spot_img
Home Blog Page 6009

Farm Laws: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ କୃଷକ କହିଲେ ଆଲୋଚନା ପାଇଁ ପ୍ରସ୍ତୁତ, ତାରିଖ ଦିଅନ୍ତୁ ସରକାର

ନୂଆଦିଲ୍ଲୀ: ପୁଣି ଆଲୋଚନା ପାଇଁ କେନ୍ଦ୍ରକୁ ତାରିଖ ମାଗିଲେ କୃଷକ । ନଭେମ୍ବରରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା କୃଷକ ସଂଗଠନ ପୁଣି ଆଲୋଚନା ପାଇଁ ରାଜି ହୋଇଛନ୍ତି । ସୋମବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ମୋଦି ଅଭିଭାଷଣ ରଖିଥିଲେ । କୃଷକଙ୍କୁ ଆନ୍ଦୋଳନ ଶେଷ କରିବାକୁ ଅନୁରୋଧ କରିବା ସହ ଆନ୍ଦୋଳନ ପରିବର୍ତ୍ତେ ଏହାକୁ ଆଲୋଚନାରେ ସମାଧାନ କରାଯିବା ଉଚିତ୍ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ କୃଷକ ସରକାରଙ୍କୁ ଆଲୋଚନା ଲାଗି ତାରିଖ ମାଗିଛନ୍ତି ।

ସଂଯୁକ୍ତ କିଶାନ ମୋର୍ଚ୍ଚାର ବରିଷ୍ଠ ନେତା ଶିବ କୁମାର କକ୍କା କହିଛନ୍ତି- କୃଷକ ସଂଗଠନ ପରବର୍ତ୍ତୀ ପର୍ଯ୍ୟାୟ କଥାବାର୍ତ୍ତା ଲାଗି ପ୍ରସ୍ତୁତ ଅଛନ୍ତି । ସରକାର ଆଲୋଚନା ଲାଗି ତାରିଖ ଓ ସମୟ ଦିଅନ୍ତୁ । ଯେତେବେଳେ ବି ସରକାର ଆଲୋଚନା ପାଇଁ ଡାକିଛନ୍ତି, ଆମେ ମନା କରିନାହୁଁ । ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । କୃଷକଙ୍କ ସହ ୧୧ ପର୍ଯ୍ୟାୟ ଆଲୋଚନା ବେଳେ ୩ କାନୁନକୁ ୧୨ରୁ ୧୮ ମାସ ଲାଗି ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ଯାହାକୁ ଖାରଜ କରିଥିଲେ କୃଷକ ।

ରାଜ୍ୟସଭାକୁ ସମ୍ବୋଧିତ କଲା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ‘ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଅଛି ଓ ରହିବ । ଗରିବଙ୍କୁ ଶସ୍ତା ଚାଉଳ ମିଳୁଛି ଏବଂ ମଣ୍ଡିକୁ ଆଧୁନିକୀକରଣ କରାଯିବ ।’ ପ୍ରଧାନମନ୍ତ୍ରୀ କୃଷକଙ୍କୁ ଅପିଲ୍ କରି କହିଥିଲେ- ପ୍ରଦର୍ଶନ କରିବା ଆପଣଙ୍କ ଅଧିକାର । କିନ୍ତୁ, ଧାରଣରେ ଏଭଳି ଭାବେ ବୃଦ୍ଧ ବା ବୟସ୍କ ବସିବା ଠିକ୍ ନୁହେଁ । ଆନ୍ଦୋଳନ ଭାଙ୍ଗିବା ପାଇଁ ଅନୁରୋଧ କରି ମୋଦି କହିଥିଲେ- ପ୍ରଦର୍ଶନକାରୀ ଆନ୍ଦୋଳନ ବନ୍ଦ କରନ୍ତୁ । ଆମେ ସମସ୍ତେ ମିଶିକରି ସମସ୍ୟାର ସମାଧାନ ଖୋଜିବା ଏବଂ ଆଲୋଚନା ପାଇଁ ସମସ୍ତ ବିକଳ୍ପ ଖୋଲା ଅଛି । ଗୃହରୁ ଆଲୋଚନା ପାଇଁ ପୁଣି ଆମନ୍ତ୍ରଣ କରୁଛି ।

