spot_img
Home Blog Page 5801

ବାଚସ୍ପତିଙ୍କ ଉପରକୁ ବିଧାନସଭାରେ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଅଶୋଭନୀୟ ଘଟଣା । ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଅଶୋଭନୀୟ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି । ବିଷ୍ଣୁ ସେଠୀ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡ଼ିବା କଥାକୁ ଅସ୍ୱୀକାର କରିଥିବା ବେଳେ ହେଡଫୋନ୍ ଓ ଫେନ୍ ଫୋପାଡ଼ିଥିବା କହିଛନ୍ତି ।

ବିଷ୍ଣୁ କହିଛନ୍ତି ମୁଁ ନୁହେଁ ଅନ୍ୟ କେହି ନୂଆ ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି । ବିଧାନସଭାରେ ବିଜେପି ବିଧାୟକଙ୍କ ଏଭଳି ଅଶୋଭନୀୟ ଆଚରଣ ପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି । ସଂଶୋଧିତ ଲୋକାୟୁକ୍ତ ବିଲ୍ ବିଧାନସଭାରେ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ଓଡ଼ିଶାକୁ ବଦନାମ୍ କରିବାକୁ ବିଜେପିର ଅପଚେଷ୍ଟା’

 

ଦାଉ ସାଧୁଛି ଦରବୃଦ୍ଧି, ସୋରିଷ ତେଲରୁ ନେଇ ଡାଲି ସବୁର ବଢ଼ିଛି ଦାମ୍

ନୂଆଦିଲ୍ଲୀ (ସୁଶାନ୍ତ କୁମାର ସାହୁ): ଦରବୃଦ୍ଧି ଭାଙ୍ଗିଦେଲାଣି ଜନତାଙ୍କ ମେରୁଦଣ୍ଡ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି । ଗୋଟିଏ ପଟେ କରୋନା ପାଇଁ ବର୍ଷେ ହେଲା ଲୋକଙ୍କ ହାତରେ ରୋଜଗାର ନାହିଁ । ଅନ୍ୟପଟେ ଖାଦ୍ୟ ସାମଗ୍ରୀର ଦରରେ ଲଗାମ ବି ନାହିଁ । ଯେଉଁଥିପାଇଁ ସାଧାରଣ ଲୋକଙ୍କ ଘରର ବଜେଟ୍ ବିଗିଡ଼ିବାରେ ଲାଗିଛି । ଚାଉଳରୁ ନେଇ ଡାଲି, ସୋରିଷ ତେଲ, ରିଫାଇନଡ୍ ତେଲ, ଚା’, ଲୁଣ ଦର ଗୋଟିଏ ବର୍ଷ ଭିତରେ ଏତେ ବଢ଼ିଛି ଯେ ଘର ଚଳାଇବା କଷ୍ଟକର ହୋଇ ପଡ଼ିଲାଣି ।

Inflation Report Increase The Price Of Mustard Oil Refined Tea Milk Salt

ଉପଭୋକ୍ତା ମନ୍ତ୍ରଣାଳୟ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ୧ ଏପ୍ରିଲ୍ ୨୦୨୦ ତୁଳନାରେ ୨୦୨୧ ଏପ୍ରିଲ୍ ୧ ସୁଦ୍ଧା ଖାଦ୍ୟ ତେଲର ମୂଲ୍ୟ ୪୭ ପ୍ରତିଶତ, ଡାଲିର ମୂଲ୍ୟ ୧୭ ପ୍ରତିଶତ ଓ ଖୋଲା ଚା’ର ଦାମ୍ ୩୦ ପ୍ରତିଶତ ଯାଏ ବୃଦ୍ଧି ଘଟିଛି । ଚାଉଳ ଦର ୧୪.୬୫ ପ୍ରତିଶତ ବଢ଼ିଥିବା ବେଳେ ଗହମରୁ ପ୍ରସ୍ତୁତ ଅଟା ଦର ୩.୨୬ ପ୍ରତିଶତ ବଢ଼ିଛି । ଯେତେବେଳେ କି ପୂର୍ବାପେକ୍ଷା ଶସ୍ତା ହୋଇଛି ଚିନି ।

