ଆଗ ଟିକା ତ’ ଦିଅ.. ତା’ପରେ ନିୟମ …

1 min read

ମହାମାରୀ ଆସିଲା ଲୋକଙ୍କ ଉପରେ ଦାଉ ସାଧିଲା । ବର୍ତମାନ ସେହି ମହାମାରୀ ସହ ଲଢିବା ପାଇଁ ସବୁଆଡେ ଚାଲିଛି ଟିକାକରଣ ଅଭିଯାନ । ଟିକା ନେବା ହିଁ ମହାମାରୀକୁ ହରାଇବାର ପ୍ରମୁଖ ଅସ୍ତ୍ର । କିନ୍ତୁ ବର୍ତମାନ ଗୋଟିଏ ପଟେ ଭ୍ୟାକସିନ୍ର ଅଭାବ ତ ଅନ୍ୟପଟେ ଲୋକଙ୍କର ନାହିଁ ନଥିବା ଅସୁବିଧା । କେଉଁଠି ଟିକା ନ ନେଲେ ଲୋକଙ୍କୁ ଦରମା ମିଳିବନି ବୋଲି କୁହାଯାଉଥିବା ବେଳେ ଆଉ କେଉଁଠି ମଦ ପାଇଁ ଟିକାକରଣର ପ୍ରମାଣ ପତ୍ର ଜମା କରିବା ଦରକାର ପଡୁଛି । ଯେଉଁଥିପାଇଁ ସାଧାରଣ ଲୋକଙ୍କର ବଢିଲାଣି ଚିନ୍ତା ଏମିତିରେ ଲୋକ ପଚାରିବାକୁ ଆରମ୍ଭ କଲେଣି ଆଗ ଟିକା ତ’ ଦିଅ.. ତା’ପରେ ନିୟମ …

ଦେଶର ଟିକାକରଣ ସ୍ଥିତିକୁ ଯଦି ଦେଖିବା ତାହାଲେ ରାଜ୍ୟସରକାରଙ୍କ ପାଖରେ ଭ୍ୟାକସିନ ସରିଆସିଲାଣି । ଆଉ ଏନେଇ ରାଜ୍ୟସରକାରମାନେ କେନ୍ଦ୍ରସରକାରଙ୍କୁ ଅବଗତ ମଧ୍ୟ କରାଉଛନ୍ତି । ହେଲେ କିଛି ବି ଫଳ ମିଳୁନି । ଯେତେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଭ୍ୟାକସିନ୍ ମିଳିବନାହିଁ ,ସେତେ ପର୍ଯ୍ୟନ୍ତ ଟିକାକରଣ ଅଭିଯାନ କିପରି ବା ଆଗକୁ ବଢିପାରିବ? ଟିକା କେନ୍ଦ୍ର ଆଗରେ ଲମ୍ବା ଲାଇନ୍ ଦେବା ପରେ ମଧ୍ୟ ଟିକା ମିଳୁନି । କିନ୍ତୁ ସବୁ ଜାଣି ମଧ୍ୟ ନଜାଣିଲା ଭଳି କିଛି ଅଧିକାରୀ ଟିକାକରଣକୁ ନେଇ ଯେଉଁଭଳି ଆଦେଶ ଜାରି କରୁଛନ୍ତି ତାହା ଅନେକଙ୍କ ଚିନ୍ତା ବଢାଇ ଦେଇଛି ।

ମଧ୍ୟପ୍ରଦେଶର ଉଜ୍ଜେନର ନିଗମ କମିଶନର କ୍ଷିତିଶ ସିଙ୍ଘଲ ନୂଆ ନିୟମ ଲାଗୁ କରିଛନ୍ତି । ଟିକାକରଣକୁ ନେଇ ସେ ନିଜ କର୍ମଚାରୀଙ୍କ ଅବହେଳାକୁ ଦେଖି ଦରମା କାଟିବାର ନିଷ୍ପତ୍ତି ନେଇଛନ୍ତି । ତାଙ୍କ କହିବା ଅନୁସାରେ ଯେଉଁ କର୍ମଚାରୀମାନେ ଭ୍ୟାକସିନ ନେଇନାହାନ୍ତି କିମ୍ବା ନେବାକୁ ଚାହୁଁନାହାନ୍ତି ସେମାନଙ୍କୁ ଦରମା ଦିଆଯିବ ନାହିଁ । ତାସହ ଯେଉଁମାନେ ଭ୍ୟାକସିନର ପ୍ରଥମ ଡୋଜ୍ ନେଇସାରିଛନ୍ତି । ସେମାନଙ୍କୁ ତାଙ୍କ ଦରମା ମିଳିଯିବ । ନିଗମ କମିଶନରଙ୍କ କହିବା ଅନୁସାରେ ଉଭୟ କେନ୍ଦ୍ରସରକାର ଓ ରାଜ୍ୟସରକାର ନିଗମର କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଦା ମାନି ଟିକାକରଣ କରିବାକୁ ଆଦେଶ ଦେଲେ । କିନ୍ତୁ ଉଜ୍ଜୟନୀର ନଗରନିଗମର ୧୬୦୦ କର୍ମଚାରୀଙ୍କ ଭିତରୁ ଏଯାବତ୍ ୭୦ ପ୍ରତିଶତଙ୍କୁ ହିଁ ଭ୍ୟାକସିନ୍ ଦିଆଯାଇଛି । ଆଉ ଅନ୍ୟମାନେ ଅବହେଳା କରୁଥିବାରୁ ସେମାନଙ୍କର ମେ ମାସର ଦରମା ଅଟକ ରଖିବାକୁ କମିଶନର ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ଭିଡ ଭିତରେ ଦିନସାରା କାମ କରୁଥିବା ଏହି କର୍ମଚାରୀ ମାନଙ୍କୁ ଭ୍ୟାକସିନ ନିଶ୍ଚିତ ରୂପେ ଜରୁରୀ । ସମ୍ମୁଖ ଯୋଦ୍ଧାଙ୍କ ସମେତ ସାଧାରଣ ଲୋକଙ୍କୁ ବି ଭ୍ୟାକସିନ ଦିଆଯାଉଛି । ହେଲେ କିଛି ଲୋକ ଏହାର ମୂଲ୍ୟ ନ ବୁଝି ଅବହେଳା କରୁଛନ୍ତି ।

କରୋନା ଟିକା ଲଗାଇବା ଯଦି ବାଧ୍ୟତାମୂଳକ ହୋଇଥାନ୍ତା ତାହାଲେ ହୁଏତ ଏସବୁ ଅସୁବିଧା ଦେଖିବାକୁ ମିଳିନଥାନ୍ତା । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତ କହିଛନ୍ତି କି ଟିକା ନେବା କିମ୍ବା ନ ନେବା ଏହା ସେହି ବ୍ୟକ୍ତିଙ୍କର ନିଜସ୍ୱ ଇଚ୍ଚା । ଏଥିପାଇଁ କେହି ତାଙ୍କୁ ବାଧ୍ୟ କରିପାରିବେନି । କେବଳ ଉଜ୍ଜୟନୀରେ ନୁହେଁ ବରଂ ୟୁପିିର ଫିରୋଜାବାଦରେ ବି ଦରମା କାଟିବାର ନିୟମ ଲାଗୁ ହେଲାଣି । ୩ ଦିନ ଭିତରେ ଟିକା ନେଇନଥିବା କର୍ମଚାରୀ ତୁରନ୍ତ ଟିକା ନେଇ ପ୍ରମାଣପତ୍ର ଦାଖଲ କରନ୍ତୁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ୟାନ୍ୟ ରାଜ୍ୟରେ ବି ଲୋକଙ୍କୁ ଟିକା ନେବା ପାଇଁ ଅଲଗା ଅଲଗା ଉପାୟ ଆପଣାଇ ବୁଝାଯାଉଛି । ହେଲେ ଲୋକଙ୍କର ଅଭିଯୋଗ ଯେ ସରକାରଙ୍କ ପାଖରେ ତ ଟିକା ନାହିଁ । ତେବେ ସେମାନେ ଟିକା ଲଗାଇବେ ବା କେମିତି?ହେଲେ ଏହିଭଳି ନିୟମକାନୁନ ଲାଗୁ ହେଲେ ସେମାନେ କରିବେ ତ କରିବେ କଣ? ଟିକାକରଣ କେନ୍ଦ୍ରକୁ ଗଲେ ଟିକା ମିଳୁନି ଏପଟେ ସରକାରଙ୍କୁ ପ୍ରଶ୍ନ କଲେ ଉତ୍ତର ମିଳୁନି । ମିଳୁଛି ତ କେବଳ ନିୟମ । ୟୁପିର ସେଫଇ ଠାରେ ଥିବା ଏସଡିଏମଓ ହେମ୍ କୁମାର ସିଂ ନିଜ ଅଂଚଳର ମଦ ଦୋକାନ ଉପରେ ବି ନୂଆ ନିୟମ ଲାଗୁ କରିଦେଇଛନ୍ତି । ସବୁ ଦୋକାନ ଆଗରେ ଅଫିସିଆଲ ପୋଷ୍ଟର ମଧ୍ୟ ଲଗାଯାଇଛି । ଏଣିକି ମଦ କିଣିବାକୁ ଗଲେ ବି ଲୋକଙ୍କୁ ଭ୍ୟାକସିନେସନର ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ନହେଲେ ମଦ ମିଳିବନାହିଁ । ଏହି ପୋଷ୍ଟରରେ ଲୋକଙ୍କୁ ସଚେତନ କରାଯାଇଛି କି-ପ୍ରଥମେ ଭ୍ୟାକସିନ ନିଅନ୍ତୁ ତାପରେ ମଦ କିଣିବାକୁ ଆସନ୍ତୁ ।

 ବିହାରରେ ବି କଥା ସମାନ । ବିହାରର ସାରଣରେ ଜିଲ୍ଲାଧିକାରୀ ଡ. ନିଳେଶ ରାମଚନ୍ଦ୍ର ଦେବ ବି ସରକାରୀ କର୍ମଚାରୀଙ୍କୁ ତାଗିଦ କରିଛନ୍ତି । ସେମାନେ ଭ୍ୟାକସିନ ନନେଲେ ତାଙ୍କୁ ବି ଦରମା ମିଳବନାହିଁ । ହେଲେ ଏସବୁ ନିୟମକୁ ଦେଖି ବର୍ତମାନ କର୍ମଚାରୀମାନେ ଚିନ୍ତାରେ । ୧୮ରୁ ୪୫ବର୍ଷୀୟ କର୍ମଚାରୀ ମାନଙ୍କ ପାଇଁ ସ୍ଲୋଟ୍ ବୁକିଙ୍ଗ ହିଁ ହେଇପାରୁନାହିଁ । ଏହାରି ଭିତରେ ସେମାନେ ଟିକା ନେବାକୁ ଚାହିଁଲେ ବି ସେମାନେ ଟିକା ନେବେ କେମିତି । ଏଭଳି ଓଲଟାପାଲଟା ଆଦେଶ ଜାରି କରୁଥିବା ଅଧିକାରୀଙ୍କ ପାଖରେ କ’ଣ ଟିକାର ଷ୍ଟକକୁ ନେଇ କୌଣସୀ ସୂଚନା ନାହିଁକି ? ସମ୍ଭବତଃ ନାହିଁ । ଯଦି ଥାନ୍ତା ତେବେ ସେମାନେ ଏଭଳି ଆଦେଶ ଜାରି କରୁନଥାନ୍ତେ ।

Leave a Reply