେ ଖୋଲାଯାଇଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଏଠାରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସହ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି। ଏଥିପାଇଁ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋଠା ନିର୍ମାଣର ବ୍ୟବସ୍ଥା ରହିଛି। ହେଲେ ଭିତ୍ତିଭୂମି ଅଭାବ ଓ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଓ ଆସିକା ବ୍ଲକର ଅନେକ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଇଁ କୋଠା ନିର୍ମାଣ ସରିଥିଲେ ମଧ୍ୟ ଏଯାଏଁ ହସ୍ତାନ୍ତର ହୋଇନାହିଁ। ଫଳରେ କେଉଁଠି ଭଡ଼ା ଘରେ ତ ଆଉ କେଉଁଠି ବିପଦସଙ୍କୁଳ କୋଠାରେ ରୋଗୀ ସେବା ଚାଲିଛି।

ଆସିକା ବ୍ଲକର ଖଣ୍ଡଦେଉଳି ଗାଁରେ ନିର୍ମାଣାଧୀନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋଠା ଦବି ଯାଇଥିବା ଅଭିଯୋଗ ହୋଇଛି। କୋଠାର ଅବସ୍ଥା ଏଭଳି ରହିଛି ଯେ, ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏପଟେ ଦେବଭୂମି, ଆଲିପୁର ଓ ମଣ୍ଟାପୋଡ଼ାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଇଁ କୋଠା ନିର୍ମାଣ ସରିଛି। ହେଲେ ହସ୍ତାନ୍ତର ହୋଇନଥିବାରୁ ଏବେ ବି ଭଡ଼ା ଘରେ ସ୍ୱାସ୍ଥ୍ୟସେବା ଚାଲିଛି। ଏଭଳି ସ୍ଥିତିରେ ନିର୍ମାଣ ସରିଥିବା କୋଠାଗୁଡ଼ିକୁ ତୁରନ୍ତ ହସ୍ତାନ୍ତର କରିବା ସହ ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ।

sajeiki dio

ଲଭ୍, ସେକ୍ସ ପରେ ଧୋକା; ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଠକିଲା ପ୍ରେମିକ, ଗିରଫ

ନନ୍ଦିଘୋଷ ବ୍ୟୁରୋ : ଚିକିତ୍ସା ପାଇଁ ବାରିପଦା ଯାଇଥିବା ବେଳେ ଯୁବତୀଙ୍କ ସହ ହୋଇଥିଲା ଦେଖା। ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଉଦଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋଡ଼ିଶୋଳ ଅଞ୍ଚଳର ଧରଣୀଧର ସିଂ। ସୂଚନା ଅନୁସାରେ, ଚିକିତ୍ସା ପାଇଁ ବାରିପଦା ଯାଇଥିବା ସମୟରେ ଧରଣୀଧରଙ୍କ ସହ ଉଦଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ ଧରଣୀଧର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ବିବାହ କରିବାକୁ ମନା କରି ଧୋକା ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପୀଡ଼ିତା ଉଦଳା ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଉଦଳା ପୋଲିସ ମାମଲା ରୁଜୁ କରି ଧରଣୀଧର ସିଂଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

 

