spot_img
Home Blog Page 6095

ମରୁଭୂମିରେ ତୁଷାରପାତ: ବରଫର ଧଳା ଚାଦରରେ ଘୋଡ଼େଇ ହେଲା ସାହାର

ତାବୁକ: ବିଶ୍ୱବ୍ୟାପୀ ଅନେକ ଅଞ୍ଚଳ ଅଛି ଯେଉଁଠି ଜାନୁଆରୀ ମାସ ଆସିବା ମାତ୍ରେ ହାଡ଼ଭଙ୍ଗା ଶୀତ ସହ ତୁଷାରପାତ ଆରମ୍ଭ ହୋଇଯାଏ । ଅବଶ୍ୟ ଆଫ୍ରିକା ଏବଂ ମିଡିଲ ଇଷ୍ଟର ମରୁଭୂମୀ ଅଞ୍ଚଳ ଗୁଡ଼ିକରେ ଏପରି ଦେଖିବାକୁ ମିଳିନଥାଏ । କିନ୍ତୁ ଚଳିତ ବର୍ଷ ଆଫ୍ରିକାର ସାହାରା ଅଞ୍ଚଳରେ ଜବରଦସ୍ତ ତୁଷାରପାତ ହେବା ସହ ତାପମାତ୍ରା -୨ ଡିଗ୍ରୀକୁ ଖସିଆସିଛି । ଏହି ଅଞ୍ଚଳ ଗୁଡ଼ିକରେ ଥିବା ବାଲି ଉପରେ ଧଳା ରଙ୍ଗର ବରଫର ଚାଦର ଘୋଡ଼େଇ ହୋଇ ରହିଛି ।

ସାହାରା ମରୁଭୂମୀ ଉପରେ ବରଫର ଏହି ଧଳା ଚାଦର ଦେଖିବା ପାଇଁ ଜମିଛି ପର୍ଯ୍ୟଟକଙ୍କ ଭିଡ । ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମରୁଭୂମିରେ ତୁଷାରପାତ ହେଉଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।

ସାହାରାର ଅଇନ୍ ସେଫରାକୁ ମରୁଭୂମିର ଦ୍ୱାର ଦେଶ ବୋଲି କୁହାଯାଏ |  ସମୁଦ୍ର ପତ୍ତନଠାରୁ ପ୍ରାୟ ୧୦୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଅଞ୍ଚଳ ଆଟଲାସ୍ ମାଉଣ୍ଟେନ୍ ଦ୍ୱାରା ଘେରି ରହିଛି । ସାହାରା ମରୁଭୂମି ଉତ୍ତର ଆଫ୍ରିକାର ଅଧିକାଂଶ ଭାଗରେ ବ୍ୟାପିଛି । ତେବେ ଗତ ହଜାରେ ବର୍ଷ ମଧ୍ୟରେ ଏଠାରେ ତାପମାତ୍ରା ଏବଂ ଆର୍ଦ୍ରତା ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଅଇନ୍ ସେଫରାରେ ବର୍ତ୍ତମାନ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି, କିନ୍ତୁ ୧୫,୦୦୦ ବର୍ଷ ପରେ ଏହି ମରୁଭୂମି ପୁଣି ସବୁଜ ହେବାର ଆଶା କରାଯାଉଛି । ଏଥି ସହିତ, ସାଉଦି ଆରବର ଆସୀର ପ୍ରଦେଶରେ ହୋଇଥିବା ଏହି ବିରଳ ତୁଷାରପାତ ଦେଖି ଏଠାରେ ଥିବା ଲୋକମାନେ ଖୁସି ଏବଂ ଉତ୍ସାହ ପ୍ରକାଶ କରିଛନ୍ତି। ଉଭୟ ପର୍ବତ ଏବଂ ବାଲି ଉପରେ ବରଫର ଏକ ଧଳା ସ୍ତର ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରାୟ ୫୦ ବର୍ଷ ପରେ ତାପମାତ୍ରା ଏତେ ନିମ୍ନ ସ୍ତରରେ ରେକର୍ଡ କରାଯାଇଛି। ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ତାପମାତ୍ରା ମାଇନସ୍ ଦୁଇ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ତେବେ ମରୁଭୂମି ଅଞ୍ଚଳରେ ତୁଷାରପାତ ହେବା ବହୁତ କ୍ୱଚିତ୍, କିନ୍ତୁ ଏହା ନୁହେଁ ଯେ ଏଠାକାର ଲୋକମାନେ ଏହା ବିଷୟରେ ସମ୍ପୂର୍ଣ୍ଣ ଅବଗତ ନୁହଁନ୍ତି। ଏହି ଅଞ୍ଚଳରେ ରାତିରେ ତାପମାତ୍ରା ହଠାତ୍ ତଳକୁ ଖସିଯାଏ ଏବଂ ସକାଳ ଆରମ୍ଭ ହେବା ପୂର୍ବରୁ ତୁଷାରପାତରୁ ବିସ୍ତାରିତ ବରଫ ମଧ୍ୟ ତରଳିଯାଏ ।

