spot_img
Home Blog Page 5882

ଆଜିର ଦିନରେ ବର୍ଷକ ତଳେ ରାଜ୍ୟରୁ ବାହାରିଥିଲା ପ୍ରଥମ କରୋନା ପଜିଟିଭ୍ ମାମଲା

ଭୁବନେଶ୍ୱର: ଠିକ ଆଜିର ଦିନରେ ଓଡ଼ିଶାରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ସଂକ୍ରମିତ। ଅଦୃଶ୍ୟ ରାକ୍ଷସର ଶିକାର ହୋଇଥିଲେ ପ୍ରଥମ ଓଡ଼ିଆ। ଘରଠୁ ଗଳି ବସ୍ତିରୁ ବଜାର ସବୁଠି ସୃଷ୍ଟି ହୋଇଥିଲା କରୋନାକୁ ନେଇ ଆତଙ୍କ। ଭୂତାଣୁର ଭୟରୁ ସୃଷ୍ଟି ହୋଇଥିଲା କୋକୁଆ ଭୟ । । ଯାହାକୁ ଦେଖି ହେଉନି ତା ସହ କେମିତି ଲଢ଼ିବାକୁ ହେବ ? ଏହାର ନିରାକଣ କଣ ? ଜଣଙ୍କ ଠାରୁ ଆଉ ଜଣଙ୍କୁ ଡ଼େଉଁଥିବା ରୋଗକୁ କେମିତି ଅଟକାଯାଇପାରିବ। ଟିକା ନାହିଁ, ଔଷଧ ନାହିଁ। କୋଭିଡ ଚିକିତ୍ସା କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ହୋଇ ଛିଡ଼ା ହୋଇଥିଲା।  ବହୁତ ସଂଘର୍ଷ ଭିତରେ ପୁରିଛି ଏକ ବର୍ଷ।

ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଇଟାଲିରୁ ଭୁବନେଶ୍ୱର ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିଲା ପ୍ରଥମ କେସ୍। ଏହାପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସୋଲେସନରେ ରଖାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ଦେବାଶିଷ।  ହେଲେ ଏହା ପରେ ଓଡ଼ିଶାରେ କାୟା ବିସ୍ତାର କରିବା ଆରମ୍ଭ କରିଥିଲା କରୋନା। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ବାହାରିବାକୁ ଲାଗିଥିଲେ କରୋନା ସଂକ୍ରମିତ। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୩,୩୮,୧୯୨ରେ ପହଞ୍ଚିଛି। ଏଥି‌ରୁ ୩,୩୫,୫୬୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରୀୟ ସଂକ୍ରମଣର ସଂଖ୍ୟା ହେଉଛି ୬୫୨ । ରାଜ୍ୟରେ ୧୯୧୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ କରୋନା ଉପର ମୁହାଁରୁ ତଳ ମୁହାଁ ହୋଇଛି। ହେଲେ ରାଜ୍ୟବାସୀଙ୍କ ମନରେ ଏବେ ମଧ୍ୟ କରୋନା ଭୟ ବସା ବାନ୍ଧିଛି। ଲୋକ ଏବେବି ଏହାର ନାଁ ଶୁଣିଲେ ଭୟରେ ଥରୁଛନ୍ତି। ରାଜ୍ୟବାସୀ ତାଙ୍କ ଜୀବନରେ ଏମିତି ଏକ କଳା ବର୍ଷକୁ ଦେଖିବେ ତାହା କେବେ ସ୍ୱପ୍ନରେ ଭାବିନଥିଲେ। ଜୀବନକୁ ଜୀଇଁବା କେତେଯେ କଷ୍ଟ ତାହା ଏହି ଏକ ବର୍ଷ ମଧ୍ୟରେ ଦେଖାଇଦେଲା କରୋନା।