ସୂଚନାଯୋଗ୍ୟ, ସରକାରଙ୍କ ସହ କୃଷକ ସଂଗଠନର ୧୧ ପର୍ଯ୍ୟାୟ ଆଲୋଚନା ସରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । କୃଷକ ଓ ସରକାର ଉଭୟ ପକ୍ଷ ନିଜ ନିଜ ଜିଦରେ ଅଡ଼ି ବସିଛନ୍ତି । ତିନି କୃଷି ବିଲକୁ ସରକାର ପ୍ରତ୍ୟାହାର କରିନେବା ଓ ଏମଏସପି ଦାବିରେ ଅଡ଼ି ବସିଛନ୍ତି କୃଷକ ସଂଗଠନ ।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବିରୋଧୀଙ୍କ କଡ଼ା ସମାଲୋଚନା, କହିଲେ ଭ୍ରମିତ କରୁଛନ୍ତି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରଖିଥିବା ଅଭିଭାଷଣକୁ ସମାଲୋଚନା କରିଛନ୍ତି ବିରୋଧିୀ । କଂଗ୍ରେସ ସାଂସଦ ମଲିକାର୍ଜୁନ୍ ଖଡଗେ କହିଛନ୍ତି ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟଙ୍କୁ ଭ୍ରମରେ ପକାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଓ ପୂର୍ବତନ କୃଷି ମନ୍ତ୍ରୀ ଶରଦ ପାଓ୍ବାରଙ୍କୁ ନେଇ ମୋଦି ଦେଇଥିବା ବୟାନ ସତ ନୁହେଁ । ବଡ କମ୍ପାନୀଙ୍କୁ ଫାର୍ମିଙ୍ଗ କଣ୍ଟ୍ରାକ୍ଟ ଦେବା କଥା କେବେ ବି କହିନଥିଲେ ମନମୋହନ ସିଂ ।

ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ କିଛି କହିବେ ବୋଲି ଆଶା ଥିଲା । ହେଲେ ସେଭଳି କିଛି କହିଲେ ନାହିଁ ମୋଦି । ଅନ୍ନଦାତାମାନେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିଲେ ମଧ୍ୟ ଏଥି ପ୍ରତି ସରକାରଙ୍କ କୌଣସି ଆନ୍ତରିକତା ନଥିବା କହିଛି କଂଗ୍ରେସ ।

ସୂଚନଯୋଗ୍ୟ, ଦେଶରେ କୃଷି ଆନ୍ଦୋଳନ ତେଜିବାରେ ଲାଗିଥିବାବେଳେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖିଛନ୍ତି । ସେ ବିରୋଧୀଙ୍କୁ କଡ଼ା ଜବାବ ଦେବା ସହ ଆନ୍ଦୋଳନକାରୀ ଚାଷୀଙ୍କୁ ମଧ୍ଯ ଏକ ଖାସ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  ଏମଏସପି ଥିଲା, ଏମଏସପି ଅଛି ଆଉ ଆଗକୁ ବି ଏମଏସପି ରହିବ, ଚାଷୀ ଆନ୍ଦୋଳନ ବନ୍ଦ କରିଦେବା ଉଚିତ୍।

ମୋଦି ଲାଲ ବାହାଦୁର ଶାସ୍ତ୍ରୀଙ୍କ କଥା ମନେପକାଇ କହିଛନ୍ତି, ଶାସ୍ତ୍ରୀଙ୍କୁ ମଧ୍ଯ କୃଷି ନିୟମ ସଂଶୋଧନ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ହେଲେ ସେ ପଛକୁ ହଟି ନଥିଲେ । ସେତେବେଳେ ବାମପନ୍ଥୀମାନେ କଂଗ୍ରେସକୁ ଆମେରିକାର ଏଜେଣ୍ଟ ବୋଲି କହୁଥିଲେ, ଆଉ ଆଜି ସେମାନେ ମୋତେ ଦୁର୍ବ୍ୟବହାର କରୁଛନ୍ତି ଗାଳି ଦେଉଛନ୍ତି ।

ଏଥିସହ ମୋଦି ବିରୋଧୀଙ୍କୁ କଡ଼ା ଯବାବ ଦେଇ କହିଥିଲେ ଯେ, ପୂର୍ବ କେନ୍ଦ୍ରମନ୍ତ୍ରୀ ଶରଦ ପାୱାରଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ଯ କୃଷି ନିୟମ ସଂଶୋଧନ ବିଷୟରେ କହିଛନ୍ତି । ଶରଦ ପାୱାର ଏବେ ବି କୃଷି ସଂଶୋଧନକୁ ନେଇ କୌଣସି ପ୍ରକାରର ବିରୋଧ କରିନାହାଁନ୍ତି । ଆମକୁ ଯାହା ଠିକ୍ ଲାଗିଲା ତାହା କଲୁ । ଆଗକୁ ବି ସଂଶୋଧନ ଜାରି ରହିବ । ଏବେ ବିରୋଧୀ ୟୁଟର୍ଣ୍ଣ ନେଉଛନ୍ତି, କାହିଁକିନା ଏବେ ରାଜନୀତି ସରଗରମ୍ ଅଛି ।

ଅଗ୍ନୀ-୫ ବଢ଼ାଇଛି ଚୀନ୍‌ର ଚିନ୍ତା, ଅନେକ ଚେଷ୍ଟା ପରେ ପ୍ରସ୍ତୁତ କରିଛି ଆଣ୍ଟିବାଲାଷ୍ଟିକ୍‌ ମିସାଇଲ