ବର୍ଷାରେ ପୁରୁଣା ପୋଲ ସାଜିଛି କାଳ, ବନ୍ୟାଜଳରେ ବୁଡୁଛି ବରୀ

ନନ୍ଦିଘୋଷ ବ୍ୟୁରୋ : ବର୍ଷା ଓ ବନ୍ୟା ସମୟରେ ପୁରୁଣା ପୋଲ ସାଜିଛି କାଳ। ଅଧିକ ପାଣି ଆସିଲେ ରାସ୍ତା ଉପରେ ଜଳ ପ୍ରବାହିତ ହେବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଉଛି। ଫଳରେ ଯାଜପୁର ଜିଲ୍ଲା ବରୀର ମୁଖ୍ୟ ବଜାର ବରୀ ମାଉଣ୍ଡ ଅଞ୍ଚଳର ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ବରୀ ମାଉଣ୍ଡରୁ ରାମଚନ୍ଦ୍ରପୁର ଦେଇ ବୌଦ୍ଧ ପୀଠ ରତ୍ନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ରହିଛି ପୁରୁଣା କନ୍ତକାର ସେତୁ। କଂଗ୍ରେସ ସରକାର ସମୟରେ ନିର୍ମିତ ଏହି ସେତୁରେ ଥିବା ଦୁଇଟି ପାସେଜ୍‌ ଏବେ ଯଥେଷ୍ଟ ଜଳ ନିଷ୍କାସନ କରିପାରୁନାହିଁ। ଫଳରେ ବ୍ରାହ୍ମଣୀ ଓ ନୂଆ ନଦୀର ବନ୍ୟାଜଳ ନିଷ୍କାସିତ ନହୋଇ ଜମି ରହୁଛି।

ଏହାର ପ୍ରଭାବରେ ଉପର ଅଞ୍ଚଳର ରମ୍ପା, ଅଟିରା, ବାଇଁଶିରିଆ ଓ ବରୀ ପ୍ରଭୃତି ପଞ୍ଚାୟତ ବନ୍ୟା ପାଣିରେ ବୁଡ଼ି ରହୁଛି। ଏହା ବ୍ୟତୀତ ବରୀ-ବରୁଆଁ ରାସ୍ତାରେ ବନ୍ୟାଜଳ ଜମି ରହିବା ଯୋଗୁଁ ବନ୍ୟା ସମୟରେ ବରୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି। ପୂର୍ବରୁ ଏହି ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ବର୍ତ୍ତମାନ ଏହା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସ୍ଥାନୀୟ ଗ୍ରାମବାସୀ ଓ କିଛି ସାମାଜିକ ସଂଗଠନ ପକ୍ଷରୁ ବରୀ ବ୍ଲକ ପରିସରରେ ଅନୁଷ୍ଠିତ ଯାଜପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏନେଇ ଅଭିଯୋଗ କରାଯାଇଛି। ହେଲେ ଅଭିଯୋଗ କାଗଜକଲମରେ ସୀମିତ ହୋଇରହିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ପୋଲର ଦୁଇ ପାର୍ଶ୍ୱରେ କୌଣସି ସୁରକ୍ଷା ବାଡ଼ ନଥିବାରୁ ବିଭିନ୍ନ ସମୟରେ ଏହି ରାସ୍ତା ଉପରେ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ପୁରୁଣା ସେତୁର ପୁନରୁଦ୍ଧାର କିମ୍ବା ନୂଆ ସେତୁ ନିର୍ମାଣ ସହ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ନ୍ୟାୟିକ ସେବା ପରୀକ୍ଷା ପାଇଁ ବଡ଼ ଆଶ୍ୱସ୍ତି: ୩ ବର୍ଷିଆ ପ୍ରାକ୍ଟିସ୍‌ ନିୟମକୁ ୧ ବର୍ଷକୁ କମାଇଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ନ୍ୟାୟିକ ସେବା ପରୀକ୍ଷା ଦେବାକୁ ଆଶାୟୀ ଆଇନ ସ୍ନାତକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ସୁପ୍ରିମକୋର୍ଟ। ବିଚାର ବିଭାଗୀୟ ପରୀକ୍ଷା ଦେବା ପାଇଁ ଆବଶ୍ୟକ ୩ ବର୍ଷର ବାଧ୍ୟତାମୂଳକ ଲିଗାଲ ପ୍ରାକ୍ଟିସ୍‌ ନିୟମକୁ କମାଇ ୧ ବର୍ଷ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହ ଗତବର୍ଷ ମେ’ ମାସରେ ଦିଆଯାଇଥିବା ରାୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଏ.ଜି. ମସିହ ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୨:୧ ରାୟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଖଣ୍ଡପୀଠଙ୍କ ରାୟ ଅନୁସାରେ, ୨୦୨୫ ମେ’ ୨୫ରୁ ୨୦୨୭ ମେ’ ୩୧ ମଧ୍ୟରେ ଅଧିସୂଚିତ ହେଉଥିବା ନ୍ୟାୟିକ ସେବା ପରୀକ୍ଷାରେ ପୂର୍ବରୁ ଆଇନ ପ୍ରାକ୍ଟିସ୍‌ ଅଭିଜ୍ଞତା ନଥିଲେ ମଧ୍ୟ ପ୍ରାର୍ଥୀମାନେ ଯୋଗ୍ୟ ରହିବେ। ତେବେ ପରୀକ୍ଷା ମାଧ୍ୟମରେ ଚୟନ ହେଉଥିବା ପ୍ରାର୍ଥୀମାନେ ରାଜ୍ୟ ଜୁଡିସିଆଲ୍ ଏକାଡେମୀରେ ୧ ବର୍ଷ ପ୍ରଶିକ୍ଷଣ ନେବେ। ଏହାପରେ ଜିଲ୍ଲା ଜଜଙ୍କ ଅଧୀନରେ ୬ ମାସ କ୍ଲର୍କସିପ୍‌ କରିବେ। ପରବର୍ତ୍ତୀ ୬ ମାସ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ କାମ କରିବେ।