ସାହାର ମରୁଭୂମୀରେ ୨୦୨୧ ମସିହା ଜାନୁଆରୀ ମାସ ବ୍ୟତୀତ ୨୦୧୮, ୨୦୧୭ ଏବଂ ଶେଷ ଥର ପାଇଁ ୧୯୮୦ ମସିହାରେ ରେକର୍ଡ କରାଯାଇଥିଲା । ଜାନୁଆରୀ ମାସରେ ସାଧାରଣତଃ ଏହି ଅଞ୍ଚଳରେ ତାପମାତ୍ରା ୧୨ ଡିଗ୍ରୀ ପାଖାପାଖି ରହିଥାଏ । ଜୁଲାଇ ମାସରେ ଗରମ ବଢ଼ିବା ସହ ତାପମାତ୍ରା ୪୦ ଡିଗ୍ରୀ କୁ ବଢ଼ିଥାଏ ।

ସେହିପରି ସାଉଦି ଆରବର ଅସୀର କ୍ଷେତ୍ରରେ ପାଖାପାଖି ଏକ ଦଶନ୍ଧି ପରେ ଏମିତି ତୁଷାରପାତ ଦେଖିବାକୁ ମିଳିଛି । ତାବୁକ ସହିତ ଉତ୍ତର ପଶ୍ଚିମ ପୂର୍ବତଟ୍ଟ ଅଞ୍ଚଳରେ ତାପମାତ୍ରା ଖସିବା ସହ ଥଣ୍ଡା ବଢ଼ିଥାଏ । ତେବେ ଅଧିକାରୀ ସ୍ଥାନୀୟ ଲୋକଙ୍କୁ ଥଣ୍ଡାରୁ ସୁରକ୍ଷିତ ରହିବା ପାଇଁ ପରାମର୍ଥ ଦେଇଛନ୍ତି ।

ଡାଟା ଚୋରି ଭୟ ଥିଲେ ଫୋନରୁ ହ୍ୱାଟ୍ସଆପ୍ ଡିଲିଟ୍ କରିଦିଅନ୍ତୁ: ହାଇକୋର୍ଟ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ବିରାେଧରେ ଦିଲ୍ଲୀ ହାଇକୋର୍ଟରେ ଦାଏର ହୋଇଥିବା ଏକ ମାମଲାର ଶୁଣାଣି ସୋମବାର ଦିନ ହୋଇଛି। ଯାଚିକା ଦାଏର କରିଥିବା ଆଇନଜୀବୀ ମନୋହର ଲାଲ୍ କହିଛନ୍ତି ଯେ ଏହି ପଲିସି ଦ୍ୱାରା ଲୋକଙ୍କ ତଥ୍ୟ ସୁରକ୍ଷିତ ହୋଇ ରହିବନାହିଁ। ଯେଉଁଥିପାଇଁ ଆଇନ ଆସିବା ଜରୁରୀ।

କେଉଁ ଡାଟା ଉପରେ ବିପଦ ରହିଛି, ସେନେଇ ହାଇକୋର୍ଟ ତାଙ୍କୁ ପଚାରିଥିଲେ। ଯାହାର ଜବାବରେ ସବୁ ତଥ୍ୟ ଲିକ୍ ହେବାର ଭୟ ରହିଛି ବୋଲି ମନୋହର କହିଥିଲେ। ପରେ କୋର୍ଟ କହିଛନ୍ତି ଯେ ସମସ୍ତେ ଏଭଳି କରନ୍ତି। ଆମେ ବୁଝିପାରୁନୁ “ଆପଣଙ୍କୁ କେଉଁଥିରେ ଅସୁବିଧା ରହୁଛି”। ଯଦି ଆପଣଙ୍କୁ ଲାଗୁଛି ହ୍ୱାଟ୍ସଆପ ଆପଣଙ୍କର ଡାଟା ଚୋରି କରୁଛି ତାହେଲେ ଏହି ଆପକୁ ଫୋନରୁ ଡିଲିଟ୍ କରିଦିଅନ୍ତୁ।