ରିପୋର୍ଟ ଅନୁସାରେ, ବିଗତ ଏକ ବର୍ଷ ମଧ୍ୟରେ ଖାଇବା ତେଲର ଦାମ ପ୍ଲେଟରୁ ଖାଦ୍ୟ ସରିବା ଭଳି ବଢ଼ିଛି । ପାମ୍ ଅଏଲ୍ ଦର ୮୭ ଟଙ୍କାରୁ ବଢ଼ି ୧୨୧ ଟଙ୍କା ହୋଇଥିବା ବେଳେ ସୂର୍ଯ୍ୟମୂଖି ତେଲ ଦାମ ୧୦୬ରୁ ବଢ଼ି ୧୫୭ ଟଙ୍କା ହୋଇଛି । ସେହିଭଳି ବନସ୍ଫତି ତେଲ ୮୮ଟଙ୍କାରୁ ବଢ଼ି ଲିଟର ପିଛା ୧୨୧ ଟଙ୍କା ଓ ପ୍ୟାକେଟ୍ ସୋରିଷ ତେଲ ଦାମ ୧୧୭ଟଙ୍କାରୁ ବୃଦ୍ଧି ପାଇ ୧୫୧ ଟଙ୍କାରେ ପହଞ୍ଚିଛି । ବାଦାମ ତେଲ ଦାମ ୧୩୯ରୁ ୧୬୫ଟଙ୍କାକୁ ବଢ଼ିଥିବା ବେଳେ ସୋୟା ତେଲ ୯୯ଟଙ୍କାରୁ ବଢ଼ି ୧୩୩ ଟଙ୍କା ଲିଟର ପିଛାରେ ବିକ୍ରି ହେଉଛି ।

Inflation Report Increase The Price Of Mustard Oil Refined Tea Milk Salt (3)

ଖାଲି ଖାଇବା ତେଲ ଦର ବଢ଼ିଛି ତା’ନୁହେଁ । ଚା’ ଓ ଦୁଗ୍ଧ ଜାତୀୟ ସାମଗ୍ରୀର ଦର ମଧ୍ୟ ବଢ଼ିଛି । ବର୍ଷକ ଭିତରେ ଖୋଲା ଚା’ ଦାମ୍ ୨୧୭ ଟଙ୍କାରୁ ୨୮୧ ଟଙ୍କାକୁ ବୃଦ୍ଧି ପାଇଛି । ଚା’ ଦର ପ୍ରାୟ ୨୯ ପ୍ରତିଶତ ବଢ଼ିଛି ବର୍ଷକ ଭିତରେ । ଲୁଣ ଦର ଗୋଟିଏ ବର୍ଷ ଭିତରେ ୧୦ ପ୍ରତିଶତ ବଢ଼ିଥିବା ବେଳେ କ୍ଷୀର ଦର ୭ ପ୍ରତିଶତ ବୃଦ୍ଧି ପାଇଛି ।

Inflation Report Increase The Price Of Mustard Oil Refined Tea Milk Salt (3)

ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଡାଲି ମଧ୍ୟ ମହଙ୍ଗା ହୋଇଛି । ହରଡ଼ ଡାଲି ଦର ୯୧ ଟଙ୍କାରୁ ବଢ଼ି ୧୦୬ ଟଙ୍କା ହୋଇଥିବା ବେଳେ ବିରି କେଜି ପିଛା ୯୯ ଟଙ୍କାରୁ ୧୦୯ ଟଙ୍କାକୁ ବୃଦ୍ଧି ପାଇଛି । ମସୁରୀ ଡାଲି ଦର ୬୮ ଟଙ୍କାରୁ ୮୦ ଟଙ୍କାକୁ ବଢ଼ିଥିବା ବେଳେ ମୁଗ ଡାଲି ୧୦୩ ଟଙ୍କାରୁ ୧୦୫ ଟଙ୍କାକୁ ବଢ଼ିଛି । ଦେଶବ୍ୟାପୀ ୧୩୫ଟି ଖୁଚୁରା କେନ୍ଦ୍ର ମଧ୍ୟରୁ ୧୧୧ଟି କେନ୍ଦ୍ରରେ ବିକ୍ରି ଦରକୁ ନେଇ ଏହି ତଥ୍ୟ ଦେଇଛି ଉପଭୋକ୍ତା ମନ୍ତ୍ରଣାଳୟ ।

