ରାଜ୍ୟରେ ଉପର ମୁହାଁ ପାରଦ, ୪୦.୧ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ଅନୁଗୁଳ

1 min read
40.1°C Angul became today's hottest city over Odisha

ଭୁବନେଶ୍ୱର: ତାତି ଭାଙ୍ଗୁଛି ରେକର୍ଡ, ବଢ଼ୁଛି ପାରଦ । ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ତାତିରେ ଗତ ୪ ଦିନ ହେଲା ଭୁବନେଶ୍ୱର ଟକମକ ହୋଇ ଫୁଟୁଥିବା ବେଳେ ରବିବାର ଅନୁଗୁଳରେ ପାରଦ ୪୦ ଡିଗ୍ରୀ ଡେଇଁଛି । ୪୦.୧ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି । ଅନ୍ୟପଟେ ୪୦.୬ ଡିଗ୍ରୀ ସହ ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ପାରଦ ଟିକିଏ ଖସିଥିଲେ ବି ଗ୍ରୀଷ୍ଣ ପ୍ରବାହ କମିନି ।

ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହେବା ସହ ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୧୧ରୁ ୨୦୨୦ ମଧ୍ୟରେ ଫେବ୍ରୁଆରୀ ମାସରେ ଅନୁଗୁଳର ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରୀ ଥିବାବେଳେ ଚଳିତବର୍ଷ ଏହାକୁ ଅତିକ୍ରମ କରିଛି । ତେବେ, ଏହା ପୂର୍ବରୁ ୨୦୦୬ ଫେବ୍ରୁଆରୀ ୨୫ ତାରିଖରେ ଅନୁଗୁଳର ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

ରବିବାର ରାଜ୍ୟର ୩ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ଥିବାବେଳେ ଭୁବନେଶ୍ୱର ଓ ବୌଦ୍ଧରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଛି । କଟକର ତାପମାତ୍ରା ୩୯.୨ ଡିଗ୍ରୀ ଥିବାବେଳେ ବାରିପଦା ୩୯.୪ ଡିଗ୍ରୀ, ସମ୍ବଲପୁର ୩୮.୫ ଡିଗ୍ରୀ, ଟିଟିଲାଗଡ଼ ଓ ନୟାଗଡ଼ ୩୮.୪ ଡିଗ୍ରୀ ରହିଛି ପାରଦ ।

Image

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ କିଛି ପରିବର୍ତ୍ତନ ହେବ ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ରହିବ । ଆସନ୍ତା ୨ ଦିନ ଯାଏ ଗ୍ରୀଷ୍ଣ ପ୍ରବାହ ଜାରି ରହିବ । ୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ତାପମାତ୍ରା ୫ ଡିଗ୍ରୀ ଅଧିକ ରହିବ । ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସହ ଭୁବନେଶ୍ୱରରେ ଗ୍ରୀଷ୍ଣ ଲାଗି ରହିବ । ବିଶେଷକରି ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ତାତି ଅଧିକ ରହିବ ।

ଏହାଛଡ଼ା ମାର୍ଚ୍ଚ ୧ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଓ କଟକରେ କୁହୁଡ଼ି ରହିବ । ସେହିଭଳି ୨ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଗଞ୍ଜାମ ଜିଲ୍ଲାର କେତକ ସ୍ଥାନରେ କୁହୁଡ଼ି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave a Reply