ନୂଆଦିଲ୍ଲୀ: ଗୋଟିଏ ପଟେ ପୂର୍ବ ଲଦାଖରେ ଭାରତ-ଚୀନ୍‌ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଅନ୍ୟପଟେ ଭାରତର ଘାତକ ଅଗ୍ନି-୫ କ୍ଷେପଣାସ୍ତ୍ରକୁ ମଝି ରାସ୍ତାରେ ଧ୍ୱଂସ କରିବା ପାଇଁ ଚୀନ୍ ତାର ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି । ଗତ କିଛି ଦିନ ପୂର୍ବେ ଉତ୍ତର ଚୀନ୍‌ ଅଞ୍ଚଳରେ ଏହି ପରୀକ୍ଷଣ କରାଯାଇଥିଲା । ଆଉ ଏହି ପରୀକ୍ଷଣ ସଫଳ ହୋଇଥିବା ମଧ୍ୟ ଚୀନ୍‌ ଦାବି କରିଥିଲା । ଚୀନ୍‌ର କହିବାନୁଯାୟୀ ଏହି ଆଣ୍ଟି ବଲାଷ୍ଟିକ୍‌ ମିସାଇଲ ନିର୍ଦ୍ଦିଷ୍ଟ କୌଣସି ଦେଶକୁ ଟାର୍ଗେଟ କରି ପରୀକ୍ଷା କରାଯାଇ ନାହିଁ । କିନ୍ତୁ ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଡ୍ରାଗନ୍‌ର ଏହି ଅଭ୍ୟାସ ହେଉଛି ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ପାଇଁ ।

ଚାଇନାର ରାଷ୍ଟ୍ରାୟତ୍ତ ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି ଯେ, ଏହି ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି ମଧ୍ୟଭାଗରେ ଶତ୍ରୁର ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର (ଆଇଆରବିଏମ୍) କୁ ଅଟକାଇବାରେ କ୍ଷମତା ପ୍ରଦର୍ଶନ କରିବା । ଏଥି ସହିତ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ସିଷ୍ଟମରେ ଉପଗ୍ରହ ତଥା ସାଟେଲାଇଟ୍‌ ମଧ୍ୟ ନଷ୍ଟ କରାଯାଇପାରେ । ହଂକଂରୁ ପ୍ରକାଶିତ ଏକ ଖବରକାଗଜ ସାଉଥ ଚାଇନା ମର୍ନିଂ ପୋଷ୍ଟ ମଧ୍ୟ ଏହା କୁହାଯାଇଛି ।

ଚୀନ୍‌ ରକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏହି ପରୀକ୍ଷଣ କୌଣସି ନିର୍ଦ୍ଦିଷ୍ଟ ଦେଶକୁ ଲକ୍ଷ କରି କରାଯାଇ ନାହିଁ । ତେବେ ଚୀନ୍‌ ସେନାର ଜଣେ ପାଖ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷଣ ଭାରତକୁ ଲକ୍ଷ କରି କରାଯାଇଛି । ଚୀନ୍‌ ଏହା ଦ୍ୱାରା ଭାରତକୁ ଚେତାବନୀ ଦେବାକୁ ଚାହୁଁଥିଲା । ସବୁଠାରୁ ବଡ଼ କଥା ହେଉଛି ଭରତ ନିଜର ସବୁଠାରୁ ଭୟଙ୍କର କ୍ଷେପଣାସ୍ତ୍ର ଅଗ୍ନୀ-୫କୁ ଏଥର ସୀମାରେ ମୁତୟନ କରିବାର ଯୋଜନା କରିଛି । ଏହି କ୍ଷେପଣାସ୍ତ୍ର ଭାରତରୁ ସିଧାସଳଖ ଚୀନ୍‌କୁ ଆକ୍ରମଣ କରିବାର କ୍ଷମତା ରଖୁଛି ।

ଅଗ୍ନୀ-୫ ମିସାଇଲର ରେଞ୍ଜ ୫ ହଜାର କିଲୋମିଟର ଓ ଏହା ଚୀନ୍‌ର କୌଣସି ସହରକୁ ବି ଟାର୍ଗେଟ କରିବାର କ୍ଷମତା ରଖୁଛି । ଚୀନ୍‌ ସେନାର ଜଣେ ଘନିଷ୍ଠଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନ୍‌ ଏହି ଆଣ୍ଟିବାଲାଷ୍ଟିକ୍‌ ସିଷ୍ଟମ ପ୍ରସ୍ତୁତ କରିବା ପାଇଁ ଅନେକ ଦିନ ଧରି ପ୍ରଚେଷ୍ଟା ଚଳାଇଥିଲା । ତେବେ ଏହି ପରୀକ୍ଷଣର ମୁଖ୍ୟ ଉଦେଶ୍ୟ ଭାରତକୁ ଚେତାବନୀ ଦେବା ସହ ପରମାଣୁ ଚୁକ୍ତି ବେଳେ ବ୍ଲାକ୍‌ମେଲ ରଣନୀତି ଆପଣାଇବା । ତେବେ ଏହା ମଧ୍ୟ ସୁଣିବାକୁ ମିଳୁଛି ଯେ, ଚୀନ୍‌ର ଏହି ଆଣ୍ଟିବାଲାଷ୍ଟିକ୍‌ ମିଶାଇଲ ଋଷ କିମ୍ବା ଆମେରିକାର କ୍ଷେପଣାସ୍ତ୍ରକୁ ମାତ୍‌ ଦେଇପାରିବ ନାହିଁ । କାରଣ ଚୀନ୍‌ ଏବଂ ଆମେରିକାର କ୍ଷେପଣାସ୍ତ୍ରରେ ଅନେକ ଅନ୍ତର ରହିଛି ।

୧୧୪ ବର୍ଷ ତଳର ରେକର୍ଡ ରଚିଲେ ଅଶ୍ୱିନୀ, ଟେଷ୍ଟ କ୍ରିକେଟ ଇତିହାସର କଲେ ପୁନରାବୃତ୍ତି

ଚେନ୍ନାଇ: ଗ୍ରାଉଣ୍ଡରେ ଜାରି ରହିଛି ଇଣ୍ଡିଆ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ । ଦ୍ୱିତୀୟ ଇଂନିସରେ ଦମଦାର ଭାବେ ଖେଳ ଆରମ୍ଭ କରିଛି ଭାରତ । କିନ୍ତୁ ଚଳିତ ଟେଷ୍ଟ ମ୍ୟାଚରେ ଘଟିଛି ସବୁଠାରୁ ରୋଚକ ଘଟଣା । ଯାହା କେବଳ ଭାରତୀୟ କ୍ରିକେଟ ନୁହେଁ ବଂର ଟେଷ୍ଟ କ୍ରିକେଟର ଇତିହାସକୁ କରିଛି ପୁନରାବୃତ୍ତି । ଇଂନିସରେ ପ୍ରଥମ ବଲରେ ବିପକ୍ଷ ବ୍ୟାଟ୍ସମ୍ୟାନକୁ ଆଉଟ କରିଛି ଇଣ୍ଡିଆ । ଯାହା ୧୧୪ ବର୍ଷ ତଳେ ଘଟିଥିଲା, ତାକୁ ଆଜି ପୁଣି ଥରେ ଘଟାଇଛି ଭାରତୀୟ ଟିମ ।

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇଂନିସରେ, ଆରମ୍ଭରୁ ଜୋରଦାର ବୋଲିଂ କରିଛି ଭାରତୀୟ ଦଳ । ଟିମ ପକ୍ଷରୁ ପ୍ରଥମେ ବୋଲିଂ କରୁଥିବା ଆର ଅଶ୍ୱିନୀ ପ୍ରଥମ ବଲରେ ହିଁ ହାସଲ କରିଥିଲେ ସଫଳତା । ବିପକ୍ଷ ଦଳ ତଥା ଟିମ ଇଂଲଣ୍ଡର ଓପନର ବ୍ୟାଟ୍ସମନ୍ୟାନ ରୋରୀ ବର୍ନ୍ସଙ୍କୁ କରିଥିଲେ ଆଉଟ । ଏହି ୱିକେଟ ସାଧାରଣ ୱିକେଟ ନଥିଲା, ଏହା ଥିଲା ୧୧୪ ବର୍ଷ ପୂର୍ବେ ଘଟିଥିବା ରେକର୍ଡର ରାଜ୍ । ୧୯୦୭ ମସିହାରେ ହିଁ ଦେଖିବାକୁ ମିଳିଥିଲା ଟେଷ୍ଟ କ୍ରିକେଟରେ ଏଭଳି ବିରଳ ଘଟଣା । ସାଉଥ ଆଫ୍ରିକାର ବୋଲର ବଟେ ବୋଗଲର ପ୍ରଥମେ ରଚିଥିଲେ ଏଭଳି କିର୍ତ୍ତୀମାନ ।

ସେଦିନ ବି ଥାଏ ଇଂଲଣ୍ଡ-ଆଫ୍ରିକା ଟେଷ୍ଟ । ସାଉଥ ଆଫ୍ରିକା ପକ୍ଷରୁ ପ୍ରଥମ ଓଭର ବୋଲିଂ କରିବାର ନିର୍ଣ୍ଣୟ ଥାଏ ବୋଗଲରଙ୍କ ଉପରେ । ଇଂନିସ ପ୍ରଥମ ଓଭରର ପ୍ରଥମ ବଲରେ ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଟାର୍ମ ହେୟବାର୍ଡଙ୍କୁ କରିଥିଲେ ଏଲବିଡବ୍ଲ୍ୟୁ । ଆଉ ଏହି ମ୍ୟାଚରେ ବୋଗଲର ୬ଟି ୱିକେଟ ହାସଲ କରିବା ସହ ରଚିଥିଲେ ଏହି ରେକର୍ଡ । ୧୧୪ ବର୍ଷ ଏହି ପୃଷ୍ଠାକୁ ପୁଣିୁ ଥରେ ଲେଉଟାଇଛି ଟିମ ଇଣ୍ଡିଆ, ଆଉ ରେକର୍ଡ ରଚିଛନ୍ତି ଅଫ ସ୍ପିନର ଆର ଅଶ୍ୱିନୀ ।

ପେନଡ୍ରାଇରେ ବି ଦେଇ ହେବ ପାସୱାର୍ଡ଼: ଜାଣନ୍ତୁ କ’ଣ ରହିଛି ସିକ୍ରେଟ୍ ଟ୍ରିକ୍

ଆମେ ନିଜ ସ୍ମାର୍ଟଫୋନ୍, ଟାବଲେଟ୍, ହାର୍ଡ଼ ଡିସ୍କ ଏବଂ ପେନ୍ ଡ୍ରାଇଭରେ ବ୍ୟକ୍ତିଗତ ଜିନିଷ ସବୁ ରଖିଥାଉ। ଏଥିପାଇଁ  ଆମେ, ଆମେ ଫୋନ୍, ଟାବଲେଟ୍ ଉପରେ ପକାଇଥାଉ ଏକ ସ୍କ୍ରିନ୍ ଲକ୍ ବା ପାସୱାର୍ଡ଼ । କିନ୍ତୁ USB ପେନ୍ ଡ୍ରାଇଭକୁ ନେଇ ରହିଥାଏ ଚିନ୍ତା। ଏହାକୁ କିପରି ସୁରକ୍ଷିତ ରଖିବା ସେଥିପାଇଁ ଆମେ ସର୍ବଦା ଚିନ୍ତା କରୁ। ଆଜି ଆମେ ଆପଣଙ୍କର ଏହି ଚିନ୍ତା ଦୂର କରିଦେବୁ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପେନ୍ ଡ୍ରାଇଭରେ ବି ଦେଇହେବ ପାସୱାର୍ଡ। ଆଜ୍ଞା ହଁ, ଆପଣ ନିଜ ପେନ୍ ଡ୍ରାଇଭରେ ବି ରଖିପାରିବେ ପାସୱାର୍ଡ। ଯାହା ଦ୍ୱାରା ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ହୋଇପାରିବ।

କେମିତି ଦେବେ ପାସୱାର୍ଡ଼?

ଏହି ଫିଚର୍ ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମରେ ଡିଫଲ୍ଟ ଭାବରେ ପୂର୍ବରୁ ହିଁ ରହିଛି। ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ପଡ଼ିବ।

ପ୍ରଥମେ ନିଜ କମ୍ପ୍ୟୁଟରେ USB ପେନଡ୍ରାଇଭ୍ ଲଗାନ୍ତୁ। ଏହାପରେ ଡ୍ରାଇଭରେ ଯାଇ ରାଇଟ୍ କ୍ଲିକ୍ କରନ୍ତୁ । ଏବେ ଆପଣଙ୍କୁ ‘Turn on BitLocker’ ଅପଶନ ମିଳିବ। ଏହାକୁ ସିଲେକ୍ଟ କରନ୍ତୁ। ଏବେ
‘Use password to protect the drive’ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ନିଜ ମନମୁତାବକ ପାସୱାର୍ଡ଼ ଦେଇପାରିବେ। ଏହାପରେ ଯେବେ ଯାଏ ‘Save the key for future reference’ ନ ଆସିଛି ସେତେପର୍ଯ୍ୟନ୍ତ ‘Next’ ବଟନ ମାରି ଚାଲନ୍ତୁ।

ବର୍ତ୍ତମାନ ଏନସ୍କରିପଶନ ପ୍ରେସେସ୍ ଆପେ ଆପେ ଆରମ୍ଭ ହୋଇଯିବ। ଆଉ ଆପଣ ଦେଇଥିବା ପାସୱାର୍ଡ଼ ସହ ପେନଡ୍ରାଇଭ ସୁରକ୍ଷିତ ହୋଇଯିବ।

ଧ୍ୟନଦେବେ, ଯେପରି ଆପଣ ନିଜ ପାସୱାର୍ଡ଼ ଭୁଲି ଯାଆନ୍ତି। ଏଥିପାଇଁ ଏକ ସ୍ଥାନରେ ନିଜ ପାସୱାର୍ଡକୁ ଲେଖି ରଖନ୍ତୁ। ଫଳରେ ପାସୱାର୍ଡ଼ ଭୁଲିଗଲେ ଆପଣଙ୍କୁ ସୁବିଧା ହେବ।

