spot_img
Home Blog Page 5814

ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର:  ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା। ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । ସେପଟେ ବିଜେପିର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଆବସଯୋଜନର ଲୋଗୋ ପରିବର୍ତ୍ତନ କରିବା ପ୍ରସଙ୍ଗକୁ  ନେଇ ହୋହଲା କରିଥିଲେ । ବାଚସ୍ପତି  ଗୃହକୁ  ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।  ସୂଚନା ଯୋଗ୍ୟ ଯେ, ବିଧାନସଭାରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ରହିଛି । ଆଜି ପ୍ରଶ୍ନକାଳରେ ଖାଦ୍ୟଯୋଗାଣ,ସମବାୟ, କୄଷି ଓ କୄଷକ ଶସକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ, ଉଚ୍ଚଶିକ୍ଷା, ଗଣଶିକ୍ଷା ବିଭାଗ ରହିଛି । ସେହିଭଳି ବ୍ୟୟ ମଂଜୁରୀ ବିଲ ଉପରେ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି । ଆଜି କିଛି ବାର୍ଷିକ ରିପୋର୍ଟ ସହ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପିତ ହେବ ।

ପୁଣି ବୁର୍ଲା ଭିସୁଟ୍‌ରେ ରାଗିଂ ଅଭିଯୋଗ: ଭୟରେ ହଷ୍ଟେଲ ଛାଡ଼ିଲେ ଛାତ୍ର

ବୁର୍ଲା: ପୁଣି ବୁର୍ଲା ଭିସୁଟ୍‌ରୁ ଆସିଲା ରାଗିଂର ଅଭିଯୋଗ । କିଛିଦିନର ବ୍ୟବଧାନରେ ରାଜ୍ୟର ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଓ ଅନୁଶାସନ ଉପରେ ଲାଗିଛି କଳଙ୍କ । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ। ଗତ ୨୯ ତାରିଖ ହୋଲି ଦିନ ଭିସୁଟ୍‌ର ବଶିଷ୍ଟ ଛାତ୍ରାବାସରେ କିଛି ଚତୁର୍ଥ ବର୍ଷର ସିନିୟର ଛାତ୍ର ନିଶା ସେବନ କରୁଥିଲେ। ଏହି ସମୟରେ କିଛି ଦ୍ଵିତୀୟ ବର୍ଷର ଜୁନିୟର ଛାତ୍ର ସେହି ରାସ୍ତା ଦେଇ ଯାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସିନିୟର ଛାତ୍ରମାନେ ୪ ଜଣ ଜୁନିୟରଙ୍କୁ ତାଙ୍କ କଠୋରୀରୁ ଡାକି ରାଗିଂ କରିଥିବା ଅଭିଯୋଗ ହୋଇଛି। ଏପରିକି ୪ ଜଣ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିୟର ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହିତ ଗଞ୍ଜେଇ ଧୁଆଁ ମୁହଁରେ ଫୁଙ୍କିଥିବା ଅଭିଯୋଗ ହୋଇଛି। ଏନେଇ ଜୁନିୟର ଛାତ୍ରମାନେ ଭିସୁଟର ଆଣ୍ଟି ରାଗିଂ ସେଲରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏପରିକି ଏହି ଜୁନିୟର ଛାତ୍ରମାନେ ଭୟରେ ଛାତ୍ରାବାସ ଛାଡ଼ି ପଳାଇଥିବା ଜଣାପଡିଛି।

ଅପରପକ୍ଷରେ ଏହି ଘଟଣା ସମ୍ପୃକ୍ତ ନଥିବା କିଛି ଛାତ୍ରଙ୍କ ନାମ ମଧ୍ୟ ଅଭିଯୋଗରେ ଉଲ୍ଲେଖ ଥିବାରୁ ଗତକାଲି ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସ୍ଥାନୀୟ କିର୍ବା ଛକରେ ମୁହାଁମୁହିଁ ୨ ଛାତ୍ର ଗୋଷ୍ଠୀ । ଏପଟେ ଏହି ଘଟଣାକୁ ଚାପିଦେବାକୁ କର୍ତ୍ତୃପକ୍ଷଙ୍କ ପ୍ରୟାସ କରିଛନ୍ତି। ବିଶ୍ୱବିଦ୍ୟାଳୟ ରେ ଏପରି ରାଗିଂ ଘଟଣା ନୂଆ ନୁହଁ। ପୂର୍ବରୁ ମଧ୍ୟ ଭିସୁଟରେ ଅନେକ ଥର ଏପରି ରାଗିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଛି।

ଏଥିସହିତ ପଢ଼ନ୍ତୁ: ଚଳନ୍ତା କାର୍‌ରେ ଲାଗିଗଲା ନିଆଁ: ଜଳିଗଲା ସମ୍ପୂର୍ଣ୍ଣ କାର୍‌

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ: ଜଳିଗଲା ସମ୍ପୂର୍ଣ୍ଣ କାର୍‌

କେନ୍ଦୁଝର: ଚଳନ୍ତା କାର୍‌ରେ ଲାଗିଗଲା ନିଆଁ । ବଡବିଲରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଛି ଫଳରେ କାର୍‌ଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ  ହୋଇଯାଇଛି । ଘରୋଇ ଫାଇନାନ୍ସ କମ୍ପାନୀର ଶାଖା ପ୍ରବନ୍ଧକ ସୁରେନ୍ଦ୍ର କୁମାର ଦାସ ଓ ତାଙ୍କର ଜଣେ ବନ୍ଧୁ ଓଆର ୦୫ ଏକ୍ସ ୦୮୧୧ ଚେଭରୋଲେଟ ସ୍ପାର୍କ କାର ଯୋଗେ ବଡବିଲ୍ ବଜାର ପଟକୁ ଆସୁଥିବା ବେଳେ, ଡାକ ବଙ୍ଗଳା ଛକ ନିକଟରେ ରାତି ପ୍ରାୟ ୯ଟା ସମୟରେ ଚଳନ୍ତା କାରଟିରେ ହଠାତ୍ ନିଆଁ ଲାଗିଯାଇଥିଲା ।  ଦେଖୁଦେଖୁ ହୁତୁହୁତୁ ହୋଇ କାରଟି ସମ୍ପୂର୍ଣ୍ଣ ଜଳିବାକୁ ଲାଗିଲା । ତେବେ କାରରେ ଥିବା ଉଭୟ ବ୍ୟକ୍ତି ସଙ୍ଗେ ସଙ୍ଗେ କାର୍ ଭିତରୁ ବାହାରି ନିଜକୁ ବଞ୍ଚାଇ ନେଇଥିଲେ । ଖବର ପାଇ ଦମକଳ ଗାଡ଼ି ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ମାତ୍ର ସେତେବେଳକୁ କାରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ଇଞ୍ଜିନରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ବାଲିଗୁଡ଼ାରେ ଅନ୍ଧବିଶ୍ୱାସକୁ ଢାଲ କରି ଘର ଭାଙ୍ଗିଦେଲେ

ବାଲିଗୁଡ଼ାରେ ଅନ୍ଧବିଶ୍ୱାସକୁ ଢାଲ କରି ଘର ଭାଙ୍ଗିଦେଲେ

ବାଲିଗୁଡ଼ା: ଅନ୍ଧବିଶ୍ୱାସକୁ ଢାଲ କରି ଘର ଭାଙ୍ଗିଦେଲେ ଲୋକେ । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଭିଆଇଛନ୍ତି । ଏଭଳି  ଅଭିଯୋଗ ହୋଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁରେ । ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଅନାଦି ମାଲିକଙ୍କ ଘର ଭାଙ୍ଗି ଦେଇଛନ୍ତି ୨୦ରୁ ଅଧିକ ଲୋକ  । ଏନେଇ ବାଲିଗୁଡା ଥାନାରେ ଅଭିଯୋଗ ପରେ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଅଭିଯୋଗ ଅନୁସାରେ ଗାଁର ଜଣେ ଯୁବତୀଙ୍କ ଶରୀରରେ କାଳେଶୀ ଉଭା ହୋଇ ଅନାଦି ଗୁଣି କରୁଥିବା କହିଥିଲେ  । ଫଳରେ ଲୋକମାନେ ତାଙ୍କ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି  । ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ଗାଁର ବୁଦାରା ପ୍ରଧାନଙ୍କ ଘର ଭାଙ୍ଗି ଦେବା ସହିତ ତାଙ୍କୁ ଗାଁରୁ ତଡ଼ି ଦେବାକୁ କିଛି ଲୋକ ଉଦ୍ୟମ କରିଥିଲେ  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଧମକ ଦେଇଥିଲେ  । ପରେ ଲୋକଙ୍କୁ ଥାନାକୁ ଡାକି ବୁଝାସୁଝା କରିଥିଲା ପୋଲିସ୍  । କିଛି ଯୁବ ଗୋଷ୍ଠୀ ଜାଣିଶୁଣି ଅନ୍ଧ ବିଶ୍ବାସକୁ ପ୍ରବର୍ତ୍ତାଇବା ସହ ନିଜର ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେଉଥିବା ପୋଲିସ୍ ଜାଣିବାକୁ ପାଇଛି  ।

ଏଥିସହିତ ପଢ଼ନ୍ତୁ: ଅପରେସନ ଗରଳରେ ଇଣ୍ଟରନ୍ୟାସନାଲ ଲିଙ୍କ ! ତଦନ୍ତଭାର ନେଇପାରେ କ୍ରାଇମ୍‌ବ୍ରାଞ୍ଚ

ଏପ୍ରିଲ ପହିଲାରେ ରିଲିଜ୍ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ

ଭୁବନେଶ୍ୱର:  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଗୀତଟିକୁ ଗୀତିକାର ତପୁନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ରଚାଯାଇଛି ସଂଗୀତ  । ବିଜୁ ବାବୁଙ୍କର ବୀରତ୍ୱ,  ଆଦର୍ଶ ଓ ସାହାସିକତାକୁ ସଂଗୀତରେ ଦିଆଯାଇଛି ସ୍ଥାନ ।

 ସଂକଳ୍ପର ସାତ ସୂରରେ ସଂଗୀତ, ମୁଁ ବିଜୁ ବାବୁ ପରି ହେବି । ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ସଂଗୀତ ଓଡ଼ିଶାବାସୀଙ୍କୁ ବେଶ ପସନ୍ଦ ଲାଗିବ ବୋଲି କହିଛନ୍ତି ଗୀତିକାର ତପୁ ନାୟକ  । ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ତୁଷାର କାନ୍ତି ବେହାରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲୀ, ବ୍ରଜ ପ୍ରଧାନ ଅଭିନୟ କରିଛନ୍ତି । ଏହାସହିତ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି । ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି । ଗୀତଟି ଆସନ୍ତା ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ରିଲିଜ ହେବାକୁ ଥିବା ବେଳେ ଏହାର ଟିଜରକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଛି ।

ଟିକସ ଆଦାୟ କ୍ଷେତ୍ରରେ ବିଏମ୍‌ସିକୁ ବଡ଼ ସଫଳତା, ଗୋଟିଏ କଲେଜରୁ ୩ କୋଟି ଆଦାୟ

0

ଭୁବନେଶ୍ୱର: ଟିକସ ଆଦାୟ କ୍ଷେତ୍ରରେ ବିଏମସିକୁ ମିଳିଛି ବଡ଼ ସଫଳତା । ପାହାଳ ସ୍ଥିତ ଆପେକ୍ସ ଇଞ୍ଜିନିୟରିଂ କଲେଜ ଠାରୁ ବକେୟା ହୋଲଡିଂ ଟ୍ୟାକ୍ସ ବାବଦରେ ଆଦାୟ ହୋଇଛି ୩ କୋଟି ଟଙ୍କା । ଆପେକ୍ସ ଇଞ୍ଜିନିୟରିଂ କଲେଜ ଦୀର୍ଘ ବର୍ଷର ବକେୟା ହୋଲଡିଂ ଟ୍ୟାକ୍ସ ବାବଦରେ ୬ କୋଟି ଟଙ୍କା ବାକି ରଖିଥିଲା । ମଙ୍ଗଳବାର କଲେଜକୁ ସିଲ୍‌ କରିବାକୁ ଯାଇଥିବା ବେଳେ କଲେଜ କର୍ତ୍ତୃପକ୍ଷ ମୋଟ ଅର୍ଥର ୫୦ ପ୍ରତିଶତ ଅର୍ଥାତ ୩କୋଟି ଟଙ୍କାର ଚେକ୍ ଦେଇଥିବା ଜଣାପଡିଛି ।

ମାର୍ଚ୍ଚ ମାସ ଶେଷ ପୂର୍ବରୁ ଟିକସ ଖିଲାପକାରୀଙ୍କ ଠାରୁ ବକେୟା ଟିକସ ଆଦାୟ ପାଇଁ ବିଏମସି ପଦକ୍ଷେପ ନେଇଛି । ବଡ଼ ବଡ଼ ଖିଲାପକାରୀଙ୍କ ତାଲିକା ସର୍ବସାଧାରଣରେ ଝୁଲାଇବା, କିନ୍ନରଙ୍କ ଜରିଆରେ ଆଦାୟ, ରେଡ୍‌ ନୋଟିସ ଓ OPDR ନୋଟିସ୍‌ ଜାରି ପରେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସମ୍ପତ୍ତିକୁ ସିଲ କରିବା ଭଳି କଠୋର ପଦକ୍ଷେପ ନେଇଛି ବିଏମ୍‌ସି । ହୋଲଡିଂ ଟ୍ୟାକ୍ସ ବାବଦରେ ବିଏମସିର ବକେୟା ପଡିଛି ପ୍ରାୟ ୪୩ କୋଟି ଟଙ୍କା । ବର୍ଦ୍ଧିତ ଟ୍ୟାକ୍ସକୁ ନେଇ ହାଇକୋର୍ଟ ରହିତା ଦେଶ ଓ ସରକାରଙ୍କ ନିର୍ଦେଶନାମା ଜାରି ହୋଇଥିବା ବେଳେ ଟିକସ ଦାତାଙ୍କୁ ପୂର୍ବ ନିର୍ଦ୍ଧାରିତ ମୂଲ୍ୟ ପ୍ରକାରେ ଟିକସ ପଇଠ କରିବାକୁ କୁହାଯାଇଛି ।

ସାରା ଦେଶରେ ଜାରି ରହିଛି କରୋନା ପ୍ରକୋପ, ୧୦ ଜିଲ୍ଲାରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ପ୍ରକୋପ । ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ରହିଛି । ଦେଶର ୧୦ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ୧୦ ଜିଲ୍ଲା ମଧ୍ୟରୁ କେବଳ ମହାରାଷ୍ଟ୍ରର ୮ଟି ଜିଲ୍ଲା ରହିଥିବା ବେଳେ ଦିଲ୍ଲୀ ଓ କର୍ଣ୍ଣାଟକର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି । ପୁନେ, ମୁମ୍ବାଇ, ନାଗପୁର, ଥାନେ, ନାସିକରେ ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ ରହିଛି ।

ଦେଶରେ ଏଯାବତ୍‌ ୮୦୭ଟି ୟୁକେ ଷ୍ଟ୍ରେନ୍, ୪୭ଟି ସାଉଥ୍‌ ଆଫ୍ରିକା ଷ୍ଟ୍ରେନ୍ ଓ ଗୋଟିଏ ବ୍ରାଜିଲ୍ ଷ୍ଟ୍ରେନ୍ ଦେଖାଦେଇଥିବା ଜଣାପଡିଛି । ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ରହିଛି ସେହି ସ୍ଥାନରେ ଡୋର ଟୁ ଡୋର ବୁଲି କରୋନା ପରୀକ୍ଷା କରିବା ପାଇଁ କୁହାଯାଇଛି । ଏପଟେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସଠିକ୍‌ ଭାବେ ମାସ୍କ ପିନ୍ଧିବା, ୬ଫୁଟ୍‌ ଦୂରତା ରଖିବା, ବାରମ୍ବାର ହାତ ଧୋଇବାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ୨୫ରୁ ୩୦ଜଣ ନିକଟତମ ବ୍ୟକ୍ତିଙ୍କ ଟେଷ୍ଟ ଜରୁରୀ ।

ସଂକ୍ରମଣ ରୋକିବା ପାଇଁ ଏଭଳି ବ୍ୟକ୍ତିଙ୍କୁ ସଂଗରୋଧ ରହିବା ଉଚିତ୍ । ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସହ ବ୍ୟାରିକେଡ୍ ଲଗାଇ କଣ୍ଟେନମେଣ୍ଟ୍‌ ଜୋନ୍ ଲାଗୁ କରିବାକୁ କୁହାଯାଇଛି । ସଂକ୍ରମଣ ରୋକିବାକୁ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ନିହାତି ଆବଶ୍ୟକ । ଜିଲ୍ଲାସ୍ତରରେ ଆକ୍ସନ ପ୍ଲାନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦ୍ୱିତୀୟ ଏମ୍‌ସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ । ଚିଠିରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ସୁନ୍ଦରଗଡ଼ରେ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଏନେଇ ରାଜ୍ୟ ସରକାର ଓ ଜାତୀୟ ତାପଜ ଶକ୍ତି କର୍ପୋରେସନ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ, ବିଭିନ୍ନ ଯନ୍ତ୍ରାଂଶ କ୍ରୟ ଚାଲିଛି ।

ହସ୍ପିଟାଲରେ ୫ଶହ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ଥିବା ବେଳେ ପ୍ରତିବର୍ଷ ଶହେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ପଢିବା ସୁବିଧା ରହିଛି । ରାଜ୍ୟରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ଏହି ଭିତ୍ତିଭୂମି ବ୍ୟବହାର ହୋଇପାରିବ । ଫଳରେ ଜନବହୁଳ ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳରେ ଉନ୍ନତମାନର ଚିକିତ୍ସା ସେବା ପାଇପାରିବେ । ଏଥିସହ ଏଠାକୁ ସଡ଼କ ପଥ, ରେଳ ଯୋଗାଯୋଗ ସୁବିଧା ଥିବା ବେଳେ ନିକଟବର୍ତ୍ତୀ ଝାରସୁଗୁଡ଼ାକୁ ବିମାନ ଚଳାଚଳ ସୁବିଧା ରହିଛି । ତେଣୁ ସୁନ୍ଦରଗଡ଼ରେ ଏମ୍‌ସର ଦ୍ୱିତୀୟ ଶାଖା ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

5T ଇଫେକ୍ଟ: ଜେଲ୍‌ରେ ବସିବ ଅଦାଲତ, ତ୍ୱରାନ୍ୱିତ ହେବ ନ୍ୟାୟିକ ପ୍ରକ୍ରିୟା

ଭୁବନେଶ୍ୱର: 5T ଇଫେକ୍ଟ, ଜେଲ ସଂସ୍କାରକୁ ଗୁରୁତ୍ୱ । ଜେଲରେ ତ୍ୱରାନ୍ୱିତ ହେବ ନ୍ୟାୟିକ ପ୍ରକ୍ରିୟା । ଏପ୍ରିଲରୁ କାରାଗାରରେ ବସିବ ଅଦାଲତ । ବନ୍ଦୀ ଜୀବନରୁ ମୁକ୍ତି ଦେବାକୁ ସରକାରଙ୍କ ପ୍ରୟାସ । ରାଜ୍ୟ ସରକାରଙ୍କ 5-T ବ୍ୟବସ୍ଥାରେ ଜେଲ ବିଭାଗ ଅନ୍ତର୍ଭୁକ୍ତ ହେବା ପରେ ତ୍ୱରିତ ନ୍ୟାୟ ବ୍ୟବସ୍ଥା ପାଇଁ ଲିଗାଲ୍‌-ଏଡ୍‌ ସର୍ଭିସ ସହାୟତାରେ ଜେଲ୍‌ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଜେଲ୍‌ ଅଦାଲତ ବସିବ । ଛୋଟ ଅପରାଧରେ ଜଡ଼ିତ ବିଚାରାଧୀନ ବନ୍ଦୀଙ୍କ ପାଇଁ ଏହା ସହାୟକ ହେବ । ଜାମିନ୍‌ ଯୋଗ୍ୟ ଅପରାଧରେ ରହିଥିବା ବନ୍ଦୀଙ୍କୁ ଚିହ୍ନଟ କରି ତୁରନ୍ତ ଜାମିନ୍‌ ଦେବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ପୂର୍ବରୁ ତାମିଲନାଡୁ ଓ ଝାଡ଼ଖଣ୍ଡରେ ଏଭଳି ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହା ହେବାକୁ ଯାଉଛି ।

ରାଜ୍ୟର ବିଭିନ୍ନ ଜେଲ୍‌ରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ କଏଦୀ ଅଛନ୍ତି, ଯେଉଁମାନେ ଜାମିନ ପାଇବାକୁ ହକଦାର । କିନ୍ତୁ ଆବଶ୍ୟକୀୟ କାଗଜପତ୍ର ଦାଖଲ ନକରିବାରୁ ବିଚାର ପ୍ରକ୍ରିୟା ବାଧା ପାଉଛି । ନିୟମିତ କଏଦୀ ମାନଙ୍କର ସ୍ଥିତାବସ୍ଥାକୁ ନେଇ ତର୍ଜମା କରାଯିବା ପରେ ଜାମିନ ପାଇଁ ତାଲିକା ପ୍ରସ୍ତୁତ ହେବ । ପୂର୍ବରୁ ଇ-ପ୍ରିଜନ୍‌ ବ୍ୟବସ୍ଥାରେ ପ୍ରତ୍ୟେକ ଜେଲ୍‌କୁ ଲାପ୍‌ଟପ୍‌ ପ୍ରଦାନ କରାଯିବା ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଇ-ମୁଲାକାତ୍‌ ବ୍ୟବସ୍ଥା କରାଯାଉଛି । ୨୦୨୦-୨୧ ବର୍ଷ ପାଇଁ ମଧ୍ୟ ବିଭିନ୍ନ ଜେଲ୍‌ରେ ୮୭୦ ନୂଆ ଓ୍ୱାର୍ଡ ମଞ୍ଜୁର ହୋଇଛି ।