spot_img
Home Blog Page 6084

ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବିଡେନ୍‌, ନରେନ୍ଦ୍ର ମୋଦି ଦେଲେ ଶୁଭେଚ୍ଛା

ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବିଡେନ୍‌ । ହ୍ବାଇଟହାଉସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେବା ପରେ ଜୋ ବିଡେନ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ବିଡେନଙ୍କୁ ଆମେରିକାର ସୁରକ୍ଷା ଓ ଏକତାର ଶପଥ ଗ୍ରହଣ କରାଇଥିଲେ । ଏହି ଅବସରରେ ଆମେରିକାବାସୀଙ୍କୁ ଅଭିଭାଷଣ ଦେଇଥିଲେ ବିଡେନ୍‌ । ଆରମ୍ଭରୁ ହିଁ ପଡୋଶୀ ସହ ସୁସମ୍ପର୍କ ରଖି ଆଗକୁ ବଢିବାକୁ ଗୁରୁତ୍ୱ ଦେଇଥିଲେ ବିଡେନ ।

ଆମେରିକା ଅତୀତରେ ଅନେକ ବାଧାବିଘ୍ନର ସାମ୍ନା କରିଥିଲେ ବି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ପରିଚୟ ପାଇଛି । ଆମେରିକାର ଐତିହ୍ୟ, ଏକତାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ । କରୋନା ସମୟରେ ପୁରା ଆମେରିକା ଏକତାର ସୁତ୍ରରେ ବାନ୍ଧି ହୋଇଥିଲା । ଏକତା ପାଇଁ ପୁରା ଦେଶ ପ୍ରତିବଦ୍ଧ ବୋଲି ବିଡେନ କହିଛନ୍ତି ।

ଦେଶ ବର୍ତ୍ତମାନ ଏକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ଆମକୁ ଆହୁରି ସଜାଗ ରହିବାକୁ ପଡିବ । ଏଥିସହ କରୋନାରେ ମୃତ୍ୟୁ ହୋଇଥିବା ଆମେରିକାବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଡେନ । ପରିବେଶ ଓ ବର୍ଣ୍ଣବୈଷମ୍ୟ କ୍ଷେତ୍ରରେ ଆମେରିକାକୁ ବିଗତ ଦିନରେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଛି । ସେ ସବୁକୁ ସମାଧାନ କରି ଆମକୁ ଆଗକୁ ବଢିବାକୁ ପଡିବ ବୋଲି ବିଡେନ କହିଛନ୍ତି ।

ଜାତୀୟ ସଙ୍ଗିତ ଗାନ ସହ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ଲେଡି ଗାଗା ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ଆମେରିକାର ଏହି ଐତିହାସିକ କାର୍ଯ୍ୟକ୍ରମରେ ୪ଜଣ ପୂର୍ବତନ ରାଷ୍ଟ୍ରପତି ଯୋଗ ଦେଇଥିଲେ । ବାରାକ ଓବାମା ଓ ମିଶେଲ ଓବାମା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୁରା ଓ୍ବାଶିଂଟନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜୋ ବିଡେନଙ୍କୁ ସାରା ବିଶ୍ବରୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ମିଶି ଆଗକୁ କାମ କରିବେ ବୋଲି ଆଶା କରିଛନ୍ତି ନରେନ୍ଦ୍ର ମୋଦି ।