ଗତବର୍ଷ ମେ’ ୨୦ରେ ସୁପ୍ରିମକୋର୍ଟ ନ୍ୟାୟିକ ସେବା ପରୀକ୍ଷା ପାଇଁ ଆଇନ ସ୍ନାତକଙ୍କ ନିମନ୍ତେ ୩ ବର୍ଷର ବାଧ୍ୟତାମୂଳକ ଲିଗାଲ ପ୍ରାକ୍ଟିସ୍‌ ନିୟମ ଲାଗୁ କରିଥିଲେ। ଏହି ନିୟମ ବିରୋଧରେ ବିଭିନ୍ନ ପକ୍ଷଙ୍କ ପକ୍ଷରୁ ପିଟିସନ୍‌ ଦାଖଲ ହୋଇଥିଲା। ଆବେଦନକାରୀମାନେ ୩ ବର୍ଷର ଲିଗାଲ ପ୍ରାକ୍ଟିସ୍‌ ବଦଳରେ ବିକଳ୍ପ ବ୍ୟବସ୍ଥାର ପ୍ରସ୍ତାବ ଦେଇଥିଲେ। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଏଲ୍‌ଏଲ୍‌ବି ସମାପ୍ତ କରିବା ବେଳକୁ ଅନେକ ଛାତ୍ରଛାତ୍ରୀଙ୍କ ବୟସ ୨୩ରୁ ୨୪ ବର୍ଷ ହୋଇଥାଏ। ଏହାପରେ ଆଉ ୩ ବର୍ଷ ଲିଗାଲ ପ୍ରାକ୍ଟିସ୍‌ କରିବାକୁ ପଡ଼ିଲେ ନ୍ୟାୟିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଓ କ୍ୟାରିୟର ଯୋଜନା ପ୍ରଭାବିତ ହେବ। ଏହାସହ ଦୀର୍ଘ ସମୟର ପ୍ରାକ୍ଟିସ୍‌ ଆବଶ୍ୟକତା ଯୋଗୁଁ ଆର୍ଥିକ ଭାବେ ମଧ୍ୟ ଅନେକ ଆଶାୟୀ ପ୍ରଭାବିତ ହେଉଥିବା ଯୁକ୍ତି ରଖାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ହଜାର ହଜାର ନ୍ୟାୟିକ ସେବା ପରୀକ୍ଷା ଆଶାୟୀ ଉପକୃତ ହେବେ।