ପରେ ଅଦାଲତ ଆବେଦନକାରୀଙ୍କୁ ପଚାରିଥିଲେ ଆପଣ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରନ୍ତି ନାହିଁ କି। କାରଣ ଏହା ମଧ୍ୟ ଲୋକଙ୍‌କ ତଥ୍ୟକୁ ଶେୟାର କରିଥାଏ। ତେବେ ହ୍ୱାଟ୍ସଆପ ତରଫରୁ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ୍ ଓ ଫେସବୁକ୍ ପକ୍ଷରୁ ମୁକୁଲ ରୋହତଗି ପେସ୍ ହୋଇଥିଲେ।

Delhi High Court

ଏସମ୍ପର୍କରେ ରୋହତଗି କହିଛନ୍ତି ଯ ପ୍ରାଇଭେଟ୍ ଚର୍ଚଟ ପୂରାପୂରି ଭାବେ ଏନକ୍ରିପ୍ଟେଡ୍ ହୋଇଥାଏ। ପଲିସିରେ ଯାହା ପରିର୍ବତ୍ତନ ହୋଇଛି ତାହା କେବଳ ବିଜନେସ୍ ହ୍ୱାଟ୍ସଆପ ପାଇଁ। ତେବେ ଏହି ଆବେଦନର ଆଗାମୀ ଶୁଣାଣି ଜାନୁଆରୀ ୨୫ ତାରିଖରେ ହେବ।

ଉଲ୍ଲେଖଯୋଗ୍ୟ, ନିକଟରେ ହ୍ୱାଟ୍ସଆପ୍ ନିଜ ପ୍ରାଇଭେସି ପଲିସିରେ କିଛି ପରିବର୍ତ୍ତନ ଆଣିଥିଲା। ଯାହା ମୁତାବକ ୟୁଜର୍ସଙ୍କ ତଥ୍ୟ ଗୁଡ଼ିକୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଶେୟାର କରାଯିବ। ଯଦି ୟୁଜର୍ସ ମାନେ ଫେବୃଆରୀ ୮ ତାରିଖ ସୁଦ୍ଧା ଏନେଇ ସହମତି ନଦିଅନ୍ତି ତାହେଲେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରି ଦିଆଯିବ। ଏହାକୁ ନେଇ ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ କମ୍ପାନୀ ସ୍ପଷ୍ଟୀକରଣ ରଖିଥିଲା।

ଏହା ସତ୍ୱେ ବି ଏହି ପଲିସିକୁ ବ୍ୟବହାରକାରୀଙ୍କ ସମେତ ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସଂଗଠନ ମାନେ ବିରୋଧ କରିଛନ୍ତି। ଏହି ବିରୋଧର ପରିମାଣ ଏତେ ବଢୁଛି ଯେ ଏବେ ୟୁଜର୍ସ ମାନେ ହ୍ୱାଟ୍ସଆପ୍ ବଦଳରେ ସିଗନାଲ୍ ଆପ୍ ଆଡେ ଏକପ୍ରକାର ମୁହାଁଉଛନ୍ତି । ତେଣୁ ଉପଭୋକ୍ତାଙ୍କୁ ମନେଇବା ପାଇଁ ହ୍ୱାଟସ୍‌ଆପ୍‌ ପକ୍ଷରୁ ପ୍ରାଇଭେସି ପଲିସିକୁ ଆସନ୍ତା ୩ ମାସ ପାଇଁ ସ୍ଥଗିତ ରଖାଯାଇଛି।

ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଥିବା ବିଭ୍ରାନ୍ତକୁ ଦୂର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ହ୍ୱାଟସ୍‌ଆପ୍‌ ପକ୍ଷରୁ କୁହାଯାଇଛି। ଆସନ୍ତା ଫେବୃଆରୀ ୮ ତାରିଖରେ କୌଣସି ବି ହ୍ୱାଟସ୍‌ଆପ୍‌ ଆକାଉଣ୍ଟ  ସସ୍‌ପେଣ୍ଡ ବା ଡିଲିଟ କରିବାକୁ ପଡ଼ିବ ନାହିଁ । ହ୍ୱାଟସ୍‌ଆପ୍‌ରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରି ଅଧିକ କାମ ଚାଲିଛି।

‘ଅବିକା’ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତା: ପ୍ରଗତି ପ୍ରିୟଦର୍ଶିନୀ ହେଲେ ‘ଫେସ୍‍ ଅଫ୍‍ ଦ ଇୟର’

