ସାମାନ୍ୟ କାଶ ଓ ଛିଙ୍କ ହେଲେ ଭୁବନେଶ୍ବର ନଆସିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲର ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ତଥାପି ସଂକ୍ରମଣର ସ୍ପିଡ ଦେଖି ଆଶଙ୍କାରେ ଲୋକେ। ଅଧିକ ସଂଖ୍ୟକ ଶଯ୍ୟା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଦାବି ହେଉଛି। ଡରଉଛି ଦିଲ୍ଲୀ ଓ ମହାରାଷ୍ଟ୍ରର ସ୍ଥିତି। ସାମାନ୍ୟ କାଶ ଓ ଛିଙ୍କ ହେଲେ ହସ୍ପିଟାଲରେ ଭର୍ତ୍ତି ହୋଇ ଅଯଥାରେ କୃତ୍ରିମ ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାସ୍ତରରେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଥିବା ସତ୍ତ୍ବେ ଭୁବନେଶ୍ବରକୁ ଆସିବାକୁ ପ୍ରାଥମିକତା ଦେଉଛନ୍ତି ରୋଗୀ। ଏପରିକି ରାଜ୍ୟ ବାହାରୁ ମଧ୍ୟ ରୋଗୀ ଆସୁଥିବାରୁ ଚିନ୍ତା ବଢୁଛି।

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କେବଳ ଅକ୍ସିଜେନ୍ ମହଜୁଦ ଅଛି ଏହା ନୁହଁ ବରଂ ଭିତ୍ତିଭୂମି ମଧ୍ୟ ରହିଛି। ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ମୋଟ ୮,୮୯୪ ଶଯ୍ୟାର ଶତକଡା ୩୩ ଭାଗ ଅର୍ଥାତ୍ ୨,୯୪୨ଟି ବେଡ୍ ବ୍ୟବହାର ହୋଇଛି। ୨,୧୭୦ଟି ଆଇସିୟୁ ମଧ୍ୟରୁ ୧,୦୬୦ ବ୍ୟବହାର ହୋଇଥିବା ବେଳେ ୮୫୮ଟି ଭେଣ୍ଟିଲେଟର ମଧ୍ୟରୁ ମାତ୍ର ୨୨୩ଟି ବ୍ୟବହୃତ ହୋଇଛି। ଅର୍ଥାତ୍ ବର୍ତ୍ତମାନ ସ୍ଥିତିରେ ଯଥେଷ୍ଟ ପରିମାଣର ଭିତ୍ତିଭୂମି ରହିଛି।

ସେହିଭଳି ଭୁବନେଶ୍ବରରେ ୬ଟି ହସ୍ପିଟାଲ ଓ ୪ଟି କୋଭିଡ କେୟାର ସେଣ୍ଟରରେ ମୋଟ ୨,୦୨୮ ଜେନେରାଲ ବେଡ ମଧ୍ୟରୁ କେବଳ ୭୯୬ଟି ବେଡରେ ରୋଗୀ ଥିବା ବେଳେ ୩୯୪ ଆଇସିୟୁ ମଧ୍ୟରୁ ୨୮୬ଟି ବ୍ୟବହୃତ ହୋଇଛି। ୪୨୩ ଏଚଡିୟୁରୁ ୨୩୮ଟି ଓ ୨୮୨ଟି ଭେଣ୍ଟିଲେଟର ମଧ୍ୟରୁ ମାତ୍ର ୮୬ଟି ବ୍ୟବହୃତ ହୋଇଛି। ଅର୍ଥାତ୍ ବର୍ତ୍ତମାନ ମଧ୍ୟ ଯଥେଷ୍ଟ ସଂଖ୍ୟକ ଭିତ୍ତିଭୂମି ରହିଥିବା ସ୍ପଷ୍ଟ ହୋଇଛି। ସେପଟେ ଗୁରୁତର ନଥିଲେ କୌଣସି ରୋଗୀ ଅଯଥାରେ ଭୁବନେଶ୍ବର ନଆସିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଆଜିର ଦିନରେ କେବଳ ରାଜ୍ୟରେ କାହିଁକି ଦେଶରେ ସଂକ୍ରମଣ ହାର ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଏଣୁ ଆତଙ୍କିତ ହେବା ପରିବର୍ତ୍ତେ ସଜାଗ ଓ ସଚେତନ ହେବା ଜରୁରୀ।

Leave a Reply