କଇଁଫୁଲିଆ ହାଇଲେବଲ୍ ସେତୁକୁ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଆସିକା: କଇଁଫୁଲିଆ ହାଇଲେବଲ୍ ସେତୁ ଉଦ୍‌ଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ବ୍ରିଟିଶ ସମୟରେ ଦୁଇଟି ପୁରୁଣା ସେତୁ ସ୍ଥାନରେ ନୂଆସେତୁ ନିର୍ମାଣ କରାଯାଇଛି  ।  ଏହି ସେତୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗୁରୁତ୍ବପୂର୍ଣ୍ଣ ସଂଯୋଗ ପଥ ଭାବେ କାର୍ଯ୍ୟ କରିବ । ଆସିକା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟ ସହରରୁ ଭୁବନେଶ୍ବରକୁ ଦୂରତା ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯାତାୟାତରେ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି । ନୂଆ ସେତୁ ଦ୍ବାରା ଗଞ୍ଜାମ ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ । ଚଳିତବର୍ଷ ରାଜ୍ୟରେ ହଜାରେ କିଲୋମିଟର ରାସ୍ତା ଓ ୩୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ।  ଏଥିପାଇଁ ୨୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧ ହଜାର କୋଟି ଟଙ୍କା ଓ ଗ୍ରାମ୍ୟ ସଡ଼କ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟବାସୀ ଏହି ରାସ୍ତା ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି  । ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ  । କହିଛନ୍ତି, ବିପଦ ଏବେ ବି ଯାଇନାହିଁ । ଦ୍ବିତୀୟ ଲହରର ଭୟ ରହିଛି । ତେଣୁ ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ଼ ଜାଗାରେ ସାମାଜିକ ଦୂରତା ରଖିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ପିପିଲିରେ ବଢ଼ୁଛି ବିଜେଡି ଲୋକପ୍ରିୟତା: ଶତାଧିକ ବିଜେପି ନେତା ଓ କର୍ମୀ ସାମିଲ

ଆଇପିଏଲ୍ ପୂର୍ବରୁ ଷ୍ଟାଡ଼ିୟମରେ ପଶିଲା କରୋନା

ମୁମ୍ବାଇ: ଆଉମାତ୍ର ଦିନ କେଇଟା ପରେ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ଆଇପିଏଲ୍ ସିଜିନେ ୧୪ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ହେଲେ ଏହା ପୂର୍ବରୁ ଷ୍ଟାଡିୟମ ଭିତରେ ବି କୋରନା କାୟା ମେଲାଇବା ଆରମ୍ଭ କଲାଣି ।  ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମର ୮ ଜଣ ଗ୍ରାଉଣ୍ଡଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏହାପରେ ଟୁର୍ଣ୍ଣାମେଟକୁ ନେଇ ଚିନ୍ତା ବଡ଼ିଛି।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ୱାଙ୍ଖଡ଼େ ଷ୍ଟାଡିୟମର ୧୯ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କ କରୋନା ଟେଷ୍ଟ ହୋଇଥିଲା। ଏଥିରୁ ଗତ ୨୬ ତାରିଖରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଏପ୍ରିଲ ୧ ତାରିଖ ଆଉ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି।

ଆସନ୍ତା ୯ ତାରିଖଦିନ ଆଇପିଏଲର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ପ୍ରଥମ ମୁକାବିଲା ରୟାଲ୍ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ। ହେଲେ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଆଇପିଏଲ୍ ମ୍ୟାଚ୍ ମୁମ୍ବାଇରେ ହିଁ ଖେଳାଯିବ । ତେବେ ଏଭଳି ସ୍ଥିତିରେ ଷ୍ଟାଡିୟମରେ କରୋନା ପଶିବାରୁ ବିସିସିଆଇର ଚିନ୍ତା ବଢ଼ିଛି। ତେବେ ଏହି ଷ୍ଟାଡିୟମର ସମସ୍ତ ପ୍ରବେଶ ଦ୍ୱାରକୁ ସିଲ୍‌ କରି ମ୍ୟାଚ୍‌ ଖେଳାଯିବାକୁ ଯୋଜନା ଚାଲିଛି।