0

ଭୁବନେଶ୍ୱର ୧୭/୧: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍‍-ଟ୍ରି ଗ୍ଲୋବାଲ୍‍ ସ୍କୁଲ୍‍ ପ୍ରେକ୍ଷାଳୟରେ ଆୟୋଜିତ ଗ୍ରାଣ୍ଡ୍‍ ଫିନାଲେ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର ସହ ଖଣ୍ଡୁଆପାଟ ଦେଇ ସମ୍ମାନିତ କରିଥିଲେ ଓଲିଉଡ୍‍ର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଏଥି ସହିତ ୧୨ ଜଣଙ୍କୁ ‘ଫେସ୍‍ ଅଫ୍‍ ଦ ମନ୍ଥ’ ଭାବେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଅନନ୍ୟା ଦାଶ, ଅର୍ପିତା ଶତପଥୀ, ବିଦିଶା ପ୍ରିୟଦର୍ଶିନୀ, ଦେବଜ୍ୟୋତି ବିଶ୍ୱାଳ, ଦେବାଶିଷ ଦାସ, ଫିର୍ଦୋଷୀ ତବସୁମ, ସସ୍ମିତା ପଣ୍ଡା, ସ୍ମରଣିକା ହୋତା, ସ୍ମୃତିରଞ୍ଜନ ସ୍ୱାଇଁ, ସ୍ରିଷ୍ଟି ଦାସ, ଶୁଭେନ୍ଦୁ ଲେଙ୍କା ଏବଂ ସୁଜିତ କୁମାର ଦାଶ । ଶ୍ରେଷ୍ଠ ଚବିଶ ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଲେଖକ ସରୋଜ ବଳ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଶିକ୍ଷାବିତ ପଞ୍ଚମୀ ମାନୁ ଉକିଲ୍‍ ଏବଂ ସମ୍ବଲପୁରୀ ବୁଣାକାର ଲକ୍ଷ୍ମୀନାରାୟଣ ମେହେର ଏହି ଉତ୍ସବରେ ଅତିଥି ଭାବେ ଉପସ୍ଥିତ ରହି ଓଡ଼ିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖିଥିଲେ । ଓଡ଼ିଶା ହସ୍ତତନ୍ତକୁ ସ୍କୁଲ ୟୁନିଫର୍ମ ଭାବେ ବ୍ୟବହାର କରି ପୁରସ୍କୃତ ହୋଇଥିବା ୱିସଡମ୍‍-ଟ୍ରି ଗ୍ଲୋବାଲ୍‍ ସ୍କୁଲ୍‍ ତରଫରୁ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଅବିକା ତରଫରୁ ପ୍ରସ୍ତୁତ ବିଜେତାମାନଙ୍କ ଫଟୋ ଓ ପରିଚିତି ସମ୍ବଳିତ ଏକ ସ୍ମରଣିକା ମଧ୍ୟ ଉତ୍ସବରେ ଲୋକାର୍ପିତ ହୋଇଥିଲା।

ଅବିକାର ନିର୍ଦ୍ଦେଶକ ଅବିନାଶ ସାହୁ ସ୍ୱାଗତ ଭାଷଣ ଦେଇ ଖୁବ୍‍ଶୀଘ୍ର ସଫଳ ପ୍ରତିଯୋଗୀଙ୍କର ଏକ ଫଟୋସୁଟ୍‍ କରାଯାଇ କ୍ୟାଲେଣ୍ଡର୍‍ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଥିଲେ । ସରୋଜ ବଳ ଉତ୍ସବ ପରିଚାଳନା କରିଥିଲାବେଳେ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରଶ୍ମିତା, ଅଜିତ, ସୌମ୍ୟ, ବଳରାମ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଗୁଜୁରାଟରେ ଦୁଇ ନୂଆ ମୋଟ୍ରୋ ପ୍ରୋଜେକ୍ଟର ‘ଭୂମି ପୂଜା’ କଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟ: ଲଗାତାର ଦ୍ବିତୀୟ ଦିନରେ ଗୁଜରାଟକୁ କେନ୍ଦ୍ରର ନୂଆବର୍ଷ ଗିଫ୍ଟ । ଦୁଇ ନୂଆ ମେଟ୍ରୋ ପ୍ରୋଜେକ୍ଟର ‘ଭୂମି ପୂଜା’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ୍ ମେଟ୍ରୋ ପ୍ରୋଜେକ୍ଟ ଓ ସୁରଟ ମେଟ୍ରୋ ପ୍ରୋଜେକ୍ଟର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହି ଦୁଇ ପ୍ରୋଜେକ୍ଟର ଭୂମି ପୂଜନ କରିଛନ୍ତି ।

କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ଉପସ୍ଥିତ ଥିଲେ । ଅହମ୍ମଦାବାଦ ମେଟ୍ରୋ ପ୍ରୋଜେକ୍ଟର ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୨୮.୨୫ କିଲୋମିଟର ଲମ୍ବର ୨ଟି କରିଡର ନିର୍ମାଣ କରାଯିବ । ପ୍ରଥମ କରିଡର ମୋଟେରା ଷ୍ଟାଡିୟମଠାରୁ ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ଦ୍ବିତୀୟ କରିଡର ଜିଏନ୍ଏଲ୍ୟୁରୁ ସିଟି ଯାଏଁ ନିର୍ମାଣ କରାଯିବ ।

ଏଥିପାଇଁ ୫ ହଜାର ୩୮୪ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ସୁରଟରେ ଦୁଇ କରିଡର ବିଶିଷ୍ଟ ମେଟ୍ରୋ ରେଳ ପ୍ରୋଜେ୍କ୍ଟ ନିର୍ମାଣ କରାଯିବ । ଏହି ଦୁଇ ମେଟ୍ରୋ ପ୍ରୋଜେକ୍ଟ ଦେଶର ଦୁଇ ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳକୁ ସଂଯୋଗ କରିବ । ଯାହା ଦେଶର ଅର୍ଥନୀତି ଓ ଆତ୍ମନିର୍ଭରଶୀଳତାକୁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ଖଣ୍ଡାରେ ଆକ୍ରମଣ କରି ୪ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବ୍ୟବସାୟୀଙ୍କୁ ହାଣି ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ଚଚାଗାଁର ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କଠାରୁ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଝରିଗାଁ କଙ୍ଗୋରା ହାଟକୁ ଯିବା ସମୟରେ ଚକଲାପଦର ନିକଟରେ ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ ଜଣ ଦୁର୍ବୃତ୍ତ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ଝରିଗାଁ କଙ୍ଗୋରା ହାଟ ଥିବାରୁ ବ୍ୟବସାୟୀ ଜଣଙ୍କ ମକା କିଣିବାକୁ ୪ ଲକ୍ଷ ଟଙ୍କା ନେଇ ଘରୁ ବାହାରି ପଡ଼ିଥିଲେ । ହାଟକୁ ଯିବା ବାଟରେ ଅଧରାସ୍ତାରେ ୩ ଜଣ ଦୁର୍ବୃତ୍ତ ଜଗି ରହିଥିଲେ  ବ୍ୟବସାୟୀ ଜଣଙ୍କ ଯାଉଥିବା ଦେଖି ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏବଂ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ମେଡ଼ିକାଲ ପାଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ସନ୍ଦେହ କରାଯାଉଛି ଯେ, ରାଜେନ୍ଦ୍ରଙ୍କ ଉପରେ ପୂର୍ବରୁ ଦୁର୍ବୃତ୍ତମାନେ ନଜର ରଖିଥିଲେ ।

ଟିକାକରଣ ପରେ ମୃତ୍ୟୁକୁ ନେଇ CMOଙ୍କ ବୟାନ, କହିଲେ ହୃଦଘାତରେ ହୋଇଛି ୱାର୍ଡ ବୟଙ୍କ ମୃତ୍ୟୁ

ମୁରାଦାବାଦ: ମୁରାଦାବାଗରେ କରୋନା ଭ୍ୟାକସିନ ନେବା ପରେ ଜଣେ ୱାର୍ଡ ବୟଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ୱାର୍ଡ ବୟଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି । ସୂଚନା ଅନୁଯାୟୀ ମୁରାଦାବାଦ ଜିଲ୍ଲା ଡାକ୍ତରଖାନାରେ କାମ କରୁଥିବା ୪୮ ବର୍ଷିୟ ୱାର୍ଡ ବୟ ମହିପାଲ କରୋନା ଭ୍ୟାକସିନ ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ୱାର୍ଡ ବୟଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ଡାକ୍ତରଖାନାର ସିଏମଓ କହିଛନ୍ତି ଯେ, ଭ୍ୟାକସିନ ନେବା ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କାହାକୁ ଜଣାନଥାଏ, ୱାର୍ଡ ବୟଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ସେ କହିଛନ୍ତି ଯେ, ମହିପାଲ ପ୍ରଥମେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ନଥିଲେ ।

