ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସ ମଙ୍ଗଳବାର ଦିନ ଶେଷ ନିଶ୍ୱାସ ତ୍ୟାଗ କିଛନ୍ତି । ସେ ଏକାଧାରରେ ଥିଲେ ଜଣେ ସାହିତ୍ୟକ, କଥାକାର, ଗାଳ୍ପିକ ଓ ଔପନ୍ୟାସିକ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୯୬୩ ମସିହାରୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଥିଲେ ।

୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ମାଆଙ୍କର ପଞ୍ଚମ ସନ୍ତାନ ହେଉଛନ୍ତି ମନୋଜ ଦାସ । ଯାହାଙ୍କର ଡାକ ନାମ ଥିଲା ମଣ୍ଟୁ। ମନୋଜ ଦାସଙ୍କ ପରିଚୟ ସେ ନିଜେ କେବଳ ମନୋଜ ଦାସ । ଏକ ଧାଡ଼ିରେ କହିଲେ ସର୍ଜନାର ମହାକାଶ ମନୋଜ ଦାସ ସରସ୍ଵତୀ ସମ୍ମାନ ଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ଅନେକ ସମ୍ମାନ ପାଇଛନ୍ତି କହିଲେ ଭୁଲ ହେବ ନାହିଁ ।

ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି ମନୋଜ ଦାସ। ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା ।

ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା । ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ ।

୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ। ସେହି ବର୍ଷ ହିଁ ସେ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହ ବିବାହ କରିଥିଲେ । ପରେ ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ ତାଙ୍କର ଗଳ୍ପ ‘ଶେଷ ବସନ୍ତର ଚିଠି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପାଇଥିଲେ ମନୋଜ ।

Leave a Reply