spot_img
Home Blog Page 5775

ଚଳିତ ସିଜିନ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ-ଦିଲ୍ଲୀ

0

ମୁମ୍ୱାଇ: ଶନିବାର ଖେଳାଯିବାକୁ ଥିବ ଚଳିତ ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ  ଓ ଚେନ୍ନାଇ ସୁପର କିଙ୍ଗ୍ସ ।ଏହି ମ୍ୟାଚକୁ ନୂଆ ଓ ଅଭିଜ୍ଞ ଅଧିନାୟକଙ୍କ ଲଢ଼େଇ ଭାବେ ବିବେଚନା କରାଯାଇପାରିବ । ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ଥଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ତାଙ୍କ ସାମ୍ନାରେ ରହିବେ ସବୁଠୁ ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।  ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଗତ ବର୍ଷ ଏହି ଦୁଇ ଦଳ ଭିନ୍ନ ଭିନ୍ନ ପଥରେ ରହିଥିଲେ । ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ ଖେଳିଥିବା ବେଳେ ଚେନ୍ନାଇ ନିରାଶଜନକ ପ୍ରଦର୍ଶନ କରି ନିଜ ଇତିହାସରେ ପ୍ରଥମ ଥର ପ୍ଳେ ଅଫ୍ ନଖେଳିପାରି ଫେରିଥିଲେ । ଦିଲ୍ଲୀ ଏଥର ନିଜ ଅଧୁରା ସ୍ୱପ୍ନକୁ ସାକାର କରିବା ଲାଗି ଠିକଣା ପଥରେ ରହିବାକୁ ଚେଷ୍ଟା କରିବ । ୩ ଥର ବିଜେତା ଚେନ୍ନାଇ ଗତ ସିଜିନ୍‌ରେ ସପ୍ତମ ସ୍ଥାନକୁ ଭୁଲି ଭଲ ଆରମ୍ଭ ଆଶାରେ ରହିଛି । ମାହି ଭାଇଙ୍କ ବିପକ୍ଷ ପ୍ରଥମ ମ୍ୟାଚ୍‌ ମୋ ପାଇଁ ଭଲ ଅଭିଜ୍ଞତା ଦେବ ବୋଲି କିଛି ଦିନ ତଳେ ପନ୍ଥ ପ୍ରକାଶ କରିଥିଲେ ତାଙ୍କଠାରୁ ମୁଁ ଅନେକ କିଛି ଶିଖିଛି । ମୁଁ ,ବେ ମୋ ନିଜ ଅଭିଜ୍ଞତାକୁ ଉପଯୋଗ କରିବି ଏବଂ ତାଙ୍କଠାରୁ ଶିଖଇବା ଜାରି ରଖିବି ବୋଲି ପନ୍ଥ ମଧ୍ୟ ପ୍ରକାଶ କରିଥିଲେ । ଶିଖର ଧାଓ୍ୱନ, ପୃଥ୍ୱୀ ସ’ ଅଜିଙ୍କ୍ୟ ରାହାଣେ, ଷ୍ଟିଭେନ୍ ସ୍ମିଥ୍ ଏବଂ ପନ୍ଥଙ୍କୁ ନେଇ ଦିଲ୍ଲୀରେ ବ୍ୟାଟିଂକ୍ରମ ଭଲ ରହିଥିବାରୁ ପ୍ରଥମ ମ୍ୟାଚରୁ ଏହି ଦଳ ପ୍ରଭାବ ବିସ୍ତାର କରିବ ବୋଲି ଆଶା ରଖିଛି । ଧାଓ୍ୱନ ଗତ ବର୍ଷର ଦ୍ୱିତୀୟ ଅଗ୍ରଣୀ ସ୍କୋରର ଥିଲେ (୬୧୮ରନ୍) ଇଂଲଣ୍ଡ ବିପକ୍ଷ ସଦ୍ୟ ସମାପ୍ତ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଚମତ୍କାର ଫର୍ମରେ ରହିଥିଲେ । ସେହିଭଳି ବିଜୟ ହଜାରେ ଟ୍ରଫିରେ ୮୨୭ ରନ୍‌ ସଂଗ୍ରହ କରି ଆସିଥିବା ପୃଥ୍ୱି ସ’ ମଧ୍ୟ ତାଙ୍କ ପ୍ରାରମ୍ଭିକ ପାର୍ଟନର ହେବା ନିଶ୍ଚିତ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ଫର୍ମ ଦେଖାଇଥିବା ଋଷଭ ପନ୍ଥ ମଧ୍ୟ ଏହାକୁ ଜାରି ରଖିବେ ବୋଲି ପ୍ରଶିକ୍ଷକ ରିକି ପଣ୍ଟିଂ ଆଶାବାଦୀ ଅଛନ୍ତି । ଅଲରାଉଣ୍ଡରମାର୍କସ ଷ୍ଟାଇନିସଙ୍କ ସହ ସିମ୍ରନ ହେଟମାୟର, ସାମ୍ ବଲିଙ୍ଗ୍ସ ବିଦେଶୀ ଖେଳାଳିଙ୍କ ମଧ୍ୟ ସାମିଲ ଥିବାରୁ ସମନ୍ୱୟ ରଖିବାରେ ଏମାନେ ବଡ଼ ଭୂମିକା ତୁଲାଇବେ ।

