spot_img
Home Blog Page 6094

ଦେଶର ପ୍ରଥମ ବଜେଟ: କିଏ ଥିଲେ ପ୍ରଧାନମନ୍ତ୍ରୀ, କେତେ ଥିଲା ବ୍ୟୟ ବରାଦ ?


ଭୁବନେଶ୍ୱର: ଆରମ୍ଭ ହୋଇଛି ବର୍ଷ, ଆଗତ ହେବ ବଜେଟ । ଫେବୃୟାରୀ ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ହେବ କେନ୍ଦ୍ରୀୟ ବଜେଟ । ସମ୍ବିଧାନର ଧାରା ୧୧୨ ଅନୁଯାଇ ବର୍ଷକ ପାଇଁ ପ୍ରସ୍ତୁତ ହୁଏ ଦେଶ ଚଳିବାର ଖସଡା । ଆଉ ଏହାକୁ ନେଇ ସଂସଦରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଆର୍ଥିକ ରାଶି ଆଗତ କରନ୍ତି ଦେଶର ଅର୍ଥମନ୍ତ୍ରୀ ।

କିନ୍ତୁ ଆମେ ଜାଣିଛେ କି, ପ୍ରଥମେ କେବେ କାର୍ଯ୍ୟନ୍ୱୟନ ହୋଇଥିଲା ଏହି ବଜେଟ ବ୍ୟବସ୍ଥା ? କିଏ  ଆଣିଥିଲେ ଦେଶର ପ୍ରଥମ ବଜେଟ୍ ? ଆଉ କିଏ ଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ?

୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ଇଂରେଜଙ୍କ କବଳରୁ ମୁକ୍ତ ହୁଏ ଭାରତ । ପଣ୍ଡିତ ନେହେରୁ ସାଜନ୍ତି ଦେଶର ପ୍ରଧାନମନ୍ତ୍ରୀ । ସ୍ୱାଧିନ ଭାରତର ପ୍ରଥମ ବଜେଟ ନଭେମ୍ବର ୧୯୪୭ରେ ଆଗତ ହୋଇଥିଲା ।  ବଜେଟ୍ ଆଣିଥିଲେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆର. କେ ଶାନମୁଖମ ଚେଟ୍ଟି ।  ବର୍ଷ ୧୯୪୭-୪୮ ପାଇଁ  ଆସିଥିଲା ଏହି ବଜେଟ୍ । ନଭେମ୍ବର ୨୬, ୧୯୪୭ ମସିହାରେ ସଂସଦରେ ପେସ୍ ହୋଇଥିଲା ସ୍ୱାଧିନ ଭାରତର ପ୍ରଥମ ବଜେଟ ।

ଏହି ବଜେଟର ଅବଧି ରହିଥିଲା ମାତ୍ର ସାଢ଼େ ସାତ ମାସ । ଏଥିରେ ମୋଟ ରାଜସ୍ୱ 171.15 କୋଟି ଥିବା ବେଳେ  ଆର୍ଥିକ ନିଅଣ୍ଟ ରହିଥିଲା 24.59 କୋଟି । ସେହିପରି ମୋଟ ବ୍ୟୟ ବରାଦ ଥିଲା 197.29 କୋଟି । ଯେଉଁଥିରୁ ପ୍ରତିରକ୍ଷା ବିଭାଗ ପାଇଁ ଆବଣ୍ଟିତ ହୋଇଥିଲା 92.74 କୋଟି ଟଙ୍କା  । ଚେଟି ୧୯୪୯ ମସିହା ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ରହିଥିଲେ । ୧୮୯୨ରେ ତାଙ୍କର ଜନ୍ମ ତାମିଲନାଡୁର କୋଏମ୍ବଟୁରରେ ହୋଇଥିଲା ।

 

ରାମଲୀଳା ମୈଦାନରେ ଚାଷୀଙ୍କ ବିକ୍ଷୋଭ ପ୍ରସଙ୍ଗ, ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କୁ ରୋକିବାକୁ ଆରମ୍ଭ ହୋଇଛି ଉଦ୍ୟମ । ପ୍ରସ୍ତାବିତ ଟ୍ରାକ୍ଟର ରାଲି ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ଦିଲ୍ଲୀ ପୋଲିସ ଦେଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣିରେ ସର୍ବୋଚ୍ଚ କୋର୍ଟ ପୋଲିସକୁ ଦେଇଛନ୍ତି ସ୍ୱତନ୍ତ୍ର କ୍ଷମତା । ଜାନୁଆରୀ ୨୬ରେ ଦିଲ୍ଲୀ ରାମଲୀଳା ମୈଦାନରେ ଚାଷୀମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ କି ନାହିଁ ସେ ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବ । କେତେ ଚାଷୀ ଦିଲ୍ଲୀ ଭିତରକୁ ଆସିବେ, କେଉଁ ପରିସ୍ଥିତିରେ ଆସିବେ ସେ ନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।

ସେପଟେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ତେବେ ରାମଲୀଳା ମୈଦାନ ବଦଳରେ ଅନ୍ୟତ୍ର ପରେଡ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଆଜି ମହିଳା କୃଷକ ଦିବସ ପାଳନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ହଜାର ହଜାର ମହିଳା । କେନ୍ଦ୍ର ସରକାର ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବା ସହ ଚାଷୀଙ୍କ ଦାବି ମାନିନେବା ପାଇଁ କହିଥିଲେ ଆନ୍ଦୋଳନକାରୀ ମହିଳା ।

ସରକାର ପୁଣି ଥରେ ନିଜର ଦାବି ଦୋହରାଇବା ସହ ଚାଷୀମାନେ ଆନ୍ଦୋଳନ ଛାଡି ଆଲୋଚନା କରିବା ପାଇଁ ଆସନ୍ତୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସେପଟେ ବିବାଦୀୟ ନୂଆ କୃଷି ଆଇନ ନେଇ ଆସନ୍ତାକାଲି ପୁଣି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ । ଆଇନ ପ୍ରତ୍ୟାହାର ଜିଦରେ ଚାଷୀ ସଂଗଠନ ଅଟଳ ଥିବା ବେଳେ ସରକାର ବି ପଛକୁ ହଟିବାକୁ ନାରାଜ । ପୂର୍ବରୁ ୯ଥର ଉଭୟ ପକ୍ଷ ମଧ୍ୟରେ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରିପାରିନି ।

ଗଣତନ୍ତ୍ର ଦିବସରେ ଶକ୍ତି ଦେଖାଇବ ରାଫେଲ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହେବାରେ ଲାଗିଛି। ଜାନୁଆରି ୨୬ରେ ହେବାକୁ ଥିବା ପରେଡରେ ଚଳିତ ଥର ଶକ୍ତି ପ୍ରଦର୍ଶନ କରିବ ରାଫେଲ୍।

ମେଡ୍ ଇନ୍ ଇଣ୍ଡିଆ ଥିମରେ ଭାରତୀୟ ବାୟୁସେନା ଏହି ପରେଡରେ ଲଢୁଆ ବିମାନକୁ ପ୍ରଦର୍ଶନ କରିବ। ପ୍ରଥମ ଥର ପାଇଁ ରାଫେଲକୁ ସାର୍ବଜନୀନ ଭାବେ ପ୍ରଦର୍ଶନ କରାଯିବ।

ପରେଡ ସମୟରେ ମୋଟ୍ ୪୨ଟି ବିମାନ ଫ୍ଲାଇଟ୍ ପାଷ୍ଟର ଅଂଶ ହେବେ। ଯେଉଁଥିରେ ରାଫେଲ୍ ବ୍ୟତୀତ ସୁଖୋଇ-୩୦, ମିଗ୍-୨୯, ଜଗୁଆର୍ ସହ ଅନେକ ଲଢୁଆ ବିମାନ ରହିବ। ସେହିପରି ଚିନୁକ୍ ଟ୍ରାନ୍ସପୋର୍ଟ ହେଲିକାପ୍ଟର, ଆପାଚେ କମ୍ବେଟ୍ ହେଲିକାପ୍ଟର ସି ୧୩୦ ଜେ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ସାମିଲ ରହିବ।

ଏହି ସମୟରେ ତେଜସ୍, ଏଷ୍ଟ୍ରା ମିସାଇଲ୍ ଓ ରୋହିଣୀ ସର୍ବିଲାନ୍ସ ରଡାରକୁ ମଧ୍ୟ ପ୍ରଦର୍ଶିତ କରାଯିବ। ତେବେ ଚିନୁକ ହେଲିକାପ୍ଟର ଆମେରିକାରେ ନିର୍ମିତ ହୋଇଥିବା ବେଳେ ଗତ ୨୦୧୯ ମସିହାରେ ଏହାକୁ ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଥିଲା। ଏବେ ଭାରତ ପାଖରେ ୪ଟି ଚିନୁକ୍  ହେଲିକାପ୍ଟର ରହିଛି।

ସାମାନ୍ୟ କଥା ପାଇଁ ୧୭ ବର୍ଷ ଯାଏଁ ଅଲଗା ରହୁଥିଲା ସ୍ୱାମୀ, ମନାଇବାକୁ ଲାଗିଲା ମାତ୍ର ୫୦ ଟଙ୍କା

ମଧ୍ୟ ପ୍ରଦେଶ: ପ୍ରେମ ଏମିତି ଏକ ଅନୁଭବ… ଯାହାକୁ ହେଇଛି ସେ ଜାଣିଛି । ପ୍ରେମ କେବେ ଜୀବନର ଝଡ଼ଝଞ୍ଝାରେ ଶକ୍ତ ହୋଇ ଠିଆହୋଇଥାଏ ତ ପୁଣି କେତେବେଳେ ଏକ ସାମାନ୍ୟ କଥାରେ ଭାଙ୍ଗି ହୋଇଯାଏ ଚୁରମାର । ଖାସକରି ପତିପତ୍ନୀଙ୍କ ସମ୍ପର୍କ ଯେଉଁଠି ସାମାନ୍ୟ କଥାରେ ଭାଙ୍ଗି ଯାଏ ସାତ ଜନ୍ମର ସମ୍ପର୍କ ।  ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ । ନିଜ ମନ ପସନ୍ଦର ତରକାରୀ ରୋଷେଇ କରିନଦେବାରୁ ସ୍ତ୍ରୀକୁ ଛାଡ଼ି ୧୭ ବର୍ଷ ଯାଏଁ ଅନ୍ୟ ରାଜ୍ୟକୁ ପଲାଇଲେ ସ୍ୱାମୀ । ୧୭ ବର୍ଷ ପରେ ମାମଲା ଯେତେବେଳେ ଅଦାଲତକୁ ଗଲା, ବିଚାରପତିଙ୍କ ଚତୁରତା ପାଇଁ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ୧୭ ବର୍ଷ ଧରି ଚାଲିଥିବା ରାଗ ଅଭିମାନରେ ପଡ଼ିଥିଲା ପୂର୍ଣ୍ଣଛେଦ ।

ଏହି ଘଟଣା ହେଉଛି ମଧ୍ୟ ପ୍ରଦେଶର ଦେବାଶ ସହରର । ୭୯ ବର୍ଷ ବୟସ୍କ ବିମଲ ରାଓ ୧୭ ବର୍ଷ ପୂର୍ବେ ଘର ଛାଡ଼ି ଚାଲିଯାଇଥିଲେ । ନିକଟରେ ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଲେ ଯେ, ବିମଲ ରାଓ ମହାରାଷ୍ଟ୍ରର ବୁଲଢ଼ାନାର ମାତୋଡ଼ ଗାଁରେ ରହୁଛନ୍ତି । ଏହାପରେ ବିମଲଙ୍କ ସ୍ତ୍ରୀ ସେଠାରେ ପହଞ୍ଚି ସ୍ୱାମୀଙ୍କୁ ଘରକୁ ଫେରିବାକୁ ନିବେଦନ କରିଥିଲେ । କିନ୍ତୁ ବିମଲ ଏଥିରେ ରାଜି ନହେବାରୁ ମାମଲା ଅଦାଲତରେ ପହଞ୍ଚିଥିଲା ।

ବିମଲଙ୍କ କହିବା ମୁତାବକ, ୧୭ ବର୍ଷ ପୂର୍ବେ ଚାକିରିରୁ ଅବସର ନେବା ପରେ ସେ ତାଙ୍କ ସମସ୍ତ ସମ୍ପତ୍ତି ସହ ପେନସଟ ଟଙ୍କା ନିଜ ସ୍ତ୍ରୀ ନାଁରେ କରିଦେଇଥିଲେ । ସେ ନିଜ ସ୍ତ୍ରୀଙ୍କୁ ଖୁବ ଭଲପାଉଥିଲେ, ତେଣୁ ସେ ସବୁକିଛି ତାଙ୍କ ସ୍ତ୍ରୀ ନାଁରେ କରିଦେଲେ । ଦିନେ ବିମଲକୁ ନିଜ ସ୍ତ୍ରୀ ହାତ ରନ୍ଧା ସେଓ ତରକାରୀ ଖାଇବାକୁ ଇଚ୍ଛା ହେଲା, ତେଣୁ ସେ ସେଓ ତରକାରୀ କରିବା ପାଇଁ କହିଲେ, କିନ୍ତୁ ସ୍ତ୍ରୀ ରୋଷେଇ କରିପାରିବେ ନାହିଁ ବୋଲି କହିବାରୁ ବିମଲ ଏହି କଥାରେ ଅଭିମାନ କରି ଚୁପଚାପ ଘର ଛାଡ଼ି ଚାଲିଯାଇଥିଲେ ।

ତେବେ ଅନେକ ମାସ ଯାଏଁ ଖୋଜାଖୋଜି ପରେ ମଧ୍ୟ ବିମଲ ନମିଳିବାରୁ ସେ ଆଉ ଘରକୁ ଫେରିବେନି ବୋଲି ସ୍ତ୍ରୀ ମାନିନେଇଥିଲେ । କିଛି ଦିନ ପୂର୍ବରୁ ସ୍ତ୍ରୀ ଜାଣିବାକୁ ପାଇଲେ ଯେ ବିମଲଙ୍କ ପେନସନ ଟଙ୍କା ଉଠାଯାଉଛି । ଏହାପରେ ମହାରାଷ୍ଟ୍ରର ମାତୋଡ ଗାଁରୁ ଖୋଦ ବିମଲ ଟଙ୍କା ଉଟାଉଥିବା ଜାଣିପାରି ସ୍ତ୍ରୀ ସେଠାରେ ପହଞ୍ଚିଥିଲେ ।

ତେବେ ଅଦାଲତରେ ସ୍ୱାମୀ-ସ୍ତ୍ରୀ ନିଜ ନିଜ ତର୍କ ରଖିଥିଲେ । ବିଚାରପତି ପୂରା ଘଟଣା ଜାଣିବାପରେ ତୁରନ୍ତ ୫୦ ଟଙ୍କାରେ ସେଓ ମଗାଇ ବିମଲଙ୍କ ପତ୍ନୀଙ୍କୁ ଦେଇଥିଲେ ଏବଂ ଘରକୁ ଯାଇ ରୋଷେଇ କରି ବିମଲଙ୍କୁ ଖାଇବାକୁ ଦେବାକୁ ଆଦେଶ ଦେଇଥିଲେ । ଏହିପରି ଭାବରେ ଏକ ଖାଦ୍ୟକୁ ନେଇ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଖାଦ୍ୟ ପାଇଁ ଯୋଡ଼ି ହୋଇଯାଇଥିଲା ।