ମହିଳା ସଶକ୍ତିକରଣ ଦିଗରେ ବିଜେଡି ଆଉ ପାଦେ ଆଗରେ, ଛପାହେଲା ମହିଳା କ୍ୟାଲେଣ୍ଡର

ଭୁବନେଶ୍ୱର: ଯୁବ ଛାତ୍ର ଓ ମହିଳାଙ୍କୁ ନଜରରେ ରଖି ବିଜେଡିର କାର୍ଯ୍ୟକ୍ରମ । ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସିଥିବା ବିଜେଡି ଏବେ ଦୁଇପାଦ ଆଗକୁ ବଢି ପ୍ରସ୍ତୁତ କରିଛି ମହିଳା କ୍ୟାଲେଣ୍ଡର । ଏହାର ନାଁ ରଖାଯାଇଛି ଡିଜିଟାଲ ଓମେନ ସ୍କିମ କ୍ୟାଲେଣ୍ଡର ୨୦୨୧ । ଏଥିରେ ଟ୍ୟାଗ ଲାଇନ ରହିଛି ମା’କୁ ସମ୍ମାନ, ବିଜୁ ଜନତା ଦଳର ସ୍ୱାଭିମାନ । ବିଜେଡି ପ୍ରଥମ ଥର ପାଇଁ ଦଲୀୟ କ୍ୟାଲେଣ୍ଡରରେ ମହିଳାଙ୍କୁ ସ୍ଥାନ ଦେଇ ସୋସିଆଲ ମିଡିଆରେ ଏହାକୁ ଲଞ୍ଚ କରିଛି ।

ବିଜେଡିର ମହିଳା ସଶକ୍ତିକରଣ ଅଭିଯାନ । ସବୁବେଳେ ମହିଳାଙ୍କୁ ପ୍ରଧାନ୍ୟ ଦେଉଥିବା ବିଜେଡି ମହିଳା ଭୋଟକୁ ନିଜ ହାତରେ ସୁରକ୍ଷିତ ରଖିବା ପାଇଁ ପ୍ରଚାରର ଭିନ୍ନ ତରିକା ଆପଣାଇଛି । ଏଥିପାଇଁ ଦଳ ପ୍ରସ୍ତୁତ କରିଛି ଏହି ସ୍ୱତନ୍ତ୍ର ଡିଜିଟାଲ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠା ଉପରେ ମହିଳାଙ୍କ ଫଟୋ ଥିବା ବେଳେ ତଳେ ରହିଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ।

ପ୍ରତିଟି ପୃଷ୍ଠାରେ ମହିଳାଙ୍କ ପାଇଁ ଥିବା ସରକାରୀ ଯୋଜନା ସବୁ ଉଲ୍ଲେଖ ରହିଛି । କ୍ୟାଲେଣ୍ଡରର ୧୨ ମାସ ଅନୁସାରେ ୧୨ଟି ପ୍ରମୁଖ ଯୋଜନା ସ୍ଥାନ ପାଇଛି । ତେବେ ବିଜେଡିର କାହିଁକି ଏ ମହିଳା କ୍ୟାଲେଣ୍ଡର ? କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଛନ୍ତି ଯେ, ମହିଳାଙ୍କ ବିକାଶ ବିନା ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ ଅସମ୍ଭବ । ଏପରିକି ବିଜେଡି ସାଂଗଠନିକ କ୍ଷେତ୍ରରେ ମହିଳାଙ୍କୁ ପ୍ରାଧାନ୍ୟ ଦେବା ସହ ୮ଜଣ ମହିଳାଙ୍କୁ ସଂସଦକୁ ପଠାଇଛି । ଦଳ ଆଗକୁ ପଂଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ରାଜନୈତିକ ନୈତୃତ୍ବ ଦେବାରେ ଅଗ୍ରାଧିକାର ଦେବ ।

ସେପଟେ ମହିଳା ସଶକ୍ତିକରଣ ନେଇ ବିଜେଡିର ଲମ୍ବା ବ୍ଲୁ ପ୍ରିଣ୍ଟ ପରେ ବିରୋଧୀ ମହିଳାଙ୍କୁ ନେଇ ସୁନେଲି ସ୍ୱପ୍ନ ଦେଖାଇବା ଆରମ୍ଭ କରିଛନ୍ତି । କଂଗ୍ରେସ କହିଛି ଯେ, ଲୋକସଭା ଆସନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ କରାଯିବ । କଂଗ୍ରେସ ସବୁ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଇଛି ଓ ଦେବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

‘ଜୋ ବିଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ, ନିଜର କାର୍ଯ୍ୟକାଳର ପ୍ରଶଂସା କଲେ’

ଗୋଟିଏ ପଟେ ଆମେରିକାର ନୂଆ ବସ୍‌ ଭାବେ ଜୋ ବିଡେନ୍‌ ଶପଥ ନେଇଥିବା ବେଳେ ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଦାୟ ନେଇଛନ୍ତି । ନିଜ କାର୍ଯ୍ୟକାଳର ଶେଷ ଦିନରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ରମ୍ପ ।

ଏହି ବାର୍ତ୍ତାରେ ଟ୍ରମ୍ପ ନିଜ ସମୟର ରାଷ୍ଟ୍ରପତି କାର୍ଯ୍ୟକାଳକୁ ବେଶ ପ୍ରଶଂସା କରିଛନ୍ତି । ନୂଆ ସରକାରକୁ ଅଭିନନ୍ଦନ ଜଣାଇ ଟ୍ରମ୍ପ କହିଛନ୍ତି, ଏବେ ଆମକୁ ନୂଆ ସରକାର ମିଳିବାକୁ ଯାଉଛି । ଆମେ ବିଡ଼େନ ସରକାରଙ୍କ ସଫଳତା କାମନା କରୁଛୁ ଏବଂ ଚାହୁଁଛୁ ସେମାନେ ଆମେରିକାକୁ ସୁରକ୍ଷିତ ଓ ସମୃଦ୍ଧ ରଖନ୍ତୁ । କିନ୍ତୁ ଆମେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲୁ ତାହା ଜାରି ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ଟ୍ରମ୍ପ ।

ସେହିପରି କ୍ୟାପିଟୋଲ୍ ହଲରେ ନିଜ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାକୁ ଟ୍ରମ୍ପ ନିନ୍ଦା କରିଛନ୍ତି । ରାଜନୈତିକ ହିଂସାକୁ କେବେ ବି ଗ୍ରହଣ କରାଯିବ ନାହିଁ । ଟ୍ରମ୍ପ ମଧ୍ୟ ନିଜ ସରକାରର ଉପଲବ୍ଧି ଉପରେ ଚର୍ଚ୍ଚା କରି କହିଛନ୍ତି, ଆମେ ଗର୍ବିତ ଯେ ଦଶନ୍ଧିରେ ଏଭଳି ଜଣେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ, ଯିଏ କେବେ ବି ଯୁଦ୍ଧର ଶୁଭାରମ୍ଭ କରିନାହାନ୍ତି ।

ଜୟଦେବ ଭବନଠାରେ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ପାଳିତ

0

ଭୁବନେଶ୍ୱର: ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ମହାନ ବିପ୍ଲବୀ ଚାଖି ଖୁଣ୍ଟିଆଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସଭା ଆୟୋଜନ ହୋଇଥିଲା ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଚାଖି ଖୁଣ୍ଟିଆଙ୍କ ବଳିଦାନ, ତ୍ୟାଗ, ଦେଶପ୍ରେମ ଭାବ ଓ ବୀରତ୍ୱ ବିଷୟରେ ଆଲୋଚନା କରିଥିଲେ ।

ଅନ୍ୟପଟେ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡ଼ ଲେନିନୀ ମହାନ୍ତି , ଚାଖି ଖୁଣ୍ଟିଆଙ୍କ ଦାୟାଦ ହଜୁରୀ ଭୀମସେନ ଖୁଣ୍ଟିଆ, ପୁରୀର ଚାଖି ଖୁଣ୍ଟିଆ ସ୍ମୃତି ସମିତି ପକ୍ଷରୁ ଡ଼ ବସନ୍ତ ପତି ପ୍ରମୁଖ ଏହି ସ୍ମୃତି ସଭାରେ ସାମିଲ ହୋଇ ଚାଖି ଖୁଣ୍ଟିଆଙ୍କ ବୀରତ୍ୱ ବିଷୟରେ ଆଲୋଚନା କରିଥିଲେ ।

 