ମୃତ ମହିପାଳଙ୍କ ପୁଅ ବିଶାଲଙ୍କ କହିବା ଅନୁଯାୟୀ, ଜାନୁଆରୀ ୧୬ ତାରିଖ ଦିନ ଟିକାକରଣ ପାଇଁ ସେ ବାପାଙ୍କୁ ନେଇ ଜିଲ୍ଲା ଡାକ୍ତରଖାନା ଯାଇଥିଲେ । ସେଠାରୁ ଭ୍ୟାକସିନ ନେଇ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା । ବିଶାଲଙ୍କ ସୂଚନା ଅନୁଯାୟୀ, ମହିପାଲ ପୂର୍ବରୁ କରୋନାରେ ଆକ୍ରାନ୍ତ ନଥିଲେ, ବରଂ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ଡାକ୍ତରଖାନାରୁ ଭ୍ୟାକସିନ ନେଇ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା ।

ମହିପାଲଙ୍କ ମୃତ୍ୟୁର କାରଣ ପୋଷ୍ଟମର୍ଟମ ପରେ ଜଣାପଡ଼ିବ ବୋଲି ମୁରାଦାବାକର ମୁଖ୍ୟ ଚିକିତ୍ସାଧିକାରୀ ଏମ ସୀ ଗର୍ଗ ସୂଚନା ଅନୁଯାୟୀ ଦେଇଥିଲେ । ତେବେ ଆଜି ମହିପାଲଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ମୁଖ୍ୟ ଚିକିତ୍ସକ ସୂଚନା ଦେଇଛନ୍ତି ।

ଅନ୍ନଦାତାଙ୍କ ହକ୍‌ ପାଇଁ ବାହାରିଲା ବିଜେଡି, ପଦାରେ ପଡ଼ିଲା କେନ୍ଦ୍ରର ଦୋମୁହାଁ ନୀତି

ଭୁବନେଶ୍ୱର: ପ୍ରେସମିଟ କରି ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଲା ବିଜେଡି । ନବୀନଙ୍କ ପଦକ୍ଷେପ ଯୋଗୁଁ ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିବାବେଳେ ଧାନ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି । ପାରା ବଏଲ୍ଡ ରାଇସ୍ ଖରିଫ ଋତୁରେ ୫୦% ଓ ରବି ଋତୁରେ ନକିଣିବାକୁ କେନ୍ଦ୍ରର ରାଜ୍ୟକୁ ଚିଠି ଲେଖିବା ପରେ ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଦଳ । ଚାଉଳ ନଉଠାଇବାକୁ ଚିଠି ଲେଖିଛି କେନ୍ଦ୍ର ସରକାର ।

FCI ଚାଉଳ ନଉଠାଇଲେ ଓଡ଼ିଶା ଉପରେ ବୋଝ ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରତିବାଦ କରିଛି । ଯଦି CI ଚାଉଳ ନଉଠା ଯାଏ ତେବେ  ଓଡ଼ିଶା ଉପରେ ୧୦ହଜାର କୋଟିର ବୋଝ ପଡ଼ିବ । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଆଉ ୩୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରୁଥିବାରୁ ଏହା ଓଡ଼ିଶା ଉପରେ ବୋଝ ହେବ ବୋଲି କହିବା ସହ କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ ବୋଲି କହିଛି ଦଳ ।

ସେପ୍ଟେମ୍ବର ୨୦ ସୁଦ୍ଧା ବକେୟା ୨୮୫୦କୋଟି ଟଙ୍କା ଏଯାଏଁ କେନ୍ଦ୍ର ଦେଇନି । ମିଲକୁ ୬ ହଜାର ୪୦କୋଟି ଦେଇନି । ତେଣୁ ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ସ୍ୱାମୀନାଥନ ରିପୋର୍ଟ ଲାଗୁ କରିନି । ଧାନର ଏମଏସପି ବାବଦକୁ ୨୯୩୦ଟଙ୍କା ଦାବି କରିଥିଲା ଦଳ । କିନ୍ତୁ ତାହା ଲାଗୁ ନକରି କୁମ୍ଭୀର କାନ୍ଦଣା କାନ୍ଦୁଛି କେନ୍ଦ୍ର । ବିଜେପି କର୍ମୀ ଏନେଇ ଆନ୍ଦୋଳନ ନକରି କେନ୍ଦ୍ରକୁ କହୁ ବୋଲି ବିଜେଡି କହିଛି ।

ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବିଜେପି । ନବୀନଙ୍କ ଲୋକପ୍ରିୟତାରେ ବିଜେପି ବିଚଳିତ । କୃଷକଙ୍କୁ ସର୍ବଶାନ୍ତ କରିବା ପାଇଁ ଓଡ଼ିଶା ଚାଷୀଙ୍କ ଚାଉଳ ନେବାକୁ କେନ୍ଦ୍ର ଅରାଜି । ଚାଷୀଙ୍କୁ ନେଇ ବିଭ୍ରାନ୍ତକର ତଥ୍ୟ ଦେଉଛି ବିଜେପି । କୃଷକ ମାରଣ ନୀତି ପରିତ୍ୟାଗ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି ବିଜେଡି । ଖରିଫ ଋତୁରେ ୫୦% ନେବେ, ରବି ଋତୁରେ ମୋଟେ ନେବେନି । ଏହା ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ବୋଲି କହିଛି ଶାସକ ଦଳ ।

ପାକିସ୍ତାନରେ ଜୋର ହେଲା ସିନ୍ଧୁଦେଶ ଦାବି, ମୋଦିଙ୍କ ଫଟୋ ସହ ବିକ୍ଷୋଭ

କରାଚି: ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ଅଲଗା ଦେଶ ଦାବିରେ ଜୋରାଦାର ବିକ୍ଷୋଭ ହୋଇଛି । ସିନ୍ଧ୍ ପ୍ରଦେଶକୁ ପାକିସ୍ତାନରୁ ଅଲଗା କରି ସିନ୍ଧୁଦେଶ ସ୍ଥାପନା ଦାବିରେ ସାନ୍ ସହରରେ ରବିବାର ଦିନ ବିକ୍ଷୋଭ ହୋଇଛି । ସହରରେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନ୍ୟ ଅନ୍ତର୍ଜାତୀୟ ନେତାଙ୍କ ଫଟୋ ଧରି ବିକ୍ଷୋଭ କରିଛନ୍ତି ।

ବିକ୍ଷୋଭକାରୀ ବିଶ୍ୱ ନେତୃତ୍ୱକୁ ସିନ୍ଧର ସ୍ୱାଧିନତା ପାଇଁ ସ୍ୱର ଉଠାଇବାକୁ ଦାବି କରିଛନ୍ତି । ରବିବାର ଦିନ ସିନ୍ଧ୍ ଜାତୀୟତାବାଦୀ ନେତା ଜି ଏମ୍ ସୈୟଦଙ୍କ ଜନ୍ମଦିନ ଥିଲା । ସୈୟଦ ଅଲଗା ସିନ୍ଧୁ ଦେଶ କଥା ପ୍ରଥମେ ଉଠାଇଥିଲେ । ଯେଉଁଥିପାଇଁ ତାଙ୍କୁ ଜୀବିତ ଅବସ୍ଥାରେ ଅନେକ ଥର ପାକିସ୍ତାନ ସରକାର ଗିରଫ କରିଥିଲେ ।

ପାକିସ୍ତାନର ଜମସୋର ଜିଲ୍ଲାରେ ସୈୟଦଙ୍କ ଗୃହନଗରରେ ବିକ୍ଷୋଭକାରୀ ସ୍ୱାଧିନ ସିନ୍ଧୁ ଦେଶ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ସିନ୍ଧୁ ଉପତ୍ୟକା ଓ ବୈଦିକ ଧର୍ମର ଘର ସିନ୍ଧ ଉପରେ ବ୍ରିଟିଶ ସରକାର ବେଆଇନ୍ କବଜା କରିଥିଲା ଓ ୧୯୪୭ରେ ଏହାର ନାଗରିକଙ୍କ ମତାମତ ନନେଇ ଇସଲାମିକ ପାକିସ୍ତାନରେ ସାମିଲ କରାଯାଇଥିଲା । ପାକିସ୍ତାନ ସିନ୍ଧର କିଛି ଜାତୀୟତାବାଦୀ ଦଳ ଅଲଗା ସିନ୍ଧୁ ଦେଶ ସପକ୍ଷରେ ଗତ କେଇ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ପାକିସ୍ତାନ ସିନ୍ଧକୁ ଲୁଟୁଛି ।

ତାଣ୍ଡବ’ ୱେବ୍ ସିରିଜକୁ ନେଇ ବିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ମୁମ୍ବାଇ: ତାଣ୍ଡବ ୱେବ୍ ସିରିଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଅପମାନିତ କରାଯାଇଥିବା ଅଭିଯୋଗରେ ବିରୋଧ ଆରମ୍ଭ ହୋଇଛି । ମୁମ୍ବାଇରେ ବିଜେପି ପକ୍ଷରୁ ଏନେଇ ଆମାଜନ ପ୍ରାଇମ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସିରିଜରେ ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ତାଣ୍ଡବର ପ୍ରଥମ ଏପିସୋଡର ଏକ ଦୃଶ୍ୟରେ ଭଗବାନ ଶିବଙ୍କୁ ନେଇ ଖରାପ ସଂଳାପ ପ୍ରୟୋଗ କରାଯାଇଥିବା ଅଭିଯୋଗ ହୋଇଛି । ଆମାଜନ ଏହି ସିରିଜ ପ୍ରସାରଣ ତୁରନ୍ତ ବନ୍ଦ କରୁ ବୋଲି ବିଜେପି ଦାବି କରୁଛି । ବିଜେପି ନେତା କପିଳ ମିଶ୍ର ମଧ୍ୟ ଆମାଜନକୁ ଲିଗାଲ ନୋଟିସ ପଠାଇଛନ୍ତି । ସିରିଜର ଅଭିନେତା, ଲେଖକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜ୍ଜ ପାଇଁ ବିଜେପି ଦାବି କରୁଛି ।

ସୂଚନାଯୋଗ୍ୟ ଯେ, ଆମାଜନର ଏହି ସିରିଜ ଏକ ପଲିଟିକାଲ ଡ୍ରାମା । ଯେଉଁଥିରେ ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆଙ୍କ ସହ ତିଗମଂଶୁ ଧୁଲିଆ ଅଭିନୟ କରୁଛନ୍ତି । ଏଥିରେ ସୈଫ୍ ଓ ଡିମ୍ପଲଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ଓ ରାଜନୈତିକ ପ୍ରତିପତି ପାଇଁ ଲଢେଇକୁ ଦେଖାଯାଇଛି ।

ତାଣ୍ଡବକୁ ନେଇ ରାଜନୈତିକ ବିରୋଧ ଭିତରେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିରୋଧ କରୁଥିବା ସଂଗଠନ କାଳେ ସୈଫଙ୍କ ଘର ଉପରେ ଆକ୍ରମଣ କରିବେ ସେହି ଭୟରେ ସୁରକ୍ଷା ଯୋଗାଇ ଦିଆଯାଇଛି ।

India vs Australia 4th Test Day 4: ବିଜୟ ପାଇଁ ଭାରତ ଆଗରେ ୩୨୮ ରନର ଟାର୍ଗେଟ

0

ବ୍ରିସ୍‌ବେନ୍: ଚତୁର୍ଥ ତଥା ବ୍ରିସ୍‌ବେନ୍ ଟେଷ୍ଟରେ ଭାରତ ଆଗରେ ରହିଛି ୩୨୮ରନର ବିଜୟ ଲକ୍ଷ୍ୟ। ଭାରତକୁ ୩୨୮ ରନର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ମ୍ୟାଚର ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ୍ ହେବା ପରେ ଭାରତ ପାଇଁ ବିଜୟ ଆଶା ସଞ୍ଚାର ହୋଇଛି।

ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୫୫ରନ କରିଥିବା ବେଳେ ଡାଭିଡ୍ ୱାର୍ଣ୍ଣର ୪୮ରନ କରିଥିଲେ। ସେପଟେ ଭାରତ ପକ୍ଷରୁ ଦ୍ୱିତୀୟ ଇଂନିସରେ ସଫଳତମ ବୋଲର ଭାବେ ମହମ୍ମଦ ସିରାଜ ୫ ଟି ଓ ଶାର୍ଦୁଲ ଠାକୁର ୪ଟି ୱିକେଟ୍ ହାସଲ କରିଛନ୍ତି।

ଏହାପୂର୍ବରୁ ଭାରତର ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୬ ରନ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ  ୩୩୬ ରନ କରି ୩୩ ରନ୍ ପଛୁଆ ଥିଲା। ବ୍ରିସବେନ୍‌ରେ ଯଦି ଭାରତ ଏହି ମ୍ୟାଚ୍ ଜିତେ ତାହେଲେ ସିରିଜକୁ ୨-୧ରେ କବଜା କରିବ। ଏହା ବ୍ୟତୀତ ଯଦି ଟେଷ୍ଟ ମ୍ୟାଚ୍ ଡ୍ର ହୁଏ, ତେବେ ସିରିଜ୍ ୧-୧ରେ ବରାବର ରହିବ। ଏଭଳି ସ୍ଥିତିରେ ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ହିଁ ରହିବ, କାରଣ ଗତଥର ଭାରତ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ୨-୧ରେ ପରାସ୍ତ କରିଥିଲା। ସବୁଠୁ ଗୁରୁତ୍ୱପୂର କଥା ହେଉଛି ଅଷ୍ଟ୍ରେଲିଆରେ ଭାରତ ପ୍ରଥମ ଥର ଏହି ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା।