spot_img
Home Blog Page 6085

ଏଣିକି ଗାଁ ଦାଣ୍ଡରେ ବନ୍ଧା ହେବେନି ଗାଈ ଗୋରୁ, ସରକାର କଲେ ବ୍ୟବସ୍ଥା

ହିଞ୍ଜିଳି: ଗୋମାତାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କଲେ ସରକାର । ହିଞ୍ଜିଳିରେ ନିର୍ମାଣ ହେଲା ଆଦର୍ଶ ଗୋଶାଳା । ଆଉ ଗାଁ ଦାଣ୍ଡରେ ବନ୍ଧା ହେବେ ନାହିଁ ଗାଈ ଗୋରୁ । କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଛି ଆଦର୍ଶ ଗୋଶାଳା । ଗୁହାଳ ନଥିବା ଗାଈ ମାଲିକମାନେ ଆଦର୍ଶ ଗୁହାଳରେ ନିଜ ଗୋରୁ ଗାଈଙ୍କୁ ରଖିବେ । ଆଉ ଏଠାରେ ଗାଈଙ୍କୁ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଘାସ ଚାଷ କରାଯାଇ ଗାଈଙ୍କୁ ଖାଇବାକୁ ଦିଆଯାଉଛି ।

ତେଣୁ ଆଉ ଗାଁ ଦାଣ୍ଡରେ ବନ୍ଧା ହେବେ ନାହିଁ ଗାଈ ଗୋରୁ କି ଅପରିଷ୍କାର ହେବ ନାହିଁ ଗାଁ ପରିବେଶ, ରାସ୍ତା ଘାଟ । ଗୋମାତାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଏକ ବଡ଼ ପଦକ୍ଷେପ । ମନରେଗା ଯୋଜନାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଭେଙ୍କେଟରାୟପଲ୍ଲିରେ ନିର୍ମାଣ ହୋଇଛି ଆଦର୍ଶ ଗୋଶାଳା । ଆଉ ଏହି ଗୋଶାଳାରେ ଗୁହାଳ ନଥିବା ମାଲିକମାନେ ନିଜର ଗାଈ ଗୋରୁ ବନ୍ଧୁଛନ୍ତି ।

ଆଦର୍ଶ ଗୋଶାଳାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗାଈ ଗୋରୁ ବନ୍ଧା ହୋଉଥିବା ବେଳେ ଗାଈଙ୍କ ଖାଇବା ପାଇଁ ମଧ୍ୟ ଏଠାରେ ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଘାସ ଚାଷ କରାଯାଇଛି ଏବଂ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । ଆଉ ଗାଈ ଗୋବରରୁ ଖତ ପ୍ରସ୍ତୁତ କରାଯାଇ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଫାଙ୍କା ଫାଙ୍କା ଡାକ୍ତରଖାନା ! ଡାକ୍ତର ଆସୁନାହାନ୍ତି କି ଔଷଧ ମିଳୁନି, କମ୍ପାଉଣ୍ଡର କରୁଛନ୍ତି ଚିକିତ୍ସା

ଢ଼େଙ୍କାନାଳ: ଉପକୂଳରେ ଦେଖିବାକୁ ମିଳିଛି ରୋଗୀସେବାର ବିକଳ ଚିତ୍ର । ଡାକ୍ତରଖାନାକୁ ଆସୁନାହାଁନ୍ତି ଡାକ୍ତର । କମ୍ପାଉଣ୍ଡରଙ୍କ ହାତରେ ରୋଗୀଙ୍କ ଭାଗ୍ୟ । ହନ୍ତସନ୍ତ ହେଉଛନ୍ତି ରୋଗୀ । ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳି ମେଡିକାଲରୁ ଆସିଛି ଏଭଳି ଗୁରୁତର ଅଭିଯୋଗ । ଚିକିତ୍ସା ପାଇଁ ହସ୍ପିଟାଲକୁ ରୋଗୀ ଆସୁଥିବା ବେଳେ ସେବା ନପାଇ ଫେରିଯାଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

ଏଠି ମେଡିକାଲ ଖୋଲାଯାଇଛି । ହେଲେ ନା ଅଛନ୍ତି ଡାକ୍ତର, ନା ଅଛନ୍ତି ଔଷଧ ବିତରଣକାରୀ । ଡାକ୍ତରଙ୍କ ଚୌକି ଫାଙ୍କା । ପଞ୍ଜୀକରଣ କାଉଣ୍ଟର ଫାଙ୍କା । ଔଷଧ ବିତରଣ କକ୍ଷ ବି ଫାଙ୍କା । ରୋଗୀଙ୍କ ବେଡ୍ ଫାଙ୍କା । ଏଭଳି ଫାଙ୍କା ଫାଙ୍କାରେ ଚାଲିଛି ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳି ମେଡିକାଲ । ଏଠାକୁ ସବୁବେଳେ ଡାକ୍ତର ବାବୁ ଆସୁନଥିବା ବେଳେ କମ୍ପାଉଣ୍ଡର ସେବା ଯୋଗାଉଥିବା କହୁଛନ୍ତି ରୋଗୀ ।

ମାସରେ ଅଧିକାଂଶ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ପାଖରେ ୮ଟି କଳକାରଖାନା ଚାଲୁଥିବା ବେଳେ ଆଖପାଖର ୧୦ଟି ପଞ୍ଚାୟତ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭର କରନ୍ତି । ହେଲେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀମାନେ, ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ତଦନ୍ତ କରବେ ବୋଲି କହିଛନ୍ତି ।

ସ୍କୁଲ ପାଠ୍ୟକ୍ରମରେ ସାମରିକ ବାହିନୀ ସଂପର୍କିତ ବିଷୟ ରହିବାର ଆବଶ୍ୟକତା ଅଛି: ଏଲ୍‌ଜି ଚଣ୍ଡିପ୍ରସାଦ