ସେପଟେ ମୁମ୍ବାଇରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁମ୍ବାଇ କ୍ରିକେଟ ଆସୋସିଏସନ୍‌ ଆଇପିଏଲ୍‌କୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି ଏବଂ ଅତି କମ୍‌ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଷ୍ଟାଡିୟମରେ ରଖିବା ପାଇଁ ଯୋଜନା କରିଛି।

‘କୋଟିଆ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ବ୍ୟାପକ ସାମାଜିକ ସୁରକ୍ଷା ଯୋଜନା ହାତକୁ ନିଆଯାଇଛି’

ଭୁବନେଶ୍ୱର: କୋଟିଆ ଏବଂ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅଞ୍ଚଳଗୁଡ଼ିକରେ ସାମାଜିକ ସୁରକ୍ଷା ଯୋଜନାରେ ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା, ଏଡ୍‌ସ ରୋଗୀ, କୁଷ୍ଠରୋଗୀ ଓ ଅବିବାହିତ ମହିଳାମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ମାସିକ 500, 700 ଓ 900 ଟଙ୍କା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯାଉଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା  ଦେଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜାତୀୟ ସାମାଜିକ ସୁରକ୍ଷା ଓ ମଧୁବାବୁ ପେନସନ ଯୋଜନାରେ ମୋଟ୍‌ ୪୮ ଲକ୍ଷ ୫୬ ହଜାର ୬୬୦ ଜଣଙ୍କୁ ସାମିଲ କରାଯାଇଛି । ଚଳିତବର୍ଷ ସାମାଜିକ ସୁରକ୍ଷା ନିମନ୍ତେ ବଜେଟରେ ୧ ହଜାର ୫୨୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ସମଲିଙ୍ଗୀଙ୍କୁ ସାମିଲ କରିବା ସହ ସହାୟ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା  ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ପିପିଲିରେ ବଢ଼ୁଛି ବିଜେଡି ଲୋକପ୍ରିୟତା: ଶତାଧିକ ବିଜେପି ନେତା ଓ କର୍ମୀ ସାମିଲ

 

ମଝି ରାସ୍ତାରେ ଦୁଇଫାଳ ହୋଇଗଲା ଯାତ୍ରୀବାହୀ ଟ୍ରେନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ବଡ଼ ଅଘଟଣରୁ ବର୍ତ୍ତିଛି ଯାତ୍ରୀବାହୀ ଟ୍ରେନ୍।  ଏକ୍ସପ୍ରେସ ଟ୍ରେନରୁ ଅଲଗା ହୋଇ ପଛରେ ରହିଗଲା ଅଧା ବଗି। ଏହି ସାପ୍ତକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ ସହିତ ଘଟିଛି ଏହି ଘଟଣା। ସୂଚନା ମୁତାବକ କପଲିଙ୍ଗ୍ ବ୍ରେକଡାଉନ୍ ହେତୁ ଏହି ସୁପରଫାଷ୍ଟ ଏକ୍ସପ୍ରେସଟି ଅଲଗା ହୋଇ ଦୁଇ ଭାଗ ହୋଇଯାଇଥିଲା। ଏହା ପରେ ଅଧା ଟ୍ରେନ୍ ପ୍ରାୟ ୧ କିଲୋମିଟର ଆଗକୁ ପଳାଇଥିଲା ।ଘଟଣା ସମ୍ପର୍କରେ ରେଳ ନିୟନ୍ତ୍ରଣ କକ୍ଷରେ ସୂଚନା ଦିଆଯାଇଥିଲା। ଯାହାପରେ ଟ୍ରେନ୍ଟି ସଂଯୋଗ ହୋଇପାରିଥିଲା । ତେବେ ଡ୍ରାଇଭରଙ୍କ ବୁଦ୍ଧିମତା ଯୋଗୁ କୌଣସି ବଡ଼ ଦୁର୍ଘଟଣାକ ହୋବାରୁ ବର୍ତ୍ତିଗଲା ।

ସୂଚନା ଅନୁଯାୟୀ, ଆନନ୍ଦ ବିହାରରୁ ମୁଜାଫରପୁରକୁ ଯାଉଥିବା ସାପ୍ତକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ ରାତି ୧୦.୪୫ରେ ଲକ୍ଷ୍ନୌରେ ପହଞ୍ଚି ୧୦ ମିନିଟ ରହିବା ପରେ ବିହାରର ମୁଜାଫରପୁର ଯାଇଥାଏ। ତେବେ କାକେରୀ ଷ୍ଟେସନରେ ପହଞ୍ଚିବା ମାତ୍ରେ ଦୁଇ କୋଚକୁ ସଂଯୋଗ କରୁଥିବା କପଲିଂ ହଠାତ୍ ଖୋଲିଯାଇଥିଲା। ଯାହା ଫଳରେ ଟ୍ରେନର ଅଧା ବଗି ଅଲଗା ହୋଇ ଆଗକୁ ପଳାଇଥିଲା । ଏବଂ ଆଉ ଅଧା ପଛରେ ରହିଯାଇଥିଲା।

ଏହାପରେ କଣ୍ଟ୍ରୋଲ ରୁମରୁ ତୁରନ୍ତ ଡ୍ରାଇଭରକୁ ସୂଚନା ଦିଆଯାଇଥିଲା । ଯାହା ପରେ ଟ୍ରେନକୁ ପୁଣି ପଛକୁ ଅଣାଯାଇଥିଲା ଓ ଅଲଗା ହୋଇଯାଇଥିବା ବଗି ଗୁଡ଼ିକୁ ଯୋଡ଼ାଯାଇଥିଲା । ତେବେ  ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ବୋଲି ଜଣାପଡ଼ିଛି।

 

ଯୌତୁକ ନିର୍ଯାତନା: ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିଲେ ଶ୍ୱଶୁର ଘର ଲୋକେ

କେନ୍ଦ୍ରାପଡ଼ା: ନିକିରାଇ ଥାନା କୋରଗାଁରେ ଅଭାବନୀୟ ଘଟଣା । ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯୌତୁକକୁ କେନ୍ଦ୍ରକରି ଶ୍ବଶୁର ଘର ଓ ମାମୁ ଶ୍ବଶୁର ଘର ଲୋକ ମାଡ଼ ମାରିଥିବା ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି । ଶୁକ୍ରବାରର ଏ ଘଟଣାର ଭିଜୁଆଲ ଭାଇରାଲ ହେବା ପରେ ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ପରିବାର ।

ଏଥିସହିତ ପଢ଼ନ୍ତୁ: ଆପାର୍ଟମେଣ୍ଟରେ ଜୁଆ ଆଡ୍ଡା, ୮ ଗିରଫ ସହ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ପିପିଲିରେ ବଢ଼ୁଛି ବିଜେଡି ଲୋକପ୍ରିୟତା: ଶତାଧିକ ବିଜେପି ନେତା ଓ କର୍ମୀ ସାମିଲ

ପିପିଲିରେ ଅଧିକ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ । ଶନିବାର ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଳକ୍ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ମଞ୍ଜରୀ ମହାନ୍ତି, ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠ ନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।

ଅପରପକ୍ଷରେ ଉପ-ନିର୍ବାଚନ ନେଇ ବିଜେଡିର ପ୍ରଚାର ଜୋରଦାର ଚାଲିଛି  । ଏବେଠୁ ପ୍ରଚାର ଅଭିଯାନରେ ଢେର ଆଗରେ ରହିଛି ବିଜେଡି  । ବିଜେଡି ଗଡ଼ରେ ପୁଣି ବିଜୟ ଶଙ୍ଖ ବଜାଇବା ସହ ମାର୍ଜିନ୍‌ ବୃଦ୍ଧି ମିଶନ୍‌ ନେଇ ଆକ୍ସନ୍‌ ମୋଡ୍‌ରେ ନେତା ଓ କର୍ମୀ । ବିଭିନ୍ନ ସ୍ଥାନରେ ରୋଡ ଶୋ’ ଓ ସଭା କରିବା ସମୟରେ ରୁଦ୍ରଙ୍କୁ ମିଳୁଛି ବିପୁଳ ସମର୍ଥନ । ଆଜି ପିପିଲି ଏନଏସିର ସମସ୍ତ ଓ୍ବାର୍ଡ, ନୂଆ ଶାସନ ଓ ଜଗନ୍ନାଥପୁର ପଞ୍ଚାୟତରେ ପ୍ରଚାର କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

 

ଉଗ୍ର ହେଉଛି ଦ୍ୱତୀୟ ଲହରୀ: ୨୪ ଘଣ୍ଟାରେ ୮୯ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଥମୁନି କରୋନା ଆତଙ୍କ। ଉଗ୍ର ରୂପ ନେଉଛି କୋରୋନା ମହାମାରୀର ଦ୍ୱିତୀୟ ଲହରୀ । ଦେଶରେ ଦିନକୁ ଦିନ କୋରନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୯ ହଜାର ୧୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ୪୪ ହଜାର ୨୦୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭୧୪ ଲୋକଙ୍କ ଜୀବନ ନେଇଛି ଏହି କିଲର ଭାଇରସ୍।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୯୨ ହଜାର ୨୬୦ରେ ପହଞ୍ଚିଛି। ସେମଧ୍ୟରୁ ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୬ ଲକ୍ଷ ୫୮ ହଜାର ୯୦୯ ସକ୍ରିୟ ମାମଲା ରହିଛି।

ସେହିପରି କୋରନା ଯେଗୁ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୧୧୦ରେ ପହଞ୍ଚିଛି । ସେପଟେ ଦେଶର ଟିକାକରଣ ଜାରି ଥିବା ବେଳେ, ଏବେ ସୁଦ୍ଧା ୭ କୋଟି ୩୦ ଲକ୍ଷ ୫୪ ହଜାର ୨୯୫ଜଣଙ୍କୁ ଦିଆଯାଇଛି ଟିକା।

ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପ-ରାଷ୍ଟ୍ରପତି: କହିଲେ, ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତ ହୁଅ

ଭୁବନେଶ୍ୱର:  ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଚରିତ୍ର ଗଠନରେ ସତ୍ ଶିକ୍ଷାର ପ୍ରମୁଖ ଭୂମିକା ରହିଛି । ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ । ଆଗାମୀ ଦିନରେ ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଆହ୍ୱାନ ଦେଇଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟର  ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । ସେ ନିଜ ଅଭିଭାଷଣ ଓଡ଼ିଆରେ ଆରମ୍ଭ କରିବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟର ମଧ୍ୟ ସ୍ମୃତିଚାରଣ କରିଛନ୍ତି । ଏଥିସହିତ ଆଦିବାସୀଙ୍କ ଚାଳି ଚଳନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି  ଆଦିବାସୀଙ୍କ ସରଳ ଜୀବନଯାପନ ପ୍ରଶଂସନୀୟ । ରାଜ୍ୟର ୨୩% ଜନସଂଖ୍ୟା ହେଉଛନ୍ତି ଆଦିବାସୀ  । ସେମାନଙ୍କ ଆଦିବାସୀ ସଂସ୍କୃତି ହିଁ ସେମାନଙ୍କୁ ମହାମାରୀରୁ ରକ୍ଷା କରିଛି ବୋଲି ସେ କହିଛନ୍ତି ।  ସେମାନଙ୍କ ସର୍ବାଙ୍ଗୀନ ବିକାଶ ହେବା ଆବଶ୍ୟକ । ଏହି ଅବସରରେ ସାଧୁତା, ସଚ୍ଚୋଟତା ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା । ଆଜିର ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ ।  ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଉପନିର୍ବାଚନ ହାରିଯିବା ଭୟରେ ହିନ ଚକ୍ରାନ୍ତ କରୁଛି ବିଜେପି: ରୁଦ୍ର