ଏଥିସହିତ ପଢ଼ନ୍ତୁ: ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ୱିକେଟରେ ହରାଇଲା ବେଙ୍ଗଳୁରୁ

ଆସନ୍ତା ୧୫ ତାରିଖ ଯାଏଁ ବଢ଼ିବ ନାହିଁ ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ବଢିବ ନାହିଁ ତାପମାତ୍ରା । ସବୁଠି ସ୍ବାଭାବିକ ତାପମାତ୍ରା ରହିବ । କାଳବୈଶାଖୀ ପ୍ରଭାବରେ ପାରଦ ତଳମୁହାଁ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ତାପମାତ୍ରା ହ୍ରାସ ହେବ । କାଳବୈଶାଖୀ ବର୍ଷା ସମେତ କିଛି ସ୍ଥାନରେ କୁଆପଥର ବୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଘଡଘଡି ବିଜୁଳି ସହ ବର୍ଷା ପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରପଡା, କୋରାପୁଟ, ଗଜପତି ଏବଂ ରାୟଗଡା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଗଞ୍ଜାମ, ବୌଦ୍ଧ, ସୁନ୍ଦରଗଡ, ମାଲକାନଗିର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଫେଲ ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ରାହୁଲ

ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ୱିକେଟରେ ହରାଇଲା ବେଙ୍ଗଳୁରୁ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିଜୟୀ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୨ ୱିକେଟରେ ହରାଇଛି ଆରସିବି । ଟସ୍ ଜିତି ପ୍ରଥମେ ଆରସିବି, ମୁମ୍ବାଇକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ବିରାଟ କୋହଲି ୬୦୦୦ ରନ୍ ପୂରଣ କରି ପ୍ରଥମ ଅଧିନାୟକ ଭାବେ ଆଇପିଏଲରେ ନିଜ ନାଁରେ ରେକର୍ଡ କରିଛନ୍ତି ।

IPL Royal Challengers Bangalore won by 2 wicket Against MI

୧୬୦ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଆରସିବିକୁ ୫ ଓଭରରେ ପ୍ରଥମ ଝଟକା ଲାଗିଥିଲା । ୧୦ ରନ୍ କରି ୱାଶିଂଟନ୍ ସୁନ୍ଦର ଆଉଟ୍ ହୋଇଥିଲେ । ୬ ଓଭରରେ ରଜତ ପାଟିଦାର ୮ ରନ୍ କରି ବୋଲ୍ଟଙ୍କ ଶିକାର ହୋଇଥିଲେ । ପ୍ରଥମ ପାୱାର ପ୍ଲେରେ ୪୬ ରନ୍ କରି ବେଙ୍ଗଳୁରୁ ୨ ୱିକେଟ୍ ହରାଇଥିଲା । ଆରସିବି ପକ୍ଷରୁ ଡେ ଭିଲର୍ସ ସର୍ବାଧିକ ୪୮ ରନ୍ କରିଥିବା ବେଳେ ମ୍ୟାକ୍ସ ୱେଲ୍ ୩୯, ବିରାଟ କୋହଲି ୩୩ ରନ୍ କରିଥିଲେ ।