ଭୁବନେଶ୍ୱର: ସୈନିକ ସ୍କୁଲ ପରିଦର୍ଶନ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି । ଯୁବକ ଯୁବତୀଙ୍କୁ ସେନା ବାହିନୀରେ ଯୋଗଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏନସିସି, ଆର୍ମି ସ୍କୁଲ ସଂପର୍କରେ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଯେକୌଣସି ବିଦେଶୀ ଆକ୍ରମଣକୁ ମୁକାବିଲା କରିବାକୁ ଭାରତୀୟ ସେନା ସକ୍ଷମ ।

ଭାରତ ଏବେ ଏକ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଉଛି । ଭାରତୀୟ ସେନାରେ ଆଧୁନିକୀକରଣ କରାଯାଉଛି । ଭାରତୀୟ ସେନା ବିଶ୍ୱର ନମ୍ବର ଓ୍ୱାନ୍‌ ଆର୍ମି ବୋଲି ଚଣ୍ଡୀପ୍ରସାଦ କହିଛନ୍ତି ।

ଖାଲି ସେତିକି  ନୁହେଁ ନିଜ ଭାଷଣରେ ସେ କହିଛନ୍ତି, ସ୍କୁଲ ପାଠ୍ୟକ୍ରମରେ ସାମରିକ ବାହିନୀ ସଂପର୍କିତ ବିଷୟ ରହିବାର ଆବଶ୍ୟକତା ଅଛି । ପ୍ରଥମ ଓଡ଼ିଆ ଭାବେ ସେ ଭାରତୀୟ ସେନାର ଭାଇସ୍‌ ଚିଫ୍ ପଦବୀକୁ ଉନ୍ନୀତ ହୋଇଛନ୍ତି । ସେନା ଉପମୁଖ୍ୟ ଏସ୍‌.କେ ସାଇନିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି । ଜାନୁଆରୀ ୩୧ ତାରିଖରେ ଏସ୍‌.କେ ସାଇନିଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ତାଙ୍କ ସ୍ଥାନ ଗ୍ରହଣ କରିବେ ।

୨୬ରୁ ଆଦିବାସୀ ମେଳା, ରାଜ୍ୟ ବାହାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଦିବାସୀ ପଡ଼ିଆକୁ ଫେରିଲା ଆଦିବାସୀ ମେଳା । ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପଡିଆରେ ଚାଲିବ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ୍‌ କରିବେ । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି କରଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ଆଦିବାସୀ ମେଳା -୨୦୨୧ ୱେବ୍‌ସାଇଟ୍‌ରେ ରାଜ୍ୟ ବାହାରର ଦର୍ଶକଙ୍କୁ କରିବାକୁ ପଡ଼ିବ ପଞ୍ଜିକରଣ । ଜାନୁଆରୀ ୨୩ରୁ ଅନଲାଇନ୍‌ ରେଜିଷ୍ଟ୍ରେସନ ଲାଗି ଖୋଲିବ ଓ୍ୱେବ୍‌ସାଇଟ୍ ।

ସେପଟେ ୨୧ରୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହେବେ ।

ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ଟି ଷ୍ଟଲ ପଡିବ । ୮୦ଟି ବାହାର ରାଜ୍ୟର ଓ ୧୭୦ ଟି ରାଜ୍ୟର ଷ୍ଟଲ ରହିବ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ମେଳାରେ ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବ ।

ଏଥିସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଗୁରୁତ୍ୱ ଦିଆଯିବ । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଦୁଇ ନେତାଙ୍କୁ ଆଗୁଆ ଜାମିନ୍

0

କଟକ: ୨୦୧୭ର ବହୁଚର୍ଚ୍ଚିତ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ। ଉଭୟଙ୍କୁ ଆଗୁଆ ଜାମିନ ଦେଇଛନ୍ତି ହାଇକୋର୍ଟ। ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏ ନେଇ ଯଦି ନିମ୍ନ ଅଦାଲତ ଚାହିଁବେ ତେବେ ସର୍ତ୍ତ ରଖିପାରିବେ।

ଗତ ୨୦୧୭ରେ ଛତ୍ରପୁରର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଜଣେ ଦୁର୍ବୃତ୍ତ ତାଙ୍କ ଘର ଆଗରେ ହତ୍ୟା କରିଥିଲେ ତେବେ ଏହି ହତ୍ୟା ମାମଲାରେ ଉଭୟଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ପରେ ଛତ୍ରପୁର ପୋଲିସ ଏହି ମାମଲାରେ ଗୋଲକ ମହାପାତ୍ରଙ୍କୁ ଜେରା ବି କରିଥିଲା।

କୋଭିଡ୍ ସେଣ୍ଟର କାମର ବିଲ୍‌ କରିବାକୁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭାଇରାଲ ହେଲା ଭିଡିଓ…