ବଲାଙ୍ଗୀରରେ ଆକାଶଛୁଆଁ ପରିବା ଦର, ଚିନ୍ତାରେ ସାଧାରଣ ଖାଉଟି

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀରରେ ବର୍ଷ ତମାମ ପନିପରିବା ଦର ଆକାଶଛୁଆଁ ରହିଛି। ଦର କମିବାର ନାଁ ଧରୁନାହିଁ। ଅତ୍ୟାବଶ୍ୟକ ପରିବା ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସିଧାସଳଖ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି। ବିଶେଷ କରି ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ଗରିବ ଲୋକଙ୍କ ଭାତ ଥାଳି ଓ ପଖାଳ କଂସା ଉପରେ ଏହାର ପ୍ରଭାବ ପଡ଼ିଛି। ବଲାଙ୍ଗୀର ଦୈନିକ ବଜାରରେ ପିଆଜ କେଜି ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଟମାଟୋ ୩୦, ବାଇଗଣ ୫୦, ବନ୍ଧାକୋବି ୫୦, ଫୁଲକୋବି ୮୦ରୁ ୧୦୦, ପୋଟଳ ୮୦, ଝୁଡ଼ଙ୍ଗ ୮୦ ଓ ଭେଣ୍ଡି ୮୦ ଟଙ୍କାରେ ବିକ୍ରି ହେଉଛି। ଅଦା କେଜି ପ୍ରତି ୨୦୦ ଓ ରସୁଣ ୨୧୦ ଟଙ୍କାରେ ପହଞ୍ଚିଛି। ଏପଟେ ଚିନି ଦର ମଧ୍ୟ ଅଚାନକ ବୃଦ୍ଧି ପାଇ କେଜି ପ୍ରତି ୬୫ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଚିନି ଦର ବଢ଼ିବା ଯୋଗୁଁ ଚା’, ଜଳଖିଆ ଓ ମିଠା ଦୋକାନଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହା ସହ ଡାଲି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।

ଶ୍ରାବଣ ମାସରେ ସାଧାରଣତଃ ଅଧିକାଂଶ ଲୋକ ଆମିଷ ବଦଳରେ ନିରାମିଷ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି। ଆମିଷ ବନ୍ଦ ଥିବାରୁ ଅନେକ ଘରେ ରୋଷେଇ ପାଇଁ ପନିପରିବାର ବ୍ୟବହାର ବଢ଼ିଥାଏ। ଏଭଳି ସମୟରେ ପରିବା ଦର ବୃଦ୍ଧି ସାଧାରଣ ପରିବାରର ମାସିକ ବଜେଟ୍‌କୁ ପ୍ରଭାବିତ କରିଛି। ଦରଦାମ୍ ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଖାଉଟିଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଅତ୍ୟାବଶ୍ୟକ ପନିପରିବା, ଚିନି, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଉପରେ ରୋକ୍ ଲଗାଇ ବଜାର ଦରକୁ ନିୟନ୍ତ୍ରଣକୁ ଆଣିବାକୁ ଖାଉଟିଙ୍କ ପକ୍ଷରୁ ଦାବି ହେଉଛି।

ଆଲାସ୍କାରେ ବିମାନ ଦୁର୍ଘଟଣା: ସେସନା-୪୪୧ କ୍ରାସ୍, ୨ ପାଇଲଟ୍‌ଙ୍କ ସମେତ ୮ ମୃତ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଆଲାସ୍କାରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଛି। ପଶ୍ଚିମ ଆଲାସ୍କାରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ସେସନା-୪୪୧ ବିମାନ କ୍ରାସ୍‌ ହେବାରୁ ଏଥିରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ୍‌ ଓ ୬ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ପରଦାରୁ ହଠାତ୍‌ ଉଭେଇ ଯାଇଥିଲା। ପରେ ପଶ୍ଚିମ ଆଲାସ୍କାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା।

ଏହି ବିମାନଟି ସିକୁରିଟି ଆଭିଏସନ୍‌ ପକ୍ଷରୁ ପରିଚାଳିତ ହେଉଥିଲା। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ଆମେରିକା ନିର୍ବାଚନରେ ଜେନ ଆଲଫା କମ୍ପାନୀର ପ୍ରଭାବ !

ନନ୍ଦିଘୋଷ ବ୍ୟୁରୋ: ଆମେରିକରାରେ କ୍ରିପ୍ଟୋ, ଏଆଇ ଏବଂ ଅନଲାଇନ ବେଟିଂ ବ୍ୟବସାୟରୁ କମ୍ପାନୀ ଗୁଡିକ ପ୍ରଚୁର ପରିମାଣର ଟଙ୍କା ରୋଜଗାର କରିଛି । ଏହି କମ୍ପାନୀ ଗୁଡିକ ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ଆମେରିକା ପୂବର୍ରୁ ବର୍ଲ ଷ୍ଟ୍ରିଟ୍ ଓ ତେଲ କମ୍ପାନୀ ଗୁଡିକଠାରୁ ପାଉଥିବା ଟଙ୍କା ରାଜନୀତିରେ ଲଗାଉଥିଲା। ହେଲେ ବର୍ତମାନ ରାଜନୀତି ଫଣ୍ଡିଙ୍ଗରେ କ୍ରିପ୍ଟୋ କରେନ୍ସି , ଏଆଇ ଏବଂ ଅନଲାଇନ ବେଟିଂରେ ଜଡିତ ନୂଆ ଜେନଆଲ୍ଫା କମ୍ପାନୀ ଗୁଡିକ ସବୁଠାରୁ ଅଧିକ ଟଙ୍କା ନିବେଶ କରୁଛନ୍ତି  । ୨୦୨୬ ମଧ୍ୟବର୍ତିକାଳୀନ ନିର୍ବାଚନ ପୂର୍ବରୁ  ଏହି ୩ କମ୍ପାନୀ ମାନେ ମିଶି ଆମେରିକୀୟ ସଂସଦୀୟ ନିର୍ବାଚନରେ ପ୍ରାୟ ୫୧୭ ମିଲିୟନରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ।

ଖବର ମୂତାବକ ଆମେରିକିୟ କମ୍ପାନୀଗୁଡିକ ୨୦୨୬ ହାଉସ ଆଉ ସିନେଟ ନିର୍ବାଚନ ପାଇଁ ୧୫ ମାସର ପ୍ରଥମ ତିନି ମାସରେ ୫୧.୭ କୋଟି ଡଲାର ଖର୍ଚ୍ଚ କରିସାରିଲେଣି । ୨୦୨୪ରେ ନିର୍ବାଚନରେ ହୋଇଥିବା ଖର୍ଚ୍ଚର ୪୬.୧ ଡଲାରର ପୂର୍ବ ରେକର୍ଡ ଠାରୁ ଅଧିକ । ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପୂବରୁ ଖର୍ଚ୍ଚର ପରିମାଣ ଅଧିକ ହବାର ସମ୍ଭାବନା ରହିଛି ।

୦୧ ଜାନୁୟାରୀ ୨୦୨୫ର ପ୍ରଥମ ତିନିମାସ ମଧ୍ୟରେ କ୍ରିପ୍ଟୋ, ଟେକ ଓ ଅନଲାଇନ ଗେମିଂ କମ୍ପାନୀ ଗୁଡିକ ପ୍ରାୟତଃ ୨୯.୪ କୋଟି ନିର୍ବାଚନ ରାଜନୀତିରେ ଲଗାଇଥିଲେ । ଏହି କମ୍ପାନୀ ଗୁଡିକ ଏପରି ପ୍ରାର୍ଥୀ ଓ ନୀତିକୁ ସମର୍ଥନ ଦେବାକୁ ଚାହେଁ ଯେଉଁମାନେ ତାଙ୍କ କ୍ଷେତ୍ରରେ କମ୍ ଶକ୍ତ ନିୟମ ପକ୍ଷରେ ହେବ ।

୨୦୨୬ ମଧ୍ୟବର୍ତିକାଳୀନ ନିର୍ବାଚନରେ ରାଜନୀତି ବିଜ୍ଞାପନରେ ୧୧.୬ ଅରବ ଡଲାର ଖର୍ଚ୍ଚ ହୋଇପାରେ । ଏହା ୨୦୨୩-୨୪ ନିର୍ବାଚନ ଚକ୍ରର  ୧୧.୨ ଅରବ ଡଲର ପୂର୍ବ ରେକର୍ଡ କୁ ମଧ୍ୟ ପଛରେ ପକେଇଦେବ ।

ଆମେରିକା ୨୦୨୬ ମଧ୍ୟବର୍ତିକାଳୀନ ନିର୍ବାଚନରେ କ୍ରିପ୍ଟୋ, ଏଆଇ ଏବଂ ଅନଲାଇନ ବେଟିଂ କମ୍ପାନୀର ବଢ଼ୁଥିବା ହସ୍ତଖେପ ଆମେରିକା ରାଜନୀତିରେ ଶକ୍ତି ସନ୍ତୁଳନ ବଦଳିବା ନେଇ ଏହା ଏକ ସଂକେତ । ପୂବର୍ରୁ ବର୍ଲ ଷ୍ଟ୍ରିଟ୍ ଓ ତେଲ କମ୍ପାନୀ ଗୁଡିକ ରାଜନିତୀ ଫଣ୍ଡିଙ୍ଗ ର ସବୁଡୁ ବଡ ଶକ୍ତି ଥିଲା । ହେଲେ ଏବେ ନୂଆ ଟେକନିକ ଏବଂ ଡିଜିଟାଲ ଅର୍ଥ ବ୍ୟବସ୍ଥା ରୁ ହୋଇଥିବା ଧନୀଲୋକ ଓ କମ୍ପାନୀ ଗୁଡିକ ଆମେରିକା ନିର୍ବାଚନ ରାଜନୀତିର ନୂଆ କିଙ୍ଗ ମେକର ହୋଇ ବାହାରୁଛନ୍ତି ।

ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ସୁଜାତା, ବିଫଳତା ସ୍ୱୀକାର କରି ବିପନ୍ନଙ୍କ ସ୍ୱାର୍ଥରେ କାମ କରିବାକୁ ଆହ୍ୱାନ

