କଟକ: ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିଛି ଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟରେ କରୋନାର ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଏବେ ଆମ ରାଜ୍ୟର କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଲାଣି । ଛାତ୍ରଛାତ୍ରୀଙ୍କୁ ନିଜ କବଳକୁ ନେଉଛି ଏହି ମହାମାରୀ ଭୂତାଣୁ । ମଧୁପାଟଣାର ସ୍କୁଲ ଓ ଆଶ୍ରମରୁ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲର କର୍ମଚାରୀ ଓ ଅନ୍ତେବାସୀ କରୋନାରେ ଆକ୍ରନ୍ତ ହୋଇଛନ୍ତି । କରୋନା ସ୍ଥିତିକୁ ନେଇ ଆଜିଠୁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରିବ ସିଏମସି । ଆଜି ସିଏମସି ମୋବାଇଲ ଟିମ ସେଠାକୁ ଯାଇ ସ୍ବାବ୍ ସଂଗ୍ରହ କରିବ । ପୂର୍ବରୁ ନିକଟସ୍ଥ ଏକ ଘରୋଇ ବିଜ୍ଞାନ କଲେଜ ରୁ 25 ପଜିଟିଭ ବାହାରିଥିଲା ।
ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, ଫୁଲ୍ ଟାଇମ ଚୋର
ଭୁବନେଶ୍ୱର: ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ ସନ୍ଧ୍ୟାରେ ଖୋଲିବା ପରେ ରାତିରେ ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି । ବର୍ଷେ କିମ୍ବା ୨ ବର୍ଷ ନୁହେଁ, ୨୩ ବର୍ଷ ଧରି ସେ ଲୁଟ କରୁଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି । କମିଶନରେଟ ପୋଲିସର ଖଣ୍ଡଗିରି ଥାନା ରଘୁନାଥନଗର ଓ ସରକନ୍ତରା ଅଞ୍ଚଳରୁ ଲୁଟ କରୁଥିବା ଅବସ୍ଥାରେ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା ।

ସେମାନଙ୍କୁ ପଚରାଉଚରା ବେଳେ ଏହି ପାର୍ଟ ଟାଇମ ଡାକ୍ତରଙ୍କ ସମ୍ପର୍କରେ ସୂଚନା ପାଇଥିଲା । କମିଶନରେଟ ପୋଲିସର ଅଧିକାଂଶ ଥାନାରେ ଏମାନଙ୍କ ନାମରେ କେସ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୩୩ ହଜାର ଟଙ୍କା, ଅଧକେଜି ରୂପା, ୩୧ ଗ୍ରାମ ସୁନା ପୋଲିସ ଜବତ କରିଛି । ତେବେ ଅନ୍ୟ ଥାନା ମାନଙ୍କରେ ହୋଇଥିବା ଲୁଟରେ ଏମାନଙ୍କ ସମ୍ପୃକ୍ତି ନେଇ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ଦେଇଛି ପୋଲିସ ।
୫ ପ୍ରତିଶତ ବଢ଼ିଲା ଘରୋଇ ବିମାନର ସର୍ବନିମ୍ନ ଭଡ଼ା
ଦିଲ୍ଲୀ: ଘରୋଇ ବିମାନର ସର୍ବନିମ୍ନ ଭଡ଼ାକୁ ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ବୃଦ୍ଧି ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଲାଗୁ ରହିବ। ଗତ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ବିମାନ ଭଡା ବୃଦ୍ଧି କରାଯାଇଛି। ଏହା ପଛରେ ବିମାନର ଇନ୍ଧନ ମହଙ୍ଗା ବୋଲି କୁହାଯାଉଛି। ଏହା ବ୍ୟତୀତ ଯାତ୍ରୀମାନଙ୍କ ୮୦ ପ୍ରତିଶତ କ୍ଷମତା ରଖିବାକୁ ସରକାର ଘରୋଇ ବିମାନ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ କରୋନା ରୋଗ ବୃଦ୍ଧି ହେତୁ ଘରୋଇ ବିମାନରେ ଯିବାଆସିବା ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଏପ୍ରିଲ ଶେଷ ସୁଦ୍ଧା ଯାତ୍ରୀଙ୍କ କ୍ଷମତାକୁ ୮୦ ପ୍ରତିଶତ ରଖିବା ଏବଂ ଭଡା ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଭଡା ବୃଦ୍ଧି ଘଟିଛି। ବର୍ତ୍ତମାନ ସମୟରେ ଘରୋଇ ବିମାନର ସର୍ବାଧିକ ଭଡା ବୃଦ୍ଧି କରାଯାଇ ନାହିଁ। ସେ କହିଛନ୍ତି ଯେ ବିମାନ ଚଳାଚଳ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେଉଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ବିମାନ ଇନ୍ଧନର କ୍ରମାଗତ ମୂଲ୍ୟ ବୃଦ୍ଧି ହେତୁ ଘରୋଇ ବିମାନ ପାଇଁ ସର୍ବନିମ୍ନ ଭଡା ପାଞ୍ଚ ପ୍ରତିଶତ ବୃଦ୍ଧି କରାଯାଉଛି। ତେବେ ସର୍ବୋଚ୍ଚ ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପକ୍ଷରେ, ଯାତ୍ରୀମାନଙ୍କ କ୍ଷମତାକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରଖିବାକୁ ସେ କହିଛନ୍ତି ।
ଫ୍ରାନ୍ସକୁ ପୁଣି ଫେରିଲା ଲକଡାଉନ୍
ନୂଆଦିଲ୍ଲୀ: ମାଡୁଛି ମହାମାରୀ । ଫ୍ରାନ୍ସକୁ ପୁଣି ଫେରିଲା ଲକଡାଉନ୍ । କରୋନା ଥାର୍ଡ ଓ୍ବେଭ ଯୋଗୁ ବଢୁଛି ସଂକ୍ରମଣ । ଆଗାମୀ ମାସେ ଯାଏ ଲକଡାଉନ୍ ଘୋଷଣା କଲେ ପ୍ରାନ୍ସ ସରକାର । ଫ୍ରାନ୍ସର ୧୬ ଅଞ୍ଚଳରେ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜେନ୍ କାସଟେକ୍ସ । କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଫ୍ରାନ୍ସର ପ୍ୟାରିସ ଓ ଏହାର ଆଖପାଖ ଅଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଛି । ଆଜି ମଧ୍ୟରାତ୍ରୀରୁ କଟକଣା ଲାଗୁହେବ । ସନ୍ଧ୍ୟା ୭ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବ । ଏହି ସମୟରେ କେବଳ ଜରୁରିକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏହାଛଡ଼ା ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଲକଡାଉନ ସମୟରେ କୌଣସି ସ୍ଥାନରେ ଲୋକମାନେ ଏକାଠି ନ ହେବାକୁ କୁହାଯାଇଛି । ଏହି ସମୟରେ ଲୋକମାନଙ୍କୁ ଘରଠାରୁ ୧୦ କିମିରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଥିବା ବେଳେ ସ୍କୁଲ, ୟୁନିଭରସିଟି ଖୋଲାରହିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।
ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍
ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍ । ଏହି ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଅଷ୍ଟିନ । ଏଥିସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟି ଚୀନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି । ଦକ୍ଷୀଣ ଏସିଆରେ ଚୀନ ସୃଷ୍ଟି କରୁଥିବା ଅଶାନ୍ତ ପରିବେଶକୁ ଚେକ୍ ଦେବା ପାଇଁ ଆମେରିକା ଓ ଭାରତ ମିଳିତ ଯୋଜନା କରିବେ ବୋଲି ଆଶା କରାଯାଉଛି । ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ପଦ ସମ୍ଭାଳିବା ଠାରୁ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଆସିଛନ୍ତି । ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହେବ । ଏଥିସହ ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣିବା ନେଇ ମଧ୍ୟ କିଛି ଚୁକ୍ତି ସ୍ବାକ୍ଷରିତ ହୋଇପାରେ ।





