ବର୍ଷେ ତଳେ ହୋଇଥିଲା ଜନତା କର୍ଫ୍ୟୁ, ସେଦିନ କ’ଣ ଥିଲା ଆଜି କ’ଣ ଅଛି…

ଭୁବନେଶ୍ୱର: ଠିକ୍ ଏଇଦିନ,ଗଲା ବର୍ଷ । ଭାରତ କରୋନାର ଆତଙ୍କ ସହିତ ଜିଇଁବା ଶିଖିବାକୁ ଯାଉଥିଲା । ଠିକ୍ ଆଜିର ଦିନରେ ବର୍ଷକ ତଳେ ଭାରତରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ । ଗୋଟିଏ ଦିନର କର୍ଫ୍ୟୁ । କ୍ରିକେଟ୍ ପାଗଳ ଭାରତୀୟଙ୍କ ଭାଷାରେ କହିବାକୁ ଗଲେ ସଂପୂର୍ଣ୍ଣ ଲକଡାଉନ୍ ପୂର୍ବରୁ ପ୍ରାକ୍ଟିସ ଲକଡାଉନ୍ । ଗୋଟିଏ ଦିନ ପାଇଁ ଭାରତୀୟଙ୍କୁ ନିଜ ଘରେ ନିଜକୁ ତାଲା ପକାଇବାକୁ କହିଥିଲେ ମୋଦି । ଦେଶ ମାନିଥିଲା ପ୍ରଧାନମନ୍ତ୍ରୀଙ୍କ କଥାକୁ । ଜନତା କର୍ଫ୍ୟୁ ସଫଳ ହୋଇଥିଲା ବୋଲି କୁହାଯାଇପାରେ । କିନ୍ତୁ ସେହି ଜନତା କର୍ଫ୍ୟୁ କାଳରେ ସୋସିଆଲ ମିଡିଆରେ ହ୍ୱାଟସଅପ୍ ବିଶ୍ୱବିଦ୍ୟାଳୟରେ କରୋନା ଉପରେ ଗବେଷଣା କରିଥିବା ବିଶେଷଜ୍ଞଙ୍କ ଅବିର୍ଭାବ ମଧ୍ୟ ଘଟିଥିଲା । କରୋନା ଚେନ୍ ଭାଙ୍ଗିବାକୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ,୩୬ ଘଣ୍ଟାରେ କେମିତି କରୋନା ଚେନ୍ ଭାଙ୍ଗିଯିବ ଆଉ ବିପଦ ରହିବ ନାହିଁ ।

ଅବଶ୍ୟ ୩୬ ଘଣ୍ଟା ପରେ ଦେଶରେ କରୋନା ଚେନ୍ ଛିନ୍ନ ହୋଇ ନଥିଲା । କରୋନା ଜୋରରେ ନିଜ କାୟା ବିସ୍ତାର କରିଥିଲା । କିନ୍ତୁ ଜନତା କର୍ଫ୍ୟୁ ଲୋକଙ୍କୁ ଲକଡାଉନ୍ କେମିତି ହେବାକୁ ଯାଉଛି ତା’ର ଝଲକ ଦେଖାଇ ଥିଲା । ଅବଶ୍ୟ ଜୀବନ କାଳରେ ଲକଡାଉନ୍ ଶବ୍ଦ ସହିତ ଅପରିଚିତ ଭାରତୀୟଙ୍କୁ ଲକଡାଉନର ଅସଲି ମଜା ଏହା ପରେ ମିଳିଥିଲା । ଯେଉଁଦିନ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା ସେହିଦିନ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୦୦ । ୩ ଜଣଙ୍କ ଜୀବନ କରୋନା ନେଇଥିଲା । ଆଜି ବର୍ଷକ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧ କୋଟି ୧୬ଲକ୍ଷ ୪୬ ହଜାର ୮୧ । ବର୍ଷକ ଭିତରେ ଏହି ମହାମାରି ନେଇଛି ୧ ଲକ୍ଷ ୫୯ ହଜାର ୯୬୭ ଜୀବନ । ଜନତା କର୍ଫ୍ୟୁ ଦିନ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିବା ବେଳେ ଦେଶରେ ସର୍ବାଧିକ ମାମଲା କେରଳରୁ ଆସିଥିଲା । ସେହିଦିନ ସକାଳରେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୫ ।

ଜନତା କର୍ଫ୍ୟୁ ଯଦି ଟ୍ରେଲର ଥିଲା ତେବେ ଲକଡାଉନ୍ ଥିଲା ଫିଲ୍ମ । ଜନତା କର୍ଫ୍ୟୁର ତିନି ଦିନ ପରେ ଦେଶବ୍ୟାପି ଲକଡାଉନ୍ ଘୋଷଣା ହୋଇଥିଲା । ମାର୍ଚ୍ଚ ୨୫ ୨୦୨୦ରେ ପିଏମ୍ ଲକଡାଉନ୍ ଘୋଷଣା କରିଥିଲେ । ପୁରା ଦେଶ ତାଲାବନ୍ଦ ହୋଇଥିଲା । କେବଳ ଜରୁରୀକାଳିନ ସେବା ବ୍ୟବସ୍ଥା ବ୍ୟତିତ ଆଉ ସବୁକିଛି ବନ୍ଦ ରହିଥିଲା । ପୂର୍ଣ୍ଣ ଲକଡାଉନର ତିନି ମାସ ପରେ ଜୁନ୍ ମାସରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥଲା । ସେପ୍ଟେମ୍ବର ୨୦୨୦ରେ ଭାରତରେ କରୋନା ପିକ୍ ରେ ପହଂଚିଥିଲା । କିନ୍ତୁ ୨୦୨୧ ଆସୁ ଆସୁ ସ୍ଥିତି ସାମାନ୍ୟ ହେବାରେ ଲାଗିଲା । ତେବେ ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ କରୋନା ଏବେ ପୁଣି ମୁଣ୍ଡ ଟେକିଛି । ଯାହାକୁ ନେଇ ଆଶଙ୍କା କରାଯାଉଛି ଯେ, କରୋନା ପୁଣି ଫେରୁଛି ।

ମଧ୍ୟପ୍ରଦେଶରେ କିଛି ସହରରେ ଗତ ବର୍ଷର ଲକଡାଉନ୍ ଭଳି ସଂପୂର୍ଣ୍ଣ ଲକଡାଉନ୍ ଲାଗୁ ହୋଇସାରିଲାଣି । ଓଡ଼ିଶା କଥା ଯଦି କହିବା ତେବେ ଓଡ଼ିଶାରେ ମଧ୍ୟ କରୋନା କଡ ଲେଉଟାଉଥିବା ଭଳି ଲାଗୁଛି । ଜନତା କର୍ଫ୍ୟୁର ବର୍ଷକ ପରେ ଭୁବନେଶ୍ୱରର ଗୋଟିଏ ଶିକ୍ଷାନୁଷ୍ଠାନରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ କରିଦିଆଯାଇଛି । ତେବେ ବର୍ଷକ ତଳେ ପୁରା ଓଡ଼ିଶାରେ ଦୁଇ ମାମଲା ଥିବା ବେଳେ ବର୍ଷକ ପରେ ଠିକ୍ ସେହି ଦିନ ୨୩ ଜଣ ସଂକ୍ରମିତ ଚିହ୍ନଟ ହେବା ନିଶ୍ଚିତ ଭାବେ ଡରାଇବା ଭଳି ।

Leave a Reply