ନନ୍ଦିଘୋଷ ବ୍ୟୁରୋ: ବନ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ସରକାର ନିଜ ବିଫଳତାକୁ ସ୍ୱୀକାର କରି ବନ୍ୟା ବିପନ୍ନଙ୍କ ସ୍ୱାର୍ଥ ପାଇଁ କାମ କରିବା ଉଚିତ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। ରାଜ୍ୟର ଏକ ପ୍ରମୁଖ ଦୈନିକରେ ପ୍ରକାଶିତ ନିବନ୍ଧ ଜରିଆରେ ସେ ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନା ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ଏବେ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ‘ଇନ୍ଦ୍ରଙ୍କୁ ଫୋନ୍ ନମ୍ବର ମାଗିବା’ ମନ୍ତବ୍ୟ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି ବୋଲି ସୁଜାତା କହିଛନ୍ତି। ସେ କହିଛନ୍ତି, ୧୯୯୯ ମହାବାତ୍ୟା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦଶନ୍ଧି ଦଶନ୍ଧି ଧରି ଏକ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳିଥିଲା। ପ୍ରାକ୍ ସତର୍କତା, ଯୋଜନାବଦ୍ଧ ସ୍ଥାନାନ୍ତରଣ, ବୃତ୍ତିଗତ ଦକ୍ଷତା ଏବଂ ଅଭିଜ୍ଞ ଓ ସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇଥିଲା। ‘ଜିରୋ କାଜୁଆଲିଟି’ ଥିଲା ତତ୍କାଳୀନ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ରାଜ୍ୟ ସରକାରଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଟିମ୍ ଭାବେ କାମ କରୁଥିଲେ। ତେବେ ୨୦୨୬ ଜୁଲାଇ-ଅଗଷ୍ଟରେ ବନ୍ୟା ପରିଚାଳନାରେ ଭୁଲ କେଉଁଠି ରହିଲା ଏବଂ ଭାରତର ଏକ ଶ୍ରେଷ୍ଠ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ଏତେ ବଡ଼ ତ୍ରୁଟି କିପରି ହେଲା ବୋଲି ସୁଜାତା ପ୍ରଶ୍ନ କରିଛନ୍ତି। ଏଥିପାଇଁ ଦାୟୀ କିଏ ବୋଲି ମଧ୍ୟ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଜେପି ନେତା ଓ କର୍ମୀମାନେ ପ୍ରଶାସନର ଭୂମିକାକୁ ନିଜ ହାତକୁ ନେଇଥିବାରୁ ରିଲିଫ୍ ବଣ୍ଟନରେ ପ୍ରତିଯୋଗିତା ଚାଲିଥିବା ସେ ଅଭିଯୋଗ କରିଛନ୍ତି। କର୍ମୀମାନେ ରିଲିଫ୍ ବଣ୍ଟନକୁ ନେଇ ପ୍ରତିଯୋଗିତା କଲେ ବନ୍ୟା ସେବା ନୁହେଁ, ବରଂ ଉପାର୍ଜନର ଏକ ମାଧ୍ୟମରେ ପରିଣତ ହୁଏ ବୋଲି ସେ କହିଛନ୍ତି। ଦଳୀୟ ଭିତ୍ତିରେ ରିଲିଫ୍ ବଣ୍ଟନ ଅଭିଯୋଗ ଏକ ସମ୍ବେଦନଶୀଳ ବିଷୟ ହୋଇଥିବା ବେଳେ ଏହା ଶାସନ ଓ ରାଜଧର୍ମର ନୀତିକୁ ଉଲ୍ଲଂଘନ କରୁଛି ବୋଲି ସେ ମତ ଦେଇଛନ୍ତି। ବିଜେପି ସବୁବେଳେ ଲୋକେ ପରିବର୍ତ୍ତନ ଚାହୁଁଥିଲେ ବୋଲି ଦାବି କରୁଛି। ତେବେ ବନ୍ୟା ପରିଚାଳନାରେ ବିଫଳତା ଓ ଲୋକଙ୍କ ଦୁର୍ଦ୍ଦଶା କ’ଣ ସେହି ପରିବର୍ତ୍ତନର ପ୍ରତିଫଳନ ବୋଲି ସୁଜାତା ପ୍ରଶ୍ନ କରିଛନ୍ତି। ଏଥିସହ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ବନ୍ୟା ପରିଚାଳନା ଓ ରିଲିଫ୍ କାର୍ଯ୍ୟରୁ ଦୂରେଇ ଦିଆଯିବାକୁ ମଧ୍ୟ ସେ ଆଉ ଏକ ବିଫଳତା ବୋଲି ଦର୍ଶାଇଛନ୍ତି।

ସୁଜାତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଅସହାୟ ହୋଇପଡ଼ିଛି। ୨୪ ମାସ ମଧ୍ୟରେ ୨୪ ବର୍ଷ ଧରି ଗଢ଼ିଉଠିଥିବା ଏକ ଦୃଢ଼ ଓ ସଫଳ ପରିଚାଳନାଗତ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏହାର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ବର୍ତ୍ତମାନର ଆବଶ୍ୟକତା ହେଉଛି ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଦକ୍ଷ ଓ ଅଭିଜ୍ଞ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନାରେ କାମ କରିବାର ସୁଯୋଗ ଦେବା। ନିର୍ବାଚିତ ପ୍ରତିନିଧିମାନଙ୍କୁ ସେମାନଙ୍କ ଦାୟିତ୍ୱ ନିର୍ବାହରେ ସହଯୋଗ କରାଗଲେ ବନ୍ୟା ପରିଚାଳନା ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ ବୋଲି ସୁଜାତା ପରାମର୍ଶ ଦେଇଛନ୍ତି।