ଆର୍ଥିକ ସ୍ଥିତିରୁ ଆରମ୍ଭ କରି ଜୀବନଶୈଳୀ ସବୁ ଏପଟ ସେପଟ ହୋଇଗଲା। ରାଜ୍ୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗିଗଲା। ଲୋକ ରୋଜଗାର ହରାଇଲେ, ସହର ଛାଡ଼ି ଗାଁ ମୁହାଁ ହେଲେ । କଳା ମଚ ମଚ ପିଚୁ ରାସ୍ତା ଦେଖିଲା ଅସହାୟର ଶକ୍ତ ପାଦ କେମିତି ଥକି ପଡ଼େ। ସ୍କୁଲ କଲେଜ ସବୁ ବନ୍ଦ ହେଲା । କେଉଁଠି ପରିବାର ଭୁଶୁଡ଼ି ପଡ଼ିଲାତ, ପୁଣି କେଉଁଠି ବାପା ପୁଅଙ୍କର ଚିତା ଏକାଠି ଜଳିଲା। ଶେଷ ସମୟରେ ମାଆକୁ ପୁଅ ଦେଖିପାରିଲାନି କି ଚିତାରେ ନିଆଁ ଦୋଇପାରିଲାନି। ଏ କରୋନା ଦେଖାଇଲା ଦୁଃଖର ପ୍ରକୃତ ଚିତ୍ର ।  କରୋନାର ଭୟାବହତା ସତ୍ୟନଗର ଭଳି ରାଜ୍ୟର ସବୁ ଶ୍ମଶାନ ଆଜିବି ବୟାନ କରେ ।

ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଆରମ୍ଭ କରିଥିଲେ କରୋନା ମୁକାବିଲା ପ୍ରସ୍ତୁତି। କରୋନା ଯେତେ ଭୟଙ୍କର ହେଉଥିଲା ରାଜ୍ୟ ସରକାରଙ୍କ ମୁକାବିଲା ବି ସେତେ ଶାଣିତ ହୋଇଥିଲା। ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ରାଜ୍ୟ ସରକାର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। କୋଭିଡ୍‌-୧୯ ଓଡ଼ିଶା ରେଗୁଲେସନ୍, ୨୦୨୦ ଆଣି ଏଥିରେ କ୍ୟାବିନେଟ୍ ମୋହର ମାରିଥିଲେ। ଏହିଠାରୁ ହିଁ କରୋନା ସହ ମୁହାଁମୁହିଁ ଲଢେଇ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୩ରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା।

କରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ରୁ ରାଜ୍ୟରେ ଘୋଷଣା ହୋଇଥିଲା ସଟଡାଉନ୍। ସଂକ୍ରମଣ ମଧ୍ୟରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା। ଏହି ବର୍ଷେ ଭିତରେ ଅନେକ କିଛି ବଦଳିଛି ଅନେକ ବାଧା ବିଘ୍ନ ସହିଛି ଓଡ଼ିଶା। ଏବେ ଶହେ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଦୋକାନ ବଜାର ସହ ସିନେମା ହଲ ଖୋଲିଛି । ରାଜ୍ୟ ହରାଇଛି ଅନେକ କରୋନା ଯୋଦ୍ଧାଙ୍କୁ । କରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ସରକାରଙ୍କ ପଦକ୍ଷେପ ପାଇଁ ଓଡ଼ିଶାରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି । ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ, ମହାମାରୀ ଭୟ ଏବେ ବି ଟଳିନାହିଁ ।

ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଏହି ଧର୍ମଘଟ ଡାକରା, ଆଜିଠାରୁ ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ। ଆଜି ଓ କାଲି ଧର୍ମଘଟ କରିବ ବ୍ୟାଙ୍କ ୟୁନିଅନ। ଏଥି ପାଇଁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ। ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ ଦେଇଥିବା ଧର୍ମଘଟରେ ସାମିଲ ହୋଇଛନ୍ତି ୯ଟି ସଂଘ। ଚଳିତ ବଜେଟରେ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ପାଇଁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଯାହାକୁ ବିରୋଧ କରି ସଂଘ ଧର୍ମଘଟ ଡାକରା ଦିଆଯାଇଛି। ତେବେ ଧର୍ମଘଟ ସମୟରେ ଜାରି ରହିବ ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଂ ସୁବିଧା। ଧର୍ମଘଟକୁ ସମର୍ଥନ କରି ରାଜ୍ୟର ୮ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଆଜି ଭୁବନେଶ୍ୱର ରେଲଓ୍ୱେ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରିବେ। ଦେଶରେ ରେଳ, ବ୍ୟାଙ୍କ, ବୀମା ଓ ପ୍ରତିରକ୍ଷା ଆଦିର ଘରୋଇକରଣକୁ ବିରୋଧ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ସରକାର ଚଳିତବର୍ଷ ଦୁଇଟି ବ୍ୟାଙ୍କ ଓ ଗୋଟିଏ ବିମା କମ୍ପାନୀକୁ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ବିରୋଧ କରୁଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ।

ବସ୍‌ ଟିପର ମୁହାଁମୁହିଁ ଧକ୍କା, ୨ ମୃତ

ଆନ୍ଧ୍ରର ସୋମପେଟାରେ ବସ ଦୁର୍ଘଟଣା। ଆଜି ଭୋରରେ ଯାତ୍ରୀବାହୀ ବସ ସହିତ ଟିପର ମୁହାଁମୁହିଁ ହୋଇଛି। ମୁହାଁମୁହିଁ ହେବା ଫଳରେ ପବସଟି ପୁରା ନଷ୍ଟ ହୋଇଯାଇଛି। ଏହାଫଳରେ ହେଲପରଙ୍କ ସମେତ ୨ଜଣ ମୃତ୍ୟୁ ହୋଇଛି। ମୃତ ବସ୍‌ ହେଲପରଙ୍କ ନାଁ ସୁଧୀର। ଅନ୍ୟଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବସ୍‌ ଏବେ ପର୍ଯ୍ୟନ୍ତ ଜଣେ ମହିଳା ଯାତ୍ରୀ ଚାପି ହୋଇ ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାଗ୍ରସ୍ତ ତ୍ରିପାଠୀ ବସ ଭୁବନେଶ୍ୱରରୁ ନବରଙ୍ଗରପୁର ଯାଉଥିଲା। ତେବେ ଭୋରରେ ଆନ୍ଧ୍ରର ସୋମପେଟା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଭୀମସାର ମୁଖ୍ୟ ଫାଟକ ସାମ୍ନାରେ ଗୋଷ୍ଠୀ ସଂଘର୍ଷ ପରେ ବୁଲିଲା ଖଣ୍ଡା

ବୁର୍ଲା: ପୁଣି ଥରେ ଅଶାନ୍ତ ହୋଇଛି ଶିକ୍ଷାନଗରୀ ବୁର୍ଲା । ସହରରେ ବୁଲିଲା ଖଣ୍ଡା, ଭୁଜାଲି । ଗତକାଲି ବିଳମ୍ବିତ ରାତିରେ ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଗୋଷ୍ଠି ସଂଘର୍ଷରେ ଗୋଟିଏ ଗୋଷ୍ଠିର ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଂଚଳର ଦୁଇଜଣ ଯୁବକ ନେତାଜୀଛକ ଠାରେ ଠିଆ ହୋଇଥିବା ସମୟରେ ସ୍ଥାନୀୟ ବିଷ୍ଣୁମନ୍ଦିର ପଡାର କିଛି ଯୁବକଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ତାହା ଉଗ୍ରରୂପ ନେଇଥିଲା । ବିଷ୍ଣୁମନ୍ଦିର ପଡାର ଏକାଧିକ ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ବୁର୍ଲା ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

କରୋନାର ଦ୍ୱିତୀୟ ଲହରୀ, ଜୁଲାଇ ପରେ ସଂକ୍ରମଣ ମାମଲା ଏକ ସପ୍ତାହରେ ୩୩% ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ପରି ଯଦି କରୋନା ଗ୍ରାଫକୁ ଦେଖିବା ତେବେ କରୋନାର ଗ୍ରାଫ୍ ମଧ୍ୟ ତୁମକୁ ଭୟଭୀତ କରିବା ଆରମ୍ଭ କରିଛି। ଗତ ଏକ ସପ୍ତାହ ମଧ୍ୟରେ କରୋନା ମାମଲା ବୃଦ୍ଧି ପାଇଥିବା ଗତି ଡିସେମ୍ବର ପରେ ସମସ୍ତ ଆକଳନକୁ ଅତିକ୍ରମ କରିଛି। କେବଳ ଏତିକି ନୁହେଁ, ଗତ ସପ୍ତାହ ତୁଳନାରେ କରୋନା ମାମଲାରେ ୩୩% ବୃଦ୍ଧି ଘଟିଛି। କରୋନା ସଂକ୍ରମଣ ହେତୁ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୮% ବୃଦ୍ଧି ପାଇଛି, ଯାହାକି ୬ ସପ୍ତାହ ମଧ୍ୟରେ ସର୍ବାଧିକ ।

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆକଳନରୁ ଏହା ଆକଳନ କରାଯାଇପାରିବ ଯେ ଏହି ସପ୍ତାହରେ ଦେଶରେ ୧.୫୬ ଲକ୍ଷ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯାହା ଗତ ୧୨ ସପ୍ତାହ ପରେ ସର୍ବାଧିକ। ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ସହିତ ଗତ ଚାରି ସପ୍ତାହ ମଧ୍ୟରେ ମାମଲା ଦ୍ୱିଗୁଣିତ ହୋଇଛି। ରବିବାର ଦିନ ୨୬,୩୮୬ ନୂଆ ମାମଲା ପଞ୍ଜିକୃତ ହୋଇଥିଲା। ଯାହାକି ଡିସେମ୍ବର ୧୯ ପରେ ୮୫ ଦିନ ମଧ୍ୟରେ ସର୍ବାଧିକ।

ଗତ ବର୍ଷ ଅଗଷ୍ଟ ୭ ରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ଲକ୍ଷ, ୨୩ ଅଗଷ୍ଟରେ ୩୦ ଲକ୍ଷ ଏବଂ ୫ ସେପ୍ଟେମ୍ବରରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା। ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବରରେ ୬୦ ଲକ୍ଷ, ୧୧ ଅକ୍ଟୋବରରେ ୭୦ ଲକ୍ଷ, ୨୯ ଅକ୍ଟୋବରରେ ୮୦ ଲକ୍ଷ, ୨୦ ନଭେମ୍ବରରେ ୯୦ ଲକ୍ଷ ଏବଂ ୧୯ ଡିସେମ୍ବରରେ ଏକ କୋଟି ଅତିକ୍ରମ କରିଥିଲା।

ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ

ପୁଣି ଥରେ ବ୍ରାଜିଲରେ କରୋନା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ବ୍ରାଜିଲରେ ୭୦,୦୦୦ ରୁ ଅଧିକ ନୂଆ ରୋଗୀ ଦେଖିବାକୁ ମିଳୁଛି । ଏବଂ ପ୍ରାୟ ୨,୦୦୦ ରୋଗୀଙ୍କର ମୃତ୍ୟୁ ଘଟୁଛି। ଶନିବାର ଦିନ ବ୍ରାଜିଲ ଭାରତକୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି। ମୃତ୍ୟୁ ଦୃଷ୍ଟିରୁ ଏହା ଦ୍ୱିତୀୟ ସ୍ଥାନରେ ଥିଲା। ଏଥି ସହିତ, କରୋନା ସଂକ୍ରମିତ  ରୋଗୀଙ୍କ ତଥ୍ୟରେ ଆମେରିକା ପ୍ରଥମ ସ୍ଥାନରେ ରହିଛି।

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇଜଣଙ୍କୁ ଧରିଲା ବନବିଭାଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରୁ ନିଆଁ ଲଗାଇଥିବା ଅଭିଯୋଗରେ ବାପପୁଅ ଗିରଫ। ତାଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ ଟି ଟାଙ୍ଗିଆ ଜବତ କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ  ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ ନିଆଁ ଲାଗିଥିବା ଯାଣିବାକୁ ପାଇଥିଲେ। ଏହାପରେ ନିଆଁ ଲଗାଉଥିବା ବାପ ପୁଅ ବନ ବିଭାଗ ସ୍କ୍ୱାର୍ଡକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲେ ବାପପୁଅ। ଅଭିଯୁକ୍ତ ମାନେ ହେଲେ ମାଧପୁର କଲୋନୀ ସାହିର ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ। ଚଢ଼ାଉ ବେଳେ ରେଞ୍ଜ ଅଧିକାରୀ ସରୋଜ ମିଶ୍ର, ଫରେଷ୍ଟର ସ୍ୱାଧୀନ ସାମଲ, ବନରଖି ସତିସରଞ୍ଜନଙ୍କ ସମେତ ଫାୟାର ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିଲେ। ଗତ ୧୩ ତାରିଖ ପୁରୁଣାକଟକ ରେଞ୍ଜ ମୁଣ୍ଡେଶ୍ଵର ଜଙ୍ଗଲରୁ ୪ ଜଣଙ୍କୁ ଓ ଗତକାଲି ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ ଜଣଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ବାପପୁଅ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଘର ଭାଙ୍ଗିଲେ ୨୦ରୁ ଉର୍ଦ୍ଧ୍ୱ ଲୋକ

ବାଲିଗୁଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଜଣକ ଘର ଭାଙ୍ଗିଲେ ୨୦ରୁ ଉର୍ଦ୍ଧ୍ବ ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ବୁଦାରା ପ୍ରଧାନଙ୍କ ପରିବାର ସହ। ପିଡ଼ିତ ପରିବାର ଏବେ ବାଲିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ବୁଦାରା ପ୍ରଧାନଙ୍କ ସହ ତାଙ୍କର କିଛି ସମ୍ପର୍କୀୟଙ୍କ ଶତ୍ରୁତା ଲାଗି ରହିଥିଲା। ବୁଦାରାଙ୍କୁ ଗୁଣିଆର ଆଖ୍ୟା ଦେବାସହ ଗାଁରେ ଗତ ପନ୍ଦର ଦିନ ତଳେ ଏକ ବୈଠକ ହୋଇଥିଲା ଏବଂ ଆପୋଷ ବୁଝାମଣା ମଧ୍ୟ ହୋଇଥିବା କହିଛନ୍ତି ବୁଦାରା।

କିନ୍ତୁ ସମାଧାନ ସତ୍ତ୍ୱେ ଲୋକଙ୍କର ରାଗ ଥଣ୍ଡା ହୋଇନଥିଲା। ତେବେ ପୁଣି ଶନିବାର ରାତିରେ କିଛି ଯୁବକ ବୁଦାରାଙ୍କ ଘରେ ପହଞ୍ଚି ଥିଲେ। ଘର ଚାରିପଟୁ ଘେରି ଯାଇଥିଲେ ଏବଂ ଗାଁରେ ରଖାଇଦେବୁନାହିଁ କହି ତାଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସମୟରେ ଗୁଣି ଗାରେଡ଼ିକୁ ଲୋକେ ବିଶ୍ୱାସ କରୁନଥିବା ବେଳେ ପୂର୍ବ ଶତ୍ରୁତାକୁ ଫଳପ୍ରଦ କରିବାପାଇଁ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି। ବୁଦାରାଙ୍କ ପରିବାର ଏବେ ବାସହରା ହେବା ସହ ଭୟଭୀତ ଅବସ୍ଥାରେ ଅଛନ୍ତି। ସେପଟେ ନ୍ୟାୟ ପାଇଁ ବାଲିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯେଉଁଠି ହାରିଥିଲା, ସେଇଠି ଜିତିଲା ଭାରତ, ସିରିଜ ବରାବର

ବଦଲା ନେଲା ଭାରତ । ଯେଉଁଠି ହାରିଥିଲା, ସେଇଠି ଜିତିଲା । ଅହମ୍ମଦାବାଦ ଟି-୨୦ରେ ଇଂଲଣ୍ଡକୁ ୭ ଓ୍ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ । କ୍ୟାପଟେନ୍ କୋହଲିଙ୍କ ଅପରାଜିତ ୭୩ ରନ୍‌ ବଳରେ ମ୍ୟାଚ୍ ଜିତି ନେଇଛି ଭାରତ । ୧୬୪ ରନ୍‌ର ଟାର୍ଗେଟକୁ ପିଛା କରି ଭାରତ ୩ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

ଓପନର ଲୋକେଶ ରାହୁଲ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଏହାପରେ ଇସାନ କିସାନ୍ ଖେଳିଥିଲେ ୫୬ ରନର ପାରି । ବିରାଟ କୋହଲି ୭୩ ରନ୍ କରିଥିବା ବେଳେ ରିସଭ ପନ୍ଥ ୨୬ ରନ୍ ଓ ଶ୍ରେୟସ ଆୟାର ୮ ରନ୍ କରିଥିଲେ ।

ପ୍ରଥମେ ବ୍ୟାଚିଂ କରି ନିର୍ଧାରିତ ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୪ ରନ୍ କରିଥିଲା ଭ୍ରମଣକାରୀ ଦଳ । ଓପନର ଜୋସ୍ ବଟଲର କୌଣସି ରନ୍ ନ କରି ଆଉଟ୍ ହୋଇଥିବା ବେଳେ ଜାସନ୍ ରୟ ୪୬ ରନ୍, ମଲାନ ୨୪ ରନ୍, ଜନି ବେୟାରଷ୍ଟୋ ୨୦ ରନ୍, ଅଧିନାୟକ ଇଅନ ମୋର୍ଗାନ ୨୮ ରନ ଓ ବେନ୍‌ ଷ୍ଟୋକସ ୨୪ ରନ୍ କରି ଆଉଟ ହୋଇଥିଲେ । ଭାରତ ପକ୍ଷରୁ  ଓ୍ୱାସିଂଟନ୍ ସୁନ୍ଦରା ଓ ସାର୍ଦୁଲ ଠାକୁର ଦୁଇଟି ଲେଖାଏଁ ଓ୍ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଯୁଯୁବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ପାଞ୍ଚ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସିରିଜ ବରାବର କରିଛନ୍ତି । ଆସନ୍ତା ୧୬ ତାରିଖରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ ।

ଆଜି ମ୍ୟାଚ୍‌ରେ ଭାରତୀରେ ଟିମ୍‌ରେ ଥିଲେ କେଏଲ୍‌ ରାହୁଲ, ଇଶାନ୍‌ କିଷନ, ଅଧିନାୟକ ଭିରାଟ୍‌ କୋହଲି, ଓ୍ୱକେଟ୍‌ କିପର ରିଷଭ ପନ୍ଥ, ଶ୍ରେୟସ ଆୟର୍‌, ସୁର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡିଆ, ଓ୍ୱାସିଂଟନ୍‌ ସୁନ୍ଦର, ସର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ।

ସେହିଭଳି ଇଂଲଣ୍ଡ ଟିମ୍‌ରେ ଥିଲେ ଜସନ୍‌ ରୟ, ଓ୍ୱିକେଟ୍‌ କିପର ଜସନ୍‌ ବଟଲର୍‌, ଡେଭିଡ୍‌ ମଲନ୍‌, ଜନି ବାରିଷ୍ଟୋ, ଅଧିନାୟକ ଇୟୋନ୍‌ ମୋରଗାନ୍‌, ବେନ୍‌ ଷ୍ଟୋକ୍‌ସ, ସାମ୍‌ କୁରନ୍‌, ଜୋଫ୍ରା ଆର୍ଚ୍ଚର, ଟମ୍‌ କୁରନ୍‌, କ୍ରିସ୍‌ ଜୋରଦାନ, ଆଦିଲ ରସିଦ୍‌ ।

ଓଡ଼ିଶା ପ୍ରତି ଆନ୍ଧ୍ରବାସୀଙ୍କ ପ୍ରେମ, ମିଶିବାକୁ ଚାହୁଁଛି ୧୮ଟି ଗାଁ

କୋଟିଆ: ଆନ୍ଧ୍ର କୋଟିଆ ଚକ୍ରାନ୍ତ କରିବା ବେଳେ ଓଡ଼ିଶା ପ୍ରତି ଆଗ୍ରହ ଦେଖାଇଲେଣି ଆନ୍ଧ୍ରର ୧୮ଟି ଗାଁ ଲୋକ । ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରବାସୀ । ଆନ୍ଧ୍ର ଶୁଣୁନି, ଆଶା ରଖିଛନ୍ତି ଓଡ଼ିଶା ଶୁଣିବ । ଆନ୍ଧ୍ର ପ୍ରଦେଶର ୧୮ଟି ଗାଁର ଦୁଇ ହଜାର ଲୋକ ଓଡ଼ିଶା ସରକାରଙ୍କୁ ଏଭଳି ନିବେଦନ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ସାଲୁର ବ୍ଲକ ଅନ୍ତର୍ଗତ କୋଡ଼ମା ପଞ୍ଚାୟତର ୧୮ଟି ଗାଁର ବାସିନ୍ଦା ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି । କୋଡମା ପଞ୍ଚାୟତରେ ଏକାଠି ହୋଇ ଏହି ଲୋକମାନେ ଓଡ଼ିଶାରେ ମିଶାଇବା ପାଇଁ ଗୁହାରି କରିଛନ୍ତି । ଏହି ଅବସରରେ ପ୍ରତ୍ୟେକ ଗାଁର ମୁଖିଆ ନିଜ ସମସ୍ୟା କହିଥିଲେ ।

ଗାଁରେ ଭଲ ରାସ୍ତା ନଥିବା ବେଳେ ସ୍କୁଲ ଓ ଅଙ୍ଗନାବାଡି ଘର ଖଣ୍ଡେ ବି ନାହିଁ । କିନ୍ତୁ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ଅଛନ୍ତି । କୋଡମା ପଞ୍ଚାୟତକୁ ଓଡ଼ିଶାରେ ସାମିଲ କରି ଯାତାୟାତ ସୁବିଧା କରିବା ସହ ନିକଟସ୍ଥ ଓଡ଼ିଆ କାଣ୍ଟି କିମ୍ବା ତଳଗୁମାଣ୍ଡି ପଞ୍ଚାୟତରେ ଏକ ସାପ୍ତାହିକ ହାଟ ବସାଇବା ପାଇଁ ନିବେଦନ କରିଥିଲେ । ଓଡ଼ିଶାର କୋଟିଆକୁ ହାତେଇବା ପାଇଁ ଏହି ଅଞ୍ଚଳରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପରେ ଓଡ଼ିଶା ସୁପ୍ରିମ୍‌କୋର୍ଟକୁ ଯାଇଛି । ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ମାମଲା । ଏପଟେ ଆନ୍ଧ୍ର ଲୋକ ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ।

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ତଳେ ପଡ଼ି ଛଟପଟ ହେଉଥିବା ବେଳେ ଉଦ୍ଧାର କଲେ ପରିବାର ଲୋକ

ଗଞ୍ଜାମ: ଦିଗପହଣ୍ଡି ବନ୍ଥପଲ୍ଲୀ ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସମ୍ପର୍କୀୟ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏପରି ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ପଞ୍ଚୁ ଭୂଆଁ ଗାଧୋଇବାକୁ ଯାଉଥିବା ବେଳେ ୮ରୁ ୧୦ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ ।

ଖଣ୍ଡାରେ ଆକ୍ରମଣ ଫଳରେ ପଞ୍ଚୁଙ୍କ ମୁଣ୍ଡ, ଗୋଡ଼, ହାତରେ ଗଭୀର ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ପଡି ଛଟପଟ ହେଉଥିବା ବେଳେ ପଞ୍ଚୁଙ୍କ ଭାଇ ଓ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିଛନ୍ତି । ପଞ୍ଚୁଙ୍କ ଉପରକୁ ପୂର୍ବରୁ ଗାଁର ଅନ୍ୟ ଏକ ଗୋଷ୍ଠୀ ୨ ଥର ବୋମା ମାଡ଼ କରିଥିଲେ ।

ଗତ ଅକକ୍ଟୋବର ୨୩ ତାରିଖରେ ଗାଁର ଅନ୍ୟ ଏକ ଗୋଷ୍ଠୀର ଯୁବକଙ୍କୁ ପଞ୍ଚୁଙ୍କ ଦୁଇ ଭାଇ କଙ୍ଗାରୁ ଓ କାଳିଆ ହତ୍ୟା କରିବା ଅଭିଯୋଗରେ ବର୍ତ୍ତମାନ ଜେଲରେ ରହିଛନ୍ତି । ଏଣୁ ସେହି ହତ୍ୟାର ପ୍ରତିଶୋଧ ନେବାକୁ ଆଜି ଏପରି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଆକ୍ରମଣ କରିଥିବା ଯୁବକଙ୍କ ପରଚୟ ମିଳି ନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।