spot_img
Home Blog Page 5740

ରାଜଧାନୀରେ ବେକାବୁ ସଂକ୍ରମଣ, ୨୬ ଯାଏ ଲକଡାଉନ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲାଗୁ ହେଲା ଲକଡାଉନ୍ । ଆଜି ରାତିରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହେବ । ଆସନ୍ତା ୨୬ ତାରିଖ ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ଦିଲ୍ଲୀରେ ବିଗୁଡ଼ୁଥିବା କରୋନା ସଂକ୍ରମଣକୁ ଦେଖି ଉପରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବୈଠକ ପରେ ୭ ଦିନିଆ ଲକଡାଉନ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୬ଟା ଯାଏ ଲକଡାଉନ୍ ଲାଗୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଘୋଷଣା କରିଛନ୍ତି ।

ଲକଡାଉନ୍ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା, ଖାଦ୍ୟ ଯୋଗାଣ ସେବା, ସ୍ୱାସ୍ଥ୍ୟ ସେବା ଆଦି ଜାରି ରହିବ । ସର୍ବାଧିକ ୫୦ ଜଣଙ୍କୁ ନେଇ ବିବାହ ଉତ୍ସବ ହୋଇପାରିବ । ଏଥିପାଇଁ ସ୍ୱତନ୍ତ୍ର ପାସ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀରେ ରବିବାର ଗୋଟିଏ ଦିନରେ ସର୍ବାଧିକ ୨୫ ହଜାର ୪୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି । ଶନବାର ଦିଲ୍ଲୀରେ ୨୪ ହଜାର ୩୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଯାଏ ଦିଲ୍ଲୀରେ ମୋଟ ୮ ଲକ୍ଷ ୫୩ ହଜାର ୪୬୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଶ୍ରୀମନ୍ଦିର ସହ ଜଡ଼ିତ ଆଉ ୨୨ ଜଣଙ୍କୁ କରୋନା

ପୁରୀ: ପୁରୀ ଜିଲ୍ଲାରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ଚିହ୍ନଟ ହେଲେଣି କୋଭିଡ୍ ପଜିଟିଭ୍ । ଶ୍ରୀମନ୍ଦିର ସହ ଜଡ଼ିତ ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ଆଜି ମୋଟ ୨୨ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । ଜୋତା ଷ୍ଟାଣ୍ଡର ୧୯ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିରର ୯ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ପ୍ରଶାସନ ସୂଚନା ଦେଇଛି ।

22 Person Associated With Puri Jagannath Temple Tested Corona Positive

ଅନ୍ୟପଟେ କୁମ୍ଭ ମେଳାରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୭ ଜଣ ସେବାୟତ ଫରିଛନ୍ତି । ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣଙ୍କ ରିପୋର୍ଟ ଆସିନାହିଁ । ଏଯାବତ୍ ୨ ଜଣ କରୋନା ପରୀକ୍ଷା କରାଇ ନାହାଁନ୍ତି । କୁମ୍ଭରୁ ଫେରିଥିବା ସେବାୟତ ନିଜ ଘରେ ଓ ହୋଟେଲେରେ କ୍ୱାରେଣ୍ଟାଇନରେ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ

ଭୁବନେଶ୍ୱର: କରୋନା କବଳରେ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ପ୍ରଦୀପ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଲଗାତାର କୋଭିଡ୍ ଟେଷ୍ଟ ପରେ ସେ ସଂକ୍ରମିତ ଥିବା ସୂଚନା ଦେଇଛନ୍ତି ।

ବିଗତ ୫ ଦିନ ମଧ୍ୟରେ ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ସେ କୋଭିଡ୍ ଟେଷ୍ଟ କରାଇବା ଲାଗି ଅନୁରୋଧ କରିଛନ୍ତି । ଏଥିସହ ସେମାନଙ୍କୁ ଆଇସୋଲେସନରେ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ପୋଲିସ ଇନଫର୍ମର ସନ୍ଦେହରେ ୨ ସ୍କୁଲ୍ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ହିଂସାକାଣ୍ଡ । ପୋଲିସ୍ ଇନଫର୍ମର ସନ୍ଦେହର ନକ୍ସଲ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ମାଓବାଦୀ ୨ ସ୍କୁଲ ଛାତ୍ରଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରିବା ପରେ ମିଲମ୍ପାଳି ଅଞ୍ଚଳରେ ରାସ୍ତାରେ ମୃତଦେହ ଫିଙ୍ଗି ଦେଇଛନ୍ତି । ସୁକମା ଜଗର୍ଗୁଣ୍ଡା ଥାନା ଅଞ୍ଚଳରେ ଏହି ମାଓବାଦୀ ଏହି ହତ୍ୟା କରିଛନ୍ତି ।

ପିପିଲି ଉପନିର୍ବାଚନ ଲାଗି ସାନି ବିଜ୍ଞପ୍ତି, ୭ ଦିନ ଭିତରେ ନାମାଙ୍କନ କରିବେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଦ୍ଧିବଦ୍ଧ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ମେ’ ୧୩ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୨୬ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ।  ୨୭ରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ । ମେ’ ୧୩ରେ ଭୋଟ୍ ଗ୍ରହଣ ପରେ ୧୮ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତାନ ହେବ । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା ।

Election Commission of India issues fresh notification for Pipili bypoll

ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମତଦାନକୁ ମାତ୍ର ୩ ଦିନ ଥିବାବେଳେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ଫଳରେ ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ ରିଟର୍ଣ୍ଣିଂ ଅଫିସର । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଜଣାଇଥିଲେ ।

Election Commission of India issues fresh notification for Pipili bypoll

ଉପନିର୍ବାଚନ ସ୍ଥଗିତ ରହିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ନୂଆ ମତଦାନ ଘୋଷଣା କରାଯାଇଛି । ବିଜେଡି ଟିକେଟରୁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମୈଦାନରେ ଅଛନ୍ତି । ଏବେ କଂଗ୍ରେସ ପୁଣିଥରେ ପ୍ରାର୍ଥୀ ଦେବ । ତେବେ କିଏ ହେବ କଂଗ୍ରେସ ପ୍ରାର୍ଥୀ । ସେନେଇ ଦଳ କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପତ୍ନୀ ବନ୍ଦନକୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ- ପିପିଲି ଉପନିର୍ବାଚନ ଲାଗି ସାନି ତାରିଖ ଘୋଷଣା, ମେ’ ୧୩ରେ ମତଦାନ

ଦେଶରେ ବେକାବୁ ମହାମାରୀ କରୋନା, ଦିନକରେ ୨.୭୩ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୪ ହଜାର ୧୭୮ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ଶନିବାର ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ ନୂଆ ମାମଲା ଆସିଥିଲା ।

ଦେଶରେ କରୋନା ସ୍ଥିତି

ମୋଟ କରୋନା ସଂକ୍ରମିତ ମାମଲା- ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯

ମୋଟ ସୁସ୍ଥ- ୧ କୋଟି ୨୯ ଲକ୍ଷ ୫୩ ହଜାର ୮୨୧

ମୋଟ ସକ୍ରିୟ ମାମଲା- ୧୯ ଲକ୍ଷ ୨୯ ହଜାର ୮୨୧

ମୋଟ ମୃତ୍ୟୁ- ୧ ଲକ୍ଷ ୭୮ ହଜାର ୭୬୯

ଦେଶରେ ମହାରାଷ୍ଟ୍ର ପରେ ଗୁଜରାଟ, ଦିଲ୍ଲୀ, ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ ଆଦି ରାଜ୍ୟ ଚିନ୍ତା ବଢ଼ାଉଛନ୍ତି । ମହାରାଷ୍ଟ୍ରରେ ରବିବାର ୬୮ ହଜାର ୬୩୧ ମାମଲା ଚିହ୍ନଟ ହୋଇଥିବା ବେଳେ ୫୦୩ ଜଣଙ୍କ ମୃତ୍ୟୁ ହୋଇଛି । ମେ ୧ ତାରିଖ ଯାଏ ରାଜ୍ୟରେ ୧୪୪ ଧାରା ଲାଗୁ ହୋଇଛି ।

କରୋନା ନେଲା ଆଉ ୪ ଜୀବନ, ସୁନ୍ଦରଗଡ଼ରୁ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୪୪୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ

ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୨୨ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧ ହଜାର ୪୩୯ରେ ପହଞ୍ଚିଛି । ଜିଲ୍ଲାରେ ଏବେ ୪ ହଜାର ୩୭୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୧୬ ହଜାର      ୮୮୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରେ କରୋନାରେ ୧୭୭ ଜଣଙ୍କ ଜୀବନ ଗଲାଣି । ଜିଲ୍ଲାରେ କୋଭିଡ୍ ସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତାକାଲି ରାଉରକେଲା ଯିବେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ନିର୍ଦ୍ଦେଶକ । ଏଥିସହ ରାଉରକେଲା ଏନଆଇଟିରେ ୧ ହଜାର ବେଡର ଟିଏମସି ଲାଗି ବ୍ୟବସ୍ଥା କରାଯାଉଥିବା ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୨୩୧ ଆକ୍ରାନ୍ତଙ୍କୁ ମିଶାଇ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୧୩୪କୁ ବୃଦ୍ଧି ପାଇଛି । ୮ ହଜାର ୨୮୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ୮୨୧ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ଏଯାଏଁ ୨୮ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝରରୁ ଗତ ୨୪ ଘଣ୍ଟାରେ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୧୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୫୧୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ହଜାର ୨୫୯ଟି ଜଣ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରେ କରୋନାରେ ଏଯାବତ୍ ୩୮ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ଚଳିତବର୍ଷ ପ୍ରଥମ ଥର ଲାଗି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୪୪୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୨୫୭୪ଟି ମାମଲା ଆସିଥିବା ବେଳେ ୧୮୭୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଉପରେ ରହିଛି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨, ଖୋର୍ଦ୍ଧାରୁ ୫୮୭, ନୂଆପଡ଼ାରୁ ୪୩୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଅନୁଗୁଳରୁ ୮୭, ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗିରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଡେବଗଡ଼ରୁ ୩୫ ଜଣ, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨୨ ଏବଂ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୪ ହଜାର ୫୬୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧୩୦୯ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୬ ହଜାର ୧୩୪କୁ ବୃଦ୍ଧି ପାଇଛି ।

ମାଆ ସମଲେଶ୍ୱରୀଙ୍କ ଦର୍ଶନ ଉପରେ କରୋନା କଟକଣା

ସମ୍ବଲପୁର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ପୁଣି କଟକଣା ଫେରୁଛି । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ସମ୍ବଲପୁରରେ ସନ୍ଧ୍ୟା ୬ଟାରୁ ସକାଳ ୫ଟାଏ ନାଇଟ୍ କର୍ଫ୍ୟୁ ଲାଗିଛି । ରାତ୍ରୀକାଳୀନ କର୍ଫ୍ୟୁ ପରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି ।

Restriction Imposed In Maa Samaleswari Temple For Covid19

ମାଆଙ୍କ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି । ସନ୍ଧ୍ୟା ୫ଟା ପରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରି ପାରିବେ ନାହିଁ ଶ୍ରଦ୍ଧାଳୁ । ମନ୍ଦିରରେ ପ୍ରବେଶ ଠାରୁ ନେଇ ପ୍ରସ୍ଥାନ ପର୍ଯ୍ୟନ୍ତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସମଲେଶ୍ବରୀ ଟ୍ରଷ୍ଟବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

କରୋନାରେ ଜେଡିୟୁ ନେତା ମେୱାଲାଲଙ୍କ ଦେହାନ୍ତ

ପାଟଣା: ବିହାରର ପୂର୍ବତନ ଶିକ୍ଷାମନ୍ତ୍ରୀ ମେୱାଲାଲ୍ ଚୌଧୁରୀଙ୍କ ମୃତ୍ୟୁ ହୋଇଛି । ପାଟଣାର ପାରସ୍ ହସ୍ପିଟାଲରେ ତାରାପୁର ବିଧାନସଭାରୁ ନିର୍ବାଚିତ ଜେଡିୟୁ ବିଧାୟକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ମେୱାଲାଲ୍ ପାରସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମେୱାଲାଲଙ୍କ ଦେହାନ୍ତକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ତାରାପୁର ଆସନରୁ ବିଜୟୀ ହୋଇ ମେୱାଲାଲ୍ ନୀତିଶଙ୍କ କ୍ୟାବିନେଟରେ ସାମିଲ୍ ହୋଇଥିଲେ । ତେବେ ୬୮ ବର୍ଷୀଅ ମେୱାଲାଲ୍ ଶିକ୍ଷାମନ୍ତ୍ରୀ ହେବା ପରେ ବେଶ୍ ବିବାଦ ଦେଖା ଦେଇଥିଲା । ଦାଗୀ ନେତାଙ୍କୁ ଶିକ୍ଷାମନ୍ତ୍ରୀ କରାଯାଇଥିବା କହି ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ଶିକ୍ଷାମନ୍ତ୍ରୀ ହେବାର ମାତ୍ର କିଛି ଘଣ୍ଟା ପରେ ମେୱାଲାଲ ଇସ୍ତଫା ଦେଇଥିଲେ ।

ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ରବିବାର ଦିନକରେ ୮ ହଜାର ୬୯୦ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଥିବା ବେଳେ ଏବେ ରାଜ୍ୟରେ ୪୪ ହଜାରରୁ ଅଧିକ ସକ୍ରିୟ ସଂକ୍ରମଣ ମାମଲା ରହିଛି ।