ନୀଳଗିରି: ଖୋଲମଖୁଲା ଲାଞ୍ଚ ନେଉଛନ୍ତି ସରକାରୀ ଯନ୍ତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଅଞ୍ଚଳରେ । ନୀଳଗିରି ବ୍ଲକ୍‌ର ସରକାରୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ଜଣେ ବ୍ୟକ୍ତିଙ୍କ ବିଲ୍‌ କରାଇ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । ସବୁଠାରୁ ବଡ଼ କଥା ହେଲା ଲାଞ୍ଚ ନେବାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । କୋଭିଡ୍‌ ସେଣ୍ଟର ପାଇଁ କିଣାଯାଇଥିବା ସରଞ୍ଜାମର ବକେୟା ବିଲ୍‌ କରେଇ ଦେବା ପାଇଁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ । ଲାଞ୍ଚ ନେଉଥିବାର ଭିଡିଓ ସହ ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକର ପ୍ରହଲାଦ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ୍‌ ସେଣ୍ଟର କରାଯାଇଥିଲା । ଏଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ରଙ୍ଗ କାମ ସହିତ ପାଇଖାନା ଓ ପାନୀୟ ଜଳର ସୁବିଧା କରାଯାଇଥିଲା । କଣ୍ଟ୍ରାକ୍ଟର ବିନୋଦ କୁମାର ମହାନ୍ତି କାର୍ଯ୍ୟ କରିଥିବା ବେଳେ ୧ଲକ୍ଷ ୪୪ହଜାର ଟଙ୍କାର ବିଲ୍ ହୋଇଥିଲା । ବିଲ୍‌କୁ ଜେଇଙ୍କ ଦ୍ୱାରା ତଦାରଖ କରାଯାଇ ଚେକ୍‌ ମେଜରମେଣ୍ଟ ପାଇଁ ସରକାରୀ ଯନ୍ତ୍ରୀ ଅନ଼ିଲ୍ କୁମାର ପଣ୍ଡାଙ୍କ ନିକଟକୁ ପଠାଯାଇଥିଲା ।

ତେବେ ବିନା ପିସିରେ ଚେକ୍‌ ମେଜରମେଣ୍ଟ କରିବାକୁ ଅନିଲ୍ ମନା କରିଦେଇଥିଲେ । ପରେ ୬ ହଜାର ଟଙ୍କା ଲାଞ୍ଚ ନେବା ପରେ ବିଲକୁ ପାସ୍ କରିଥିଲେ । ଏହି ଲାଞ୍ଚ କାରବାରର ତଦନ୍ତ କରି ଅନିଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ବିଟକଏନ କ’ଣ? ଏହା କିଭଳି କାମ କରେ?

ନୂଆଦିଲ୍ଲୀ:  ୨୦୦୯ରେ ଲଞ୍ଚ୍ ହୋଇଥିବା ଭର୍ଚୁଆଲ କରେନ୍ସି ବିଟକଏନ ଗତ କିଛି ବର୍ଷ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଆସିଛି । ଗତବର୍ଷ ଏହାର ମୂଲ୍ୟ ଚାରିଶହ ପ୍ରତିଶତରୁ ଅଧିକ ବଢି ଯାଇଥିଲା । କିଛି ବର୍ଷ ପୂର୍ବରୁ ଏହି ବିଟକଏନକୁ କିଣିଥିବା ବ୍ୟକ୍ତି ନିହାତି ଭାବରେ ଖୁବ ଲାଭବାନ୍ ହୋଇଛନ୍ତି । ତେବେ କ’ଣ ଏହି ବିଟକଏନ ଏବଂ ଏହା କିଭଳି କାମ କରେ?

ଆମେରିକା ୨୦୦୮ ମସିହାରେ ଦେଖିଥିଲା ଆର୍ଥିକ ମାନ୍ଦାବାସ୍ଥା । ରିୟଲ ଇଷ୍ଟେଟ୍ ମାର୍କେଟ୍ ସେହି ବର୍ଷ ଆମେରିକାରେ ଭୁଷୁଡି ପଡିଥିଲା । ଫଳରେ ଅନେକ ଆମେରିକୀୟ ବ୍ୟାଙ୍କ୍ ଦେବାଳିଆ ହୋଇଯାଇଥିଲେ । ଆମେରିକା ସରକାର ବ୍ୟାଙ୍କଗୁଡିକଙ୍କ ସ୍ଥିତି ସୁଧାରିବା ପାଇଁ ବେଲ ଆଉଟ୍ ପ୍ୟାକେଜ୍ ଦେଇଥିଲେ । କମ୍ପାନୀ ଓ ବ୍ୟାଙ୍କ ଏହାଦ୍ୱାରା ଆର୍ଥିକ ମାନ୍ଦାବସ୍ଥାରୁ ଉବୁରି ଯାଇଥିଲେ କିନ୍ତୁ ମୁଦ୍ରାସ୍ଫିତିର କୁପ୍ରଭାବର ଶିକାର ହୋଇଥିଲେ ସାଧାରଣ ଜନତା । ସାଧାରଣତଃ ସରକାର ହିଁ ଅର୍ଥର ମୁଲ୍ୟ ନିର୍ଦ୍ଧାରଣ କରିଥାନ୍ତି । କିନ୍ତୁ ସରକାରଙ୍କ ବେଲଆଉଟ୍ ପ୍ୟାକେଜ୍ କାରଣରୁ ଲୋକଙ୍କ ପାଖରେ ଥିବା ଅର୍ଥର ମୁଲ୍ୟ ହ୍ରାସ ପାଇଥିଲା । ଏହିଥିରୁ ହିଁ ଜନ୍ମ ନେଇଥିଲା ବିଟ କଏନ୍ କନସେପଟ ।
ଯାହାକୁ ଉଦ୍ଭାବନ କରିଥିଲେ ଜଣେ ଅଜଣା ବ୍ୟକ୍ତି । ଯାହାଙ୍କ ଛଦ୍ମନାମ ସତୋଷୀ ନକମୋଟୋ । କିନ୍ତୁ ଏହି ଟେକ୍ନୋଲୋଜିକୁ ବାହାର କରିଥିବା ଉକ୍ତ ବ୍ୟକ୍ତିଙ୍କ ବାସ୍ତବ ନାମ ଏବେ ମଧ୍ୟ ରହସ୍ୟ ହୋଇ ରହିଛି ।

ଏହା ଏଭଳି ଏକ ଡିଜିଟାଲ କରେନ୍ସି ଯାହା ନା ଦେଖାଯାଏ, ନା ଏହାକୁ କେହି ଛୁଇଁ ପାରିବେ । ଯଦିଓ ଏହା କୌଣସି ଭୌତିକ ପଦାର୍ଥରେ ତିଆରି ହୋଇନାହିଁ ତଥାପି ଏହାର ମୂଲ୍ୟ ଯଥେଷ୍ଟ ଅଧିକ ।

ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ବର୍ତ୍ତମାନ ୨୬ ଲକ୍ଷରୁ ଅଧିକ । ତେବେ କିଭଳି କାମ କରେ ଏହି ବିଟକଏନ?

ଟ୍ରାଡିସନାଲ ଅନଲାଇନ ପେମେଣ୍ଟ ମେକାନିଜମ ଅପେକ୍ଷା ବିଟକଏନ ଟ୍ରାଞ୍ଜାକ୍ସନ ପାଇଁ କମ ଶୁଳ୍କ ନେଇଥାଏ । ବିଟକଏନ ଦୁନିଆର ପ୍ରଥମ ଡିସେଣ୍ଟ୍ରାଲାଇଜଡ ଡିଜିଟାଲ କରେନ୍ସି ବା ଏହାର ମୂଲ୍ୟ କୌଣସି ସରକାର ନିର୍ଧାରଣ କରିନଥାନ୍ତି । ଯେମିତି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କେତେ ରହିବ ତାହା ରିଜର୍ଭବ୍ୟାଙ୍କ ଉପରେ ନିର୍ଭର କରିଥାଏ । ଏହି ବିଟକଏନ କୌଣସି ଭୌତିକ ପଦାର୍ଥ ନୁହେଁ ବା ସାଧାରଣ ଟଙ୍କାଭଳି ନୁହେଁ । ଏହା କେବଳ ଡିଜିଟାଲ ଦୁନିଆ ପାଇଁ ତିଆରି ହୋଇଛି । ଏହାକୁ ବିଶ୍ୱର କୌଣସି ସ୍ଥାନରେ କେବେ ମଧ୍ୟ ବ୍ୟବହାର କରିପାରିବେ । ଏହାଦ୍ୱାରା ପରସ୍ପର ମଧ୍ୟରେ ଟ୍ରାଞ୍ଜାକ୍ସନ ହୋଇପାରିବ । କିନ୍ତୁ ଏଥିପାଇଁ କୌଣସି ତୃତୀୟ ବ୍ୟକ୍ତିର ସାହାଯ୍ୟ ନେବାକୁ ପଡ଼ିବ ନାହିଁ ।

 

ଆପଣ ଯଦି ଟଙ୍କା ପଠାଇବାପାଇଁ ଚାହୁଁଛନ୍ତି ତେବେ ସିଧାସଳଖ ଅନ୍ୟଜଣେ ବ୍ୟକ୍ତିଙ୍କ ବିଟକଏନ ଓ୍ୱାଲେଟକୁ ଟଙ୍କା ପଠାଇ ପାରିବେ । ଦୁନିଆର ଲକ୍ଷ ଲକ୍ଷ ଲୋକ ସାଧାରଣ କରେନ୍ସି ଅପେକ୍ଷା ଏହି ବିଟକଏନକୁ ବ୍ୟବହାର କରୁଛନ୍ତି । ଗୋଟିଏ ପଟେ ସାଧାରଣ ଟଙ୍କା ନେଣଦେଣ ପାଇଁ ବ୍ୟାଙ୍କ ର ଆବଶ୍ୟକତା ଥିବାବେଳେ ବିଟକଏନ ଉପରେ କୌଣସି ଏଜେନ୍ସି ବା ସରକାରଙ୍କର ନିୟନ୍ତ୍ରଣ ନଥାଏ । ଏହି ନେଣଦେଣ କେବଳ ଦୁଇଲୋକଙ୍କ ମଧ୍ୟରେ ସିଧାସଳଖ ହୋଇଥାଏ । ଏଥିପାଇଁ ଏକ ସୁରକ୍ଷିତ ଉପାୟ ରହିଛି । ଯାହା ସମ୍ପୂର୍ଣ୍ଣ ଭାବରେ ଗୁପ୍ତ । ଗୋଟିଏ ପଟେ ଅନେକ ସୁବିଧା ଥିବାବେଳେ ଅନ୍ୟପଟେ ସମସ୍ୟା ମଧ୍ୟ ରହିଛି । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଯଦି ଏହାକୁ ନେଇ କୌଣସି ସମସ୍ୟା ଦେଖାଦିଏ ତେବେ ଅନ୍ୟ ବ୍ୟକ୍ତିକୁ ଚିହ୍ନଟ କରିବା ସହଜ ନୁହେଁ । ଏଥିପାଇଁ ଆପଣ କୌଣସି ସୁରକ୍ଷା ଏଜେନ୍ସି, ବ୍ୟାଙ୍କ, ନ୍ୟାୟାଳୟ ବା ସରକାରଙ୍କ ନିକଟକୁ ଯାଇପାରିବେ ନାହିଁ । ଅର୍ଥାତ୍ ଖୁବ ସଚେତନତାର ସହିତ ଆପଣଙ୍କୁ ଟ୍ରାଞ୍ଜାକ୍ସନ କରିବାକୁ ପଡ଼ିବ । କାରଣ ବିଟକଏନ ଉପରେ ସରକାରଙ୍କର ନିୟନ୍ତ୍ରଣ ନଥିବାରୁ ଏହି କରେନ୍ସିର ମୂଲ୍ୟ ବଢିଥାଏ ଏବଂ କମିଥାଏ । ଲୋକ ଏହାକୁ ଖରାପ କାମ ଏବଂ ପ୍ରତିବନ୍ଧିତ ଜିନିଷ କିଣିବା ପାଇଁ ଏହି ବିଟକଏନକୁ ବ୍ୟବହାର କରିଥାନ୍ତି ।
ସରକାରଙ୍କ ତରଫରୁ ଏହାକୁ ଅନୁମତି ମିଳିବାକୁ ନେଇ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବରେ ଅନୁମତି ମିଳିନାହିଁ ।