କଂଗ୍ରେସ ଗଢ଼ିବ ସୋସିଆଲ୍ ମିଡିଆ ୱାରିଅର୍ସ ଟିମ୍, ସାମିଲ୍ ହେବାକୁ ରାହୁଲଙ୍କ ଆହ୍ୱାନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କୁ ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବାକୁ ଅପିଲ୍ କରିଛନ୍ତି । ସୋସିଆଲ୍ ମିଡିଆରେ ଦଳର ସ୍ଥିତି ଜାହିର୍ କରିବାକୁ ପନ୍ଥା ଆପଣାଇଛି କଂଗ୍ରେସ । ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବା ଲାଗି ଦଳ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛି । ଏଥିପାଇଁ ହ୍ୱାଟ୍ସଆପ୍, ୱେବସାଇଟ ଓ ଇମେଲ୍ ଆଇଡି ଜାରି କରାଯାଇଛି ।

ଏନେଇ ରାହୁଲ ଗାନ୍ଧି ଏକ ଭିଡିଓ ଜାରି କରିଛନ୍ତି । କହିଛନ୍ତି- ଏହି ଟିମ୍ ନ୍ୟାୟ ପାଇଁ ଲଢ଼ୁଥିବା ଯୋଦ୍ଧାଙ୍କର । ଏହା ଘୃଣା ସୃଷ୍ଟି କରୁଥିବା ଗୋଷ୍ଠୀ ନୁହେଁ । ଏହା ହିଂସାକାରୀ ସେନା ନୁହେଁ । ଏହା ସତ୍ୟର ସେନା । ଏହା ଏଭଳି ସେନା ଯିଏ ଭାରତର ବିଚାରଧାରକୁ ରକ୍ଷା କରିବ ।

ସୋମବାର ଦଳର ବରିଷ୍ଠ ନେତା ପୱନ କୁମାର ବଂଶଲ, ମୁଖପାତ୍ର ପୱନ ଖେଡ଼ା ଓ ଦଳର ସୋସିଆଲ୍ ମିଡିଆ ମୁଖ୍ୟ ରୋହନ ଗୁପ୍ତା ଏହି ଅଭିଯାନର ଆରମ୍ଭ କରିଛନ୍ତି । ପ୍ରତି ସହରରୁ ୫ ଲକ୍ଷ ସୋସିଆଲ୍ ମିଡିଆ ୱାରିଅର୍ସ ପାଇଁ ଲକ୍ଷ୍ୟ ରଖିଛି କଂଗ୍ରେସ । ଏହାରି ମାଧ୍ୟମରେ ଦଳ ଦେଶର ପ୍ରସଙ୍ଗ ଉଠାଇବ । ଏଥିସହ ଏହି ଯୋଦ୍ଧାଙ୍କ ସାହାଯ୍ୟରେ ବିଚାର ଓ ସିନ୍ଧାନ୍ତ ନେଇ ଆଲୋଚନା ହେବ ।

ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ପରୀକ୍ଷା ସୂଚୀ

କଟକ:  ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି  ।  ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ  କାର୍ଯ୍ୟସୂଚୀ  ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ରହିଥିବା ନେଇ ମଧ୍ୟ ସ୍ପଷ୍ଟ କରିଛି ବିଭାଗ ।

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମେ ୩ ଅର୍ଥାତ ସୋମବାରୁ ଆରମ୍ଭ ହେବ ମାଚ୍ରିକ ପରୀକ୍ଷା । ପ୍ରଥମ ଦିନରେ ପ୍ରଥମ ଭାଷା ତଥା- ଓଡିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ ଏବଂ ତେଲୁଗୁ ଭାଷାର ପେପର ରହିଛି । ଦ୍ୱିତୀୟ ପରୀକ୍ଷା ୫ ତାରିଖ ଅର୍ଥାତ ବୁଧବାର ଦିନ ହେବାକୁ ଥିବାବେଳେ ଦ୍ୱିତୀୟ ଦିବସରେ ରହିଛି  ଇଂରାଜୀ ଭାଷାରେ ପରୀକ୍ଷା ।

୭ ତାରିଖ ଶୁକ୍ରବାର ତୃତୀୟ ଭାଷା ହିନ୍ଦୀ ଏବଂ ୮ ତାରିଖ ଶନିବାର ତୃତୀୟ ଭାଷା ସଂସ୍କୃତ ରହିଛି । ସେହିପରି ୧୦ ତାରିଖ ସୋମବାର ଦିନ ଗଣିତ ରହିଥିବାବେଳେ ୧୨ ତାରିଖ ବୁଧବାର ରହିଛି ବିଜ୍ଞାନ ପରୀକ୍ଷା । ଏବଂ ଶେଷ ଦିନରେ ଅର୍ଥାତ ୧୫ ତାରିଖ ଶନିବାର ସାମାଜିକ ବିଜ୍ଞାନ ବିଷୟ ରହିଥିବା ପରୀକ୍ଷା ସୂଚୀରେ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରଷଦ ।

ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାଯୀ ୭. ୪୫ ରେ ପରୀକ୍ଷା କକ୍ଷରେ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରେ ସେମାନଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ । ପ୍ରଥମେ ଛାତ୍ରଛାତ୍ରୀ ୮ଟାରୁ ୯ଟା ପର୍ଯ୍ୟନ୍ତ ଅବଜେକ୍ଟିଭ ପରୀକ୍ଷା ଦେବେ । ଏବଂ ପରବର୍ତ୍ତୀ ସମୟ ଅର୍ଥାତ ୯ଟାରୁ ୧୦ଟା ଭିତରେ ସବଜେକ୍ଟିଭ ପରୀକ୍ଷା ଦେବା ନେଇ ମାଧ୍ୟମିକ ଶିକ୍ଷା ପରଷଦ ବିଜ୍ଞପ୍ତି ଜାରି କରିଛି ।

ପ୍ରେମିକାକୁ ପେଟ୍ରୋଲ ଢ଼ାଳି ଜାଳୁଥିଲା, ନିଜେ ଜଳି ମରିଗଲା ପ୍ରେମିକ

ମୁମ୍ବାଇ: କଥାରେ ଅଛି ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଏଠି ଠିକ୍ ସେମିତି ହୋଇଛି । ଅନ୍ୟକୁ ପେଟ୍ରୋଲ୍ ଢାଳି ହତ୍ୟା ପାଇଁ ଉଦ୍ୟମ କରିଥିବା ବ୍ୟକ୍ତି ନିଜେ ଜଳିପୋଡ଼ି ମରିଛି । ଆଶ୍ଚର୍ଯ୍ୟକର ଘଟଣା ଘଟିଛି ମହାରାଷ୍ଟ୍ରର ମୁମ୍ବାଇର ମେଘୱାଡ଼ି ଅଞ୍ଚଳରେ । ପୁରୁଷ ଜଣଙ୍କ ଯୁବତୀଙ୍କୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ଜଳୁଥିବା ଅବସ୍ଥାରେ ଯୁବତୀ ଜଣଙ୍କ ପୁରୁଷଙ୍କୁ ଜାବୁଡ଼ି ଧରିଥିଲେ । ଫଳରେ ଦୁହେଁ ନିଆଁରେ ଜଳି ଯାଇଥିଲେ । ପୁରୁଷ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମରଣ ସହ ଜୀବନ ପାଇଁ ଲଢ଼ୁଛନ୍ତି ଯୁବତୀ ।

Man Sets Girl On Fire, Girl Hugs Man To Kill Him Man died

ପୋଲିସ ଅଭିଯୁକ୍ତ ଯୁବକ ବିଜୟ ଖମ୍ବେଙ୍କ ନାଁରେ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି । ଅଭିଯୁକ୍ତର ମୃତ୍ୟୁ ଘଟିଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ଜେଜେ ହସ୍ପିଟାଲରେ ଚାଲିଛି ପୀଡ଼ିତାଙ୍କ ଚିକିତ୍ସା । ପୀଡ଼ିତାଙ୍କ ଅବସ୍ଥା ବହୁତ ଚିନ୍ତାଜନକ ଥିବା ପୋଲିସକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ମୁମ୍ବାଇର ପୂର୍ବ ଜାଗେଶ୍ୱରୀର ଗାନ୍ଧି ନଗରରେ ରହୁଥିବା ଅଭିଯୁକ୍ତ ବିଜୟ ଓ ପୀଡ଼ିତା ଯୁବତୀ ଉଭୟଙ୍କୁ ୬ ବର୍ଷ ହେଲା ଜାଣିଥିଲେ । ବିଜୟ, ଯୁବତୀ ଜଣଙ୍କୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ, ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଯୁବତୀଙ୍କ ପରିବାର । ଏହା ପରେ ବିଜୟ ମୁଣ୍ଡରେ ଚଢ଼ିଥିଲା ବିବାହର ଭୂତ । ସେବେଠୁ ବିଜୟ, ଯୁବତୀ ଜଣଙ୍କୁ ହଇରାଣ ହରକତ କରି ଚାଲିଥିଲା । କେତେବେଳେ ମଦ ପିଇ ପାଟିତୁଣ୍ଡ କରୁଥିଲା ତ ଆଉ କେବେ ପିଛା କରୁଥିଲା । ଏସବୁ ଭିତରେ ବିଜୟଙ୍କୁ ଭୁଲିଯିବାକୁ ଚେଷ୍ଟା କରୁଥିଲେ ଯୁବତୀ ।

ଫେବ୍ରୁଆରୀ ୬ ରାତିରେ ବିଜୟ ମାମଲାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା । ଦେହ ଭଲ ନଥିବାରୁ ଯୁବତୀ ଜଣଙ୍କ ଘରେ ବିଶ୍ରାମ କରୁଥିଲେ । ଘରେ କେହିନଥିବାର ସୁଯୋଗ ନେଇ ଯୁବତୀଙ୍କ ପାଖରେ ପହଞ୍ଚିଥିଲା ବିଜୟ । ପେଟ୍ରୋଲ ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ଜଳୁଥିବା ଅବସ୍ଥାରେ ଯୁବତୀ, ବିଜୟକୁ ଜାବୁଡ଼ି ଧରି ନେଇଥିଲା ।

Man Sets Girl On Fire, Girl Hugs Man To Kill Him Man died

ଉଭୟ ଜଳୁଥିବା ଅବସ୍ଥାରେ ଘରୁ ବାହାରକୁ ଆସିବା ପରେ ସ୍ଥାନୀୟ ଲୋକ ନିଆଁ ଲିଭାଇଥିଲେ । ଉଭୟଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ଜେଜେ ହସ୍ପିଟାଲ ସ୍ଥାନାନ୍ତର କରିଥିବା ବେଳେ ଶନିବାର ସନ୍ଧ୍ୟାରେ ବିଜୟର ମୃତ୍ୟୁ ହୋଇଛି । ଏବେ ଯୁବତୀ ଜଣଙ୍କ ମେଡିକାଲ ବେଡରେ ମୃତ୍ୟୁ ସହ ଜୀବନ ସଂଗ୍ରାମ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା କୁହାଯାଉଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ କଲେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥି ଅବସରରେ  ରମାଦେବୀ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି  ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଛନ୍ତି । ଏହି ଅବସରରେ 33 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇଟି ପ୍ରଶାସନିକ ଭବନ, କୁନ୍ତଳା କୁମାରୀ ସାବତ ସ୍ମାରକୀ ବିଶ୍ବସ୍ତରୀୟ ଗ୍ରନ୍ଥାଗାର ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ବେଷା ଛାତ୍ରୀନିବାସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ କରୋନା ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କୁ ଭେଟୁଛି । ପିଲାମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୁନ୍ତଳାକୁମାରୀ ସାବତଙ୍କ ଜନ୍ମତିଥି ଅବସରରେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ,  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଉପସ୍ଥିତ ରହିଥିଲେ ।

ଦ୍ୱିତୀୟ ଇନିଂସରେ ଚମତ୍କାର ବୋଲିଂ‌, ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କଲା ଭାରତ

ଚେନ୍ନାଇ: ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ୍‌ର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୧୨ ରନ୍‌ କରି ରୋହିତ ଶର୍ମା ପ୍ୟାଭିଲିୟନ୍‌ ଫେରିଯାଇଛନ୍ତି । ଏବେ ଚେତେଶ୍ୱର ପୁଜାରା ଓ ସୁଭମନ ଗିଲ୍‌ ପାର୍ଟନରସିପ୍‌ରେ ଭାରତୀୟ ଟିମ୍‌ ଆଗକୁ ବଢ଼ୁଛି । ୧୧ ଓଭରରେ ସୁଦ୍ଧା ଦଳ ୩୫ ରନ୍‌ କରି ଗୋଟିଏ ଓ୍ୱିକେଟ୍‌ ହରାଇଛି । ସୁଭମନ ଗିଲ୍‌ ୩୦ ବଲ ଖେଳି ୧୪ ରନ୍ ସଂଗ୍ରହ‌ କରିଥିବା ବେଳେ ଚେତେଶ୍ୱର ପୁଜାରା ୧୮ ବଲ୍‌ ଖେଳି ୯ ରନ୍‌ କରିଛନ୍ତି । ଉଭୟ ଏବେ କ୍ରିଜ୍‌ରେ ଅଛନ୍ତି । ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଏହି ଯୋଡ଼ି ଅଧିକ ସମୟ କ୍ରିଜ୍‌ରେ ରୁହନ୍ତି ତେବେ ଭାରତ ହାତରେ ମ୍ୟାଚ୍‌ ରହିବ ।

ଏହି ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲା । ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଭଲ ପ୍ରଦର୍ଶନ କରିଥିଲେ । ୧୯୦.୧ ଓଭରରେ ୫୭୮ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା ଦଳ । ଏହା ପରେ ଭାରତ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ବେଳେ ମାତ୍ର ୯୫.୫ ଓଭର ଖେଳି ମୋଟ ୩୩୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।

ତେବେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ବେଳେ ସବୁ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାସହ ଘାତକ ବୋଲିଂ କରି ଭାରତୀୟ ବୋଲରମାନେ ଇଂଲଣ୍ଡକୁ ମାତ୍ର ୧୭୮ ରନ୍‌ରେ ଅଲ୍‌ଆଉଟ୍ କରିଦେଇଥିଲେ । ଏହାର ଜବାବରେ ଏବେ ଭାରତୀୟ ଦଳ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଛି ।