୫ ଦିନ ପରେ ରାଜ୍ୟକୁ ପୁଣି ଫେରିବ ତାତି

1 min read
Odisha Weather Forecast Heat Wave

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ । ବାୟୁ ମଣ୍ଡଳରେ ସାମାନ୍ୟ ଜଳୀୟବାଷ୍ପ ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆଜି ରାଜ୍ୟରେ ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରୀ ସେଲସିୟସ୍ ରହିଛି । ଭୁବନେଶ୍ୱରରେ ପାରଦ ୩୮.୬ ଡିଗ୍ରୀ ଥିବାବେଳେ କଟକରେ ପାରଦ ୩୮.୨ ଡିଗ୍ରୀ, ତାଳଚେରରେ ୩୮.୧ ଡିଗ୍ରୀ, ମାଲକାନଗିର-ନୟାଗଡ଼-ବଲାଙ୍ଗିର-ସୁନ୍ଦରଗଡ଼ ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।

ବଦଳିବ ପାଣିପାଗର ମିଜାଜ, ଦୁଇଦିନ ପାଇଁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ସାମୁଦ୍ରିକ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢିଛି । ଏହାର ପ୍ରଭାବରେ ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ।

ତେବେ ଅନ୍ୟ ଅଞ୍ଚଳରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଖରାକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଉତ୍ତର, ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତରେ ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ରାଜ୍ୟରେ ତାତି ବଢ଼ିବ ।

Leave a Reply