 

ପ୍ରାରମ୍ଭରେ ବିଟକଏନର ମୂଲ୍ୟ ଥିଲା ୬ ଟଙ୍କା ଥିଲା । କିନ୍ତୁ ପ୍ରଚଳନ ହେବାପରେ ଧୀରେଧୀରେ ଲୋକ ଏହାକୁ କିଣିବାକୁ ଲାଗିଲେ ଏବଂ ଏହାର ମୂଲ୍ୟ ଯଥେଷ୍ଟ ମାତ୍ରାରେ ବଢିବାକୁ ଲାଗିଲା ।ଏକ ରିପୋର୍ଟ କହୁଛି ୨୦୧୫ରେ ୟାର୍କଶାୟରର କ୍ରିସ୍ ସେଡଗୋବିକ ନାମକ ଜଣେ ବ୍ୟକ୍ତି କ୍ରିପ୍ଟୋକରେନ୍ସି କିଣିଥିଲେ । ସେହି ସମୟରେ ଏହାର ମୂଲ୍ୟ ଥିଲା ୧୫୦ ପାଉଣ୍ଡ ବା ଭାରତୀୟ ମୂଦ୍ରାରେ ୧୫ ହଜାର ଟଙ୍କା । କ୍ରିସ୍ ଦୁଇ ହଜାର ପାଉଣ୍ଡ ବା ପ୍ରାୟ ଦୁଇ ଲକ୍ଷ ଟଙ୍କାର ବିଟକଏନ କିଣିଥିଲେ । ଯାହା ଏବେ ୭୫ ହଜାର ପାଉଣ୍ଡରେ ପରିବର୍ତ୍ତିତ । ଯାହାର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ।

ବିଟ କଏନର ଆଉ ଗୋଟିଏ ଖରାପ ଦିଗ ହେଉଛି ଏହାକୁ କୌଣସି ଅପରାଧିକ କାର୍ଯ୍ୟ ପାଇଁ ଯେମିତି ଟେରର ଫଣ୍ଡିଂ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯେହେତୁ ଏହାକୁ ଟ୍ରେସ କରିବା ସହଜ ନୁହେଁ ତେଣୁ ଅନେକ ସମୟରେ ଏହାକୁ ଅପରାଧିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ । ନିକଟରେ ତାମିଲନାଡୁରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ଅପରାଧୀ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ପରେ ପରିବାର ଲୋକଙ୍କୁ ବିଟ କଏନ୍ ମାଧ୍ୟମରେ ପେମେଣ୍ଟ୍ କରିବାକୁ ବାଧ୍ୟ କରିଥିଲେ ।

ତେଣୁ ଯଦି ଆପଣ ବିଟ କଏନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଭଲ କରି ଚିନ୍ତା କରି ଟଙ୍କା ଲଗାନ୍ତୁ । କାରଣ ଭାରତରେ ସୁପ୍ରିମକୋର୍ଟ ଏହାକୁ ବ୍ୟାନ୍ କରି ନାହାନ୍ତି ସତ କିନ୍ତୁ ରିଜର୍ଭ ବ୍ୟାଙ୍କ ଏହାକୁ ସୁରକ୍ଷିତ ବୋଲି ବି କହିନାହିଁ । ବିଲ ଗେଟସଙ୍କ ଭଳି ଟେକ୍ ଜିଆଣ୍ଟ୍ ଏହା ସପକ୍ଷରେ ଥିବା ବେଳେ ୱାରେନ୍ ବଫେଟଙ୍କ ଭଳି ସଫଳ କୋଟିପତି ନିବେଶକଙ୍କ ବିଟ କଏନକୁ ଏକ ଛଳନା ବୋଲି କୁହନ୍ତି ।

୫ ଲକ୍ଷ ଭାରତୀୟଙ୍କୁ ବିଡେନ୍ ଦେବେ ନାଗରିକତା ?

ୱାଂଶିଟନ: ଆମେରିକାର ଆରମ୍ଭ ହେବାକୁ ଯାଉଛି ବିଡେନ୍ ଯୁଗ । ଟ୍ରମ୍ପ ଶାସନର ଅବସାନ ସହିତ ବିଡେନଙ୍କ ଶପଥ ଗ୍ରହଣକୁ ଅନାଇ ବସିଛନ୍ତି ଆମେରିକାରେ ରହୁଥିବା ବିଦେଶୀ । ସେମାନଙ୍କ ଆଶା ଯେ, ଟ୍ରମ୍ପଙ୍କ ଅମଳରେ ବିଦେଶୀଙ୍କୁ ନାଗରିକତା ଦେବାରେ ଯେଉଁଭଳି କଠୋନ ନିୟମ ଥିଲା ତାକୁ ବିଡେନ୍ ଅଲବିଦା କହିବେ । ଆଶା କରାଯାଉଛି ଯେ, ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବିଡେନ୍ ପ୍ରଥମେ ଇମିଗ୍ରେସନ୍ ବିଲକୁ ମଞ୍ଜୁରୀ ଦେବେ । ଇମିଗ୍ରେସନ୍ ବିଲକୁ ରାଷ୍ଚ୍ରପତିଙ୍କ ମଞ୍ଜୁରୀ ମିଳିବା ଦ୍ୱାରା ଆମେରିକାରେ ରହୁଥିବା ୧ କୋଟି ୧୦ ଲକ୍ଷ ବିଦେଶୀଙ୍କ ପକ୍ଷରେ ଆମେରିକୀୟ ନାଗରିକତା ପାଇବା ସହଜ ହୋଇଯିବ । ଏହି ୧ କୋଟି ୧୦ ଲକ୍ଷ ବିଦେଶୀଙ୍କ ମଧ୍ୟରେ ରହିଛନ୍ତି ୫ ଲକ୍ଷ ଭାରତୀୟ ।

ଟ୍ରମ୍ପଙ୍କଠାରୁ ଅଲଗା ବିଡେନ୍

ଜୋ’ ବିଡେନଙ୍କ ଏହି ନୀତି ଟ୍ରମ୍ପ ପ୍ରଶାସନର ନୀତିର ଏଗଦମ ଓଲଟା । ନିଜ ୪ ବର୍ଷର କାର୍ଯ୍ୟକାଳରେ ଟ୍ରମ୍ପ ଆମେରିକା ପ୍ରଥମ ବୋଲି ନାରା ଦେଇଥିଲେ । ଏହି ନୀତି ଅନୁସାରେ ଅଧିକରୁ ଅଧିକ ଆମେରିକୀୟ ନାଗରିକଙ୍କୁ ରୋଜଗାର ଦେବାକୁ ଟ୍ରମ୍ପ ବିଦେଶରୁ ଆମେରିକା ଆସିବାକୁ ଚାହୁଁଥିବା ଅନ୍ୟ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ । କେବଳ ଏତିକି ନୁହେଁ, ଆମେରିକାରେ ବେଆଇନ ଭାବେ ରହୁଥିବା ଅନେକ ବିଦେଶୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ସଂଖ୍ୟାଧିକ ମେକ୍ସିକୋ ନାଗରିକ ଥିଲେ । ନିର୍ବାଚନ ପ୍ରଚାର କାଳରେ ବିଡେନ୍ ପ୍ରତିଭାଶାଳୀ ବିଦେଶୀ ନାଗରିକଙ୍କ ପାଇଁ ଆମେରିକାର ଦ୍ୱାର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଡେନଙ୍କ ଏହି ନୀତିର ଲାଭ ମେକ୍ସିକୋ,ଚୀନ୍ ଓ ଭାରତୀୟ ପାଇବେ ।

biden

କଟ୍ ଅଫ୍ ଡେଟ୍ ୧ ଜାନୁଆରୀ ୨୦୨୧

ଆମେରିକା ଗଣମାଧ୍ୟମ ଅନୁସାରେ ବିଡେନ ଜାନୁଆରୀ ୧,୨୦୨୧କୁ ବେଂଚ୍ ମାର୍କ କରିଛନ୍ତି । ଅର୍ଥାତ ୧ ଜାନୁଆରୀ ୨୦୨୧ ଭିତରେ ଯେଉଁ ବିଦେଶୀ ନାଗରିକ ଆମେରିକାରେ ବିନା ନାଗରିକତାରେ ରହୁଥିବେ ସେମାନଙ୍କୁ ନାଗରିକତା ଦିଆଯିବା ନେଇ ବିଚାର କରାଯାଇପାରେ । ରାଷ୍ଟ୍ରପତି ଭାବେ ନିଜର ପ୍ରଥମ ଦିନରେ ହିଁ ବିଡେନ୍ ଏହି ବିଲରେ ଦସ୍ତଖତ କରିବା ସମ୍ଭାବନା ରହିଛି ।

୮ ବର୍ଷର ଲମ୍ବା ପ୍ରକ୍ରିୟା

ତେବେ ନାଗରିକତା ପାଇବା ପାଇଁ ଏହି ସମସ୍ତ ବିଦେଶୀଙ୍କୁ ୮ ବର୍ଷ ଅପେକ୍ଷା କରିବାକୁ ପଡିବ । ୮ ବର୍ଷ ପର୍ଯ୍ୟନ୍ତ ଆମେରିକା ସରକାର ଏହି ବିଦେଶୀ ନାଗରିକଙ୍କ ଚାଲିଚଳଣ, ଆଇନ ପ୍ରତି ସମ୍ମାନ ଓ ଆମେରିକୀୟ ଜୀବନଧାରାରେ ସେମାନେ କେମିତି ସାମିଲ ହେଉଛନ୍ତି ତା’ ଉପରେ ନଜର ରଖିବେ । ସର୍ବପ୍ରଥମେ ୫ ବର୍ଷ ପାଇଁ ସେମାନଙ୍କୁ ଗ୍ରୀନ୍ କାର୍ଡ୍ ଦିଆଯିବ । ଏହି ୫ ବର୍ଷ ଭିତରେ ସେମାନଙ୍କ ବ୍ୟାକଗ୍ରାଉଣ୍ଡ୍ ଚେକ୍ କରାଯିବ । ସେମାନେ ଟ୍ୟାକ୍ସ ଦେଉଛନ୍ତି କି ନାହିଁ ତାହା ଦେଖାଯିବ । ୫ ବର୍ଷ ଭିତରେ ଏହି ସର୍ତ୍ତ ପୁରଣ କରିଲେ ସେମାନଙ୍କୁ ବାକି ୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟକୁ ଟ୍ରାନ୍ସଫର କରାଯିବ । ଏହି ପର୍ଯ୍ୟାୟରେ ଆମେରିକା ନାଗରିକତା ଚାହୁଁଥିବା ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରାଯିବ ।

usa indian

ୱେଟିଂ ଲିଷ୍ଟରେ ୫ ଲକ୍ଷ ଭାରତୀୟ

୨୦୧୯ ରିପୋର୍ଟ ଅନୁସାରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ୨୭ ଲକ୍ଷ । ଆମେରିକା ଜନସଂଖ୍ୟାର ୬ ପ୍ରତିଶତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଏକ ଅନୁମାନ ଅନୁସାରେ ଏହି ୨୭ ଲକ୍ଷ ଭାରତୀୟଙ୍କ ମଧ୍ୟରୁ ୫ ଲକ୍ଷଙ୍କ ପାଖରେ ଆମେରିକୀୟ ନାଗରିକତା ନାହିଁ । ବିଡେନ୍ ବିଲକୁ ଅନୁମୋଦନ କଲେ ଏହି ୫ ଲକ୍ଷ ଭାରତୀୟଙ୍କ ପାଇଁ ଆମେରିକାନ ଡ୍ରିମ୍ ସଫଳ ହେବ ।

ଆପଣଙ୍କ ପ୍ଲେଟରେ ଥିବା ମାଛ କେତେ ସୁରକ୍ଷିତ? ନୂଆ ରିସର୍ଚ୍ଚ ଦେଉଛି ଭୟାନକ ତଥ୍ୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଦେଶକୁ ଉଡ଼ି ଆସିଥିଲା ବାର୍ଡ୍ ଫ୍ଲୁ। ବାର୍ଡ୍ ଫ୍ଲୁ ଡରରେ ପ୍ଲେଟରୁ ଚିକେନ୍ ଓ ଅଣ୍ଡା ଗାଏବା ହେଇଗଲେଣି। ଅନେକ ରାଜ୍ୟ ତ ଚିକେନ୍ ଓ ଅଣ୍ଡା ବିକ୍ରି ଉପରେ ସାମୟୀକ ପ୍ରତିବନ୍ଧକ ଲାଗୁ କରିଛନ୍ତି। ବାର୍ଡ୍ ଫ୍ଲୁ ଡର ଲୋକଙ୍କୁ ମାଛ ଖାଇବାକୁ ବାଧ୍ୟ କରିଛି। ଚିକେନ୍, ଅଣ୍ଡା ବଦଳରେ ମାଛକୁ ଅନେକ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ଯେଉଁ ମାଛ ଖାଉଛନ୍ତି ତାହା କେତେ ସୁରକ୍ଷିତ ?

ଦେଶର ୨୪୧ ଫାର୍ମକୁ ନେଇ ହୋଇଥିବା ଅନୁସଂଧାନମୁଳକ ଅଧ୍ୟୟନରୁ ଯେଉଁ ତଥ୍ୟ ଆସିଛି ତାହା ଦେଉଛି ଏକ ଭୟାନକ ଚିତ୍ର। ୧୦ ରାଜ୍ୟର ୨୪୧ ମାଛ ଫାର୍ମରେ ହୋଇଥିବା ଷ୍ଟଡିରୁ ଜଣା ପଡିଛି ଯେ, ଏହି ଫାର୍ମ ଗୁଡିକରେ ସୀସା ଓ କେଡମିୟମର ମାତ୍ରା ଅଧିକ ଅଛି। ଯାହା ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ମାନକର ଗମ୍ଭୀର ଉଲ୍ଲଂଘନ ଅଟେ।

ତାମିଲନାଡୁର ଅନେକ ସହରର ମାଛ ଫାର୍ମରେ ପାଣିର ଗୁଣବତା ସବୁଠାରୁ ଖରାପ ରହିଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମ ବଙ୍ଗ ସହ ପୁଡୁଚେରିର ଫାର୍ମରେ ସୀସା ମିଳିଛି। ମନେରଖନ୍ତୁ ଯେ ସିସା ମଣିଷ ପାଇଁ ଘାତକ ହୋଇଥାଏ। ତାମିଲନାଡୁ, ବିହାର ଓ ଓଡ଼ିଶାର ମାଛ ଫାର୍ମ ପରିବେଶ ପାଇଁ ସବୁଠାରୁ ହାନିକାରକ ବୋଲି ଅଧ୍ୟୟନ କହୁଛି।

ଦୂଷିତ ମାଛ

ଦକ୍ଷିଣ ଭାରତର ମାଛ ଫାର୍ମରେ ସୀସା ଓ କେଡମିୟମ ମାତ୍ରା ଅଧିକ ରହିଛି। ଏହି ଦୁଇ ତତ୍ୱ ଶରିରରେ ପ୍ରବେଶ କରିବା ଦ୍ୱାରା କୋଶିକା କ୍ଷତିଗ୍ରସ୍ତ ହୋଇଥାନ୍ତି। ସାଧାରଣତଃ କୁହାଯାଇଥାଏ ଯେ, ସୁସ୍ଥ ରହିବାକୁ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଆବଶ୍ୟକ। କାରଣ ମାଛରେ ପ୍ରୋଟିନ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ଅଧିକ ରହିଥାଏ। ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭକର ହୋଇଥାଏ। ଏମିତିରେ ଡାକ୍ତର ଗର୍ଭବତୀ ମହିଳାଙ୍କୁ ଖାଦ୍ୟରେ ମାଛ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଏହି ନୂଆ ରିସର୍ଚ୍ଚ ରିପୋର୍ଟ ଚିନ୍ତା ବଢାଇ ଦେଇଛି।

ଆକ୍ୱାକଲଚର ସର୍ଭେ ତଦନ୍ତକାରୀଙ୍କ ଅନୁସାରେ ପ୍ରାୟ ୪୦ ପ୍ରତିଶତ ଫାର୍ମ ମାଛ ରୋଗରୁ ବଂଚିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରିଥାନ୍ତି। ଯାହା କେବଳ ମଣିଷ ନୁହେଁ ମାଛଙ୍କ ପାଇଁ ମଧ୍ୟ ବିପଜ୍ଜନକ।

ପ୍ରଦୂଷିତ ପାଣିରେ ନିଶ୍ୱାସ ନେଇ ପାରନ୍ତି ନାହିଁ ମାଛ

ରିପୋର୍ଟ ଅନୁସାରେ ଏଭଳି ଫାର୍ମ ଗୁଡିକରେ ମାଛ ନାଇଟ୍ରୋଜନ ଓଭରଡୋଜ୍ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ନାଇଟ୍ରୋଜନ କାରଣରୁ ମାଛ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ୟୁଟୋଫିକେସନ୍ କାରଣରୁ ପୋଖରରି ନିମ୍ନଭାଗକୁ ଅମ୍ଲଜାନ ଯିବା କମିଯାଏ। ଫଳରେ ମାଛ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ୨୦୨୦ରେ କେରଳରେ ୨ହଜାର କିଲୋରୁ ଅଧିକ ଓଜନର ମାଛଙ୍କୁ ମାରି ଦିଆଯାଇଥିଲା। କାରଣ ଅଧିକ ଓଜନର ମାଛ ବିଶାକ୍ତ ଥିଲେ। ଦିଲ୍ଲୀ ଓ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଏଭଳି ଅଧିକ ଓଜନର ମାଛଙ୍କୁ ମାରି ଦିଆଯାଇଥିଲା କାରଣ ସେହି ମାଛ ଖଦ୍ୟ ଉପଯୋଗୀ ନଥିଲେ।

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ ପ୍ରୋଟେକ୍ସନ ଅର୍ଗାନାଇଜେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ,ବର୍ଦା ମେହରୋତ୍ରା ଅଲ କ୍ରିଏଚର୍ସ ଗ୍ରେଡ୍ ଆଣ୍ଡ୍ ସ୍ମଲର ସହଯୋଗରେ ଏହି ଅଧ୍ୟୟନ ହୋଇଛି। ରିପୋର୍ଟ ଅନୁସାରେ ଦେଶରେ ଅନେକ ମାଛ ଫାର୍ମ ବିନା ଅନୁମତିରେ ଚାଲୁଛି। ଯେଉଁ ଗୁଡିକରେ ଖାଦ୍ୟ ସୁରକ୍ଷା ମାନକକୁ ଅବହେଳା କରାଯାଉଛି କିମ୍ବା ଗାଇଡଲାଇନକୁ ବିଲକୁଲ ପାଳନ କରାଯାଉନାହିଁ।

ଦ ପ୍ରିଭେନସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ ଆଇନ ୨୦୦୧ ଓ ଖାଦ୍ୟ ସୁରକ୍ଷା ତଥା ମାନକ (ଲାଇସେନସିଂ ଆଣ୍ଡ୍ ରେଜଷ୍ଟ୍ରେସନ୍ ଅଫ୍ ଫୁଡ୍ ବିଜନେସ୍) ରେଗୁଲେସନ୍ ୨୦୧୧ ଅନୁସାରେ ମାଛ  କିମ୍ବା ଅନ୍ୟ ପଶୁ ମରାଯିବା ପୁର୍ବରୁ ସୁସ୍ଥ ରହିଥିବା ଆବଶ୍ୟକ। ଅନୁମତି ପ୍ରାପ୍ତ କଂସେଇଖାନାରେ ଏହା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ରୁଗଣ ପଶୁଙ୍କୁ ମରାଯାଏନା କାରଣ ଏହାକୁ ଖାଇବା ଦ୍ୱାରା ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। କିନ୍ତୁ ଅନେକ ମାଛ ଫାର୍ମ ଏହି ନିୟମକୁ ମାନୁନଥିବା ରିପୋର୍ଟରେ ଦାବି କରାଯାଇଛି।

ଭାରତର ମାଛ ଯୋଗାଣର ଦୁଇ ତୃତୀୟାଂଶ ମାଛ ଫାର୍ମରୁ ଆସିଥାଏ। ଏମିତି ବାର୍ଡ ଫ୍ଲୁ ସଂକଟ ଭିତରେ ଏହା ଚିନ୍ତା ବଢାଇ ଦେଇଛି। କାରଣ ବାର୍ଡ୍ ଫ୍ଲୁ ସମୟରେ ମାଛକୁ ଚିକେନ୍ ଓ ଅଣ୍ଡାର ବଦଳ ବୋଲି ଧରା ଯାଉଛି। ଏମିତିରେ ଏହି ସଂକଟରୁ ବାହାରିବା ଏବେ ମାଛ ଫାର୍ମଙ୍କ ଉପରେ ନିର୍ଭର କରୁଛି। କାରଣ ସେମାନଙ୍କ ନିଷ୍ପତି ଉପରେ ହିଁ ମାଛ ବ୍ୟବସାୟ ଓ ଗ୍ରାହକଙ୍କ ସ୍ୱାସ୍ଥ୍ୟ ନିର୍ଭର କରୁଛି।

 

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ବିହୀନ ଦର୍ଶନ ଆରମ୍ଭ

ପୁରୀ: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ ରିପୋର୍ଟ ବିହୀନ ଦର୍ଶନ ବ୍ୟବସ୍ଥା। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀ ଏସ୍ପି , ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। କିଭଳି ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ଯାଞ୍ଚ କରିବା ସହ ଭକ୍ତଙ୍କ ଆଗମନକୁ ନଜରରେ ରଖି କିଭଳି ସମସ୍ଥ ପଦକ୍ଷେପ ନିଆଯିବ ସେନେଇ ତଦାରଖ କରୁଛନ୍ତି। ସେପଟେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ବେଶ। ଏହାକୁ ଶ୍ରୀମୁଖ ସିଂହାର ନୀତି ମଧ୍ୟ କୁହାଯାଏ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ମଧ୍ୟରେ ବିଶେଷ ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ସମୟରେ ସାଧାରଣ ଦର୍ଶନ ୪ଘଣ୍ଟା ପାଇଁ ବନ୍ଦ ରହିବ।

ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ। ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।