IPL Royal Challengers Bangalore won by 2 wicket Against MI

ଶେଷ ଓଭର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା । ଦଳକୁ ବିଜୟ ପାଇଁ ମାତ୍ର ୨ ରନ୍ ଆବଶ୍ୟକ ଥିବାବେଳେ ଡେ ଭିଲର୍ସ ଆଉଟ୍ ହୋଇଥିଲେ । ବିଜୟ ପାଇଁ ଆଉ ଏକ ରନ୍ ଆବଶ୍ୟକ ଥିବାବେଳେ ରାହୁଲ୍ ଚହର ମଧ୍ୟ ଆଉଟ୍ ହୋଇଥିଲେ । ତେବେ ଶେଷ ବଲରେ ମାର୍କୋ ଜନସେନ ୧ ରନ୍ କରି ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ମୁମ୍ବାଇ ଓ ବେଙ୍ଗଳୁରୁ ମଧ୍ୟରେ ଆଇପିଏଲରେ ମୋଟ ୨୭ଟି ମ୍ୟାଚ୍ ଖେଳାଯାଇଛି । ସେଥିରୁ ୧୭ଟିରେ ମୁମ୍ବାଇ ବିଜୟୀ ହୋଇଥିବା ବେଳେ ୧୦ଟି ଜିତିଛି ବେଙ୍ଗଳୁରୁ ।

ଯୁବକ ଯୁବତୀଙ୍କୁ ହତ୍ୟା କରି ସମୁଦ୍ର କୂଳରେ ଫିଙ୍ଗିଦେଲେ !

ପଟ୍ଟମୁଣ୍ଡାଇ: ରାଜନଗର ପେଣ୍ଠ ସମୁଦ୍ର କୂଳରୁ ୨ ମୃତଦେହ ଉଦ୍ଧାର ଘଟଣା । ମୃତ ଯୁବକ, ଯୁବତୀଙ୍କୁ ହତ୍ୟା କରାଯାଛି । ପ୍ରାଥମିକ ତଦନ୍ତରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି । ପାଟ୍ରୋଲିଂ ବେଳେ ବନ ବିଭାଗ କର୍ମଚାରୀ ଯୁବକ, ଯୁବତୀଙ୍କ ମୃତଦେହ ବେଳାଭୂମିରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତ ଜାରି ରଖିଛି ।

College Boy And Girl Found Dead In Rajnagar Sea Beach, Murder Suspect

ଉଭୟ ମୃତକଙ୍କ ପରିଚୟ ମିଳିଛି । ଯୁବକ ଜଣଙ୍କ ରାଜନଗର ବ୍ଲକ ଓସ୍ତିଆ ଗାଁର ପ୍ରଶାନ୍ତ ପାତ୍ର । ସେ ଭୁବନେଶ୍ୱର ରାଜଧାନୀ କଲେଜର ଯୁକ୍ତ ଦୁଇ କଳାର ଛାତ୍ର । ଯୁବତୀ ଜଣଙ୍କ ପଟ୍ଟାମୁଣ୍ଡାଇ ଥାନା ଚନ୍ଦନନଗର ଗାଁର ପୂର୍ଣ୍ଣିମା ମହାନ୍ତି । ପୂର୍ଣ୍ଣିମା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଛାତ୍ରୀ । ଉଭୟ ତିନିଦିନ ତଳୁ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଶୁକ୍ରବାର ଉଭୟଙ୍କ କ୍ଷତାକ୍ତ ମୃତଦେହ ପେଣ୍ଠ ବେଳାଭୂମି ନିକଟରୁ ମିଳିଥିଲା । ପରିବାର ଲୋକ ଉଭୟଙ୍କୁ ଚିହ୍ନଟ କରିଛନ୍ତି । ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଥିବା ବେଳେ କେଉଁ ପରିସ୍ଥିତିରେ କିଭଳି ମୃତ୍ୟୁ ହେଲା ତାର ତଦନ୍ତ କରୁଛି ପୋଲିସ ।

ସିଲ୍ ହେଲା ଆଉ ଏକ କଲେଜ୍, ଅନୁମତି ନନେଇ ଚାଲିଥିଲା ଡିଜେ ନାଇଟ୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଫୁ । ସିଲ୍ ହେଲା ଭୁବନେଶ୍ୱର ସ୍ଥିତ ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟ ।  କୋଭିଡ୍ ନିୟମ ଉଲ୍ଲଘଂନ କରିଥିବାରୁ କଲେଜକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଦୁଷ୍ଟିରେ ରଖି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଉନାହିଁ ।

BMC Sealed RCM For Covid-19 Norms Violation

ଏଭଳି ସ୍ଥଳେ ଆରସିଏମ କଲେଜ ନିୟମକୁ ଉଲ୍ଲଂଘନ କରି ବିନା ଅନୁମତିରେ ଡିଜେ ନାଇଟ୍ ଆୟୋଜନ କରିଥିଲା । ଯେତେବେଳେ କି ବିଏମସି କେବଳ ସେମିନାର ଲାଗି ଅନୁମତି ଦେଇଥିଲା । ବିଏମସି ଆରସିଏମ୍ କଲେଜକୁ ସିଲ୍ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ଆରପାରିରେ ବ୍ରିଟେନ୍ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍

ବ୍ରିଟେନ୍: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ୯୯ ବର୍ଷ ବୟସରେ ଦେହାନ୍ତ ଘଟିଛି । ଦ ରୟାଲ୍ ଫ୍ୟାମିଲି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଣୀଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍- ଡ୍ୟୁକ୍ ଅଫ୍ ଏଡିନବର୍ଗଙ୍କ ଦେହାନ୍ତ ହୋଇଛି । ସେ ଆଜି ସକାଳେ ୱିଣ୍ଡସର କେସଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଗାମୀ ଜୁନ୍ ୧୦ ତାରିଖରେ ପ୍ରିନ୍ସ ଫିଲିପ ନିଜର ୧୦୦ ତମ ଜନ୍ମଦିନ ପାଳିଥାନ୍ତେ । ସେ ୧୯୨୧ ମସିହା ଜୁନ୍ ୧୦ ତାରିଖରେରେ ଗ୍ରୀକ୍ କରଫୁ ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ ।

ଲଣ୍ଡନର ବଙ୍କିମହାମ ପ୍ୟାଲେସ ପକ୍ଷରୁ ତାଙ୍କ ଦେହାନ୍ତ ନେଇ ଘୋଷଣା କରାଯାଇଛି । ଗତ ଫେବ୍ରୁଆରୀରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୃଦରୋଗରେ ପୀଡିତ ହୋଇ ସେ ଅନେକ ଦିନ ଧରି ଚିକିତ୍ସାଧିନ ଥିଲେ । ମାର୍ଚ୍ଚ ମାସରେ ହିଁ ସେ ହସ୍ପିଟାଲରୁ ଫେରିଥିଲେ। ଫିଲିଫଙ୍କର ଦେହାନ୍ତ ପରେ ସାରା ବିଶ୍ୱର ନେତା ମାନେ ଶୋକ ପ୍ରକାଶ କରିଛନ୍ତି । ୧୯୪୭ ମସିହାରେ ସେ ଏଲିଜାବେଥ୍ ଦ୍ୱିତୀୟଙ୍କୁ ସେ ବିବାହ କରିଥିଲେ । ତାଙ୍କର ୪ ଜଣ ସନ୍ତାନ, ୮ ଜଣ ନାତି ନାତୁଣି ଏବଂ ୧୦ ଜଣ ଅଣ ନାତି ନାତୁଣି ଅଛନ୍ତି ।

ପୁଣି ଟିକା ଯୋଗାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାକୁ ଅତି କମରେ ଯୋଗାଇ ଦିଆଯାଉ ୨୫ ଲକ୍ଷ ଟିକା । ଏନେଇ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ଟିକା ଉତ୍ସବକୁ ସଫଳ କରିବାକୁ ଟିକା ଯୋଗାଇବାକୁ ଚିଠି ଲେଖିଲେ ରାଜ୍ୟ ସକକାରଙ୍କ ସ୍ୱାସ୍ଥ୍ୟ ସଚିବ ପି.କେ ମହାପାତ୍ର । ରାଜ୍ୟରେ ଏ ପର୍ଯ୍ୟନ୍ତ ୩୯ ଲକ୍ଷ ୮୪ ହଜାର ୮୭୮ ଜଣ ଆଗଧାଡ଼ିର କରୋନା ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆ ସରିଛି । ଏବେ ଓଡ଼ିଶାରେ ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି ।

ହେଲେ ଆବଶ୍ୟକୀୟ ଟିକା ଅଭାବରୁ ଧାର୍ଯ୍ୟ ହୋଇଥିବା ଟିକାକରଣ ଲକ୍ଷ୍ୟ ହାସଲ ହେବନି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏପ୍ରିଲ ୧୧ରୁ ୧୪ ଯାଏ ସମଗ୍ର ଦେଶରେ ଟିକା ଉତ୍ସବ ପାଳନ ହେବ । ହେଲେ ରାଜ୍ୟ ପାଇଁ ଅତି କମରେ ୨୫ ଲକ୍ଷ ଟିକାର ଆବଶ୍ୟକ ରହିଛି । ଏହା ମିଳିଲେ ରାଜ୍ୟରେ  ଟିକାକରଣ ଉତ୍ସବ ସଫଳ ହୋଇ ପାରିବ ।

ରାଫେଲ ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ: ରାଫେଲ ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି । ପରୀକ୍ଷା ପେ ଚର୍ଚ୍ଚା ବେଳେ ମୋଦି ଦେଇଥିବା ପରାମର୍ଶକୁ ମଧ୍ୟ ରାହୁଲ ଟାର୍ଗେଟ କରିଛନ୍ତି । କୌଣସି ପ୍ରଶ୍ନକୁ ନଡରି ଉତ୍ତର ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

ତେଣୁ ଏହି ପ୍ରଶ୍ନ ଗୁଡିକୁ ମଧ୍ୟ ନଡରି ପ୍ରଧାନମନ୍ତ୍ରୀ ଉତ୍ତରଦେବେ କି ବୋଲି ରାହୁଲ ପଚାରିଛନ୍ତି । ରାହୁଲ ପଚାରିଥିବା ପ୍ରଶ୍ନ ଗୁଡିକ ହେଲା ରାଫେଲ ଦୁର୍ନୀତିରେ କିଏ ଟଙ୍କା ଖାଇଛି । ଦ୍ୱିତୀୟରେ ରାଫେଲ ଚୁକ୍ତିରୁ ଦୁର୍ନୀତି ବିରୋଧୀ ବ୍ୟବସ୍ଥାକୁ ହଟେଇଲା କିଏ । ଏବଂ ତୃତୀୟରେ ପ୍ରତିରକ୍ଷା ବିଭାଗର ଦସ୍ତାବିଜକୁ ମଧ୍ୟସ୍ଥିଙ୍କୁ ଛାନଭିନ କରିବା ପାଇଁ ଅନୁମତି ଦେଲା କିଏ ।

ଏହି ତିନୋଟି ପ୍ରଶ୍ନ ଟୁଇଟ କରି ଉତ୍ତର ମାଗିଛନ୍ତି ରାହୁଲ ଗାନ୍ଧୀ । ଫ୍ରାନ୍ସର ଗଣମାଧ୍ୟମ ମିଡିଆ ପାର୍ଟରେ ରାଫେଲ କିଣାବିକାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଭାରତ ପକ୍ଷରୁ ଥିବା ମିଡିଲ ମ୍ୟାନଙ୍କୁ କୋଟି କୋଟି ଟଙ୍କାର ଲାଞ୍ଚ ଦିଆଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