ଏହି ମାମଲା ଅଦାଲତରେ ପହଞ୍ଚିଥିବା ପରେ ଖବରକାଗଜରେ ଏହାର ଚର୍ଚ୍ଚା ହେବା ଆରମ୍ଭ ହେଲା । ସୋସିଆଲ ମିଡିଆରେ ମଧ୍ୟ ଏହା ଭାଇରାଲ ହେବାକୁ ଲାଗିଲା ।

କେତେ ସୁରକ୍ଷିତ `ସିଗନାଲ୍ ଆପ୍’? ପ୍ରାଇଭେସି ନେଇ କ’ଣ କୁହନ୍ତି କମ୍ପାନୀର COO

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ୟୁଜର୍ସ ମାନେ ହ୍ବାଟ୍ସଆପ୍ ଛାଡି ସିଗନାଲ୍ ଆପ ଆଡକୁ ମୁହାଁଇବାରେ ଲାଗିଛନ୍ତି। ହେଲେ ଏହି ଆପ୍ କେତେ ସୁରକ୍ଷିତ ସେନେଇ ମଧ୍ୟ ଏକପ୍ରକାର ସନ୍ଦେହରେ ରହୁଛନ୍ତି ଏହାର ୟୁଜର୍ସ ମାନେ।

ସୂଚନା ଅନୁଯାୟୀ ହ୍ବାଟ୍ସଆପର ନୂଆ ପଲିସିକୁ ନେଇ ୟୁଜର୍ସଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ଏହାର ଫାଇଦା ମିଳୁଛି ସିଗନାଲ୍ ଆପକୁ। ଏପରିକି ସିଗନାଲ୍ ଆପ୍ ଡାଉନଲୋଡ ଆପ୍ସର ଚାର୍ଟରେ ଉପରକୁ ଉଠିଛି।

ଏଭଳି ସମୟରେ ସିଗନାଲ୍ ଆପର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠିଛି। କେତେକ ମିଡିଆ ରିପର୍ପଟ ମୁତାବକ ଏହି ଆପ୍ ଖୁବ୍ ସୁରକ୍ଷିତ। ଏସମ୍ପର୍କିତ ପ୍ରଶ୍ନର ଉତ୍ତରରେ କମ୍ପାନୀର ସିଓଓ ଅରୁଣା ହାଡର କହିଛନ୍ତି ଯେ ସିଗନାଲ୍ ଆପ ୟୁଜର୍ସଙ୍କୁ ସେମାନଙ୍କର ଡିଟେଲ୍ ମାଗିନଥାଏ।

ତାଙ୍କ କହିବାନୁଯାୟୀ ଯଦି ଆପ୍ ଡିଟେଲ୍ ମାଗୁନାହିଁ ତାହେଲେ ଆଉ କୌଣସି ପ୍ଲାଟଫର୍ମ ସହ ଡାଟା ଶେୟାର କରିବାର ପ୍ରଶ୍ନ ଉଠୁନାହିଁ। ଖାସ୍ କରି ସିଗନାଲ୍ ଆପ୍ ଆପଣଙ୍କ ଚାଟ୍ ବ୍ୟାକଅପକୁ ଅନଲାଇନ୍ ଷ୍ଟୋରେଜକୁ  ପଠାଇନଥାଏ। ଯାହାର ଅର୍ଥ ଆପଣଙ୍କର କଥାବାର୍ତ୍ତାର ଡାଟା ଫୋନରେ ସେଭ୍ ହୋଇନଥାଏ।

ସିଗନାଲ ଆପର ଜଣେ ଅଧିକାରୀ କହିଛନ୍ତି ଯେ ୟୁଜର୍ସଙ୍କ ପ୍ରାଇଭେସି ଆମର ପ୍ରଥମ ପ୍ରାଥମିକତା। ଆଉ ଆମେ ଗ୍ୟାରେଣ୍ଟି ଦେଉଛୁ ଯେ  ଏହି ଆପ୍ କେବେବି ୟୁଜର୍ସଙ୍କର ପର୍ସନାଲ୍ ଡାଟା ମାଗିବ ନାହିଁ।

ସୂଚନାଯୋଗ୍ୟ, ନିକଟରେ ହ୍ବାଟ୍ସଅପ୍ ନିଜ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆଣିଥିଲା । ଯାହା ମୁତାବକ ୟୁଜର୍ସଙ୍କ ତଥ୍ୟ ଗୁଡିକୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଶେୟାର କରାଯିବ । ଯଦି ୟୁଜର୍ସ ମାନେ ଫେବୃଆରୀ ୮ ତାରିଖ ସୁଦ୍ଧା ଏନେଇ ସହମତି ନଦିଅନ୍ତି ତାହେଲେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରି ଦିଆଯିବ। ଆଉ ଯେଉଁ ପଲିସିକୁ ସରକାରଙ୍କ ଦ୍ୱାରା ଯାଞ୍ଚ କରାଯିବ ।

ୟୁଜର୍ସଙ୍କ ତଥ୍ୟ ଗୁଡିକୁ କମ୍ପାନୀ ପକ୍ଷରୁ ପେରେଣ୍ଟ କମ୍ପାନୀ ଫେସବୁକ୍ ସହ ଶେୟାର କରାଯିବ । ଖାଲି ଏତିକି ନୁହେଁ ଏହାକୁ ଫେସବୁକର ସହଯୋଗୀ ମାନଙ୍କ ସହ ମଧ୍ୟ ଶେୟାର କରାଯିବ । ଯେଉଁ ଡାଟାରେ ୟୁଜର୍ସଙ୍କ ଲୋକେସନ୍, ୟୁସେଜ୍ ପେଟର୍ନ, ଫୋନ୍ ନଂ ଓ କଣ୍ଟାକ୍ଟ ଲିଷ୍ଟ ଆଦି ସାମିଲ ରହିବ। ହେଲେ କମ୍ପାନୀର ଏହି ପଲିସିକୁ ନେଇ ଖୁସି ନାହାଁନ୍ତି ୟୁଜର୍ସ । ଏହି ପଲିସିକୁ ବିଭିନ୍ନ ଏଣ୍ଟରପ୍ରିନ୍ୟୋର୍, ପ୍ରାଇଭେସି ଆଡଭୋକେଟ୍ସ ଓ ଏଜେନ୍ସି  ମାନେ ବିରୋଧ କରିଛନ୍ତି । ଏହି ବିରୋଧର ପରିମାଣ ଏତେ ବଢୁଛି ଯେ ଏବେ ୟୁଜର୍ସ ମାନେ ହ୍ବାଟ୍ସଆପ ବଦଳରେ ସିଗନାଲ୍ ଆପ୍ ଆଡେ ମୁହାଁଉଛନ୍ତି ।

ଓଡ଼ିଆ ପୁଅକୁ ବଡ ଦାୟିତ୍ୱ, ଭାଇସ ଚିଫ୍ ହେବେ ଚଣ୍ଡୀପ୍ରସାଦ

ଭୁବନେଶ୍ୱର: ପୁଣି ଦେଶର ଦାୟିତ୍ୱରେ ଓଡିଆ ପୁଅ । ଓଡିଆ ସେନା ଅଫିସରଙ୍କୁ ମିଳିଲା ବଡ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ । ଭାରତୀୟ ସେନାର ୪୨ ତମ ଭାଇସ ଚିଫ ହେବେ ଜଗସିଂହପୁରରେ ଜନ୍ମିତ ଚଣ୍ଡିପ୍ରସାଦ ମହାନ୍ତି ।

ପ୍ରଥମ ଓଡିଆ ଭାବେ  ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଭାରତୀୟ ସେନାର ଏହି ପଦବୀକୁ ଉନ୍ନିତ ହୋଇଛନ୍ତି  । ସେନାର ନର୍ଦନ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ଚଣ୍ଡିପ୍ରସାଦ । ସେନା ଉପମୁଖ୍ୟ ଏସକେ ସାଇନିଙ୍କ ପଦବୀ ଗ୍ରହଣ କରିବେ ଏହି ଓଡିଆ ପୁଅ ।

ଜାନୁଆରୀ ୩୧ ତାରିଖରେ ଏସକେ ସାଇନିଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଏଲଜି ଚଣ୍ଡିପ୍ରସାଦ ତାଙ୍କ ସ୍ଥାନ ନେବେ । ଜଗତସିଂହପୁର ଜିଲ୍ଲା ଜୟବଡରେ ଜନ୍ମିତ ଚଣ୍ଡୀପ୍ରସାଦ ପ୍ରଥମ ଓଡିଆ ଭାବେ ଏଭଳି ସର୍ବୋଚ୍ଚ ସମ୍ମାନ ଅଧିକାର କରିବାକୁ ଯାଉଛନ୍ତି ।

ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି

ନନ୍ଦିଗ୍ରାମ: ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି ସୋମବାର ଦିନ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ଖାଲି ଏତିକି ନୁହେଁ ସେ ଭବାନୀପୁର ଆସନରୁ ବି ନିର୍ବାଚନ ଲଢିବେ।

ସୂଚନା ଅନୁଯାୟୀ ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ଭାବେ ବିବେଚିତ କରାଯାଇଥାଏ। ଯିଏକି ଟିମସି ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହିତ ମମତା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ମୁଁ ବଞ୍ଚି ଥାଉଥାଉ ପଶ୍ଚିମବଙ୍ଗକୁ ବିକ୍ରି ହେବାକୁ ଦେବିନାହିଁ।

ଏଥିସହିତ ନନ୍ଦିଗ୍ରାମ ରାଲିରେ ଦିଦି ଶୁଭେନ୍ଦୁଙ୍କ ନାମ ନନେଇ କହିଛନ୍ତି ଯେ, କାହା ଠାରୁ ଜ୍ଞାନ ନେବି ନାହିଁ। ନନ୍ଦିଗ୍ରାମ ଆନ୍ଦୋଳନ କିଏ କରିଛି? କେହି କେହି ଏପଟ ସେପଟ କରିବାକୁ ଚାହୁଁଛନ୍ତି, ହେଲେ ଚିନ୍ତାର ବିଷୟ ନୁହେଁ। ଏହାଛଡା ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ “ବିଜେପି ୱାଶିଂ ମେସିନ୍, ଆଉ ବିଜେପି କଳାକୁ ଧଳା କରିବାର ୱାଶିଂ ପାଉଡର ବି”।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖବରକାଗଜ ଓ ସାମ୍ବାଦିକ ମାନଙ୍କୁ ଡରାଇ ସର୍ଭେ କରାଯାଉଛି। ହେଲେ ମୋତେ ସବୁ କିଛି ଜଣା। ସବୁ ଭିଡିଓ ଓ ହ୍ବାଟ୍ସଆପ ଉପରେ ବିଶ୍ବାସ କରନ୍ତୁନି, ଏସବୁ ମିଛ। ବିଜେପି ମିଛ ଖବର ପ୍ରଚାର କରିବାର କାମ କରୁଛି।

ଏହି ରାଲି ସମୟରେ ମମତା ନିଜ ଭାଷଣରେ ୨୦୦୭ ମସିହାରେ ହୋଇଥିବା ସିଙ୍ଗୁର ଆନ୍ଦୋଳନ ବିଷୟରେ କହିଥିଲେ। ଆନ୍ଦୋଳନ ସିଙ୍ଗୁରରେ ଆରମ୍ଭ ହୋଇଥିଲା ଆଉ ପରେ ନନ୍ଦିଗ୍ରାମରେ ଆରମ୍ଭ ହୋଇଥିଲା। ମୁଁ ପ୍ରାୟ ୨୬ ଦିନ ଅନଶନ କରିଥିଲି, ଯାହାପରେ ଆଇନ୍ ବଦଳି ଥିଲା। ସେ ସମୟରେ ଗୁଳି ଚଳା ହେଉଥିବା ଜାଣିବା ପରେ ତତକ୍ଷଣାତ୍ ସେଠାରେ ପହଞ୍ଚିଥିଲି। ଏମିତିକି ମୋତେ ପେଟ୍ରୋଲ ବମରେ ଜଳାଇବାକୁ ଚେଷ୍ଟା କରାଯାଇଥିଲା।

Samsung ର ଭାଇସ ଚେୟାରମ୍ୟାନ Lee Jae-yongଙ୍କୁ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ସାଉଥ କୋରିଆର ଦକ୍ଷିଣ କୋରିଆର ଅଗ୍ରଣୀ ବ୍ୟବସାୟ ଗ୍ରୁପ ଏବଂ ବିଶ୍ୱର ସର୍ବବୃହତ ସ୍ମାର୍ଟଫୋନ୍ ଏବଂ ମେମୋରୀ ଚିପ୍ ନିର୍ମାତା ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍ ଚେୟାରମ୍ୟାନ ଲୀ ଜୋ ୟଙ୍ଗ ସୋମବାର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଲାଞ୍ଚ ନେବା ଏହି ଦୁର୍ନୀତିର ମାମଲାରେ ୟଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଦୁର୍ନୀତୀ ମାମଲା ସାମ୍ନାକୁ ଆସିବା ପରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ପାର୍କ ଗେଉନ ହୋଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା ।

 

ସିୟୋଲ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ,  ଲି ଜୋ ୟଙ୍ଗ ସାମସଙ୍ଗ ଇଲେକଟ୍ରୋନିକ୍ସର ଉତ୍ତରାଧିକାରୀ ଭାବରେ ଉତ୍ତରାଧିକାରୀ ପ୍ରକ୍ରିୟାକୁ ସହଜ କରିବା ପାଇଁ ଲାଞ୍ଚ ଦେବା ସହ ରାଷ୍ଟ୍ରପତିଙ୍କୁ ନିଜ କ୍ଷମତାର ଉପଯୋଗ କରି ସାହାଯ୍ୟ କରିବା ପାଇଁ ଚାପ ପକାଇଥିଲେ । ଦେଶର ଏକ ଅଗ୍ରଣୀ କମ୍ପାନୀ ଅପରାଧ ସହ ଜଡ଼ିତ ଥିବା ଏକ ଲଜ୍ୟ ଜନକ ଘଟଣା ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି ।

ସାମସଙ୍ଗ ଏକ ପରିବାର ନିୟନ୍ତ୍ରିତ ଚର୍ଚ୍ଚିତ ଗ୍ରୁପ ଅଟେ । ଏହା ବିଶ୍ୱର ଦ୍ୱାଦଶ ବୃହତ୍ତମ ଅର୍ଥନୀତିରେ ଏକ ପ୍ରମୁଖ ଅବଦାନ ଗ୍ରହଣ କରେ । ଏହାର ସମୁଦାୟ  ଟର୍ଣ୍ଣଓଭର ସାଉଥ କୋରିଆର ଡିଜିପିର ୨୦ ପ୍ରତିଶତ ସହ ସମାନ ଅଟେ । ସାଉଥ କୋରିଆର ଆର୍ଥିକ ସ୍ଥିତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କମ୍ପାନୀ ଅଟେ । କିନ୍ତୁ ବିଶେଷଜ୍ଞଙ୍କ ମତରେ ଅଦାଲତର ଏହି ଆଦେଶ ପରେ, ନେତୃତ୍ୱର ଅଭାବ ରହିବ ଏବଂ ଏହା ଭବିଷ୍ୟତର ପୁଞ୍ଜି ବିନିଯୋଗ ଉପରେ ନିଷ୍ପତ୍ତି ନେବା କଷ୍ଟକର କରିବ । ଏହା ସାମସଙ୍ଗ ପାଇଁ ଏକ ପ୍ରମୁଖ ସଙ୍କଟ ଭାବେ ଉଭା ହେବ ।

ବାହାଘର ପୂର୍ବରୁ ବରକୁ ଲୁଟି କନିଆ ଫେରାର୍

ଲକ୍ଷ୍ନୌ:  ବିବାହ ପୂର୍ବରୁ ଭାବିସ୍ୱାମୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରି ଫେରାର୍ କନିଆ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ୟୁପିର ଲକ୍ଷ୍ନୌ ସହରରେ। ମନୋଜ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କର ଡିସେମ୍ବର ୧୬ରେ ବାହାଘର ହୋଇଥାନ୍ତା ହେଲେ ବାହାଘର ପୂର୍ବରୁ ହିଁ ଘରେ କଳାକନା ବୁଲାଇଦେଲେ ଭାବିପତ୍ନୀ।

ବାସ୍ତବରେ, ମନୋଜ ମାଟ୍ରିମୋନିଆଲ୍ ୱେବସାଇଟ୍ ‘ଜୀନ୍ ସାଥି ଡଟ୍ କମ୍’ ମାଧ୍ୟମରେ ଅଗଷ୍ଟ ୧୫ରେ ପ୍ରିୟଙ୍କା ସିଂହ ନାମକ ଜଣେ ଝିଅ ସହିତ ପରିଚିତ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଯୁବତୀ ଜଣକ  କହିଥିଲେ ଯେ ସେ  ବିହାରର ଓ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଯାଇଛି । ଆଉ ସେ ମାଉସୀଙ୍କ ସହ ଦିଲ୍ଲୀରେ ରହି ପଢ଼ନ୍ତି। ଅଭିଯୋଗ ଅନୁଯାୟୀ, ମନୋଜଙ୍କ ପରିବାର ସଦସ୍ୟ ଏବଂ ପ୍ରିୟଙ୍କାଙ୍କ ମାଉସୀ ବୁଝାମଣା କରି ସେମାନଙ୍କ ବାହାଘର ଠିକ୍ କରିଥିଲେ।

ମନୋଜଙ୍କୁ ଯୁବତୀ ଜଣକ କହିଥିଲେ ଯେ ସେ ଆଇଏଏସ୍ (ୟୁପିଏସସି) ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଖୁବ ଶୀଘ୍ର ଚୟନ ବି ହୋଇଯିବ। ମନୋଜଙ୍କ ଅନୁଯାୟୀ,  ଯୁବତୀ ଜଣକ ଏହି ବାହାନାରେ ଟଙ୍କା ମାଗିବା ଆରମ୍ଭ କରିଥିଲେ। ପାଠପଢ଼ା ପାଇଁ ସେ  କେବେ ୧୦ ହଜାର କେବେ ୨୦ ହଜାର ତ ପୁଣି କେବେ ୫୦ ହଜାର ଟଙ୍କା ମାଗୁଥିଲେ। ଆଉ ମନୋଜ ବି ତାଙ୍କ ଭାବି ପତ୍ନୀ ଭାବି ଟଙ୍କା ଦେଉଥିଲେ। ଏହିପରି ଭାବରେ ମନୋଜ ଘର ନିର୍ମାଣ ପାଇଁ ଜମା ହୋଇଥିବା ପ୍ରାୟ ୬ ଲକ୍ଷ ଟଙ୍କା ପ୍ରିୟଙ୍କାଙ୍କୁ ଦେଇଦେଥିଲେ।

ଗତ ୬ ମାସ ଧରି ସେମାନେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। ଶେଷରେ ଡିସେମ୍ବର ୧୬ରେ ଉଭୟଙ୍କ ବାହାଘର ଚୂଡ଼ାନ୍ତ ହେଲା। ମନୋଜ ବେଶ୍ ଖୁସି ଥିଲେ ଓ ବାହାଘରର ପ୍ରସ୍ତୁତି ବି ଆରମ୍ଭ କରିଦେଇଥିଲେ। ପ୍ରିୟଙ୍କାଙ୍କୁ ଫ୍ଲାଇଟ୍ ଖର୍ଚ୍ଚ ଦେଇ ଲକ୍ଷ୍ନୌକୁ ଭେଟିବା ପାଇଁ ଡକେଇଥିଲେ। ସେଠାରେ ତାଙ୍କୁ ୨ ଲକ୍ଷ ଟଙ୍କାର ସପିଂ ବି କରାଇଥିଲେ । ହେଲେ ସେଠୁ ଦିଲ୍ଲୀ ଫେରିବା ପରେ ପ୍ରିୟଙ୍କାଙ୍କର ଆଉ ଫୋନ୍ ଲାଗି ନଥିଲା । ଏପରିକି ତାଙ୍କ ମାଉସୀଙ୍କ ଫୋନ୍ ବି ଲାଗିନଥିଲା। ସେ ଦେଇଥିବା ଆଧାର କାର୍ଡ଼ ଓ ପରିଚୟ ପତ୍ର ଯାଞ୍ଚ କରାଇବାରୁ ସେ ବି ନକଲି ବୋଲି ଜଣାପଡ଼ିଥିଲା। ଯାହାପରେ ମନୋଜ ଲୁଟ୍ ର ଶିକାର ହୋଇଥିବା ଅନୁଭ କରିଥିଲେ ଓ ଯୁବତୀଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ମାମାଲା ରୁଜ୍ଜୁ କରିଥିଲେ । ବର୍ତ୍ତମାନ ପୋଲିସ୍ ଏ ନେଇ ତଦନ୍ତ କରୁଛି।

ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ ମୁହଁ ଖୋଲିଲେ ଇମ୍ରାନ୍ ଖାନ୍, କହିଲେ ମୋଦି ସରକାରଙ୍କୁ ଘେର

ନୂଆଦିଲ୍ଲୀ: ରିପବ୍ଲିକ୍ ମିଡିିଆ ନେଟୱର୍କର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ହ୍ୱାଟ୍ସଆପ ଚାର୍ଟ ଲିକ୍ ପରେ ବିବାଦ ଘନେଇଛି। ଏବେ ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।

ଏପରିକି ପୁଲୱାମା ଆକ୍ରମଣ ଓ ବାଲାକୋଟରେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ସମ୍ପର୍କିତ ସୂଚନା ଅର୍ଣ୍ଣବଙ୍କୁ ପୂର୍ବରୁ କିପରି ମିଳିଥିଲା । ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ଅର୍ଣ୍ଣବଙ୍କ ସମର୍ଥକ ଓ ବିରୋଧି ମାନେ ମଧ୍ୟ ନିଜ ନିଜର ମତ ରଖିବାରେ ଲାଗିଛନ୍ତି।

ଏହି ଘଟଣାରେ ସମସ୍ତେ ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ପାକିସ୍ତାନ ପ୍ରଧାନନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ବାଦ୍ ପଡିନାହାଁନ୍ତି। ଇମ୍ରାନ୍ ନିଜ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି ଯେ, “୨୦୧୯ ମସିହାରେ ମୁଁ ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନଜିଏ)ରେ କହିଥିଲି ଯେ ଭାରତର ମୋଦି ସରକାର ବାଲାକୋଟ ଷ୍ଟ୍ରାଇକକୁୁ ନିର୍ବାଚନୀ ଫାଇଦା ଭାବେ ବ୍ୟବହାର କରିଛନ୍ତି”।

ସେହିପରି ଇମ୍ରାନ ଟ୍ବିଟରରେ ଆଉ ଏକ ପୋଷ୍ଟ କରିଛନ୍ତି। ଏଭଳି ଭୟଙ୍କର ପରିସ୍ଥିତି ଯୋଗୁଁ  ପୂରା ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଦୁଷ୍ପରିଣାମକୁ ମଧ୍ୟ ଅଣଦେଖା କରାଯାଇଥିଲା। ହେଲେ ପାକିସ୍ତାନ ବାଲାକୋଟ୍ ମାମଲାରେ ଏକ ଦାୟିତ୍ବବାନ ଓ ସନ୍ତୁଳିତ ପ୍ରତିକ୍ରିୟା ଦେଇଥିଲା। ଆଉ ଏଭଳି ଭାବେ ଏକ ବଡ ସଙ୍କଟକୁ ଏଡାଇ ଦିଆଯାଇଥିଲା।

ଇମ୍ରାନ ନିଜର ଶେଷ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, “ପାକିସ୍ତାନ ବିରୋଧରେ କରାଯାଉଥିବା ଷଡଯନ୍ତ୍ର ଓ ମୋଦି ସରକାରର ଫାସିଜିମ୍ ର ପର୍ଦାଫାଶ ମୋ ସରକାର କରିବ। ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଭାରତର ଏଭଳି ବିବେକହୀନ, ସୈନ୍ୟ ଏଜେଣ୍ଡାକୁ ରୋକିବାକୁ ପଡିବ। ନଚେତ୍ ମୋଦି ସରକାର ଏହାକୁ ଏଭଳି ଏକ ପରିସ୍ଥିତି ମଧ୍ୟକୁ ଠେଲି ଦେବେ ଯାହା ଉପରେ ନିୟନ୍ତ୍ରଣ ପାଇବା କଷ୍ଟକର ହୋଇପଡିବ”।

ସୂଚନା ଅନୁସାରେ , ୨୦୧୯ ମସିହା ୨୩ ଫେବ୍ରୁଆରୀରେ  ଅର୍ଣ୍ଣବ ଏବଂ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତାଙ୍କ ମଧ୍ୟରେ ଏକ ଚାଟ୍ ହୋଇଥିଲା । ଯାହା ପୁଲୱାମା ଘଟଣା ପରର ଚାଟ୍ ଥିଲା ବୋଲି ଜଣାପଡିଛି। ଏଥିରେ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ ସମୟରେ ଅର୍ଣ୍ଣବ କହିଥିଲେ ଏଥରକ କିଛି ବଡ଼ ହେବାକୁ ଯାଉଛି। ଯାହାର ଉତ୍ତରରେ ପାର୍ଥଦାସ ଗୁପ୍ତା କ’ଣ ପଚାରିବାରୁ ଅର୍ଣ୍ଣବ ପାକିସ୍ତାନ ଆଡ଼କୁ ଇଙ୍ଗିତ କରିଥିଲେ । ଆଉ ଏହି ଚାଟରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ, ପୋଷ୍ଟ ପୁଲୱାମାର ଯୋଜନା ବିଷୟରେ ଅଳ୍ପବହୁତେ ଅର୍ଣ୍ଣବଙ୍କୁ ଜଣା ଥିଲା । ତେବେ ଅର୍ଣ୍ଣବଙ୍କ ଏହି ଚାଟ ସାର୍ବଜାନୀନ ହେବା ପରେ ଏକପ୍ରକାର ବିବାଦ ଘନେଇବାରେ ଲାଗିଛି।