ଗୁଲାମଙ୍କ ସମେତ ୭ ନେତାଙ୍କ ମୁଣ୍ଡରେ ଗେରୁଆ ପଗଡ଼ି, ଆହୁରି ବିଗିଡ଼ୁଛି କି କଂଗ୍ରେସ ସ୍ଥିତି ?

1 min read
Congress

ନୂଆଦିଲ୍ଲୀ: ଗୁଲାମନବୀ ଆଜାଦ୍ । ଏହି ନାଁକୁ ଅଳ୍ପ ବହୁତେ ସମସ୍ତେ ଜାଣିଥିବେ । କାରଣ ଏହି ନାଁ ଦଶନ୍ଧି ଦଶନ୍ଧି ଧରି ଜାତୀୟ ରାଜନୀତିରେ ଗୁଞ୍ଜରିତ ହୋଇଥାଏ । ତେବେ ସବୁବେଳେ କଂଗ୍ରେସ ଓ କଂଗ୍ରେସ ସରକାରର ଗୁଣଗାନ କରୁଥିବା ଗୁଲାମ ନବୀ ଆଜାଦ୍‌ଙ୍କୁ ହଠାତ୍ ପୁଣି ଥରେ ଗେରୁଆ ପଗଡ଼ିରେ ଦେଖିବାକୁ ମିଳିଛି । ସବୁବେଳେ ବିଜେପି ଓ ଆର୍ଆର୍ଏସ୍ ବିରୋଧରେ ବିଷାଦ୍ଗାର କରୁଥିବା ନେତା କେମିତି ଗେରୁଆ ପଗଡ଼ି ପିନ୍ଧିଲେ ତାକୁ ନେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ତେବେ ଏଠି ଗୋଟେ ଛୋଟ କଥା ଜାଣିବାର ଅଛି ଯେ, ଗୁଲାମନବୀ ଆଜାଦ୍‌ଙ୍କୁ ଗେରୁଆ ପଗଡ଼ି ପିନ୍ଧିବାର ଦେଖାଯିବା ଏହା ପ୍ରଥମ ଥର ନୁହେଁ । କାରଣ ଏହାପୂର୍ବରୁ ସେ ଅନେକ ଥର ଗେରୁଆ ପଗଡ଼ି ପିନ୍ଧିଛନ୍ତି । ଯେତେବେଳେ ସେ ହିନ୍ଦୁ ବହୁଳ ଅଂଚଳକୁ କିମ୍ବା ହିନ୍ଦୁ ଉତ୍ସବକୁ ଯାଆନ୍ତି ସେତେବେଳେ ସେ ଏଭଳି ଗେରୁଆ ପଗଡ଼ି ପିନ୍ଧିଥାନ୍ତି । ତେବେ ଯଦି ପୂର୍ବରୁ ଏଭଳି ଘଟିସାରିଛି ତାହାଲେ ଏଥର କାହିଁକି ଏତେ ଚର୍ଚ୍ଚା ଚାଲିଛି ।

ସବୁଠାରୁ ବଡ଼ କଥା ହେଲା ଏଥର ଗୁଲାମନବୀ ଆଜାଦ୍ ଏକା ନୁହେଁ ଏଥର ତାଙ୍କ ସହ ଅନ୍ୟ ୭ ଜଣ ନେତା ମଧ୍ୟ ଗେରୁଆ ପଗଡ଼ି ପିନ୍ଧିଥିବା ଦେଖାଯାଇଛି । ତେଣୁ ଏହାକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି । ଏହି ଘଟଣା ଏବେ ରାଜନୈତି ମହଲରେ ବିଭିନ୍ନ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ କଂଗ୍ରେସର ବର୍ତ୍ତମାନ ପରିସ୍ଥିତି ଯାହା ରହିଛି, ତାକୁ ନେଇ ଅନେକ ଆକଳନ କରାଯାଉଛି ।

ଗତ ବର୍ଷ ୨୩ ଜଣ ଅସନ୍ତୁଷ୍ଟ କଂଗ୍ରେସ ନେତା (ଜି -୨୩) ଦଳରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଆଉ ଏବେ ୮ଜଣ ନେତା ଗେରୁଆ ପଗଡ଼ି ପିନ୍ଧିଥିବା ଦେଖାଯାଇଛି । ତେଣୁ ଏହାକୁ ନେଇ ଜାତୀୟ ରାଜନୀତି ଓ କଂଗ୍ରେସର ସ୍ଥିତି ବିଷୟରେ ଅନେକ କିଛି ଆନୁମାନ ଲଗାଯାଇପାରେ । ଏହି ନେତାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ କଂଗ୍ରେସ ସହିତ ଅଛନ୍ତି, କିନ୍ତୁ ଦଳର ସାମ୍ପ୍ରତିକ ପରିସ୍ଥିତି ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ । କଂଗ୍ରେସ ପକ୍ଷରୁ ଏନେଇ ବିବୃତ୍ତି ମଧ୍ୟ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏମାନେ ହେଉଛନ୍ତି ଦଳର ବରିଷ୍ଠ ନେତା । ତେଣୁ ସେମାନେ ସବୁ କଥା ଛାଡ଼ି ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ଯାଇଛି ସେଠାରେ ଦଳ ପାଇଁ ପ୍ରଚାର କରିବା ଉଚିତ୍ ।

ତେବେ ଏଭଳି ପରିସ୍ଥିତିରେ କଂଗ୍ରେସରେ ଭବିଷ୍ୟତ କ’ଣ ହେବ ସେନେଇ ପ୍ରଶ୍ନ ଉଠିଛି । କୁହାଯାଉଛି କେବଳ ଜମ୍ମୁରେ ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବିଦ୍ରୋହୀ ନେତାମାନେ ବୈଠକ କରିବାକୁ ଯାଉଛନ୍ତି । ଏଭଳି ନେତାଙ୍କ ପରବର୍ତ୍ତୀ ବୈଠକ ହିମାଚଳ ପ୍ରଦେଶରେ ହେବାକୁ ଯାଉଛି । ଆଉ ଆନନ୍ଦ ଶର୍ମା ଏହି ହିମାଚଳ ପ୍ରଦେଶରୁ ହିଁ ଆସନ୍ତି । ଶର୍ମାଙ୍କ ନିକଟରେ ଦଳ ପାଇଁ ଅନେକ ଅଭିଯୋଗ ରହିଛି ।

କୁହାଯାଏ ଆନନ୍ଦ ଶର୍ମା ଗାନ୍ଧୀ ପରିବାରର ଅତି ନିକଟତର । ବର୍ତ୍ତମାନ ତାଙ୍କ ମନରେ ଗୋଟିଏ ଅସନ୍ତୋଷ ରହିଛି ଯେ, ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଆହୁରି ବର୍ଷେ ବାକି ଥିବା ବେଳେ ତାଙ୍କୁ ବିରାେଧୀ ଦଳ ନେତା ପଦରୁ ଦୁରେଇ ରଖାଗଲା । ଖାଲି ସେତିକି ନୁହେଁ ମଲ୍ଲିକାର୍ଜୁନ୍ ଖଡ଼ଗେ ରାହୁଲଙ୍କ ନିକଟତର, ତେଣୁ ତାଙ୍କୁ ସେହି ପଦ ଦିଆଯାଇଛି ବୋଲି ମଧ୍ୟ ଆନନ୍ଦଙ୍କ ମନରେ ଅସନ୍ତୋଷ ରହିଛି । ଶର୍ମାଙ୍କ ନିକଟତର ସୂତ୍ରରୁ ଯାହା ଜଣାପଡ଼ିଛି ଯେ, ମଲ୍ଲିକାର୍ଜୁନଙ୍କ ନିର୍ଦ୍ଦେଶ ଶୁଣିବା ଆନନ୍ଦଙ୍କ ପାଇଁ ଅତ୍ୟନ୍ତ ସହଜ ନୁହେଁ । ଆନନ୍ଦ ଏବେ ରାଜ୍ୟସଭାରେ ବିରୋଧୀ ଦଳର ଉପନେତା ଦାୟିତ୍ୱ ତୁଲାଉଛନ୍ତି ।

ସବୁଠାରୁ ବଡ଼ କଥା ହେଲା ହିମାଚଳ ପ୍ରଦେଶ ପରେ ଏଭଳି ବିଦ୍ରୋହୀ ନେତାଙ୍କ ବୈଠକ ହରିୟାଣା, ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ହେବାକୁ ଯାଉଛି । ଖାଲି ସେତିକି ନୁହେଁ ଜୁନ୍ ୨୩ରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନରେ ‘ଜି-୨୩’ର ଅସନ୍ତୁଷ୍ଟ ନେତାମାନେ ପ୍ରାର୍ଥୀ ଦେଇପାରନ୍ତି । ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ନିଜ ଦାବି ରଖିପାରନ୍ତି ।

ଗତ ବର୍ଷ ଅଗଷ୍ଟରେ ଜି -୨୩ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅନେକ ପ୍ରଶ୍ନ କରିଥିଲେ । ସେମାନେ ପ୍ରଶ୍ନ କରିଥିଲେ ଯେ, ଦଳରେ କୌଣସି ନେତା ନାହାଁନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହୋଇନାହାନ୍ତି । ଦଳର ନିଷ୍ପତ୍ତି କିଏ ନେଉଛନ୍ତି ? ତାହା କାହାକୁ ଜଣାପଡ଼ୁ ନାହିଁ । ତେବେ ଜ-୨୩ ନେତାଙ୍କ ଏଭଳି କହିବା ପଛର ଉଦେଶ୍ୟ ମଧ୍ୟ ରହିଛି । କାରଣ ସୋନିଆ ଗାନ୍ଧୀ ଏବେ ଆଉ ଦୈନନ୍ଦିନ ରାଜନୈତିକ ଘଟଣା ସହ ଜଡ଼ିତ ନୁହନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ, ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି ।

ଜାମ୍ମୁରେ ବସିଥିବା ବୈଠକକୁ ନେଇ କଂଗ୍ରେସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନପାରେ । କାରଣ ଦଳ ଚାହୁଁନି ଯେ, ଏଭଳି କୌଣସି ପରିସ୍ଥିତି ଉପୁଜୁ ଯେଉଁଥିରେ ଆଗାମୀ ନିର୍ବାଚନ ପୂର୍ବରୁ ଲୋକଙ୍କ ଧ୍ୟାନ ଭଙ୍ଗ ହେଉ । କାରଣ କଂଗ୍ରେସ ଜାଣିଛି ଯେ, ଏହି ବିଦ୍ରୋହୀ ନେତାମାନେ ଆଗକୁ କଣ୍ଟା ହୋଇପାରନ୍ତି । ତେବେ ଏସବୁକୁ ସମାଧାନ କରିବାକୁ ଭିତରେ ଭିତରେ ଚେଷ୍ଟା ଚଳାଇଛି କଂଗ୍ରେସ।

Leave a Reply