୧୦ ଶ୍ରେଣୀ ପିଲାଙ୍କ ପାଇଁ ସହଜରେ ମିଳିବ ଜାତି ପ୍ରମାଣପତ୍ର

ଭୁବନେଶ୍ୱର: ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସହଜ ହେବ ଜାତି ପ୍ରମାଣପତ୍ର ସାଙ୍ଗକୁ ଆୟ ଓ ଆବାସିକ ପ୍ରମାଣପତ୍ର। ସରକାରୀ ବୃତ୍ତି ପାଇବା ସହିତ ଉଚ୍ଚ ଶ୍ରେଣୀରେ ନାମଲେଖା ପାଇଁ ଦଶମ ଶ୍ରେଣୀ ପିଲାଙ୍କୁ ଆବଶ୍ୟକ ହେଉଥିବା ଏହି ସବୁ ପ୍ରମାଣପତ୍ର ସହଜ ଓ ସରଳ କରିବାକୁ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ପ୍ରତି ବିଦ୍ୟାଳୟକୁ ଯାଇ ରାଜସ୍ୱ ନିରୀକ୍ଷକମାନେ କ୍ୟାମ୍ପ କରି ପିଲାମାନଙ୍କୁ ପ୍ରମାଣପତ୍ର ଯୋଗାଇବେ। ଏହି ସବୁ କ୍ୟାମ୍ପରେ ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ। ଜୁଲାଇ ମାସରେ ଆରଆଇ ମାନେ ପ୍ରତି ବିଦ୍ୟାଳୟରେ ସ୍ୱତନ୍ତ୍ର ଶିବିର କରିବେ। ଛାତ୍ରଛାତ୍ରୀମାନେ ସମସ୍ତ ତଥ୍ୟ ଓ ଡକ୍ୟୁମେଣ୍ଟ ସହିତ ଫର୍ମ ପୂରଣ କରି ସ୍ୱତନ୍ତ୍ର ଶିବିରରେ ପ୍ରଧାନ ଶିକ୍ଷକମାନଙ୍କୁ ହସ୍ତାନ୍ତର କରିବେ। ସରକାରୀ ପ୍ରକ୍ରିୟା ମଧ୍ୟରେ ଯଦିଓ ପ୍ରମାଣ ପତ୍ର ଦିଆଯିବ, ହେଲେ ଛାତ୍ରଛାତ୍ରୀ ମାନଙ୍କୁ ଏଥିପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ। ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଯୋଗାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ସଚିବ।

ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗ ଏହି କାର୍ଯ୍ୟରେ ସହେଯାଗ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲ ସାର୍ଟିଫିକେଟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ଜିଲ୍ଲାରେ ଜଣେ ଡେପୁଟି କଲେକ୍ଟରଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରତି ସପ୍ତାହରେ ଉପଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଓଡ଼ିଶାକୁ ଆସୁଥିବା ରେଳ ଯାତ୍ରୀଙ୍କ ପାଇଁ କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଓଡ଼ିଶାକୁ ଆସୁଥିବା ସମସ୍ତ ରେଳଯାତ୍ରୀଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଦେଶର ଯେ କୌଣସି ସ୍ଥାନରୁ  ରେଳଯାତ୍ରା କଲେ ନେଗେଟିଭ୍ ରିପୋର୍ଟ ନିହାତି ଆବଶ୍ୟକ । ଆସନ୍ତାକାଲିଠାରୁ ନିୟମକୁ କଡ଼ାକଡ଼ି କରାଯିବ ।

ଯାତ୍ରାର ୭୨ଘଣ୍ଟା ପୂର୍ବର RTPCR ନେଗେଟିଭ୍ ରିପୋର୍ଟ ଦେବାକୁ ହେବ । ଟିକା ଗ୍ରହଣର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେଲେ ମଧ୍ୟ ହେବ । ବିନା କୌଣସି କାଗଜପତ୍ରରେ ଯାତାୟତ କଲେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି ।