ଗାଁ ରେ ଅଟକ ରହିଲେ କୋଭିଡ ଟେଷ୍ଟ କରିବାକୁ ଯାଇଥିବା ମେଡିକାଲ ଟିମ

ବଲାଙ୍ଗୀର: ଗାଁରେ ଅଟକ ରହିଲେ ମେଡିକାଲ ଟିମ । ଭୁଲ ରିପୋର୍ଟ ଦେଇଥିବା ନେଇ ଉତ୍ୟକ୍ତ ଗ୍ରାମବାସୀ ଟେଷ୍ଟ ମେଡିକାଲର ରାପିଡ ରେସପନ୍ସ ଟିମକୁ ଅଟକ ରଖିଛନ୍ତି । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ବରଗାଁ ଗ୍ରାମରେ ଚୁଡାପାଲି ମେଡିକାଲର ରେପିଡ୍ ରେସପନ୍ସ୍ ଟିମର ୨ଜଣ ଡାକ୍ତର ସମେତ ୬ଜଣ କର୍ମଚାରୀ ଗ୍ରାମବାସୀଙ୍କ ଦ୍ବାରା ଅଟକ ରହିଛନ୍ତି । ଅଟକ ମଧ୍ୟରେ ୨ ଜଣ ଡାକ୍ତର ଡ଼ା ଗଜେନ୍ଦ୍ର ପଟେଲ ଓ ଡ଼ା ଅଶୋକ ସାହୁଙ୍କ ସମେତ ସୁପରଭାଇଜର୍, ଏଏନଏମ୍ ଓ ଡ୍ରାଇଭର୍ ସହ ସ୍ଥାନୀୟ ଆଶା କର୍ମୀଙ୍କ ସହ ୬ଜଣ ମେଡିକାଲ ଷ୍ଟାଫ ରହିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତ କାଲି ଗାଁରେ ୬୦ଜଣ ବ୍ୟକ୍ତିଙ୍କ ଆର୍ଟି ପିସିଆର ଟେଷ୍ଟ କରାଯାଇଥିଲା ସେଥିରୁ ୪୯ ଜଣ ଗ୍ରାମବାସୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏନେଇ ଆଜି ସନ୍ଧ୍ୟାରେ ଚିକିତ୍ସା ପାଇଁ ମେଡିକାଲ ଟିମ ଗାଁକୁ ଯାଇଥିବା ବେଳେ ଗ୍ରାମବାସୀ ରିପୋର୍ଟ ତ୍ରୁଟି ଥିବା ନେଇ କହିଥିଲେ । ପରେ କିଛି ଗ୍ରାମବାସୀ ଏକଜୁଟ ହୋଇ ପୁଣିଥରେ ସମସ୍ତଙ୍କର କରୋନା ପରୀକ୍ଷା କରିବା ଦାବିରେ ମେଡିକାଲ ଟିମକୁ ଅଟକ ରଖିଛନ୍ତି ।

ସଂଧ୍ୟା ୫ଟାରୁ ଗ୍ରାମବାସୀ ଟିମକୁ ଅଟକ ରଖିଥିବା ନେଇ ଅଟକ ଥିବା ଡାକ୍ତର ଜାଗେନ୍ଦ୍ର ପଟେଲ କହିଛନ୍ତି । ଟିମକୁ ଉଦ୍ଧାର ପାଇଁ ଦେଓଗାଁ ପୋଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ପୋଲିସ ବହୁ ବିଳମ୍ବରେ ପହଁଚିଛି । ଦୀର୍ଘ ସାଢ଼େ ୩ଘଣ୍ଟା ପରେ ପୋଲିସ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛି । କିନ୍ତୁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ପୁରା ମେଡିକାଲ ଟିମକୁ ଅଟକ ରଖିଥିବା ଜଣାପଡିଛି । ଏନେଇ ଗ୍ରାମରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply