spot_img
Home Blog Page 6093

ବଢ଼ିବାରେ ଲାଗିଛି ହାତୀ ଆତଙ୍କ, ଶୌଚ ପାଇଁ ଯିବା ବେଳେ କଚାଡ଼ି ମାରିଦେଲା

ହିନ୍ଦୋଳ: ଢ଼େଙ୍କାନାଳ ହିନ୍ଦୋଳରେ ହାତୀ ଆତଙ୍କ। ବଢ଼ିବାରେ ଲାଗିଛି ହାତୀ ମାନଙ୍କର ଆତଙ୍କ। ଶୀତ ଦିନ କାରଣରୁ ଖରା ଖାଇବା ପାଇଁ ଜଙ୍ଗଲରୁ ହାତୀ ବାହାରକୁ ଚାଲି ଆସୁଛନ୍ତି। ବିଲରେ ଧାନ ଅମଳ ସମୟ ହୋଇଥିବାରୁ ଧାନ ଖାଇବା ପାଇଁ ମଧ୍ୟ ହାତୀ ମାନେ ଜଙ୍ଗଲ ବାହାରକୁ ଆସୁଛନ୍ତି। ଯେଉଁଥି ପାଇଁ ସବୁବେଳେ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି। ହାତୀ ଆକ୍ରମଣ କରିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ମୃତକ ହେଲେ ବାବନ୍ଧ ସେକ୍ସନ ଗଞ୍ଜରା ଗାଁର ନିରଞ୍ଜନ ସାହୁ। ଘର ବାହାରକୁ ଶୌଚ ପାଇଁ ଯିବା ବେଳେ ନିରଞ୍ଜନଙ୍କୁ ଦଳି ଦେଇଥିଲା ଦନ୍ତା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

କୋଭିଡ କଟକଣାରେ ପାଳିତ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା, ପରମ୍ପରା ଓ ରୀତିନୀତି ଅନୁସାରେ ପଡ଼ିବ ବଳି

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗୀର ଦେଓଗାଁ ବ୍ଲକ କୁଳିତାପଡ଼ା ପଂଚାୟତର ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳାରେ ପଡ଼ିବ ବଳି। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଚଳିତ ବର୍ଷ କୋଭିଡ କଟକଣା ଭିତରେ ଶୁଲିଆ ଯାତ୍ରାରେ ବଳି ପଡିବ। ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ ହେଲେ ବଳି ନେଇ ନିଜ ଜିଦରେ ଅଟଳ ରହିଛି କମିଟି।

ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ବଳି ପଡିବ ମାନସିକଧାରୀ ମାନେ ଶୁଲିଆ ପୀଠରେ ବଳି ଚଢାଇପାରିବେ ବୋଲି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ସଭାପତି ମୟ ପ୍ରଧାନୀ କହିଛନ୍ତି। ପୋଲିସ ପ୍ରଶାସନ ତରଫରୁ ଯାତ୍ରା ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: କ୍ୟାମ୍ପସ ଖୋଲୁଖୋଲୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଉତେଜନା । ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନା ଅନୁଯାୟୀ ସମସ୍ୟାର ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଛାତ୍ର ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଛାତ୍ର ଗୋଷ୍ଠୀ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି । କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ହଷ୍ଟେଲରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି । ସୂଚନା ପାଇ ପିଜି କାଉନ୍ସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ, ଜୋନ ଏସିପି ଅନୀଲ କୁମାର ମିଶ୍ର ଓ ସହୀଦ ନଗର ଥାନା ଅଧିକାରୀ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଛନ୍ତି ।

ତେବେ ଆସନ୍ତାକାଲି କୁଳପତିଙ୍କ ଉପସ୍ଥିତରେ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପିଜି କାଉନ୍ସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି । ଚାପା ଉତେଜନା ଲାଗି ରହିଥିବାରୁ କ୍ୟାମ୍ପସରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।

ତେଜସ ପରେ ରୁଷରୁ ଆସିବ ମିଗ-୨୯,ସୁଖୋଇ-୩୦

ନୂଆଦିଲ୍ଲୀ: ତେଜସ୍ ପରେ ରୁଷ୍‌ଠାରୁ ମିଗ୍-୨୯ ଓ ସୁଖୋଇ-୩୦ MKI ଯୁଦ୍ଧ ବିମାନ କିଣିବ ଭାରତ । ଗତ ସପ୍ତାହରେ କ୍ୟାବିନେଟ ସୁରକ୍ଷା କମିଟି ଏ ନେଇ ଅନୁମତି ଦେଇଛି । କ୍ୟାବିନେଟ ସୁରକ୍ଷା କମିଟିର ଅନୁମତି ପରେ ଯୁଦ୍ଧ ବିମାନ କିଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହାଛଡ଼ା ଦେଶରେ ଥିବା ୫୯ଟି ମିଗ୍-୨୯ ଯୁଦ୍ଧ ବିମାନକୁ ଅପ୍‌ଗ୍ରେଡ୍ କରିବାକୁ ମଧ୍ୟ କମିଟି ପକ୍ଷରୁ ଅନୁମତି ଦିଆଯାଇଛି । 12 ଟି ସୁଖୋଇ -30 MKI ବିମାନ ପାଇଁ ପ୍ରାୟ 15 ବିଲିୟନ ଡଲାରରେ ଚୁକ୍ତି ହୋଇଛି । ରୁଷ୍‌ଠାରୁ ୮୩ଟି ତେଜାସ୍ ଯୁଦ୍ଧ ବିମାନ କିଣିବାକୁ ଗତ ସପ୍ତାହରେ ମଞ୍ଜୁରୀ ଦେଇଥିଲା କମିଟି।

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନକଲେ ଦିଗବିଜୟ

ଲକ୍ଷ୍ନୌ: ନିର୍ମାଣ ହେଉଛି ଭବ୍ୟ ରାମମନ୍ଦିର । ଗାଁ ଗାଁ ରେ ଚାଲିଛି ପାଣ୍ଠି ସଂଗ୍ରହ ପକ୍ରିୟା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମଗ୍ର ଜାରି ରହିଛି ଏହି କାର୍ଯ୍ୟ । ଆଉ ଏହି ପାଣ୍ଠି ପ୍ରଦାନ ଅଭିଯାନରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦିଗବିଜୟ ସିଂ ଦାନ କରିଛନ୍ତି ୧, ୧୧, ୧୧୧ ଟଙ୍କା ।

ସୁପ୍ରିମକୋର୍ଟ ଦଶନ୍ଧୀର ବିବାଦରେ ପୂର୍ଣ୍ଣଛେଦ ପକାଇଥିଲେ । ଏହା ପରେ ଆରମ୍ଭ ହୋଇଛି ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସମଗ୍ର ଦେଶରେ ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଜାନୁଆରୀ ୧୫ରୁ ଆରମ୍ଭ ହୋଇ ଏହି ପାଣ୍ଠି ସଂଗ୍ରହ ପକ୍ରିୟା ଫେବୃଆରୀ ୨୭ ଯାଏଁ ଚାଲିବ।


 

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ୍-ବଜେଟ୍ ଆଲୋଚନା, ରାଜ୍ୟ ତରଫରୁ ଅର୍ଥମନ୍ତ୍ରୀ ଉପସ୍ଥାପିତ କଲେ ବିଭିନ୍ନ ଦାବି

ଭୁବନେଶ୍ୱର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଥିଲେ । ଏଥିରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଂଶଗ୍ରହଣ କରି ରାଜ୍ୟ ତରଫରୁ କେତେକ ଦାବି ଉପସ୍ଥାପନ କରିଛନ୍ତି । ସେଥି ମଧ୍ୟରୁ କେତେକ ପ୍ରମୁଖ ଦାବି ହେଲା:-
 ସେଣ୍ଟ୍ରାଲ୍ ସେଲସ୍ ଟ୍ୟାକ୍ସ ଆକଫ, ୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ-ସିର ଅପବ୍ୟବହାର କରାଯାଇ ହାଇ ସ୍ପିଡ୍ ଡିଜେଲ୍ର ଆନ୍ତଃରାଜ୍ୟ କ୍ରୟକୁ ରୋକାଯିବା ।

ବର୍ଷ ୨୦୨୧-୨୨ରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବରେ ନିଆଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତିକମ୍ରେ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ।

ଓଡ଼ିଶାରେ ଥିବା ଅଣବ୍ୟାଙ୍କ ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଶାଖା ଖୋଲିବା ।

ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ପାଇଁ ବର୍ଷ ୨୦୨୧-୨୨ରେ
ଓଡ଼ିଶା ପାଇଁ ଅତିକମରେ ୫,୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିବା ।

ରାଜ୍ୟରେ ଥିବା ଜାତୀୟ ରାଜପଥ ଗୁଡ଼ିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବା ।

ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା,

ଯଥା:-
•ଟାରିଫ୍ ପଲିସିରେ ଆବଶ୍ୟକ ସଂଶୋଧନପୂର୍ବକ ଅତି ପୁରୁଣା ପାୱାର ପର୍ଚେଜ୍ ଆଗ୍ରିମେଣ୍ଟଗୁଡ଼ିକ ବନ୍ଦ କରିବା ।
• ଇଲେକ୍ଟି୍ରସିଟି ଆକଫ, ୨୦୦୩ରେ ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦୁ୍ୟତ ପ୍ରକଳ୍ପଗୁଡ଼ିକୁ ରିନୁ୍ୟଏବୁଲ୍ ପାୱାର ଓବ୍ଲିଗେସନ୍ ପାଇଁ ଅନ୍ତର୍ଭୁକ୍ତ କରିବା ।
• ବଳକା ଶକ୍ତିକୁ ବିକି୍ର କରିବା ପାଇଁ ଏସ୍ଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍ସିଓଏମ୍ମାନଙ୍କୁ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରିବା ଉପରେ କରିଛନ୍ତି ଆଲୋଚନା ।

ପାଇପ୍ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟୟବରାଦ ।
ରାଜ୍ୟମାନଙ୍କର ସ୍ୱାର୍ଥଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା ।
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦକୁ ସମସ୍ତ ଅର୍ଥ ରାଜ୍ୟ ବଜେଟ୍ ଜରିଆରେ ପ୍ରଦାନ କରାଯିବା, ତଥା ଏହି ଯୋଜନା ବାବଦକୁ ସୋସାଇଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଖର୍ଚ୍ଚ ନକରି ସିଧାସଳଖ ରାଜ୍ୟ ଟ୍ରେଜେରୀରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ ।
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ବାବଦରେ ରାଜ୍ୟକୁ ଯୋଜନାୱାରୀ ମିଳିବାକୁ ଥିବା ଅର୍ଥର ଆଗୁଆ ତଥ୍ୟ ପ୍ରଦାନ ।
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକରେ ଉତ୍ତର-ପୂର୍ବ ତଥା ହିମାଳୟସ୍ଥିତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଉ କେନ୍ଦ୍ର ଅଂଶ ହାରରେ ଓଡ଼ିଶାକୁ କେନ୍ଦ୍ର ଅଂଶ ପ୍ରଦାନ ।

କେନ୍ଦ୍ର ସରକାର ସୀମା ଶୁଳ୍କ ତଥା ପ୍ରତ୍ୟକ୍ଷ କରଗୁଡ଼ିକ ଉପରେ ଆଦାୟ କରୁଥିବା ସେସ୍ ତଥା ଅତିରିକ୍ତ ଦେୟଗୁଡ଼ିକୁ ବନ୍ଦ କରି ସେଗୁଡ଼ିକୁ କେନ୍ଦ୍ର ଟିକସର ଅନ୍ତର୍ଭୁକ୍ତ କରିବା, ଯାହା ଦ୍ୱାରା କି ରାଜ୍ୟମାନଙ୍କୁ କେନ୍ଦ୍ର ଟିକସରୁ ଅଧିକ ରାଜ୍ୟ ଅଂଶ ମିଳିପାରିବ । ସମସ୍ତ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାବଦକୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ ।
କେନ୍ଦ୍ର ଅର୍ଥମନ୍ତ୍ରୀ ଆମ ରାଜ୍ୟର ଏହିସବୁ ଦାବିଗୁଡ଼ିକୁ କେନ୍ଦ୍ର ବଜେଟ୍ ପ୍ରସ୍ତୁତି ସମୟରେ ସହୃଦୟତାର ସହିତ ବିଚାର କରିବେ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଶା ପ୍ରକାଶ କରିଛନ୍ତି ।

ଜାନୁଆରୀ ୨୧ରୁ ଆରମ୍ଭ ହେବ ୧୫ତମ ଜାତୀୟ ତୋଷାଳି ମେଳା

ଭୁବନେଶ୍ୱର: ଜାନୁଆରୀ ୨୧ରୁ ଆରମ୍ଭ ହେବ ୧୫ତମ ଜାତୀୟ ତୋଷାଳି ମେଳା । ଫେବୃଆରୀ ୪ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ତୋଷାଳି ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହେବେ ।

ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ ଟି ଷ୍ଟଲ ପଡିବ । ୮୦ ଟି ରାଜ୍ୟ ବାହାର ରାଜ୍ୟର ଓ ରାଜ୍ୟର ୧୭୦ ଟି ଷ୍ଟଲ ରହିବ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ମେଳାରେ ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବ ।

ଏଥି ସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଗୁରୁତ୍ୱ ଦିଆଯିବ । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଗତବର୍ଷ ମେଳରୁ ପ୍ରାୟ ୨୨ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ପ୍ରାୟ ୨୨ ଲକ୍ଷ ଲୋକ ଉପଭୋଗ କରିଥିଲେ ।

ଦ୍ୱିତୀୟ ଦିନରେ ଟିକାକରଣ, ୩୫୦୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଟିକାକରଣ ୨୫ ତାରିଖ ସୁଦ୍ଧା ସରିବ । ଯେଉଁଥିପାଇଁ ମୋଟ ୩ ଲକ୍ଷ ୩୮ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହୋଇଛନ୍ତି । ପ୍ରଥମ ଦିନରେ ରାଜ୍ୟରେ ମୋଟ ୧୩ହଜାର ୮୯୦ଜଣ ଟିକା ଗ୍ରହଣ କରିଛନ୍ତି । ଅବଶିଷ୍ଟ ୧ଲକ୍ଷ ୭୮ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ୧୬୯୮ଟି ସେସନ ସାଇଟସରେ ଟିକା ଦିଆଯିବ । ଟିକା ନେବାର ୨୮ଦିନ ପରେ ପୁଣି ଦ୍ବିତୀୟ ଡୋଜ୍ ଦିଆଯିବ । ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଥିବା ବେଳେ ଏଥିପାଇଁ ପଞ୍ଜିକୃତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମେସେଜ୍ ଜରିଆରେ ସୂଚନା ଦିଆଯାଉଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି ।

ସେପଟେ ରାଜଧାନୀରେ ପ୍ରଥମ ଦିନରେ ମାତ୍ର ୬ଟି କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ଦିନରେ ୨୪ଟି କେନ୍ଦ୍ରରେ ମୋଟ ୩୫୦୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ସରକାରୀ ଡାକ୍ତରଖାନା ସମେତ ରାଜ୍ୟବ୍ୟାପୀ ବିଭିନ୍ନ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି । କଟକ ଏସସିବି ମେଡିକାଲରେ ୫ଟି କେନ୍ଦ୍ରରେ ୧ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ଟିକାଗ୍ରହଣ ପରେ କାଳେ କିଛି ପାର୍ଶ୍ବ ପ୍ରତିକ୍ରିୟା ବାହାରିବ ସେଥିପାଇଁ ମଧ୍ୟ ୧୦ଟି ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଆଇସିୟୁ ସହ ଡାକ୍ତରୀ ଦଳ ଗଠନ କରାଯାଇଥିବା ନୋଡାଲ ଅଧିକାରୀ କହିଛନ୍ତି ।

ଭୁବନେଶ୍ବର ସ୍ଥିତ ହାଇଟେକ୍ ମେଡିକାଲରେ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟ ପାଇଁ ୨ଶହ ଭାଏଲ କୋଭାକ୍ସିନ୍ ପହଞ୍ଚିଛି । ସେପଟେ ଦୁଇ ଦଫା ଦାବିରେ ନିରବ ପ୍ରତିବାଦ କରିଛନ୍ତି ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ । କଳାବ୍ୟାଜ୍ ପରିଧାନ କରି ଟିକାକରଣ କାର୍ଯ୍ୟକ୍ରମରେ ସକ୍ରିୟ ସାମିଲ ହୋଇଥିଲେ ହେଁ ଟିକା ଗ୍ରହଣ କରୁନାହାନ୍ତି । ରାଜ୍ୟରେ ପ୍ରାୟ ୧୫ହଜାର ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ଆନ୍ଦୋଳନରେ ସାମିଲ ଥିବା ମହାସଂଘ ପକ୍ଷରୁ କୁହାଯାଇଛି ।

ବିବାଦ ପରେ କ୍ଷମା ମାଗିଲେ ‘ତାଣ୍ଡବ’ ଟିମ୍

ମୁମ୍ବାଇ: ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଥିବା ୱେବ ସିରିଜ୍‌ ‘ତାଣ୍ଡବ’କୁ ଦୃଢ ବିରୋଧ କରାଯିବା ପରେ କ୍ଷମା  କ୍ଷମା ମାଗିଛି ପୂରା ଟିମ୍‌।

ତାଣ୍ଡବର ପୂରା ଟିମ୍‌ ଏକ ପ୍ରେସ ବିବୃତି ଜାରି କରି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏହି ୱେବ ସିରିଜି କୌଣସି ବ୍ୟକ୍ତି, ଜାତି, କିମ୍ବା କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉନାହିଁ । ଏହା ଏକ କାଳ୍ପନିକ କଥା ବସ୍ତୁ ଉପରେ ଆଧାରିତ ଥିଲା। ଯଦି ଅଜାଣତରେ କାହାର ଭାବାବେଗକୁ ଆଘାତ ଲାଗିଛି ତାହେଲେ ପୂରା ତାଣ୍ଡବ ଟିମ୍ କ୍ଷମା ପ୍ରାର୍ଥନା କରୁଛି ।

ୱେବ ସିରିଜର କିଛି ଦୃଶ୍ୟ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ନେଇ ଅଭିଯୋଗ ପରେ ବିବାଦ ଘନେଇଥିଲା । ପରିସ୍ଥିତି ଏଭଳି ହୋଇଥିଲା  ଯେ ଆମାଜନ ପ୍ରାଇମକୁ ସ୍ପଷ୍ଟୀକରଣ ମାଗିଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଏଥିସହିତ କିଛି ସ୍ଥାନରେ ’ତାଣ୍ଡବ’ ସିରିଜ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଆମାଜନର ଏହି ସିରିଜ ଏକ ପଲିଟିକାଲ ଡ୍ରାମା । ଯେଉଁଥିରେ ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆଙ୍କ ସହ ତିଗମାଂସୁ ଧୁଲିଆ ଅଭିନୟ କରୁଛନ୍ତି ।

ଆମାଜନ ପ୍ରାଇମର ଏହି ୱେବ ସିରିଜରେ ସୈଫ ଏବଂ ଡିମ୍ପଲଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, ଅୟୁବ ଖାନ, ତିଗମାଂସୁ ଧୁଲିଆ, କୁମୁଦ ମିଶ୍ରା, ସାରା ଜେନ ଡିୟାସ, ଡିନୋ ମୌର୍ଯ୍ୟା, ଗୈହର ଖାନ, ଅନୁପ ସୋନୀ, କୃତିକା କାମରା, ହିତେନ ତେଜୱାନୀ, ଅମାୟରା ଦସ୍ତୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତାଣ୍ଡବ ୱେବ ସିରିଜ ଜାନୁଆରୀ ୧୫ ତାରିଖ ଦିନ ରିଲିଜ ହେବାକୁ ଯାଉଛି ।

ଏଥିସହ ପଢନ୍ତୁ- ‘ତାଣ୍ଡବ’ ୱେବ୍ ସିରିଜକୁ ନେଇ ବିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ମେଡିକାଲ ଯିବା ସମୟରେ ସ୍ୱାମୀ କାର ଧକ୍କାରେ ସ୍ତ୍ରୀର ମୃତ୍ୟୁ

ନୂଆଦିଲ୍ଲୀ: କାର କିମ୍ବା କୌଣସି ଗାଡ଼ି ଚଲାଇବା ସମୟରେ ସର୍ବଦା ସତର୍କତା ଅବଲମ୍ବନ କରାଯିବା ଉଚିତ୍ ଏଥିରେ ତିଳେ ମାତ୍ର ଅସାବଧାନତା ଆପଣଙ୍କ ପାଇଁ କିମ୍ବା ଆପଣଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ ପାଇଁ ବିପଦ ଆଣିପାରେ। ଗାଡ଼ି ଚଲାଇବା ସମୟରେ ଅସାବଧାନତା ହେତୁ ୟୁନାଇଟେଡ୍ ଆରବ ଏମିରେଟସ୍ (ୟୁଏଇ)ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୪୫ବର୍ଷୀୟ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ, ସ୍ତ୍ରୀ ଶନିବାର ଦିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କମ୍ୟୁନିଟି ହସ୍ପିଟାଲକୁ ଯାଇଥିଲେ। ସ୍ତ୍ରୀ କାରରୁ ଓହ୍ଲାଇ ସାମ୍ନାରେ ଠିଆ ହୋଇ ସ୍ୱାମୀଙ୍କୁ ପାର୍କିଂ ପାଇଁ ନିର୍ଦେଶ ଦେଉଥିଲେ। ଏତିକି ବେଳେ ସ୍ବାମୀ କାର ବ୍ରେକ ବଦଳରେ ରେସିଂ ଦବାଇ ଦେଇଥିଲେ। ରେସିଂ ଦବାଇବା ପରେ ସ୍ବାମୀଙ୍କ କାର ଧକ୍କା ପତ୍ନୀ  ନିକଟସ୍ଥ କାନ୍ଥରେ ଯାଇ ପିଟି ହୋଇଯାଇଥିଲେ। ଆଉ ଘଟଣାସ୍ଥଳରେ ହିଁ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଉଭୟ ସ୍ୱାମୀ- ସ୍ତ୍ରୀ କେରଳର ମୂଳ ବାସିନ୍ଦା ଅଟନ୍ତି ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଅଜମାନ ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଇଣ୍ଡିଆନ ଆସୋସିଏସନ ମହିଳାଙ୍କ ମୃତଦେହ ଆଣିବାକୁ ସମର୍ଥନ କରୁଛନ୍ତି।