ଏଣିକି ଚିଲ୍ଡ୍ରେନ୍‌ କୋର୍ଟ ବିଚାର କରିବେ ପରୀ ହତ୍ୟା ମାମଲା

ନୟାଗଡ଼: ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ନୟାଗଡ଼ ଚିଲ୍ଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତର ହେଲା ମାମଲା । ଏଣିକି ଯାହା ଶୁଣାଣି ହେବ ଚିଲ୍ଡ୍ରେନ୍‌ କୋର୍ଟରେ ହେବ । ଆଉ ଯାହା ନିଷ୍ପତି ହେବ ଚିଲ୍ଡ୍ରେନ୍‌ କୋର୍ଟରେ ହେବ । ଚିଲ୍ଡ୍ରେନ୍‌ କୋର୍ଟ ହିଁ ଏହି ମାମଲାର ପ୍ରକୃତ ଉପଯୁକ୍ତ ନିଷ୍ପତି ନେଇପାରିବେ । ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ବିଷ୍ଣୁ ପ୍ରସନ୍ନ ମହାପାତ୍ର । ସେ ଆହୁରି କହିଛନ୍ତି, ଏଣିକି ଅଭିଯୁକ୍ତ ସରୋଜକୁ ମୃତ୍ୟୁ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡାଦେଶ ଦିଆଯାଇପାରିବ ନାହିଁ ।  କିନ୍ତୁ ନାବାଳକ ହୋଇଥିଲେ ମଧ୍ୟ ଯଦି ଜଣେ ଜଘନ୍ୟ ଅପରାଧ କରିଥିବ ତେବେ ଚିଲ୍ଡ୍ରେନ୍‌ କୋର୍ଟରେ ମଧ୍ୟ କଠିନ ଦଣ୍ଡାଦେଶ ଦିଆଯାଇପାରିବ । ଏଭଳି ଦଣ୍ଡାଦେଶ ଦିଆଯିବ ଯେଉଁଥିରେ ସେ ନିଜକୁ ସୁଧାରିବ ଏବଂ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ।

‌ସୂଚନାଯୋଗ୍ୟ, ଆଜି ସରୋଜକୁ କଡ଼ା ସୁରକ୍ଷା ବଳୟ ଭିତରେ ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ନୟାଗଡ଼ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ଼ରେ ଚତୁର୍ଥ ଥର ପାଇଁ ହାଜର କରାଯାଇଥିଲା । ଅଭିଯୁକ୍ତ ନାବାଳକର LVA ଟେଷ୍ଟ ପାଇଁ ଆବେଦନର ଆଜି ଶୁଣାଣି କରାଯାଇଛି । ଲେୟାର ଭଏସ ଆନାଲିସିସ୍‌ ଟେଷ୍ଟ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଗତ ୧୩ ତାରିଖରେ ଆବେଦନ କରିଥିଲା ଏସଆଇଟି । ଆବେଦନକୁ ଗ୍ରହଣ କରି ବୁଧବାର ଶୁଣାଣି ପାଇଁ ସ୍ଥିର କରିଥିଲେ ଜୁଭେନଇଲ ଜଷ୍ଟିସ ବୋର୍ଡ ।

ଏହା ସହ ହତ୍ୟାକାଣ୍ଡ ସମ୍ପର୍କିତ କିଛି ସାମଗ୍ରୀର ପରୀକ୍ଷା ପାଇଁ ଏସଆଇଟି କରିଥିବା ଆବେଦନକୁ ବୋର୍ଡ ଅନୁମତି ଦେଇଥିଲା । ପୂର୍ବରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନକୁ ଅନୁମତି ଦେଇ ନଥିଲା ଜୁଭେନାଇଲ ବୋର୍ଡ । ସମ୍ପୃକ୍ତ ନାବାଳକ ରାଜି ନ ହେବାରୁ ବୋର୍ଡ ଅନୁମତି ଦେଇନଥିଲା ।

ପରେ ପରେ ଏସଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ମଧ୍ୟ ଆବେଦନ କରିଥିବା ବେଳେ ଅଭିଯୁକ୍ତ ଏହାକୁ ଗ୍ରହଣ କରି କରିନଥିଲା । ତେବେ ଅଭିଯୁକ୍ତର LVA ଟେଷ୍ଟ ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି । ଗତ ଡିସେମ୍ବର ୨୦ ତାରିଖରେ ଏସଆଇଟି ସଂପୃକ୍ତ ନାବାଳକକୁ ଗିରଫ କରିଥିଲା ବେଳେ ୨୧ ତାରିଖରେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଇ ୩ ଦିନିଆ ରିମାଣ୍ଡରେ ନେଇଥିଲା । ପରେ ନାବାଳକ ଦର୍ଶାଇ ମାମଲା ଜୁଭେନଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲେ କୋର୍ଟ ।

କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

0

ହାଇଦ୍ରାବାଦ: କରୋନା ଟିକା ନେଇଥିବା ତେଲେଙ୍ଗାନାର ୪୨ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଇଛି। ମଙ୍ଗଳବାର କରୋନା ଟିକା ନେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ତେଲେଙ୍ଗାନାର ନିର୍ମଳ ଜିଲ୍ଲା କୁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ। ମଙ୍ଗଳବାର ଦିନ ୧୧.୩୦ରେ ତାଙ୍କୁ ଟିକା ଦିଆଯାଇଥିଲା। ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ରହିଥିଲେ। କିନ୍ତୁ ଜାନୁଆରୀ ୨୦ ତାରିଖ ଭୋର ୨.୩୦ ମିନିଟ୍‌ରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜି ଶ୍ରୀନିବାସ ରାଓଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସରିଲିଜ୍ ରେ କୁହାଯାଇଛି ଯେ ୪୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। କରୋନା ଟିକାରୁ ତାଙ୍କ ମୃତ୍ୟୁ ଘଟିନଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତଥାପି ଗାଇଡଲାଇନ ଅନୁଯାୟୀ, ଗୋଟିଏ ଡାକ୍ତାରୀ ଟିମ୍‌ ତାଙ୍କ ଶବ ବ୍ୟବଚ୍ଛେଦ କରିବେ। ଏହାପରେ ଜିଲ୍ଲା ଏଇଏଫଆଇ ରିପୋର୍ଟକୁ ସମୀକ୍ଷା କରି ରାଜ୍ୟ ଏଇଏଫଆଇ କମିଟି ନିକଟକୁ ଏହା ପଠାଇବ। ପରେ ରାଜ୍ୟ ଏଇଏଫଆଇ ଏହି ରିପୋର୍ଟକୁ କମିଟି କେନ୍ଦ୍ରୀୟ ଏଇଏଫଆଇକୁ ପଠେଇବ।

 

ଫୁଲ ପ୍ରେମରେ ପାଗଳ ଗୟାଧର, ଘର ଛାତ ଲାଗୁଛି ସତେ ଉଦ୍ୟନ

ଜଗତସିଂହପୁର: ଫୁଲ ପ୍ରେମରେ ପାଗଳ ଗୟାଧର । ପେଶାରେ ଜଣେ ମାଛ ବ୍ୟବସାୟୀ । ହେଲେ ନିଶା ତାଙ୍କର ଫୁଲ ଗଛ ଲଗାଇବା । ଦିନରେ ଟିକିଏ ଫୁରସତ ମିଳିବା ମାତ୍ରେ ନିଜ ବଗିଚାର ସଫାସୁତରା କାର୍ଯ୍ୟରେ ଲାଗିପଡନ୍ତି । ଗଛରେ ପାଣି ଦେବା, ଔଷଧ, ସାର ଆଦି ଦେଇ ଗଛ ସେବାରେ ଲାଗି ସମୟ କାଟିଥାନ୍ତି ।

ବଗିଚାରେ ପରିଣତ ହୋଇଛି ଘର ଛାତ ଓ ବାଡ଼ି । ସୁନ୍ଦର ସୁନ୍ଦର ଫୁଲ ଗଛ ଘର ଅଗଣାର ଶୋଭା ମଣ୍ଡନ କରୁଛି । ଗେଣ୍ଡୁ ଗୋଲାପ ସାଙ୍ଗକୁ ସେବତୀ, ମାଳତୀ ଫୁଲ, ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରୁଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ପଞ୍ଚାୟତ ନିମିଢି ଗାଁର ଗୟାଧର ତରାଇ । ତାଙ୍କର ପ୍ରକୃତି ପ୍ରେମ ଓ ନିଆରା ପ୍ରୟାସ ଯୋଗୁଁ ଘର ଭିତରେ ଓ ଛାତ ଲାଗୁଛି ବଗିଚା ।

