Hurun Global Rich List 2021: ଅଷ୍ଟମ ସ୍ଥାନରେ ଅମ୍ୱାନୀ, ବିଲେନିୟର୍‌ କ୍ଳବ୍‌ରେ ଆଉ ୫୦ ଜଣ ସାମିଲ

1 min read

ନୂଆଦିଲ୍ଲୀ: ହୁରୁନ୍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତିଙ୍କ ତାଲିକା । ଯେଉଁ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଏବଂ ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ୱାନୀ । ଗତ ୧ ବର୍ଷ ମଧ୍ୟରେ ଅମ୍ୱାନୀଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ି ୮୩ ଆରବ ଡଲାରରେ ପହଞ୍ଚିଛି । ଭାରତୀୟ ମୁଦ୍ରାରେ ଏହା ହେଉଛି ୬.୦୯ ଲକ୍ଷ କୋଟି ଟଙ୍କା  । ହୁରୁନ୍ ଗ୍ଳୋବାଲ ରିଚ୍ ଲିଷ୍ଟ ୨୦୨୧ରେ ସ୍ଥାନିତ ହୋଇଥିବା ଅନ୍ୟ ଭାରତୀୟ ଆରବପତି ମଧ୍ୟରେ ୪୮ ତମ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ଯାହାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୨.୩୪ ଲକ୍ଷ କୋଟି ଟଙ୍କା । ସେହିଭଳି ୫୮ ତମ ସ୍ଥାନରେ ରହିଛନ୍ତି  ଶିବ ନାଦର । ଯାହାଙ୍କ ସମ୍ପତ୍ତି ମୂଲ୍ୟ ୧.୯୪ ଲକ୍ଷ କୋଟି ଟଙ୍କା  । ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଜଣେ ଭାରତୀୟ ଆରବପତି ହେଉଛନ୍ତି ଲକ୍ଷ୍ମୀ ଏନ୍ ମିତଲ । ଯାହାଙ୍କ ସମ୍ପତ୍ତି ମୂଲ୍ୟ ୧.୪୦ ଲକ୍ଷ କୋଟି ଟଙ୍କା । ସେ ତାଲିକାର ୧୦୪ ତମ ସ୍ଥାନରେ ରହିଛନ୍ତି । କରୋନା ଭ୍ୟାକ୍ସିନ୍‌ର ପାଇଁ ଚର୍ଚ୍ଚାରେ ରହିଆସୁଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍ ପୁନାଓ୍ୱାଲା ୧.୩୫ ଲକ୍ଷ କୋଟି ଟଙ୍କା ସହ ୧୧୩ ତମ ସ୍ଥାନରେ ରହିଛନ୍ତି ।

        ହୁରୁନ ପକ୍ଷରୁ ପ୍ରକାଶିତ ବିତ୍ତଶାଳୀ ବ୍ୟକ୍ତିଙ୍କ ତାଲିକାରେ ୨୦୯ ଜଣ ଭାରତୀୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୭ ଜଣ  ଭାରତରେ ରହୁଛନ୍ତି । ଅରପପକ୍ଷରେ ଆମେରିକାରେ ଆରବପତିଙ୍କ ସଂଖ୍ୟା ୬୮୯ ହୋଇସାରିଛି । ଭାରତରେ ଗତ ବର୍ଷ ୫୦ ଜଣ ବ୍ୟକ୍ତି ବିଲେନିୟର କ୍ଳବ୍‌ରେ ସାମିଲ ହୋଇଛନ୍ତି । ଭାରତୀୟମାନଙ୍କ ମଧ୍ୟରେ Zscalerର ଜୟ ଚୌଧୁରୀଙ୍କ ସମ୍ପତ୍ତି ସବୁଠାରୁ ଅଧିକ ବୃଦ୍ଧି ଘଟିଛି । ତାଙ୍କ ସମ୍ପତ୍ତି ୨୭୧ ପ୍ରତିଶତ ବଢ଼ି ୯୬୦୦୦ କୋଟି ହୋଇଛି । ଜୟ ଚୌଧୁରୀଙ୍କ ପରେ ଆଦାନୀ ଗ୍ରୁପର ବିନୋଦ ଶାନ୍ତିଲାଲ ଅଦାନୀ ରହିଛନ୍ତି । ଯାହାଙ୍କ ସମ୍ପତ୍ତି ୧୨୮ ପ୍ରତିଶତ ବଢ଼ି ୭୨ ହଜାର କୋଟିରେ ପହଞ୍ଚିଛି ।

ହୁରୁନ୍ ଗ୍ଳୋବାଲ୍ସ ରିଚ୍ ଲିଷ୍ଟ ୨୦୨୧ରେ ଟପରେ ରହିଛନ୍ତି ତେସଲାର ଏଲନ୍‌ ମସ୍କ ରହିଛନ୍ତି । ମସ୍କଙ୍କ ସମ୍ପତ୍ତି ଗୋଟିଏ ବର୍ଷ ମଧ୍ୟରେ ୩୨୮ ପ୍ରତିଶତ ବଢ଼ି ୧୯୭ ଆରବ ଡଲାରରେ ପହଞ୍ଚିଛି । କେବଳ ୧ ବର୍ଷ ମଧ୍ୟରେ  ମସ୍କଙ୍କ ସମ୍ପତ୍ତି ୧୫୧ ଅରବ ଡଲାରର ବୃଦ୍ଧି ଘଟିଛି । ହୁରୁନ୍ ଲିଷ୍ଟରେ ଏଭଳି ୩ ଜଣ ସାମିଲ ହୋଇଛନ୍ତି ଯେଉଁମାନଙ୍କ ସମ୍ପତ୍ତି ଗତ ୧ ବର୍ଷ ମଧ୍ୟରେ ୫୦ ଅରବ ଡଲାର ବୃଦ୍ଧି ଘଟିଛି । ଏଲନ୍ ମସ୍କଙ୍କ ବ୍ୟତୀତ ଅମେଜନ୍ର  ଜ୍ୟାକ୍ ବେଜୋସ୍ ଏବଂ Pinduoduo ର Colin Huang ରହିଛନ୍ତି । ବେଜୋସ୍ ଏବଂ ହୁଆଙ୍ଗ୍ ଉଭୟଙ୍କ ସମ୍ପତ୍ତି ୫୦-୫୦ଅରବ ଡଲାର ବୃଦ୍ଧି ଘଟିଛି ।

ତେବେ ଅଲିବାବାର ଫାଉଣ୍ଡର ଜ୍ୟାକ୍ ମା ଆଉ ଚୀନର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତି ହୋଇ ଆଉନାହାନ୍ତି । ୨୦୨୧ର ହୁରୁନ୍ ଲିଷ୍ଟରେ ସେ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି । ବର୍ତ୍ତମାନ ଚୀନର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହେଉଛନ୍ତି ପାଣି ପ୍ରସ୍ତୁତକାରୀ ନନ୍‌ଗୁଫୁ ସ୍ପ୍ରିଙ୍ଗ୍ର  ଜୋଙ୍ଗ୍ ସାନ୍‌ସାନ୍  ।

ଏଥିସହିତ ପଢ଼ନ୍ତୁ: ବଢ଼ୁଛି ଇଲେକ୍ଟ୍ରିକ୍ ବାଇକର ଚାହିଦା, ଜାଣନ୍ତୁ ଏହାକୁ କିଣିଲେ କ’ଣ ମିଳିବ ଫାଇଦା

Leave a Reply