ଟିକା କିଣା ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

1 min read

ଭୁବନେଶ୍ୱର: ଗ୍ଳୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ରାଜ୍ୟ ସରକାର କିଣିବାକୁ ଚାହିଁଥିବା ବେଳେ ଏ ନେଇ ଆବଶ୍ୟକ ସର୍ତ୍ତାବଳୀରେ ପରିବର୍ତ୍ତନ କରାଯାଇଛି । ଯାହାକୁ ଆଜି କ୍ୟାବିନେଟ୍ ମଞ୍ଜୁର କରିଛି । ଗ୍ଳୋବାଲ ଟେଣ୍ଡରରେ ଭାଗ ନେବାକୁ ଥିବା ଉତ୍ପାଦନକାରୀ କମ୍ପାନୀଙ୍କୁ ୩ ପ୍ରତିଶତ ପରଫରମାନ୍ସ ସିକ୍ୟୁରିଟି, ଇଏମ୍‌ଡି, ଲିକ୍ୟୁଡିଟି ଡ୍ୟାମେଜ୍ ଭଳି ସର୍ତ୍ତାବଳୀରୁ ସରକାର ଆଶ୍ୱସ୍ତି ଦେଇଛନ୍ତି  ।

ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସମସ୍ତଙ୍କ ଟିକାକରଣ ମାଧ୍ୟମରେ କରୋନାକୁ ନିୟନ୍ତ୍ରଣକୁ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ କରିଛନ୍ତି। ଏଥିପାଇଁ ରାଜ୍ୟ ଔଷଧ ନିଗମ ଗତ ୧୪ତାରିଖରେ କୋଭିଡ୍ ଟିକା କ୍ରୟ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି। ୧୯ତାରିଖରେ ଏହି ଗ୍ଲୋବାଲ ଟେଣ୍ଡରରେ ସାମିଲ ହେବାକୁ ଥିବା ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ପ୍ରି-ବିଡ୍ ଆଲୋଚନା ହୋଇଛି । ତେବେ କୋଭିଡ୍ ଟିକା କ୍ରୟ ପ୍ରକ୍ରିୟାରେ ସମସ୍ତ ଉତ୍ପାଦନକାରୀ ଅବା ଯୋଗାଣକାରୀଙ୍କ ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ନିମନ୍ତେ ଟେକନିକାଲ କମିଟିର ପରାମର୍ଶରେ ଟେଣ୍ଡର ଦସ୍ତାବିଜ ସଂଶୋଧନର ଆବଶ୍ୟକତା ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛନ୍ତି।

ଆସନ୍ତା ୪ମାସ ମଧ୍ୟରେ ରାଜ୍ୟର ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଓ ଟିକା ଉତ୍ପାଦନକାରୀଙ୍କ ମଧ୍ୟରେ ଏକ ସକରାତ୍ମକ ସନ୍ଦେଶ ଦେଇ ସେମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଇଏମଡି, ବିଡ୍ ସିକ୍ୟୁରିଟି, ଲିକ୍ୟୁଡିଟି ଡ୍ୟାମେଜ୍ ଆଦି ସର୍ତ୍ତକୁ ଛାଡ଼୍ କରାଯାଇଛି । ସେହିପରି -୨୦ ଡିଗ୍ରୀ ସେଲସିୟସ ତାପମାତ୍ରରେ ରହି ପାରୁଥିବା ଟିକାଗୁଡ଼ିକ ୨ଡିଗ୍ରୀରୁ ୮ଡିଗ୍ରୀ ତାପମାତ୍ରରେ ୧୨ଘଣ୍ଟା ପର୍ଯ୍ୟନ୍ତ ନିଜର ଗୁଣବତ୍ତା ଅପରିବର୍ତ୍ତନ କରି ରହୁଥବ ସେହି ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି।  ଅପରପକ୍ଷରେ ରେଙ୍ଗାଲୀ ବାମ କେନାଲ୍ ପାଇଁ ୨୪୭ କୋଟି ଟଙ୍କାର ଟେଣ୍ଡର, ଓଡ଼ିଶା ଆଇନ ସେବା ପ୍ରାଧିକରଣର ନିଯୁକ୍ତି ନିୟମ ସଂଶୋଧନ ଓ IMFL ଅନ୍ ସପ୍ ଲାଇସେନ୍ସ ଫି’ ଆଂଶିକ ଛାଡ଼ ପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।

ଏଥିସହିତ ପଢ଼ନ୍ତୁ: କରୋନାରେ ମୃତ ବୃଦ୍ଧାଙ୍କ ମରଶରୀରକୁ ଶ୍ମଶାନରୁ ଉଠାଇ ଆଣିଲା ପ୍ରଶାସନ: ନୟାଗଡ଼କୁ କଲା ସ୍ଥାନାନ୍ତର

Leave a Reply