ନିଜ ଛାତରେ ୨୦ରୁ ୨୫ ପ୍ରକାର ଫୁଲ ଗଛ ଲଗାଇଛନ୍ତି ଗୟାଧର । ଦିନରେ ଟିକିଏ ଫୁରସତ୍ ମିଳିଲେ ସେ ବଗିଚା କାମରେ ଲାଗନ୍ତି ।  ପାରାଦୀପ ରିଫାଇନାରୀ ଟାଉନସିପର ଫ୍ଲାୱାର ସୋ’ରେ ସ୍ଥାନ ମଧ୍ୟ ପାଇଛି ଗୟାଧରଙ୍କ ଫୁଲ । ଆଉ ୫ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରୁଛନ୍ତି ଗୟାଧର ।

ସହିଦଙ୍କ ସ୍ମୃତି ସ୍ତମ୍ଭ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ

ଯାଜପୁର: ସହିଦଙ୍କୁ ଅସମ୍ମାନ । ସହିଦଙ୍କୁ ଭୁଲିଗଲା ପ୍ରଶାସନ । ସହିଦଙ୍କ ସ୍ମୃତିସ୍ତମ୍ଭ ଅବହେଳିତ । ଯାଜପୁର ବୃନ୍ଦାବନପୁର ସହିଦ ସ୍ମୃତିପୀଠ ଏବେ ଅବହେଳିତ ଅବସ୍ଥାରେ । ସ୍ଥାନୀୟ ପ୍ରଶାସନ କି ସରକାରଙ୍କ ଏହି ସ୍ମୃତିସ୍ତମ୍ଭ ଉପରେ ନଜର ପଡୁନଥିବା ବେଳେ ଏହା ମଦ୍ୟପଙ୍କ ପାଲଟିଛି ଆଡ୍ଡାସ୍ଥଳୀ । ଏହା ସହିତ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ।

ଆମେ କହୁଛୁ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଯାଜପୁର ଜିଲ୍ଲା ବୃନ୍ଦାବନପୁରର ସହିଦ ହୃଷିକେଶ ମଲ୍ଲିକଙ୍କ ସ୍ମୃତିସମ୍ଭ । ଅବହେଳିତ ହୋଇ ପଡ଼ିରହିଥିବା ଏହି ସ୍ମୃତିସ୍ତମ୍ଭ ପରିସରକୁ ବିଦ୍ୟୁତକରଣ, ପାଚେରୀ ନିର୍ମାଣ ବ୍ୟବସ୍ଥା ସହିତ ସହିଦଙ୍କୁ ମନେ ରଖିବା ପାଇଁ ସ୍କୁଲ କିମ୍ବା ଚିକିତ୍ସାଳୟ ସ୍ଥାପନା ପାଇଁ ଦାବି ହୋଇଛି ।

୨୦୧୦ ମସିହା ଏପ୍ରିଲ ୬ ତାରିଖରେ ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ କୁମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ନକ୍ସଲ ହମଲାର ଶିକାର ହୋଇଥିଲେ ସିଆରପିଏଫର ୬୨ ବାଟାଲିୟନ । ଏହି ଅତର୍କିତ ଆକ୍ରମଣରେ ୭୬ ଜଣ ବୀର ଯବାନ ସହିଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ହୃଷିକେଶ ମଧ୍ୟ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ୧୧ ବର୍ଷ ପୁରି ଯାଇଛି, ହେଲେ ଏପର୍ଯ୍ୟନ୍ତ ସହିଦଙ୍କ ପରିବାରକୁ ଦୃଷ୍ଟି ଦେଇନି ପ୍ରଶାସନ ।

ଦୀର୍ଘ ଦିନ ନିଖୋଜ ପରେ ସାମ୍ନାକୁ ଆସିଲେ ଜ୍ୟାକ୍ ମା

ବେଜିଂ: ଦୀର୍ଘ ଦିନ ପରେ ସାମ୍ନାକୁ ଆସିଲେ ଆଲିବାବା ଓ ଆଣ୍ଟ ଗ୍ରୁପର ସହ-ପ୍ରତିଷ୍ଠାତା ତଥା ଚାଇନାର ଶିଳ୍ପପତି ଜ୍ୟାକ୍ ମା ।  ଦୀର୍ଘ ଦିନର ବ୍ୟବଧାନ ପରେ ସାର୍ବଜନୀନ ଭାବେ ସର୍ବସମ୍ମୁଖରେ ଉପସ୍ଥିତ ହୋଇଛନ୍ତି ଜ୍ୟାକ୍ ମା । ଆଜି ଏକ ଅନଲାଇନ୍ ସମ୍ମିଳନୀରେ  ଜ୍ୟାକ୍ ମା ଶିକ୍ଷକମାନଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି ।

ଗ୍ରାମୀଣ ଶିକ୍ଷାର ସଫଳତା ସହିତ ଜଡିତ ବାର୍ଷିକ ଇଭେଣ୍ଟର ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସି ଜରିଆରେ ଜ୍ୟାକ୍ ମା ଉଦବୋଧନ ଦେଉଥିବା ଦେଖିବାକୁ ମିଳିଛି। ତାଙ୍କ କମ୍ପାନୀ ଉପରେ ଚୀନ୍ ସରକାରଙ୍କ ପକ୍ଷରୁ ଚାଲିଥିବା ଅନୁସନ୍ଧାନ ସହ ତାଙ୍କ ଭବିଷ୍ୟତ ନେଇ ଅନେକ ଆଲୋଚନା ହେଉଥିଲା । କିନ୍ତୁ କାର୍ଯ୍ୟକ୍ରମରେ ଜ୍ୟାକ୍ ମା’ଙ୍କ ଆବିର୍ଭାବ ସମସ୍ତଙ୍କୁ ଚକିତ କରିଦେଇଛି।

ଚୀନର ତୃତୀୟ ଧନୀ ଓ ଦୁନିଆର ଲକ୍ଷାଧିକଙ୍କ ପ୍ରେରଣା ଜ୍ୟାକ୍ ମା  ଦୁଇମାସ ହେବ ଗାୟବ ଥିଲେ । ତେବେ ଅକ୍ଟୋବର ମାସରେ ଚୀନର ଷ୍ଟକ୍ ମାର୍କେଟ୍ ଓ ସରକାରୀ ବ୍ୟାଙ୍କ ନୀତିକୁ ସମାଲୋଚନା କରି ଜ୍ୟାକ୍ ସାଙ୍ଘାଇରେ ଭାଷଣ ଦେଇଥିଲେ। ଯାହାକୁ ନେଇ ତାଙ୍କର ପରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ବିବାଦ ହୋଇଥିଲା। ଏହାପରଠାରୁ ଜ୍ୟାକଙ୍କ ପତା ମିଳୁନଥିଲା। । ତେଣୁ, ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଭିନ୍ନ ରାଷ୍ଟ୍ର ଜ୍ୟାକ୍ ମାଙ୍କ ଅନ୍ତର୍ଧ୍ୟାନ ପଛରେ ଚାଇନାର ହାତଥିବା କହିଥିଲେ। ଗତ ଅକ୍ଟୋବର ୧୦ରେ ଜ୍ୟାକ୍ ମା’ଙ୍କ ଶେଷ ଟ୍ୱିଟ୍ ଦେଖିବାକୁ ମିଳିଥିଲା ।

 

 

ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ଲାନ୍ ‘ଇକୋ ଭିଲେଜ୍‌’

ଭୁବନେଶ୍ୱର: ପ୍ରଥମେ ଇକୋ ରିଟ୍ରିଟ ଆଉ ଏବେ ଇକୋ ଭିଲେଜ । ଗ୍ରାମାଞ୍ଚଳରେ ଅସଜଡା ହୋଇଥିବା ଅର୍ଥନୀତିକୁ ସଜାଡିବା ପାଇଁ ସରକାର ଆରମ୍ଭ କରିଛନ୍ତି ବଡ଼ ଯୋଜନା । ଇକୋ ଭିଲେଜରେ ଯୋଡି ହେବେ ସାଧାରଣ ଲୋକେ । ଏହାଫଳରେ ଗାଁ ଗାଁ ରେ ଅର୍ଥନୀତି ସୁଦୃଢ ହେବା ସହ ପର୍ଯ୍ୟଟନର ବିକାଶ ବି ହୋଇପାରିବ । ଏନ୍‌ଆର୍‌ଇଜିଏସ୍‌ ଫଣ୍ଡ ଏବଂ ଜିଲ୍ଲା ସ୍ତରର କିଛି ସ୍ୱତନ୍ତ୍ର ଫଣ୍ଡ ସହାୟତାରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ଏହି କାର୍ଯ୍ୟ । ଇକୋ ଭିଲେଜରେ ରହିଛି ସମସ୍ତ ସୁବିଧା । ଯାହାକୁ ସ୍ୱାଗତ କରିଛନ୍ତି ଟୁର ଅପରେଟର ।

କରୋନା ଉଜାଡି ଦେଇଛି ଅର୍ଥନୀତିର ମେରୁଦଣ୍ଡ । ଏହାକୁ ଟ୍ରାକ୍ ଲାଇନକୁ ଆଣିବା ପାଇ ପର୍ଯ୍ୟଟନ କ୍ଷେତ୍ର ହେବ ମାଇଲଖୁଣ୍ଟ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ଏହି ଇକୋ ଭିଲେଜ୍‌ ଯୋଜନା । ଗ୍ରାମାଞ୍ଚଳ ଲୋକଙ୍କୁ ସିଧାସଳଖ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି କମ୍ୟୁନିଟି ଡ୍ରିଭେନ ଟୁରିଜିମ୍‌ ଇନିସିଏଟିଭ୍‌ ।

ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଯୋଜନାର ନାଁ ରହିଛି ‘ଇକୋ ଭିଲେଜ’ । ସାତକୋଶିଆ ମହାନଦୀ ଅବବାହିକାରେ ଇକୋ ଭିଲେଜ ଆକାରରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବାଲିପୁଟ ଅଂଚଳର ବହୁ ଯୁବକ ସାମିଲ ହୋଇଛନ୍ତି । ଇକୋ ଭିଲେଜରେ ରହିବ ୭ଟି ଟେଣ୍ଟ, ଯେଉଁଥିରେ ୨୭ଟି ରୁମ୍‌, ମିନି କନଫରେନସ୍‌ ହଲ୍‌ ଡର୍ମିଟୋରୀ ମଧ୍ୟ ରହିଛି । ଜିଲ୍ଲା ପ୍ରଶାସନ ସହାୟତାରେ ଲୋକେ ଏହାକୁ ଚଳାଇବା ସହ ଆଗକୁ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ କରାଯିବା ବୋଲି ଲକ୍ଷ୍ୟ ରଖାଯାଇଛି ।

ଇକୋ ଭିଲେଜେରେ ଯୋଡି ହୋଇପାରିବେ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ଏଠାରେ ବଣଭୋଜି ସେଣ୍ଟର କରାଯାଇଛି । ସାଧାରଣ ଲୋକେ ଅଳ୍ପ ଖର୍ଚ୍ଚରେ ଏହାର ଉପଭୋଗ କରିପାରିବେ । ଆଗକୁ ଡେ’ ଟୁରିଜିମ୍‌ ଏବଂ ଏକ ସାଇନସ ପାର୍କ ମଧ୍ୟ କରାଯିବାର ଯୋଜନା ରହିଛି । ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଟୁର୍‌ ଅପରେଟର । ଏହି ଉଦ୍ୟମ ଫଳରେ ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ସହ ପର୍ଯ୍ୟଟନ ଓ ଜଂଗଲର ସୁରକ୍ଷା ହୋଇପାରିବ ବୋଲି କୁହାଯାଇଛି ।